Unknown

 

 

 

 

 

 

 

 

 

 

 

ସତ୍ୟାଗ୍ରହ ଆଚାର, ବିଚାର ଓ ବିଜ୍ଞାନ

ମନମୋହନ ଚୌଧୁରୀ

 

ଭୂମିକା

 

ଗାନ୍ଧିଜୀ ନିଜର ଜୀବିତାବସ୍ଥାରେ ଓ ମୃତ୍ୟୁପରେ ଏତେ ସମ୍ମାନର ଅଧିକାରୀ ହୋଇଛନ୍ତି ଯେ, ଆମେ ତାଙ୍କର ଶତବାର୍ଷିକୀ ପାଳନ କରି ତାଙ୍କୁ ଆଉ ଅଧିକ କିଛି ସମ୍ମାନ ଦେଖାଇ ପାରିବା ନାହିଁ ।

 

କିନ୍ତୁ ଦୁଃଖର କଥା ଯେ, ଯେଉଁ ଗାନ୍ଧିଜୀ ନିଜ କର୍ମଯୋଗରେ ଓ ଶୁଦ୍ଧ, ପବିତ୍ର ବିଚାରଧାରାରେ ସାରା ପୃଥିବୀର ମନକୁ କିଣି ପାରିଥିଲେ, ଆଜି ଆମେ ତାଙ୍କ ବିଚାରକୁ ଭୁଲି ତାଙ୍କୁ ଏକ ଦେବତା ରୂପେ ବିଭିନ୍ନ ଉପଚାରରେ ପୂଜା କରିବାରେ ଲାଗିଛୁ—ଏପରିକି ଏଥିପାଇଁ ସାମୂହିକ ଓ ସଂଗଠିତ ଉଦ୍ୟମ କରାଯାଉଛି । ଭାରତୀୟ ଜଳବାୟୁର କ’ଣ ଏକ ଦୋଷ ଅଛି ଯେ ଏଥିରେ ମହାମାନବମାନେ ଅତି ସହଜରେ ମୂକ ଓ ବଧିର ଦେବତା ପାଲଟି ଯାଉଛନ୍ତି ।

 

କିନ୍ତୁ ମହାମାନବ ଗାନ୍ଧିଜୀ ଦେବତା ହେବାକୁ ଚାହିଁ ନଥିଲେ । ସେ ଥିଲେ କର୍ମଯୋଗୀ, ବିପ୍ଲବୀ; ସେ ମଣିଷର ରକ୍ତ-ମାଂସ-ଶରୀରରେ ଆମ ଭିତରେ ରହି ସମାଜର ଦୋଷଦୁର୍ବଳତା ବିରୁଦ୍ଧରେ ଏକ ଅହିଂସା ସଂଗ୍ରାମ କରି ଏହାକୁ ପରିବର୍ତ୍ତନ କରିବାକୁ ଚାହିଁଥିଲେ । ଆଜି ଯେତେବେଳେ ଶତାବାର୍ଷିକୀ ପାଳନ କରାଯାଉଛି, ସେତେବେଳେ ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରଧାରା ସହିତ ପରିଚିତ ହୋଇ, ସେହି ଆଦର୍ଶ ବିଚାରଧାରା ଅନୁଯାୟୀ କିପରି ଆମର ବ୍ୟକ୍ତିଗତ ଓ ସମାଜିକ ଜୀବନକୁ ପରିବର୍ତ୍ତନ କରିବା, ତାହାହିଁ ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ । ସେଥିପାଇଁ ଗାନ୍ଧି ଶତବାର୍ଷିକୀ ସାହିତ୍ୟ ସମିତି ତରଫରୁ ଗାନ୍ଧିଜୀଙ୍କ ବିଚାରଧାରାର ବିଭିନ୍ନ ବିଭାଗ ଉପରେ ଆଲୋଚନାମୂଳକ କେତେକ ପୁସ୍ତିକା ପ୍ରକାଶ କରାଯାଉଛି ଏହା ଫଳରେ ପ୍ରଚଳିତ, ଗତାନୁଗତିକ ଚିନ୍ତାଧାରା ବିରୁଦ୍ଧରେ ଯଦି କିଛି ପ୍ରଶ୍ନ ଉଠେ, ତାହାହେଲେ ଲେଖକ ଓ ଉଦ୍ୟୋକ୍ତାମାନଙ୍କ ଶ୍ରମ ସାର୍ଥକ ହେଲା ବୋଲି ଧରାଯିବ ।

 

ଓଡ଼ିଶାର ଗାନ୍ଧି-ଜନ୍ମ-ଶତ-ବାର୍ଷିକୀ ଉତ୍ସବର ସାହିତ୍ୟ-ଶାଖା ଏହି ପୁଣ୍ୟ ସମ୍ବତ୍ସରରେ ଯେଉଁ ଭାବରେ ଗାନ୍ଧି-ସାହିତ୍ୟ ଓଡ଼ିଆରେ ପରିବେଷଣ କରିବାବୁ ବସିଛନ୍ତି ତାହା ଏହିପରି—

 

(୧)

ଗାନ୍ଧିଜୀଙ୍କ ସମସ୍ତ ନିଜର ରଚନା ।

(୨)

ଗାନ୍ଧିଜୀଙ୍କ ଉପରେ ଅନ୍ୟମାନଙ୍କର ରଚନା ।

(୩)

ଗାନ୍ଧିବାଦ ଉପରେ ପ୍ରବନ୍ଧ ଓ ପୁସ୍ତକାବଳୀ ।

(୪)

ଗାନ୍ଧି-ସୂକ୍ତି-ମୁକ୍ତାବଳୀ ।

(୫)

ଗାନ୍ଧି ଓ ଉତ୍କଳ ।

 

ଏଥି ଭିତରୁ ପ୍ରଥମ ଶ୍ରେଣୀର ରଚନାବଳୀ ପ୍ରକାଶନ ଦାୟିତ୍ୱ ନେଇଛନ୍ତି ଶ୍ରୀ ଶରତ୍‌ଚନ୍ଦ୍ର ମହାରଣା, ଗାନ୍ଧି-ସ୍ମାରକ-ନିଧି ପକ୍ଷରୁ । ଏହା ପୂରା ଷୋଳ ଖଣ୍ଡରେ ପ୍ରକାଶିତ ହେବ ।

 

ଅନ୍ୟ ସବୁ ଶ୍ରେଣୀର ଦାୟିତ୍ୱ ନେଇଛନ୍ତି ଗାନ୍ଧି-ସାହିତ୍ୟ-ସମିତି ।

 

୧୯୬୯ ଅକ୍ଟୋବର ଦୁଇ କି, ଏହି ସମିତି ଗାନ୍ଧି-ବାଦ-ଆଲୋଚନା ମୂଳକ ଏକ ସ୍ମରଣିକା ପ୍ରକାଶ କରିବାକୁ ଆଶା କରନ୍ତି ।

 

‘ଗାନ୍ଧି ଓ ଉତ୍କଳ’ ର ଦାୟିତ୍ୱ ନେଇଛନ୍ତି ଡକ୍ଟର ହରେକୃଷ୍ଣ ମହତାବ ।

 

ଆମ୍ଭମାନଙ୍କର ଉଦ୍ୟମ ପାଇଁ ଉତ୍କଳର ସମସ୍ତ ପାଠକ ପାଠିକାଙ୍କର ସହଯୋଗ ଭିକ୍ଷାକରୁଁ । ଇତି ।

 

ମାୟାଧର ମାନସିଂହ

ଶ୍ରୀ ବୈଦ୍ୟନାଥ ମିଶ୍ର

ସଭାପତି

ସଂପାଦକ

ଗାନ୍ଧି-ସାହିତ୍ୟ-ସମିତି

ଗାନ୍ଧି-ସାହିତ୍ୟ-ସମିତି

Image

 

 

 

 

 

 

 

 

 

ସତ୍ୟ ପ୍ରେମ କରୁଣା

 

ବିନୋବାର

ଜୟ ଜଗତ୍‌

 

ରାଂଚୀ

୨୪ । ୯ । ୬୯

 

ଲେଖକଙ୍କ କୈଫିୟତ

 

ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେବାର ସୌଭାଗ୍ୟ ପିଲାଦିନୁ ମିଳିଥିଲା । ଏବଂ ସେହି ସ୍ୱରାଜ୍ୟ ଆନ୍ଦୋଳନ ବେଳୁଁ ଏ ପର୍ଯ୍ୟନ୍ତ ହିଂସା ଓ ଅହିଂସାର କାର୍ଯ୍ୟକାରୀତାର ତୁଳନା ନେଇ ଯେଉଁ ବାଦନୁବାଦ ସମାନ ଉତ୍‌ସାହ ଓ ଉତ୍ତେଜନାର ସହିତ ଚାଲି ଆସିଛି ତାହାର ଢେଉ ବରାବର ମୋ ମନରେ ଆସି ବାଜୁଥିଲା । ୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଅହିଂସା ଓ ସତ୍ୟାଗ୍ରହର ପନ୍ଥାରେ ମୋର ଆଦର୍ଶ ଗତ ବିଶ୍ୱାସ ଦୃଢ଼ ହେଲା । ମାତ୍ର ସତ୍ୟାଗ୍ରହ କି ଭାବରେ କାମ କରେ ତାହାର ରହସ୍ୟ ଯେତେବେଳେ ସ୍ପଷ୍ଟ ହୋଇ ନଥିଲା ଓ ଏବେ ବି ଯେ ପୂରା ସ୍ପଷ୍ଟ ହେଲାଣି ତାହା ନୁହେଁ । ତେବେ ଏହା ଭିତରେ ଏ ସବୁ ବିଷୟରେ ଅଧ୍ୟୟନ ଓ ପର୍ଯ୍ୟବେଷଣ କରିବାର ଯେତିକି ସୁଯୋଗ ନାନା କାମଧନ୍ଦା ଓ ଦାୟିତ୍ୱ ଭିତରେ ମିଳିଗଲା ସେଥିରୁ ମୋ ମନରେ ଗୋଟିଏ ଧାରଣା ଜନ୍ମିଲା ଯେ ଆଧୁନିକ ମନୋବିଜ୍ଞାନ ଓ ସମାଜ ବିଜ୍ଞାନ ମଣିଷ ସ୍ୱଭାବ ବିଷୟରେ ଯେଉଁ ନୂଆ ଧାରଣା ଆମକୁ ଦେଉଛି, ତାହା ସହିତ ସତ୍ୟାଗ୍ରହର ମୂଳଭୂତ ଦୃଷ୍ଟି କୋଣରେ ବହୁତ ସାମଞ୍ଜସ୍ୟ ରହିଛି । ଇତିମଧ୍ୟରେ ବିନୋବାଜୀ ସତ୍ୟାଗ୍ରହର ମୂଳତନ୍ତ୍ର ଓ ପ୍ରକ୍ରିୟା ସମ୍ବନ୍ଧରେ ଯେଉଁ ସବୁ ବିଶ୍ଳେଷଣ କଲେ ତାହା ମଧ୍ୟ ଏହି ବିଷୟ ଉପରେ ନୂତନ ଆଲୋକପାତ କଲା । ସବୁ ବିବିଧ ସୂତ୍ରକୁ ଅବଲମ୍ବନ କରି କେତେ ବର୍ଷ ହେଲା ସତ୍ୟାଗ୍ରହ ବିଷୟରେ ଅଧ୍ୟୟନ କରୁଥିଲି ଓ ଆଧୁନିକ ଜଗତ ଓ ଜ୍ଞାନ ବିଜ୍ଞାନର ପରିପ୍ରେକ୍ଷୀରେ ସତ୍ୟାଗ୍ରହ ବିଷୟରେ ଏକ ବହି ଲେଖିବାର ଇଚ୍ଛା ମନରେ ଥିଲା । ମାତ୍ର ସେ ବହି ଏତେ ଶୀଘ୍ର ଲେଖା ହୋଇ ନଥାନ୍ତା । ଓଡ଼ିଶା ରାଜ୍ୟ ଗାନ୍ଧି ଶତବାର୍ଷିକୀ ସମିତିର ସାହିତ୍ୟ ଉପସମିତି ମତେ ଏହି ଉପଲକ୍ଷରେ ଖଣ୍ଡେ ବହି ଲେଖିବାକୁ ଅନୁରୋଧ କଲେ ଓ ସତ୍ୟାଗ୍ରହ ବିଷୟରେ ଲେଖିଲେ ଭଲ ହେବ ବୋଲି ସୂଚନା ଦେଲେ ।

 

ଏହି ଅନୁରୋଧ ଫଳରେ ହିଁ ଏ ବହି ଖଣ୍ଡ ତୁରନ୍ତ ଲେଖି ପକାଇବା ପାଇଁ ପ୍ରେରଣା ପାଇଲି । ମାତ୍ର ଏ ଭଳି ତରତର ଲେଖାର ଗୋଟିଏ ଫଳ ହେଲା ଯେ ଏଥିରେ ବହୁତ ଅପୂର୍ଣ୍ଣତା ରହିଯାଇଛି । ପ୍ରତ୍ୟେକ ସନ୍ଦର୍ଭକୁ ଯତ୍ନର ସହିତ ମିଳେଇ ଦେଖିବା ପାଇଁ ଯଥେଷ୍ଟ ଅବସର ନଥିବାରୁ ଅନେକ ତଥ୍ୟଗତ ଭୁଲ ମଧ୍ୟ ରହି ଯାଇଥିବା ସମ୍ଭବ ।

 

ବାରମ୍ବାର ତାଗଦା କରି ମୋ ଦ୍ୱାରା ଏହା ଲେଖାଇ ନେଇ ଥିବାରୁ ଏସବୁ ପାଇଁ ଓ ଏ ବହି ପାଇଁ ମତେ ଯେତେ କଥା ଶୁଣିବାକୁ ପଡ଼ିବ, ସେଥିରୁ ଅଧେ ଗାନ୍ଧି-ସାହିତ୍ୟ ଉପସମିତିର ସମ୍ପାଦକ ଡଃ ବୈଦାନାଥ ମିଶ୍ରଙ୍କ ଭାଗରେ ପଡ଼ିବା ଉଚିତ । କେତେକ ବିଷୟର ଚର୍ଚ୍ଚା ଯେତେ ବିଶଦ ହୋଇ ପାରିଥାନ୍ତା ତାହା ହୋଇପାରି ନାହିଁ ଓ କେତେକ ସ୍ଥାନରେ ଭାବପ୍ରକାଶରେ କ୍ଲିଷ୍ଟତା ମଧ୍ୟ ରହିଯାଇଛି । ଉତ୍କଳ ଖଦି ମଣ୍ଡଳର ସମ୍ପାଦକ ଶ୍ରୀ ଭୂବନାନନ୍ଦ ସ୍ୱାଇଁ ଆୟାସ ସ୍ୱୀକାର କରି ଏହାର ପାଣ୍ଡୁଲିପି ଓଡ଼ିଆରେ ଟାଇପ୍‌ କରାଇ ଦେଇ ଥିବାରୁ ଅନେକ ସୁବିଧା ହେଲା । ପରିଶେଷରେ ଲାର୍କବୁକ୍‌ସ ଏ ବହିକୁ ଅଳ୍ପ ସମୟ ଭିତରେ ଛାପି ପ୍ରକାଶିତ କରିଥିବାରୁ ଏହା ଯଥାସମୟରେ ପାଠକମାନଙ୍କ ସମ୍ମୁଖକୁ ଆସିପାରିଲା । ଏଥିପାଇଁ ମୁଁ ଏ ସମସ୍ତଙ୍କଠାରେ କୃତଜ୍ଞ ।

 

କଟକ

 

୨୫ । ୯ । ୬୯

ମନମୋହନ ଚୌଧୁରୀ

Image

 

ସୂଚୀପତ୍ର

 

୧.

ଆଜିର ବିଶ୍ୱ

୨.

ଗାନ୍ଧିଜୀଙ୍କ ପୂର୍ବରୁ ସତ୍ୟାଗ୍ରହ : ବିଚାର ଓ ଆଚାର

୩.

ଗାନ୍ଧିଜୀଙ୍କ ସତ୍ୟାଗ୍ରହ : ସଂକ୍ଷିପ୍ତ ଇତିହାସ

୪.

ସତ୍ୟାଗ୍ରହର ମୂଳ ଆସ୍ଥା

୫.

ଗାନ୍ଧିଜୀଙ୍କ ଦ୍ୱାରା ଅନୁସୃତ ସତ୍ୟାଗ୍ରହର ନୀତି

୬.

ସତ୍ୟାଗ୍ରହର ଉପଲକ୍ଷ୍ୟ ଓ ପ୍ରକାର, ବିଧାୟକ ଓ ନିଷେଧାତ୍ମକ

୭.

ନିଷେଧାତ୍ମକ ସତ୍ୟାଗ୍ରହ କଣ ଓ କାହିଁକି

୮.

ବିଧାୟକ ସତ୍ୟାଗ୍ରହ

୯.

ସୌମ୍ୟ, ସୌମ୍ୟତର, ସୌମ୍ୟତମ ଓ ସତ୍ୟାଗ୍ରହୀ

୧୦.

ଆଧୁନିକ ବିଜ୍ଞାନର ସାକ୍ଷ୍ୟ

୧୧.

ପରାକ୍ରମ ଓ ହିଂସା

୧୨.

ଶିଶୁଶିକ୍ଷା ଓ ପ୍ରେମର ମମତା

୧୩.

ଅପରାଧୀର ସଂଶୋଧନ

୧୪.

ସହଯୋଗୀତା ଓ ସଂଗଠନର ବିଜ୍ଞାନ

୧୫.

ବିଶ୍ୱାସର ଶକ୍ତି

୧୬.

ସତ୍ୟାଗ୍ରହୀର ଗୁଣ

୧୭.

ସତ୍ୟାଗ୍ରହ : ଜୀବନ ଦୃଷ୍ଟି

୧୮.

ସତ୍ୟାଗ୍ରହର ସଂଗଠନ

୧୯.

ନେତୃତ୍ୱ

୨୦.

ସତ୍ୟାଗ୍ରହରେ ଉପବାସର ସ୍ଥାନ

୨୧.

ଗାନ୍ଧି ଉତ୍ତର ଯୁଗରେ ସତ୍ୟାଗ୍ରହ : ବିଦେଶରେ

୨୨.

ଗାନ୍ଧିଜୀ ଉତ୍ତର ଯୁଗ : ଭାରତ

୨୩.

ଦେଶରକ୍ଷାରେ ଅହିଂସାର ପ୍ରୟୋଗ

Image

 

(ଏକ)

ଆଜିର ବିଶ୍ୱ

 

୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ଆଠଟା ପନ୍ଦର । ଶରତକାଳର ରୌଦ୍ରାଜ୍ଜ୍ୱଳ ପ୍ରଭାତର ନୀଳ ଆକାଶ ମେଘମୁକ୍ତ । ମୃଦୁ ମଧୁର ସକାଳୁଆ ସମୁଦ୍ର ପବନ ଜାପାନର ହିରୋସୀମା ସହରର ବକ୍ଷକୁ ଆନ୍ଦୋଳିତ କରୁଛି । ପୂର୍ବ ରାତିରେ ଉଡ଼ାଜାହାଜ ଆକ୍ରମଣର ବିପଦ ସଙ୍କେତ ବାଜିଥିଲା ଓ ଅଧିକାଂଶ ଲୋକ ମାଟିତଳ ଗୋଦାମଘର ଓ ଅଳ୍ପ କେତେକ ଆଶ୍ରୟ ସ୍ଥଳରେ ଅନିଦ୍ରାରେ ରାତି କଟାଇଥିଲେ । ସେଥିପାଇଁ କାରଖାନା, ଅଫିସ, ଦୋକାନ, ବଜାର ସ୍କୁଲ କଲେଜକୁ ନିଜ ନିଜ ଧନ୍ଦାରେ ବାହାରିବା ପୂର୍ବରୁ ପୂର୍ବ ରାତିର ନିଦ୍ରାଭାବକୁ ସମସ୍ତେ ଟିକିଏ ମେଣ୍ଟେଇ ନେଉଛନ୍ତି ।

 

ଏହି ସମୟରେ ଆକାଶରେ ସୁଉଚ୍ଚରେ ଗୋଟିଏ ଉଡ଼ାଜାହାଜ ଆସି ପହଞ୍ଚିଗଲା । ଏତେ ଉପରେ ଯେ ଖାଲିଆଖିକୁ ଦେଖାଯାଉଥାଏ କି ନାହିଁ । କେଉଁଠି କେତେଟା ଉଡ଼ାଜାହାଜ ବିରୋଧୀ କମାଣର ଗର୍ଜନ ଶୁଭିଲା । ତା ପରେ ସବୁ ଚୁପଚାପ । ଉଡ଼ାଜାହାଜ ତା ବାଟରେ ଉଡ଼ି ଚାଲିଲା ଓ ଖରା ତେଜରେ ଅଗୋଚର ହୋଇଗଲା । କେତେଜଣ ନିକମା ସୈନିକ ଅଳସରେ ବସି ବସି ତୁଚ୍ଛାଟାରେ ଆକାଶକୁ ଚାହିଁଥିଲେ । ସେମାନେ ଦେଖିଲେ ଗୋଟିଏ ଛୋଟିଆ ଧଳା ଆକାଶଛତା ଖସୁଛି । କେତେକ ପରେ ଜୋର ଦେଇ କହିଲେ ଯେ ସେମାନେ ଦୁଇଟା ଛତା ଦେଖିଥିଲେ । ପରସ୍ପର ପିଠି ଚାପୁଡ଼େଇ ସେମାନେ ଆନନ୍ଦରେ ପାଟିକରି ଉଠିଲେ ‘‘ଉଡ଼ାଜାହାଜଟାରେ ନିଶ୍ଚେ ଗୁଳି ବାଜିଛି । ତାର ଚାଳକମାନେ ଡେଇଁ ପଡ଼ିଲେଣି ।’’

 

ଆକାଶଛତାଟି ଧୀରେ ଧୀରେ ତଳକୁ ଖସୁଥାଏ । ସେମାନେ ଦେଖୁଥାନ୍ତି । ଏହାର କଣ ହେବ ବୋଲି ଅନୁମାନ କରୁଥାନ୍ତି ।

 

ଏତିକିବେଳେ ତାହା ଘଟିଲା ।

 

ଏକ ଆଖି ଧନ୍ଦିଦେବା ପରି ଆଲୋକଛଟା ଆକାଶରେ ଖେଳିଗଲା । ଏତେ ଉଜ୍ଜ୍ୱଳ ଯେ ତା ଆଗରେ ଦିବାଲୋକ ମ୍ଲାନ ହୋଇଗଲା । ଏହାପରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଭୂମି କମ୍ପେଇ ଦେଲା ପୁଣି ଆଉ ଗୋଟିଏ ପ୍ରଥମଟିଠାରୁ ଆହୁରି ଅଧିକ ପ୍ରଚଣ୍ଡ । ଲୋକେ ଅନ୍ଧ ଓ ଚେତନାହୀନ ହୋଇ ତଳେ ପଡ଼ିଗଲେ । ଘର ସବୁ ଭୁଷୁଡ଼ି ପଡ଼ିଲା । ଗଛ ସବୁ ଜଳିଗଲା । ଗୋଟିଏ ଅଗ୍ନିର ବନ୍ୟା ସାରା ସହରରେ ସଞ୍ଚରି ଯାଇ ଯାହା ପାଇଲା, ମଣିଷ, ଜନ୍ତୁ, ଘର, ଗଛ, ଘାସ ସବୁ ଏକ ମୁହୂର୍ତ୍ତକ ମଧ୍ୟରେ ଭସ୍ମ କରିଦେଲା । ଲୋକଙ୍କ ଦେହରୁ ଲୁଗାପଟା ଓଟାରି ହୋଇ ଉଡ଼ିଗଲା ଓ ଦେହରେ ନିଆଁ ଲାଗିଗଲା । ମୁହୂର୍ତ୍ତକ ପାଇଁ ହଜାର ହଜାର ମଣିଷଙ୍କର କଞ୍ଚାମାଂସ ପୋଡ଼ି ହେବାର ଦୁର୍ଗନ୍ଧ ବ୍ୟାପିଗଲା । ତାପରେ ସବୁ ଶେଷ ।

 

ଆତଙ୍କରେ ସ୍ତମ୍ଭୀଭୂତ ଓ ବିସ୍ଫାରିତ ଚକ୍ଷୁରେ ଯେଉଁ ଅଳ୍ପ କେତେଜଣ ଠିଆ ହୋଇ ପାରିଲେ ସେମାନେ ଦେଖିଲେ ଯେ ସାରା ସହରଟା ଭସ୍ମ ଓ ଧ୍ୱଂସସ୍ତୂପରେ ପରିଣତ ହୋଇଛି । ଚାରିଆଡ଼େ ଦଗ୍‌ଧ ମୃତଦେହ । ସେମାନେ ଦିନେ ମଣିଷ ଥିଲେ ବୋଲି ଚିହ୍ନିବା କଷ୍ଟ, ଭଙ୍ଗାଘରର ଧ୍ୱଂସାବଶେଷ, ଜଳି ଅଙ୍ଗାର ହୋଇଥିବା ଗଛସବୁର ଥୁଣ୍ଟା । ମାଟି ଜଳି କଳା ହୋଇଯାଇଛି ଓ ଏକ ବିରାଟ ଛତା ଆକାରର ଧୂମପଟଳ ଆକାଶକୁ ବିବର୍ଣ୍ଣ କରିଦେଇ ଭାସି ଚାଲିଛି । ଏହାପରେ ହିରୋସୀମା ସହରର ଏ ପ୍ରେତାତ୍ମା ଉପରେ ଘନ ଅନ୍ଧକାର ଘୋଟି ଆସିଲା ।

 

ଏହି କୁବ୍‌ଝଟିକା ଓ ବାଷ୍ପ ଭିତରେ, ବାୟୁମଣ୍ଡଳକୁ ଆଚ୍ଛନ୍ନ କରିଥିବା ଘନ ଧୂମ ଓ ଧୂଳିପଟଳ ଭିତରେ ବଞ୍ଚି ଯାଇଥିବା ଲୋକମାନେ ଭୂତ ଭଳି ଟଳି ଟଳି ଚାଲିଥାନ୍ତି । ସେମାନଙ୍କର ଦୃଷ୍ଟି ଉନ୍ମତ୍ତ ଭଳି, ତୁଣ୍ଡରେ କୌଣସି ଶବ୍ଦ ନାହିଁ, କ୍ୱଚିତ କାହାରି ଦେହରେ ଲୁଗା ଥାଏ । ଅନେକେ ହାତ ଦୁଇଟାକୁ ଦୂରକୁ ଟେକି ଧରିଥାନ୍ତି ଯେପରି ପୋଡ଼ା ଚମଡ଼ା ଓ କଟାମାଂସ ପରସ୍ପର ଘଷି ନ ହେବ । ଅନେକଙ୍କର ମୁଖମଣ୍ଡଳ ଆକୃତିହୀନ ମାଂସପିଣ୍ଡରେ ପରିଣତ ହୋଇଥାଏ । ଆଉ ଅନେକଙ୍କର ହାତ ଗୋଡ ଉଡ଼ିଯାଇଥାଏ । ସେମାନେ ଅତ୍ୟନ୍ତ ଯନ୍ତ୍ରଣା ସହକାରେ ଘୁଷୁଡ଼ି ଘୁଷୁଡ଼ି ଚାଲିଥାନ୍ତି । ହେଇଟି ଜଣେ ସ୍ତ୍ରୀଲୋକ ଟଳିଟଳି ଗଲା । ଦେହରେ ବସ୍ତ୍ର ନାହିଁ, ସମସ୍ତ ବାଳ ମୁଣ୍ଡରୁ ଜଳିଯାଇଛି, ଗୋଟିଏ ଶିଶୁକୁ କାଖେଇଛି, ଏହାଠାରେ ମଣିଷର ଆକୃତି ଆଉ କିଛି ବାକି ନାହିଁ । କେବଳ ଏକ କଦାକାର ମାଂସପିଣ୍ଡ । ସେଠି ଜଣେ ଲୋକର ଦୁଇ ଗୋଡ଼ କଟିଯାଇଥିବାରୁ ସେ ନଖରେ ଆମ୍ପୁଡ଼ି ଆମ୍ପୁଡ଼ି ଆଗେଇବାର ଚେଷ୍ଟା କରୁଛି । ଅଳ୍ପ କେତେଜଣରୁ ଏମାନଙ୍କ ସଂଖ୍ୟା ଶହ, ହଜାର, ଲକ୍ଷରେ ପହଞ୍ଚିଲା । ଯନ୍ତ୍ରଣାକ୍ଲିଷ୍ଟ, ଦୟନୀୟ ନରନାରୀଙ୍କର ଏକ ଅସରନ୍ତି ଶୋଭାଯାତ୍ରା । ଟିକିଏ ସୁଦ୍ଧା ଶବ୍ଦ ନକରି ସେମାନେ ଘୁଷୁରି ଘୁଷୁରି ଟଳି ଟଳି ଚାଲିଛନ୍ତି । ଆତଙ୍କରେ ସେମାନେ ମୂକ ହୋଇ ଯାଇଛନ୍ତି ।

 

ବହୁଦିନଯାଏ ମୋଟ କ୍ଷତିର ପରିମାଣ ହିସାବ କରିବା ସମ୍ଭବ ହୋଇ ନଥିଲା । ହିରୋସୀମାର କେନ୍ଦ୍ରସ୍ଥଳରେ ଥିବା ବଡ଼ ଡାକଘର ଉପରେ ଅଳ୍ପ ଉଚ୍ଚରେ ଗୋଟିଏ ପରମାଣୁ ବୋମା ଫୁଟିଥିଲା । ତାପମାନ ସାଢ଼େ ପାଞ୍ଚ ଲକ୍ଷ ଡିଗ୍ରୀକୁ ଉଠିଥିଲା । ପ୍ରାୟ ଅଶି ହଜାର ଲୋକ ସେହି ଗୋଟିଏ ମୂହୂର୍ତ୍ତରେ ପ୍ରାଣ ହରାଇଥିଲେ । ଲକ୍ଷେ ସତୁରୀ ହଜାର ଆହତ ହୋଇଥିଲେ ଅନେକ କାନ୍ଥ ଆଡ଼ୁଆଳରେ କୌଣସି ଆପାତ ଆଘାତର ଲକ୍ଷଣ ବିନା ବର୍ତ୍ତି ଯାଇଥିଲେ । ମାତ୍ର ଦୁଇ ତିନି ଦିନ ଭିତରେ ସେମାନେ ଏକ ବିଚିତ୍ର ବ୍ୟାଧି କବଳରେ ପଡ଼ିଲେ । ସେମାନଙ୍କର ରକ୍ତ ବାନ୍ତି ହେବାକୁ ଲାଗିଲା, ମୁହଁର ଲାଳରେ ରକ୍ତ ଦେଖାଗଲା । ଦେହସାରା ରକ୍ତର ଫୋଟକା ପରି ବାହାରିଲା । ସେମାନଙ୍କର ବାଳସବୁ ଉପୁଡ଼ି ଗଲା । ସେମାନେ ମୋହାଚ୍ଛନ୍ନ ପରି ପଡ଼ିରହିଲେ ଓ ଅଳ୍ପ ଦିନରେ ଗୋଟି ଗୋଟି କରି ମରିବାକୁ ଲାଗିଲେ । ଏହିପରି ବର୍ଷ ବର୍ଷ ଯାଏ ଏ ମୃତ୍ୟୁ ଲୀଳା ଚାଲିଲା ।

 

ଏହାର ପରିଣାମ ଏବେବି ଶେଷ ହୋଇନାହିଁ । ଏ ଘଟଣାର ଆଠ ବର୍ଷ ଭିତରେ ସେ ସହରରେ ତିରିଶି ହଜାରରୁ ଅଧିକ ଶିଶୁ ଜନ୍ମିଥିଲେ । ସେଥି ଭିତରୁ ୪୨୦୦ ଅସ୍ୱାଭାବିକ, ୪୭୦ ଜନ୍ମମୃତ, ୧୦୪୬ଙ୍କର ଅବୟବ ବିକଳାଙ୍ଗ, ୪୨୯ଙ୍କର ନାକ ବା କାନ ନଥିଲା, ୨୫୪ଙ୍କର ଜିଭ ବା ଓଠରେ ବିକୃତି ଥିଲା, ୨୪୩ଙ୍କର ଦେହର ବିଭିନ୍ନ ଆଭ୍ୟନ୍ତରୀଣ ଅଂଶରେ ବିକୃତି ଥିଲା, ୫୯ ଜଣଙ୍କର ତାଳୁରେ ଫାଟ ଥିଲା, ୨୫ଜଣଙ୍କର ମସ୍ତିଷ୍କ ନଥିଲା ଓ ୮ଜଣଙ୍କର ଆଖି ନଥିଲା । (The Bridge is Love, ଲେଖକ....Hans de Boer ହ୍ୟାନ୍‌ସ୍‌ ଦୀ ବୋର୍‌ ୧୯୯ପୃ ୨୦୦ପୃ. ରୁ ସଂକ୍ଷେପିତ) ।

 

ସେହିଦିନ ଗୋଟିଏ ବୋମାର ବିସ୍ଫୋରଣ ପୃଥିବୀ ଇତିହାସର ଧାରା ବଦଳାଇ ଦେଲା-

 

ପୃଥିବୀରେ ମାନବ ଜାତିର ପ୍ରଥମ ଆବିର୍ଭାବ ଯୁଗରୁ ମଣିଷ ପରସ୍ପରକୁ ସ୍ନେହ କରିଛି ଓ ପୁଣି କଳି କରିଛି । ନାନା ଦାବି ଓ ଅଧିକାର, ସ୍ୱାର୍ଥ ଓ ଲୋଭର ଘାତପ୍ରତିଘାତରୁ ମଣିଷ ମଣିଷ ଭିତରେ ସଂଘର୍ଷ ହୋଇଛି ଓ ପୁଣି ସନ୍ଧି ଓ ଶାନ୍ତି ବି ହୋଇଛି । ମଣିଷ ଗୋଟିଏ ଦିଗରେ ସ୍ନେହ, ଶାନ୍ତି, ସମୃଦ୍ଧି ଓ ମୈତ୍ରୀର ସ୍ୱପ୍ନ ଦେଖିଛି, ପୁଣି ଏସବୁ ହାସଲ କରିବା ପାଇଁ ଦ୍ୱେଷ, ସଂଘର୍ଷ ଓ ତରବାରୀର ମାର୍ଗକୁ ଆବଶ୍ୟକତା ଓ ନାଯ୍ୟ ବୋଲି ଗ୍ରହଣ କରିଛି । ସେହି କେଉଁ ଯୁଗରେ କେତେ ହଜାର ବର୍ଷ ତଳେ ଋଷି ଗାଇଥିଲେ—

 

‘‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟାଃ,

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍‌ ଦୁଃଖଭାଗ୍‌ ଭବେତ୍‌ ।’’

 

ସମସ୍ତେ, ଏ ବିଶ୍ୱର ସମସ୍ତେ, ସୁଖୀ ହୁଅନ୍ତୁ । ସମସ୍ତେ ନିରାମୟ ହୁଅନ୍ତୁ । ସମସ୍ତଙ୍କ ଦୃଷ୍ଟି ଶୁଭ ହେଉ । କେହି ଦୁଃଖ ଭୋଗ ନ କରନ୍ତୁ ।

 

ପୁଣି ସେହି ଯୁଗରୁ ଆଦେଶ ଦିଆ ହୋଇଛି ‘‘ଯୁଧ୍ୟସ୍ୱ ବିଗତ୍‌ଜ୍ୱରଃ’’ ଆବେଶ ତ୍ୟାଗ କରି ଅକ୍ଷୋଭ ଚିତ୍ତରେ ଯୁଦ୍ଧ କର । କାହିଁକି ? ଧର୍ମର ସ୍ଥାପନା ପାଇଁ ।

 

ପୁଅକୁ ଭଲ ମଣିଷ କରିବା ପାଇଁ ବାପ ତାକୁ ଚଟକଣା ମାରିଛି । ସମାଜକୁ ରକ୍ଷା କରିବା ପାଇଁ ବିଚାରପତି ଅପରାଧୀକୁ କାରାଗାରକୁ ପଠାଇଛି । ଦେଶକୁ ପରାଧୀନତାର କବଳରୁ ମୁକ୍ତି କରିବା ପାଇଁ ଦେଶପ୍ରେମୀ ଖଡ଼୍‌ଗ ଉତ୍ତୋଳନ କରିଛି । ବୈଷମ୍ୟ ଶୋଷଣର ଅବସାନ ଘଟାଇ ସାମ୍ୟ ଓ ସମୃଦ୍ଧି ପ୍ରତିଷ୍ଠା କରିବାପାଇଁ ବିପ୍ଲବୀ ରାଇଫଲ୍‌ ଉଠାଇଛି । ସମାଜରେ ଆଭ୍ୟନ୍ତରୀଣ ଶାନ୍ତିରକ୍ଷା, ଏକ ଦେଶ ଉପରେ ଅନ୍ୟ ଦେଶର ଆକ୍ରମଣ ଓ ଆଧିପତ୍ୟ, ତଥା ସମାଜର ଗୋଟିଏ ଗୋଷ୍ଠୀ ଦ୍ୱାରା ଅନ୍ୟ ଗୋଷ୍ଠୀ ଉପରେ ଲଦା ଯାଇଥିବା ଲାଞ୍ଛନା, ଶୋଷଣ, ଅତ୍ୟାଚାର, ଅବମାନନା ଆଦିର ଅବସାନ, ଏ ତିନୋଟି ଉଦ୍ଦେଶ୍ୟ ସାଧନ ପାଇଁ ହିଂସା ସଭ୍ୟତାର ସହାୟକ, ହାତବାରିସୀରୂପେ ସ୍ୱୀକୃତ ହୋଇ ଆସିଛି । ଯେଉଁମାନେ ସମାଜ ରକ୍ଷାର ବିଧାନ ଦେଇଛନ୍ତି, ଯେଉଁମାନେ ରାଷ୍ଟ୍ରୀୟ ସ୍ୱାଧୀନତା ପାଇଁ ଯୁଝିଛନ୍ତି, ସମାଜ ବିପ୍ଳବ ପାଇଁ ରକ୍ତସ୍ରୋତ ବୁହାଇଛନ୍ତି, ସେ ସମସ୍ତଙ୍କୁ ସମାଜ ପୂଜା କରିଛି ଓ ଯଥାର୍ଥରେ କରିଛି । କାରଣ ମଣିଷ ଯେମିତି ଗୋଟାଏ ଦିଗରେ ଶାନ୍ତି ଚାହିଁଛି, ଚାହିଁଛି ସ୍ନେହ ଓ ସମୃଦ୍ଧି, ସେମିତି ଅନ୍ୟ ଦିଗରେ ଚାହିଁଛି ନିଜର ମନୁଷ୍ୟତ୍ୱର ଗୌରବର ପ୍ରତିଷ୍ଠା । ଆତ୍ମସମ୍ମାନ ଓ ସ୍ୱାଧୀନତାକୁ ବଳି ଦେଇ ଯେଉଁ ଶାନ୍ତି ମିଳେ ଗାନ୍ଧିଜୀ କହିବା ପରି ତାହା କବରର ଶାନ୍ତି । ସେଥିପାଇଁ ମଣିଷ ଯେତେବେଳେ ତାର ମନୁଷ୍ୟତ୍ୱର ହୁତଗୌରବ ଫେରି ପାଇବା ପାଇଁ ଯୁଦ୍ଧ କରିଛି ସେତେବେଳେ ସେ ଦୁନିଆର ଆଖିରେ ସମ୍ମାନର ପାତ୍ର ହୋଇଛି । ତାହାର ନେତା ଓ୍ୟାସିଂଟନ; ଗାରିବଲ୍‌ଡ଼ି, ଲେନିନ୍‌, ସୁବାଷ ବୋଷ—ମହାପୁରୁଷ୍‍ ଆଖ୍ୟା ପାଇଛନ୍ତି ଓ ପୂଜନୀୟ ହୋଇଛନ୍ତି । ମାତ୍ର ଇତିହାସ, ସମାଜବିଜ୍ଞାନ ଓ ସାଧାରଣ ମନୁଷ୍ୟର ଅଭିଜ୍ଞତା ଏହାର ମଧ୍ୟ ସାକ୍ଷ୍ୟ ଦେଇଆସିଛି ଯେ ହିଂସା ଓ ଜବରଦସ୍ତି ଯେତେ ମହତ ଉଦ୍ଦେଶ୍ୟ ପାଇଁ ପ୍ରଯୁକ୍ତ ହେଉନା କାହିଁକି ତାହା ଯେଉଁ ଆଘାତ; ତିକ୍ତତା ଓ ଦ୍ୱେଷ ସୃଷ୍ଟି କରେ ତାହାର କଟୁ ପରିଣାମ ସମାଜକୁ ଦୀର୍ଘକାଳ ଧରି ଭୋଗ କରିବାକୁ ପଡ଼େ । ଯେଉଁ ମାନବିକତା, ସ୍ୱାଧୀନତା, ସାମ୍ୟ ଆଦିର ଆଦର୍ଶ ପାଇଁ ତରବାରୀ ଉଠା ଯାଇଥାଏ ସେହି ଆଦର୍ଶଗୁଡ଼ିକୁ ହିଁ ତରବାରୀ ଧାରରେ ବଳି ପଡ଼ିଥାନ୍ତି । ଜଣକର ବା ଗୋଟିଏ ଗୋଷ୍ଠୀର ସମ୍ମାନ ଓ ସ୍ୱାଧୀନତା ପ୍ରତିଷ୍ଠା କରିବାକୁ ଯାଇ ଅନ୍ୟର ସେହି ଅଧିକାର ଏପରିକି ବଞ୍ଚିବାର ଅଧିକାର ମଧ୍ୟ ଲୋପ କରା ହୋଇଥାଏ । ଫରାସୀ, ରୁଷ୍‍, ଚୀନ୍‍ ଆଦି ବିପ୍ଳବର ପରବର୍ତ୍ତୀ ହିଂସା ଓ ଦମନର ତାଣ୍ଡବ ଲୀଳା ଓ ଏବେ ସ୍ୱାଧୀନତା ପାଇଥିବା ରାଷ୍ଟ୍ର, ଆଲ୍‌ଜେରିଆ, ଇଣ୍ଡୋନେସିଆ, କଙ୍ଗୋ, ବର୍ମା ପ୍ରଭୃତିରେ ସ୍ୱାଧିନତାର ପରବର୍ତ୍ତୀ ଅର୍ନ୍ତଯୁଦ୍ଧ ଓ ଏକଛତ୍ର ଶାସନର ପ୍ରତିଷ୍ଠାର ଉଦାହରଣ ସମସ୍ତଙ୍କ ଆଗରେ ରହିଛି ।

 

ସେଥିପାଇଁ ମଣିଷ ସେହି ଆଦିମ ଯୁଗରୁ ହିଁ ପ୍ରଶ୍ନ ପଚାରିଛି, ସ୍ୱପ୍ନ ଦେଖିଛି, ବାଟ ଖୋଜିଛି, ଯେ ମାନବିକତାର ଆଦର୍ଶ, ସ୍ୱାଧୀନତା ଓ ସାମ୍ୟର ଆଦର୍ଶ, ଶାନ୍ତିର ଓ ମୈତ୍ରୀର ଆଦର୍ଶ ପ୍ରତିଷ୍ଠା ପାଇଁ କଣ ସେହି ଆଦର୍ଶ ସମୂହର ହିଁ ଅନୁରୂପ କୌଣସି ପନ୍ଥା ନାହିଁ, ଲକ୍ଷ ଲକ୍ଷ ପୁତ୍ରହରା ଜନନୀ ଓ ସ୍ୱାମୀହରା ନାରୀ ବିନିଦ୍ର ରଜନୀରେ ଆକାଶକୁ ଚାହିଁ ନୀରବରେ ଅଶ୍ରୁ ବିସର୍ଜନ କରି ଭଗବାନଙ୍କଠାରେ କାକୁତି ଜଣାଇଛନ୍ତି ଯେ କଣ ସେମାନଙ୍କର ସୁଖର ସଂସାରକୁ ଚୂନା ନ କରି ମହତ ବିଜୟ ହାସଲ କରି ହୋଇ ନଥାନ୍ତା ?

 

ଆଧୁନିକ ଯୁଗରେ ବିଜ୍ଞାନ ମଣିଷ ହାତରେ ଅଧିକରୁ ଅଧିକ ଶକ୍ତି ଆଣି ଠୁଳ କରିବା ସାଙ୍ଗେସାଙ୍ଗେ ତାର ଅସ୍ତ୍ରଶସ୍ତ୍ରର ଧ୍ୱଂସଶକ୍ତି ମଧ୍ୟ ବଢ଼ାଇ ଚାଲିଛି । ଫଳରେ ଏ ଦ୍ୱନ୍ଦ୍ୱ ମଧ୍ୟ କ୍ରମେ ଉତ୍କଟତର ହୋଇ ଚାଲିଛି ।

 

୧୯୪୫ ଅଗଷ୍ଟ ୬ ତାରିଖର ସେ ମୁହୂର୍ତ୍ତ ଏ ଦ୍ୱନ୍ଦ୍ୱକୁ ନେଇ ତାର ଚରମ ସୋପାନରେ ପହଞ୍ଚାଇଛି କାରଣ ପରମାଣୁ ଅସ୍ତ୍ରର ପ୍ରୟୋଗ, ଯୁଦ୍ଧରେ ହିଂସାର ବ୍ୟବହାରକୁ ପ୍ରତିରୋଧରୁ ନେଇ ସଂହାରରେ ପହଞ୍ଚାଇ ଦେଲା । ଏହା ଆଗରେ ଆଉ ଯୋଦ୍ଧା, ଅଯୋଦ୍ଧା; ସ୍ତ୍ରୀ, ବୃଦ୍ଧ, ଶିଶୁ କୌଣସି ତାରତମ୍ୟ, କୌଣସି ବିବେକ ରହିଲା ନାହିଁ । ଯୁଦ୍ଧରେ ଶୌର୍ଯ୍ୟ, ଧୃତି, ତେଜ, କ୍ଷମା, ଅପଳାୟନ ଆଦି ଯେ ସବୁ ଗୁଣ ଯୋଗୁଁ ଯୋଦ୍ଧା ଗୌରବାନ୍ୱିତ ହେଉଥିଲା ସେସବୁର ମଧ୍ୟ ବିଲୟ ଘଟିଲା । କାରଣ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ରରେ ଖଞ୍ଜା ହୋଇଥିବା ପରମାଣୁ ବୋମା ନିକ୍ଷେପ କରିବା ପାଇଁ ସେସବୁ ଗୁଣ ଲୋଡ଼ା ନାହିଁ । ଅତି ଭୀରୁ, କାପୁରୁଷ, ହୀନବୀର୍ଯ୍ୟ, ସ୍ୱାର୍ଥପର ଓ ବିଳାସୀ ବ୍ୟକ୍ତି ମଧ୍ୟ କ୍ଷେପଣାସ୍ତ୍ର ଘାଟିର ନିରାପଦ ଆଶ୍ରୟରେ ବସି, ଗୋଟିଏ ହାତରେ ମହିଳା ସହକାରିଣୀର କଟି ବେଷ୍ଟନ କରି ଅନ୍ୟ ହାତରେ ବୋତାମ ଟିପି କେତେ ମିନିଟ ଭିତରେ ନିଉୟର୍କ, ମସ୍କୋ ବା ଲଣ୍ଡନ ପରି ସମୃଦ୍ଧ ଓ ଜନବହୁଳ ସହରକୁ ଧୂଳିସାତ୍‌ କରିଦେଇ ପାରେ । ଏବଂ ଆଜି ଯେଉଁ ସଂହାର ଶକ୍ତି ପୃଥିବୀର ଦୁଇ ମହାଶକ୍ତି ହାତରେ ଠୁଳ ହୋଇଛି ତାହା ତୁଳନାରେ ହିରୋସୀମାର ବୋମା ଏକ ସାମାନ୍ୟ ଏ ଛୋଟ ଖେଳନା ମାତ୍ର । ସେତେବେଳର ସେ ଆଦିମ ପରମାଣୁ ବୋମା ପରେ ଉଦ୍‌ଜାନ ବା ହାଇଡ଼୍ରୋଜେନ୍‌ ବୋମା ଓ କୋବାଲ୍‌ଟ ବୋମାର ନିର୍ମାଣ ସମ୍ଭବ ହୋଇଛି । ଏ ସବୁର ଶକ୍ତି ଯେ ପ୍ରଥମ ବୋମାଠାରୁ କେତେହଜାର ଗୁଣ ବେଶି । ଏଭଳି ଏକ ଅଧୁନାତନ ଉଦ୍‌ଜାନ ବୋମାର ବିସ୍ଫୋରଣ ଶହେ ମାଇଲ ବ୍ୟାସାର୍ଦ୍ଧ ଅଞ୍ଚଳର ସମସ୍ତ ଜୀବ ସୃଷ୍ଟିର ସଂହାର କରିବାକୁ ସମର୍ଥ । ଅର୍ଥାତ୍‌ ଯଦି ଓଡ଼ିଶାରେ ଅନୁଗୁଳ ନିକଟରେ ଏଭଳି ଏକ ବୋମା ପଡ଼େ ତେବେ କଟକ, ପୁରୀ, ବ୍ରହ୍ମପୁର, ଫୁଲବାଣୀ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଚମ୍ପୁଆ, କେନ୍ଦୁଝର ଓ ଭଦ୍ରକ ସହରଗୁଡ଼ିକ ତଥା ଏସବୁ ମଝିରେ ବ୍ୟାପିରହିଥିବା ସମସ୍ତ ଗ୍ରାମାଞ୍ଚଳ, ଅରଣ୍ୟ ଓ ପର୍ବତ ଜୀବ ଓ ଉଦ୍ଭିଦ ଶୂନ୍ୟ ହୋଇଯିବ ।

 

ଏବଂ ଏଭଳି ଯେତେ ବୋମା ଉଭୟ ମହାଶକ୍ତିଙ୍କ ଭଣ୍ଡାରରେ ଜମାହୋଇ ରହିଲାଣି ତାହା ଏ ସାରା ପୃଥିବୀକୁ ବାରବାର ତିନିଶହ ବାର ସମ୍ପୂର୍ଣ୍ଣଭାବରେ ଜନ ଓ ଜୀବଶୂନ୍ୟ କରିବା ପାଇଁ ଯଥେଷ୍ଟ । ପର୍ଶୁରାମ ତ ମାତ୍ର ଏକୋଇଶ ଥର ପୃଥିବୀକୁ ନିକ୍ଷତ୍ରିୟ କରିଥିଲେ !!

 

ଏ ସମସ୍ତ ସଂହାରଶକ୍ତିର ସଂଗ୍ରହ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ହିଁ କରାଯାଇଛି । ଗୋଟିଏ ଶକ୍ତି ଆମେରିକା, ନିଜକୁ ବ୍ୟକ୍ତି ସ୍ୱାଧୀନତାର ରକ୍ଷକ ବୋଲି ଘୋଷଣା କରିଛି ତ ଅପର ଗୋଷ୍ଠୀ ସାମ୍ୟ ଓ ସାମୂହିକ କଲ୍ୟାଣର ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛି । ଏହିରୂପେ ମାନବିକ ମୂଲ୍ୟବୋଧକୁ ଏ ଦୁଇଗୋଷ୍ଠୀ ବାଣ୍ଟି ନେଇଛନ୍ତି ଓ ଯେ ଯେତିକି ଆଦରିଛି ସେତିକିର ରକ୍ଷା ନାଁରେ ଅନ୍ୟ ମୂଲ୍ୟବୋଧଗୁଡ଼ିକୁ ବଳି ଦେବାକୁ ପଶ୍ଚାତ୍ପାଦ ହେଉନାହିଁ ।

 

ଏ ଦ୍ୱନ୍ଦ୍ୱ କେବଳ ଜାଗତିକ ସ୍ତରରେ ଯୁକ୍ତରାଷ୍ଟ୍ର, ରୁଷ୍‍ ଓ ଚୀନ୍‍ ମଧ୍ୟରେ ଲାଗିନାହିଁ, ପୃଥିବୀର ଅଧିକାଂଶ ଦେଶ ଭିତରେ ବିଶେଷତଃ ଅନୁନ୍ନତ ଦେଶମାନଙ୍କର ସମାଜର ପ୍ରତ୍ୟେକ ସ୍ତରକୁ ପ୍ରତି ଅନ୍ଧିସନ୍ଧିକୁ ବ୍ୟାପିବାରେ ଲାଗିଛି । ଏ ଦେଶମାନଙ୍କରେ ନୂଆ ସମାଜର ରଚନା ସ୍ୱାଧୀନତାକୁ ମୂଳ କରିହେବ କି ସାମ୍ୟକୁ, ଏଇ ନେଇ ଦ୍ୱନ୍ଦ୍ୱ ଚାଲିଛି । ଭିଏତ୍‌ନାମରେ ଏ ଦ୍ୱନ୍ଦର ଚରମ ପରିଣତ ଆମେ ଦେଖିବାକୁ ପାଉଛୁ ।

 

ଏବଂ ସେହି ବିଜ୍ଞାନ ଓ ତାର କଳାକୌଶଳ, ସେହି ପରମାଣୁ ଶକ୍ତି ହିଁ ଏ ସମ୍ଭାବନା ସୃଷ୍ଟି କରିଛଇ ଯେ ଏ ଦୁନିଆର ପ୍ରତ୍ୟେକ ନାଗରିକ ପାଇଁ, ସେ ଆରବର ମରୁଭୂମିରେ, କୋରାପୁଟର, ଜଙ୍ଗଲରେ ବା ଗ୍ରୀନଲାଣ୍ଡର ତୁଷାର ପ୍ରାନ୍ତରେ ରହିଥାଉ ପଛେ, ଏକ ସୁଖୀ ଓ ସମୃଦ୍ଧ ଜୀବନ ଗଢ଼ି ଦିଆଯାଇ ପାରିବ । ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଶିକ୍ଷା ଓ ସ୍ୱାସ୍ଥ୍ୟରକ୍ଷାର ସମ୍ପୂର୍ଣ୍ଣ ଆବଶ୍ୟକତା ଯୋଗାଇ ଦେଇହେବ । ଉଚ୍ଚତମ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିକାଶ ପାଇଁ ସୁଯୋଗ ଯୋଗାଇ ଦେଇହେବ ।

 

ଏହି ବିଜ୍ଞାନ ଆଜି ସାରା ପୃଥିବୀକୁ ଏକ ସୂତ୍ରରେ ବାନ୍ଧି ଏକ ବିଶ୍ୱଗ୍ରାମରେ ପରିଣତ କରିଛି । ପ୍ରାଚୀନ ଋଷି ଗାଇଥିଲେ—‘‘ଯତ୍ର ବିଶ୍ୱ ଭବତ୍ୟେକ ନୀଡ଼ମ୍‌’’—ଯେଉଁଠି ବିଶ୍ୱ ଗୋଟିଏ ନୀଡ଼ରେ ପରିଣତ ହୁଏ । ଏବେ ତାହାହିଁ ଘଟିଲାଣି । ଶହେ ବର୍ଷ ତଳେ ଗୋଟିଏ ଗାଁରୁ ଅନ୍ୟ ଗାଁ ଯେତେ ଦୂର ଥିଲା ଏବେ ପୃଥିବୀର ବିପରୀତ ପ୍ରାନ୍ତରେ ଅବସ୍ଥିତ ଦେଶ ପରସ୍ପର ତାହାଠାରୁ ନିକଟତର ହୋଇ ସାରିଲାଣି । ପୃଥିବୀର କୌଣସି କୋଣରେ ଶୋରିଷ ଫୁଟିଲେ ତାର ମହକ ସାରା ପୃଥିବୀର କୋଣକୋଣରେ ବାଜୁଛି । ତାର, ବେତାର, ଜେଟ୍‍ବିମାନ, ଟେଲିଭିଜନ ଆଦି ଯୋଗୁଁ ଏହା ସମ୍ଭବ ହୋଇଛି । ଏବେ ମଣିଷ ବିଜ୍ଞାନର ଏ କଲ୍ୟାଣକାରୀ ଶକ୍ତିର ଆବାହନ କରି ଏ ବିଶ୍ୱଗ୍ରାମର ସମସ୍ତ ଅଧିବାସୀଙ୍କର ଜୀବନ ସମୃଦ୍ଧ କରିବ ନା ତାର ସଂହାରଶକ୍ତିର ଆବାହନ କରି ମନୁଷ୍ୟ ସଭ୍ୟତାକୁ ବର୍ବରତାର ଅତଳ ଗହ୍ୱରରେ ବୁଡ଼ାଇ ଦେବ ?

 

ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କର ପ୍ରବର୍ତ୍ତିତ ସତ୍ୟାଗ୍ରହ ପନ୍ଥା ମଣିଷ ଜାତିକୁ ଏକ ଆଶାର ସନ୍ଧାନ ଦେଇଛି । ସତୁରି ବର୍ଷତଳେ ଗାନ୍ଧିଜୀ ସତ୍ୟାଗ୍ରହର ପ୍ରୟୋଗ କରିବା ବେଳେ ଦୁନିଆର ଆଜିର ସର୍ବନାଶୀ ସମ୍ଭାବନା ଭବିଷ୍ୟତ ଗର୍ଭନେ ମଣିଷର ଉଚ୍ଛୃଙ୍ଖଳତମ କଳ୍ପନାର ବାହାରେ ରହିଥିଲା । କିନ୍ତୁ ପୂର୍ବବର୍ତ୍ତୀ ବହୁ ମନିଷୀଙ୍କ ପରି ଗାନ୍ଧିଜୀ ମଧ୍ୟ ଚିରାଚରିତ ହିଂସାମୂଳକ ପନ୍ଥାସମୂହର ସୁଦୂରପ୍ରସାରୀ କୁପରିଣାମକୁ ନିଜର ଦୂରଦୃଷ୍ଟି ବଳରେ ଦେଖି ପାରିଥିଲେ ଓ ମଣିଷ ମଣିଷ ଭିତରେ ଦ୍ୱନ୍ଦ୍ୱ ଓ ସଙ୍ଘାତର ସମାଧାନ ପାଇଁ ନୂଆ ବାଟର ସନ୍ଧାନରେ ଜୀବନ ସମର୍ପଣ କରିଥିଲେ । ତାଙ୍କର ଏହି ଜୀବନବ୍ୟାପୀ ସାଧନାର ଅମୂଲ୍ୟ ଅବଦାନ ମାନବ ଜାତିର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଓ ଶତ କୋଟି ଜନତାର ପ୍ରାଣରେ ଏକ ନୂଆ ଆଶାର ସଞ୍ଚାର କରିଛି ।

Image

 

(ଦୁଇ)

ଗାନ୍ଧିଜୀଙ୍କ ପୂର୍ବରୁ ସତ୍ୟାଗ୍ରହ : ବିଚାର ଓ ଆଚାର

 

ପ୍ରତିରୋଧ ଓ ସମାଜ ପରିବର୍ତ୍ତନର ଏକ ଅସ୍ତ୍ରରୂପେ ସତ୍ୟାଗ୍ରହକୁ ଗାନ୍ଧିଜୀ ଏକ ବିଶିଷ୍ଟ ଓ ମାର୍ଜିତ ରୂପ ଦେଲେ ମଧ୍ୟ ତାହା ଯେ ସେ ସଂପୂର୍ଣ୍ଣରୂପେ ନୂଆକରି ଉଦ୍ଭାବନ କଲେ ତାହା ନୁହେଁ । ଗାନ୍ଧିଜୀଙ୍କ ପୂର୍ବରୁ ଦୁନିଆରେ ଅନୁରୂପ ବିଚାର ଓ ଆଚାର ଆତ୍ମପ୍ରକାଶ କରିଥିଲା । ବିଶେଷ କରି ଅହିଂସାର ବିଚାର ତ ଅତି ପୁରୁଣା । ଗାନ୍ଧିଜୀଙ୍କ ପୂର୍ବରୁ ସତ୍ୟାଗ୍ରହ ତତ୍ତ୍ୱର ପ୍ରତିପାଦନ ବିଷୟରେ ଆଲୋଚନା କରି ବସିଲେ ଦେଖାଯିବ ଯେ, ଅହିଂସା ନୀତିର ସମର୍ଥନ ପୃଥିବୀର ପ୍ରାଚୀନତମ ଧର୍ମ ହିନ୍ଦୁ ଧର୍ମର ଶାସ୍ତ୍ର ମାନଙ୍କରେ ବହୁତ ରହିଛି । ସେ ସବୁ ଭିତରେ ବୋଧହୁଏ ବ୍ରହ୍ମସୂତ୍ରର ସୂତ୍ର : ଅହିଂସା ପ୍ରତିଷ୍ଠାୟାଂ ତତ୍‌ ସନ୍ନିଧୌ ବୈରତ୍ୟାଗଃ—ଅହିଂସା ନିକଟରେ ବୈର ତିଷ୍ଠି ପାରେ ନାହିଁ—ଅହିଂସାର କ୍ରିୟାଶୀଳ ଶକ୍ତି ସବୁଠାରୁ ସ୍ପଷ୍ଟ ଭାବରେ ଘୋଷଣା କରେ । ଅନ୍ୟଥା ‘ଅହିଂସା ପରମୋ ଧର୍ମ’ ପରି ମନ୍ତ୍ର ଅହିଂସାର ଶ୍ରେଷ୍ଠତ୍ୱ ଘୋଷଣା କଲେ ମଧ୍ୟ ତାହାଦ୍ୱାରା ସମସ୍ୟା ସମାଧାନ ହେବ କି ନାହିଁ ତାହା କହେ ନାହିଁ ।

 

‘‘ଆକ୍ରୋଧ ଦ୍ୱାରା କ୍ରୋଧକୁ ଜୟ କର, ସତ୍ୟଦ୍ୱାରା ମିଥ୍ୟାବାଦିତାକୁ ଜୟ କର, କୃପଣକୁ ଦାନଦ୍ୱାରା ଜୟ କର—ଏହାହିଁ ସନାତନ ଧର୍ମ ।’’ ବୁଦ୍ଧଦେବଙ୍କର ଏ ଉକ୍ତି ଅହିଂସା, ସତ୍ୟ ଓ ଦାନର ବିଧାୟକ ଶକ୍ତିର ଏକ ସ୍ପଷ୍ଟ ଓ ସବଳ ପ୍ରତିପାଦନ । ‘‘ମନ୍ଦତାର ପ୍ରତିରୋଧ କରନାହିଁ’’, ଯୀଶୁଖ୍ରୀଷ୍ଟଙ୍କର ଏ ଉକ୍ତିକୁ ନିଷ୍କ୍ରିୟ ପ୍ରତିରୋଧର ପ୍ରେରକ ସୂତ୍ର ରୂପେ ଗ୍ରହଣ କରାଯାଇଥାଏ । ଯୀଶୁ ପ୍ରେମର କ୍ରିୟାଶୀଳ ଶକ୍ତି ଉପରେ ନାନା ଭାବରେ ନାନା ଉପଲକ୍ଷ୍ୟରେ ଜୋର ଦେଇଥିଲେ-। ‘‘ତୁମର ଶତ୍ରୁ ପ୍ରତି ପ୍ରେମକର’’, ‘‘ଯେ ତୁମର କୋଟ ମାଗିବ ତାକୁ ତୁମର ଚାଦର ବି ଦେଇଦିଅ ।’’ ‘‘ଯେ ତୁମକୁ ସାଙ୍ଗରେ ଦଶପାଦ ଚାଲିବାକୁ ଡାକିବ ତା ସହିତ କୋଶେ ବାଟ ଯାଅ’’-। ‘‘ତୁମକୁ କେହି ଗୋଟାଏ ଗାଲରେ ଚାପୁଡ଼ାଏ ମାରିଲେ ତାକୁ ଅନ୍ୟ ଗାଲ ବି ଦେଖାଇ ଦିଅ’’-। ‘‘ତୁମର ପ୍ରତିପକ୍ଷ ସହିତ ଖୁବ୍‌ ଶୀଘ୍ର ଏକମତ ହୋଇଯାଅ’’ । ଏହିଭଳି ସବୁ ଅନୁଜ୍ଞାରେ ପ୍ରେମର ଅମୋଘ ଶକ୍ତିର ବଳିଷ୍ଠ ପ୍ରତିପାଦନ ରହିଛି । ଗାନ୍ଧିଜୀ ମଧ୍ୟ ନିଜ ଜୀବନରେ ଯୀଶୁଙ୍କର ଏହି ଉକ୍ତିଗୁଡ଼ିକ ମାର୍ଗ ଦର୍ଶକ ସୂତ୍ରରୂପେ ଗ୍ରହଣ କରିଥିଲେ ଓ ତାଙ୍କର ଲେଖା ଓ ଉକ୍ତିରେ ଏ ସବୁର ଉଦ୍ଧୃତି ବାରବାର ଦେଖିବାକୁ ମିଳେ ।

 

ଜୈନଧର୍ମ ମଧ୍ୟ ଅହିଂସାକୁ ଶ୍ରେଷ୍ଠ ଧର୍ମ ବୋଲି ପ୍ରତିପାଦିତ କରେ ଓ ବ୍ୟକ୍ତି କିଭଳି ଅହିଂସାର ଆଦର୍ଶ ଅନୁସାରେ ଜୀବନ ବିତାଇ ପାରିବ ତାର ଅତି ସୂକ୍ଷ୍ମ ବିଧିନିଷେଧର ସୂଚନା ଜୈନଧର୍ମରେ ରହିଛି । ତେବେ ଅହିଂସାକୁ ଏକ କ୍ରିୟାଶୀଳ ଶକ୍ତି ଭାବରେ ଜୈନଧର୍ମରେ ଗ୍ରହଣ କରାଯାଇଛି ବୋଲି କହିବା କଠିନ ହେବ ।

 

ମଧ୍ୟଯୁଗର ସନ୍ଥମାନଙ୍କ ଜୀବନରେ ଅହିଂସା ନିଷ୍ଠାର ପରାକାଷ୍ଠା ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଚୈତନ୍ୟ ମହାପ୍ରଭୁଙ୍କର ଆମ ଏ ପାଖରେ ସବୁଠାରୁ ବେଶି ପ୍ରଭାବ ରହିଛି ଓ ତାଙ୍କ ଜୀବନରେ ମଧ୍ୟ ଆମେ ସତ୍ୟାଗ୍ରହ ସୁଲଭ ଦୃଷ୍ଟି ଓ ଆଚରଣ ଦେଖିବାକୁ ପାଉଁ । ଜଗାଇ ଓ ମାଧାଇ-ତାଙ୍କୁ ଖପରା ମାରି ଆହତ ଓ ରକ୍ତାକ୍ତ କରିଦେବା ପରେ ମଧ୍ୟ ସେ ‘‘ମେରେଛେ କଲସିର କାନା, ତାଇ ବଲେକି ପ୍ରେମ ଦିବ ନା ?’’ ବୋଲି କହି ସେ ଦୁଇ ଭାଇଙ୍କୁ ଆଲିଙ୍ଗନ କରିବା ଓ ତାଙ୍କର ହୃଦୟ ଜୟ କରିବା ସତ୍ୟାଗ୍ରହର ଏକ ଶ୍ରେଷ୍ଠ ଓ ପ୍ରେରଣାପ୍ରଦ ଉଦାହରଣ । ସେହିପରି ନବଦ୍ୱୀପର କାଜୀ ଯେତେବେଳେ ସାଧାରଣ ରାସ୍ତାରେ ସମୂହ ନାମ ସଂକୀର୍ତ୍ତନ ଉପରେ ନିଷେଧାଜ୍ଞା ଜାରି କଲେ ସେତେବେଳେ ଚୈତନ୍ୟଦେବ ଯେଭଳି ଏକ ଆନନ୍ଦଉଚ୍ଛଳ ବିରାଟ ଶୋଭାଯାତ୍ରା ବାହାର କରି ସଂକୀର୍ତ୍ତନ ସହ ନଗର ପରିକ୍ରମା କଲେ ଓ ଶେଷକୁ କାଜୀଙ୍କୁ ମଧ୍ୟ ପ୍ରେମର ବଶ କରିନେଲେ ତାହା ବୋଧହୁଏ ସଫଳ ସବିନୟ ଆଇନଭଙ୍ଗର ସର୍ବପ୍ରଥମ ଉଦାହରଣ ।

 

ମୀରାବାଈ ମଧ୍ୟ ଆପଣାର କୃଷ୍ଣ ଭକ୍ତି ଯୋଗୁଁ ତାଙ୍କର ସ୍ୱାମୀଙ୍କ ଦ୍ୱାରା ନାନା ଭାବରେ ଉତ୍‌ପୀଡ଼ିତା ହୋଇଥିଲେ । ମାତ୍ର ତଥାପି ସେ କୌଣସି ପ୍ରକାରର ତିକ୍ତତା ବା ବିଦ୍ୱେଷର ବଶବର୍ତ୍ତୀ ନହୋଇ କୃଷ୍ଣ ପ୍ରେମରେ ବିଭୋର ରହୁଥିଲେ ।

 

ଆଧୁନିକ ଯୁଗରେ ଅହିଂସ ପ୍ରତିରୋଧର ଦୁଇଜଣ ପ୍ରତିପାଦକ ଟଲଷ୍ଟୟ ଓ ଥୋରୋଙ୍କର ନାମ ଉଲ୍ଲେଖଯୋଗ୍ୟ । ଗାନ୍ଧିଜୀଙ୍କ ଉପରେ ମଧ୍ୟ ଏ ଦୁଇଜଣଙ୍କର ଚିନ୍ତାଧାରାର ଗଭୀର ପ୍ରଭାବ ପଡ଼ିଥିଲା । ଟଲଷ୍ଟୟ ଯୀଶୁଙ୍କର ଜୀବନ ଓ ଆଦର୍ଶର ଐକାନ୍ତିକ ଭକ୍ତ ଥିଲେ । ଖ୍ରୀଷ୍ଟାନ ଧର୍ମର ପ୍ରତିଷ୍ଠିତ ସଂଗଠନ, ଚର୍ଚ୍ଚ ଅନୁଷ୍ଠାନସମୂହ ତଥା ସେ ଧର୍ମର ପ୍ରଚଳିତ ସାଧାରଣ ରୂପ ଆଦୌ ଯୀଶୁଙ୍କର ମୂଳ ଉପଦେଶର ଅନୁରୂପ ନୁହେଁ, ବରଂ ସେ ସବୁର ବିପରୀତ ବୋଲି ସେ ପ୍ରତିପାଦନ କରିଥିଲେ । ଯୀଶୁଙ୍କର ମୂଳ ଉପଦେଶର ପ୍ରକୃତ ମର୍ମ ଉପଲବ୍ଧି କରିବାପାଇଁ ସେ ଗଭୀର ଉଦ୍ୟମ କରି ନିଷ୍କ୍ରିୟ ପ୍ରତିରୋଧ ହିଁ ମନ୍ଦତା ବିରୁଦ୍ଧରେ ଲଢ଼ିବାର ପ୍ରେମ ଧର୍ମସମ୍ମତ ପନ୍ଥା ବୋଲି ସାବ୍ୟସ୍ତ କରିଥିଲେ । ଗାନ୍ଧିଜୀ ପ୍ରଥମେ ଟଲଷ୍ଟୟଙ୍କ ଠାରୁ ନିଷ୍କ୍ରିୟ ପ୍ରତିରୋଧର କଳ୍ପନା ପାଇଥିଲେ । ମାତ୍ର ପରେ ଆପଣା ପଦ୍ଧତିରେ କ୍ରିୟାଶୀଳ ଶକ୍ତିର ଯଥାର୍ଥତାର ପରିଚୟ ଦେବା ଉଦ୍ଦେଶ୍ୟରେ ସତ୍ୟାଗ୍ରହ ଶବ୍ଦ ଗଢ଼ିଲେ ।

 

ଥୋରୋ ଆମେରିକାର ଯୁକ୍ତରାଷ୍ଟ୍ରର ବିଖ୍ୟାତ ମନସ୍ୱୀ ଲେଖକ । ସେ ଆଇନ ଅମାନ୍ୟର ଅଧିକାର ଓ ସାମର୍ଥ୍ୟ ପ୍ରତିପାଦନ କରିଥିଲେ । ଥୋରୋ ଲେଖିଥିଲେ—‘‘ଯଦି ଏହି ମାସାଚୁସେଟ୍‌ ରାଜ୍ୟରେ ଏଭଳି ଏକ ହଜାର, ଶହେ, ଏପରିକି ଦଶଜଣ ମାତ୍ର ସଚ୍ଚୋଟ ଲୋକ ଯାହାଙ୍କର ନାମ ମୁଁ ଦେଇପାରିବି—ମାତ୍ର ଦଶ ଜଣ ସଚ୍ଚୋଟ ଲୋକ ବାହାରନ୍ତି—ହଁ ଜଣେ ବି ସଚ୍ଚୋଟ ଲୋକ ବାହାରନ୍ତି ଯେ କି କ୍ରୀତଦାସ ରଖିବାକୁ ଅସ୍ୱୀକାର କରିବେ, ଏଭଳି ଅଂଶୀଦାରିତ୍ୱରୁ ନିଜେ ଅଲଗା ହୋଇଯିବେ ଓ ସେଥିପାଇଁ ତା’ପରେ ସ୍ଥାନୀୟ କାରାଗାରରେ ବନ୍ଦୀ ହେବେ ତେବେ ସେତିକିରେ ହିଁ ଆମେରିକାରୁ ଦାସତ୍ୱ ପ୍ରଥାର ବିଲୋପ ସାଧିତ ହୋଇଯିବ । କାରଣ ଆରମ୍ଭଟା କେତେ କ୍ଷୁଦ୍ର ଆକାରରେ ହେଲା ସେଇଟା କିଛି କଥା ନୁହେଁ । ଥରେ ଗୋଟିଏ କାମ ଭଲ ଭାବରେ କରାଗଲେ ତାହା କାଳ କାଳକୁ ରହେ ଓ ପ୍ରଭାବ ପକାଏ ।’’

 

ସବିନୟ ଆଇନଭଙ୍ଗର କଳ୍ପନା ଗାନ୍ଧିଜୀ ଥୋରାଙ୍କ ଠାରୁ ପାଇଥିଲେ ଓ ଯେଡ଼େ ଛୋଟ ହେଲେ ମଧ୍ୟ ବ୍ୟକ୍ତିଗତ ଆଦର୍ଶର ଶକ୍ତି ଓ ପ୍ରଭାବ ବିଷୟରେ ମଧ୍ୟ ଥୋରୋଙ୍କ ଜୀବନରୁ ପ୍ରେରଣା ପାଇଥିଲେ ।

 

ସତ୍ୟାଗ୍ରହୀ ଆଚରଣର ସବୁଠାରୁ ପୁରୁଣା ଓ ସବୁଠାରୁ ଜଣାଶୁଣା ଉଦାହରଣ ପ୍ରହ୍ଲାଦ-। ବାପାଙ୍କର ଜବରଦସ୍ତିମୂଳକ ଧର୍ମବିଶ୍ୱାସ ସାମନାରେ ନିଜର ବିଷ୍ଣୁଭକ୍ତି, ଅର୍ଥାତ୍‌ ପ୍ରେମମୂଳକ ଧର୍ମବିଶ୍ୱାସରେ ସେ ଅଟଳ ରହିଥିଲେ ଓ ସେଥିପାଇଁ ସବୁପ୍ରକାର କଷଣ ସହିଥିଲେ । ପରିଣାମ ପ୍ରତି ଭ୍ରୂକ୍ଷେପ ନକରି ନିଜର ବ୍ୟକ୍ତିଗତ ବିଶ୍ୱାସରେ ଦୃଢ଼ ରହିବାର ଏହା ଶେଷ ଓ ଜ୍ୱଳନ୍ତ ଉଦାହରଣ ।

 

ପ୍ରାଚୀନ ଗ୍ରୀସରେ ସୋକ୍ରେଟୀସ ମଧ୍ୟ ସେହିପରି ସମାଜର ରକ୍ଷଣଶୀଳ ଗୋଷ୍ଠୀର ସମସ୍ତ ବିରୋଧକୁ ଅବଜ୍ଞା କରି ଶାନ୍ତ ଓ କ୍ଷୋଭରହିତ ଭାବରେ ଯୁବକମାନଙ୍କ ଭିତରେ ସତ୍ୟାନୁସନ୍ଧିତ୍ସାର ବିକାଶ ପାଇଁ ଉଦ୍ୟମ କରି ଚାଲିଥିଲେ । ଆପଣାର ଗଭୀର ସତ୍ୟାନୁରାଗୀ ଚିନ୍ତନ ଦ୍ୱାରା ସେ ଯେଉଁ ସତ୍ୟର ସନ୍ଧାନ ପାଉଥିଲେ ତାହା ନିର୍ଭୀକ ଭାବରେ ସେମାନଙ୍କର ସାମନାରେ ବାଢ଼ୁଥିଲେ । ଏହା ସମାଜପତିମାନଙ୍କୁ ଉତ୍ୟକ୍ତ କରିଥିଲା ଓ ଫଳରେ ସୋକ୍ରେଟୀସଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ପଡ଼ିଥିଲା ।

 

ପ୍ରାଚୀନ ରୋମରେ ଆଦ୍ୟ ଖ୍ରୀଷ୍ଟାନମାନଙ୍କୁ ମଧ୍ୟ କମ୍‌ ନିର୍ଯ୍ୟାତନା ସହିବାକୁ ପଡ଼ିନାହିଁ । ରୋମକ ସାମ୍ରାଜ୍ୟରେ ସେ ଯୁଗରେ ଯେ ପ୍ରକାରର ଅନ୍ୟାୟମୂଳକ ସମାଜ ବ୍ୟବସ୍ଥା ଚାଲିଥିଲା ଓ ଯେ ଧରଣର ଅନୈତିକତା ସମାଜରେ ବ୍ୟାପିଥିଲା ଆଦ୍ୟ ଖ୍ରୀଷ୍ଟାନମାନେ ସେ ସବୁର ବିରୋଧୀ ଥିଲେ । ନିଜ ନିଜ ଭିତରେ ସେମାନେ ଯୀଶୁଙ୍କର ଉପଦେଶ ଅନୁସରଣ କରି ଏକ ନୂଆ ଧରଣର ଜୀବନଧାରା ଅନୁସରଣ ଉଦ୍ୟମ କରୁଥିଲେ । ଏହାଦ୍ୱାରା ରୋମକ ସମାଜର ମୂଳଦୁଆ ଦୋହଲି ଯିବ ବୋଲି ଶାସକ ଆଶଙ୍କା କଲେ ଓ ଖ୍ରୀଷ୍ଟାନମାନଙ୍କ ଉପରେ ଅତି ଅକଥ୍ୟ ଉତ୍ପୀଡ଼ନ ଆରମ୍ଭ ହେଲା, ଯାହା ତୁଳନାରେ ପ୍ରହ୍ଲାଦକୁ ହିରଣ୍ୟକଶ୍ୟପୁ ପାହାଡ଼ ଉପରୁ ଗଡ଼ାଇବା ବା ହାତୀ ପାଦତଳେ ପକାଇବା ତ ପିଲାଖେଳ । ଏ ସମସ୍ତ ଉତ୍ପୀଡ଼ନ ସହି ମଧ୍ୟ ବହୁ ସହସ୍ର ଖ୍ରୀଷ୍ଟାନ ନିଜ ଧର୍ମ ବିଶ୍ୱାସରେ ଅଟଳ ରହିଥିଲେ ଓ ଦ୍ୱେଷ ବା ଘୃଣା ଭାବକୁ ନିଜ ହୃଦୟକୁ ସ୍ପର୍ଶ କରିବାକୁ ସୁଦ୍ଧା ଦେଇ ନଥିଲେ ।

 

ପରେ ଯେତେବେଳେ ଖ୍ରୀଷ୍ଟାନ ଧର୍ମକୁ ରାଜ୍ୟ ଓ ସାମ୍ରାଜ୍ୟମାନଙ୍କରେ ଆଶ୍ରୟ ମିଳି ତାହା ରାଜଧର୍ମ ହୋଇଗଲା ଓ ସେଥିରେ ରକ୍ଷଣଶୀଳତା ଓ ସଂକୀର୍ଣ୍ଣତା ମଧ୍ୟ ପ୍ରବେଶ କଲା ସେତେବେଳେ ଖ୍ରୀଷ୍ଟାନମାନଙ୍କ ଭିତରୁ ଅନେକ ତାହାର ସଂସ୍କାର ସାଧନ କରିବାକୁ ଚାହିଁଲେ । ସେତେବେଳେ ଏଭଳି ସ୍ୱାଧୀନ ମନୋଭାବ ଓ ପ୍ରଚଳିତ ରୂଢ଼ିର ସମାଲୋଚନାକୁ ଖ୍ରୀଷ୍ଟଧର୍ମର ସଂଗଠିତ ସଂସ୍ଥା ପକ୍ଷରୁ ଦମନ କରିବା ଉଦ୍ୟମ ଚାଲିଲା ଓ ସହସ୍ର ସହସ୍ର ଲୋକଙ୍କୁ ‘ଧର୍ମଦ୍ରୋହ’ ପାଇଁ ପ୍ରାଣଦଣ୍ଡ ଦିଆଯାଇ ଅନେକଙ୍କୁ ଜୀଅନ୍ତା ପୋଡ଼ି ମରାହେଲା । ସେମାନଙ୍କ ଭିତରୁ ଅନେକ ହୃଦୟରେ କାହାରି ପ୍ରତି କୌଣସି ଦ୍ୱେଷ ନବହି ଓ ହସି ହସି ଏଭଳି ଯାତନାପୂର୍ଣ୍ଣ ଓ ବିଭତ୍ସ ମୃତ୍ୟୁ ବରଣ କରିଥିଲେ ।

 

ଏ ସବୁ ହେଲା ବ୍ୟକ୍ତିଗତ ଆଦର୍ଶ ନିଷ୍ଠାରେ ଅଟଳ ରହିବା ଓ ସେଥିରେ ନିର୍ଯ୍ୟାତନା ସହିବାର ଉଦାହରଣ । ନିଜ ଜୀବନରେ ଏମାନ କୌଣସି ସଫଳତାର ଆଶା ରଖିନଥିଲେ । ମାତ୍ର ସେମାନଙ୍କର ଆଦର୍ଶ ଯୁଗେ ଯୁଗେ ମାନବଜାତିକୁ ପ୍ରେରଣା ଦେଇ ଆସୁଛି ଓ ମତାନ୍ଧତାର ପ୍ରାବଲ୍ୟର ଶମନରେ ତଥା ସ୍ୱାଧୀନ ଚିନ୍ତାର ପ୍ରସାରରେ ସାହାଯ୍ୟ କରି ଆସୁଛି ।

 

ଆଧୁନିକ ଯୁଗରେ ଏ ଭାବରେ ନିଜର ଆଦର୍ଶ ନିଷ୍ଠା ପାଇଁ ତ୍ୟାଗ ସ୍ୱୀକାର କରିବାର ପରମ୍ପରା ପାଶ୍ଚାତ୍ୟ ଦେଶର ଯୁଦ୍ଧବିରୋଧୀମାନଙ୍କ ଭିତରେ ଦେଖାଯାଏ । ଏବେ ଏମାନଙ୍କ ଭିତରୁ ଅନେକ ଗାନ୍ଧିଜୀଙ୍କର ଆଦର୍ଶରୁ ପ୍ରେରଣା ଗ୍ରହଣ କରିଥାନ୍ତି । ମାତ୍ର ଗାନ୍ଧିଜୀଙ୍କର ବହୁ ପୂର୍ବରୁ ଯୁଦ୍ଧ ବିରୋଧରେ ପରମ୍ପରା ଚାଲି ଆସିଛି ଓ ତାହାର ପ୍ରେରଣା ଯୀଶୁଖ୍ରୀଷ୍ଟଙ୍କର ଜୀବନ ଓ ବାଣୀ ଯୋଗାଇ ଆସିଛି । ଦେଶ ନାଁରେ ଯୁଦ୍ଧରେ ଶତ୍ରୁ ସୈନ୍ୟଙ୍କୁ ହତ୍ୟା କରିବାଟାକୁ ଏମାନେ ଅନ୍ୟ ନରହତ୍ୟା ଭଳି ସମାନ ପାପ ମନେ କରନ୍ତି ଓ ତେଣୁ ଯୁଦ୍ଧରେ ଯୋଗ ଦେବାକୁ ଅସ୍ୱୀକାର କରନ୍ତି-। ଏହି ‘ବିବେକଗତ’ ଆପତ୍ତି ଯୋଗୁଁ ଏମାନଙ୍କୁ ବିଭିନ୍ନ ଦେଶରେ ଗୁରୁତର ଦଣ୍ଡ ଭୋଗିବାକୁ ପଡ଼ିଥାଏ । ପୂର୍ବେ ତ ବାଧ୍ୟତାମୂଳକ ସୈନ୍ୟ ସଂଗ୍ରହରେ ଯୋଗ ନଦେବାର ଶାସ୍ତି କେତେକ ଦେଶରେ ପ୍ରାଣଦଣ୍ଡ ମଧ୍ୟ ଥିଲା । ଏବେ ଇଂଲଣ୍ଡ, ଆମେରିକା ଯୁକ୍ତରାଷ୍ଟ୍ର ଓ ଅନ୍ୟ କୌଣସି କୌଣସି ଦେଶରେ ଏଭଳି ବିବେକଗତ ଯୁଦ୍ଧବିରୋଧୀ ମାନଙ୍କର ଆପତ୍ତିକୁ ମାନିନେଇ ସେମାନଙ୍କୁ ସୈନ୍ୟ ବାହିନୀରୁ ଅବ୍ୟାହତି ଦେବାର ନୀତି ସ୍ୱୀକୃତ ହେଲାଣି ।

 

ଅନ୍ୟାୟ ବିରୋଧରେ ସାମୂହିକ ଶାନ୍ତିପୂର୍ଣ୍ଣ ବା ଅହିଂସ ପ୍ରତିରୋଧର କେତେକ ଦୃଷ୍ଟାନ୍ତ ମଧ୍ୟ ଇତିହାସରେ ମିଳେ । ତେବେ ବ୍ୟକ୍ତିଗତ କ୍ଷେତ୍ରରେ ଯେଭଳି ପ୍ରେମ ବା ଅହିଂସାରେ ଦୃଢ଼ ଆସ୍ଥା ସତ୍ୟାଗ୍ରହୀ-ସୁଲଭ ଆଚରଣର ଭିତ୍ତି ଥିବାରୁ ଆମେ ପୂର୍ବରୁ ଦେଖିଲେ, ଏ ସବୁ ସାମୂହିକ ଆନ୍ଦୋଳନ ପଛରେ ପ୍ରତ୍ୟେକ କ୍ଷେତ୍ରରେ ସେଭଳି ଆସ୍ଥା ବା ସ୍ପଷ୍ଟ ନୀତି ଥିଲା ବୋଲି କୁହାଯାଇ ପାରିବ ନାହିଁ । ମାତ୍ର ଏତକ ଅବଶ୍ୟ ଥିଲା ଯେ, ସେହି ପରିସ୍ଥିତିରେ ଶାନ୍ତିପୂର୍ଣ୍ଣ ପନ୍ଥା ହିଁ ବ୍ୟାବହାରିକ ବୋଲି ଆନ୍ଦୋଳନକାରୀମାନେ ଅନୁଭବ କରିଥିଲେ ଓ ସେଭଳି ପନ୍ଥା ବାଛି ନେଇଥିଲେ ।

 

ଏଭଳି ସବୁଠାରୁ ପୁରୁଣା ଉଦାହରଣ ପ୍ରାଚୀନ ରୋମରୁ ମିଳେ । ରୋମକ ସମାଜ ସାଧାରଣ ଓ ସମ୍ଭ୍ରାନ୍ତ, ଏହିଭଳି ଦୁଇଟି ସୁସ୍ପଷ୍ଟ ଶ୍ରେଣୀରେ ବିଭକ୍ତ ଥିଲା । ସାଧାରଣ ଗରିବ ଲୋକେ ଘୋର ଶୋଷଣ ଓ ଦମନ ଭିତରେ ଜୀବନ ବିତାଉ ଥିଲେ । ଚଢ଼ା ସୁଧ ସହିତ ଋଣ ସୁଝି ନ ପାରିଲେ ସେମାନଙ୍କୁ ଦୀର୍ଘ କାରାଦଣ୍ଡ ଭୋଗିବାକୁ ପଡ଼ୁଥିଲା ଓ ବସ୍ତୁତଃ ସେମାନେ ସମ୍ଭ୍ରାନ୍ତ ଶ୍ରେଣୀର କ୍ରୀତଦାସଙ୍କ ପରି ହିଁ ରହିଥିଲେ । କୌଣସି ଯୁଦ୍ଧ ଲାଗିଲେ ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ସୈନ୍ୟବାହିନୀରେ ଯୋଗ ଦେବାକୁ ପଡ଼ୁଥିଲା । କହିବା ବାହୁଲ୍ୟ ଯେ ଦେଶର ଶାସନ ବ୍ୟବସ୍ଥାରେ ସେମାନଙ୍କର କୌଣସି ହାତ ନଥିଲା ।

 

ଋଣ ବିଷୟକ ଆଇନ୍‌ ଏଭଳି କଠୋର ଭାବରେ ପ୍ରୟୋଗ କରାଗଲା ଯେ ଖ୍ରୀଷ୍ଟପୂର୍ବ ୨୫୯ରେ ଗୋଟିଏ ଯୁଦ୍ଧ ପାଇଁ ଡାକରା ଆସିବା ବେଳକୁ ଚାଷୀମାନେ ତାହା ପାଳନ କରିବାକୁ ସଫା ମନା କରିଦେଲେ । ଫଳରେ ସେତେବେଳର ଶାସନକର୍ତ୍ତା ପ୍ୟୁବଲିୟସ୍‌ ସର୍ଭିଲିୟସ୍‌ ମହାଜନି ଆଇନ୍‌ର ପ୍ରୟୋଗକୁ କିଛିକାଳ ପାଇଁ ମୁଲତବୀ ରଖିଲେ । ଯେଉଁମାନେ ଋଣ ନସୁଝିବା ଯୋଗୁଁ ଜେଲରେ ଥିଲେ ସେମାନଙ୍କୁ ଖଲାସ କରିଦେଲେ ଓ ନୂଆ ଗିରଫଦାରୀ ବନ୍ଦ କରିଦେଲେ-। ଏହା ଫଳରେ ଚାଷୀମାନେ ଯୁଦ୍ଧକୁ ଗଲେ ଓ ବିଜୟ ହାସଲ କଲେ ମାତ୍ର ଶାନ୍ତି ଫେରିବା ପରେ ପୁଣି ସେହି ପୁରୁଣା ଦମନ ଆରମ୍ଭ ହେଲା । ସେମାନେ ଯେତେ ଆପତ୍ତି ଅଭିଯୋଗ କଲେ ବି କେହି ଶୁଣିଲେ ନାହିଁ ।

 

ତାର ପର ବର୍ଷ ଆଉ ଏକ ଯୁଦ୍ଧ ବେଳକୁ ଚାଷୀମାନେ ପୁଣି ଯିବାକୁ ଅସ୍ୱୀକାର କଲେ, ମାତ୍ର ମାନୀୟସ୍‌ ଭାଲେରିୟସ୍‌ଙ୍କୁ ଏକଛତ୍ର ଶାସକ ନିଯୁକ୍ତ କରାଯିବାରୁ କେତେକାଂଶରେ ଭୟରେ ଓ କେତେକାଂଶରେ ତାଙ୍କର ଭଲପଣିଆରେ ଆସ୍ଥା ରଖି ସେମାନେ ଆତ୍ମ ସମର୍ପଣ କଲେ ।

 

ରୋମକମାନଙ୍କର ପୁଣି ବିଜୟ ହେଲା । ଏଥର ଏକଛତ୍ର ଶାସନ ଭାଲେରିୟସ୍‌ ଋଣ ଆଇନରେ କେତେକ ସଂଶୋଧନର ପ୍ରସ୍ତାବ ସର୍ବୋଚ୍ଚ ଶାସନ ମଣ୍ଡଳୀ ସିନେଟ୍‌ ଆଗରେ ପେସ୍‌କଲେ; ମାତ୍ର ଏ ପ୍ରସ୍ତାବର ଘୋର ବିରୋଧ ହେଲା । ଏହି ସମୟରେ ଯୁଦ୍ଧରୁ ଫେରିଥିବା ସୈନ୍ୟବାହିନୀକୁ ଭାଙ୍ଗି ଦିଆଯାଇ ନଥାଏ । ସଂଶୋଧନ ଆଇନ ଗୃହୀତ ନହେବାର ସମ୍ବାଦ ପାଇବା ମାତ୍ରେ ସେମାନଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ସେନାପତି ମାନଙ୍କର ଆଦେଶ ଅମାନ୍ୟ କରି ଓ ଛାଉଣି ଛାଡ଼ିଦେଇ ସେମାନେ ଶୃଙ୍ଖଳିତ ଭାବରେ କ୍ରୁଷ୍ଟୁ ମେରିଆ ଅଞ୍ଚଳକୁ ଚାଲିଗଲେ ଓ ସେହି ଅତି ଉର୍ବର ଅଞ୍ଚଳରେ ଗୋଟିଏ ପାହାଡ଼ ଦଖଲ କରି ସେଠାରେ ଏକ ନୂଆ ସାଧାରଣ ଲୋକଙ୍କ ସହର ସ୍ଥାପନ କରିବାର ସୂଚନା ଦେଲେ ।

 

ଏହା ଫଳରେ ସିନେଟର ସଦସ୍ୟମାନେ ବୁଝିପାରିଲେ ଯେ ନିଜର ସ୍ୱାର୍ଥକୁ ପୂରାପୂରି ବଜାୟ ରଖିବା ଚେଷ୍ଟା କରିବା ମୂର୍ଖତା ହେବ । ତେଣୁ ସେମାନେ ଋଣ ଆଇନର ସଂଶୋଧନ ଗ୍ରହଣ କରିବା ରାଜି ହେଲେ ଓ ଏକ ମିଳାମିଶା ହୋଇଯିବା ପରେ ବିଦ୍ରୋହୀମାନେ ସହରକୁ ଫେରି ଆସିଲେ । ଏହାର କେତେବର୍ଷ ପରେ ରୋମର ରାଜ୍ୟ ପରିଚାଳନାରେ ସାଧାରଣ ଲୋକଙ୍କୁ ମଧ୍ୟ କେତେକ ଅଧିକାର ମିଳିଲା । ଏହି ଶାନ୍ତିପୂର୍ଣ୍ଣ ବିଦ୍ରୋହ ଏହି ରାଜନୀତିକ ସଂସ୍କାରର ଅନ୍ୟତମ କାରଣ ବୋଲି କୁହାଯାଏ ।

 

ଆଉ ଏକ ଘଟଣା ରୋମର ସମ୍ରାଟ୍‌ କାଲିଗୁଲାଙ୍କ ଅମଳରେ ୩୭ରୁ ୪୧ଖ୍ରୀଷ୍ଟାବ୍ଦ ମଧ୍ୟରେ ଘଟିଥିଲା । ନିଜର ପ୍ରୌଢ଼ି ଦେଖାଇବା ପାଇଁ ଓ ଇହୁଦିମାନଙ୍କର ବଶ୍ୟତାର ପ୍ରମାଣ ସ୍ୱରୂପ କାଲିଗୁଲା ଜେରୁଶାଲେମଠାରେ ଥିବା ଇହୁଦିମାନଙ୍କର ମନ୍ଦିରରେ ନିଜର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଇବାକୁ ଚାହିଁଲେ ଓ ଏଥିନିମନ୍ତେ ପେଟ୍ରୋନିୟସଙ୍କ ସିରିଆ ପ୍ରଦେଶର ଶାସକ ନିଯୁକ୍ତ କରି ପଠାଇ ଏହି ଆଦେଶ ଦେଲେ ଯେ ଯଦି ଇହୁଦିମାନେ ସ୍ୱେଚ୍ଛାରେ ରାଜି ହେବେତ ଭଲ ନଚେତ୍‌ ଯୁଦ୍ଧଦ୍ୱାରା ତାଙ୍କୁ ପରାସ୍ତ କରି ଜବରଦସ୍ତି ମୂର୍ତ୍ତି ସ୍ଥାପନ କରିବାକୁ ହେବ ।

 

ପେଟ୍ରୋନିୟସ୍ ସୈନ୍ୟସାମନ୍ତ ଧରି ଅଭିଯାନରେ ବାହାରି ଟଲେମାଇସ୍‌ଠାରେ ପହଞ୍ଚି ଶୀତ ଦିନଟା କଟାଇବା ପାଇଁ ରହଣୀ କଲେ । ସେଠି ଅୟୁତ ସଂଖ୍ୟକ ଇହୁଦି ଆସି ତାଙ୍କ ନିକଟରେ ପହଞ୍ଚି ନିବେଦନ କଲେ ଯେ, ମନ୍ଦିରରେ ଭଗବାନଙ୍କ ଛଡ଼ା ଅନ୍ୟ କାହାରି ମୂର୍ତ୍ତି ରଖିବା ଧର୍ମ ବିରୁଦ୍ଧ, ତେଣୁ ତୁମେ ଏକଥା କରିବାକୁ ଚାହଁତ ଆଗେ ଆମ ସମସ୍ତଙ୍କୁ ମାରିଦିଅ । ସେ ପୁଣି ଟିବେରିୟାସ୍‌ ଅଞ୍ଚଳକୁ ଯାଇ ସେଠା ଇହୁଦିମାନଙ୍କର ମତିଗତି ଜାଣିବାକୁ ଚାହିଁଲେ । ସେଠି ମଧ୍ୟ ଅୟୁତ ସଂଖ୍ୟକ ଇହୁଦି ତାଙ୍କୁ ଭେଟି ସେହି କଥା କହିଲେ ଓ ତଳେ ଲମ୍ବ ଲମ୍ବ ହୋଇ ଶୋଇ ବେକ ବଢ଼ାଇ ଦେଇ କହିଲେ ଯେ ଆମ ସମସ୍ତଙ୍କୁ ଆଗ ମାର, ତା’ପରେ ଯାହା କରିବାର କର । ଏହା ଚାଳିଶ ଦିନ ଯାଏ ଚାଲିଲା ଓ ସେତେବେଳେ ଚାଷ ଓ ବୁଣାବୁଣି ବେଳ ହୋଇଥିଲେ ବି ସେସବୁ କାମ ପଡ଼ିରହିଲା । ଇତି ମଧ୍ୟରେ କେତେକ ସମ୍ଭ୍ରାନ୍ତ ରୋମକ ପରିବାରର ଲୋକେ ବି ଆସି ଇହୁଦିମାନଙ୍କର ପକ୍ଷ ସମର୍ଥନ କଲେ । ପେଟ୍ରୋନିୟସ୍‍ ଏ ସବୁ ଫଳରେ ସ୍ଥିର କଲେ ଯେ, ସମ୍ରାଟ କାଲିଗୁଲାଙ୍କ ଆଦେଶ ପାଳନ କରିବେ ନାହିଁ ଓ ସେଥିପାଇଁ ଯାହା ଦଣ୍ଡ ଭୋଗିବାକୁ ହେବ ଭୋଗିବେ ପଛେ ଇହୁଦିମାନଙ୍କୁ କଷ୍ଟ ଦେବେନାହିଁ । ଏହା ସେ ଇହୁଦିମାନଙ୍କୁ ଜଣାଇ ଦେଇ ନିଶ୍ଚିନ୍ତ ହୋଇ ଚାଷବାସରେ ଲାଗିବାକୁ ପରାମର୍ଶ ଦେଲେ ଓ ସମ୍ରାଟଙ୍କୁ ସବୁକଥା ଜଣାଇ ଚିଠି ଲେଖି ମୂର୍ତ୍ତି ସ୍ଥାପନ ସଂକଳ୍ପରୁ ବିରତ ହେବାକୁ ଅନୁରୋଧ କଲେ ।

 

ଇତି ମଧ୍ୟରେ ସିରିଆର ରାଜା ଆଗ୍ରୀପ୍‌ପା ସମ୍ରାଟ କାଲିଗୁଲାଙ୍କୁ ଏକ ବିରାଟ ଭୋଜିଭାତରେ ପ୍ରସନ୍ନ କରାଇ ତାଙ୍କଠୁ ମୂର୍ତ୍ତି ସ୍ଥାପନ ଆଦେଶ ପ୍ରତ୍ୟାହାର ପ୍ରତିଶ୍ରୁତି ଆଦେଶ ନେଇ ନେଲେ ଓ ସେହି ମର୍ମରେ ପେଟ୍ରୋନିୟସଙ୍କଠାକୁ ଆଦେଶ ମଧ୍ୟ ଚାଲିଗଲା । ମାତ୍ର ସମ୍ରାଟ ଏହାପରେ ପେଟ୍ରୋନିୟସଙ୍କ ଚିଠି ପାଇ, ଭୀଷଣ ରାଗିଯାଇ, ମୋ ସାମ୍ରାଜ୍ୟରେ ବିଦ୍ରୋହ ବରଦାସ୍ତ କରାଯିବ ନାହିଁ ବୋଲି ଲେଖି ପେଟ୍ରୋନିୟସଙ୍କୁ ଆତ୍ମହତ୍ୟା କରିବାକୁ ଆଦେଶ ପଠାଇଲେ । ମାତ୍ର ଏହାର ଅଳ୍ପ ସମୟ ପରେ ସମ୍ରାଟ ନିଜେ ମରିଯିବାରୁ ସବୁ ସମସ୍ୟାର ସମାଧାନ ହୋଇଗଲା ।

 

ଅଷ୍ଟ୍ରୀୟ ସାମ୍ରାଜ୍ୟର ଅନ୍ତର୍ଗତ ଥିବା ହଙ୍ଗେରୀରେ ସ୍ୱାୟତ୍ତ-ଶାସନ ପାଇଁ ଦାବି ହେଲା ଓ ୧୮୪୮ରେ ଏ ଦାବି କେତେକାଂଶରେ ପୂରଣ କରାଗଲା । ମାତ୍ର ଏହାପରେ ହଙ୍ଗେରୀର ଅନ୍ତର୍ଗତ ଛୋଟ ଛୋଟ ଜାତିମାନଙ୍କର ସ୍ୱାୟତ୍ତ-ଶାସନ ଦାବି ନେଇ ଆନ୍ଦୋଳନ ଓ ବାଦବିବାଦ ଆରମ୍ଭ ହେବାରୁ ପୁଣି ଅଷ୍ଟ୍ରୀୟ ଫୌଜ ହଙ୍ଗେରୀ ଦଖଲ କଲେ । ଏହା ଫଳରେ ଯୁଦ୍ଧ ହେଲା ଓ ହଙ୍ଗେରୀ ହାରିଲା । ତା’ର ନେତା କୋସୁଥ୍ ଦେଶତ୍ୟାଗୀ ହେଲେ ।

 

ଏହା ପରେ ଫ୍ରାନ୍‌ସିସ୍‌ ଡ଼ିଏକ୍‌ଙ୍କ ନେତୃତ୍ୱରେ ନିଷ୍କ୍ରିୟ ପ୍ରତିରୋଧ ଆନ୍ଦୋଳନ ଚାଲିଲା । ସେ ଧୈର୍ଯ୍ୟର ସହିତ ଲୋକମତ ସଂଗଠନ କରି ଚାଲିଲେ ଓ ତାଙ୍କର ଏକମାତ୍ର ଦାବି ହେଲା ଯେ ହଙ୍ଗେରୀର ସମ୍ବିଧାନର ପୁନଃ ପ୍ରତିଷ୍ଠା କରିବାକୁ ହେବ । ଖଜଣା ନ ଦେବା ପାଇଁ, କୌଣସି ଚାକିରୀ ବା ପଦପଦବୀ ଗ୍ରହଣ ନକରିବା ପାଇଁ ଅଷ୍ଟ୍ରୀୟ ଶାସନ ବିରୋଧରେ ଅହିଂସ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ସେ ଲୋକଙ୍କୁ ଉପଦେଶ ଦେଲେ ଓ ସବୁ ପ୍ରକାରର ହିଂସା ତ୍ୟାଗ କରିବା ପାଇଁ ସତର୍କ କରିଦେଲେ । ୧୮୫୭ରେ ଅଷ୍ଟ୍ରୀୟାର ସମ୍ରାଟ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ ପରିଦର୍ଶନରେ ଆସିବା ବେଳେ ତାଙ୍କ ସମଗ୍ର ହଙ୍ଗେରୀବାସୀ ବହିଷ୍କାର କଲେ ।

 

ଏହାପରେ ହଙ୍ଗେରୀବାସୀଙ୍କୁ ସ୍ତୋକ ଦେବାପାଇଁ ସେଠାରେ ଆଜ୍ଞଳିକ ସ୍ୱାୟତ୍ତ-ଶାସନ ସଂସ୍ଥାଗୁଡ଼ିକୁ ପୁନଃପ୍ରତିଷ୍ଠିତ କରାଗଲା । ମାତ୍ର ଏ ସଂସ୍ଥାଗୁଡ଼ିକ କ୍ଷମତାକୁ ଆସିବା ମାତ୍ରେ ଅଷ୍ଟ୍ରୀୟ କର୍ମଚାରୀମାନଙ୍କୁ ଚାକିରୀରୁ ବାହାର କରିଦେଲେ । ଅଷ୍ଟ୍ରୀୟ ସେନା ପାଇଁ ବସିଥିବା କର ଉଠାଇ ଦେଲେ ଓ ହଙ୍ଗେରୀର ପାର୍ଲ୍ୟାମେଣ୍ଟ ନ ବସିବା ଯାଏ ଖଜଣା ଆଦାୟ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କଲେ ।

 

ଏହା ପରେ ସମ୍ରାଟ ଡିଏକଙ୍କୁ ଡକାଇ ହଙ୍ଗେରୀ ସମସ୍ୟାର ସନ୍ତୋଷ ଜନକ ସାମାଧାନ କରିବାର ପ୍ରତିଶ୍ରୁତି ଦେବାରୁ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକ ତାଙ୍କ ଅସହଯୋଗ ନୀତି କୋହଳ କଲେ । ୧୮୬୧ରେ ହଙ୍ଗେରୀ ଓ ଅନ୍ୟ ଦେଶମାନଙ୍କୁ ସୀମାବଦ୍ଧ କ୍ଷମତାସମ୍ପନ୍ନ ବିଧାନସଭା ଦିଆଯିବାର ଘୋଷଣା ହେଲା । ହଙ୍ଗେରୀ ବିଧାନ ସଭାର ତିନିଶହ ସଦସ୍ୟଙ୍କ ଭିତରୁ ଦୁଇଶହ ସତୁରୀ ଜଣ ଅଷ୍ଟ୍ରୀୟ ବିରୋଧୀ ନିର୍ବାଚିତ ହେଲେ । ଏ ବିଧାନ ସଭାର ପ୍ରଥମ ଅଧିବେଶନ ସାମ୍ରାଜ୍ୟ ସରକାର ବୁଡ଼ାଠାରେ ବସିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା ପୁରୁଣା ରାଜଧାନୀ ପେଷ୍ଟଠାରେ ବସି ପ୍ରସ୍ତାବ କଲା ଯେ ହଙ୍ଗେରୀ ଏକ ପୂର୍ଣ୍ଣ ସ୍ୱାଧୀନ ରାଷ୍ଟ୍ର ରୂପେ ସ୍ୱୀକୃତ ନହେବା ଯାଏ ସଦସ୍ୟମାନେ କୌଣସି ପାର୍ଲାମେଣ୍ଟ ବା ବିଧାନ ସଭାରେ ଯୋଗ ଦେବେନାହିଁ ଏବଂ ଅଷ୍ଟ୍ରୀୟାର ସାମ୍ରାଜ୍ୟ ପାର୍ଲାମେଣ୍ଟର ହଙ୍ଗେରୀ ବିଷୟରେ ଆଇନ କରିବାର ଅଧିକାର ନାହିଁ ବୋଲି ମଧ୍ୟ ଘୋଷଣା କଲେ ।

 

କିଛି ଦିନ ପରେ ସମ୍ରାଟ ଏ ବିଧାନ ସଭା ଭାଙ୍ଗି ଦେଲେ । ସ୍ଥାନୀୟ ସ୍ୱାୟତ୍ତଶାସନ ସଭାଗୁଡ଼ିକ ଏହାର ପ୍ରତିବାଦ କରିବାକୁ ସେ ସବୁ ମଧ୍ୟ ଭାଙ୍ଗି ଦିଆଗଲା । ଏ ସଂସ୍ଥା ସମୂହର କର୍ମଚାରୀମାନେ ଅଷ୍ଟ୍ରୀୟ ସରକାରର ଆଦେଶ ମାନିବାକୁ ଅସ୍ୱୀକାର କଲେ । ଦେଶରେ ଦମନ ଲୀଳା ଚାଲିଲା । ଖବରକାଗଜ ସବୁ ବନ୍ଦ କରି ଦିଆଗଲା । ଲୋକେ ଖଜଣା ବନ୍ଦକଲେ । ଏଥିଯୋଗୁ ସମ୍ପତ୍ତି କୋରଖ ହେଲା, ମାତ୍ର ନିଲାମ କରିବା ଲୋକ ମିଳିଲେ ନାହିଁ । ଏଥିପାଇଁ ଅଷ୍ଟ୍ରୀୟାରୁ ଲୋକ ଆଣିବାବେଳକୁ ଦେଖାଗଲା ଯେ ନିଲାମ ଧରିବାକୁ ଜଣେ ହେଲେ ହଙ୍ଗେରୀବାସୀ ମିଳୁନାହାନ୍ତି । ଖଜଣା ଆଦାୟ ପାଇଁ ଆଦାୟ ଅପେକ୍ଷା ଖର୍ଚ୍ଚ ବେଶି ହେବାର ଦେଖାଗଲା ।

 

ଏହିଭଳି କେତେକାଳ ଚାଲିବା ପରେ ଅଷ୍ଟ୍ରୀୟା ସହ ପ୍ରୁସିଆ ଓ ଡେନମାର୍କର ସଘଂର୍ଷର ଆଶଙ୍କା ଦେଖା ଦେବାରୁ ସମ୍ରାଟ ରାଜ୍ୟ ଭିତରେ ଶାନ୍ତି ସ୍ଥାପନା କରିବାକୁ ଚାହିଁ କୋହଳ ନୀତି ଧରିଲେ ଓ ପ୍ରଥମେ ଅଧା ପନ୍ତରିଆ ଅଧିକାର ଦେଇ ହଙ୍ଗେରୀବାସୀଙ୍କୁ ଭଣ୍ଡିବା ଚେଷ୍ଟାକରି ଶେଷକୁ ୧୮୬୭ରେ ହଙ୍ଗେରୀର ସମ୍ବିଧାନ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବାକୁ ସମ୍ମତି ଦେଲେ-

 

ଧର୍ମଘଟ ବା ହରତାଳ ଏକ ଶାନ୍ତିପୂର୍ଣ୍ଣ ପନ୍ଥାରୂପେ ବହୁକାଳରୁ ବ୍ୟବହୃତ ହୋଇ ଆସିଛି ଓ ଗାନ୍ଧିଜୀ ମଧ୍ୟ ନିଜ ଆନ୍ଦୋଳନରେ ଏହା ବ୍ୟବହାର କରିଛନ୍ତି । ଶ୍ରମିକ ଆନ୍ଦୋଳନରେ ଧର୍ମଘଟ ଏକ ଶକ୍ତିଶାଳୀ ଅସ୍ତ୍ର ଓ ଦୁନିଆରେ ଅସଂଖ୍ୟ ସାନବଡ଼ ସଫଳ ଧର୍ମଘଟ ହୋଇଛି । ସେ ସବୁର ତାଲିକା ବା ବର୍ଣ୍ଣନା ଏଠି ଦେବା ନିଷ୍ପ୍ରୟୋଜନ । ତେବେ ଅନେକ ବା ଅଧିକାଂଶ କ୍ଷେତ୍ରରେ ଅହିଂସାକୁ ଧର୍ମଘଟର ଏକ ଆବଶ୍ୟକୀୟ ନୀତି ରୂପେ ଗ୍ରହଣ କରାହୋଇ ନଥାଏ । କେବଳ ଆଇନର ସୀମାକୁ ଜଗି ଶାନ୍ତିରକ୍ଷା କରାଯାଏ । ବିରୋଧୀମାନଙ୍କୁ ଲୁଚେଇ ଛପେଇ ଧମକେଇବା ବା ମାଡ଼ି ଦେବାର ଇତସ୍ତତ କରାଯାଏ ନାହିଁ । ତେବେ ନିର୍ଦ୍ଦିଷ୍ଟ ଦାବି ହାସଲ ପାଇଁ କରାଯାଉଥିବା ଏସବୁ ଧର୍ମଘଟ ମୋଟାମୋଟି ଶାନ୍ତିପୂର୍ଣ୍ଣ ହିଁ ହୋଇଥାଏ । ଏଥିରେ ଯେ ସବୁ ହିଂସା ଆଚରିତ ହୁଏ ବା ଘଟେ ସେ ସବୁ ତାର ଦୁର୍ବଳତା ବୋଲି କୁହାଯାଇପାରେ । ପୁଣି କମ୍ୟୁନିଷ୍ଟ ଓ ଅନ୍ୟ ସେହିଭଳି ମତବାଦର ଲୋକେ ସାଧାରଣ ଧର୍ମଘଟ ବଢ଼ି ବଢ଼ି ରାଷ୍ଟ୍ରବିପ୍ଳବରେ ପରିଣତ ହେବାର ସ୍ୱପ୍ନ ଦେଖନ୍ତି ଓ ତେଣୁ ବେଳ ଆସିଲେ ସଶସ୍ତ୍ର ବିଦ୍ରୋହ ମଧ୍ୟ ତାହା ପଛେ ପଛେ ଆରମ୍ଭ କରିବାର ପ୍ରସ୍ତୁତି କରନ୍ତି । ତେଣୁ ସାଧାରଣ ଧର୍ମଘଟର ସେମାନଙ୍କ କଳ୍ପନାରେ ଶାନ୍ତି ବା ଅହିଂସାର କୌଣସି ଗନ୍ଧ ହିଁ ନ ଥାଏ । ସେମାନଙ୍କର ଦୃଷ୍ଟିରେ ତାହା ହିଂସାତ୍ମକ ବିପ୍ଲବର ପ୍ରଥମ ସୋପାନ ମାତ୍ର ।

 

ପ୍ରେମମୂଳକ ବ୍ୟବହାର ଦ୍ୱାରା ଯେ ଅନ୍ୟର ହୃଦୟକୁ ଜୟ କରିହୁଏ ଏହାର ଅସଂଖ୍ୟ ଉଦାହରଣ ଦୁନିଆରେ ରହିଛି । ତେବେ ଗୋଟାଏ ଗୋଟାଏ ପୁରା ସମାଜ ପ୍ରତି ଏପରି ବ୍ୟବହାରର ଦୁଇଟି ସଫଳ ଉଦାହରଣ ଏଠାରେ ଦିଆଯାଉଛି ।

 

ପଞ୍ଚଦଶ ଶତାବ୍ଦୀରେ ସ୍ପେନୀୟମାନେ ଯାଇ ଯେତେବେଳେ ଦକ୍ଷିଣ ଆମେରିକା ଦଖଲ କରି ବସବାସ ଓ ବେପାର ଆରମ୍ଭ କଲେ ସେତେବେଳେ ସ୍ୱଭାବତଃ ସେଠାରେ ଆଦିମ ଅଧିବାସୀଙ୍କ ସହିତ ସେମାନଙ୍କର ସଙ୍ଘର୍ଷ ଲାଗିଲା । ସ୍ପେନୀୟମାନେ ଯେଭଳି ନୃଶଂସ ଭାବରେ ସେମାନଙ୍କୁ ଉତ୍ପୀଡ଼ନ କରୁଥିଲେ ସେମାନେ ବି ସେତିକି ଉତ୍‌କ୍ଷିପ୍ତ ହୋଇ ପ୍ରତି ଆକ୍ରମଣ କରୁଥିଲେ ।

 

ଷୋଡ଼ଶ ଶତାବ୍ଦୀରେ ସ୍ପେନର ଧର୍ମଯାଜକ ଲାସ୍କାସାସ ବିଶ୍ୱାସ କରିଥିଲେ ଯେ ତଥାକଥିତ ବର୍ବର ଆଦିବାସୀମାନଙ୍କୁ ମଧ୍ୟ କେବଳ ପ୍ରେମ ଦ୍ୱାରା ହିଁ ଜିତି ଧର୍ମ ବାଟକୁ ଆଣିହେବ-। ପ୍ରେମର ମାହାତ୍ମ୍ୟ ଉପରେ ସେ ଖଣ୍ଡେ ବହି ମଧ୍ୟ ଲେଖିଲେ । ଏଥିପାଇଁ ତାଙ୍କୁ ବହୁ ସମାଲୋଚନା ଓ ବିଦ୍ରୂପର ସମ୍ମୁଖୀନ ହେବାକୁ ପଡ଼ିଲା । ଶେଷରେ ତାଙ୍କ ନୀତିକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ଦେଖାଇବା ପାଇଁ ଏକ ଆହ୍ୱାନର ପ୍ରତ୍ୟୁତ୍ତର ଦେବାକୁ ମନସ୍ଥ କରି ସେ ଦକ୍ଷିଣ ଆମେରିକା ଗଲେ ।

 

ସେଠାରେ ବର୍ତ୍ତମାନର ଗୁଆଟିମଲା ଦେଶର ଉତ୍ତରକୁ ଟୁଜୁଲୁଟ୍‌ଲାନ ନାମକ ଏକ ଅଞ୍ଚଳ ଖୁବ୍‌ ଅଶାନ୍ତ ଥିଲା ଓ ସ୍ପେନୀୟମାନେ ଏହାକୁ ଯୁଦ୍ଧ ଦେଶ ବୋଲି କହୁଥିଲେ । ଏଠାର ଅଧିବାସୀମାନେ ସ୍ପେନୀୟମାନଙ୍କୁ ପାଖ ପଶିବାକୁ ଦେଉ ନଥିଲେ ଓ ସେମାନଙ୍କର ଆକ୍ରମଣକୁ ତିନିଥର ପ୍ରତିହତ କରିଥିଲେ । ଲାସ୍କାସାସ୍‌ ଗୁଆଟିମଲାର ଶାସକଙ୍କ ସହିତ ସର୍ତ୍ତ କଲେ ଯେ ସେ ଆଦିମ ଅଧିବାସୀମାନଙ୍କୁ ଶାନ୍ତି ବାଟକୁ ଆଣିବା ଉଦ୍ୟମ କରି ସଫଳ ହେଲେ ଓ ସେମାନେ ସ୍ପେନୀୟ ସମ୍ରାଟଙ୍କର ସାର୍ବଭୌମ ଅଧିକାର ସ୍ୱୀକାର କରି ନାମମାତ୍ର ଭେଟି ଦେବାକୁ ରାଜି ହେଲେ ସେ ଅଞ୍ଚଳ ଭିତରକୁ ପାଞ୍ଚବର୍ଷ ଯାଏ କୌଣସି ସ୍ପେନୀୟ ଲୋକଙ୍କୁ ପଶିବାକୁ ଦିଆଯିବ ନାହିଁ ଓ ସେ ଅଞ୍ଚଳ ମଧ୍ୟ କୌଣସି ସ୍ପେନବାସୀଙ୍କୁ ଜାଗିର ନ ଦିଆଯାଇ ଖାସ ଶାସନରେ ରଖାଯିବ-

 

ଏହାପରେ ଲାସ୍କାସାସ୍‍ ଓ ତାଙ୍କର ଅନ୍ୟ ତିନି ଜଣ ସାଥୀ ସେ ଅଞ୍ଚଳର ଭାଷା କ୍ୱିଚେରେ ଏକ ଗୀତ ରଚନା କଲେ, ଯେଉଁଥିରେ ଖ୍ରୀଷ୍ଟ ଧର୍ମର ମୂଳ ନୀତି ଗୁଡ଼ିକ ସରଳ ଭାଷାରେ ବର୍ଣ୍ଣିତ ହୋଇଥିଲା । ଏହି ସମୟରେ ସେମାନେ ମଧ୍ୟ ଚାରିଜଣ ଆଦିବାସୀ ବେପାରୀଙ୍କ ଭେଟ ପାଇଲେ ଓ ସେମାନଙ୍କ ସହିତ ବନ୍ଧୁତା କରି ସେମାନଙ୍କୁ ବହୁ ଯତ୍ନ ଓ ଧୈର୍ଯ୍ୟ ସହକାରେ ଖ୍ରୀଷ୍ଟ ଧର୍ମର ନୀତି ଶିଖାଇଲେ ଓ ଗୀତଟି ମଧ୍ୟ ମୁଖସ୍ଥ କରାଇ ଦେଇ ସେମାନଙ୍କୁ ସେହି ‘‘ଯୁଦ୍ଧର ଦେଶ’’ ଅଞ୍ଚଳର ସବୁଠାରୁ ବଡ଼ ସର୍ଦ୍ଦାର ନିକଟକୁ ନାନା ପ୍ରକାର ଉପଢ଼ୌକନ ଦେଇ ପଠାଇଲେ ।

 

ଏମାନେ ସେଠାକୁ ଯାଇ ବାଦ୍ୟ ସହ ସେ ଗୀତ ଗାଇବାକୁ ଲୋକଙ୍କ ଭିତରେ ଖୁବ୍‌ ଆଗ୍ରହ ସୃଷ୍ଟି ହେଲା । ବହୁଦିନ ଧରି ଏ ଗୀତ ବାଦ୍ୟ ଚାଲିଲା ଓ ଶହ ଶହ ଲୋକ ପ୍ରତିଦିନ ଜମା ହୋଇ ତାହା ଶୁଣିଲେ । ଶେଷକୁ ସେମାନେ ଲୋକଙ୍କୁ କହିଲେ ଯେ ଆମେ ଲଣ୍ଡାମୁଣ୍ଡିଆ ସାଧୁମାନଙ୍କଠାରୁ ଏସବୁ ଶିଖିଛୁ ଏବଂ ସେମାନେ ଗୋରା ହେଲେ ମଧ୍ୟ ଅନ୍ୟ ଗୋରାଙ୍କ ପରି ନୁହନ୍ତି, ଲୋକଙ୍କର ଉପକାର କରନ୍ତି, ସେମାନଙ୍କର ଧନଲୋଭ ନାହିଁ, ସେମାନଙ୍କର ସ୍ତ୍ରୀ ନାହାନ୍ତି ବା ସେମାନେ ସ୍ତ୍ରୀ ଆସକ୍ତ ନୁହନ୍ତି—ଏସବୁ କଥା ମଧ୍ୟ ବର୍ଣ୍ଣନା କଲେ ।

 

ଏସବୁ ଶୁଣି ସେଠାର ସର୍ଦ୍ଦାର ନିଜ ସାନଭାଇଙ୍କୁ ସେ ବେପାରୀମାନଙ୍କ ସାଙ୍ଗରେ ଗୁଆଟିମଲା ପଠାଇଲେ ଓ ଯଦି ପ୍ରକୃତରେ ସେ ସାଧୁମାନେ ଉପର ବର୍ଣ୍ଣିତ ପ୍ରକାରର ହୋଇଥାନ୍ତି ତେବେ ସେମାନଙ୍କୁ ଟୁଜୁଲୁଟ୍‌ଲାନ ଆସିବାକୁ ନିମନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଲେ । ସର୍ଦ୍ଦାରଙ୍କ ସାନଭାଇ ଆସିଲେ ଓ ତାଙ୍କ ନିମନ୍ତ୍ରଣ ମତେ କ୍ୱିଚେ ଭାଷା ସବୁଠାରୁ ଭଲରୂପେ ଜାଣିଥିବା ଲାସ୍କାସାସଙ୍କର ଜଣେ ସାଥୀ ସେ ରାଜ୍ୟକୁ ଗଲେ । ସେଠାଲୋକଙ୍କ ସହିତ ତାଙ୍କର ମଧୁର ସମ୍ପର୍କ ସ୍ଥାପିତ ହେଲା ଓ ତାଙ୍କର ଉଦ୍ୟମରେ ସେମାନେ ନରବଳି ପ୍ରଭୃତି ବନ୍ଦ କଲେ, ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ଓ କେବଳ ଆତ୍ମରକ୍ଷା ପାଇଁ ଯୁଦ୍ଧ କରିବେ ସିନା ଆକ୍ରମଣମୂଳକ ଯୁଦ୍ଧ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ । ସ୍ପେନ୍‌ର ରାଜାଙ୍କର ସାର୍ବଭୌମ ଅଧିକାର ସ୍ୱୀକାର କରି ନାମମାତ୍ର ଭେଟି ଦେଲେ । କୌଣସି ସ୍ପେନ୍‌ବାସୀ ସେମାନଙ୍କ ରାଜ୍ୟ ଭିତରକୁ ଆସିଲେ ନାହିଁ ବୋଲି ପ୍ରତିଶ୍ରୁତି ପାଇବାରୁ ସେ କଥାରେ ସମ୍ମତ ହେଲେ ଓ ସେ ଯୁଦ୍ଧର ଦେଶ ଶାନ୍ତିର ଦେଶରେ ପରିଣତ ହେଲା-। ଏ ଶାନ୍ତି ବହୁକାଳ ଯାଏ ସ୍ଥାୟୀ ହୋଇରହିଲା ।

 

ଆମେରିକାର ଯୁକ୍ତରାଷ୍ଟ୍ରରେ ମଧ୍ୟ ଇଂଲଣ୍ଡ, ଫ୍ରାନସ୍‌, ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରୁ ହଜାର ହଜାର ଲୋକ ଯେତେବେଳେ ପ୍ରଥମେ ବସବାସ କରିବାକୁ ଗଲେ, ଏମାନେ ସେଠାରେ ଆଦିବାସୀମାନଙ୍କୁ ମାରିପିଟି ଘଉଡ଼େଇ ସେମାନଙ୍କର ଭଲ ଭଲ ଜମି ସବୁ ଦଖଲ କରିବାକୁ ଲାଗିଲେ କେଉଁଠି ଅବା ଚଞ୍ଚକତା କରି ଆଇନ ଅନୁସାରେ କିଣିବା ନାଁରେ ସାମାନ୍ୟମୂଲ୍ୟରେ ଜମି ହସ୍ତାନ୍ତର କରିନେଲେ । ଆଦିବାସୀମାନଙ୍କୁ ଠକିବାରେ ମଦ ମଧ୍ୟ ଏକ ପ୍ରଧାନ ଆୟୁଧ ହେଲା । ଆଦିବାସୀମାନଙ୍କ ଆଡ଼ୁ ମଧ୍ୟ ଜୋର ପ୍ରତିଶୋଧ ଉଦ୍ୟମ ଚାଲିଲା ଓ ବରାବର ରକ୍ତାକ୍ତ ସଂଘର୍ଷ ଲାଗି ରହିଲା ।

 

ଇଂଲଣ୍ଡରୁ ଏହି ଆଗନ୍ତୁକମାନଙ୍କ ମଧ୍ୟରେ ଜଣେ ଥିଲେ ଉଇଲିୟାମ୍‌ ପେନ୍‌ । ସେ କ୍ୱେକର ସଂପ୍ରଦାୟର ଲୋକ । କ୍ୱେକରମାନେ ପୂର୍ଣ୍ଣ ଅହିଂସାରେ ବିଶ୍ୱାସ କରନ୍ତି, ସେମାନେ ଯୁଦ୍ଧ ବିରୋଧୀ ଓ ସମାଜ ମଧ୍ୟ ଅହିଂସା ନୀତିରେ ଚଳି ପାରିବ ବୋଲି ସେମାନଙ୍କର ଦୃଢ଼ ଆସ୍ଥା ଥାଏ । ପେନ୍‌ ଏହି ନୀତିକୁ କାର୍ଯ୍ୟରେ ପ୍ରୟୋଗ କରିବାକୁ ମନସ୍ଥ କରି ଆମେରିକାର ଏକ ଅଞ୍ଚଳରେ ନିଜର ଅନ୍ୟ ବହୁ କ୍ୱେକରପନ୍ଥୀ ସାଥୀ ପରିବାରଙ୍କୁ ନେଇ ବସତି ସ୍ଥାପନ କଲେ । ଏ ଅଞ୍ଚଳ ତାଙ୍କର ନାମ ଅନୁସାରେ ପେନ୍‌ସିଲ ଭାନିୟା ରାଜ୍ୟ ରୂପେ ପରିଚିତ ।

 

ସେ ସେ ଅଞ୍ଚଳର ବସତି କରିବା ପାଇଁ ଇଂଲଣ୍ଡର ରାଜାଙ୍କୁ ଷୋଳ ହଜାର ପାଉଣ୍ଡ ନଜରାନା ଦେଇଥିଲେ । ମାତ୍ର ସେ ଜାଣିଲେ ଯେ, ଏ ସବୁ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କର ପ୍ରଥମ ଦାବି ରହିଛି । ତେଣୁ ସେ ଆଦିବାସୀ ମାନଙ୍କୁ ଉଚିତ ମୂଲ୍ୟ ଦେଇ ତାଙ୍କର ଆବଶ୍ୟକ ଜମି କିଣି ନେବା ପାଇଁ ସ୍ଥିର କଲେ ଓ ତଦନୁସାରେ କାର୍ଯ୍ୟ ମଧ୍ୟ କଲେ । ଅନ୍ୟମାନଙ୍କ ପରି ଆଦିବାସୀଙ୍କୁ ମଦ ନିଶାରେ ଚୁର କରି ସେମାନଙ୍କୁ ଠକାଇବା ବଦଳରେ ସେ ଆଦିବାସୀଙ୍କ ଭିତରେ ମଦ ବିକ୍ରୀ ନିଷିଦ୍ଧ କରିଦେଲେ । ନୀତିହୀନ ବେପାରୀମାନଙ୍କୁ ସେ ଅଞ୍ଚଳରେ ବେପାର କରିବାକୁ ଅନୁମତି ମଧ୍ୟ ଦେଲେ ନାହିଁ । ଅନ୍ୟ ଭାବରେ ମଧ୍ୟ ସେ ସେମାନଙ୍କ ସହିତ ଘନିଷ୍ଠ ସଂପର୍କ ରଖିଲେ । ଏହା ଫଳରେ ତାଙ୍କ ଜୀବଦ୍ଦଶାରେ ଓ ତାହାପରେ ମଧ୍ୟ କେତେ ବର୍ଷ ଯାଏ, ଏହିପରି ୧୬୮୨ରୁ ୧୭୫୫ ଏହି ତେସ୍ତରି ବର୍ଷ ସେ ଅଞ୍ଚଳରେ ପୂର୍ଣ୍ଣ ଶାନ୍ତି ରହିଥିଲା । ଅବଶ୍ୟ କେହି ଆଦିବାସୀ ବା କେହି ଗୋରା ଯେ ଅନ୍ୟ ଗୋଷ୍ଠୀ ପ୍ରତି କୌଣସି ଅନ୍ୟାୟ କାର୍ଯ୍ୟ କରୁ ନଥିଲେ ତାହା ନୁହେଁ । ମାତ୍ର ପ୍ରଚଳିତ ଆଇନ ଅନୁସାରେ ବିଚାର କରି ଏ ସବୁର ପ୍ରତିବିଧାନ କରାଯାଉଥିଲା । ସାଧାରଣ ପରିସ୍ଥିତି ବା ଦୁଇ ଗୋଷ୍ଠୀ ଭିତରେ ପରସ୍ପର ସଂପର୍କ ଏଥିଯୋଗୁଁ ତିକ୍ତ ହେଉ ନଥିଲା ।

 

ଉଇଲିୟମ ପେନ୍‌ଙ୍କ ମୃତ୍ୟୁପରେ ଗୋରାମାନଙ୍କ ଆଡ଼ୁ ଅନ୍ୟ ଅଞ୍ଚଳପରି ଠକାମୀ, ଜବରଦସ୍ତି, ଜୁଲୁମ, ମଦ ବେପାର ଆଦି ଆରମ୍ଭ ହୋଇଗଲା ଓ ଫଳରେ ପ୍ରବଳ ହଣାକଟା ମଧ୍ୟ ଲାଗିଗଲା ।

 

ଗତ ଦ୍ୱିତୀୟ ମହାଯୁଦ୍ଧବେଳେ ନରଓୟେ ଦେଶକୁ ଜର୍ମାନ ନାତ୍‌ସୀ ସୈନ୍ୟ ଅଧିକାର କରିବା ପରେ କେତେକ କାଳ ପର୍ଯ୍ୟନ୍ତ ସେଠାରେ ନାତ୍‌ସୀ ଶାସନର ଅହିଂସ ବିରୋଧ ବେଶ୍‌ ସଫଳ ଭାବରେ ଚାଲିଥିଲା । ଏହା ଗାନ୍ଧିଜୀଙ୍କ ଜୀବନ କାଳରେ ଘଟିଥିଲେ ମଧ୍ୟ ତାଙ୍କ ଜୀବନ ଓ ଆଦର୍ଶରୁ ନରଓୟେବାସୀ ପ୍ରେରଣା ପାଇଥିବାର ଜଣା ନାହିଁ ।

 

ନାତ୍‌ସୀମାନେ ୧୯୪୦ରେ ନରଓୟେ ଦଖଲ କଲେ ଓ ରାଜନୀତିକ ଦଳମାନଙ୍କୁ ବେଆଇନ ଘୋଷଣା କରିବା, ରାଜାଙ୍କୁ ଗାଦିଚ୍ୟୁତ କରିବା, କୁଖ୍ୟାତ କ୍ୱିସ୍‌ଲିଙ୍ଗ୍‌ ସରକାର ପ୍ରତିଷ୍ଠା କରିବା, ଆଇନ ଓ ବିଚାର ବ୍ୟବସ୍ଥାରେ ମନମୁଖୀ ପରିବର୍ତ୍ତନ କରିବା ଆଦି ଏକଛତ୍ରଶାସନ ସୁଲଭ କାର୍ଯ୍ୟମାନ କରିଗଲେ । ପ୍ରଥମେ ପ୍ରତିରୋଧ ହେଲା ବିଚାରପତିମାନଙ୍କ ଆଡ଼ୁ । ବିଚାର ବ୍ୟବସ୍ଥାରେ ମନମୁଖୀ ପରିବର୍ତ୍ତନର ପ୍ରତିବାଦ କରି ଦେଶର ସମସ୍ତ ବିଚାରପତି ଏକାବେଳେକେ ଇସ୍ତଫା ଦେଲେ । ଏହାପରେ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକର ରୂପ ମଧ୍ୟ ଆଇନ ଦ୍ୱାରା ବଦଳାଇ ମେୟର ମାନଙ୍କୁ ଏକଛତ୍ର ଅଧିକାର ଦିଆହେଲା । ମାତ୍ର ଏହାକୁ ଅବଜ୍ଞାକରି ପୂର୍ବ ପରି ମୁନିସ୍‍ପାଲଟି ଆଦିର ପ୍ରତିନିଧି ସଭାମାନ କାର୍ଯ୍ୟ କରି ଚାଲିଲା ।

 

ନରଓୟେରେ ବହୁତ ଖେଳକୁଦର କ୍ଳବ ଆଦି ସଂସ୍ଥା ରହିଛି । ଏସବୁ ଗଣତାନ୍ତ୍ରିକ ରୀତିରେ ଚାଲିଥାଏ । ନାତ୍‌ସୀମାନେ ଏସବୁ ବଦଳରେ ଏକଛତ୍ର ନୀତିରେ ପରିଚାଳିତ ସଂସ୍ଥା ଗଢ଼ିଲେ । ମାତ୍ର ସେ ସବୁକୁ ଏଭଳି ସମ୍ପୂର୍ଣ୍ଣ ଭାବରେ ବର୍ଜନ କରାଗଲା ଯେ ନାତ୍‌ସୀ ଅଧିକାର କାଳ ଭିତରେ ସେ ଦେଶରେ ଗୋଟିଏ ହେଲେ ଖେଳକୁଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ନାହିଁ ।

 

ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନମାନଙ୍କୁ ଭାଙ୍ଗି ଦେଇ ନାତ୍‌ସୀ ଢଙ୍ଗର ନୂଆ ସଂଗଠନ ଗଢ଼ି ଦିଆହେଲା । ମାତ୍ର ସେଥିରେ ଜଣେ ସୁଦ୍ଧା ଛାତ୍ର ସଦସ୍ୟ ନହେବାରୁ ସେ ସବୁ ଅକାମୀ ହୋଇରହିଲା ।

 

ଧର୍ମ ଅନୁଷ୍ଠାନ ଚର୍ଚ୍ଚ ଉପରେ କର୍ତ୍ତୃତ୍ୱ ବିସ୍ତାର ଉଦ୍ୟମ ମଧ୍ୟ ଏହିପରି ବିଫଳ ହେଲା । ଧର୍ମଯାଜକମାନଙ୍କ ନିକଟରେ ସେମାନଙ୍କର ଯଜମାନମାନେ କରିଥିବା ଗୁପ୍ତ ସ୍ୱୀକାରୋକ୍ତି ସେମାନେ ପୋଲିସ୍‌କୁ ଜଣାଇବାକୁ ବାଧ୍ୟ ହେବେ ବୋଲି ଆଦେଶ ହେଲା, ମାତ୍ର ସମସ୍ତ ଧର୍ମଯାଜକ ଏହାର ସଂଗଠିତ ବିରୋଧ କଲେ ।

 

୧୯୪୧ରେ ଆଦେଶ ଦିଆହେଲା ଯେ ପ୍ରତି ବିଦ୍ୟାଳୟରେ କୁଇସ୍‌ଲିଂଗାର ଛବି ଟଙ୍ଗାଯିବ, ଦ୍ୱିତୀୟ ଭାଷା ରୂପେ ଇଂରାଜୀ ପରିବର୍ତ୍ତେ ଜର୍ମାନୀ ପଢ଼ାଯିବ, ଇତିହାସକୁ ନାତ୍‌ସୀ ଛାଞ୍ଚରେ ବଦଳାଇ ଶିକ୍ଷା ଦିଆଯିବ । ଏହା ବିରୋଧରେ ଶିକ୍ଷକମାନେ ଏକ ବ୍ୟାପକ ଧର୍ମଘଟ କଲେ । ଏହା ପଛରେ ଅଭିଭାବକମାନଙ୍କର ଓ ଧର୍ମ ସଂଗଠନର ମଧ୍ୟ ପୂରା ସମର୍ଥନ ରହିଲା । ଫଳରେ କର୍ତ୍ତୃପକ୍ଷ ଉପରୋକ୍ତ ଆଦେଶକୁ କେତେକ ଅଂଶରେ ପ୍ରତ୍ୟାହାର କଲେ ଓ କେତେକ ଅଂଶରେ କାର୍ଯ୍ୟକାରୀ କଲେ ନାହିଁ ।

 

ଡାକ୍ତର ଓ ଅଭିନେତାମାନଙ୍କୁ ଏହିଭଳି ବଶ କରିବା ଉଦ୍ୟମ ମଧ୍ୟ ବିଫଳ ହେଲା । ସରକାରୀ ଚାକିରୀରେ ପୁରୁଣା ଲୋକଙ୍କ ସ୍ଥାନରେ ନାତ୍‌ସୀ ନୀତିରେ ଚଳୁଥିବା କୁଇସ୍‌ଲିଂଙ୍ଗଙ୍କର ନାଶନାଲ ସାମଲିଂଗ୍‌ ଦଳ ସଦ୍ୟସ୍ୟମାନଙ୍କୁ ଭର୍ତ୍ତି କରିବା ଚେଷ୍ଟା ହେଲା । ଏହାର ପ୍ରତିବାଦରେ ସରକାରୀ କର୍ମଚାରୀ, ଡାକ୍ତର, ଶିକ୍ଷକ ଆଦିଙ୍କର ପ୍ରଥମେ ବାଇଶଟି ସଂଗଠନର ଓ ପରେ ଶ୍ରମିକ ସଘଂ ସମେତ ତେୟାଳିଶଟି ସଂଗଠନର ପ୍ରତିନିଧି ପ୍ରତିବାଦ ପତ୍ରମାନ ପଠାଇଲେ । କର୍ତ୍ତୃପକ୍ଷ ଏ ତେୟାଳିଶ ସଂଗଠନର ମୁଖ୍ୟମାନଙ୍କୁ ଡାକି ଧମକ ଚମକ ଦେଲେ ଓ ତାଙ୍କ ଭିତରୁ ସର୍ବପ୍ରଧାନ ପାଞ୍ଚଜଣଙ୍କୁ ତୁରନ୍ତ ଗିରଫ କଲେ । ମାତ୍ର ଏଥିରେ ବି ବିରୋଧ ଦବିଲା ନାହିଁ । ଗିରଫ ହୋଇଥିବା ବ୍ୟକ୍ତିଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନୂଆ ମନୋନୀତ ସଦସ୍ୟ ନିଯୁକ୍ତ କଲେ, ମାତ୍ର ଏହାର ପ୍ରତିବାଦ କରି ସବୁ ସଂଗଠନର ଅନ୍ୟ ସବୁ ସଦସ୍ୟ ଇସ୍ତଫା ଦେଲେ । ଫଳରେ କର୍ତ୍ତୃପକ୍ଷ ନରମିବାର ମନେ ହେଲା ଓ ଧୃତ ବ୍ୟକ୍ତିମାନଙ୍କୁ ଛାଡ଼ି ଦିଆଗଲା । ମାତ୍ର ଏହାପରେ ଦରଦାମ ବୃଦ୍ଧି ଯୋଗୁଁ ମଜୁରୀ ବୃଦ୍ଧି କରିବାକୁ ସରକାର ଅସ୍ୱୀକାର କରିବାରୁ ଓ କାରଖାନାମାନଙ୍କୁ ଦୁଧ ଯୋଗାଣ ବନ୍ଦ କରି ଦେବାରୁ ଶ୍ରମିକମାନେ ହଠାତ୍‌ ଧର୍ମଘଟ କରି ବସିଲେ । ଏହା ନାତ୍‌ସୀମାନଙ୍କୁ କଠୋର ଦମନରେ ଏକ ସୁଯୋଗ ହେଲା । ଦୁଇଜଣ ନେତାଙ୍କୁ ଗୁଳିକରି ମରାହେଲା । ଶହ ଶହ ଶ୍ରମିକ, ସାମ୍ବାଦିକ ଓ ଅନ୍ୟମାନଙ୍କୁ ଦୀର୍ଘ କାରାଦଣ୍ଡ ଦିଆହେଲା ଓ ସଂଗଠନ ସବୁକୁ ଭାଙ୍ଗିରୁଜି ଦିଆଗଲା ।

 

ଏହାପରେ ନାତ୍‌ସୀ କର୍ତ୍ତୃପକ୍ଷ ଅଧିକ କଠୋର ମନୋଭାବ ଧରିଲେ ଓ ପ୍ରତିରୋଧ ମଧ୍ୟ ଅଧିକ ସଂଗଠିତ ହେଲା । ପ୍ରତିରୋଧର ଆନ୍ଦୋଳନରେ ଗିରଫ ହୋଇଥିବା ନେତାଙ୍କ ସ୍ଥାନ ନୂଆ ନେତା ନେଲେ । ସଂବାଦ ଆଦାନପ୍ରଦାନ ଓ ସରକାରୀ ଗୁପ୍ତ ନିର୍ଦ୍ଦେଶ ଆଦି ସଂଗ୍ରହ କରିବାରେ ଏକ ସୁବ୍ୟବସ୍ଥିତ ଗୁପ୍ତ ସଂଗଠନ ଗଢ଼ି ଉଠିଲା । ଚାକିରୀରୁ ବରଖାସ୍ତ ହୋଇଥିବା କର୍ମଚାରୀ, ଶିକ୍ଷକ, ଧର୍ମଯାଜକ, ଆଦିଙ୍କର ପରିବାର ପ୍ରତିପୋଷଣ ପାଇଁ ପାଣ୍ଠି ସଂଗ୍ରହର ସୁବ୍ୟବସ୍ଥା କରାଗଲା ।

୧୯୪୨ର ଫେବୃୟାରୀ ମାସରେ କୁଇସଲିଙ୍ଗ ସରକାର ଶିକ୍ଷକମାନଙ୍କ ସଂଘକୁ ଭାଙ୍ଗିଦେଇ ଏକ ନାତ୍‌ସୀ ଢଙ୍ଗର ନୂଆ ସଂଗଠନ ଗଢ଼ିଲେ ଓ ଯୁବକମାନଙ୍କ ପାଇଁ ମଧ୍ୟ ସେହିଭଳି ନାତ୍‌ସୀ ସଂଗଠନ ଗଢ଼ି ଦଶରୁ ଅଠର ବର୍ଷ ବୟସରେ ପ୍ରତ୍ୟେକ ପିଲା ସେଥିରେ ବାଧ୍ୟତା ମୂଳକ ସଦସ୍ୟ ହେବେ ବୋଲି ଆଦେଶ ଦେଲେ । ସେ ସମୟରେ ନରଓୟେରେ ପ୍ରାୟ ଚଉଦ ହଜାର ଶିକ୍ଷକ ଥିଲେ । ସେମାନଙ୍କ ମଧ୍ୟରୁ ବାର ହଜାରରୁ ଅଧିକ ଶିକ୍ଷକ ଏ ନୂଆ ସଂଘର ସଦସ୍ୟ ହେବାକୁ ଅସ୍ୱୀକାର କଲେ । ସଦସ୍ୟ ନହେବେ ଚାକିରି ରହିବ ନାହିଁ, ସେମାନଙ୍କୁ ତା’ପରେ ବାଧ୍ୟତାମୂଳକ ଶ୍ରମବାହିନୀରେ ଭର୍ତ୍ତି କରାଯାଇପାରେ, ଏ ସବୁ ଧମକ ମଧ୍ୟ କାଟୁ କଲା ନାହିଁ । ଅଭିଭାବକମାନେ ଶିକ୍ଷକଙ୍କୁ ସମର୍ଥନ କଲେ ଓ ସବୁ ବିଦ୍ୟାଳୟ ବନ୍ଦ ହୋଇଗଲା । ତେରଶହ ଶିକ୍ଷକଙ୍କୁ ଗିରଫ କରି ବନ୍ଦୀଶାଳାକୁ ପଠାଗଲା ଓ ସେମାନଙ୍କ ଭିତରୁ ପୁଣି ପାଞ୍ଚଶହଙ୍କୁ ଦେଶର ଏକାବେଳକେ ଉତ୍ତର ସୀମାର ଏକ ବନ୍ଦୀଶାଳାକୁ ପଠାଇ ସେମାନଙ୍କ ଉପରେ ନାନା ବର୍ବର ଅତ୍ୟାଚାର କରାଗଲା । ତଥାପି ସେମାନଙ୍କର ଆଣ୍ଟ ଭାଙ୍ଗିଲା ନାହିଁ ଓ ଅତି ସାମାନ୍ୟ କେତେଜଣ କ୍ଷମା ପ୍ରାର୍ଥନା କଲେ । କ୍ରମେ କର୍ତ୍ତୃପକ୍ଷ ମଇ ଓ ଅକ୍ଟୋବର ମଧ୍ୟରେ ସବୁ ବନ୍ଦୀ ଶିକ୍ଷକଙ୍କୁ ଖଲାସ କରିଦେଲେ ।

ଏଣେ ଏପ୍ରିଲ ମାସରେ ବିଦ୍ୟାଳୟ ସବୁ ଖୋଲି ଯାଇଥିଲା ଓ ଅଧିକାଂଶ ଶିକ୍ଷକ ଏହି ଘୋଷଣାରେ ସ୍ୱାକ୍ଷର କରି ସେଥିରେ ଯୋଗ ଦେଇଥିଲେ ଯେ, ଆମେ ଛାତ୍ରମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଦ୍ୟାଳୟକୁ ଫେରୁଛୁ ମାତ୍ର ଏହାଦ୍ୱାରା ନାତ୍‌ସୀ ସଂଗଠନର ସଦସ୍ୟତା ସ୍ୱୀକାର କରୁ ନାହୁଁ । କର୍ତ୍ତୃପଣ ଆଉ ତାହା ଉପରେ ଜୋର ମଧ୍ୟ ଦେଲେ ନାହିଁ ଓ ସେ ନୂଆ ସଂଗଠନ ଅକାମୀ ରହିଲା-

ସେହିଭଳି ନାତ୍‌ସୀ ନୀତିରେ କରାଯାଇଥିବା ଯୁବ ସଂଗଠନରେ ମଧ୍ୟ ବିରୋଧ ହେଲା-। ଧର୍ମ ସଂଗଠନ ମଧ୍ୟ ସେ ବିରୋଧରେ ଯୋଗ ଦେଲେ ଓ ସେ ସଂଗଠନ ମଧ୍ୟ ଅକାମୀ ହେଲା । ଏହି ପ୍ରତିବାଦ ନିମନ୍ତେ ରାଜ୍ୟ ଚର୍ଚ୍ଚ ସଂଗଠନର ସାତଜଣ ଯାକ ବିଶପ ସେମାନଙ୍କ ପଦରୁ ଇସ୍ତାଫା ଦେଲେ, ମାତ୍ର ଲୋକଙ୍କ ପ୍ରତି ସେମାନଙ୍କର ଅଧ୍ୟାତ୍ମିକ କର୍ତ୍ତବ୍ୟ ଅବ୍ୟାହତ ରହିବ ବୋଲି ଘୋଷଣା କଲେ । ସରକାର ସେମାନଙ୍କୁ ବରଖାସ୍ତ କରି ସେମାନଙ୍କର ସମସ୍ତ ଅଧିକାର କାଢ଼ିନେଇ ଓ ମୁଖ୍ୟ ବିଶପ ଓ ଅନ୍ୟ ଦୁଇ ଜଣକୁ ଗିରଫ କରି ଏହାର ଜବାବ ଦେଲେ । ଫଳରେ ଦେଶର ୮୬୦ ଜଣ ଧର୍ମଯାଜକଙ୍କ ଭିତରୁ ୭୯୬ ଜଣ ଇସ୍ତଫା ଦେଲେ । ସେମାନଙ୍କ ଉପରେ ନାନା ଦମନ ଚାଲିଲା । କୁଇସ୍‌ଲିଗଂ ନୂଆ ଲୋକ ନିଯୁକ୍ତି କରିବା ଚେଷ୍ଟା କଲେ, ମାତ୍ର ଜଣେ ହେଲେ ଯୋଗ୍ୟ ଲୋକ ମିଳିଲେ ନାହିଁ । ଫଳରେ ଶେଷକୁ ବାଧ୍ୟ ହୋଇ ପଛଘୁଞ୍ଚା ଦେଲେ ଓ ଚର୍ଚ୍ଚ ପୂର୍ବପରି କାମ କଲା ।

କୁଇସଲିଂଗ ଏ ସବୁଥିରେ ବିଫଳ ହୋଇ ଏକ ନୂଆ ଶ୍ରମିକ ସଙ୍ଘ ଗଢ଼ିବାକୁ ମନସ୍ଥ କଲେ । ମାତ୍ର ଶ୍ରମିକମାନେ ଆଗତୁରା ଏକଥା ଜାଣିପାରି ସାମୂହିକ ଭାବରେ ସବୁ ଶ୍ରମିକ ସଂଗଠନ ମାନଙ୍କରୁ ଇସ୍ତଫା ଦେଇ ଦେବାରୁ ଏ ଉଦ୍ୟମ ମଧ୍ୟ ବିଫଳ ହେଲା ।

ଏହାପରେ ୧୯୪୩ ରେ ସ୍ତ୍ରୀପୁରୁଷ ନିର୍ବିଶେଷରେ ପଞ୍ଚସ୍ତରୀ ହଜାର ଅଧିକ ଶ୍ରମିକ ସଂଗ୍ରହର ଏକ ଉଦ୍ୟମ ମଧ୍ୟ ଜନସାଧରଣଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ବିରୋଧ ଫଳରେ ବିଫଳ ହେଲା । ମାତ୍ର ଛ ହଜାର ଶ୍ରମିକ ତାଲିକା ଭୁକ୍ତ ହୋଇ ପାରିଲେ ।

ଏହାପରେ ହିଂସାମୂଳକ ବିରୋଧର ମାତ୍ରା ବଢ଼ିଲା । ଇଂଲଣ୍ଡରୁ ତାଲିମ ପାଇ ଆସିଥିବା ଗୁପ୍ତ ସୈନ୍ୟ ବାହିନୀ ଏଭଳି ବିରୋଧ ଓ ଭଙ୍ଗାରୁଜା କାମରେ ଲାଗିଲେ ଓ ଶାନ୍ତିପୂର୍ଣ୍ଣ ପ୍ରତିରୋଧର ପ୍ରାଧାନ୍ୟ ଊଣା ହୋଇଗଲା ।

Image

 

(ତିନି)

ଗାନ୍ଧିଜୀଙ୍କ ସତ୍ୟାଗ୍ରହ : ସଂକ୍ଷିପ୍ତ ଇତିହାସ

 

ଗାନ୍ଧିଜୀଙ୍କ ଦ୍ୱାରା ସତ୍ୟାଗ୍ରହର ପ୍ରଥମ ପ୍ରବର୍ତ୍ତନ ହୁଏ ଦକ୍ଷିଣ ଆଫ୍ରିକାରେ । ଏ ବିଶାଳ ଭୂଖଣ୍ଡରେ ତିନି ମହାଦେଶର ପାଞ୍ଚ ପ୍ରକାର ସଂସ୍କୃତିର ଲୋକ ଏକାଠି ହୋଇଥିଲେ । ସ୍ଥାନୀୟ ଆଦିବାସୀ ଜୁଲୁ, ହଲାଣ୍ଡରୁ ଆସିଥିବା ବୋଅର ଚାଷୀ, ଇଂଲଣ୍ଡର ବେପାରୀ, ତଥା ଭାରତ ଓ ଚୀନର ଶ୍ରମିକ ଶ୍ରେଣୀ । ସାମ୍ରାଜ୍ୟବାଦର ସେ ସୁବର୍ଣ୍ଣ ଯୁଗରେ ଗୋରାମାନଙ୍କର ବର୍ଣ୍ଣାଭିମାନ ସ୍ଥାନୀୟ ଆଦିବାସୀ ଓ ଭାରତୀୟ ସମେତ ଅନ୍ୟ ସମସ୍ତଙ୍କୁ ମଣିଷ ଭିତରେ ଗଣ୍ୟ କରୁ ନଥିଲା । ଏମାନଙ୍କର ରେଳଗାଡ଼ିରେ ଏକା ଆସନରେ ବସିବାର, ଏକା ରାସ୍ତାରେ ଚାଲିବାର, ଏକା ମହଲାରେ ରହିବାର ପର୍ଯ୍ୟନ୍ତ ଅଧିକାର ସ୍ୱୀକୃତ ହେଉ ନଥିଲା । ଏହି ଘୋର ଅନ୍ୟାୟ ଓ ଭେଦ ବିରୋଧରେ ଭାରତୀୟମାନଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ ଗାନ୍ଧିଜୀ ପଣ କଲେ ଓ ଏହିଥିରୁ ସତ୍ୟାଗ୍ରହର ସୂତ୍ରପାତ ହେଲା ।

 

ସେଠାକୁ ଭାରତୀୟମାନଙ୍କୁ ଚୁକ୍ତିବଦ୍ଧ କୁଲି ଭାବରେ ଖଣି ଖମାରରେ କାମ କରିବାକୁ ନିଆଯାଇଥିଲା । ସେମାନଙ୍କର ଚୁକ୍ତିର ସମୟ ପୂରିଗଲା ପରେ ସେମାନେ ମୁକ୍ତ ଭାବରେ ସେ ଦେଶରେ ବସବାସ କରିବାର ଅଧିକାର ପାଇବା କଥା । ମାତ୍ର ଗୋରାମାନେ ଭାରତୀୟମାନଙ୍କୁ ଏଭଳି ଅଧିକାର ଦିଆଇ ନ ଦେବାକୁ ବଦ୍ଧପରିକର ଥିଲେ । ଆମ ପାଇଁ ମୂଲ ଖଟିଦେଇ ସେମାନେ ନିଜ ଦେଶକୁ ବାହୁଡ଼ି ଯାନ୍ତୁ, ଏହା ଥିଲା ଗୋରାମାନଙ୍କର ମନୋଭାବ । ବହୁ ସଂଖ୍ୟକ ଭାରତୀୟ ସେ ଦେଶରେ ବସବାସ କରିବାଟାକୁ ସେମାନେ ନିଜ ପ୍ରତି ଏକ ବିପଦ ବୋଲି ବିଚାରୁଥିଲେ । ଭାରତୀୟମାନେ ବେପାର ବଣିଜରେ ଗୋରାମାନଙ୍କଠାରୁ ଅଧିକ ଦକ୍ଷ ଥିଲେ ଓ ଅଳ୍ପ ଖର୍ଚ୍ଚରେ ନିଜର କାମ ତୁଲାଇ ନେଇ ପାରୁଥିବାରୁ ଗୋରାମାନେ ସେମାନଙ୍କ ସହ ପ୍ରତିଯୋଗିତାରେ ପାରି ଉଠୁ ନଥିଲେ ।

 

ତେଣୁ ଭାରତୀୟମାନଙ୍କର ଭୋଟ ଅଧିକାର କାଢ଼ି ନେବା, ସେମାନଙ୍କ ଉପରେ ବାର୍ଷିକ ପଚିଶ ପାଉଣ୍ଡ (୩୬୫ ଟଙ୍କା) ଜିଜିୟା କର ବସାଇବା, ଦଶ ଆଙ୍ଗୁଳିର ଛାପ ଦେଇ ପ୍ରତ୍ୟେକ ଭାରତୀୟକୁ ଏକ ଛାଡ଼ପତ୍ର ନେବା ପାଇଁ ବାଧ୍ୟ କରିବା, ଭାରତୀୟମାନଙ୍କ ଭିତରେ ନିଜ ନିଜ ଧାର୍ମିକ ବିଧି ଅନୁସାରେ କରାଯାଇଥିବା ବିବାହକୁ ଆଇନତଃ ଅସିଦ୍ଧି ସାବ୍ୟସ୍ତ କରିବା, ଏକ ପ୍ରଦେଶରୁ ଅନ୍ୟ ପ୍ରଦେଶକୁ ଯିବା ଆସିବା ଉପରେ କଟକଣା ଜାରି କରିବା ଆଦି ନାନା ପ୍ରକାରର ଉପାୟ ଭାରତୀୟମାନଙ୍କୁ ହଇରାଣ କରିବାପାଇଁ ଖଞ୍ଜା ଯାଇଥିଲା ।

 

ଗାନ୍ଧିଜୀ ଏ ସବୁର ବିରୋଧରେ ୧୮୯୩ରୁ ୧୯୧୪, ପ୍ରାୟ ଏକୋଇଶ ବର୍ଷ କାଳ ଭାରତୀୟମାନଙ୍କର ନେତୃତ୍ୱ କରି ଆସିଲେ । ଆବେଦନ ନିବେଦନରୁ ଆରମ୍ଭ କରି ଛାଡ଼ପତ୍ର ପୋଡ଼ା, ଆଇନ ଅମାନ୍ୟ, ପ୍ରଦେଶର ସୀମା ଲଙ୍ଘନ କରି ନିଷେଧାଜ୍ଞା ଭଙ୍ଗ ଆଦି ବିବିଧ ପର୍ଯ୍ୟାୟରେ ଏ ଆନ୍ଦୋଳନ ଚାଲିଲା । ଏ ସମସ୍ତର ଇତିହାସ ଗାନ୍ଧିଜୀ ତାଙ୍କର ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ବହିରେ ଟିକିନିଖି କରି ବର୍ଣ୍ଣନା କରିଛନ୍ତି । ପଚିଶି ପାଉଣ୍ଡ ଟିକସ ଆନ୍ଦୋଳନ ଫଳରେ ତିନି ପାଉଣ୍ଡ ହେଲା । ପରେ ପୂରାପୂରି ଉଠିଗଲା । ଭାରତୀୟ ବିବାହକୁ ଆଇନଗତ ସ୍ୱୀକୃତି ମିଳିଲା । ଛାଡ଼ପତ୍ର ନେବା ଆଇନ୍ ଉଠିଗଲା । କୋଡ଼ିଏ ବର୍ଷ କାଳ ତୁମୂଳ ଆନ୍ଦୋଳନ ଚଳାଇ ଏ ପରିଣାମ ହାସଲ କରିବା ପାଇଁ ଦଶ ହଜାରରୁ ଅଧିକ ଭାରତୀୟଙ୍କୁ କଇଦୀ ହେବାକୁ ପଡ଼ିଲା, କେତେକଙ୍କୁ ଗୁଳି ଚୋଟରେ ପ୍ରାଣ ଦେବାକୁ ପଡ଼ିଲା ଓ ଅନ୍ୟମାନଙ୍କୁ ଅନ୍ୟ ବହୁ ପ୍ରକାରର ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଲା ।

 

ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ନାଗରିକ ଅଧିକାର ପାଇଁ ସଂଗ୍ରାମ ଚଳାଇବାବେଳେ ଗାନ୍ଧିଜୀ ଉପଲବ୍‌ଧ କଲେ ଯେ, ଭାରତବାସୀ ନିଜ ଦେଶରେ ପରାଧୀନ ଥିବା ଯାଏ ବିଦେଶରେ ସଂପୂର୍ଣ୍ଣ ସମାନ ଅଧିକାର ହାସଲ କରିବା ସମ୍ଭବ ନୁହେଁ । ତେଣୁ ସେ ୧୯୧୫ରେ ଭାରତକୁ ଫେରିଲେ ଓ ଏହାର ଅଳ୍ପ ଦିନ ଭିତରେ ଏ ଦେଶରେ ସତ୍ୟାଗ୍ରହର ଅଲୌକିକ ସାମର୍ଥ୍ୟ ପ୍ରକଟିତ ହୋଇଥିଲା ।

 

ଏ ଦେଶରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିବା ପ୍ରଥମ ବଡ଼ ଧରଣର ସତ୍ୟାଗ୍ରହ ୧୯୧୭ରେ ଚମ୍ପାରଣରେ ହୋଇଥିଲା । ସେ ଯୁଗରେ ଲୁଗା ରଙ୍ଗ କରିବା ପାଇଁ ଏକ ଗଛର ମୂଳରୁ ବାହାରୁ ଥିବା ନୀଳ ରଙ୍ଗର ଖୁବ୍ ଚାହିଁଦା ବିଦେଶରେ ଥାଏ । ଇଂରେଜ ବେପାରୀମାନେ ଏ ନୀଳ ବ୍ୟବସାୟ କରି ଖୁବ୍ ଲାଭବାନ୍ ହେଉଥାନ୍ତି । ଆଇନଦ୍ୱାରା ବିହାର ଓ ବଙ୍ଗଳାର ଚାଷୀମାନଙ୍କୁ ନିଜ ଜମିର ବିଘାକେ ତିନି କାଠାରେ ନୀଳ ଚାଷ କରିବାକୁ ବାଧ୍ୟ କରାଯାଉଥାଏ । ନୀଳ ବେପାରୀମାନେ ତାହା ନାମମାତ୍ର ମୂଲ୍ୟରେ କିଣି ନେଉଥାନ୍ତି ଓ ଚାଷୀମାନଙ୍କ ଉପରେ ନାନା ପ୍ରକାରର ଜବରଦସ୍ତି ଓ ଅତ୍ୟାଚାର ମଧ୍ୟ ଚଳାଇଥାନ୍ତି ।

 

ଗାନ୍ଧିଜୀ ଏହାର ପ୍ରତିକାର ନିମନ୍ତେ ସେଠାରେ ପହଞ୍ଚିଲେ । ଚାଷୀମାନଙ୍କ ଭିତରେ ନିର୍ଭୟତା ଆଣିବା ପାଇଁ ଓ ସେମାନଙ୍କର ଅବସ୍ଥା ଜାଣିବାପାଇଁ ତଥ୍ୟ ସଂଗ୍ରହ ଆରମ୍ଭ କଲେ । ଇଂରେଜ ବେପାରୀମାନେ ତ୍ରସ୍ତ ଓ କ୍ରୁଦ୍ଧ ହେଲେ । ଗାନ୍ଧିଜୀଙ୍କ ଉପରେ ଜିଲ୍ଲା ତ୍ୟାଗକରି ଯିବାକୁ ସରକାରୀ ଆଦେଶ ଜାରି ହେଲା । ଗାନ୍ଧିଜୀ ତାହା ଭଙ୍ଗ କରି ଗିରଫ ହେଲେ । ଜନତା ଭିତରେ ଅପୂର୍ବ ଜାଗରଣ ଓ ଉତ୍ସାହ ଖେଳିଗଲା । ବହୁ ଯୁଗର ସଞ୍ଚିତ ଭୟ ଉଭେଇ ଗଲା । ନୀଳ ବେପାରୀମାନଙ୍କର ଆଣ୍ଟ ଭାଙ୍ଗି ଗଲା । ସରକାର ମଧ୍ୟ ଚେତିଲେ ଓ ନୀଳ ଚାଷ ପ୍ରଥା ଉଠିଗଲା ।

 

ଏହା ପର-ବର୍ଷ ସେ ଗୁଜୁରାଟରେ ଖେଡ଼ା ଜିଲ୍ଲାରେ ଖଜଣା ବୃଦ୍ଧି ବିରୋଧରେ ଖଜଣା ବନ୍ଦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । କେତେ ମାସ ଆନ୍ଦୋଳନ ଚାଲିଲା ପରେ ଚାଷୀମାନଙ୍କର ଦାବି କେତେକାଂଶରେ ପୂର୍ଣ୍ଣ ହୋଇଥିଲା । ଏହି ସମୟରେ ଅହମଦାବାଦର ଲୁଗାକଳ ଶ୍ରମିକମାନଙ୍କର ଧର୍ମଘଟ ମଧ୍ୟ ଗାନ୍ଧିଜୀଙ୍କ ନେତୃତ୍ୱରେ ସତ୍ୟାଗ୍ରହର ସିଦ୍ଧାନ୍ତ ଅନୁସାରେ ସଫଳ ଭାବରେ ପରିଚାଳିତ ହୋଇଥିଲା ।

 

୧୯୧୯ରେ ଗାନ୍ଧିଜୀ ରାଉଲାଟ ଆଇନ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନର ଡାକ ଦେଲେ । ୧୯୨୦ ଅଗଷ୍ଟ ମାସରେ ବମ୍ବେଠାରେ ନିଷିଦ୍ଧ ସାହିତ୍ୟ ବିକ୍ରୀକରି ଆଇନ୍ ଅମାନ୍ୟର ସୂତ୍ରପାତ ହେଲା । ୧୯୨୧ରେ ଇଂରେଜ ସରକାର ସହ ଅସହଯୋଗ କରିବାକୁ ଗାନ୍ଧିଜୀଙ୍କ ନୀତିକୁ ଭାରତ ରାଷ୍ଟ୍ରୀୟ କଂଗ୍ରେସ ଗ୍ରହଣ କଲା ଓ ଦେଶବାସୀଙ୍କୁ କୋର୍ଟ କଚେରୀ, ସରକାରୀ ଉପାଧି ଓ ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ କରିବାକୁ ଡାକରା ଦେଲା ।

 

୧୯୨୨ରେ ବାରଡ଼ୋଲୀ ତାଲୁକାରେ ଖଜଣା ବନ୍ଦ ଆନ୍ଦୋଳନ ଆରମ୍ଭ କରିବାପାଇଁ ସମସ୍ତ ଆୟୋଜନ ହୋଇ ସାରିଥିଲା । ମାତ୍ର ଉତ୍ତର ପ୍ରଦେଶର ଚୌରିଚୌରାଠାରେ ଏକ ଉତ୍ୟକ୍ତ ଜନତା ଏକ ପୋଲିସ ଥାନା ଆକ୍ରମଣ କରି କେତେକ ପୁଲିସବାଲାଙ୍କୁ ପୋଡ଼ି ମାରିଦେବାରୁ ଗାନ୍ଧିଜୀ ଅନୁଭବ କଲେ ଯେ, ଦେଶ ଅହିଂସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇନାହିଁ । ତେଣୁ ସେ ଆଇନ୍ ଅମାନ୍ୟର ବିଚାରକୁ ସ୍ଥଗିତ ରଖିଲେ । ଏହାପରେ ସେ ରାଜଦ୍ରୋହ ଅପରାଧରେ ଦଣ୍ଡିତ ହୋଇ ଦୁଇ ବର୍ଷ ଜେଲରେ ବିତାଇଲେ ।

 

ଗାନ୍ଧିଜୀ ୧୯୨୪ରେ ଖଲାସ ହେଲେ ଓ ୧୯୨୫ରେ ହରିଜନମାନଙ୍କର ଅଧିକାର ସାବ୍ୟସ୍ତ ନିମନ୍ତେ ଏକ ସତ୍ୟାଗ୍ରହର ମାର୍ଗଦର୍ଶନ କଲେ । ସେତେବେଳର ତ୍ରାବାଙ୍କୋର ରାଜ୍ୟର (ବର୍ତ୍ତମାନ କେରଳ ରାଜ୍ୟର ଅନ୍ତର୍ଭୁକ୍ତ) ବାଇକୋମଠାରେ ସେଠାକାର ମନ୍ଦିର ପାଖ ଦେଇ ଯାଇଥିବା ସର୍ବସାଧାରଣ ରାସ୍ତାରେ ହରିଜନମାନଙ୍କର ଚାଲିବାର ଅଧିକାର ନଥିଲା । ଏହି ଅଧିକାର ପାଇଁ ସତ୍ୟାଗ୍ରହ ଚାଲିଲା । ହରିଜନ ଓ ସେମାନଙ୍କ ସମର୍ଥକମାନେ ମନ୍ଦିର ନିକଟରେ ଧାରଣା ଦେଇ ଛିଡ଼ାହୋଇ ରହିଲେ । ଦୀର୍ଘକାଳ ସତ୍ୟାଗ୍ରହ ପରେ ସେମାନଙ୍କ ଦାବି ପୂରଣ ହେଲା ।

 

୧୯୨୮ରେ ପୁଣି ସେହି ବାରଡ଼ୋଲି ତାଲୁକାରେ ଖଜଣାବୃଦ୍ଧି ବିରୋଧରେ ଖଜଣାବନ୍ଦ ଆନ୍ଦୋଳନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଓ ଗାନ୍ଧିଜୀଙ୍କ ମାର୍ଗଦର୍ଶନରେ ଚାଲି ଶେଷକୁ ଚାଷୀମାନଙ୍କର ବିଜୟ ହେଲା । ଏହାର ବର୍ଷକ ପରେ କଂଗ୍ରେସ ପୂର୍ଣ୍ଣ ସ୍ୱରାଜର ଲକ୍ଷ୍ୟ ଗ୍ରହଣ କଲା ଓ ୧୯୩୦ ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ନିମନ୍ତେ ସାବରମତୀ ଆଶ୍ରମରୁ ସମୁଦ୍ର କୂଳରେ ଥିବା ଦାଣ୍ଡି ଗ୍ରାମଠାରୁ ଦାଣ୍ଡିଯାତ୍ରା ଆରମ୍ଭ କଲେ । ସାରା ଦେଶରେ ବିପୁଳ ଉତ୍ସାହ ଓ ଉତ୍ତେଜନାର ଢେଉ ଖେଳିଗଲା । ଲବଣ ଆଇନଭଙ୍ଗ, ବିଦେଶୀ ଲୁଗା ଓ ନିଶା ଦୋକାନ ପିକେଟିଂ ତଥା ସଭାସମିତି, ଶୋଭାଯାତ୍ରା ଆଦି ଉପରେ ନିଷେଧାଜ୍ଞା ଭଙ୍ଗ ରୂପରେ ବ୍ୟାପକ ଆନ୍ଦୋଳନ ଦେଶସାରା ଚାଲିଲା । ୧୯୩୧ର ଆରମ୍ଭରେ ଗାନ୍ଧି-ଇରଉଇନ୍ ଚୁକ୍ତି ହୋଇ ଆନ୍ଦୋଳନ ପ୍ରତ୍ୟାହୃତ ହେଲା । ଚୁକ୍ତିରେ ଲୁଣମରା ଓ ପିକେଟିଂର ଅଧିକାର ସ୍ୱୀକୃତ ହେଲା । ଗାନ୍ଧିଜୀ କଂଗ୍ରେସ ପକ୍ଷକୁ ଲଣ୍ଡନଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଯୋଗଦେଲେ । ଭାରତର ଭବିଷ୍ୟତ ଶାସନ ବ୍ୟବସ୍ଥାର ରୂପରେଖ ନିରୂପଣ ପାଇଁ ଏ ବୈଠକ ହୋଇଥିଲା । ମାତ୍ର ଏହା ବିଫଳ ହେଲା ଓ ସରକାର ପକ୍ଷରୁ ପୁଣି ଦମନଲୀଳା ଚାଲିଲା ଓ ଏହା ବିରୋଧରେ ଆଇନ ଅମାନ୍ୟ ମଧ୍ୟ ଆରମ୍ଭ ହେଲା । ଇତି ମଧ୍ୟରେ ନୂଆ ଶାସନ ସଂସ୍କାର ସଂକ୍ରାନ୍ତରେ ବିଲାତ ସରକାର ଘୋଷଣା କଲେ ଯେ ଭାରତରେ ମୁସଲମାନଙ୍କ ପାଇଁ ଯେପରି ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ରହିଥିଲା, ସେହିଭଳି ହରିଜନମାନଙ୍କ ପାଇଁ ମଧ୍ୟ ରଖାଯିବ । ଦେଶ ଭିତରେ ବିଭେଦ ସୃଷ୍ଟି କରିବା ଓ ହିନ୍ଦୁ ସମାଜକୁ ଖଣ୍ଡ ଖଣ୍ଡ କରିବାର ଏହା ଏକ କୌଶଳ ବୋଲି ବିଚାରି ଗାନ୍ଧିଜୀ ଏହା ବିରୋଧରେ ୧୯୩୩କୁ ମାର୍ଚ୍ଚ ମାସରେ ଆମରଣ ଅନଶନ ଆରମ୍ଭ କଲେ ଓ ପାଞ୍ଚଦିନର ଅନଶନ ପରେ ବର୍ଣ୍ଣ ହିନ୍ଦୁ ଓ ହରିଜନ ନେତାଙ୍କର ପରସ୍ପର ରାଜିନାମାରେ ସ୍ଥିର ହେଲା ଯେ, ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତେ ହରିଜନମାନଙ୍କ ପାଇଁ କେତେକ ଆସନ ସଂରକ୍ଷିତ ରଖାଯିବ ଓ ଗାନ୍ଧିଜୀ ଉପବାସ ଭାଙ୍ଗିଲେ । ଏହାର କେତେ ମାସ ପରେ ଗାନ୍ଧିଜୀ ଅସ୍ପୃଶ୍ୟତା ବିରୋଧରେ ଏକୋଇଶ ଦିନ ଉପବାସ କଲେ ଓ ଜେଲରୁ ମୁକ୍ତିପାଇଁ ସାରା ଦେଶରେ ଅସ୍ପୃଶ୍ୟତା ନିବାରଣ ପାଇଁ ଗସ୍ତ କଲେ । ଏ ଅଧ୍ୟାୟର ସମାପ୍ତି ହେଲା ୧୯୩୬ରେ, ସାତୋଟି ପ୍ରଦେଶରେ ୧୯୩୫ର ଶାସନ ସଂସ୍କାର ଅନୁସାରେ କଂଗ୍ରେସ ମନ୍ତ୍ରୀତ୍ୱ ଗ୍ରହଣ କରିବାରେ ।

 

ଏହା ପରେ ଗଡ଼ଜାତ ପ୍ରଜାମାନଙ୍କର ଆତ୍ମନିୟନ୍ତ୍ରଣ ଅଧିକାର ପାଇଁ ବ୍ୟାପକ ଆନ୍ଦୋଳନ ଆରମ୍ଭ ହେଲା । ଗାନ୍ଧିଜୀ ରାଜକୋଟ ରାଜ୍ୟର ପ୍ରଜା ଆନ୍ଦୋଳନରେ ନିଜେ ନେତୃତ୍ୱ ନେଲେ ଓ ରାଜକୋଟ ଦରବାର ବିରୋଧରେ ଅନଶନ କଲେ । ଭାରତ ସରକାରଙ୍କ ହସ୍ତକ୍ଷେପ ଫଳରେ ଅନଶନ ଶେଷ ହେଲା । ଭାରତର ପ୍ରଧାନ ବିଚାରପତିଙ୍କୁ ବିବାଦଗ୍ରସ୍ତ ଦାବି ଉପରେ ରାୟ ଦେବପାଇଁ ଅଧିକାର ଦିଆଗଲା । ସେ ଗାନ୍ଧିଜୀଙ୍କ ପକ୍ଷରେ ରାୟ ଦେଲେ, ମାତ୍ର ଭାରତ ସରକାରଙ୍କର ହସ୍ତକ୍ଷେପ ସ୍ୱୀକାର କରି ରାଜକୋଟ ଦରବାର ଉପରେ ଯେଉଁ ଚାପ ଦିଆଗଲା, ତାହା ସତ୍ୟାଗ୍ରହ ନୀତି ସମ୍ମତ ନୁହେଁ ବୋଲି ଅନୁଭବ କରି ଗାନ୍ଧିଜୀ ପ୍ରଧାନ ବିଚାରପତିଙ୍କ ରାୟର ସୁବିଧା ନେବାକୁ ଅସ୍ୱୀକାର କଲେ ।

 

୧୯୩୯ରେ ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେଲା । ଇଂରେଜ ସରକାର ଭାରତବାସୀଙ୍କ ମତ ପ୍ରତି ଭ୍ରୂକ୍ଷେପ ନକରି ଏ ଦେଶକୁ ଯୁଦ୍ଧରେ ସାମିଲ ବୋଲି ଘୋଷଣା କରିଦେଲେ । କଂଗ୍ରେସ ମନ୍ତ୍ରୀମଣ୍ଡଳମାନେ ପ୍ରତିବାଦ କରି ଇସ୍ତଫା ଦେଲେ। ୧୯୪୦ରେ ବାଣୀ ସ୍ୱାଧୀନତା ସାବ୍ୟସ୍ତ କରିବା ପାଇଁ ବ୍ୟକ୍ତିଗତ ସତ୍ୟାଗ୍ରହ, ଗାନ୍ଧିଜୀଙ୍କର ମାର୍ଗଦର୍ଶନରେ ଚାଲିଥିଲା । ଏଥିରେ ପ୍ରଥମ ସତ୍ୟାଗ୍ରହୀ ରୂପେ ବିନୋବା ଓ ଦ୍ୱିତୀୟରେ ପଣ୍ଡିତ ଜବାହରଲାଲ କାରାବରଣ କରିଥିଲେ । ପରେ ସାରା ଦେଶର ବହୁ ସହସ୍ର ସତ୍ୟାଗ୍ରହୀ ଏଥିରେ ଯୋଗ ଦେଇଥିଲେ ।

 

ପରେ ସରକାର ସମସ୍ତ ସତ୍ୟାଗ୍ରହୀ ବନ୍ଦୀଙ୍କୁ ଛାଡ଼ି ଦେଲେ ଓ ସତ୍ୟାଗ୍ରହ ସ୍ଥଗିତ ହୋଇ ସରକାରଙ୍କ ସହିତ ଆପୋଷ ରାଜିନାମା ପାଇଁ ଉଦ୍ୟମ ଉଦ୍ୟମ ଚାଲିଲା । ଏ ଉଦ୍ୟମ ବିଫଳ ହେଲା ଓ ଗାନ୍ଧିଜୀ ‘ଭାରତ ଛାଡ଼, ଡାକ ଦେଲେ ଓ ‘କର ବା ମର’ ପଣ କରି ସ୍ୱାଧୀନତା ପାଇଁ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ଦେଶବାସୀଙ୍କୁ ଡାକ ଦେଲେ । ଗାନ୍ଧିଜୀ ପ୍ରଥମେ ବଡ଼ଲାଟଙ୍କଠାରେ ଦେଶରେ ଦାବି ଉପସ୍ଥାପିତ କରିବେ ଓ ସେ ଉଦ୍ୟମରେ ବିଫଳକାମ ହେଲେ ଆନ୍ଦୋଳନ ଆରମ୍ଭ କରିବାକୁ ଡାକରା ଦେବେ ବୋଲି ଘୋଷଣା କରିଥିଲେ । ମାତ୍ର ଏସବୁ ପୂର୍ବରୁ ଇଂରେଜ ସରକାରର ଦମନଲୀଳା ଆରମ୍ଭ ହୋଇଗଲା ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ସ୍ୱତଃସ୍ପୂର୍ତ୍ତ ଭାବରେ ଚାଲିଲା ।

 

ଭାରତର ସ୍ୱାଧୀନତା ଲାଭ ଆନ୍ଦୋଳନର ସନ୍ଦର୍ଭରେ ପ୍ରତିରୋଧମୂଳକ ସତ୍ୟାଗ୍ରହର ଏହା ହେଲା ମୋଟାମୋଟି ବିବରଣ । ମାତ୍ର ଆମେ ଦେଖିବା ଯେ ମଣିଷ ମଣିଷ ଭିତରେ ନୂଆ ଓ ଉନ୍ନତତର ସମ୍ପର୍କ ସ୍ଥାପନ କରିବାର ଏ ପନ୍ଥା ବିଶେଷ କ୍ଷେତ୍ରରେ ପ୍ରତିରୋଧମୂଳକ କାର୍ଯ୍ୟକ୍ରମର ରୂପ ନେଲେ ବି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ କର୍ମକୁ ନୂତନ ରୂପ ଦେବାରେ ହିଁ ସାର୍ଥକତା ଲଭେ । ସେଥିପାଇଁ ଗାନ୍ଧିଜୀଙ୍କ ଭଳି ସତ୍ୟାଗ୍ରହୀଙ୍କ ଜୀବନର ପ୍ରତ୍ୟେକ କର୍ମରେ ସତ୍ୟାଗ୍ରହର କୌଣସି ନା କୌଣସି ବିଭାବ ପ୍ରକାଶ ପାଉଥିଲା । ସେ ସବୁର ସାମାନ୍ୟ ବର୍ଣ୍ଣନା କରିବାକୁ ଯିବା ଅର୍ଥ ଗାନ୍ଧିଜୀଙ୍କର ସାରା ଜୀବନର ସୁବିସ୍ତୃତ କାହାଣୀ ଲେଖି ବସିବା । ପ୍ରସଙ୍ଗକ୍ରମେ ଏସବୁ ଭିତରୁ କେତେକର ଆଲୋଚନା ସତ୍ୟାଗ୍ରହର ତତ୍ତ୍ୱ ଓ ଗତିବିଧି ବୁଝିବା ପାଇଁ କରାଯିବ । ତେବେ ଗାନ୍ଧିଜୀଙ୍କର କେତେ ଗୁଡ଼ିଏ କାର୍ଯ୍ୟର ଏଠାରେ ଉଲ୍ଲେଖ୍ୟ କରିବା ପ୍ରୟୋଜନ-। ତାହା ସତ୍ୟାଗ୍ରହ ରୂପେ ସାଧାରଣରେ ପରିଚିତ ନ ହେଲେ ମଧ୍ୟ ବାସ୍ତବରେ ସତ୍ୟାଗ୍ରହ ହିଁ ଥିଲା-

 

ଏଗୁଡ଼ିକ ହେଲା, ୧୯୨୪ରେ ହିନ୍ଦୁ ମୁସଲମାନ ଏକତା ପାଇଁ ତିନିସପ୍ତାହ ଉପବାସ, ୧୯୩୩ରେ ହରିଜନମାନଙ୍କୁ ହିନ୍ଦୁ ସମାଜରୁ ଅଲଗା କରି ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ସୃଷ୍ଟି କରିବା ବିରୋଧରେ ଆମରଣ ଉପବାସ ଓ ତାହା ପରେ ପରେ ଅସ୍ପୃଶ୍ୟତାର କଳଙ୍କ ଲୋପ କରିବା ନିମନ୍ତେ ତିନି ସପ୍ତାହ ଉପବାସ । ୧୯୩୪ରେ ଓଡ଼ିଶାରେ ହରିଜନ ପଦଯାତ୍ରା, ୧୯୪୬ରେ ନୋଆଖାଲୀରେ ‘ଏକଲା ଚଲୋରେ’ ମନ୍ତ୍ର ଧରି ସାଂପ୍ରଦାୟିକ ଏକତା ପ୍ରତିଷ୍ଠା ପାଇଁ ପଦଯାତ୍ରା, ୧୯୪୭ ଅଗଷ୍ଟରେ କଲିକତାରେ ଓ ୧୯୪୮ ଜାନୁୟାରୀରେ ଦିଲ୍ଲୀଠାରେ ଶାନ୍ତି ପାଇଁ ଅନଶନ ମଧ୍ୟ ଏହି ଶ୍ରେଣୀରେ ପଡ଼ିବ ।

 

ଏଠାରେ କେବଳ ଅବଗତି ନିମନ୍ତେ ଗାନ୍ଧିଜୀଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ସତ୍ୟାଗ୍ରହ ପ୍ରସଙ୍ଗର ସଂକ୍ଷିପ୍ତ ସୂଚୀ ଦିଆଗଲା । ଏ ସବୁର ବିସ୍ତୃତ ବିବରଣ ବିବିଧ ପୁସ୍ତକରେ ଲିପିବଦ୍ଧ ହୋଇଛି ଓ କେତେକ ଲେଖକ ଏସବୁର ବିଶଦ ବିଶ୍ଳେଷଣ ମଧ୍ୟ କରିଛନ୍ତି । ଏ ସବୁରୁ କେତେକର ସୂଚୀ ପରିଶିଷ୍ଟରେ ମିଳିବ । ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ସତ୍ୟାଗ୍ରହ ନୀତିର ବିଶଦ ଆଲୋଚନା ବେଳେ ଉପରୋକ୍ତ ପ୍ରସଙ୍ଗମାନଙ୍କ ଭିତରୁ କେତେକର ବିଶେଷ ବିଭାବମାନଙ୍କର ଅଧିକ ଆଲୋଚନା କରାଯିବ ।

Image

 

(ଚାରି)

ସତ୍ୟାଗ୍ରହର ମୂଳ ଆସ୍ଥା

 

ଫରାସୀ ବିପ୍ଳବର ତିନୋଟି ମନ୍ତ୍ର ଥିଲା—ସ୍ୱାଧୀନତା, ସମାନତା, ମୈତ୍ରୀ । ଏବେ ଦୁନିଆର ପ୍ରଧାନ ମତବାଦର ଗୋଷ୍ଠୀ ଦୁଇଟିରୁ ଗୋଟିଏ ସ୍ୱାଧୀନତାକୁ ଓ ଅନ୍ୟଟି ସମାନତାକୁ ଆଦରି ନେଇଛନ୍ତି । ଏ ଉଭୟଙ୍କୁ ଯୋଡ଼ୁଥିବା କଡ଼ି ‘ମୈତ୍ରୀ’ଟିର କାହିଁ ଦେଖାନାହିଁ । ତେଣୁ ଯେତେ ସଂଘାତ, ଅବିଶ୍ୱାସ, ସଂଘର୍ଷ, ଗାନ୍ଧିଜୀଙ୍କର ସତ୍ୟାଗ୍ରହ ଏହି ହଜିଥିବା ଜଡ଼ିଟିକୁ ଯୋଗାଇ ଦେଇଛି ବୋଲି କୁହାଯାଇପାରେ ।

 

ସତ୍ୟାଗ୍ରହର ମୌଳିକ ଭିତ୍ତି ହେଲା ସତ୍ୟ ପ୍ରତି ଆଗ୍ରହ ବା ନିଷ୍ଠା । ମୁଁ ଯାହାକୁ ସତ୍ୟ ବୋଲି ଉପଲବ୍‌ଧି କରିଛି ତାହାକୁ ଜାବୁଡ଼ି ଧରିଥିବି, ପ୍ରାଣ ଗଲେ ପଛକେ ଛାଡ଼ିବି ନାହିଁ । ପ୍ରହ୍ଳାଦ, ସୋକ୍ରେଟିସ୍ ଆଦିଙ୍କର ଏହି ସତ୍ୟନିଷ୍ଠା ହିଁ ସତ୍ୟାଗ୍ରହର ଆଧାର । ମାତ୍ର ସତ୍ୟନିଷ୍ଠା ହିଁ ପୁଣି ମଣିଷକୁ ଘୋର ହିଂସାରେ ଲିପ୍ତ କରିପାରେ । ୟୁରୋପରେ ମଧ୍ୟଯୁଗରେ ଇନ୍‌କ୍ୱିଜିଶନ୍ ଏହି ସତ୍ୟନିଷ୍ଠାରେ ପ୍ରେରଣାରେ ହିଁ ଚାଲିଥିଲା । ରୋମାନ କାଥଲିକ ସଂପ୍ରଦାୟ ଭଗବାନଙ୍କର ଓ ଧର୍ମର ଯେଉଁ ରୂପକୁ ସତ୍ୟ ବୋଲି ବୁଝିଥିଲେ ତାର ପ୍ରତିଷ୍ଠା ପାଇଁ ଭିନ୍ନମତାବଲମ୍ବୀମାନଙ୍କ ଉପରେ ଅକଥ୍ୟ ଅତ୍ୟାଚାର ଚଳାଇଥିଲେ । ଏଭଳି ଅସଂଖ୍ୟ ଉଦାହରଣ ଇତିହାସରେ ଅଛି । ସେଥିପାଇଁ ସତ୍ୟାଗ୍ରହର ଦ୍ୱିତୀୟ ମୌଳିକ ସିଦ୍ଧାନ୍ତ ହେଲା ଅହିଂସା ମୋ କଥା ଠିକ୍ ବୋଲି ମୋର ଯେତେ ଦୃଢ଼ ବିଶ୍ୱାସ ଥିଲେ ବି ଏହାକୁ ଅନ୍ୟ ଉପରେ ଲଦିବାର ଅଧିକାର ମୋର ନାହିଁ । ମାତ୍ର ହିଂସାର ଅଭାବ ଯଥେଷ୍ଟ ନୁହେଁ । ସତ୍ୟାଗ୍ରହ ଭିତରେ ଏକ ବିଧାୟକ ବା ପଜିଟିଭ ଶକ୍ତି ରହିଛି ଓ ଏ ଶକ୍ତି ହେଉଛି ପ୍ରେମର । ପ୍ରେମର ବ୍ୟାବହାରିକ ପ୍ରକାଶ ହେଲା ମୈତ୍ରୀ । ସାରା ସୃଷ୍ଟି ପ୍ରତି ମିତ୍ରଭାବ ସତ୍ୟାଗ୍ରହୀର ବିଶିଷ୍ଟ ଦୃଷ୍ଟିଭଙ୍ଗୀ ବୋଲି କୁହାଯାଇପାରେ ।

 

ହିଂସାତ୍ମକ ପ୍ରତିରୋଧ ବିରୋଧୀ ପକ୍ଷକୁ ପୂରାପୂରି ଲୋପ କରିଦେବା ବା ତାହାର ଆଣ୍ଟ ଭାଙ୍ଗିଦେଇ ତାହା ଉପରେ ନିଜର ଇଚ୍ଛା ଲଦି ଦେବାର ଲକ୍ଷ୍ୟ ନେଇ ଆଗେଇ ଚାଲେ । ମାତ୍ର ସତ୍ୟାଗ୍ରହର ଲକ୍ଷ୍ୟ ହେଲା ଯେ ସତ୍ୟାଗ୍ରହ ସଂଗ୍ରାମ ଶେଷରେ କେହି କାହାରିଠାରେ ନ୍ୟୂନ ହେବେ ନାହିଁ, କେହି କାହାରି ଉପରେ ନିଜର ଇଚ୍ଛା ଲଦିବ ନାହିଁ । ଉଭୟ ପକ୍ଷ ମିତ୍ର ଭାବରେ ରହିବେ । ଏ ସଂକ୍ରାନ୍ତରେ ଗାନ୍ଧିଜୀ କହିଛନ୍ତି—‘‘ପୁଣି ଏ କଥା ଅନେକ ସମୟରେ ଭୁଲି ଯାଇଥାଉଁ ଯେ ଅନିଷ୍ଟକାରୀକୁ ହଇରାଣ କରିବା ସତ୍ୟାଗ୍ରହୀର ଉଦ୍ଦେଶ୍ୟ ନୁହେଁ । ଏଥିରେ କେବେହେଲେ ତାର ଭୟ ଉଦ୍ରେକ କରିବାର ଚେଷ୍ଟା କରାଯାଏ ନାହିଁ, ତାର ହୃଦୟ ପ୍ରତି ଆବେଦନ କରାଯାଏ, କରିବା ଅବଶ୍ୟ କର୍ତ୍ତବ୍ୟ । ସତ୍ୟାଗ୍ରହୀର ଲକ୍ଷ୍ୟ ଅନିଷ୍ଟକାରୀର ମତ ପରିବର୍ତ୍ତନ ଘଟାଇବା, ତାକୁ ବାଧ୍ୟ କରିବା ନୁହେଁ । ସେ ନିଜର ସମସ୍ତ ଆଚରଣର କୃତ୍ରିମତା ତ୍ୟାଗ କରିବ । ସେ ସ୍ୱାଭାବିକ ଭାବରେ ଅନ୍ତରର ଦୃଢ଼ ଆସ୍ଥା ଦ୍ୱାରା ଚାଳିତ ହୋଇ କାମ କରିବ’’ । (ହରିଜନ ୨୫-୩-୩୯) । ଆଇନ୍ ଅମାନ୍ୟ ଓ ଅନ୍ୟ ତୀବ୍ର ପ୍ରତିରୋଧମୂଳକ ସତ୍ୟାଗ୍ରହର ଲକ୍ଷ୍ୟ ମଧ୍ୟ ହୃଦୟ ପରିବର୍ତ୍ତନ । ଗାନ୍ଧିଜୀ ବାରବାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁଥିଲେ—‘‘ମୁଁ ପୂର୍ଣ୍ଣ ଅହିଂସା ଯଥାର୍ଥ ବୋଲି ବିଶ୍ୱାସ କରେ ଓ ବ୍ୟକ୍ତି ବ୍ୟକ୍ତି ଓ ଦେଶ ଦେଶ ଭିତରେ ତାହା ସମ୍ଭବ ବୋଲି ବିଶ୍ୱାସ କରେ । ମାତ୍ର ଏହା ଦୁଷ୍ଟତା ବିରୋଧରେ ସମସ୍ତ ବାସ୍ତବ ସଂଗ୍ରାମରୁ ହଟି ଆସିବା ନୁହେଁ । ଏହାର ଓଲଟା ମୋର କଳ୍ପନାର ଅହିଂସା ଦୁଷ୍ଟତା ବିରୋଧରେ ପ୍ରତିହିଂସା ଅପେକ୍ଷା ଅଧିକ କ୍ରିୟାଶୀଳ ଓ ବାସ୍ତବ ସଂଗ୍ରାମ-। ପ୍ରତିହିଂସାର ତ ସ୍ୱଭାବ ହିଁ ହେଲା ଯେ ତାହା ଦୁଷ୍ଟତା ବଢ଼ାଏ । ମୁଁ ଅନୀତି ପ୍ରତି ମାନସିକ ଓ ତେଣୁ ନୈତିକ ବିରୋଧରେ କଳ୍ପନା କରେ । ମୁଁ ପ୍ରତିପକ୍ଷର ଖଡ଼୍‌ଗ ଧାରକୁ ଏକାବେଳକେ ଦନ୍ଥରା କରିଦେବାକୁ ଚାହେଁ, ତାହା ଅପେକ୍ଷା ଅଧିକ ତୀକ୍ଷ୍‌ଣ ଅସ୍ତ୍ର ପ୍ରୟୋଗ କରି ନୁହେଁ ମାତ୍ର ମୁଁ ତା’ ପ୍ରତି ଦୈହିକ ପ୍ରତିରୋଧ ପ୍ରୟୋଗ କରିବି, ତାର ଏହି ଅପେକ୍ଷାକୁ ନିରାଶ କରିଦେଇ । ଏହା ପରିବର୍ତ୍ତେ ମୁଁ ଯେଉଁ ଆତ୍ମାର ପ୍ରତିରୋଧ ପ୍ରୟୋଗ କରିବି ତାହାକୁ ସେ ଧରିପାରିବ ନାହିଁ । ଏହି ପ୍ରତିରୋଧ ପ୍ରଥମେ ତାହାର ଆଖି ଝଲସେଇ ଦେବ ଓ ଶେଷକୁ ମୋର ଅସ୍ତିତ୍ୱ ସ୍ୱୀକାର କରିବା ପାଇଁ ତାକୁ ବାଧ୍ୟ କରିବ । ଏ ସ୍ୱୀକୃତି ତାକୁ ଅବମାନିତ କରିବ ନାହିଁ’’। (ୟଂ ଇଣ୍ଡିଆ, ୮-୧୦-୨୫)

 

ଏହା କିପରି ହେବ ? ଏହା ମୂଳରେ ରହିଛି ହୃଦୟ ପରିବର୍ତ୍ତନରେ ବିଶ୍ୱାସ ବା ଯାହାକୁ ବିନୋବା ବିଶ୍ଳେଷଣ କରି ଅଧିକ ବିଶଦ କରିଛନ୍ତ—ହୃଦୟ ପରିବର୍ତ୍ତନ ଓ ବିଚାର ପରିବର୍ତ୍ତନରେ ବିଶ୍ୱାସ । ଗାନ୍ଧିଜୀଙ୍କ ଏକଥା ଅସଂଖ୍ୟ ଥର ବ୍ୟାଖ୍ୟା କରି ବୁଝେଇଛନ୍ତି ଯେ କୌଣସି ବ୍ୟକ୍ତି କେବେ ମୂଳତଃ ଦୁଷ୍ଟ ବା ଅସତ୍ ନୁହେଁ । ଗାନ୍ଧିଜୀ ଠାଏ ଲେଖିଛନ୍ତି ‘‘ଅନିଷ୍ଟ ଓ ଅନିଷ୍ଟକାରୀ ଭିତରେ ଥିବା ପାର୍ଥକ୍ୟକୁ ସତ୍ୟାଗ୍ରହୀ କେବେହେଲେ ଭୁଲିବାର ନୁହେଁ । ଶୋଷୋକ୍ତ ପ୍ରତି ସେ ହୃଦୟରେ ଅସୂୟା ବା ତିକ୍ତ ଭାବ କଦାପି ପୋଷଣ କରିବନାହିଁ । ସେ ଅନିଷ୍ଟକାରୀ ବିରୋଧରେ ଅନାବଶ୍ୟକ ଆପତ୍ତିଜନକ ଭାଷା ବ୍ୟବହାର କରିବନାହିଁ । ତାର ଅନିଷ୍ଟ କୃତ୍ୟ ଯେତେ ଗୁରୁତର ହୋଇଥାଉ ପଛେ । କାରଣ ପ୍ରତ୍ୟେକ ସତ୍ୟାଗ୍ରହୀର ବିଶ୍ୱାସରେ ଏହା ଏକ ମୂଳମନ୍ତ୍ର ଯେ ଏ ଦୁନିଆରେ ଏଭଳି ପତିତ କେହି ନାହିଁ ଯାହାକୁ କି ପ୍ରେମଦ୍ୱାରା ବଦଳାଇ ନ ହେବ । ସତ୍ୟାଗ୍ରହୀ ସର୍ବଦା ଅସତ୍‌କୁ ସତ୍‌ ଦ୍ୱାରା, ଅସତ୍ୟକୁ ସତ୍ୟ ଦ୍ୱାରା, ହିଂସାକୁ ଅହିଂସା ଦ୍ୱାରା ଜିତିବା ଉଦ୍ୟମ କରିବ ।’’ (ୟଂ ଇଣ୍ଡିଆ, ୮-୮-୨୯) ଅସତତା ବା ଦୁଷ୍ଟତା ତାର ଗୋଟିଏ ବିକାର ମାତ୍ର । ପ୍ରତ୍ୟେକ ବ୍ୟକ୍ତିର ହୃଦୟ ଏକ କୁରୁକ୍ଷେତ୍ର ଓ ସେଥିରେ ସତତା ଓ ଅସତତା, ସାଧୁତା ଓ ଦୁଷ୍ଟତା, ପୁଣ୍ୟ ଓ ପାପ ଭିତରେ ସତତା ଲଢ଼େଇ ଚାଲିଛି । ସତ୍ୟାଗ୍ରହର ଉଦ୍ଦେଶ୍ୟ ହେଲା ପ୍ରତିପକ୍ଷର ହୃଦୟରେ ଯେଉଁ ସଦ୍‌ବୃତ୍ତି ରହିଛି ଏବଂ ସାମୟିକ ଭାବରେ ଦୁର୍ବଳ ଓ ଅକ୍ଷମ ହୋଇ ପଡ଼ିଛି ତାକୁ ମଜବୁତ୍ କରିବା, ଯେପରିକି ସେ ହୃଦୟସ୍ଥିତ ଅସତ୍ ସହିତ ସକ୍ଷମ ଭାବରେ ଲଢ଼ି ବିଜୟୀ ହୋଇପାରିବ । ବିନୋବାଜୀ କହିଲାପରି ସତ୍ୟାଗ୍ରହ ବାହାରର ଲଢ଼େଇଟାକୁ ପ୍ରତିପକ୍ଷୀର ଅନ୍ତର ଭିତରକୁ ନେଇଯାଏ । ତାରି ଅନ୍ତରର ଫାଳେ ଆମ ବିରୋଧରେ ଥିବା ବେଳକୁ ଆଉ ଫାଳେ ଆମ ପକ୍ଷ ହୋଇ ଲଢ଼େଇ କରେ । ଲଢ଼େଇଟା ପ୍ରତିପକ୍ଷର ହୃଦୟ ଭିତରେ ଚାଲୁ କରେଇ ଦେଇ ପାରିବାରେ ହିଁ ସତ୍ୟାଗ୍ରହର ସାଫଲ୍ୟ ରହିଛି ।

 

‘‘ବିଜ୍ଞାନଯୁଗ ଆମ ଆପଣଙ୍କ ଉପରେ ସତ୍ୟାଗ୍ରହ ଶାସ୍ତ୍ରକୁ ବିକଶିତ କରିବାର ଦାୟିତ୍ୱ ପକେଇଛି । ତେଣୁ ବୁଝି ବିଚାରି ଆମକୁ ଏପରି ଉପାୟ ପାଞ୍ଚିବା ଚାହିଁ ଯାହାଦ୍ୱାରା ଆମର ପ୍ରତିପକ୍ଷୀ ତାର ହୃଦୟ ଭିତରକୁ ଚାହିଁବ ଓ ସେଠାରେ ଧର୍ମକ୍ଷେତ୍ର, କୁରୁକ୍ଷେତ୍ର ଆରମ୍ଭ ହୋଇଯିବ । କ୍ରିକେଟ୍ ଖେଳାଳୀ କହନ୍ତି ଯେ ‘ଗ୍ରାଉଣ୍ଡ’ ପରିଚିତ ଥିଲେ ଖେଳିବାରେ ଅନୁକୂଳତା ହୁଏ । ତାହା ଅପରିଚିତ ହୋଇଥିଲେ ଭଲ ଖେଳାଳୀ ବି ହଇରାଣ ହୁଏ । ଏହିରୂପେ ଆମେ କେଉଁ ପଡ଼ିଆରେ ଖେଳିବୁ ତାହାହିଁ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି କୁହାଯାଏ ଯେ ଯୁଦ୍ଧ ଶତ୍ରୁର ଭୂମି ଉପରେ ହେବା ଉଚିତ, ଯେପରିକି ଜିତିଲେ ବି ତାର କ୍ଷତି, ହାରିଲେ ବି ତା’ର କ୍ଷତି । ସେହିପରି ମୁଁ କୁହେ ଯେ ଆମେ ସତ୍ୟାଗ୍ରହ ଯୁଦ୍ଧ ପ୍ରତିପକ୍ଷର ହୃଦୟ କ୍ଷେତ୍ରରେ ଲଢ଼ିବା । ଯଦି ଆମେ ଏପରି କୌଣସି କୌଶଳ ବାହାର କରିବା ଯାହାଦ୍ୱାରା ପ୍ରତିପକ୍ଷର ହୃଦୟରେ ହିଁ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଲାଗିଯିବ ଓ ସେ ବିଚାରିଲାଗିବ ଯେ ଭୁଲ କରୁଛି ତେବେ ହିଁ ତାହା ସତ୍ୟାଗ୍ରହ ବୋଲାଇବ ।’’ (ଆଜମିର ସର୍ବୋଦୟ ସମ୍ମିଳନୀରୁ ୨୭-୨-୫୯)

 

ଗୋଟାଏ ଦାର୍ଶନିକ ମତ ହେଉଛି ଯେ, ମଣିଷ ମୂଳତଃ ଅସତ୍, ହିଂସ୍ର, ସ୍ୱାର୍ଥପର, ରିପୁଗ୍ରସ୍ତ । ତାକୁ କେବଳ ବିଧିନିଷେଧ, ଆଇନକାନୁନର ପିଞ୍ଜରାରେ ପୂରେଇ, ପୁଲିସ ଫୌଜର ବନ୍ଧୁକ ସଙ୍ଗୀନରେ ଘେରେଇ ଆୟତ୍ତରେ ରଖିହେବ । ‘‘ମଣିଷ ସ୍ୱଭାବକୁ କେବେହେଲେ ବଦଳାଇ ହେବ ନାହିଁ’’ । ଏହି ହେଲା ଏ ମତବାଦର ସ୍ଲୋଗାନ । ‘ମଣିଷ ସ୍ୱଭାବ’ ବିଷୟରେ ଆଧୁନିକ ବିଜ୍ଞାନର କଣ କହିବାର ଅଛି ତାହା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯାଇଛି । ଏଠି କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଆଜି ଦୁନିଆ ଯେଉଁ ଗଣତନ୍ତ୍ରର ଆଦର୍ଶରେ ବିଶ୍ୱାସ ସ୍ଥାପନ କରିଛି, ତାହା ସର୍ବସାଧାରଣ ମନୁଷ୍ୟ ଗୋଷ୍ଠୀର ଶୁଭବୁଦ୍ଧି ଓ ଶୁଭଦୃଷ୍ଟିରେ ଆସ୍ଥା ଉପରେ ପ୍ରତିଷ୍ଠିତ । ସ୍ୱଭାବତଃ ସତ୍ୟାଗ୍ରହ ଏ ସିଦ୍ଧାନ୍ତରେ ବିଶ୍ୱାସ କରେ ନାହିଁ ଯେ ମଣିଷ ସ୍ୱଭାବ ମୂଳତଃ ଅସତ୍ ବା ମନ୍ଦ ।

 

ଦ୍ୱିତୀୟ ମତବାଦ ହେଲା ଯେ ମଣିଷ ହୃଦୟରେ ସତ୍ ଓ ଅସତ୍ ଉଭୟ ରହିଛି । ଏହା ସତ୍ୟାଗ୍ରହର ମୂଳ ବିଶ୍ୱାସ ସହିତ ଅସଙ୍ଗତ ନୁହେଁ । ବରଂ ଏହି ଧାରାର ସତ୍ୟାଗ୍ରହର ମୂଳରେ ରହିଛି ବୋଲି ଆମେ ଦେଖିଲୁଁ । ମାତ୍ର ଏଥିରେ ମଧ୍ୟ ଟିକିଏ ସୂକ୍ଷ୍ମ ଭେଦ ରହିଛି । ଏକ ପ୍ରକାରର ମତବାଦ ଅନୁସାରେ ମଣିଷ ଭିତରେ ସତ୍ ଓ ଅସତ୍ ଉଭୟେ ଅଛନ୍ତି ସତ ମାତ୍ର ମଣିଷ ନିୟତିର ଦାସ, ସେଥିପାଇଁ ସେ କେବେ ସତ୍‌ର ବା କେବେ ଅସତ୍‌ର କବଳରେ ପଡ଼ିବ ତାହା ତାହାର ବଶର କଥା ନୁହେଁ । ମାତ୍ର ଅନ୍ୟ ଦୃଷ୍ଟି କୋଣ, ଯେ ମଣିଷର ସତ୍ ଓ ଅସତ୍ ଭିତରେ ବାଛିବାର ସ୍ୱାଧୀନତା ଅଛି, ସତ୍ୟାଗ୍ରହର ଦୃଷ୍ଟି ସହିତ ଖାପ ଖାଏ ।

 

ବ୍ୟକ୍ତି ସ୍ୱାଧୀନ ନା ସୃଷ୍ଟିର ନିୟମର ବନ୍ଧନରେ ବଦ୍ଧ ? ଏ ନେଇ ଅନନ୍ତ ଦାର୍ଶନିକ ବାଦାନୁବାଦ ଓ ତର୍କ ଚାଲିଛି ଓ ଚାଲିବ । ମାତ୍ର ବ୍ୟାବହାରିକ ଜଗତରେ ଆମେ ଏହି ବିଶ୍ୱାସ ଉପରେ ଚଳିଥାଉଁ ଯେ ଆମର ବାଛ ବିଚାର କରିବାର କିଛି ନା କିଛି ସ୍ୱାଧୀନତା ରହିଛି । ରାମକୃଷ୍ଣ ପରମହଂସ ଏ ସମ୍ବନ୍ଧରେ କହୁଥିଲେ—‘‘ଖାଉନ୍ଦ ଯେମିତି ଗାଈକୁ ଗୋଟାଏ ଖୁଣ୍ଟରେ ଏକ ଲମ୍ବା ଦଉଡ଼ିରେ ବାନ୍ଧି ଚରିବାକୁ ଛାଡ଼ିଦିଏ, ମଣିଷକୁ ଇଶ୍ୱର ସେହିପରି ସ୍ୱାଧୀନତା ଦେଇଛନ୍ତି । ସେ ଦଉଡ଼ିର ପାହାନ୍ତା ଭିତରେ ଗାଈ ଯେତେ ଇଚ୍ଛା ଚରିବୁଲି ପାରେ, ତାହା ବାହାରକୁ ଯିବାର ତାର ସାଧ୍ୟ ନାହିଁ ।’’

 

ବିନୋବାଜୀ ଅନେକ ଥର ପରମହଂସଦେବଙ୍କର ଏ ଉକ୍ତି ଉଦ୍ଧୃତ କରି ତାର ସମର୍ଥନ କରିଛନ୍ତି । ତେବେ ଗାନ୍ଧିଜୀ ଓ ବିନୋବାଜୀ ଉଭୟ ଆଉ ପାଦେ ଆଗକୁ ଯାଇ ଏ ବିଶ୍ୱାସ ପୋଷଣ କରୁଥିଲେ ଓ କହନ୍ତି ଯେ ମଣିଷ ସ୍ୱଭାବ ମୂଳତଃ ସତ୍ । ମଣିଷ ସର୍ବବ୍ୟାପୀ, ସର୍ବଶକ୍ତିମାନ, ଶୁଦ୍ଧ ବ୍ରହ୍ମର ହିଁ ଅଂଶ । ଗାନ୍ଧିଜୀଙ୍କର ପ୍ରାର୍ଥନାରେ ବୋଲାହୁଏ ‘‘ତଦ୍ ବ୍ରହ୍ମ ନିଷ୍କଳମହଁ’’—‘‘ମୁଁ ସେହି କଳୁଷହୀନ ବ୍ରହ୍ମ ।’’ ବିନୋବାଜୀ ବିବେକାନନ୍ଦଙ୍କ ପରି ଉପନିଷଦରୁ ଉଦ୍ଧାର କରି କହନ୍ତି—‘‘ଅହଂ ବ୍ରହ୍ମାସ୍‌ମି ।’’ ‘‘ମୁଁ ବ୍ରହ୍ମ ।’’ ତାଙ୍କ କହିବା ଅନୁସାରେ ମଣିଷର ଅସତତା, ଅଶୁଦ୍ଧି, ଦୁଷ୍ଟତା କେବଳ ବନ୍ଧାକୋବିର ବା ପିଆଜ ଉପରର ପତ୍ର ପରି । ଧୂଳିମଳି ଲାଗିଥିବା, ମଉଳି ଯାଇଥିବା ପତ୍ରଗୁଡ଼ିକୁ କାଢ଼ି ଦେଲେ ଭିତରର ତାଜା ପତ୍ର ପୁଣି ପ୍ରକଟ ହୋଇଯାଏ, କିମ୍ବା ଆଉ ଏକ ଉପମା ଅନୁସାରେ ମଣିଷ ଏକ ଲଣ୍ଠନ ପରିପୂର୍ଣ୍ଣ ତା’ ଭିତରେ ଆତ୍ମାର ଜ୍ୟୋତି ତେଜରେ ଜଳୁଛି । ମାତ୍ର କାଚଟା ଊଣା ଅଧିକେ ମଇଳା ହୋଇଥିବାରୁ ସେ ଜ୍ୟୋତି ପଦାକୁ ଦିଶୁନାହିଁ । କାଚଟି ପୋଛି ଦିଅ ପୁଣି ପୂର୍ଣ୍ଣ ତେଜ ପ୍ରକଟ ହେବ ।

 

ତେଣୁ ଗାନ୍ଧିଜୀଙ୍କର ଅନୁଜ୍ଞା—‘‘ପାପକୁ ଘୃଣା କର, ପାପୀକୁ ନୁହେଁ ।’’ ପାପୀକୁ ତାର ପାପରୁ ମୁକ୍ତି କରି ମିତ୍ର ରୂପରେ ପାଇବା ହେଲା ଯେଣୁ ସତ୍ୟାଗ୍ରହର ଲକ୍ଷ୍ୟ ।

 

ସତ୍ୟାଗ୍ରହ ନିମନ୍ତେ ଭଗବତ ବିଶ୍ୱାସ ଅପରିହାର୍ଯ୍ୟ ବୋଲି ଗାନ୍ଧିଜୀ କହିଛନ୍ତି । କାହିଁକି-? ଗାନ୍ଧିଜୀଙ୍କର ଗଭୀର ବିଶ୍ୱାସ ଥିଲା ଯେ ପ୍ରେମ ଯେ କେବଳ ଏକ ଉତ୍ତମ ଗୁଣ ତାହା ନୁହେଁ, ଏହା ମନୁଷ୍ୟ ଜୀବନର ଓ ଏପରିକି ସୃଷ୍ଟିର ଶାଶ୍ୱତ ନିୟମ । ଏ ବିଷୟରେ ନିଜର ଦୃଢ଼ ଶ୍ରଦ୍ଧା ଘୋଷଣା କରି ସେ ଲେଖିଥିଲେ—‘ବାସ୍ତବରେ ସମସ୍ତ ମାନବ ସମାଜର ମୋଟ ଅଭିଜ୍ଞତା ଏହା ହିଁ ଯେ ମନୁଷ୍ୟମାନେ କୌଣସି ନା କୌଣସି କ୍ରମେ ବଞ୍ଚି ରହିଛନ୍ତି । ଏହିଥିରୁ ମୁଁ ଅନୁମାନ କରୁଛି ଯେ ପ୍ରେମର ନିୟମ ହିଁ ମାନବଜାତିକୁ ଶାସନ କରୁଛି । ଯଦି ହିଂସା ଅର୍ଥାତ୍ ଦ୍ୱେଷ ଆମକୁ ଶାସନ କରୁଥାନ୍ତା ତେବେ ଆମେ ବହୁକାଳୁ ଲୁପ୍ତ ହୋଇ ସାରନ୍ତୁଣି । ପ୍ରେମ ଯେ ଜୀବନର ସର୍ବୋପରି ଓ ଏକମାତ୍ର ନିୟମ ଏହା ପ୍ରମାଣ କରିବା ପାଇଁ ମୁଁ ପ୍ରୟୋଗ ବା ପରୀକ୍ଷା ନୀରିକ୍ଷା କରିବାରେ ଅନିର୍ବାଚନୀୟ ଆନନ୍ଦ ପାଏ । ଏହା ବିରୋଧରେ ବହୁତ ତଥ୍ୟ ପ୍ରମାଣ ବି ମୋର ଏ ବିଶ୍ୱାସକୁ ଦୋହଲାଇ ପାରେନାହିଁ । (ହରିଜନ, ୧୩-୪-୪୦) ଏହି ପ୍ରେମ ହିଁ ଭଗବାନ, ସତ୍ୟ ହିଁ ଭଗବାନ ବୋଲି ସେ ବିଶ୍ୱାସ କରୁଥିଲେ । ଗାନ୍ଧିଜୀ ତାଙ୍କ ଭଗବତ ବିଶ୍ୱାସର ବ୍ୟାଖ୍ୟା କରି କହିଛନ୍ତି— ‘ମୁଁ ଦେଖୁଛି ଯେ ଅସତ୍ୟ ଭିତରେ ସତ୍ୟ ତିଷ୍ଠିଛି । ଦ୍ୱେଷ ଭିତରେ ପ୍ରେମ ତିଷ୍ଠିଛି । ମୃତ୍ୟୁ ଭିତରେ ଜୀବନ ତିଷ୍ଠିଛି । ତେଣୁ ମୋ ବିଚାରରେ ଭଗବାନ ସତ୍ୟ, ପ୍ରେମ ଓ ଜୀବନ । ନିୟତି ଯେ ସଦ୍‌ସଦ୍‌ପରିଣାମଶୂନ୍ୟ ଅନ୍ଧ ଶକ୍ତି ନୁହେଁ, ସୃଷ୍ଟିର ନିୟାମକ ଶକ୍ତି ସତ୍ୟ, ପ୍ରେମ ଓ ଜୀବନର ଶକ୍ତି ବା ବିନୋବାଙ୍କ ଭାଷାରେ ସତ୍ୟ, ପ୍ରେମ ଓ କରୁଣାର ଶକ୍ତି ଏ ବିଶ୍ୱାସ ସତ୍ୟାଗ୍ରହୀକୁ ଅପାର ଶକ୍ତି ଦିଏ । ସେ ଅନୁଭବ କରେ ସୃଷ୍ଟି ପ୍ରବାହ ତା’ର ଆଦର୍ଶର ବିରୋଧରେ ଯାଉ ନାହିଁ । ବରଂ ତାର ଅନୁକୂଳ । ଆହୁରି ପାଦେ ଆଗକୁ ଯାଇ ସେ ଅନୁଭବ କରେ ଯେ; ଏହି ବିଶ୍ୱବ୍ୟାପୀ ସତ୍ୟ, ପ୍ରେମ ଓ ଜୀବନର ଅଖଣ୍ଡ ଓ ଅଦମ୍ୟ ପ୍ରବାହର ସେ ଗୋଟିଏ କ୍ଷୁଦ୍ର ଅଂଶ । ଏ ମହତୀ ଶକ୍ତିର ସେ ଏକ ଆୟୁଧ ।

 

ସତ୍ୟାଗ୍ରହର ସମର କ୍ଷେତ୍ରରେ ପ୍ରତିପକ୍ଷୀ ହୃଦୟରେ ଥିବା ସତ୍ ବିଶ୍ୱବ୍ୟାପୀ ସତ୍‌ଶକ୍ତିର କଣିକା ହୋଇଥିବାରୁ, ବିଶ୍ୱବ୍ୟାପୀ ସତ୍‌ପ୍ରବାହର ଧାରା ହୋଇଥିବାରୁ, ତାହା ହିଁ ଶେଷରେ ବିଜୟୀ ହେବ । ଅସତ୍ ତାହା ସମକ୍ଷରେ ତିଷ୍ଠି ପାରିବ ନାହିଁ ।

 

ମାତ୍ର ଭଗବତ ବିଶ୍ୱାସୀ ହୋଇ ମଧ୍ୟ ମଣିଷ ଅପରର ମୌଳିକ ସତତାରେ ଆସ୍ଥାନ ରଖିପାରେ ଓ ପକ୍ଷାନ୍ତରେ ନାସ୍ତିକ ମଧ୍ୟ ମଣିଷ ସ୍ୱଭାବର ସତତା ଓ ବିକାଶର ଅପାର ସମ୍ଭାବନାରେ ବିଶ୍ୱାସୀ ହୋଇପାରେ । ଗାନ୍ଧିଜୀ ଏ କଥା ବୁଝିଥିଲେ । ସେ ଅନୁଭବ କରୁଥିଲେ ଯେ ‘ଭଗବାନ’ ଶବ୍ଦର ପ୍ରୟୋଗଟା ପ୍ରଧାନ କଥା ନୁହେଁ । ଶବ୍ଦଟି କି ପ୍ରକାରର ବିଚାର, ଭାବନା ଓ ଶ୍ରଦ୍ଧାର ପ୍ରତୀକ ତାହାହିଁ ମୁଖ୍ୟ କଥା । ତେଣୁ ସେ ଚାଲସ୍‌ ବ୍ରାଡ଼ଲଙ୍କ ପରି ନାସ୍ତିକଙ୍କର ଭକ୍ତ ଥିଲେ-। ନାସ୍ତିକଙ୍କୁ ସହକର୍ମୀ ରୂପେ ପାଇ କୃତାର୍ଥ ହୋଇଥିଲେ ଓ ‘ଈଶ୍ୱର ହିଁ ସତ୍ୟ’ ଏ ସୂତ୍ରକୁ ବଦଳାଇ କହୁଥିଲେ, ‘ସତ୍ୟ ହିଁ ଇଶ୍ୱର’ ।

Image

 

(ପାଞ୍ଚ)

Unknown

ଗାନ୍ଧିଜୀଙ୍କ ଦ୍ୱାରା ଅନୁସୃତ ସତ୍ୟାଗ୍ରହର ନୀତି

 

ଚତୁର୍ଥ ଅଧ୍ୟାୟରେ ଆମେ ଦେଖିଛୁ ଯେ ସତ୍ୟାଗ୍ରହର ମୂଳ ଭିତ୍ତି ହେଲା ମଣିଷ ଉପରେ ଆସ୍ଥା ଏବଂ ଏହାର ଲକ୍ଷ୍ୟ କେବଳ ଦାବି ବା ଅଧିକାର ହାସଲ ନୁହେଁ, ଦାବି ବା ଅଧିକାର ହାସଲ ହେବା ସଙ୍ଗେ ସଙ୍ଗେ ଉଭୟ ବିବାଦମାନ ପକ୍ଷ ଭିତରେ ମୈତ୍ରୀ ସ୍ଥାପନ ମଧ୍ୟ ଏହାର ଲକ୍ଷ୍ୟ । ତେଣୁ ଅନ୍ୟାନ୍ୟ ଆପାତଃ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ସତ୍ୟାଗ୍ରହ ଉପରକୁ ଦେଖିବାକୁ ଏକା ପ୍ରକାରର ହେଲେ ମଧ୍ୟ ଉଭୟ ଭିତରେ ଯଥେଷ୍ଟ ମୌଳିକ ପାର୍ଥକ୍ୟ ରହିବା ସ୍ୱାଭାବିକ । କେତେକ ଆନ୍ଦୋଳନ ଏଇଥିପାଇଁ ଶାନ୍ତିପୂର୍ଣ୍ଣ ହୋଇଥାଏ ଯେ ସେଥିରେ ଅଶାନ୍ତି ବା ହିଂସାର ସୁଯୋଗ ନ ଥାଏ ବା ଆବଶ୍ୟକତା ଅନୁଭୂତ ହୁଏ ନାହିଁ । ମାତ୍ର ସେଥିରେ ବିରୋଧୀ ପ୍ରତି ବିଦ୍ୱେଷ କିଛି ଊଣା ନ ଥାଏ । ଅଳ୍ପ ବଳ ପ୍ରୟୋଗରେ କାମ ଚଳିଯିବ ତ ଅଧିକ ପ୍ରୟୋଗ କରିବା କଣ ଦରକାର ? ନଖରେ ଛିଡ଼ିବ ତ କୁରାଢ଼ୀ କାହିଁକି ? ଏଇ ହେଲା ଏହାର ନୀତି । ତେଣୁ ଏଥିରେ ପ୍ରତିପକ୍ଷକୁ ଅକଡ଼େଇ କରି କାମ ଆଦାୟ କରିବାର ସୁଯୋଗ ଯଦି ମିଳିଗଲା ତେବେ ତାଠୁ ବଳି ଆନନ୍ଦର କଥା ଆଉ କଣ ହୋଇପାରେ ?

 

ରୋଗୀର ସଙ୍କଟରେ ସୁଯୋଗ ନେଇ ଚିକିତ୍ସକ ଅଧିକରୁ ଅଧିକ ଫିସ୍ ଆଦାୟ କରି ନିଅନ୍ତି । ଗରାଖର ଆବଶ୍ୟକତାର ତୀବ୍ରତାରୁ ଲାଭ ଉଠାଇ ଦୋକାନଦାର ଚଢ଼ା ଦାମ ଆଦାୟ କରିନିଏ । ଦେଖିବାକୁ ଗଲେ ଏହିଭଳି ଭାବରେ ଅନ୍ୟର ଅସୁବିଧାରୁ ଲାଭ ଉଠେଇବାଟା ଜୀବନର ସବୁ କ୍ଷେତ୍ରରେ ଗୋଟିଏ ପ୍ରଚଳିତ ରୀତି ହୋଇ ଯାଇଛି । ତେଣୁ ଦାବି ହାସଲ ପାଇଁ ଆନ୍ଦୋଳନ ବେଳେ ବିପକ୍ଷର ଅସୁବିଧାରୁ ଲାଭ ଉଠାଇବାରେ ନୂତନତ୍ୱ କଣ ଅଛି ?

 

ମାତ୍ର ସତ୍ୟାଗ୍ରହରେ ଗାନ୍ଧିଜୀ ମୂଳରୁ ଏ ଅକଡ଼େଇ କରି କାମ ଆଦାୟ କରିବାର ସୁଯୋଗକୁ ତ୍ୟାଗ କଲେ । ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଶେଷ ଆଡ଼କୁ ଭାରତୀୟ ଦାବି ବିଷୟରେ ଅନୁସନ୍ଧାନ କରି ସୁପାରିଶ କରିବା ପାଇଁ ଯେଉଁ କମିଶନ ସେଠା ସରକାର ନିଯୁକ୍ତ କଲେ ସେଥିରେ ଭାରତୀୟମାନଙ୍କର ଜଣେ ପ୍ରତିନିଧି ନେବାକୁ ସରକାର ଅସ୍ୱୀକାର କଲେ ଓ ଏହା ଫଳରେ ୧୯୧୪ ଜାନୁୟାରୀ ପହିଲା ଦିନ ପୁଣି ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ସ୍ଥିର ହେଲା । ମାତ୍ର ଏହି ସମୟରେ ସେଠା ରେଳବାଇର ୟୁରୋପୀୟ କର୍ମଚାରୀମାନେ ଏକ ଧର୍ମାଘଟ ଆରମ୍ଭ କରିଦେବା ପାଇଁ କେତେକ ମତ ଦେଇଥିଲେ । ମାତ୍ର ସରକାରଙ୍କୁ ଅଡ଼ୁଆରେ ପକାଇବା ସତ୍ୟାଗ୍ରହର ଉଦ୍ଦେଶ୍ୟ ନୁହେଁ ବୋଲି ଗାନ୍ଧିଜୀ ସତ୍ୟାଗ୍ରହ ସ୍ଥଗିତ ରଖିଲେ । ଏ ସଦିଚ୍ଛାର ସୁପ୍ରଭାବ ସରକାର ଓ ତାର ଗୋରା ସମର୍ଥକମାନଙ୍କ ଉପରେ ପଡ଼ିଥିଲା ।

 

ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ ଗାନ୍ଧିଜୀ ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ’ ବହିରେ ବିରୋଧୀ ପ୍ରତି ସଦିଚ୍ଛାର ଆହୁରି କେତୋଟି ଉଦାହରଣ ଦେଇଛନ୍ତି । *ଦକ୍ଷିଣ ଆଫ୍ରିକାର ଉତ୍ତର ଉପକୂଳର ଭାରତୀୟ ଶ୍ରମିକମାନେ ଧର୍ମଘଟ କରିବାବେଳେ ସେଠାର ଆଖୁଚାଷୀମାନଙ୍କର ବହୁତଗୁଡ଼ାଏ କଟା ହୋଇଥିବା ଆଖୁ ଜମା ହୋଇ ରହିଥିଲା । ସେଗୁଡ଼ିକ କଳରେ ପେଡ଼ା ନ ହୋଇଥିଲେ ଚାଷୀମାନଙ୍କର ବହୁତ କ୍ଷତି ହୋଇଥାନ୍ତା । ସେଥିପାଇଁ ବାରଶହ ଭାରତୀୟ ଶ୍ରମିକ କାମକୁ ଫେରିଯାଇ ଏତକ କାମ ଶେଷ କରିଦେଇ ତା ପରେ ପୁଣି ଧର୍ମଘଟରେ ଯୋଗ ଦେଲେ । ପୁଣି ଡରବାନ୍‍ ନଗରପାଳିକାର ଭାରତୀୟ କର୍ମଚାରୀମାନେ ଧର୍ମଘଟ କରିବାବେଳେ ଡାକ୍ତରଖାନାର ସେବକ ତଥା ସଫେଇ କର୍ମଚାରୀମାନଙ୍କୁ ଗାନ୍ଧିଜୀ କାମକୁ ଫେରେଇ ଦେଇଥିଲେ ଓ ସେମାନେ ମଧ୍ୟ ଖୁସିରେ କାମରେ ଯୋଗ ଦେଇଥିଲେ । ଗାନ୍ଧିଜୀ ଲେଖିଛନ୍ତି ଯେ ସଫେଇ କାମ ବନ୍ଦ ରହିଥିଲେ ସହରରେ ରୋଗର ପ୍ରାଦୁର୍ଭାବ ଘଟିଥାନ୍ତା ଓ ଡାକ୍ତରଖାନାରେ ରୋଗୀଙ୍କର ସୁଶ୍ରୂଷା ହୋଇପାରି ନ ଥାନ୍ତା । ଏହା କେବେ ସତ୍ୟାଗ୍ରହୀର ଅଭିପ୍ରେତ ନୁହେଁ । ତେଣୁ ଏ ଶ୍ରେଣୀର କର୍ମଚାରୀମାନଙ୍କୁ ସତ୍ୟାଗ୍ରହରୁ ଅବ୍ୟାହତ ଦିଆଗଲା । ଏଭଳି ବିରୋଚିତ ସୌଜନ୍ୟର ବହୁ ଘଟଣାର ଅଦୃଶ୍ୟ ମାତ୍ର ଶକ୍ତିଶାଳୀ ପ୍ରଭାବ ସର୍ବତ୍ର ପଡ଼ିଥିବାର ସେ ଲକ୍ଷ୍ୟ କରିଥିଲେ ଓ ସେଥିପାଇଁ ଶେଷ ଆପୋସ ରଫାର ପଥ ସୁଗମ ହୋଇଥିଲା ବୋଲି ଗାନ୍ଧିଜୀ ଉଲ୍ଲେଖ କରିଛନ୍ତି ।

 

*ଅଧ୍ୟାୟ ୪୭, ପୃ. ୩୨୬, ଦ୍ଵିତୀୟ ସଂସ୍କରଣ ୧୯୫୦ ।

 

କେବଳ ଏତିକି ନୁହେଁ, ପ୍ରତିପକ୍ଷୀର ବିପଦ ବେଳେ ତାଙ୍କୁ ସାହାଯ୍ୟ କରିବା ସତ୍ୟାଗ୍ରହୀର କର୍ତ୍ତବ୍ୟ, ଏହି ନୀତି ଅନୁସରଣ କରି ସେ ଦକ୍ଷିଣ ଆଫ୍ରିକାରେ ପ୍ରଥମତଃ ବୋଅର ଯୁଦ୍ଧ ଓ ତାହାପରେ ଜୁଲୁ ‘ବିଦ୍ରୋହ’ (ଯାହା ପ୍ରକୃତରେ ବିଦ୍ରୋହ ନଥିଲା ବୋଲି ଗାନ୍ଧିଜୀ ମତ ବ୍ୟକ୍ତ କରିଛନ୍ତି) ବେଳେ ସ୍ୱେଚ୍ଛାସେବକ ବାହିନୀ ଗଠନ କରି ଆହତମାନଙ୍କର ସେବା କରିଥିଲେ । ପ୍ରଥମ ମହାଯୁଦ୍ଧ ବେଳେ ଭାରତ ବିନା ସର୍ତ୍ତରେ ଇଂଲଣ୍ଡକୁ ତାର ବିପଦ ବେଳେ ସାହାଯ୍ୟ କରିବା ଉଚିତ ବୋଲି ବିଶ୍ୱାସ କରି ସୈନ୍ୟ ସଂଗ୍ରହ ଉଦ୍ୟମ କରିଥିଲେ । ଏ ବିଷୟରେ ତାଙ୍କର ଅନ୍ୟ ନେତାମାନଙ୍କ ବିଶେଷ କରି ଲୋକମାନ୍ୟ ତିଳକଙ୍କ ସହ ମତଭେଦ ହୋଇଥିଲା । ଅନ୍ୟମାନେ ବିଚାରୁଥିଲେ ଯେ ଏକାବେଳକେ ଆମେ ସର୍ତ୍ତ ଆରୋପ କରି ନିଜର ଦାବି ଆଦାୟ କରିବା ଚାହିଁ ।

 

ପ୍ରଥମ ମହାଯୁଦ୍ଧ ବେଳେ ଗାନ୍ଧିଜୀଙ୍କର ବ୍ରିଟିଶ ସାମ୍ରାଜ୍ୟ ବିଷୟରେ ଉତ୍ତମ ଧାରଣା ଥିଲା । ଏହା ମୋଟ ଉପରେ ଏକ ଭଲ ଜିନିଷ ମାତ୍ର କାଁ ଭାଁ ବ୍ୟକ୍ତିଗତ କର୍ମଚାରୀଙ୍କ ଦୋଷ ଯୋଗୁଁ ଶାସନରେ ନାନା ମନ୍ଦତା ଦେଖା ଯାଉଛି ବୋଲି ସେ ବିଚାରୁଥିଲେ । ତେଣୁ ଇଂରେଜଙ୍କର ବିପଦବେଳକୁ ନିଜର ଫାଇଦା ଉଠାଇବାର ସୁଯୋଗରେ ପରିଣତ ନକରି ତାଙ୍କୁ ବିନା ସର୍ତ୍ତରେ ସାହାଯ୍ୟ କଲେ ଭାରତର ପ୍ରତିଷ୍ଠା ବଢ଼ିବ ବୋଲି ସେ ବିଚାରିଥିଲେ ।

 

ଦ୍ୱିତୀୟ ମହାଯୁଦ୍ଧ ବେଳକୁ ଗାନ୍ଧିଜୀଙ୍କର ବ୍ରିଟିଶ ଶାସନ ପ୍ରତି ସମସ୍ତ ଶ୍ରଦ୍ଧା ଲୋପ ହୋଇ ସାରିଥିଲା ଓ ତାହାକୁ ସେ ‘ଶଇତାନ ସରକାର’ କହି ସାରିଥିଲେ । ତଥାପି ୧୯୩୯ରେ ଯୁଦ୍ଧ ଆରମ୍ଭ ହେଲାରୁ ଗାନ୍ଧିଜୀ ଅନୁଭବ କଲେ ଯେ ଏହା ହିଟଲରର ଦୁରାଶା ଦୁରଭିସନ୍ଧି ଯୋଗୁଁ ଆରମ୍ଭ ହୋଇଛି ଓ ୟୁରୋପରେ ଯାହାବା ଗଣତନ୍ତ୍ର ରହିଅଛି ତାହା ବିରୋଧରେ ଏହା ଏକଛତ୍ରବାଦର ଯୁଦ୍ଧ ବୋଲି ସେ ଅନୁଭବ କଲେ । (ହରିଜନ, ୩୦ । ୪ । ୩୯) । ତେଣୁ ସେ ଲେଖିଲେ—‘‘ଏ ଯୁଦ୍ଧ ପ୍ରତି ମୋର ବ୍ୟକ୍ତିଗତ ପ୍ରତିକ୍ରିୟା ପୂର୍ବାପେକ୍ଷା ମଧ୍ୟ ଅଧିକ ବିଭୀଷିକାପୂର୍ଣ୍ଣ । ଆଜି ମୁଁ ଯେତେ କାତର ପୂର୍ବରୁ କେବେ ସେଭଳି ହୋଇ ନଥିଲି । ମାତ୍ର ଯୁଦ୍ଧକୁ ମୁଁ ପୂର୍ବଠାରୁ ବି ଅଧିକ ବିଭୀଷିକାପୂର୍ଣ୍ଣ ମନେ କରୁଥିବାରୁ ତାହା ମତେ ଗତଥର ପରି ସ୍ୱେଚ୍ଛାନିଯୁକ୍ତ ସୈନ୍ୟ ସଂଗ୍ରାହକର କାମ କରିବାରେ ବାଧା ଦେଉଛି । ଅଥଚ ଏହା ବିଚିତ୍ର ଜଣାଗଲେ ବି ତଥାପି ମୋର ସହାନୁଭୂତି ସମ୍ପୂର୍ଣ୍ଣଭାବେ ମିତ୍ରପକ୍ଷଙ୍କ ଆଡ଼େ ରହିଛି ।’’

 

ସେ ଚାହୁଁଥିଲେ ଯେ କଂଗ୍ରେସ ବ୍ରିଟେନର ଯୁଦ୍ଧ ଲକ୍ଷ୍ୟର ସ୍ପଷ୍ଟୀକରଣ ନ ଚାହିଁ ତାହାପ୍ରତି ନିଜର ସହାନୁଭୂତି ପ୍ରକାଶ କରୁ ଓ ଅହିଂସା ନୀତି ଉପରେ ଦୃଢ଼ ରହି ଯୁଦ୍ଧରେ ଧନଜନ ଦେଇ ସାହାଯ୍ୟ କରିପାରିବ ନାହିଁ ବୋଲି ସ୍ଥିର କରୁ । କଂଗ୍ରେସର ଏଭଳି ସମର୍ଥନ ସମ୍ପୂର୍ଣ୍ଣ ନୈତିକ ହୋଇଥାନ୍ତା ଓ ‘ଏ ସଦିଚ୍ଛାର ମୂଲ୍ୟ ବହୁ ପଦାତିକ ବାହିନୀଠାରୁ ମଧ୍ୟ ଅଧିକ ହୋଇଥାନ୍ତା’ । ମାତ୍ର କଂଗ୍ରେସ ଏ ବିଚାର ମାନିନେବା ପାଇଁ ସମ୍ମତ ହୋଇ ପାରିଲା ନାହିଁ । ଅହିଂସାର ଶକ୍ତି ଦେଶରେ ଯଥେଷ୍ଟ ବିକଶିତ ହୋଇଛି ବୋଲି କଂଗ୍ରେସ ବିଚାରୁ ନଥିଲା ଓ ଅହିଂସାକୁ ଏ ଉପଲକ୍ଷ୍ୟରେ ଏଭଳି ଦୃଢ଼ନୀତି ଭାବରେ ଘୋଷଣା କରିବାର ଅର୍ଥ ଦେଶରକ୍ଷା ମଧ୍ୟ ଅହିଂସା ଉପାୟରେ କରାଯାଇପାରେ ବୋଲି ବିଶ୍ୱାସ ରହିଛି ବୋଲି କହିବା ସଙ୍ଗେ ସମାନ । ଏହିସବୁ ଓ ଅନ୍ୟାନ୍ୟ କାରଣରୁ କଂଗ୍ରେସ ବ୍ରିଟିଶ ସରକାରର ଯୁଦ୍ଧନୀତି ଘୋଷଣା ଦାବି କଲା ଓ ଗାନ୍ଧିଜୀ ମଧ୍ୟ ଏହା କଂଗ୍ରେସର ନିଜର ସ୍ଥିତି ଓ ଦେଶର ଲୋକଙ୍କର ମନୋଭାବ ଦୃଷ୍ଟିରୁ ଯଥାର୍ଥ ହେଲା ବୋଲି ସ୍ୱୀକାର କଲେ । ମାତ୍ର ସେ ନିଜର ସ୍ଥିତିକୁ କଂଗ୍ରେସର ସ୍ଥିତିଠାରୁ ଅଲଗା ରଖିଲେ ।

 

ସତ୍ୟାଗ୍ରହ ଆରମ୍ଭ କରିବାର ମଧ୍ୟ ଗାନ୍ଧିଜୀଙ୍କର ବିଶେଷ ପଦ୍ଧତି ଥିଲା । ବିରୋଧୀପକ୍ଷ ସହିତ ପ୍ରଥମେ ଆପୋଷ କଥାବାର୍ତ୍ତା ଓ ସମାଧାନର ସମସ୍ତ ଉଦ୍ୟମ ବିଫଳ ହେବା ପରେ ଯାଇ ସେ କୌଣସି ପ୍ରକାରର ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରୁଥିଲେ । ଏହା ସତ୍ୟାଗ୍ରହର ଏକ ମୌଳିକ ଓ ସ୍ୱତଃସିଦ୍ଧ ନୀତି । ବିପକ୍ଷକୁ ସତ୍ୟାଗ୍ରହୀର ଦାବି ବିଷୟରେ ବିଚାର କରିବାକୁ ପ୍ରଥମରୁ କୌଣସି ସୁଯୋଗ ନଦେଇ ହଠାତ୍ ତାହା ବିରୋଧରେ ଏକ ଆନ୍ଦୋଳନ ଛିଡ଼ା କରିଦେବା ସତ୍ୟାଗ୍ରହ ନୀତି ସମ୍ମତ ନୁହେଁ । ଦକ୍ଷିଣ ଆଫ୍ରିକାଠାରୁ ଆରମ୍ଭ କରି ଭାରତଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେ ବିରୋଧୀ କର୍ତ୍ତୃପକ୍ଷକୁ ଚିଠି ଲେଖିବା, ତାଙ୍କ ସହିତ କଥାବାର୍ତ୍ତାର ସୁଯୋଗ ଚାହିଁବା ଓ କଥାବାର୍ତ୍ତା କରିବା ଦ୍ୱାରା ବିରୋଧୀ ପକ୍ଷକୁ ନିଜର ଦାବି ବୁଝାଇବା ଓ ସମ୍ଭବ ହେଲେ ଆପୋଷ କଥାବାର୍ତ୍ତା ଦ୍ୱାରା ତାହା ପୂରଣ କରାଇବାର ସମସ୍ତ ଉଦ୍ୟମ ସେ ପୂରାପୂରି କରିଛନ୍ତି । ବ୍ୟାବହାରିକ ଦୃଷ୍ଟିରୁ ସରକାରର ମନୋଭାବରେ କୌଣସି ପରିବର୍ତ୍ତନର ସମ୍ଭାବନା ଦେଖାଯାଉ ନଥିଲେ ମଧ୍ୟ ଗାନ୍ଧିଜୀ ଆନ୍ଦୋଳନ ପୂର୍ବରୁ ଥରେ ଏ ଦିଗରେ ଶେଷ ଚେଷ୍ଟା କରିବାକୁ ଛାଡ଼ି ନାହାନ୍ତି-। ୧୯୪୨ ଅଗଷ୍ଟ ୮ ତାରିଖ ନିଖିଳ ଭାରତ କଂଗ୍ରେସ କମିଟିର ଅଧିବେଶନରେ ‘ଭାରତଛାଡ଼’ ପ୍ରସ୍ତାବ ଉପରେ ଭାଷଣ ଦେଲାବେଳେ ମଧ୍ୟ ଗାନ୍ଧିଜୀ ସୂଚନା ଦେଇଥିଲେ ଯେ କୌଣସି ପ୍ରତ୍ୟକ୍ଷ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ସେ ଥରେ ବଡ଼ଲାଟଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହାନ୍ତି-। ଅବଶ୍ୟ ସରକାର ତାଙ୍କୁ ଏ ସୁଯୋଗ ଦେଲେନାହିଁ ଓ ପରଦିନ ବଡ଼ିଭୋରରୁ ଗାନ୍ଧିଜୀଙ୍କ ସମେତ ସବୁ କଂଗ୍ରେସ ନେତାମାନଙ୍କୁ ଗିରଫ କରି ନିଆ ହେଲା ।

 

ସାଧାରଣ ବାଦବିବାଦ ବା ଆନ୍ଦୋଳନର ଆଉ ଗୋଟାଏ ପ୍ରଚଳିତ ରୀତି ହେଲା ଯେ, ସେଥିରେ ନିଜର ଦାବିଟା ଖୁବ୍ ଉଚ୍ଚକରି ରଖାଯାଇ ଥାଏ । ପରେ ପୁଣି ଦରଦସ୍ତର ହୋଇ ଅଳ୍ପରେ ରାଜି ହେବାପାଇଁ ମନେ ମନେ ତିଆରି ଥାଇ ଦାବିଟାକୁ କିନ୍ତୁ ଆକାଶ ଛୁଇଁଲା ପରି ବଡ଼ କରି ରଖା ଯାଇଥାଏ । ଆନ୍ଦୋଳନକାରୀମାନେ ଯେତେବେଳେ ନିଜେ ଜିତୁଛନ୍ତି ବୋଲି ଅନୁଭବ କରନ୍ତି ବା ବଳ ବଢ଼ି ଥିବାର ଅନୁଭବ କରନ୍ତି ସେତେବେଳେ ପ୍ରଥମ ଦାବି ସାଙ୍ଗକୁ ଆହୁରି ନୂଆ ଦାବି ଯୋଡ଼ି ଦିଅନ୍ତି । ହୁଏତ କେତୋଟି ଦାବି ନେଇ ଆନ୍ଦୋଳନ ଆରମ୍ଭ ହୋଇଥାଏ, ମାତ୍ର ହଠାତ୍ ଦିନେ ଦେଖାଯାଏ ଯେ ଆଉ କେତେକ ଗୋଷ୍ଠୀର ସମର୍ଥନ ପାଇବା ପାଇଁ ଦାବି ତାଲିକା ବଢ଼େଇ ଦିଆଯାଇଛି । ମାତ୍ର ସତ୍ୟାଗ୍ରହର ଏଭଳି କରିବାର ଅବକାଶ ନାହିଁ ।

 

ଦକ୍ଷିଣ ଆଫ୍ରିକାରୁ ହିଁ ଗାନ୍ଧିଜୀ ଏକଥା ଉପଲବ୍ଧି କରିଥିଲେ ଯେ ସତ୍ୟାଗ୍ରହୀକୁ ପ୍ରତ୍ୟକ୍ଷ ସତ୍ୟାଗ୍ରହୀରୂପୀ ଚରମ ପଦକ୍ଷେପ ନେବାବେଳେ ନିଜର ଦାବିକୁ କାଟଛାଣ୍ଟ କରି ନ୍ୟୂନତମରେ ରଖିବାକୁ ହେବ, ଯାହା ତଳକୁ ଆଉ ଖସିବା ସମ୍ଭବ ନୁହେଁ । ଏବଂ ଦାବି ମଧ୍ୟ ଏଭଳି ରଖିବାକୁ ହେବ ଯାହାର ଯଥାର୍ଥତା ସମ୍ବନ୍ଧରେ କୌଣସି ସନ୍ଦେହ ନଥିବ ।

 

ଗାନ୍ଧିଜୀ ତାଙ୍କର ପ୍ରତ୍ୟେକ ଆନ୍ଦୋଳନ ଏହିଭଳି ନ୍ୟୂନତମ ଦାବି ନେଇ ଆରମ୍ଭ କରୁଥିଲେ । ଉଦାହରଣ ସ୍ୱରୂପ ୧୯୩୦ର ଲବଣ ସତ୍ୟାଗ୍ରହ ପୂର୍ଣ୍ଣ ସ୍ୱରାଜ୍ୟର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା । ମାତ୍ର ଦାଣ୍ଡି ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ ବଡ଼ଲାଟଙ୍କୁ ଯେଉଁ ଚରମ ପତ୍ର ଲେଖିଲେ ସେଥିରେ ସେ ନିମ୍ନଲିଖିତ ଏଗାର ଦଫା ଦାବିକୁ ନିମ୍ନତମ ସର୍ତ୍ତରୂପେ ବାଢ଼ିଥିଲେ, ଯାହା ପୂରଣ ହେଲେ ସେ ସତ୍ୟାଗ୍ରହ ସ୍ଥଗିତ ରଖିବେ ଏହି ଏଗାରଟି ସର୍ତ୍ତକୁ ସ୍ୱରାଜର ସାର ବୋଲି ବର୍ଣ୍ଣନା କରିଥିଲେ । ଦାବିଗୁଡ଼ିକ ହେଲା :

 

୧.

ପୂର୍ଣ୍ଣ ମଦ୍ୟ ନିବାରଣ,

୨.

ଟଙ୍କାର ବିନିମୟ ହାରକୁ ଏକ ଶିଲିଙ୍ଗ ଛଅ ପେନ୍‌ସରୁ ଏକ ଶିଲିଙ୍ଗ ଚାରିପେନ୍‌ସ କରିବା,

୩.

ଜମି ଖଜଣା ଅନ୍ୟୂନ ଅଧା କମାଇବା ଓ ତାହାର ନିୟନ୍ତ୍ରଣ ବିଧାନ ସଭା ହାତକୁ ଦେବା,

୪.

ଲବଣ ଆଇନ୍ ଉଠାଇବା,

୫.

ସାମରିକ ବିଭାଗର ଖର୍ଚ୍ଚ ଅନ୍ୟୂନ ଶତକଡ଼ା ୫୦ ଭାଗ କମାଇ ଦେବା,

୬.

ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀମାନଙ୍କର ଦରମା ଶତକଡ଼ା ପଚାଶ ବା ତା’ଠାରୁ ଊଣା ଏପରି ହାରରେ କମାଇବା ଯେପରି ତାହା ଊଣା ହେଇଥିବା ରାଜସ୍ୱ ସହିତ ଖାପ ଖାଇବ,

୭.

ବିଦେଶୀ ଲୁଗା ଉପରେ ଆମଦାନୀ ଶୁଳ୍କ ବସାଇ ଦେଶୀ ଲୁଗା ଶିଳ୍ପକୁ ରକ୍ଷା କରିବା,

୮.

ଉପକୂଳବର୍ତ୍ତୀ ଜାହାଜ କାରବାରକୁ ସଂରକ୍ଷଣ ଦେଇଥିବା ଆଇନ ଗୃହୀତ କରିବା,

୯.

ଯେଉଁମାନେ ହତ୍ୟା ବା ହତ୍ୟା କରିବା ଉଦ୍ୟମ ଯୋଗୁଁ ଦଣ୍ଡିତ ହୋଇଥିବେ ସେମାନଙ୍କ ବ୍ୟତୀତ ଅନ୍ୟସବୁ ରାଜନୀତିକ ବନ୍ଦୀମାନଙ୍କୁ ଖଲାସ କରିବା ବା ସେମାନଙ୍କର ବିଚାର ସାଧାରଣ ଅଦାଲତରେ କରାଇବା, ସବୁ ରାଜନୀତିକ ମକଦ୍ଦମା ଉଠାଇ ନେବା, ଦଣ୍ଡବିଧି ଆଇନର ୧୨୪ କ ଧାରା (ରାଜଦ୍ରୋହ) ଓ ୧୮୧୮ର ତିନି ନମ୍ବର ରେଗୁଲେସନ୍‌ ଉଠାଇ ଦେବା, ସବୁ ଦେଶ ତ୍ୟାଗୀ ଭାରତୀୟଙ୍କୁ ଫେରିବାକୁ ଦେବା,

୧୦.

ସି ଆଇ ଡ଼ି ପୋଲିସ ଉଠାଇ ଦେବା ବା ତାହାକୁ ଲୋକପ୍ରତିନିଧିଙ୍କ ଆୟତ୍ତରେ ରଖିବା,

୧୧.

ଆତ୍ମରକ୍ଷା ପାଇଁ ରଖିବାକୁ ଅନୁମତି ଦେବା ଓ ଏହାର ନିମନ୍ତ୍ରଣ ଲୋକପ୍ରତିନିଧିଙ୍କ ହାତରେ ରଖିବା,

 

ସାଧାରଣରେ ପ୍ରଚଳିତ ରୀତି ଅନୁସାରେ କାହାରି ସହିତ ବିରୋଧ ବିବାଦ ଘଟିଲେ ତାହାସହିତ ସବୁ ପ୍ରକାରର ସମ୍ପର୍କ ତୁଟାଇ ଦିଆଯାଏ । ଆମ ଦେଶରେ ରାଜନୀତିକ ସ୍ତରରେ ବିରୋଧ ଘଟିଲେ ସମାଜିକ ସ୍ତରରେ ମଧ୍ୟ ସମ୍ପର୍କ ରଖାଯାଏ ନାହିଁ । ଏଭଳି ସମ୍ପର୍କ ଘଟିଲେ କାଳେ ଅପରପକ୍ଷ ଦ୍ୱାରା ଅମେ ପ୍ରଭାବିତ ହୋଇଯିବା ଏ ଭୟ ମଧ୍ୟ ଏପରି ଆଚରଣ ପଛରେ ଥାଏ । ମାତ୍ର ସତ୍ୟାଗ୍ରହର ବିରୋଧୀପକ୍ଷ ସହିତ ସମ୍ପର୍କର ଓ ବିଶେଷ କରି ତାହାର ସେବା କରିବାର ସୁଯୋଗକୁ ସ୍ୱାଗତ କରାଯାଏ, ଯେପରିକି ସତ୍ୟାଗ୍ରହୀପକ୍ଷ ବିଷୟରେ ବିରୋଧୀପକ୍ଷର ଧାରଣା ବଦଳାଇବା ପାଇଁ ଏ ସୁଯୋଗର ସଦ୍‌ ବ୍ୟବହାର କରାଯାଇ ପାରିବ ।

 

ପ୍ରେମ ହିଁ ଯେ ସତ୍ୟାଗ୍ରହର ମୂଳମନ୍ତ୍ର ଏହି କଥା ବୁଝାଇବାକୁ ଯାଇ ଗାନ୍ଧିଜୀ ଲେଖିଛନ୍ତି–‘‘ଅସହଯୋଗ ଏକ ନିଷ୍କ୍ରିୟସ୍ଥିତି ନୁହେଁ । ଏହା ଏକ ଅତ୍ୟନ୍ତ ପ୍ରଖର ସକ୍ରିୟ ସ୍ଥିତି । ଶାରୀରିକ ପ୍ରତିରୋଧ ବା ହିଂସାଠାରୁ ବି ଏହା ଅଧିକ ସକ୍ରିୟ । ...ଯେଉଁ ଅର୍ଥରେ ମୁଁ ଅସହଯୋଗ ଶବ୍ଦର ପ୍ରୟୋଗ କରିଛି ସେହି ଅର୍ଥରେ ଗ୍ରହଣ କଲେ ଅସହଯୋଗକୁ ଅହିଂସା ହେବାକୁ ପଡ଼ିବ ଓ ତେଣୁ ସେଥିରେ ଶାସ୍ତି ଦେବାର, ପ୍ରତିଶୋଧ ନେବାର କିମ୍ବା ଆସୂୟା, ଅନିଷ୍ଟ ଚିନ୍ତା ବା ଦ୍ୱେଷର କୌଣସି ଗନ୍ଧ ନାହିଁ । ଅର୍ଥାତ ଜେନେରାଲ ଡାୟାରଙ୍କ ଅଧୀନରେ କି ଚାକରୀ କରି ନିରୀହ ଲୋକଙ୍କୁ ଗୁଳିକରି ମାରିବାରେ ତାଙ୍କ ସହିତ ସହଯୋଗ କରିବା ମୋ ପକ୍ଷରେ ପାପ, କିନ୍ତୁ ସେ କୌଣସି ଶାରୀରିକ ରୋଗରେ ପଡ଼ିଥିବା ବେଳେ ତାଙ୍କୁ ସେବା ଶୁଶ୍ରୂଷା କରି ବଞ୍ଚାଇବା ମୋ ପକ୍ଷରେ ଏକ କ୍ଷମା ଓ ପ୍ରେମର ଅଭିବ୍ୟକ୍ତି ହେବ । (ୟଂ ଇଣ୍ଡିଆ, ୨୫ । ୮ । ୨୦)

 

ସାଧାରଣତଃ ଅନ୍ୟ ବ୍ୟକ୍ତି ଓ ଗୋଷ୍ଠୀ, ଜାତି, ସମ୍ପ୍ରଦାୟ, ଭାଷିକ ଗୋଷ୍ଠୀ ଆଦି—ସମ୍ପର୍କରେ ଅନ୍ୟ ବ୍ୟକ୍ତି ଓ ଗୋଷ୍ଠୀମାନଙ୍କର କେତେକ ପୂର୍ବଗ୍ରହ ବା ଅମୂଳକ ଓ କାଳ୍ପନିକ ଧାରଣା ଥାଏ । ଏହି ସବୁ ଧାରଣା ଯୋଗୁଁ ପରସ୍ପର ପ୍ରତି ସନ୍ଦେହ, ଅବିଶ୍ୱାସ ଓ ଭୟ ବଢ଼ିଥାଏ । ଭଲ ବୁଝାମଣା ଓ ମୈତ୍ରୀ ସ୍ଥାପିତ କରିବାକୁ ହେଲେ ଏସବୁକୁ ଦୂର କରିବା ଆବଶ୍ୟକ ହୁଏ । ଉଦାହରଣ ସ୍ୱରୂପ ଭାରତବାସୀଙ୍କ ବିଷୟରେ ଇଂରେଜମାନଙ୍କର ଯେଉଁ ସବୁ ଅଦ୍ଭୁତ ଧାରଣା ଥିଲା ଓ ଏବେ ବି ହୁଏତ କିଛି ନା କିଛି ରହିଛି ତାର ନମୁନା ସେ କାଳର ଲେଖା ଅନେକ ବହିପତ୍ରରେ ଦେଖିବାକୁ ମିଳେ । ଏହା ଭିତରେ ମିସ୍‌ମେୟାଙ୍କ ‘ମଦର ଇଣ୍ଡିଆ’ ବିଶେଷ ଉଲ୍ଲେଖଯୋଗ୍ୟ । ହିଂସା ଯୁଦ୍ଧରେ ବା ଗତାନୁଗତିକ ଢଙ୍ଗର ବିରୋଧରେ ବିପକ୍ଷ ବିଷୟରେ ସତ ହେଉ ମିଛ ହେଉ ଯେତେ ଖରାପ ଧାରଣା ସୃଷ୍ଟି କରାଯାଇପାରେ ସେତେ ସୁବିଧା ପ୍ରଥମ ମହାଯୁଦ୍ଧ ବେଳେ ପ୍ରଚାର କରାଯାଇ ଥିଲା ଯେ ଜର୍ମାନମାନେ ବେଲଜିୟମରେ ସାନପିଲାଙ୍କୁ ରାନ୍ଧି ଖାଉଛନ୍ତି । ଏବେ ପିକିଂ ରେଡ଼ିଓ ଶୁଣିଲେ ଭାରତବାସୀଙ୍କ ବିଷୟରେ ବହୁତ ଉଦ୍ଭଟ କଥା ଶୁଣିବାକୁ ମିଳିବ । ଚୀନ୍‍ ଓ ପାକିସ୍ଥାନ ସହିତ ଯୁଦ୍ଧ ଚାଲିଥିବା ବେଳେ ଆମ ରେଡ଼ିଓରୁ ବି ବେଳେ ବେଳେ ଏସବୁ ବିଷୟରେ କମ ଉଦ୍ଭଟ କଥା ଶୁଣିବାକୁ ମିଳୁ ନଥିଲା ।

 

ମାତ୍ର ସତ୍ୟାଗ୍ରହର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଲା ପରସ୍ପର ବିଷୟରେ ପୂର୍ବରୁ ରହିଥିବା ଭ୍ରାନ୍ତ ଧାରଣା ସବୁକୁ କ୍ରମେ କ୍ରମେ ଦୂର କରିବା, ଯାହାଦ୍ୱାରା ଅବିଶ୍ୱାସ, ସନ୍ଦେହ ଓ ଭୟ ମଧ୍ୟ ଦୂର ହେବ ଓ ଭଲ ସମ୍ପର୍କ ପ୍ରତିଷ୍ଠା ପାଇଁ ବାଟ ଫିଟିବ । ତେଣୁ ଗାନ୍ଧିଜୀ ପ୍ରତ୍ୟକ୍ଷ ସହିତ ପରିଚିତ ହେବାର ଓ ମିଳାମିଶା କରିବାର ସୁଯୋଗ ବରାବର ଲୋଡ଼ୁଥିଲେ । ବଡ଼ଲାଟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବାକୁ ବରାବର ଚେଷ୍ଟା କରୁଥିଲେ । ଦ୍ୱିତୀୟ ଗୋଲ୍‌ଟେବୁଲ ବୈଠକରେ ଯୋଗଦେବା ବେଳେ ବିଲାତରେ ସବୁ ଶ୍ରେଣୀର ଲୋକଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସିବା ପାଇଁ ସାଧ୍ୟମତେ ଚେଷ୍ଟା କରିଥିଲେ ଓ ସମସ୍ତଙ୍କୁ ଭାରତ ପକ୍ଷର କଥା ବୁଝାଇଥିଲେ ।

 

ଇଂରେଜମାନେ ଆମର ଶତ୍ରୁ ଅତଏବ ସେମାନେ ସବୁ ପ୍ରକାରର ନିନ୍ଦନୀୟ, ଏଭଳି ମନୋଭାବକୁ ଗାନ୍ଧିଜୀ କେବେ ପ୍ରଶ୍ରୟ ଦେଇ ନାହାନ୍ତି । ଅନେକଥର ଅନେକ ଭାବରେ ସେ ଇଂରେଜମାନଙ୍କର ନିର୍ଭୟତା, କାର୍ଯ୍ୟ ଦକ୍ଷତା, ସମୟାନୁବର୍ତ୍ତିତା ଆଦି ସଦ୍‌ଗୁଣର ପ୍ରଶଂସା କରିଛନ୍ତି ଓ ସେମାନଙ୍କଠାରୁ ସେସବୁ ଶିଖିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଥା ୧୯୨୦(ୟଂ ଇଣ୍ଡିଆ ୨।୬) ରେ ସେ ଲେଖିଥିଲେ ‘ତେଣୁ ପ୍ରତ୍ୟେକ ଇଂରେଜ ଓ ସରକାର ଅଧୀନରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମଚାରୀର ଜୀବନକୁ ଆମେ ଆପଣା ଆତ୍ମୀୟସ୍ୱଜନଙ୍କର ଜୀବନ ପରି ପବିତ୍ର ମଣିବାରେହିଁ ସଫଳତାର ଚାବି ରହିଛି । ମୋର ହେତୁ ପାଇବା ଦିନଠାରୁ ଗତ ପ୍ରାୟ ଚାଳିଶି ବର୍ଷ ଭିତରେ ମୁଁ ଲାଭ କରିଥିବା ଚମତ୍କାର ଅଭିଜ୍ଞତା ମୋ ଭିତରେ ଏହି ଦୃଢ଼ବିଶ୍ୱାସ ଦେଇ ଯାଇଛି ଯେ ଜୀବନଠାରୁ ଅଧିକ ମୂଲ୍ୟବାନ ଆଉ କୌଣସି ଦାନ ଓ ସମ୍ପଦ ଏହି ସଂସାରରେ ନାହିଁ । ଇଂରେଜମାନେ ଆମ ଦେଶରେ ଏକ ଅତ୍ୟନ୍ତ ସଂଖ୍ୟାଲଘୁ ଗୋଷ୍ଠୀ ହିସାବରେ ଅଛନ୍ତି ଓ ଆପଣା ପାଖରେ ରହିଥିବା ଅତୀବ ଶକ୍ତିଶାଳୀ ଓ ବିନାଶକାରୀ ଅସ୍ତ୍ର ବଳରେ ସୁରକ୍ଷିତ ରହିଛନ୍ତି ତାହା ନୁହେଁ ମାତ୍ର ଯେଉଁମାନେ ସଂପୂର୍ଣ୍ଣରୂପେ ଅନ୍ୟାୟରେ ବୁଡ଼ି ରହିଛନ୍ତି ବୋଲି ଭାରତୀୟମାନେ ବିଶ୍ୱାସ କରନ୍ତି ସେମାନଙ୍କର ବି ପ୍ରାଣନାଶ କରିବେ ନାହିଁ ବୋଲି ଭାରତୀୟମାନେ ସଂକଳ୍ପ କରିଥିବାରୁ ଭାରତରେ ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ କଦାପି ପଡ଼ିବ ନାହିଁ ବୋଲି ଇଂରେଜମାନେ ଅନୁଭବ କରିବା ମାତ୍ରେ ଭାରତ ସମ୍ବନ୍ଧରେ ଇଂରେଜର ପ୍ରକୃତି ହିଁ ସଂପୂର୍ଣ୍ଣରୂପେ ବଦଳିଯିବ ।

 

‘ବ୍ରିଟିଶ ସମ୍ବିଧାନ ପ୍ରତି ମୋର ଗଭୀର ସମ୍ମାନ ରହିଛି । ଇଂରେଜମାନଙ୍କ ସହିତ ମୋର କୌଣସି ଶତ୍ରୁତା ନାହିଁ ଏବଂ ଇଂରେଜି ଚରିତ୍ର ଓ ଜୀବନରେ ରହିଥିବା ଅନେକ ସଦ୍‌ଗୁଣକୁ ମୁଁ ଅନୁକରଣୀୟ ବୋଲି ବିଚାରି ଆସିଛି । ଅନେକ ଇଂରେଜଙ୍କୁ ମୁଁ ମୋର ବନ୍ଧୁତଳେ ଗଣିଥାଏ । କୌଣସି ମନୁଷ୍ୟକୁ ମୋର ଶତ୍ରୁ ମଣିବା ମୋର ଧର୍ମର ବିରୋଧୀ ।’ ଇଂରେଜ ଶାସନ ଆମେ ଚାହୁଁ ନାହିଁ, ମାତ୍ର ଇଂରେଜ ଜାତି ପ୍ରତି ଆମର କୌଣସି ବିଦ୍ୱେଷ ନାହିଁ, ତାଙ୍କର ଏଭଳି ପ୍ରାମାଣିକ ମନୋଭାବ ଯୋଗୁଁ ମୀରାବେନ୍‌, ଏଣ୍ଡ୍ରୁଜ, ପିୟରସନ, ପୋଲକ ଆଦି ବହୁ ଇଂରେଜଙ୍କର ସାହଚର୍ଯ୍ୟ ସେ ପାଇଥିଲେ । ଦ୍ୱିତୀୟ ମହାଯୁଦ୍ଧ ବେଳେ ନେତାଜୀ ସୁଭାଷ ବୋଷ୍‌ ଚିରାଚରିତ କୂଟନୀତି ଅନୁସାରେ ଜାପାନ ଓ ଜର୍ମାନୀର ସାହାଯ୍ୟ ନେଇ ଭାରତକୁ ସ୍ୱାଧୀନ କରିବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଗାନ୍ଧିଜୀ ଏ ଧରଣର ଉଦ୍ୟମର ସମ୍ପୂର୍ଣ୍ଣ ବିରୋଧୀ ଥିଲେ ।

 

ସେହିପରି ସତ୍ୟାଗ୍ରହୀର ପ୍ରତ୍ୟେକ କଥା ଓ କାର୍ଯ୍ୟର କି ପ୍ରଭାବ ପ୍ରତିପକ୍ଷ ଉପରେ ପଡ଼ୁଛି ତାହାପ୍ରତି ବରାବର ସଜାଗ ରହିବା ମଧ୍ୟ ତାର କର୍ତ୍ତବ୍ୟ ବୋଲି ଗାନ୍ଧିଜୀ ଅନୁଭବ କରିଥିଲେ । ବିରୋଧୀର ଅନ୍ତରକୁ ସ୍ପର୍ଶ କରିବା ସତ୍ୟାଗ୍ରହର ଲକ୍ଷ୍ୟ । ଏଭଳି ପରିଣାମ ତ ହଠାତ୍‌ ଦେଖିବାକୁ ମିଳେନାହିଁ । ଏଭଳି ପ୍ରଭାବ ଅଲକ୍ଷିତରେ ଧୀରେ ଧୀରେ କାମ କରୁଥାଏ ଓ କାଳକ୍ରମେ ଅନେକ ସମୟରେ ଅପ୍ରତ୍ୟାଶିତ ଭାବରେ ତାହାର ପରିଣାମ ପ୍ରତ୍ୟକ୍ଷ ହୁଏ । ଭାରତର ସ୍ୱାଧୀନତାର କଥା ଧରାଯାଉ ଅଗଷ୍ଟ ୧୫, ୧୯୪୭ ଦିନ ସ୍ୱାଧୀନତା ଘୋଷଣା ସମୟରେ ଇଂରେଜମାନଙ୍କ ପ୍ରତି ଯେଉଁ ସଦ୍ଭାବ ଏ ଦେଶରେ ପ୍ରକାଶ ପାଇଲା ତାହା ପୃଥିବୀର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅଭୂତପୂର୍ବ । ଦିଲ୍ଲୀର ଜନସାଧାରଣ ‘ପଣ୍ଡିତ ମାଉଣ୍ଟବାଟେନ୍‌ କୀ ଜୟ’ ଧ୍ୱନି କରି ତାହାଙ୍କୁ ସ୍ୱାଗତ କରିଥିଲେ । ଏଥିରେ ଇଂରେଜମାନଙ୍କର ନିଜସ୍ୱ ଗୁଣର ଅବଦାନ ଅବଶ୍ୟ ରହିଛି, ମାତ୍ର ସେତିକି ନୁହେଁ । ଇଂରେଜମାନଙ୍କର ନିଜଗୁଣ ଆୟର୍ଲାଣ୍ଡ, କେନିୟା, ଉଗାଣ୍ଡା ଓ ଅନ୍ୟାନ୍ୟ ଦେଶରେ ତିକ୍ତତା ସୃଷ୍ଟିକୁ ଏଡ଼ାଇ ପାରିଲା ନାହିଁ । ଏଥିରେ ସତ୍ୟାଗ୍ରହରେ ଅବଦାନ ମଧ୍ୟ ଅନସ୍ୱୀକାର୍ଯ୍ୟ ।

 

ସେ ଯାହା ହେଉ ତୁରନ୍ତ ପରିଣାମ ଦେଖିବାକୁ ନମିଳିଲେ ମଧ୍ୟ ସତ୍ୟାଗ୍ରହୀର କଥା ଓ କାର୍ଯ୍ୟଦ୍ୱାରା ଭୁଲ ପ୍ରକାରର ପ୍ରଭାବ ପଡ଼ିବାର ସମ୍ଭାବନା ଯେତେଦୂର କମ୍‌ ହୋଇପାରେ ସେଥିପ୍ରତି ସଜାଗ ରହିବା କଥା । ସତ୍ୟାଗ୍ରହୀର ଆଚରଣ ପ୍ରତି ପ୍ରତିପକ୍ଷର ପ୍ରତିକ୍ରିୟାକୁ ବିଶ୍ଳେଷଣ କରି ନିଜ ଆଚରଣରେ କେଉଁଠି ତ୍ରୁଟି ରହିଲା କି ନାହିଁ ତାହା ବୁଝିବାକୁ ଚେଷ୍ଟା କରିବା ସତ୍ୟାଗ୍ରହର କର୍ତ୍ତବ୍ୟ । ଗୋଟିଏ ଉଦାହରଣ ନିଆଯାଉ ।

 

ପୂର୍ବତନ ଗଡ଼ଜାତ ରାଜକୋଟରେ ୧୯୩୯ରେ ସରକାର ଓ ପ୍ରଜାଙ୍କ ଭିତରେ ଏକ ରାଜିନାମା ହୋଇଥିଲା ମାତ୍ର ତାହା ରାଜ୍ୟ ସରକାର ରକ୍ଷା କଲେ ନାହିଁ । ପ୍ରଜାମାନଙ୍କର ଦାବି ହାସଲ ପାଇଁ ସତ୍ୟାଗ୍ରହ ଚାଲିଲା । ରାଜ୍ୟ ସରକାର ପକ୍ଷରୁ ଦମନ ବି ପ୍ରବଳ ହେଲା । ଗୁଜୁରାଟର ଅନ୍ୟାନ୍ୟ ରାଜ୍ୟମାନଙ୍କରୁ ସତ୍ୟାଗ୍ରହୀ ଆସି ରାଜକୋଟରେ ସତ୍ୟାଗ୍ରହ କଲେ । ଗାନ୍ଧିଜୀଙ୍କ ଅନୁମତିକ୍ରମେ କସ୍ତୁରବା ମଧ୍ୟ ରାଜକୋଟ ଯାଇ ସତ୍ୟାଗ୍ରହ କଲେ ଓ ବନ୍ଦୀ ହେଲେ । ଶେଷକୁ ଗାନ୍ଧିଜୀ ସେଠାରେ ପହଞ୍ଚିଲେ ଓ ରାଜ୍ୟସରକାରଙ୍କୁ ନିଜର ସ୍ୱୀକୃତ ରାଜିନାମା ମାନ୍ୟ କରାଇବା ପାଇଁ ଅନଶନ ଆରମ୍ଭ କଲେ । ଗାନ୍ଧିଜୀ ମଧ୍ୟ ବଡ଼ଲାଟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ଓ ଏହା ଫଳରେ ବଡ଼ଲାଟ ଏହାର ନିର୍ଣ୍ଣୟର ଭାର ଭାରତର ସେତେବେଳର ପ୍ରଧାନ ବିଚାରପତି ସାର୍‌ ମରିସ୍‌ ଗୟରଙ୍କୁ ଦେଲେ । ତାଙ୍କ ରାୟ ଗାନ୍ଧିଜୀଙ୍କ ସପକ୍ଷରେ ଗଲା । ମାତ୍ର ଗାନ୍ଧିଜୀ ଅନୁଭବ କଲେ ଯେ ଏଭଳି ଉର୍ଦ୍ଧ୍ୱତନ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଚାହିଁବାଟା ଠିକ୍‌ ହୋଇନାହିଁ । ଏହାଦ୍ୱାରା ଏକ ଚାପ ପକାଗଲା । ଅହିଂସା ଊଣା ହେଲା । ତେଣୁ ସେ ମରିସ୍‍ ଗୟରଙ୍କ ନିର୍ଣ୍ଣୟର ସୁଯୋଗ ନେବାକୁ ଅସ୍ୱୀକାର କଲେ ।

 

ରାଜକୋଟରେ ଯେଉଁ ପ୍ରବଳ ଦମନ ଚାଲିଲା ଓ ସେଠାର ଦେୱାନ ବୀରାୱାଲା ପ୍ରଭୃତି ଆନ୍ଦୋଳନର ଯେପରି ତୀବ୍ର ବିରୋଧ କଲେ ସେ ସବୁର ବିଶ୍ଳେଷଣ କରି ଗାନ୍ଧିଜୀ ନିଜର କାମର ତ୍ରୁଟି ଧରିବାକୁ ଚେଷ୍ଟା କରିଥିଲେ । ଏ ସଂକ୍ରାନ୍ତରେ ସେ ଦିନେ କହିଥିଲେ—

 

‘‘ମୋର ମନେ ହେଉଛି ସବୁ କାଠିଆୱାଡ଼ୀଙ୍କୁ ସେଠି ଯାଇ ସତ୍ୟାଗ୍ରହ କରିବାକୁ ଦେବାଟା ହିଁ ମୂଳରୁ ଭୁଲ ହୋଇଛି । ଏତଦ୍ୱାରା ଏ ସଂଗ୍ରାମରେ ଏକ ଦୁର୍ବଳତା ପଶିଲା । ଏହାଦ୍ୱାରା ଆମେ ସଂଖ୍ୟା ଉପରେ ନିର୍ଭର କଲୁ, ଯେତେବେଳେ କି ସତ୍ୟାଗ୍ରହୀ କେବଳ ସେହି ଅଗତିର ଗତି ଭଗବାନଙ୍କ ଉପରେ ନିର୍ଭର କରିବା କଥା । ସତ୍ୟାଗ୍ରହୀ ବରାବର ନିଜକୁ କହିବ–‘‘ଯାହା ନାଁ ଧରି ଏ ସତ୍ୟାଗ୍ରହ ଆରମ୍ଭ ହେଲା ସେହି ଏହାକୁ ମୁଣ୍ଡରେ ଲଗାଇବେ । ରାଜକୋଟିର ଲୋକେ ଏଭଳି ଚିନ୍ତା କରିଥିଲେ ସେମାନେ ବଡ଼ ବଡ଼ ଶୋଭାଯାତ୍ର ଓ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିବାକୁ ପ୍ରଲୁବ୍‌ଧ ହୋଇ ନଥାନ୍ତେ ଓ ରାଜକୋଟକୁ ଯେ ପ୍ରକାରର ଅତ୍ୟାଚାର ଭୋଗିବାକୁ ପଡ଼ିଲା ତାହା ଘଟି ନଥାନ୍ତା । ଖାଣ୍ଟି ସତ୍ୟାଗ୍ରହୀ ତାର ପ୍ରତିପକ୍ଷୀର ମନକୁ ପ୍ରଥମେ ନିରୁଦ୍‌ବିଗ୍ନ କରି ଦେବାର କଥା । ତାହାର କାର୍ଯ୍ୟକଳାପ ଦ୍ୱାରା ତାର ଶତ୍ରୁ ମନରେ ଆତଙ୍କ ସୃଷ୍ଟି ନ ହେବାର କଥା....’’ (ହରିଜନ, ୨୦ । ୫ । ୩୯)

 

ସେହି ସମୟରେ କ୍ରୋଭାଙ୍କୋରରେ ସତ୍ୟାଗ୍ରହ ବିଷୟରେ ସେଠା କର୍ମୀମାନଙ୍କ ସହ ଆଲୋଚନା ପ୍ରସଙ୍ଗରେ ଗାନ୍ଧିଜୀ ପୁଣି କହିଥିଲେ—

 

‘‘ଆଜି ତ ତମର ପ୍ରତିପକ୍ଷ ତମର ସଂଖ୍ୟା ବହୁଳତା ଦେଖି ଡରିଯାଇଛି । ତା ହୃଦୟ ଆତଙ୍କରେ ପୂର୍ଣ୍ଣ ହୋଇଥିବା ବେଳେ ତାଠାରୁ ହୃଦୟ ପରିବର୍ତ୍ତନ ଆଶା କରାଯାଇ ନପାରେ । ତମର କାର୍ଯ୍ୟକଳାପରେ ସେ ଏକ ପ୍ରତିଶୋଧମୂଳକ ମନୋଭାବ ଦେଖିବାକୁ ପାଉଛି । ତାହାଦ୍ୱାରା ସେ ଅଧିକ ଉତ୍ୟକ୍ତ ହେଉଛି । ଏହିରୂପେ ତାହା ଗୋଟିଏ ରକମର ହିଂସା ।

 

‘‘ଏହା ପରେ ତମର ସତ୍ୟାଗ୍ରହକୁ ହୁଏତ ଅଳ୍ପ କେତେକଙ୍କ ଯାଏ ସୀମାବଦ୍ଧ କରିବାକୁ ହେବ । କିନ୍ତୁ ସେମାନଙ୍କର ସତ୍ୟାଗ୍ରହର ପ୍ରଭାବ ପଡ଼ିବ । ଆମେ ଏଣେ ଅହିଂସାକୁ ନେଇ ଖେଳିବାଦ୍ୱାରା କ୍ରୋଭାଙ୍କୋରର ସରକାରକୁ ମଣିଷ ଭିତରେ ଥିବା ପଶୁଶକ୍ତିକୁ ସଂଗଠିତ କରିବାର ସୁଯୋଗ ଦେଉଛୁ । ଏପରି ହେବାର ନୁହେଁ..... ।’’

 

ପୁଣି ଜୟପୁରର ବନ୍ଧୁମାନଙ୍କୁ କହିଲେ ‘ବାହାଦୁରି ଦେଖାଇବା ପାଇଁ ଲାଠି ଚାଳନା ମୁଲେଇବା ବା ଲାଠିମାଡ଼ ଖାଇବା ସତ୍ୟାଗ୍ରହ ନୁହେଁ ନିଜର କର୍ତ୍ତବ୍ୟ କରୁ କରୁ ମାଡ଼ ଖାଇବାକୁ ପଡ଼ିଲେ ସେଥିପାଇଁ ପ୍ରସ୍ତୁତ ରହିବାହିଁ ପ୍ରକୃତ ସତ୍ୟାଗ୍ରହ । (ହରିଜନ, ୩-୬-୩୯)

 

ଏଥିରୁ ଦେଖିଯିବ ଯେ, ପ୍ରତିପକ୍ଷର ସମସ୍ତ ପ୍ରକାରର ବିରୋଧ ଓ ଅତ୍ୟାଚାର ସହିବାକୁ ସତ୍ୟାଗ୍ରହୀ ପ୍ରସ୍ତୁତ ରହିବ ସତ ମାତ୍ର ତାହାର ଅତ୍ୟାଚାରଶୀଳତା ନ ବଢ଼ୁ, ଅର୍ଥାତ୍‌ ତା ଭିତରେ ସଜ୍ଜନତାର ଉନ୍ମେଷ ଦେଉ ଏଥିପ୍ରତି ମଧ୍ୟ ସେ ସଜାଗ ରହିବ । ଏହାର ଓଲଟା କେତେକ ଆନ୍ଦୋଳନାରେ ଦେଖାଯାଏ ଯେ ନେତା ବା ଚାଳକମାନେ ଗୋଟାଏ କିଛି ଘଟଣା ସୃଷ୍ଟି କରାଇ ଦେବାପାଇଁ ଉତ୍ସୁକ ଥାନ୍ତି । କୌଣସି କ୍ରମେ ଗୋଟାଏ ଲାଠିମାଡ଼ ହୋଇଗଲେ ବା ଗୁଳି ଚାଲିଗଲେ ଉତ୍ତେଜନା ବଢ଼ିବ ଓ ଲୋକଙ୍କୁ ବେଶି ମତେଇ ହେବ ବୋଲି ସେମାନେ ବିଚାରନ୍ତି । ସତ୍ୟାଗ୍ରହର ଦୃଷ୍ଟିକୋଣ ସହ ଏହାର ପାର୍ଥକ ସହଜରେ ବୁଝିହେବ । ବିରୋଧୀର ନିର୍ଯ୍ୟାତନାକୁ ଭ୍ରୂକ୍ଷେପ କରାଯିବ ନାହିଁ, ମାତ୍ର ତାହାର ମଧ୍ୟ ଦୃଷ୍ଟି ବଦଳୁ, ସେ ବି ଟିକେ ଉଚ୍ଚ ସ୍ତରକୁ, ଅଧିକ ସଭ୍ୟ ସ୍ତରକୁ ଉଠି ଚିନ୍ତା ଓ ଆଚରଣ କରି ଶିଖୁ, ଏହା ସତ୍ୟାଗ୍ରହୀର ଲକ୍ଷ୍ୟ ହେବାର କଥା । ସେଥିପାଇଁ ବିବିଧ ସତ୍ୟାଗ୍ରହ ପ୍ରସଙ୍ଗରେ ସରକାରର ଧୈର୍ଯ୍ୟ ଓ ସଦାଚରଣର ପ୍ରଶଂସା ଗାନ୍ଧିଜୀ କରିଛନ୍ତି । ଉଦାହରଣ ସ୍ୱରୂପ ୧୯୨୨ରେ ବାରଡ଼ୋଲାରେ ଖଜଣା ବନ୍ଦ ଆନ୍ଦୋଳନର (ଯାହା ପରେ ମୁଲତବୀ ହୋଇଗଲା) ପ୍ରାକ୍‌କାଳରେ ସେ କହିଥିଲେ—

 

‘‘ସରକାର ଏ ପର୍ଯ୍ୟନ୍ତ ଖୁବ୍‍ ଆଦର୍ଶ ଆଚରଣ କରି ଆସିଛନ୍ତି । ସେମାନେ ଏ ସମ୍ମିଳନୀ ଉପରେ ନିଷେଧାଜ୍ଞା ଜାରି କରିପାରିଥାନ୍ତେ, ମାତ୍ର କଲେନାହିଁ । ସେ କର୍ମୀମାନଙ୍କୁ ଚିହ୍ନନ୍ତି-। ଚାହିଁଥିଲେ ବହୁ ପୂର୍ବରୁ ସେମାନଙ୍କୁ ଏଠୁ ଧରିନେଇଥାନ୍ତେ । ମାତ୍ର ତାହା କରି ନାହାନ୍ତି । ସେ ଲୋକଙ୍କର କୌଣସି କାର୍ଯ୍ୟ କଳାପରେ ବାଧା ଦେଇ ନାହାନ୍ତି । ସେମାନଙ୍କୁ ସବୁ ପ୍ରକାରର ଆୟୋଜନ କରିବାର ସୁଯୋଗ ଦେଇଛନ୍ତି । ମୁଁ ସରକାରଙ୍କର ଗତିବିଧିକୁ ବିସ୍ମୟ ଓ ପ୍ରଶଂସାର ସହିତ ଲକ୍ଷ୍ୟ କରୁଛି । ଏ ପର୍ଯ୍ୟନ୍ତ ଉଭୟ ପକ୍ଷ ସେହି ପ୍ରାଚୀନ ଯୁଗର ସୌଜନ୍ୟପୂର୍ଣ୍ଣ ଯୋଦ୍ଧାଙ୍କ ଲାଖି ଆଚରଣ ଦେଖାଇ ଆସିଛନ୍ତି । ଏହି ଶାନ୍ତି ଯୁଦ୍ଧରେ ଏଥିରେ ଅନ୍ୟଥା ତ ହେବାର ନୁହେଁ । ଏ ଲଢ଼େଇ ଯଦି ଏଇ ଢଙ୍ଗରେ ଚାଲେ ତେବେ ତାହାର ଅବସାନ ଗୋଟିଏ ମାତ୍ର ପ୍ରକାରେ ହେବ । ବାରଡ଼ୋଲିର ୧୮୫, ହଜାର ସ୍ତ୍ରୀ ପୁରୁଷଙ୍କୁ ଯେ ନିଜ ପକ୍ଷକୁ କରିନେଇ ପାରିବ ସେହି ଜିତିବ’’ । (ୟଂ ଇଣ୍ଡିଆ, ୨-୨-୨୨)

 

୧୯୩୦ରେ ଲବଣ ସତ୍ୟାଗ୍ରହ ବେଳେ ଆଟଗାଁଠାରେ ପୋଲିସ ସତ୍ୟାଗ୍ରହୀମାନଙ୍କଠାରୁ ଯେଭଳି ଭାବରେ ଜଦରଦସ୍ତି ବେଆଇନ ଲୁଣ ଛଡ଼ାଇଲେ ତାହାର ନିନ୍ଦା’ କରି ‘ବର୍ବରସୁଲଭ’ ବୋଲି ଏକ ଲେଖା ୟଂ ଇଣ୍ଡିଆ ଏପ୍ରିଲ ୧୦ ତାରିଖ ସଂଖ୍ୟାରେ ଦେଇଥିଲେ-। ସେଥିରେ ଯେ ଏ ପ୍ରସଙ୍ଗରେ ଲେଖିଥିଲେ—

 

‘‘ଏଭଳି ଜବରଦସ୍ତି ଲୁଣ ଛଡ଼ାଇବାଟା ଦ୍ୱାରା ଏକ ଭଲ ଉଦ୍ଦେଶ୍ୟ ସିଦ୍ଧ ହେଲା । ତାହାଦ୍ୱାରା ଗାଁଟାଯାକ ଚେଇଁ ଉଠିଲା । ତଥାପି, ସରକାରଙ୍କ ଖାତିରରେ ଓ ଏ ସାରା ଲବଣ ଯୁଦ୍ଧଟାକୁ ଭଦ୍ରଜନସୁଲଭ ସ୍ତରରେ ରଖିବା ଖାତିରରେ ଏ ଅସୁନ୍ଦର ଘଟଣାଟା ନ ଘଟିଥିଲେ ଭଲ ହୋଇଥାନ୍ତା ବୋଲି ମୁଁ ବିଚାରେ ।

 

‘‘ଆଇନର କାର୍ଯ୍ୟବିଧି ସରକାର ପକ୍ଷରେ ଶ୍ରମସାଧ୍ୟ ବା ଭାର ସ୍ୱରୂପ ହୋଇପାରେ । ମାତ୍ର ସେ କାମଟାକୁ ଭଲ ଢଙ୍ଗରେ ଆରମ୍ଭ କରି ଥିବାରୁ ତାହାର ମନ୍ଦ ପରିଣତି ନ ଘଟାନ୍ତୁ । ଏହା ତାଙ୍କ ଓ ଲୋକଙ୍କ ଭିତରେ ଏକ ଶୁଦ୍ଧ ବଳ କଷାକଷି ହେଉ.....’’

 

ସତ୍ୟାଗ୍ରହୀମାନଙ୍କ ଉପରେ ପୁଲିସର ମାଡ଼ର ପ୍ରତିବାଦ କରି ସେ ଲେଖିଥିଲେ—ନାଗରିକର ଦେହକୁ ଅବଶ୍ୟ ହିଁ ଅସ୍ପର୍ଶନୀୟ ମନେ କରାଯିବା ଚାହିଁ । ତାହାକୁ କେବଳ ଗିରଫ କରିବାପାଇଁ ବା ହିଂସାତ୍ମକ କାର୍ଯ୍ୟରେ ବାଧା ଦେବାପାଇଁ ହିଁ ସ୍ପର୍ଶ କରାଯାଇ ପାରେ, ବର୍ତ୍ତମାନ ଯେପରି କରାଯାଉଛି ସେପରି ନୁହେଁ । ....ସରକାର ଯଦି ଲୋକଙ୍କର ଦେହ ଉପରେ ଏ ବର୍ବର ଅତ୍ୟାଚାର ବନ୍ଦ ନ କରିବେ, ତେବେ ଶୀଘ୍ର ଦେଖିବେ ଯେ ସତ୍ୟାଗ୍ରହୀମାନେ ସରକାରଙ୍କୁ ବନ୍ଧୁକ ବ୍ୟବହାର କରିବାକୁ ବାଧ୍ୟ କରୁଛନ୍ତି । (ସତ୍ୟାଗ୍ରହ ପୃ ୨୬୩) ଏଥିରେ ମଧ୍ୟ ଗାନ୍ଧିଜୀ ସରକାରଙ୍କୁ ସଭ୍ୟ ଜଗତର ଆଚରଣ ବିଧି ମନେ ପକାଇ ଦେଇଛନ୍ତି ।

 

ଏହି ସମୟରେ ପୁରୁଷ ସତ୍ୟାଗ୍ରହୀମାନଙ୍କ ଉପରେ ପୁଲିସ ଜୁଲମ କରୁଥିବାବେଳେ ନାରୀ ସତ୍ୟାଗ୍ରହୀମାନେ ତାହା ଭିତରେ ଜଡ଼ିତ ହୋଇ ପଡ଼ିବା ପ୍ରତି ମଧ୍ୟ ସେ ଏକ ସାବଧାନ ବାଣୀ ଉଚ୍ଚାରଣ କରିଥିଲେ—‘‘ପେରୀନ୍‌ବେନ ଓ ତାଙ୍କର ସାଥୀମାନେ ତଥା କମଳାଦେବୀ ମଧ୍ୟ ଅତି ଦୁର୍ଲଭ ସାହସ ଓ ଧୈର୍ଯ୍ୟର ସହିତ ଆଚରଣ କରିଥିଲେ । କିନ୍ତୁ ସେମାନେ ମୋତେ ଏହା କହିବାର ଅନୁମତି ଦିଅନ୍ତୁ ଯେ ସେମାନେ ପୁରୁଷମାନଙ୍କର ଯୁଦ୍ଧ କ୍ଷେତ୍ରରୁ ବାହାରେ ରହିଥିଲେ ଅଧିକ ଉତ୍ତମ ହୋଇଥାନ୍ତା । କାରଣ ସେମାନେ ନିଜକୁ ଯେଉଁଭଳି ବିପଦଜନକ ପରିସ୍ଥିତିରେ ନେଇ ପକାଇଲେ ସେଭଳି କରିବାଟା ବିରୋଚୀତ ସୌଜନ୍ୟ(chivalry)ର ନିୟମବିରୁଦ୍ଧ ହେଲେ ବି ସେଭଳି କରିବାର ସମୟ ଏବେ ଆସିନାହିଁ ।’’ (ୟଂ ଇଣ୍ଡିଆ, ୧୭ । ୪ । ୩୦)

 

ଉପରର ଉଦ୍ଧୃତିମାନଙ୍କରେ ଗାନ୍ଧିଜୀ ଦୁଇଥର ବିରୋଚିତ ସୌଜନ୍ୟ (chivalry) ଶବ୍ଦର ପ୍ରୟୋଗ କରିଛନ୍ତି । ଏହାର ତାତ୍ପର୍ଯ୍ୟ ପ୍ରତି ଆଉ ଟିକିଏ ଧ୍ୟାନ ଦେବାର ଅଛି । ୟୁରୋପରେ ମଧ୍ୟଯୁଗରେ ଯୋଦ୍ଧାମାନେ ଲଢ଼େଇ କଲାବେଳେ କେତେକ ବିରୋଚିତ ନୀତି ନିୟମ ପାଳନ କରୁଥିଲେ ଓ ମହିଳାମାନଙ୍କ ପ୍ରତି ସେମାନଙ୍କର ଆଚରଣ ମଧ୍ୟ ଏହିଭଳି ନିୟମରେ ବନ୍ଧାଥିଲା । ଏହାକୁ ଶିଭାଲରୀର ନିୟମ କୁହାଯାଏ । ୟୁରୋପର ଲୋକେ ନାରୀମାନଙ୍କ ପ୍ରତି ବ୍ୟବହାରରେ ଏହି ଶିଭାଲରୀର କଟକଣାକୁ ଖୁବ୍‌ ମାନନ୍ତି । ମହାଭାରତ ଯୁଗରେ ମଧ୍ୟ ସେଭଳି ନିୟମ ଥିଲା । ଶିଖଣ୍ଡୀକୁ ସାମନାରେ ରଖି ଲଢ଼ିବାଟା ଅବିରୋଚିତ ହେଲାପରି ପୁରୁଷମାନଙ୍କ ବିବାଦ କ୍ଷେତ୍ରରେ ସ୍ତ୍ରୀମାନେ ଜଡ଼ିତ ହୋଇ ପଡ଼ିବାଟା ଅନୁଚିତ ମନେକରାଯାଏ । ପୁରୁଷମାନଙ୍କ ଉପରେ ଠେଙ୍ଗାବାଡ଼ି ଚାଲିବା ଜାଗାରେ ମହିଳାମାନେ ରହିଲେ ଇଂରଜମାନଙ୍କ ମନରେ ଏ ଧାରଣା ହୋଇ ପାରିଥାନ୍ତା ଯେ ସରକାରକୁ ବଦନାମ କରିବାକୁ ବା ଅଡ଼ୁଆରେ ପକାଇବାକୁ ମହିଳାମାନଙ୍କୁ ଶିଖଣ୍ଡୀ ପରି ବ୍ୟବହାର କରାଯାଉଛି । ସେଥିପାଇଁ ଗାନ୍ଧିଜୀ ଏ ବିଷୟରେ ସତର୍କବାଣୀ ଶୁଣାଇଥିଲେ । ସ୍ତ୍ରୀଲୋକମାନେ ପଦାକୁ ବାହାରିବା ଓ ତାଙ୍କ ଉପରେ ଯେତେ ନିର୍ଯ୍ୟାତନା ହେଲେ ବି ସହିବାକୁ ପ୍ରସ୍ତୁତ ହେବାପାଇଁ ଗାନ୍ଧିଜୀ ତ ବାରମ୍ବାର ପ୍ରେରଣା ଦେଇଛନ୍ତି । ମାତ୍ର ସତ୍ୟାଗ୍ରହୀ ସ୍ତ୍ରୀଲୋକ ହୋଇଥିବା ସତ୍ତ୍ୱେ ତାଙ୍କ ଉପରେ ଅତ୍ୟାଚାର ହେଲେ ତାକୁ ସହିବା ଓ ପୁରୁଷମାନଙ୍କ ଉପରେ ଆକ୍ରମଣ ହେବା ସ୍ଥାନରେ ଜଡ଼ିତ ହୋଇ ପଡ଼ିବା, ଏ ଦୁଇ ପ୍ରକାର ଭିତରେ ଏକ ସୂକ୍ଷ୍ମ ପାର୍ଥକ୍ୟ ରହିଛି ଓ ଶେଷୋକ୍ତ କ୍ଷେତ୍ରରେ ସତ୍ୟାଗ୍ରହ ଆନ୍ଦୋଳନର କାର୍ଯ୍ୟପନ୍ଥା ବିଷୟରେ ଅସମ୍ମାନଜନକ ଧାରଣା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଗାନ୍ଧିଜୀଙ୍କର ଏ ସତର୍କବାଣୀ ।

 

କାହାରି ନିନ୍ଦା ସ୍ତୁତିକୁ ଭ୍ରୂକ୍ଷେପ ନ କରି ନିଜ ବାଟରେ ଦୃଢ଼ ରହିବା ମଧ୍ୟ ସତ୍ୟାଗ୍ରହୀର ଏକ ଗୁଣ ବୋଲି ଗାନ୍ଧିଜୀ କହିଛନ୍ତି ଓ ସାଙ୍ଗରେ ଯିବାକୁ କେହି ନ ଥିଲେ ମଧ୍ୟ ‘ଏକଲା ଚଲୋରେ’ ବାଣୀ ଅନୁସରଣ କରି ସେ ୧୯୩୩ରେ ହରିଜନ ଉପବାସ ପରେ ଜେଲରୁ ଖଲାସ ହୋଇ ଆଇନ ଅମାନ୍ୟ ଆରମ୍ଭ କଲାବେଳେ, ନୋଆଖାଲିରେ ହିନ୍ଦୁ ମୁସଲମାନ ଏକତା ପାଇଁ ପଦଯାତ୍ରାରେ ଓ ଅନ୍ୟ ଅନେକ ଘଟଣାରେ ସେ ଏହିପରି ଏକୁଟିଆ ବାଟ ଚାଲିଛନ୍ତି । ପୂର୍ବୋକ୍ତ ନୀତି ଓ ଏହା ଭିତରେ ବିରୋଧ ଥିବା ପରି ଦେଖା ଯାଇପାରେ, ମାତ୍ର ପ୍ରକୃତରେ ତାହା ନାହିଁ ।

 

ସତ୍ୟାଗ୍ରହୀ ନିନ୍ଦାସ୍ତୁତି, ଭୟ ପ୍ରଲୋଭନ ଆଦି ଦ୍ୱାରା ନିଜ ନୀତିରୁ ବିଚଳିତ ହେବେ ନାହିଁ ମାତ୍ର ସେ ନୀତିକୁ ଲୋକେ ଠିକ୍‌ ବୁଝିଛନ୍ତି କି ଭୁଲ ବୁଝୁଛନ୍ତି, ସେ ନୀତିରେ କୌଣସି ତ୍ରୁଟି ଅଛି କି ନାହିଁ, ସେ ନୀତି ଅନୁସାରେ କରା ଯାଉଥିବା କାର୍ଯ୍ୟରେ କୌଣସି ଦୋଷ ଅଛି କି ନାହିଁ ତାହା ତ ପୁଣି ଦେଖିବ । ଅନେକ ସମୟରେ ଗୋଟିଏ ଉଦ୍ଦେଶ୍ୟ ଘେନି କଥା କୁହାଗଲେ ବା କାମ କରାଗଲେ ଅନ୍ୟ ଲୋକେ ତାର ସେହି ଅର୍ଥ ନ ବୁଝି ଭିନ୍ନ ଅର୍ଥ ବୁଝିଥାନ୍ତି । ଜଣେ ଜଣଙ୍କ ସହିତ ବ୍ୟବହାରରେ ବି ଏଭଳି ଭ୍ରମ ହୋଇଥାଏ । ଆଉ ଗୋଟାଏ ଗୋଷ୍ଠୀ ସହିତ ଅନ୍ୟ ଗୋଷ୍ଠୀର ବିବାଦ ବା ସଂଘର୍ଷ ଲାଗିଥିବା ବେଳେ ତ ଏଭଳି ଭୁଲ ବୁଝାମଣାର ସମ୍ଭାବନା କାହିଁ ନା କେତେ । ସତ୍ୟାଗ୍ରହର କଥା ଓ କାର୍ଯ୍ୟର ଯାହା ଉଦ୍ଦେଶ୍ୟ ଅପର ପକ୍ଷ ଯଦି ତାଠାରୁ ଭିନ୍ନ ଉଦ୍ଦେଶ୍ୟ ବୁଝିଲା ଯଦି ଏକାବେଳେକେ ଓଲଟା ବୁଝିଲା, ତେବେ ତାର ପରିଣାମ ଅବାଞ୍ଚିତ ହେବ । ସେଥିପାଇଁ ପ୍ରତିପକ୍ଷରେ କାର୍ଯ୍ୟକଳାପ ଓ ପ୍ରତିକ୍ରିୟାକୁ ବରାବର ଲକ୍ଷ୍ୟ ଓ ବିଶ୍ଳେଷଣ କରି ସେହି ଅନୁସାରେ ନିଜର କଥା ଓ କାର୍ଯ୍ୟକୁ ନିୟନ୍ତ୍ରିତ କରିବାକୁ ହୋଇଥାଏ ।

 

ଗୋଟିଏ ପ୍ରଶ୍ନ ଉପରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବେଶ ବାଦାନୁବାଦ ଚାଲିଥିଲା । ତାହା ହେଉଛି ଗୋପନୀୟତା ନେଇ । ବୈପ୍ଲବିକ ଆନ୍ଦୋଳନରେ ଗୋପନୀୟତାର ଖୁବ୍‌ ଗୁରୁତ୍ୱ ଥାଏ । ନିଜର ଗତିବିଧି ଓ କର୍ମଯୋଜନାକୁ ଗୁପ୍ତ ରଖି ପ୍ରତିପକ୍ଷକୁ ବଣା କରିଦେଇ ପାରିବା ଉପରେ ସଫଳତା ବହୁ ପରିମାଣରେ ନିର୍ଭର କରେ । ଏହାଛଡ଼ା ଗୋପନୀୟତାପ୍ରତି ଗୋଟାଏ ଅନ୍ୟ ରକମର ଆକର୍ଷଣ ମଧ୍ୟ ଥାଏ । ସେଥିରୁ ଗୋଟିଏ ରକମର ଉତ୍ତେଜନା ଓ ଆନନ୍ଦ ମିଳେ । ସେଥିପାଇଁ ସତ୍ୟାଗ୍ରହ ଆନ୍ଦୋଳନ ମାନଙ୍କରେ ମଧ୍ୟ କେତେ କର୍ମୀ ଲୁଚେଇ ଛପେଇ ନାନା କାର୍ଯ୍ୟ କରିବା ଚେଷ୍ଟା କରୁଥିଲେ ।

 

ଗାନ୍ଧିଜୀଙ୍କର ସ୍ପଷ୍ଟ ମତ ଥିଲା ଯେ ଗୋପନୀୟତା ସତ୍ୟାଗ୍ରହ ସହିତ ଖାପଖାଏ ନାହିଁ । ତାଙ୍କର ନିଜର କାର୍ଯ୍ୟକଳାପରେ କୌଣସି ଗୋପନୀୟତା ନଥିଲା ଓ ସେ ସତ୍ୟାଗ୍ରହର ସମସ୍ତ ପଦକ୍ଷେପର ପୂର୍ବ ସୂଚନା ସରକାରଙ୍କୁ ଦେଉଥିଲେ । ଗାନ୍ଧିଜୀ ବୁଝାଉଥିଲେ ଯେ ସତ୍ୟାଗ୍ରହ ପୁଲିସକୁ ବଣାକରି ଦେଉଥିବା ଚତୁରତାଠାରୁ ଅଧିକା ଆଉକିଛି ଓ ଗୋପନୀୟତା ସତ୍ୟାଗ୍ରହର ସମ୍ମାନନୀୟତାକୁ ଊଣା କରିଦିଏ । (ହରିଜନ ୧୩-୪-୪୦)

Image

 

(ଛଅ)

ସତ୍ୟାଗ୍ରହର ଉପଲକ୍ଷ୍ୟ ଓ ପ୍ରକାର, ବିଧାୟକ ଓ ନିଷେଧାତ୍ମକ

 

ଯେତେ ଯେତେ କାରଣରୁ ସମାଜରେ ବ୍ୟକ୍ତି ସହିତ ବ୍ୟକ୍ତିର, ଗୋଷ୍ଠୀ ସହିତ ଗୋଷ୍ଠୀର ଓ ଗୋଷ୍ଠୀ ସହିତ ବ୍ୟକ୍ତିର ସଂଘର୍ଷ ଦେଖାଦିଏ ଓ ସମ୍ପର୍କ ତିକ୍ତ ହୁଏ ସେ ସବୁର ନିରାକରଣ ପାଇଁ ସତ୍ୟାଗ୍ରହ ପନ୍ଥା ପ୍ରୟୋଗ କରାଯାଇପାରେ ।

 

ଭାରତବର୍ଷର ସ୍ୱାଧୀନତା ହାସଲ ପାଇଁ ଗାନ୍ଧିଜୀ ସତ୍ୟାଗ୍ରହ ଅସ୍ତ୍ରର ପ୍ରୟୋଗ କଲେ । ଗାନ୍ଧିଜୀଙ୍କ ପୂର୍ବରୁ ଓ ପରେ ମଧ୍ୟ ବିଦେଶୀ କବଳରୁ ଦେଶକୁ ସ୍ୱାଧୀନ କରିବା ପାଇଁ ସଶସ୍ତ୍ର ଯୁଦ୍ଧର ଆଶ୍ରୟ ନିଆ ଯାଇଛି । ଆମେରିକାର ଯୁକ୍ତରାଷ୍ଟ୍ର, ଇଟାଲୀ, ଦକ୍ଷିଣ ଆମେରିକାର ବହୁ ରାଷ୍ଟ୍ର, ଆୟରଲାଣ୍ଡ, ଆଲଜିରିଆ ପ୍ରଭୃତି ସଶସ୍ତ୍ର ଯୁଦ୍ଧଦ୍ୱାରା ହିଁ ସ୍ୱଧୀନତା ପାଇଛନ୍ତି । ପକ୍ଷାନ୍ତରେ ଭାରତରେ ସଶସ୍ତ୍ର ଯୁଦ୍ଧର ବିକଳ୍ପ ରୂପେ ସତ୍ୟାଗ୍ରହର ପ୍ରୟୋଗ ହୋଇଛି ।

 

ସରକାର ବିରୋଧରେ ଆଇନ ଅମାନ୍ୟକୁ ଗାନ୍ଧିଜୀ ଆକ୍ରମଣମୂଳକ ଓ ଆତ୍ମରକ୍ଷାମୂଳକ ଏହି ଦୁଇ ଶ୍ରେଣୀରେ ବାଣ୍ଟିଥିଲେ । ତାଙ୍କ ନିଜ କଥାରେ—

 

‘‘ଆକ୍ରମଣମୂଳକ ଓ ଆତ୍ମରକ୍ଷାମୂଳକ ଆଇନ ଅମାନ୍ୟ ଭିତରେ କି ନିଧାର୍ଯ୍ୟ ପାର୍ଥକ୍ୟ ରହିଛି, ତାହା ବୁଝି ରଖିବା ଆବଶ୍ୟକ । ଆକ୍ରମଣ ମୂଳକ ସବିନୟ ଆଇନ ଅମାନ୍ୟ ହେଲା ରାଷ୍ଟ୍ରର ଏପରି ସବୁ ଆଇନର ଅହିଂସ ଓ ଇଚ୍ଛାକୃତ ଅବମାନନା ଯେଉଁ ଗୁଡ଼ିକ ଭାଙ୍ଗିବା ଦ୍ୱାରା ନୈତିକ ଅଧଃପତନ ହୁଏ ନାହିଁ ଓ ସରକାର ବିରୋଧରେ ବିଦ୍ରୋହର ଏକ ପ୍ରତୀକ ସ୍ୱରୂପ ଏହା କରାଯାଇ ଥାଏ । ତେଣୁ ରାଷ୍ଟ୍ରର ସୁବିଧା ଲାଗି କରା ଯାଇଥିବା ଟିକସ ସଂକ୍ରାନ୍ତୀୟ ଓ ବ୍ୟକ୍ତିଗତ ଆଚରଣ ସଂକ୍ରାନ୍ତୀୟ ଆଇନ ଗୁଡ଼ିକର ଅବମାନନାକୁ ଆକ୍ରମଣମୂଳକ ସବିନୟ ଆଇନ୍‌ ଅମାନ୍ୟ ବୋଲି କୁହାଯାଇ ପାରିବ, ଯଦିଓ ଉପରୋକ୍ତ ଆଇନଗୁଡ଼ିକ ହୁଏତ ଲୋକଙ୍କୁ କୌଣସି କଷ୍ଟ ଦେଉ ନଥାଏ ଓ ସେ ସବୁକୁ ବଦଳାଇବାର ଆବଶ୍ୟକତା ବି ହୁଏତ ନଥାଏ ।

 

‘‘ପକ୍ଷାନ୍ତରେ ଯେଉଁ ମନ୍ଦ ଆଇନ ଗୁଡ଼ିକୁ ମାନିବା ଦ୍ୱାରା ଆମର ଆତ୍ମସମ୍ମାନ ଓ ମାନବିକ ପ୍ରତିଷ୍ଠା ଉପରେ ବାଧାଆସେ ବାଧ୍ୟ ହୋଇ, ସକୁଣ୍ଠ ଭାବରେ, ସେହି ଗୁଡ଼ିକର ଅହିଂସ ଅମାନ୍ୟ କରାଗଲେ ତାହା ଆତ୍ମରକ୍ଷାମୂଳକ ସବିନୟ ଆଇନ ଅମାନ୍ୟ ହେବ । ତେଣୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବକ ବାହିନୀ ଗଠନ କରିବା, ସେହିଭଳି ଉଦ୍ଦେଶ୍ୟରେ ସାଧାରଣ ସଭା କରିବା, ହିଂସାଚରଣର ପ୍ରଚାର ନ କରୁଥିବା ଓ ତାହାକୁ ଉତ୍ସାହିତ ନ କରୁଥିବା ଲେଖାମାନ ଛପାଇବା, ଏସବୁ ବିରୋଧରେ ନିଷେଧାଜ୍ଞା ଥିଲେ ମଧ୍ୟ ସେସବୁ କାର୍ଯ୍ୟ କରିବା ହେଉଛି ଆତ୍ମରକ୍ଷାମୂଳକ ଆଇନ ଅମାନ୍ୟର ଦୃଷ୍ଟାନ୍ତ ଏବଂ ସେହିପରି ନିଷେଧାଜ୍ଞା ଥିବା ସତ୍ତ୍ୱେ ଲୋକମାନଙ୍କୁ କୌଣସି ମନ୍ଦ ଦ୍ରବ୍ୟ ବା ମନ୍ଦ ସଂସ୍କାରୁ ନିବୃତ କରିବା ଉଦ୍ଦେଶ୍ୟରେ ଶାନ୍ତିପୂର୍ଣ୍ଣ ପିକେଟିଂ କରିବାଟାକୁ ମଧ୍ୟ ଆମେ ଏହାର ଅନ୍ତର୍ଭୁକ୍ତ କରି ପାରିବା । (ୟଂ ଇଣ୍ଡିଆ, ୯-୨-୨୧)

 

ଗାନ୍ଧିଜୀ ଦେଇଥିବା ଏ ତାଲିକାକୁ ଆହୁରି ବଢ଼ାଇ ହେବ । କେତେକ ଦେଶରେ ସାମରିକ ବାହିନୀରେ ଯୋଗ ଦେବାର ବା ସାମରିକ ତାଲିମ ନେବାର ବାଧ୍ୟତାମୂଳକ ଆଇନ୍‌ ଅଛି-। ଅହିଂସାରେ ଆସ୍ଥା ରଖିଥିବା ଓ ଯୁଦ୍ଧର ବିରୋଧ କରୁଥିବା ଏଭଳି ଶାନ୍ତିବାଦୀ ଅଛନ୍ତି ଯେଉଁମାନେ ଯୁଦ୍ଧରେ ଅଂଶ ଗ୍ରହଣ କରି ନରହତ୍ୟାର ଭାଗୀ ହେବାଟାକୁ ପାପା ବୋଲି ମନେ କରନ୍ତି । ଏମାନେ ବିବେକଗତ ଆପତ୍ତି ଦୃଷ୍ଟିରୁ ସୈନ୍ୟ ବାହିନୀରେ ଯୋଗ ନ ଦେଇ ବା ସାମରିକ ତାଲିମ ନ ନେଇ ତତ୍‌ସଂକ୍ରାନ୍ତ ଆଇନର ଅବମାନନା କରିଥାନ୍ତି । ଏହା ମଧ୍ୟ ନିଜର ନୈତିକତା ଓ ମାନବିକ ପ୍ରତିଷ୍ଠା ରକ୍ଷା ପାଇଁ କରାଯାଇଥିବା ଆତ୍ମରକ୍ଷାମୂଳକ ଆଇନ ଅମାନ୍ୟ । ଆଇନ ଅମାନ୍ୟ ଛଡ଼ା ଅନ୍ୟ ସତ୍ୟାଗ୍ରହ ମଧ୍ୟ ଆତ୍ମରକ୍ଷାମୂଳକ ହୋଇପାରେ । ପ୍ରଜା ବା ଭାଗଚାଷୀକୁ ଜମିରୁ ବେଦଖଲ କରାଯାଉଥିଲେ ତାହାର ଶାନ୍ତିପୂର୍ଣ୍ଣ ପ୍ରତିରୋଧ ଏଭଳି ସତ୍ୟାଗ୍ରହର ଏକ ଉଦାହରଣ ।

 

ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ମଧ୍ୟ ଏକ ଅର୍ଥରେ ଆତ୍ମରକ୍ଷାମୂଳକ ଥିଲା, କାରଣ ସେଠାରେ ଭାରତୀୟମାନଙ୍କ ଉପରେ ଲଦା ଯାଇଥିବା ନାନା ପ୍ରକାରର କଟକଣା ଓ କରଭାର ସେମାନଙ୍କର ଆତ୍ମସମ୍ମାନ ଓ ମାନବିକ ପ୍ରତିଷ୍ଠା ଉପରେ ଆଞ୍ଚ ଆଣୁଥିଲା । ବିଶେଷ କରି ଭାରତୀୟ ବିବାହ ଅନୁଷ୍ଠାନକୁ ଆଇନରେ ଅସିଦ୍ଧ ବୋଲି ଘୋଷଣା କରାଯିବାଟା ଏଭଳି ଅସମ୍ମାନଜନକ ଆକ୍ରମଣର ଚରମ ଦୃଷ୍ଟାନ୍ତ ବୋଲି କୁହାଯିବ ।

 

ଆତ୍ମରକ୍ଷା ନିମନ୍ତେ ଓ ସୀମାବଦ୍ଧ ଦାବି ହାସଲ ପାଇଁ କରାଯାଇଥିବା ସତ୍ୟାଗ୍ରହ ଭିତରେ ସୀମାରେଖାଟି ଖୁବ୍‌ କ୍ଷୀଣ । କାରଣ ଆତ୍ମ ସମ୍ମାନ ବା ଜୀବିକାର ସାଧନର ରକ୍ଷା ପାଇଁ ଉଦ୍ୟମ ମଧ୍ୟ ଦାବି । ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ଏହି ଉଭୟ ଶ୍ରେଣୀର ପଡ଼ିବ । ଖେଡ଼ା ଓ ବାରଡ଼ୋଲୀରେ ଖଜଣା ବୃଦ୍ଧି ବିରୋଧରେ ସତ୍ୟାଗ୍ରହ ମଧ୍ୟ ଉଭୟ ଶ୍ରେଣୀର ପଡ଼ିପାରେ । ପ୍ରଜା ପ୍ରତିନିଧିଙ୍କ ସମ୍ମତି ନ ନେଇ ଦରିଦ୍ର ପ୍ରଜାଙ୍କର ଖଜଣା ବଢ଼ାଇବାଟା ସେମାନଙ୍କ ଉପରେ ଏକ ଆକ୍ରମଣ ହିଁ ଥିଲା । ଚମ୍ପାଚରଣରେ ଚାଷୀଙ୍କ ପ୍ରତି ଅନ୍ୟାୟ ଓ ଅବମାନନା ବହୁକାଳରୁ ଚଳି ଆସୁଥିଲେ ହେଁ ଲୋକେ ସେଥିପ୍ରତି ସଚେତନ ହେବାରୁ ସେଥିରୁ ଆତ୍ମରକ୍ଷା କରିବାକୁ ଚାହିଁଲେ ।

 

ଶିଳ୍ପ ବା ବ୍ୟବସାୟ ଅନୁଷ୍ଠାନରେ ଶ୍ରମିକ ଓ କର୍ମଚାରୀମାନେ ନିଜର ପାରିଶ୍ରମିକ ବଢ଼ାଇବା ପାଇଁ ଧର୍ମଘଟ, ଅନଶନ ଆଦି କରିବାର ଲକ୍ଷ୍ୟ ଦାବି ହାସଲ । ଅହମଦାବାଦର ମିଲ୍‌ ମଜୁରିଆଙ୍କର ଧର୍ମଘଟ ଏହି ପର୍ଯ୍ୟାୟର । ଚମ୍ପାରଣ, ଖେଡ଼ା, ବାରଡ଼ୋଲୀ ଆଦି ସତ୍ୟାଗ୍ରହ ଦ୍ୱାରା ଭାରତର ଇଂରେଜ ରାଜତ୍ୱର ମୂଳଦୁଆ ହୁଗୁଳା ହୋଇଥିଲା ସତ ମାତ୍ର ସେସବୁ ସୀମାବଦ୍ଧ ଦାବିକୁ ଘେନି କରାଯାଇଥିଲା । ନିଗ୍ରୋମାନଙ୍କର ନାଗରିକ ଅଧିକାର ହାସଲ ପାଇଁ ମାର୍ଟିନ ଲୁଥର୍‌ କିଙ୍ଗଙ୍କର ନେତୃତ୍ୱରେ ପରିଚାଳିତ ସତ୍ୟାଗ୍ରହ ମଧ୍ୟ ଏହି ପର୍ଯ୍ୟାୟରେ ପଡ଼ିବ । ଏଠାରେ ମଧ୍ୟ ଆଉ ଏକ ପ୍ରକାରଭେଦ ଲକ୍ଷ୍ୟ କରିବା କଥା । ବସ୍‌ରେ ଗୋରାମାନଙ୍କ ସହିତ ସମାନ ଆସନରେ ବସିବା ଅଧିକାର, ହୋଟଲରେ ପ୍ରବେଶ ଅଧିକାର ଆଦି ନାଗରିକ ଅଧିକାରର ଗୋଟିଏ ଗୋଟିଏ ଅଂଶକୁ ଧରି ସତ୍ୟାଗ୍ରହ କରାଯାଇଛି । ପୁଣି ସମଗ୍ର ନାଗରିକ ଅଧିକାର ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ପଦଯାତ୍ରା ଓ ପ୍ରଦର୍ଶନ କରାଯାଇଛି ।

 

ସେହିପରି ଜମିବାଡ଼ି ବ୍ୟାପାରରେ ଭାଗଚାଷୀମାନେ ଭାଗ, ସଞ୍ଜା ଆଦିର ପରିମାଣ ଓ ଜମିର ଦଖଲ ସ୍ୱତ୍ୱ, ବେଦଖଲୀ ଆଦି ସମସ୍ୟା ନେଇ ନାନା ସଂଘର୍ଷ ଉପୁଜିଥାଏ ଓ ସେସବୁର ପ୍ରତିକାର ପାଇଁ ମଧ୍ୟ ସତ୍ୟାଗ୍ରହର ପ୍ରୟୋଗ କରାଯାଇପାରେ ଓ କରାଯାଇଛି । ଏ କଥା ସ୍ପଷ୍ଟ ଯେ ଏ ଧରଣର ଉପଲକ୍ଷ୍ୟ ସମାଜ ଜୀବନରେ ବହୁତ ମିଳିଥାଏ ।

 

ସାଧାରଣତଃ ଦେଖାଯାଏ ଯେ ଏଭଳି ବିରୋଧ ମୂଳରେ ସମାଜରେ ସାଧାରଣ ଭାବରେ ପ୍ରଚଳିତ କୌଣସି ଅନୀତି, ଅନ୍ୟାୟ ପୂର୍ଣ୍ଣ ମୂଲ୍ୟବୋଧ ବା ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ବା ସମ୍ପର୍କ ଥାଏ । ଉଦାହରଣ ସ୍ୱରୂପ ଦୁଇ ଜଣ ଚାଷୀଙ୍କ ଭିତରେ କୌଣସି ଏକ ଜମିର ଦଖଲ ଅଧିକାର ନେଇ ବିବାଦ ଏକ ବିଚ୍ଛିନ୍ନ ଓ ସାମୟିକ ଘଟଣା ବୋଲି କୁହାଯାଇପାରେ । ମାତ୍ର ଭାଗଚାଷୀମାନେ ଚାଷ କରୁଥିବା ଜମି ଉପରେ ସେମାନଙ୍କର ଦଖଲ ସ୍ୱତ୍ୱ ନେଇ ଦେଶରେ ପ୍ରତିଦିନ ହଜାର ହଜାର ବିବାଦ ଘଟୁଛି ଓ ହଜାର ହଜାର ଭାଗଚାଷୀଙ୍କୁ ଉଚ୍ଛେଦ କରାଯାଉଛି । ଏହା ମୂଳରେ ଜମିର ଅନ୍ୟାୟପୂର୍ଣ୍ଣ ବଣ୍ଟନ ଓ ମାଲିକାନା ସମ୍ବନ୍ଧରେ ଅନ୍ୟାୟ ମାନ୍ୟତା ରହିଛି । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଉଚିତ ବେତନ ନ ମିଳିବା ମୂଳରେ ପୁଞ୍ଜିବାଦର ଅନ୍ୟାୟପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ରହିଛି ଏ ଦେଶରେ ହରିଜନମାନଙ୍କର ସର୍ବସାଧାରଣ ସ୍ଥାନରେ ଚଳାଚଳ, ମନ୍ଦିର ପ୍ରବେଶ, କୂଅରୁ ପାଣି ନେବା ଆଦି ନେଇ ବାଧା ଓ ଆମେରିକାର ନିଗ୍ରୋମାନଙ୍କର ନାଗରିକ ଅଧିକାରର ଅଭାବ ମୂଳରେ ସମାଜରେ ବ୍ୟାପକ ଭାବରେ ବିସ୍ତାରଲାଭ କରିଥିବା ବିଷମତାର ଭାବନା, ଭ୍ରାନ୍ତ ମୂଲ୍ୟବୋଧ ରହିଛି । ସମାଜରେ ପ୍ରଚଳିତ ଏ ପ୍ରକାରର ଭ୍ରାନ୍ତ ମୂଲ୍ୟବୋଧ, କୁସଂସ୍କାର ବା ଅନ୍ୟାୟମୂଳକ ଧାରଣାକୁ ବଦଳାଇବା ପାଇଁ ଆନ୍ଦୋଳନ ମଧ୍ୟ ସତ୍ୟାଗ୍ରହ ପନ୍ଥାରେ ଚଳାଯାଇ ପାରେ ଓ ଚଳା ଯାଇଛି । ୧୯୩୩ରେ ଗାନ୍ଧିଜୀଙ୍କର ଅସ୍ପୃଶ୍ୟତା ବିରୋଧୀ ଅନଶନ ଏହି ପ୍ରକାରର ଥିଲା ।

 

ଜନସାଧାରଣ ବା ଗୋଷ୍ଠୀ ବିଶେଷକୁ କୌଣସି ଏକ କାମ କରିବାରୁ ବିରତ କରାଇବା ପାଇଁ ମଧ୍ୟ ସତ୍ୟାଗ୍ରହର ପ୍ରୟୋଗ ହୋଇପାରେ, ଯଥା ନିଶାଖୋରମାନଙ୍କୁ ନିଶା ଛଡ଼ାଇବା ପାଇଁ । ଯୁଦ୍ଧ ବିରୋଧୀ ସତ୍ୟାଗ୍ରହ ଓ ପରମାଣୁ ଅସ୍ତ୍ର ବିରୋଧୀ ଆନ୍ଦୋଳନ ମଧ୍ୟ ଏହି ପର୍ଯ୍ୟାୟରେ ପଡ଼ିବ-

 

ଏହିରୂପେ ସତ୍ୟାଗ୍ରହର ଉପଲକ୍ଷ୍ୟକୁ ମୋଟାମୋଟି ପାଞ୍ଚ ଭାଗ କରାଯାଇପାରେ । ଏକରେ ସଶସ୍ତ୍ର ଯୁଦ୍ଧର ବିକଳ୍ପ ସ୍ୱରୂପ, ଦୁଇରେ ଅନୀତିମୂଳକ ଆଇନ ବା ସମାଜବ୍ୟବସ୍ଥା କବଳରୁ ଆତ୍ମସମ୍ମାନ, ମାନବିକ ପ୍ରତିଷ୍ଠା ବା ଜୀବିକାର ସାଧନ ରକ୍ଷା କରିବାପାଇଁ ଆତ୍ମରକ୍ଷାମୂଳକ ସତ୍ୟାଗ୍ରହ, ତିନିରେ ସରକାର, ମାଲିକ ବା ଅନ୍ୟ କ୍ଷମତା ବା ସମ୍ପତ୍ତିଧାରୀ ଗୋଷ୍ଠୀଠାରୁ କୌଣସି ଖାସ ଦାବି ହାସଲ ଉଦ୍ଦେଶ୍ୟରେ, ଚାରିରେ ସମାଜରେ ପ୍ରଚଳିତ ବ୍ୟାପକ ଅନ୍ୟାୟ ବା ଭ୍ରାନ୍ତ ମୂଲ୍ୟବୋଧର ନିରାକରଣ ପାଇଁ ଓ ପାଞ୍ଚରେ ସମାଜକୁ ବା କୌଣସି ଗୋଷ୍ଠୀକୁ କୌଣସି ଅନୁଚିତ ମନେ କରାଯାଉଥିବା କାମରୁ ବିରତ କରିବା ନିମନ୍ତେ ।

 

ସତ୍ୟାଗ୍ରହର ଏହି ପାଞ୍ଚ ପ୍ରକାର ଉପଲକ୍ଷ୍ୟ ସାଙ୍ଗକୁ ଆମେ ଗାନ୍ଧିଜୀଙ୍କ ସମୟରୁ ସତ୍ୟାଗ୍ରହର ନିମ୍ନ ପ୍ରକାରର ରୂପଗୁଡ଼ିକ ଦେଖିବାକୁ ପାଉଁ:—ଅସହଯୋଗ, ଆଇନ ଅମାନ୍ୟ, ଧର୍ମଘଟ, ପିକେଟିଂ, ପଦଯାତ୍ରା ଓ ଉପବାସ । ଯଦି ପିକେଟିଂ ଉପରେ ନିଷେଧାଜ୍ଞା ଥାଏ ତେବେ ତାହା ଆଇନ ଅମାନ୍ୟର ଅନ୍ତର୍ଭୁକ୍ତ ହୋଇଯାଏ । କିନ୍ତୁ ନିଷେଧାଜ୍ଞା ନଥାଇ ତାହା ଚଳାଇବାର ସ୍ୱାଧୀନତା ଥିଲେ ତାହା ଏକ ସ୍ୱତନ୍ତ୍ର ପ୍ରକାରର ସତ୍ୟାଗ୍ରହ ଭିତରେ ଗଣ୍ୟ ହୋଇପାରେ । ସତ୍ୟାଗ୍ରହ ସିଦ୍ଧାନ୍ତ ଅନୁସାରେ ଚଳା ଯାଇଥିବା ଧର୍ମଘଟ ମଧ୍ୟ ସତ୍ୟାଗ୍ରହର ଆଉ ଏକ ପ୍ରକାର ହୋଇପାରେ । ବ୍ୟାପକ ବିଚାର ପ୍ରଚାରକୁ ବିନୋବାଜୀ ସତ୍ୟାଗ୍ରହର ଆଉ ଏକ ରୂପ ଓ ସବୁ ପ୍ରକାର ପ୍ରତ୍ୟକ୍ଷ ପଦକ୍ଷେପର ମୂଳରେ ରହିଥିବା ସତ୍ୟାଗ୍ରହର ବୁନିଆଦ ବୋଲି ବୁଝାଇଛନ୍ତି ଓ ନିଜର ଦୃଷ୍ଟାନ୍ତ ଦ୍ୱାରା ଦର୍ଶେଇ ମଧ୍ୟ ଦେଇଛନ୍ତି । ଏହାର ଆଲୋଚନା ପରେ ଯଥା ସ୍ଥାନରେ କରାଯିବ ।

 

ଗାନ୍ଧିଜୀଙ୍କର ପରବର୍ତ୍ତୀ ଯୁଗରେ ବିନୋବାଜୀଙ୍କର ହିଁ ସତ୍ୟାଗ୍ରହର ତାତ୍ତ୍ୱିକ ବିଶ୍ଳେଷଣ ଓ ବ୍ୟାବହାରିକ ପ୍ରୟୋଗରେ ବୃହତ୍ତମ ଅବଦାନ ରହିଛି । ତାଙ୍କର ବିଶ୍ଳେଷଣ ଅନୁସାରେ ସତ୍ୟାଗ୍ରହ ମୁଖତଃ ଦୁଇ ପ୍ରକାରର, ନୈତିମୂଳକ ବା ନିଷେଧାତ୍ମକ (ନେଗେଟିଭ) ଓ ମୂଳ ବିଧିକ ବା ବିଧାୟକ । ବିନୋବାଜୀଙ୍କର ଅନ୍ୟ ବିଶିଷ୍ଟ ଅବଦାନ ହେଲା ସତ୍ୟାଗ୍ରହର ପ୍ରକ୍ରିୟାରେ ସୌମ୍ୟ, ସୌମତର, ସୌମ୍ୟତମର କ୍ରମିକ ସୋପାନର ବ୍ୟାଖ୍ୟା ।

 

ବିଧାୟକ ଓ ନିଷେଧାତ୍ମକ, ଏ ପ୍ରକାରର ଭେଦର ମୂଳ କଥା ହେଲା ଯେ ଆମେ ଯେତେବେଳେ କାହାରି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁ ସେତେବେଳେ ଏ ଉଦ୍ୟମର ଉଦ୍ଦେଶ୍ୟ ଦୁଇ ପ୍ରକାର ଭିତରୁ ଯେଉଁଟା ହେଲେ ଗୋଟାଏ ହୋଇଥାଏ । ଆମେ ତାଙ୍କୁ କୌଣସି କାମରେ ପ୍ରବୃତ୍ତ ହେବା ପାଇଁ ପ୍ରେରଣା ଦେବାକୁ ଚେଷ୍ଟା କରୁ ବା କୌଣସି କାମରୁ ନିବୃତ୍ତ ହେବା ପାଇଁ । ଯୁଦ୍ଧ ଲାଗିଛି ଓ ଆମେ ଚାହୁଁ ଯେ ଯୁବକମାନେ ଲକ୍ଷ୍ୟ ସଂଖ୍ୟାରେ ସୈନ୍ୟ ବାହିନୀରେ ଯୋଗ ଦିଅନ୍ତୁ ଏଥିପାଇଁ ଯେଉଁ ଉଦ୍ୟମ କରାଯିବ ତାହା ହେବ ବିଧାୟକ ପ୍ରେରଣା ସୃଷ୍ଟି କରିବାର ଉଦାହରଣ । ଅନ୍ୟ ପକ୍ଷରେ କୌଣସିଠାରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଚାଲିଛି ଓ ଆମେ ଲୋକଙ୍କୁ ସେଥିରୁ ବିରତ କରିବାକୁ ଚାହୁଁ । ଏହାର ଉଦ୍ୟମ ହେବ ନିଷେଧାତ୍ମକ ପ୍ରକ୍ରିୟାର ନମୁନା । ସତ୍ୟାଗ୍ରହର ମଧ୍ୟ ସେହିପରି ଦୁଇ ପ୍ରକାର ଉଦ୍ଦେଶ୍ୟ ଥାଇପାରେ ।

 

ଭାଗଚାଷୀକୁ ମାଲିକ ବେଦଖଲ ନକରୁ, ଏ ଉଦ୍ଦେଶ୍ୟ ହେଲା ନିଷେଧାତ୍ମକ ଓ ସେଥିପାଇଁ କରାଯାଇଥିବା ସତ୍ୟାଗ୍ରହ ମଧ୍ୟ । ମାଲିକ ତାର ଜମିର ଗୋଟିଏ ଭାଗ ଭୂମିହୀନକୁ ଦେଉ, ଏ ଉଦ୍ଦେଶ୍ୟ ଓ ସେଥିପାଇଁ କରାଯିବା ସତ୍ୟାଗ୍ରହ ହେଲା ବିଧାୟକ ।

 

ବିନୋବାଜୀଙ୍କର ବିଶ୍ଳେଷଣ ଅନୁସାରେ ଗାନ୍ଧିଜୀଙ୍କର ଯୁଗରେ ଅଧିକାଂଶ ସତ୍ୟାଗ୍ରହ ନିଷେଧାତ୍ମକ ହିଁ ଥିଲା । ଏପରି ହେବାଛଡ଼ା ଉପାୟ ବି ନଥିଲା । ଇଂରେଜମାନଙ୍କ ଶାସନ ଆମେ ମାନିବୁ ନାହିଁ, ଚମ୍ପାରଣରେ ନୀଳ କୋଠୀର ସାହେବମାନେ ଚାଷୀମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରନ୍ତୁ, ଖେଡ଼ ବା ବରଡ଼ୋଲୀର ଚାଷୀଙ୍କଠାରୁ ଚଢ଼ା ଖଜଣା ଆଦାୟ ନ ହେଉ, ଲୋକେ ବିଦେଶୀ ଲୁଗା ନ କିଣନ୍ତୁ, ମଦ ନ ଖାନ୍ତୁ ଇତ୍ୟାଦି ଉଦ୍ଦେଶ୍ୟମାନ ଓ ସେଥିପାଇଁ କରାଯାଇଥିବା ସତ୍ୟାଗ୍ରହ ନିଷେଧାତ୍ମକ ଥିଲା ।

 

ଛୁଆଁ ଅଛୁଁଆ ଉଠାଇବା ପାଇଁ ଓ ହିନ୍ଦୁ ମୁସଲମାନ ଏକତା ପାଇଁ ଗାନ୍ଧିଜୀ ଯେଉଁ ଆନ୍ଦୋଳନ କଲେ ଓ ବିଶେଷ କରି ଅନଶନ କରିଥିଲେ ତାହା ଗାନ୍ଧିଜୀଙ୍କ ଦ୍ୱାରା କରାଯାଇଥିବା ବିଧାୟକ ସତ୍ୟାଗ୍ରହ ଭିତରେ ସର୍ବପ୍ରଧାନ । ଅନେକଙ୍କର ମନେଥିବ ୧୯୩୨ ସେପ୍‌ଟେମ୍ବର ମାସରେ ଗାନ୍ଧିଜୀ ଅସ୍ପୃଶ୍ୟତା ବିରୋଧରେ ଅନଶନ ଆରମ୍ଭ କରିବାମାତ୍ରେ ସାରା ଦେଶରେ କିଭଳି ଚହଳ ପଡ଼ି ଯାଇଥିଲା । କିଭଳି ଲକ୍ଷ ଲକ୍ଷ ସଂଖ୍ୟକ ସବର୍ଣ୍ଣ ହରିଜନମାନଙ୍କ ସହିତ ମୈତ୍ରୀ କରିବାକୁ ଆଗଭର ହୋଇଥିଲେ, ହଜାର ହଜାର ସ୍ଥାନରେ ସବର୍ଣ୍ଣ ଓ ହରିଜନଙ୍କର ସହଭୋଜନର ଆୟୋଜନ ହୋଇଥିଲା । ସବର୍ଣ୍ଣମାନେ ହରିଜନ ବସ୍ତି ଓ ପାଇଖାନା ସଫେଇ କାମ ସ୍ୱତଃପ୍ରବୃତ୍ତ ହୋଇ କରିଥିଲେ । କେତେ ମନ୍ଦିର ମଧ୍ୟ ହରିଜନଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା । ସୁବର୍ଣ୍ଣମାନେ ଯୁଗ ଯୁଗ ଧରି ହରିଜନଙ୍କ ପ୍ରତି ଯେଉଁ ଅନ୍ୟାୟ କରି ଆସିଥିଲେ ଗାନ୍ଧିଜୀଙ୍କ ଅନଶନ ଫଳରେ ତାହା ସେମାନଙ୍କ ଭିତରୁ କେତେ ଉପଲବ୍‌ଧି କରି ପାରିଥିଲେ ଓ ସେ ଅନ୍ୟାୟର ପ୍ରାୟଶ୍ଚିତ୍ତ କରିବା, ସେଥିରୁ ନିଜକୁ ମୁକ୍ତ କରିବାର ଏକ ତୀବ୍ର ପ୍ରେରଣା ନିଜ ନିଜ ଅନ୍ତରରୁ ଅନୁଭବ କରିଥିଲେ । ଯାହାପ୍ରତି ସତ୍ୟାଗ୍ରହର ପ୍ରୟୋଗ କରାଯାଉଛି ତାହାରି ଅନ୍ତର ଭିତରେ ସତ୍‌ କର୍ମ କରିବାର ଶୁଭ ପ୍ରେରଣା ଜାଗ୍ରତ କରାଇବା ହିଁ ବିଧାୟକ ସତ୍ୟାଗ୍ରହର ଲକ୍ଷ୍ୟ ।

 

୧୯୨୪ରେ ଗାନ୍ଧିଜୀ ହିନ୍ଦୁ ମୁସଲମାନ ଏକତା ପାଇଁ ଯେଉଁ ଏକୋଇଶ ଦିନିଆ ଉପବାସ କରିଥିଲେ ତାହାର ଗଭୀର ପ୍ରଭାବ ରାଷ୍ଟ୍ରର ଜୀବନ ଉପରେ ପଡ଼ିଥିଲେ ମଧ୍ୟ ତାର ତତ୍‌କାଳିକ ପରିଣାମ ସେଭଳି କିଛି ଦେଖା ଯାଇ ନଥିଲା । ମାତ୍ର ୧୯୪୭ରେ କଲିକତାଠାରେ ସାମ୍ପ୍ରଦାୟିକ ଏକତା ପାଇଁ ତାଙ୍କର ଆମରଣ ଅନଶନର ଆଲୌକିକ ପ୍ରଭାବ ସାରା ସହର ଉପରେ ଯେପରି ଭାବରେ ପଡ଼ିଥିଲା ତାହା ଯେଉଁମାନେ ଦେଖିଛନ୍ତି ଚମତ୍କୃତ ହୋଇଛନ୍ତି । ହିନ୍ଦୁ, ଶିଖ, ମୁସଲମାନ ସବୁ ସମ୍ପ୍ରଦାୟର ସମସ୍ତ ସାଧାରଣ ଜନତାର ହୃଦୟରୁ କ୍ରୋଧ ଓ ଦ୍ୱେଷର ଆବେଗ ଯେଭଳି ଭାବରେ ଜାଣି ମନ୍ତ୍ରବଳରେ ଉଭେଇଗଲା ଓ ସେମାନଙ୍କ ଅବଦମିତ ମାନବିକତା ପୁଣି ଜାଗି ଉଠିଲା ଓ ସେମାନେ ଯେପରି ଭାବରେ ପରସ୍ପର ପ୍ରତି ମୈତ୍ରୀ ଓ ସଦ୍ଭାବପୂର୍ଣ୍ଣ ଆଚରଣ କରିବାକୁ ଆରମ୍ଭ କଲେ ତାହା ବାସ୍ତବରେ ସତ୍ୟାଗ୍ରହର ଏକ ଅଦ୍ଭୁତପୂର୍ବ ବିଜୟ ଥିଲା ।

 

ସେ ସମୟରେ ଯେଉଁ ମଦ ଦୋକାନ ଓ ବିଦେଶୀ ଲୁଗା ଦୋକାନରେ ପିକେଟିଂ ହେଉଥିଲା ତାହାର ଉଭୟ ପ୍ରକାରର ବିଭାବ ଥିଲା । ଗୋଟାଏ ଦିଗରେ ସରକାରଙ୍କର ନିଷେଧାଜ୍ଞାର ଅବମାନନା ଦ୍ୱାରା ତାହା ପ୍ରତିରୋଧମୂଳକ ଓ ନିଷେଧାତ୍ମକ ରୂପ ଧରୁଥିବା ବେଳେ ଅନ୍ୟ ଦିଗରେ ଜନସାଧାରଣଙ୍କ ଭିତରେ ବିଦେଶୀ ଲୁଗା ଓ ନିଶା ପ୍ରତି ବିତୃଷ୍ଣା ସୃଷ୍ଟି କରୁଥିଲା ଓ ଅଗଣିତ ବ୍ୟକ୍ତିଙ୍କୁ ଏସବୁ ତ୍ୟାଗକରିବାପାଇଁ ପ୍ରେରଣା ଯୋଗାଇ ଥିଲା । ଲକ୍ଷ୍ୟ କରିବାର କଥା ଯେ ବିଦେଶୀ ଲୁଗା ଦୋକାନରେ ପିକେଟିଂ ସାଙ୍ଗେ ସାଙ୍ଗେ ଗାନ୍ଧିଜୀ ଖଦିର ପ୍ରଚାର କରାଯିବା ଉପରେ ଜୋର ଦେଇଥିଲେ । କେବଳ ବିଦେଶୀ ଲୁଗା ବର୍ଜନ ନୁହେଁ ଖଦି ଗ୍ରହଣର ପ୍ରେରଣା ସେ ଜନସାଧାରଣଙ୍କ ଅନ୍ତରରେ ଜାଗ୍ରତ କରାଇବାକୁ ଚାହୁଁଥିଲେ । ବସ୍ତୁତଃ ବିନୋବାଜୀଙ୍କ ବିଶ୍ଳେଷଣ ଅନୁସାରେ ଗାନ୍ଧିଜୀଙ୍କର ପ୍ରବର୍ତ୍ତିତ ରଚନାତ୍ମକ କାର୍ଯ୍ୟକ୍ରମର ପ୍ରଚାର ମଧ୍ୟ ଏକ ଧରଣର ବିଧାୟକ ସତ୍ୟାଗ୍ରହ ଥିଲା ବୋଲି କୁହାଯାଇପାରେ । ସମଗ୍ର ସତ୍ୟାଗ୍ରହର କର୍ମପନ୍ଥାର ଯେ ତାହା ଏକ ଅବିଭାଜ୍ୟ ଅଙ୍ଗ ଥିଲା ଏକଥା ଗାନ୍ଧିଜୀ ବାରମ୍ବାର ଜୋର ଦେଇ ବୁଝାଇଛନ୍ତି । ଏପରିକି ରଚନାତ୍ମକ କାମ ସମ୍ପୂର୍ଣ୍ଣ ସଫଳ କରିପାରିଲେ ସ୍ୱରାଜ୍ୟ ପାଇଁ ଆଇନ ଅମାନ୍ୟ ସୁଦ୍ଧା କରିବାକୁ ପଡ଼ିବନାହିଁ ବୋଲି ସେ କହିଛନ୍ତି ।

 

ବିନୋବାଜୀଙ୍କର ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନ ମଧ୍ୟ ବିଧାୟକ ସତ୍ୟାଗ୍ରହର ଏକ ପ୍ରକୃଷ୍ଟ ଉଦାହରଣ । ଜମି ମାଲିକମାନଙ୍କୁ ବୁଝାଇଲେ ସେମାନେ ନିଜ ଜମିର ଭାଗ ଭୂମିହୀନକୁ ଦେବେ, ଏଇ ଶ୍ରଦ୍ଧା ରଖି ସେ ଜମି ମାଗିବା ଆରମ୍ଭ କଲେ ଓ ତାହାର ବିଶାଳ ଓ ବ୍ୟାପକ ପରିଣାମ ଆଜି ଦେଶବ୍ୟାପୀ ଦେଖିବାକୁ ମିଳୁଛି । ଭୂଦାନ ଆନ୍ଦୋଳନ ଜରିଆରେ ସାରାଦେଶର ବହୁ ଲକ୍ଷ ଦାତାଙ୍କଠାରୁ ଚୌରାଳିଶ ଲକ୍ଷ ଏକର ଜମି ସ୍ୱେଚ୍ଛାକୃତ ଦାନ ଭାବରେ ମିଳିଥିଲା । ଏବେ ଏକ ଲକ୍ଷରୁ ଅଧିକ ଗାଁର ପ୍ରାୟ ଅଶିଲକ୍ଷ ଜମି ମାଲିକ ଗ୍ରାମଦାନ ମାଧ୍ୟମରେ ନିଜନିଜର ମାଲିକାନା ସ୍ୱତ୍ୱ ଗାଁ ସମାଜକୁ ଅର୍ପଣ କରିଛନ୍ତି ଓ ଅନ୍ୟୂନ କୋଡ଼ିଏ ଭାଗରୁ ଭାଗେ ଜମି ଭୂମିହୀନଙ୍କୁ ଦେବାକୁ ସମ୍ମତ ହୋଇଛନ୍ତି ।

 

ବିନୋବାଜୀଙ୍କ ବିଚାରରେ ଗାନ୍ଧିଜୀଙ୍କ ପରବର୍ତ୍ତୀ ଯୁଗରେ ତିନୋଟି ବଡ଼ ପରିବର୍ତ୍ତନ ଘଟିଛି । ଯେଉଁଥିଯୋଗୁଁ ନିଷେଧାତ୍ମକ ସତ୍ୟାଗ୍ରହର ଆବଶ୍ୟକତା ବହୁତ ଊଣା ହୋଇଯାଇଛି ଓ ବିଧାୟକ ସତ୍ୟାଗ୍ରହ ହିଁ ସାଧାରଣ ଭାବରେ ଆବଶ୍ୟକ ହୋଇ ପଡ଼ିଛି । ଏ ତିନୋଟି କଥାହେଲା ୧) ଭାରତର ସ୍ୱାଧୀନତା ଲାଭ, ୨) ଏଠାରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ଓ ୩) ପରମାଣୁ ଶକ୍ତିର ବିକାଶ ।

 

ଏ ପରିବର୍ତ୍ତିତ ପରିସ୍ଥିତିରେ ବିସ୍ତୃତ ବିଚାର ପରେ କରାଯିବ, ମାତ୍ର ଏଠି ଗୋଟିଏ ପ୍ରଶ୍ନ ପାଠକଙ୍କ ମନରେ ଉଠିବା ସ୍ୱାଭାବିକ । ସତ୍ୟାଗ୍ରହର ଲକ୍ଷ୍ୟ ବିରୋଧୀ ପକ୍ଷର ହୃଦୟ ପରିବର୍ତ୍ତନ, ଏକଥା ତ ଗାନ୍ଧିଜୀ ହିଁ ବାରମ୍ବାର ଜୋର ଦେଇ କହିଛନ୍ତି । ତେବେ କଣ ସେ ହୃଦୟ ପରିବର୍ତ୍ତନ ଅପେକ୍ଷା ଚାପ ପକେଇବା ଉପରେ ବେଶି ଦୃଷ୍ଟି ଦେଉଥିଲେ ? ସାମନାରେ ଥିବା ଲୋକଙ୍କର ଅନ୍ତର ଭିତରେ ସତ୍‌ର ପ୍ରେରଣା ଦେବା ତ ସମସ୍ତ ସତ୍ୟାଗ୍ରହର ଉଦ୍ଦେଶ୍ୟ । ପୁଣି ବିଧାୟକ ସତ୍ୟାଗ୍ରହର ହିଁ ଏହା ଲକ୍ଷ୍ୟ ବୋଲି ବିନୋବାଜୀ କହିବାର ଅର୍ଥ କଣ ଏହାହିଁ ଯେ ସେ ଯାହାକୁ ନିଷେଧାତ୍ମକ ସତ୍ୟାଗ୍ରହ କହୁଛନ୍ତି ସେଥିରେ ଏଭଳି ହୃଦୟ ପରିବର୍ତ୍ତନ ଲକ୍ଷ୍ୟ ନଥିଲା ?

 

ଏ ପ୍ରଶ୍ନର ଆଲୋଚନା ପର ଅଧ୍ୟାୟରେ କରାଯିବ ।

Image

 

(ସାତ)

ନିଷେଧାତ୍ମକ ସତ୍ୟାଗ୍ରହ କ’ଣ ଓ କାହିଁକି

 

୧୯୨୨ରେ ଗାନ୍ଧିଜୀଙ୍କ ସହିତ ଦୀନବନ୍ଧୁ ଏଣ୍ଡ୍ରୁଜଙ୍କର ଏକ ଚିତ୍ତାକର୍ଷକ ପତ୍ରାଳାପ ହୋଇଥିଲା । ଇଂରେଜ ସରକାର ବିରୁଦ୍ଧରେ ସେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରାଯାଇଥାଏ । ଇଂରେଜ ସରକାରର କୋର୍ଟ କଚେରୀ, ସ୍କୁଲ କଲେଜ ଓ ସରକାର ପ୍ରଦତ୍ତ ପଦବୀ ତ୍ୟାଗ କରିବା ପାଇଁ ଗାନ୍ଧିଜୀ ଡାକ ଦେଉଥାନ୍ତି । ସାଙ୍ଗେ ସାଙ୍ଗେ ବିଦେଶୀ ଲୁଗା ବୟକଟ ମଧ୍ୟ ଆରମ୍ଭ ହୋଇଥାଏ । ଠାକୁ ଠା ବିଦେଶୀ ଲୁଗାର ଅଗ୍ନି ଜଳା ଯାଉଥାଏ । ଖୋଦ୍‌ ଗାନ୍ଧିଜୀ କେତେ ଯାଗାରେ ଏ ଅଗ୍ନିତ୍‍ତ୍ସବରେ ପୌରହିତ୍ୟ କରୁଥାନ୍ତି ।

 

ଏହା ବିରୋଧରେ ସେତେବେଳେ ଗୁରୁଦେବ ରବିନ୍ଦ୍ରନାଥ ପ୍ରତିବାଦ କରିଥିଲେ । ଯେଉଁ ଦେଶରେ କୋଟି କୋଟି ଲୋକ ଲୁଗା ଅଭାବରେ ଅର୍ଦ୍ଧନଗ୍ନ ରହୁଛନ୍ତି ସେଠି ଏସବୁ ଲୁଗା ତାଙ୍କୁ ନ ଦେଇ ପୋଡ଼ିଦେବାରେ କି ଦେଶପ୍ରେମ ଓ ଅହିଂସା ଅଛି ବୋଲି ଗୁରୁଦେବଙ୍କର ପ୍ରଶ୍ନ ଥିଲା । ଦୀନବନ୍ଧୁ ଏଣ୍ଡ୍ରୁଜ ମଧ୍ୟ ଏହି ମର୍ମରେ ଏକ ପତ୍ର ଗାନ୍ଧିଜୀଙ୍କୁ ଲେଖିଥିଲେ । ଗାନ୍ଧିଜୀ ତାର ଜବାବରେ ଲେଖିଲେ—

 

‘‘ଆଜି ଭାରତରେ କଳାଗୋରା ବିଦ୍ୱେଷ ପୂରି ରହିଛି । ଲୋକଙ୍କର ମନ୍ଦ ପ୍ରବୃତ୍ତିକୁ ମୁଁ ଅତି କଷ୍ଟରେ ଆୟତ୍ତରେ ରଖିପାରୁଛି । ଜନସାଧାରଣ ଦୁର୍ବଳ ହୋଇଥିବାରୁ ଓ ନିଜର ଦୁର୍ବଳତାରୁ ମୁକ୍ତ ହେବାର ଉପାୟ ଜାଣି ନଥିବାରୁ ସେମାନଙ୍କ ଭିତରେ ବିଦ୍ୱେଷ ପୂରି ରହିଛି । ଏହି ବିଦ୍ୱେଷକୁ ମୁଁ ମଣିଷଙ୍କ ପରିବର୍ତ୍ତେ ବସ୍ତୁ ପ୍ରତି ଚାଳିତ କରୁଛି ।’’ (ୟଂ ଇଣ୍ଡିଆ ୧ । ୯ । ୨୧) ।

 

ଏହି ଶେଷ ବାକ୍ୟଟିରେ ‘ନିଷେଧାତ୍ମକ’ ସତ୍ୟାଗ୍ରହର ରହସ୍ୟ ରହିଛି ।

 

ଇଂରେଜ ଅମଳରେ ଭାରତରେ ସାଧାରଣ ଜନତା ଅତି ମାତ୍ରାରେ ଭୟଭୀତ ହୋଇ ରହିଥିଲେ । ଇଂରେଜଙ୍କ ପୂର୍ବରୁ ରାଜା ବାଦଶାହାମାନଙ୍କ ଅମଳରେ ମଧ୍ୟ ସାଧାରଣ ଲୋକଙ୍କୁ କମ୍‌ ଉତ୍‌ପୀଡ଼ନ ସହିବାକୁ ପଡ଼ୁନଥିଲା । ମାତ୍ର ଇଂରେଜଙ୍କ ଅମଳରେ ତାହା ଚରମରେ ପହଞ୍ଚିଲା-। ଇଂରେଜ ଶାସକ ଆଧୁନିକ ଯାନବାହାନ ଦ୍ୱାରା ଦେଶର ଅନ୍ଦିକନ୍ଦିରେ ପହଞ୍ଚି ଆଧୁନିକ ଧରଣର ସାମରିକ ଓ ପୁଲିସ ସଂଗଠନ ଓ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଯେଉଁଭଳି ଆତଙ୍କର ପ୍ରସାର ଏ ଦେଶରେ କଲେ ତାର ତୁଳନା ପୂର୍ବ ଇତିହାସରେ ନାହିଁ । ଓଡ଼ିଶାର ଜଣେ ବିଶିଷ୍ଟ ଜନସେବା ଅସହଯୋଗ ଆନ୍ଦୋଳନ ଅମଳରେ ଏହି କୋକୁଆ ଭୟକୁ ବିଦ୍ରୂପ କରି କହୁଥିଲେ ଯେ କଟକ ଜୋବ୍ରା କାରଖାନାର ଉଚ୍ଚ ଚେମଣୀ ‘ଜୋବ୍ରା ଖୁଣ୍ଟ’ ଉପରେ ଯଦି ଗୋଟାଏ ନାଲି ପଗଡ଼ି ଥୋଇ ଦିଆଯିବ ତେବେ ଯେତେଦୂର ଯାଏ ତାହା ଦେଖାଯିବ ସେତେଦୂର ଯାଏ ଲୋକେ ଭୟରେ ଶାନ୍ତଶିଷ୍ଟ ହୋଇ ରହିବେ ।

 

ଏହି ସର୍ବଗ୍ରାସୀ ଆତଙ୍କକୁ ଲୋପ କରିବା ଥିଲା ସ୍ୱରାଜ୍ୟ ଲାଭ ଦିଗରେ ଆବଶ୍ୟକ ପ୍ରଥମ ପଦକ୍ଷେପ । ଅଭୟ ସବୁ ଗୁଣର ରାଜା । ଏହା ବିନା କୌଣସି ଗୁଣର ବିକାଶ ସମ୍ଭବ ନୁହେଁ-। ଏହା ବିନା ମଣିଷ ମଣିଷ ହିଁ ହୋଇ ପାରେନା । ଯେପରି ହିଂସାତ୍ମକ ଯୁଦ୍ଧ ପାଇଁ ସେହିପରି ଅହିଂସା ପ୍ରତିରୋଧ ପାଇଁ ମଧ୍ୟ ନିର୍ଭୟତା ଲୋଡ଼ା । ମାତ୍ର ବହୁକାଳ ଧରି ଉତ୍‌ପୀଡ଼ନ ନିପୀଡ଼ନ ତଳେ ଚପି ରହିଥିବା ମଣିଷ ମନରେ ବହୁତ କ୍ରୋଧ, ବହୁତ ଦ୍ୱେଷ ମଧ୍ୟ ସଞ୍ଚିତ ହୋଇ ରହିଥାଏ । ସମୁଦ୍ର ମନ୍ଥନରେ ଯେପରି ପ୍ରଥମେ ବିଷ ଉଠିଲା ଓ ତା’ପରେ ଅମୃତ, ସେହିପରି ମଣିଷର ଶୋଇ ରହିଥିବା ମନ ତାର ଅବଦମିତ ଭାବନା ଯେତେବେଳେ ଚେଇଁ ଉଠେ ସେତେବେଳେ ଚପି ରହିଥିବା କ୍ରୋଧ ଓ ଦ୍ୱେଷ ହିଁ ପ୍ରଥମେ ଉପରକୁ ଉଛୁଳି ଉଠେ । ମଣିଷ ବୁଦ୍ଧି ଓ ବିବେକ ଦ୍ୱାରା ଏହାକୁ ଆୟତ୍ତ କରିପାରେ । ଏ ବିଷକୁ ହଜମ କରିଦେଇ ପାରେ, କିନ୍ତୁ ସବୁଟା ନୁହେଁ । ପୁଣି ସେଥିପାଇଁ ସମୟ ମଧ୍ୟ ଭାଗେ । ଏହି ଉଛୁଳି ଉଠୁଥିବା ଭାବାବେଳକୁ କୌଣସି ଅଣ-ହାନିକର ବା କମ୍‌ ହାନିକର ଢଙ୍ଗରେ ଆତ୍ମପ୍ରକାଶ କରିବାକୁ ଦେଇ ମଣିଷ ତାହାର ପ୍ରଭାବରୁ ମୁକ୍ତ ହୋଇପାରେ-

 

ଭାରତବାସୀଙ୍କର ଭୟ ଭାଙ୍ଗିବାକୁ ଯାଇ ଗାନ୍ଧିଜୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଏହାକୁ ସେ ଗୋରାଲୋକ ବା ସେମାନଙ୍କର ସମ୍ପତ୍ତି ପରିବର୍ତ୍ତେ ବିଦେଶୀ ଲୁଗା ପ୍ରତି ପରିଚାଳିତ ହେବାକୁ ଦେବାଟା ନିରାପଦ ମନେ କଲେ ।

 

ଗାନ୍ଧିଜୀଙ୍କ ଆଗରେ କେବଳ ଇଂରେଜମାନଙ୍କର ହୃଦୟ ପରିବର୍ତ୍ତନର ନୁହେଁ, ଭାରତବାସୀଙ୍କର ମନ ପରିବର୍ତ୍ତନ ବି ସମସ୍ୟା ଥିଲା । ଇଂରେଜମାନଙ୍କର ତ ହୃଦୟ ବଦଳିବ ସେମାନେ ଭାରତ ଛାଡ଼ି ଯିବେ, ମାତ୍ର ଭାରତବାସୀଙ୍କର ମନ ପରିବର୍ତ୍ତନ କଣ ପାଇଁ ? ଏଥିପାଇଁ ଯେ ସେମାନେ ସ୍ୱରାଜ୍ୟ ଅର୍ଜନର ସାମର୍ଥ୍ୟ ଅର୍ଜନ କରିବେ । ଏଥିପାଇଁ ଲୋଡ଼ାଥିଲା ଭୟମୁକ୍ତି, ସଂକୁଚିତତା ଓ ଜଡ଼ତାରୁ ମୁକ୍ତି ଓ ଆହୁରି ଅନେକ କିଛି ଗୁଣର ବିକାଶ ।

 

ଗାନ୍ଧିଜୀଙ୍କର ଅନେକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲୋକଙ୍କର ଭୟ ଭାଙ୍ଗିବା । ୧୯୨୨ରେ ଅସହଯୋଗରେ କେବଳ ମାତ୍ର ପ୍ରସାର ହିଁ ଥିଲା ଭୟ ଭାଙ୍ଗିବାର ପ୍ରଥମ ସୋପାନ । ସଭାରେ ଛିଡ଼ା ହୋଇ ଇଂରେଜ ସରକାରର, ନିନ୍ଦା କରିବା ଓ ସେ ସଭାରେ ଯୋଗ ଦେଇ ଏହା ଶୁଣିବା, ସେ ଯୁଗରେ କମ୍‌ ସାହସର କାମ ନ ଥିଲା । ତାହା ପୂର୍ବରୁ କଂଗ୍ରେସ ନେତାମାନେ ଆଇନକୁ ବଞ୍ଚାଇ ନାନା ପ୍ରକାର ମାରପେଞ୍ଚ ରଖି ସାଧାରଣରେ କଥା କହୁଥିଲେ ଓ ଲେଖୁଥିଲେ । ତିଳକ ମହାରାଜଙ୍କପରି କେହି କେହି ମହାନ ନେତା ହିଁ ଇଂରେଜ ସରକାରର ଅସ୍ତିତ୍ୱକୁ ସିଧା ସଳଖ ଚ୍ୟାଲେଞ୍ଜ କରୁଥିଲେ । ଗାନ୍ଧିଜୀ ହିଁ ସାରା ଦେଶରେ ଜଗାରଖା ନ କରି, ଭୟ ନ କରି, ଯାହା ପ୍ରତିଫଳ ମିଳିବ ତାହା ପରବାୟ ନ କରି ସିଧାସଳଖ କଥା କହିବାର ଆନ୍ଦୋଳନ ଆରମ୍ଭ କଲେ । ଏହାର ପରିଣାମରେ ହଜାର ହଜାର ବକ୍ତା ନିର୍ଭୟରେ ବକ୍ତୃତା ଦେଲେ ଓ ଲକ୍ଷ ଲକ୍ଷ ନିର୍ଭୟରେ ଶୁଣିଲେ ।

 

ଭୟ ଭାଙ୍ଗିବା ସାଙ୍ଗେ ସାଙ୍ଗେ ଗଠନମୂଳକ କାମ କରିବାର ପ୍ରେରଣା ଦେବା ପାଇଁ ଗାନ୍ଧିଜୀ ଚରଖା, ବିଦେଶୀ ବର୍ଜନ, ମାଦକ ବର୍ଜନ, ଆଦିର କାର୍ଯ୍ୟକ୍ରମ ଆଗରେ ରଖିଲେ, ଏବଂ ଉଦବେଳିତ କ୍ରୋଧ ଓ ଦ୍ୱେଷକୁ ଏକ ଅଣହାନିକର ବାଟରେ ପ୍ରବାହିତ କରିବା ପାଇଁ ଆରମ୍ଭ କଲେ ବିଦେଶୀ ଲୁଗା ପୋଡ଼ା ।

 

ଉଣେଇଶଶହ ତିରିଶରେ ଲବଣ ସତ୍ୟାଗ୍ରହ ମଧ୍ୟ ଏହି ଭୟ ଭାଙ୍ଗିବାର ପଦକ୍ଷେପ ଥିଲା । ସେହିପରି ନିଶା ଦୋକାନରେ ପିକେଟିଂ ମଧ୍ୟ । ଗାଁ ଗହଳର ସାଧାରଣ ଚାଷୀ, କୋଣ ଭୁଆଷୁଣୀ, ସାନସାନ ପିଲା, ଯେପରି ଭାବରେ ବିପୁଳ ସଂଖ୍ୟାରେ ଲୁଣ ଆଇନ ଭାଙ୍ଗିବା ପାଇଁ, ନିଶା ଦୋକାନରେ ପିକେଟିଂ କରିବା ପାଇଁ ଆଗେଇ ଆସିଲେ ଓ ନିର୍ଭୟରେ ପୁଲିସର ଜୁଲୁମର ସମ୍ମୁଖୀନ ହେଲେ ତାହା ଯେ ଦେଖିଛି ସେ ଜାଣିଛି । ୧୯୨୨ରେ ପ୍ରଧାନ କଥା ଥିଲା ନାଗରିକର ବାକ୍‌ ସ୍ୱାଧୀନତା ବକ୍ତୃତା ଦେବାର ଓ ଶୁଣିବାର ସ୍ୱାଧୀନତା ସାବ୍ୟସ୍ତ କରିବା । ୧୯୩୦ରେ ପ୍ରଧାନ କଥା ହେଲା ଆଉ ପାଦେ ଆଗେଇ ଯାଇ ଅନ୍ୟ ଅନ୍ୟାୟପୂର୍ଣ୍ଣ ଆଇନ ଭାଙ୍ଗିବା ।

 

ଯେଉଁ ଲକ୍ଷ ଲକ୍ଷ ଲୋକ ଏ ସବୁ ଆନ୍ଦୋଳନରେ ଯୋଗ ଦେଲେ ସେମାନଙ୍କ ମନରେ ସର୍ବ ପ୍ରଧାନ, ସବୁଠାରୁ ପ୍ରବଳ ଭାବନା ଥିଲା ପ୍ରବଳ ପରାକ୍ରାନ୍ତ ବ୍ରିଟିଶ ଶାସନକୁ ନିର୍ଭୀକ ଓ ବେପରଓ୍ୟା ଭାବରେ ଅବଜ୍ଞା କରିବା, ଅମାନ୍ୟ କରିବା । ଗାନ୍ଧିଜୀଙ୍କ ପନ୍ଥାରେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ବିଶ୍ୱାସ ଥିଲା, ମାତ୍ର ତାହା ବୋଲି ଇଂରେଜମାନଙ୍କ ପ୍ରତି ଓ ସରକାରୀ କର୍ମଚାରୀଙ୍କ ପ୍ରତି ସେମାନଙ୍କ ହୃଦୟରେ ପ୍ରେମ ଓ ଆଦରର ଭାବ ଥିଲା ବୋଲି କହିବା ସତ୍ୟର ଅପଳାପ ହେବ । ଆମ କାର୍ଯ୍ୟକଳାପର କଣ ପ୍ରଭାବ ଇଂରେଜମାନଙ୍କର ଓ ଶାସକମାନଙ୍କର ମନ ଉପରେ ପଡ଼ିବ ସେ ଚିନ୍ତା ଆନ୍ଦୋଳନକାରୀମାନଙ୍କ ଭିତରୁ ହଜାରରେ ଜଣେ ବି କରୁଥିଲେ କି ନା ସନ୍ଦେହ-। ଅର୍ଥାତ ନେଗେଟିଭ ବା ନିଷେଧାତ୍ମକ ଭାବ ହିଁ ସତ୍ୟାଗ୍ରହୀଙ୍କର ଦେଶବାସୀଙ୍କର ମନରେ ପ୍ରବଳ ଥିଲା । ଏହି ଭାବ ସେତେବେଳେ ପ୍ରକଟ ହେବାର ଆବଶ୍ୟକତା ମଧ୍ୟ ଥିଲା ଓ ଇଂରେଜ ସରକାର ବିରୋଧରେ କରାଯାଇ ଥିବା ଆନ୍ଦୋଳନମାନ ମୁଖ୍ୟତଃ ଏହି ଭାବନାକୁ ହିଁ ସୁଯୋଗ ଦେବା ପାଇଁ ପରିକଳ୍ପିତ ହୋଇଥିବାରୁ ସେସବୁ ନିଷେଧସୂଚକ ଥିଲା ବୋଲି କୁହାଯାଉଛି-

 

ସ୍ୱାଧୀନତା ଆନ୍ଦୋଳନ ବେଳେ ସତ୍ୟାଗ୍ରହ, ଅସହଯୋଗ, ଆଇନଅମାନ୍ୟ, ଖଜଣା ବନ୍ଦ ଆଦିର ରୂପ ନେଲା ବେଳେ ଦେଶରେ ସମାନ୍ତରାଳ ସରକାର ଗଠନ କରିବା କଥା ମଧ୍ୟ ଚାଲିଥିଲା । ସରକାରର କଚେରୀ, ଶିକ୍ଷାନୁଷ୍ଠାନ ଆଦି ସହିତ ଅସହଯୋଗ କରି ଶିକ୍ଷା ଓ ନ୍ୟାୟଦାନ ଆଦି ପାଇଁ ନିଜର ସ୍ୱତନ୍ତ୍ର ଅନୁଷ୍ଠାନ ଗଢ଼ିବା, ସରକାରକୁ ଖଜଣା ନ ଦେଇ ରାଜସ୍ୱ ବ୍ୟବସ୍ଥା କାୟମ କରିବା ଓ ଏହିରୂପେ ନିଜର ସ୍ୱତନ୍ତ୍ର ସମାନ୍ତର ସରକାର କାୟମ କରିବା ବିଚାର ସେ ସମୟରେ ଚଳୁଥିଲା ଓ ସ୍ୱାଧୀନତା ଆନ୍ଦୋଳନର ଚରମ ଲକ୍ଷ୍ୟ ଥିଲା ବୋଲି ମଧ୍ୟ ବିବେଚିତ ହେଉଥିଲା । ଏହା ସାଙ୍ଗକୁ ସରକାରକୁ ଅଚଳ କରିଦେବା କଥା ମଧ୍ୟ ଉଠୁଥିଲା । ଯଦି ଲୋକେ ସରକାର ସହିତ ସହଯୋଗ ନ କରିବେ, ଖଜଣା ନ ଦେବେ, ଯଦି ସରକାରୀ କର୍ମଚାରୀମାନେ କାମରୁ ଇସ୍ତଫା ଦେଇଦେବେ; ବା ବ୍ୟାପକ ଆକାରରେ ଧର୍ମଘଟ କରିବେ, ରେଳବାଇ, କଳ କାରଖାନା ଆଦିରେ ମଧ୍ୟ ସାଙ୍ଗେ ସାଙ୍ଗେ ଧର୍ମଘଟ ହେବ ତେବେ ସରକାରର କାରବାର ଚଳିବା ଅବଶ୍ୟ କଠିନ ହୋଇପଡ଼ିବ । ଯଦି ଏ ସବୁ ଅତି ବ୍ୟାପକ ଭାବରେ ହୁଏ, ପ୍ରାୟ ସମସ୍ତ ଜନସାଧାରଣ, ସରକାରୀ କର୍ମଚାରୀ, ଶ୍ରମିକ ଆଦି ଏଥିରେ ଯୋଗ ଦିଅନ୍ତି, ତେବେ ସରକାରର କାମ ପୂରାପୂରି ଅଚଳ ହୋଇଯିବା ମଧ୍ୟ ତତ୍ତ୍ୱତଃ ସମ୍ଭବ । ଏହାର ପରିଣତି ସାଧାରଣ ବୁଦ୍ଧିରେ ଆନ୍ଦୋଳନ କରୁଥିବା ଲୋକେ ଏୟା ବୁଝୁଥିଲେ ବା ବୁଝାଉଥିଲେ ଯେ ଏହା ଫଳରେ ଇଂରେଜ ସରକାର ପକ୍ଷରେ ଏ ଦେଶରେ ରହିବା ଅସମ୍ଭବ ହୋଇଯିବ ଓ ସେ ବାଧ୍ୟହୋଇ ଏ ଦେଶ ଛାଡ଼ି ଚାଲିଯିବ ।

 

ଏଥିରେ ସିଦ୍ଧାନ୍ତ ଦୃଷ୍ଟିରୁ ସତ୍ୟାଗ୍ରହ ବା ଅହିଂସାର ନୀତି ସହିତ କୌଣସି ବିସଙ୍ଗତ ନାହିଁ । ଇଂରେଜ ସରକାର ଏ ଦେଶକୁ ଶାସନ କରିବାର କୌଣସି ଅଧିକାର ନଥିଲା ଓ ସେମାନେ ଏ ଦେଶ ଉପରେ ଜବରଦସ୍ତି ଯେଉଁ ଶାସନ ଲଦି ଦେଇଥିଲେ ତାକୁ ଯଦି ଲୋକେ ସ୍ୱୀକାର ନ କରି ନିଜର ସ୍ୱତନ୍ତ୍ର ସଂସ୍ଥା ଗଢ଼ି ନିଜର କାରବାର ଚଳାଇଥାନ୍ତେ ତେବେ ସେଥିରେ କାହାର କଣ କହିବାର ଥିଲା ?

 

ତେବେ ଗାନ୍ଧିଜୀ କେବେ ପ୍ରତ୍ୟେକ୍ଷ ଭାବରେ ଏଭଳି ସମାନ୍ତର ସରକାର କଥା କହି ଥିବାର ଦେଖିବାକୁ ମିଳେ ନାହିଁ । ୧୯୪୨ ଅଗଷ୍ଟ ୮ ତାରିଖ ଭୋରରେ ଗିରଫ ହେବା ପୂର୍ବରୁ ‘ଅହିଂସ ପନ୍ଥାରେ ସବୁମନ୍ତେ ଅଚଳ ଅବସ୍ଥା ସୃଷ୍ଟିକର’ ବୋଲି ସେ ଦେଶବାସୀଙ୍କୁ ସନ୍ଦେଶ ଦେଇଯାଇଛନ୍ତି ବୋଲି ସେତେବେଳେ ପ୍ରଚାର ହୋଇଥିଲା । ଗାନ୍ଧିଜୀ ପରେ ଏ ସନ୍ଦେଶକୁ ନିଜର ବୋଲି ସ୍ୱୀକାର କରି ନାହାନ୍ତି କି ଅସ୍ୱୀକାର ମଧ୍ୟ କରି ନାହାନ୍ତି । ଏହାର କେତେମାସ ପୂର୍ବରୁ ଆମେରିକାନ୍‌ ସାମ୍ୱାଦିକ ଶ୍ରୀ ଲୁଇ ଫିଶରଙ୍କ ସହ ଆଲୋଚନା ପ୍ରସଙ୍ଗରେ ସେ ଇଂରେଜମାନେ ଭାରତ ଛାଡ଼ିଯିବା ଫଳରେ ବା ସେମାନଙ୍କ ଶାସନ ଭାଙ୍ଗି ପଡ଼ିବା ଫଳରେ ଦେଶରେ କିଭଳି ପରିସ୍ଥିତି ଘଟିବ ତାହା ଆଲୋଚନା କରିଥିଲେ । (ଗାନ୍ଧୀଙ୍କ ସହିତ ସାତଦିନ) ଏଥିରେ ମଧ୍ୟ ଲୋକଙ୍କ ଅସହଯୋଗ ଫଳରେ ଏଭଳି ଘଟିବ ବୋଲି ଖୋଲିକରି କହି ନ ଥିଲେ ସୁଦ୍ଧା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆର୍ଥନୀତିକ ସଙ୍କଟ, ସାଧାରଣ ଶୃଙ୍ଖଳାରେ ଶିଥୀଳତା ଓ ଇଂରେଜଙ୍କର ସମ୍ଭାବିତ ପରାଜୟର ପରିସ୍ଥିତିର ତ୍ରହ୍ୟ ସ୍ପର୍ଶ ସାଙ୍ଗକୁ ଲୋକଙ୍କ ଅସହଯୋଗ ମଧ୍ୟ ଏକ କାରଣ ରୂପେ ରହିବାଟା ତାଙ୍କର ପରିସ୍ଥିତିର ମୂଲ୍ୟାଙ୍କନରେ ନିହିତ ଥିଲା ବୋଲି ଧରି ନିଆ ଯାଇପାରେ ।

 

ସ୍ୱାଧୀନତା ପାଇଁ ଯେଉଁଠି ହିଂସା ଯୁଦ୍ଧ ହୋଇଛି ସେ ସବୁଠାରେ ମଧ୍ୟ ଦେଶ ଭିତରେ ଗୋପନରେ ବା ଦେଶ ବାହାରେ କୌଣସି ସହାନୁଭୂତିଶୀଳ ରାଷ୍ଟ୍ରର ଆଶ୍ରୟରେ ସ୍ୱାଧୀନ ସମାନ୍ତରାଳ ସରକାର ଗଢ଼ା ଯାଇଛି । ଭାରତରେ ଯେଉଁମାନେ ଅହିଂସା ବା ସତ୍ୟାଗ୍ରହକୁ ନୀତି ଦୃଷ୍ଟିରୁ ମାନୁ ନ ଥିଲେ ଓ ବେଳ ପଡ଼ିଲେ ଅସ୍ତ୍ର ଧରାଯାଇ ପାରେ ବୋଲି ଭାବୁ ଥିଲେ, ସେମାନଙ୍କର କଳ୍ପନା ଥିଲା ଯେ ଅସହଯୋଗ, ଆଇନ ଅମାନ୍ୟ, ଖଜଣା ବନ୍ଦ, ଧର୍ମଘଟ ଆଦି ଦ୍ୱାରା ପରିସ୍ଥିତି ଗୋଟାଏ ବିଶେଷ ତୀବ୍ର ଅବସ୍ଥାକୁ ଆସିଲେ ସରକାରକୁ ହଟେଇ ଦେବା ପାଇଁ ସହସ୍ତ୍ର ଉଦ୍ୟମ ମଧ୍ୟ କରାଯାଇପାରେ । କରାଯିବା ଚାହିଁ ।

 

କିନ୍ତୁ ଗାନ୍ଧିଜୀଙ୍କ ପକ୍ଷରେ ଏଭଳି ପରିଣତି କଳ୍ପନା କରିବା ସମ୍ଭବ ନଥିଲା । ସରକାରର କାମ ଚଳାଇବା କଠିନ ହୋଇଗଲେ ସେ ବାଧ୍ୟହୋଇ ଦେଶବାସୀଙ୍କ ସହିତ କଥାବାର୍ତ୍ତା କରିବାକୁ ଓ ସେମାନଙ୍କର ଦାବି ସ୍ୱୀକାର କରିବାକୁ ରାଜି ହେବ ଗାନ୍ଧିଜୀଙ୍କର ଭାବିବାର ଧାରା ଏହା ହିଁ ଥିଲା-। ଗାନ୍ଧିଜୀ ଇଂରେଜ ସରକାରର ପ୍ରତିନିଧିଙ୍କ ସହିତ ବାରମ୍ୱାର କଥାବାର୍ତ୍ତା କରିବାଟାକୁ ବହୁ ଚରମ ପନ୍ଥୀ ନେତା ପସନ୍ଦ କରୁ ନଥିଲେ । ‘ଆମେ ତ ସରକାରକୁ ସ୍ୱୀକାର କରୁନାହୁଁ, ତାହା ସହିତ ଅସହଯୋଗ କରୁଛୁ, ତାକୁ ଅଚଳ କରିଦେବୁ, ପୁଣି ତାହା ସହିତ କଥାବାର୍ତ୍ତା କରିବାର ମାନେ କଣ-?’ ଏହାଥିଲା ସେମାନଙ୍କର ଚିନ୍ତାର ଢଙ୍ଗ । ଗାନ୍ଧିଜୀଙ୍କର ଆପୋଷ ଆଲୋଚନାର ନୀତିକୁ ସେମାନେ ପ୍ରତିକ୍ରିୟାବାଦ, ସୁବିଧାବାଦ ଆଦି ଆଖ୍ୟା ଦେଉଥିଲେ ।

 

ଅସହଯୋଗ ଆଇନ ଅମାନ୍ୟ ଓ ଖଜଣା ବନ୍ଦ ଦ୍ୱାରା ସରକାରର କାରବାରକୁ ଅଚଳ କରିଦେବା ଗାନ୍ଧିଜୀଙ୍କର ଆନ୍ଦୋଳନ ସମୂହର ଏକ ଉଦ୍ଦେଶ୍ୟ ଥିଲା ଓ ଏହି ଦୃଷ୍ଟିରୁ ମଧ୍ୟ ତାହା ନିଷେଧାତ୍ମକ ଥିଲା ବୋଲି କୁହାଯାଇପାରେ । ମାତ୍ର ଜନସାଧାରଣଙ୍କର ବ୍ୟାପକ ଅସହଯୋଗ ବଳରେ ସରକାରକୁ ଅଚଳ କରିବାର କଥା କଳ୍ପନା କରୁଥିଲେ ସୁଦ୍ଧା ଏ ଅଚଳ ପରିସ୍ଥିତିର ଚାପ ଇଂରେଜ ସରକାର ଓ ଇଂରେଜ ଜାତି ଉପରେ କେବଳ ଏକ ସ୍ଥୂଳ ଓ ସଂଖ୍ୟାଗତ ଭାବରେ ପଡ଼ିବାଟାକୁ ଗାନ୍ଧିଜୀ ବିଶେଷ ବା ଆଦୌ ମହତ୍ତ୍ୱ ଦେଇ ନଥିଲେ । ଏହାର ନୈତିକ ପ୍ରଭାବଟା ହିଁ ତାଙ୍କ ପାଖରେ ସର୍ବଦା ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା । କବିଗୁରୁ ରବୀନ୍ଦ୍ରନାଥଙ୍କର ଅଭିଯୋଗର ଉତ୍ତରରେ ଗାନ୍ଧିଜୀ ୧୯୨୧ରେ ଲେଖିଥିଲେ—‘‘ଭାରତ ଓ ପାଶ୍ଚାତ ଜଗତ ଭିତରେ ଏକ ମେଘନାଦ ପାଚେରୀ ଠିଆ କରିବାର ଉଦ୍ଦେଶ୍ୟରେ ଯେ ଅସହଯୋଗର କଳ୍ପନା କରାଯାଇଛି ଏପରି କୌଣସି ଭୟ କବିଙ୍କ ମନରେ ରହିବା ଉଚିତ ନୁହେଁ । ଏହାର ଓଲଟା ପାରସ୍ପରିକ ସମ୍ମାନ ଓ ବିଶ୍ୱାସର ଭୂମି ଉପରେ ଏକ ଯଥାର୍ଥ ସମ୍ମାନଜନକ ଓ ସ୍ୱୟଂପ୍ରବୃତ୍ତ ସହଯୋଗ ଲାଗି ବାଟ ଫିଟାଇବାକୁ ଅସହଯୋଗ ଆନ୍ଦୋଳନ ଅଭିଳାଷ ପୋଷଣ କରିଛି । ପୁଣି ଏକ ରାଷ୍ଟ୍ର ହିସାବରେ ଆମ ସହିତ ଆମରି ସର୍ତ୍ତରେ ସରକାର ସହଯୋଗ କରନ୍ତୁ, ସରକାରଙ୍କୁ ରାଷ୍ଟ୍ରର ଅସହଯୋଗ ଏହି ଆମନ୍ତ୍ରଣ ହେଉଛି ।’’ (ୟଂ ଇଣ୍ଡିଆ, ୧-୬-୨୧) ସଂଖ୍ୟାବଳର ଚାପର ଚରମ ରୂପ ତ ଆଜିକାଲିକାର ‘ଘେରାଓ’ ର କର୍ମପନ୍ଥାରେ ଦେଖିବାକୁ ମିଳେ । ଦାବି ଯଥାର୍ଥ କି ନାହିଁ ତାହା ଆଲୋଚନା କରିବା ଦରକାର ନାହିଁ । ବହୁ ସଂଖ୍ୟକ ଲୋକ କର୍ତ୍ତୃପକ୍ଷଙ୍କୁ ବିଲକୁଲ୍‍ ଶାରୀରିକ ଭାବରେ ଚଳ ପ୍ରଚଳ ହେବା ଅସମ୍ଭବ କରିଦେଇ ସେମାନଙ୍କୁ ଭୋକ, ଉପାସ ଓ ଅନିଦ୍ରାରେ କାତର କରି ଦାବି ହାସଲ କରି ନେଉଛନ୍ତି । ଏହା ସତ୍ୟାଗ୍ରହର ବିଲକୁଲ୍‍ ବିପରୀତ ପନ୍ଥା ।

 

ଇଂରେଜମାନଙ୍କଠାରୁ ଯେନ କେନ ପ୍ରକାରେଣ ସ୍ୱାଧୀନତା ହାସଲ କରିନେଲେ କାମ ସରିଗଲା, ଏତିକି ମାତ୍ରରେ ଗାନ୍ଧିଜୀ ସନ୍ତୁଷ୍ଟ ହେବା ଲୋକ ନଥିଲେ । ଭାରତ ସ୍ୱାଧୀନ ହୋଇସାରିଲା ପରେ ମଧ୍ୟ ଇଂରେଜ ଜାତି ସହିତ ସଦ୍‌ଭାବ କାୟମ ରହିବାଟାକୁ ସେ ନୀତି ଦୃଷ୍ଟିରୁ ଗୁରୁତ୍ୱ ଦେଉଥିଲେ ଓ ଆଜିକାର ଏ ଛୋଟ ହୋଇ ଯାଇଥିବା ପୃଥିବୀରେ ଆମେ ଏହାର ବ୍ୟବହାରିକ ଗୁରୁତ୍ୱ ମଧ୍ୟ ସହଜରେ ବୁଝି ପାରୁଛୁ ।

 

ଲୋକେ ବା ସାଧାରଣ ସତ୍ୟାଗ୍ରହୀଙ୍କ ମନରେ ସିନା ଇଂରେଜଙ୍କ ପ୍ରତି ସଦ୍‌ଭାବର ଅଭାବ ଥିଲା କିନ୍ତୁ ଗାନ୍ଧିଜୀଙ୍କଠାରେ ନୁହେଁ । ଏହା ସେ ତାଙ୍କର ଲେଖା ଓ ବକ୍ତୃତା ଆଦିରେ ତ ବାରମ୍ୱାର ବ୍ୟକ୍ତ କରିଛନ୍ତି, ଓ ଆଚରଣରେ ମଧ୍ୟ ଦେଖାଇଛନ୍ତି । ଦୀନବନ୍ଧୁ ଏଣ୍ଡ୍ରୁଜଙ୍କୁ ସେ ସମ୍ମାନାସ୍ପଦ ସହକର୍ମୀ ରୂପେ ସ୍ୱୀକାର କରିଥିଲେ । ଇଂରେଜ ମହିଳା ମିସ୍‌ ସ୍କେଉ ବା ମୀରାବେନଙ୍କ ସହକାରୀ ରୂପେ ସାଙ୍ଗରେ ରଖିଥିଲେ । ଦକ୍ଷିଣ ଆଫ୍ରିକାରେ ତ ତାଙ୍କର ମିସ୍‌ ସ୍ଲେସିନ, ମିସ୍‌ ଓ୍ୟେଷ୍ଟ, ପୋଲାକ, କ୍ୟାଲେନବାକ୍‌, ରେଭେରେଣ୍ଡ ଡୋକ ଆଦି ବହୁ ଗୋରା ସହକର୍ମୀ ଥିଲେ ।

 

ଇଂରେଜମାନଙ୍କ ପ୍ରତି ନିଜର ସଦିଚ୍ଛାପୂର୍ଣ୍ଣ ମନୋଭାବର ପ୍ରତୀକ ସ୍ୱରୂପ ୧୯୩୦ରେ ବଡ଼ଲାଟ ଲର୍ଜ ଆରଉଇନଙ୍କଠାକୁ ତାଙ୍କର ଚିଠି ନେଇଯିବା ପାଇଁ ଗାନ୍ଧିଜୀ ଇଂରେଜ ସାମ୍ୱାଦିକ ଶ୍ରୀ ରେଜିନାଲ୍‌ଡ ରେନଲଡ଼ଙ୍କୁ ବାଛିଥିଲେ ।

 

ଏହାଛଡ଼ା ଆମେ ପୂର୍ବରୁ ଦେଖିଛୁ ଯେ ସତ୍ୟାଗ୍ରହ ଆନ୍ଦୋଳନର ପ୍ରତିକ୍ରିୟା ବିରୋଧୀ ପକ୍ଷର ମନ ଉପରେ କଣ ହେବ ବା ହେଉଛି ସେଥିପ୍ରତି ସେ ବରାବର ଜାଗରୁକ ରହୁଥିଲେ । ସତ୍ୟାଗ୍ରହର ଉଦ୍ଦେଶ୍ୟ ବା ଗତିବିଧିକୁ ଯେପରି ପ୍ରତିପକ୍ଷୀ ଭୁଲ ନ ବୁଝନ୍ତୁ ସେଥିପାଇଁ ସେ ଆନ୍ଦୋଳନ ଉପରେ ନାନା କଟକଣା ରଖୁଥିଲେ । ଏହିରୂପେ ଗାନ୍ଧିଜୀଙ୍କ ଦୃଷ୍ଟି ସଦା ସର୍ବଦା ସତ୍ୟାଗ୍ରହର ବିଧାୟକ ପରିଣାମ ଉପରେ ହିଁ ରହିଥିଲା । ସେହି ଦୃଷ୍ଟିରୁ ହିଁ ସେ ସତ୍ୟାଗ୍ରହ ଆନ୍ଦୋଳନମାନଙ୍କର ପରିଚାଳନା କରୁଥିଲେ । ଜନସାଧାରଣଙ୍କର ମନୋଭାବ, ଦେଶର ସେ ସମୟର ପରିସ୍ଥିତି ଆଦି ଦୃଷ୍ଟିରୁ ସତ୍ୟାଗ୍ରହର ରୂପ ନିଷେଧାତ୍ମକ ହେଲେ ମଧ୍ୟ ଆନ୍ଦୋଳନର ନେତାଙ୍କର ବିଚାର ଓ ଦୃଷ୍ଟିରେ ପୂର୍ଣ୍ଣତା ନଥିଲେ ସତ୍ୟାଗ୍ରହ କେବେ ସଫଳ ହୋଇପାରିବ ନାହିଁ ।

Image

 

ଆଠ

ବିଧାୟକ ସତ୍ୟାଗ୍ରହ

 

ପୂର୍ବ ଅଧ୍ୟାୟରେ ନିଷେଧାତ୍ମକ ସତ୍ୟାଗ୍ରହ ବିଷୟରେ ବିଶଦ ଆଲୋଚନା କରାଯାଇଛି-। ଏ ବିଷୟରେ ବିନୋବାଜୀଙ୍କର ବିଚାରର ମଧ୍ୟ ଆମେ ଉଲ୍ଲେଖ କରିଛୁ ଯେ ଗାନ୍ଧୀ ପରବର୍ତ୍ତୀ ଯୁଗରେ ତିନୋଟି କାରଣରୁ ସତ୍ୟାଗ୍ରହର ରୂପ ବଦଳିବା ଆବଶ୍ୟକ ହୋଇଛି । ବିନୋବାଜୀଙ୍କ କଥାରେ:— ‘‘ମତେ ଅନେକ ପଚାରନ୍ତି ଯେ ବହୁତ ଛୋଟ ଛୋଟ ସମସ୍ୟା, ଦୁଃଖ, ଅନ୍ୟାୟ ରହିଛି । ଏସବୁର ପ୍ରତିକାର ପାଇଁ ଛୋଟ ଛୋଟ ସତ୍ୟାଗ୍ରହ ନ ଚଳାଯିବ କାହିଁକି । ମୁଁ ଜବାବ ଦିଏ-ବାପୁଜୀଙ୍କ ଯୁଗର ସତ୍ୟାଗ୍ରହର ଅନୁବର୍ତ୍ତନ ବା ବାହ୍ୟ ଅନୁକରଣ କରିବାଟା ରାଣା ପ୍ରତାପ ବା ଶିବାଜୀଙ୍କୁ ଅନୁକରଣ କରି ଦୁର୍ଗ ଗଢ଼ିବା ପରି କଥା ହେବ । ସେ କାଳରେ ଦୁର୍ଗ ଦ୍ୱାରା ଦେଶରକ୍ଷା ହୋଇ ପାରୁଥିଲା । କିନ୍ତୁ ଆଜି ଦୁର୍ଗ ଗଢ଼ିଲେ ତାହା ଉଡ଼ାଜାହାଜରୁ ବୋମା ନିକ୍ଷେପ ପାଇଁ ଭଲ ଲକ୍ଷ୍ୟସ୍ଥଳ ହୋଇ ବସିବ । ତେଣୁ ବାପୁଜୀଙ୍କର ସ୍ଥୂଳ ଅନୁକରଣ କିପରି କରିବା ?

 

‘‘ଏଥିରେ ସେମାନେ ଜବାବ ଦିଅନ୍ତି, ଗାନ୍ଧୀ ତ ବହୁତ ପୁରୁଣା କାଳର ନୁହନ୍ତି, ଏତିକିରେ ଏମିତି କି ପାର୍ଥକ୍ୟ ଘଟିଗଲା । ମୁଁ କହେ, ହଁ, ବହୁତ ଫରକ ହୋଇଛି । ଏକ ହେଲା ଯେ ଆମ ସେତେବେଳେ ବିଦେଶୀ ରାଜ୍ୟରେ କାମ କରୁଥିଲୁ, ଏବେ ସ୍ୱରାଜ୍ୟରେ କରୁଛୁ । ଦ୍ୱିତୀୟ ପାର୍ଥକ୍ୟ ହେଲା ଯେ ସେତେବେଳେ ନିରଙ୍କୁଶ ଶାସନ ଥିଲା । ଏବେ ଗଣତନ୍ତ୍ରରେ କାମ କରୁଛୁ ଓ ତୃତୀୟତଃ, ଯାହାକି ମୋ ଦୃଷ୍ଟିରେ ସବୁଠୁଁ ବଡ଼ ପାର୍ଥକ୍ୟ, ଏବେ ଏ ଯୁଗରେ ପରମାଣୁର ଅବତାର ହେଲାଣି । ଏହା ଆମେ ଭୁଲି ପାରିବା ନାହିଁ ।’’ (ଆଜମିର ୨୭.୨.୫୯)

 

ଏଥି ଭିତରୁ ପ୍ରଥମ ଦୁଇଟି କାରଣ ଆମରି ଦେଶ ସହିତ ସମ୍ୱଧିତ ଏବଂ ସେଥିଯୋଗୁ ନିଷେଧାତ୍ମକ ସତ୍ୟାଗ୍ରହର ଅବସାନ କାହିଁକି ନାହିଁ ତାହା ପୂର୍ବ ଆଲୋଚନାର ସୂତ୍ର ଧରି ସହଜରେ ବୁଝି ପାରିବା । ସ୍ୱାଧୀନତା ମିଳିଲା ଅର୍ଥ ଦେଶରେ ଆଉ ଏଭଳି ସରକାର ନାହିଁ ଯାହାକୁ ପୂରାପୂରି ବିତାଡ଼ିତ କରିବାକୁ ହେବ ବା ସେଭଳି ଅନ୍ୟ କୌଣସି ସଂସ୍ଥା ବା ଗୋଷ୍ଠୀ ମଧ୍ୟ ନାହିଁ ଯାହାର ଏ ଦେଶରେ ରହିବାର ଅଧିକାର ନାହିଁ । ରାଜା, ଜମିଦାର, ମହାଜନ, ସାହୁକାର, ପୁଞ୍ଜିପତି ବେପାରୀ ଯେତେ ଯେତେ ଗୋଷ୍ଠୀ କୌଣସି ନା କୌଣସି ଅନ୍ୟାୟ ଅଧିକାର ବା ସ୍ୱାର୍ଥକୁ ଧରି ବସିଥିଲେ ବା ବସିଛନ୍ତି ଓ ଯାହାଙ୍କ ବିରୋଧରେ ଆନ୍ଦୋଳନ ଚଳାଯିବାର ଯଥାର୍ଥତା ରହିଛି, ସେ ସମସ୍ତେ ଏ ଦେଶର ଲୋକ ଓ ଏ ଦେଶରେ ହିଁ ସର୍ବଦା ରହିବେ । ଗଣତନ୍ତ୍ର ମିଳିବା ଦ୍ୱାରା ବ୍ରିଟିଶ ଯୁଗରେ ଯେଉଁ ଭୟର ରାଜୁତି ଥିଲା ତାହା ଲୋପ ପାଇଛି । ଅବାଧରେ ମତାମତ ପ୍ରକାଶ କରିବାର ଅଧିକାର ମିଳିଛି ଓ ଲୋକମତ ଦ୍ୱାରା ସରକାରର ନୀତି ଓ ଗତିବିଧି ବଦଳାଇବାର ଉପାୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଜରିଆରେ ମିଳିଛି । ତେଣୁ ଭୟ ଭାଙ୍ଗିବାପାଇଁ ନିଷେଧାତ୍ମକ ସତ୍ୟାଗ୍ରହ ଆଉ ଲୋଡ଼ାନାହିଁ । ମତ ପ୍ରକାଶର ଅଧିକାର ସାବ୍ୟସ୍ତ କରିବା ପାଇଁ ମଧ୍ୟ ସତ୍ୟାଗ୍ରହ ଲୋଡ଼ା ହେଉ ନାହିଁ । ବାକି ରହିଲା ସରକାର ନୀତି ବଦଳାଇବା । ଏ ବିଷୟରେ ଏକ ଆଲୋଚନା ପ୍ରସଙ୍ଗରେ ଗଣତନ୍ତ୍ର ରାଷ୍ଟ୍ରର କେଉଁ ଧରଣର ପ୍ରଶ୍ନକୁ ନେଇ ନିଷେଧାତ୍ମକ ସତ୍ୟାଗ୍ରହ କରିହେବ ଓ କେଉଁଥିରେ କରିବା ବିଧେୟ ନୁହେଁ ତାହା ବିନୋବାଜୀ ଉଦାହରଣ ଦେଇ ବୁଝାଇଥିଲେ ।

 

ସେ କହିଥିଲେ ଯେ ଖଜଣା ବା ଜଳକର କମାଇବା ଭଳି ପ୍ରଶ୍ନ ନେଇ ସତ୍ୟାଗ୍ରହ ହେବା ଆଦୌ ବିହିତ ନୁହେଁ । କାରଣ ଖଜଣା ମୋଟେ ଦେବୁ ନାହିଁ ଏଭଳି ଦାବି ତ କେବେ ହୋଇପାରେନା । କୌଣସି ନା କୌଣସି ରୂପରେ ରାଜ୍ୟକୁ କର ଦେବାକୁ ହିଁ ହେବ । ତେଣୁ ପ୍ରଶ୍ନ ଉଠିବ ତାର ପରିମାଣ ନେଇ । ଏ ବିଷୟରେ ବିଧାନସଭାରେ ଆଲୋଚନା ଉଠାଇ ନିର୍ଣ୍ଣୟ କରାଯିବାର ବାଟ ରହିଛି । ଆଖର ଖଜଣା ହାର ବିଧାନ ସଭାର ଲୋକପ୍ରତିନିଧିଙ୍କ ସାମର୍ଥରେ ସ୍ଥିର ହୁଏ । ତେଣୁ ଏହା ବଦଳାଇବା ପାଇଁ ସବୁପ୍ରକାର ଆନ୍ଦୋଳନ କରାଯାଇ ପାରେ ମାତ୍ର ନିଷେଧାତ୍ମକ ସତ୍ୟାଗ୍ରହ, ଅର୍ଥାତ ଖଜଣା ବନ୍ଦ ନୁହେଁ ।

 

କେଉଁ କ୍ଷେତ୍ରରେ ନିଷେଧାତ୍ମକ ସତ୍ୟାଗ୍ରହ ବିଧେୟ ତାର ଉଦାହରଣ ଦେବାକୁ ଯାଇ ବିନୋବାଜୀ କହିଲେ ଯେ ଥରେ ମହାରାଷ୍ଟ୍ରର ଗୋଟାଏ ଜଳବିଦ୍ୟୁତ ଯୋଜନା ପାଇଁ କେତେକ ଗାଁକୁ ଉଠାଇ ଦେବାର ଥିଲା । ମାତ୍ର ଗାଁବାଲାଙ୍କୁ ତାଙ୍କ ଜମି ଓ ଘରପାଇଁ ଯେଉଁ କ୍ଷତିପୂରଣ ଦିଆଯିବାର କଥାଥିଲା ତାହା ଯଥେଷ୍ଟ ନଥିଲା । ଯଥେଷ୍ଟ କ୍ଷତିପୂରଣ ଦିଆ ନ ଗଲେ ସେମାନେ ଜାଗା ନ ଛାଡ଼ି ସତ୍ୟାଗ୍ରହ କରି ବସି ରହିବା ପାଇଁ ବିନୋବାଜୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ବୋଲି କହିଲେ ।

 

ସେ କହିଲେ ଯେ ଏଭଳି ଭାବରେ ଉଠାଇ ଦିଆ ଯାଉଥିବା ଲୋକଙ୍କୁ ସରକାର ଅନ୍ୟ ଜାଗାରେ ଜମି ଓ ତିଆରି ଘର ଦେବା ଉଚିତ । ଜମି ନେଇଯାଇ ତାର ଉଚିତ ଦାମ ଦେଇଦେଲେ ବି ଅନ୍ୟ ଜାଗାରେ ସେତିକି ଦାମରେ ଜମି ମିଳିବା କଠିନ ବା ଅସମ୍ଭବ ହୋଇଥାଏ । ପୁଣି ପୁରୁଣା ଘରର ଯେଉଁ ଦର କରି କ୍ଷତିପୂରଣ ଦିଆଯାଏ ତାହା ଠିକ୍‍ ହୋଇପାରେ ମାତ୍ର ସେତିକି ଟଙ୍କାରେ ତ ସେହିଭଳି ନୂଆ ଘର ତିଆରି ହୋଇପାରେ ନାହିଁ । ପୁରୁଣା ଘରର ଦାମ ଯାହା ହେଉ ସେଥିରେ ତ ମୁଣ୍ଡ ଗୁଞ୍ଜି ହେଉଥିଲା । ତେଣୁ ସରକାର ଜମି ଓ ଘର ଦେବା ହିଁ ପ୍ରକୃତ ନ୍ୟାୟ । ଏ ନୀତିକୁ ସ୍ୱୀକୃତ କରାଇବା ପାଇଁ ନିଷେଧାତ୍ମକ ସତ୍ୟାଗ୍ରହ ବିଧେୟ ।

 

ଏଠି କ୍ଷତିପୂରଣ ବିଷୟରେ ଏକ ନ୍ୟାୟୋଚିତ ଦୃଷ୍ଟି କୋଣ କେବଳ ସରକାରୀ କଳରେ ନୁହେଁ, ଲୋକପ୍ରତିନିଧିଙ୍କଠାରେ ଓ ସମାଜରେ ମଧ୍ୟ ଗୃହୀତ କରାଇବାର ପ୍ରଶ୍ନ ରହିଛି । ଏହାଛଡ଼ା ସେ ଭାଗଚାଷୀମାନଙ୍କୁ ତାଙ୍କର ଭାଗ ଜମିରୁ ବେଦଖଲ କରାଯିବା ବିରୋଧରେ ମଧ୍ୟ ସତ୍ୟାଗ୍ରହ କରାଯିବା ଉଚିତ ବୋଲି ମତ ଦେଇଛନ୍ତି । ଉପରୋକ୍ତ ଉଦାହରଣ ଗୁଡ଼ିକରୁ ଗଣତନ୍ତ୍ର ରାଷ୍ଟ୍ରର କେଉଁ ସମସ୍ୟା ଉପରେ ନିଷେଧାତ୍ମକ ସତ୍ୟାଗ୍ରହ ବିଧେୟ ଓ କେଉଁଥିରେ ନୁହେଁ ତାହା ବିଚାର କରିବାର ଏକ ମାପକାଠି ମିଳିବ । ବର୍ତ୍ତମାନ ଆମେ ବିଧାୟକ ସତ୍ୟାଗ୍ରହର ଆବଶ୍ୟକତା ବିଷୟରେ ଆଲୋଚନା କରିବା ।

 

ତାଙ୍କର ମହାପ୍ରୟାଣର ପୂର୍ବଦିନ ଗାନ୍ଧିଜୀ କଂଗ୍ରେସର ପୁନର୍ଗଠନ ପରାମର୍ଶ ଦେଇ ଯେଉଁ ପ୍ରବନ୍ଧ ଲେଖି ଯାଇଥିଲେ ସେଥିରେ ଲେଖିଥିଲେ ଯେ ଭାରତର ରାଜନୀତିକ ସ୍ୱାଧୀନତା ହାସଲ ହେଲା ମାତ୍ର ଅର୍ଥନୀତିକ ଓ ସାମାଜିକ ସ୍ୱାଧୀନତା ହାସଲ କରିବା ଏବେ ବି ବାକି ଅଛି । ଏକ ସମୃଦ୍ଧ, ସୁସଂସ୍କୃତ ଓ ଶାନ୍ତ ସମାଜ ଗଢ଼ିବା ପାଇଁ ଏ ଶେଷୋକ୍ତ ଦୁଇ ପ୍ରକାରର ସ୍ୱାଧୀନତା ହାସଲ କରିବା ଆବଶ୍ୟକ ।

 

ଏ ଲକ୍ଷ୍ୟ ପୂରଣ କରିବାପାଇଁ ହେଲେ ଦେଶ ଭିତରେ ରହିଥିବା ନାନା ପ୍ରକାରର ଶୋଷଣ, ଅସମାନତା, ଭେଦଭାବ ଆଦିର ଅବସାନ ଘଟାଇବାକୁ ହେବ । ଭୂମିହୀନଙ୍କୁ ଜମିର ଅଧିକାର ଦେବା, ନାରୀମାନଙ୍କୁ ସମାଜରେ ବାସ୍ତବରେ ସମାନ ସ୍ଥାନ ଦେବା, ଅସ୍ପୃଶ୍ୟତା ଲୋପ କରିବା, କୃଷି ଶିଳ୍ପ ଆଦିର ଉତ୍ପାଦନ କ୍ଷେତ୍ରରେ ଶୋଷଣ ଲୋପ କରିବା, ଏସବୁ ହେଲା ଏ ଦିଗରେ କରିବାକୁ ଥିବା କେତୋଟି କାମର ଉଦାହରଣ ।

 

ଆଇନଦ୍ୱାରା ଅନେକ କିଛି ହୋଇ ପାରିବ ବୋଲି ଆମେ ଧାରଣା କରିଥାଉଁ, ମାତ୍ର ତତ୍ତ୍ୱଗତ ଆଲୋଚନା ଛାଡ଼ି ଦେଲେ ବି ବାସ୍ତବ କ୍ଷେତ୍ରରେ ଆମେ ଦେଖୁଛୁଁ ଯେ ଅନେକ ପ୍ରକାରର ମୂଳଗତ ସଂସ୍କାର ଆଣିବା ପାଇଁ ଆଇନ ଗଢ଼ା ଯାଇଥିଲେ ମଧ୍ୟ ତାହାର ଅସଲ ଉଦ୍ଦେଶ୍ୟ ସିଦ୍ଧ ହୋଇନାହିଁ । ସ୍ୱାଧୀନ ଭାରତର ସମ୍ୱିଧାନ ଅସ୍ପୃଶ୍ୟତାକୁ ବେଆଇନ କରିଦେଇଛି ମାତ୍ର ଏବେବି ଲକ୍ଷ ଲକ୍ଷ ଗାଁରେ ଲୋକେ ତାହା ମାନୁଛନ୍ତି । ନାରୀମାନଙ୍କୁ ସମାନ ଭୋଟ ଅଧିକାର ମିଳିଛି, ମାତ୍ର ଘରେ ଓ ସମାଜରେ ସେମାନଙ୍କର ଦ୍ୱିତୀୟ ଶ୍ରେଣୀର ନାଗରିକତ୍ୱ ଏବେ ବି କାୟମ ରହିଛି । ଶାରଦା ଆଇନ ଚାଳିଶ ବର୍ଷ ତଳେ ପ୍ରଣୀତ ହୋଇଥିଲେ ବି ଏବେ ବି ପିଲା କନ୍ୟା ବାହା ଲକ୍ଷ ସଂଖ୍ୟାରେ ଚାଲିଛି । ଜମି ଜୋତା ଉପରେ ସିଲିଂ ବା ସର୍ବୋଚ୍ଚ ସୀମା ଧାର୍ଯ୍ୟ ହେଲା ମାତ୍ର ସମସ୍ତ ଜମି ଭାଇ ବିରାଦରଙ୍କ ନାଁରେ ବେନାମି ହୋଇ ଆଇନର ଆଖିରୁ ଲୁଚିଗଲେ । ଚାଷୀ ମଜୁରିଆଙ୍କର ନ୍ୟୂନତମ ମଜୁରୀ ଧାର୍ଯ୍ୟ କରି କେନ୍ଦ୍ରୀୟ ଆଇନ କେବେଠୁଁ ହୋଇଛି ମାତ୍ର ଦେଶର ଶତକଡ଼ା କଣେ ଲୋକ ବି ତାହା ଜାଣନ୍ତି ନାହିଁ କି ସେଥିପାଇଁ ପରବାଏ କରନ୍ତି ନାହିଁ । ଏହିଭଳି ଆହୁରି କେତେ ନା କେତେ ଉଦାହରଣ ଦେଇ ହେବ ।

 

କଥା ହେଉଛି ଯଦି ସମାଜର ଅଧିକାଂଶ ଲୋକ କୌଣସି ମୂଲ୍ୟବୋଧକୁ ଆବୋରି ବସିଥିବେ ବା କୌଣସି ଭାବନା ସେମାନଙ୍କ ହୃଦୟରେ ଦୃଢ଼ମୂଳ ହୋଇ ରହିଥିବ ତେବେ ବାହାରୁ ଆଇନ ଅର୍ଥାତ ଦଣ୍ଡର ଭୟ ଦେଖାଇ ସେମାନଙ୍କଠାରୁ ସେ ମୂଲ୍ୟବୋଧ ବା ଭାବନା ଛଡ଼ାଇ ହେବ ନାହିଁ । ଆଉ ପାଦେ ଆଗକୁ ଗଲେ ଯେଉଁ ମୂଲ୍ୟବୋଧ ବା ଆଦର୍ଶ ବହୁସଂଖ୍ୟକ ଲୋକଙ୍କର ହୃଦୟକୁ ଛୁଇଁ ନଥିବ ସମାଜରେ ତାର ସ୍ଥାପନା ପାଇଁ ବାସ୍ତବରେ ସକ୍ଷମ ଆଇନ ମଧ୍ୟ ହୋଇ ପାରିବ ନାହିଁ ।

 

ସମାଜର ଅତି ଅଧିକ ସଂଖ୍ୟକ ଲୋକ କୌଣସି ନୀତି ବା ନିୟମକୁ ମାନୁଥିଲେ ବାକି ଅତ୍ୟଳ୍ପ ସଂଖ୍ୟକ ଅସାମାଜିକ ଲୋକଙ୍କୁ ଆଇନ ଠିକଣା ବାଟରେ ରଖିବାରେ ସାହାଯ୍ୟ କରିପାରେ-। ମାତ୍ର ଅତ୍ୟଧିକ ସଂଖ୍ୟକ ଲୋକ ନିୟମ ନ ମାନିଲେ ଆଇନ ଅସହାୟ ହୋଇପଡ଼େ-। ସାଧାରଣ ନାଗରିକମାନେ ପରସ୍ପରକୁ ହଣାମରା କରିବା ଅନ୍ୟାୟ ବା ପାପ ମନେ କରନ୍ତି ବୋଲି ଅଳ୍ପ ସଂଖ୍ୟକ ଅପରାଧୀଙ୍କୁ ପୁଲିସ ସମ୍ଭାଳି ପାରେ । ମାତ୍ର ଯେତେବେଳେ ୧୯୪୬-୪୭ର ସାମ୍ପ୍ରଦାୟୀକ ଗଣ୍ଡଗୋଳ ବେଳେ ସାଧାରଣ ଭଦ୍ର ନାଗରିକମାନେ ହିଁ ବହୁ ସଂଖ୍ୟାରେ ଉଠି ଆପଣା ପଡ଼ୋଶୀମାନଙ୍କୁ ହାଣିବା କର୍ତ୍ତବ୍ୟ ମନେ କଲେ ସେତେବେଳେ ପୁଲି୍‍ସ ଓ ଫୌଜ ଅକାମୀ ହୋଇ ପଡ଼ିଲେ । ଏହିପରି ପରିସ୍ଥିତିରେ କଲିକତାରେ ଗାନ୍ଧିଜୀଙ୍କର ଅନଶନ ହିଁ ଏ ଉନ୍ମତ୍ତତାକୁ ଶାନ୍ତ କରିବାରେ ସମର୍ଥ ହେଲା ।

 

ତେଣୁ ଆମ ଆଗରେ (ଓ ସେହିପରି ଦୁନିଆର ସବୁ ଲୋକଙ୍କ ଆଗରେ) ପ୍ରଧାନ ସମସ୍ୟା ହେଉଛି ସମାଜରେ ପ୍ରଚଳିତ ମୂଲ୍ୟବୋଧ ବଦଳାଇବା, ଲୋକଙ୍କର ବିଚାର ବଦଳାଇବା, ଭାବନା ବଦଳାଇବା । ଏଥିପାଇଁ ବିଚାର ପରିବର୍ତ୍ତନ ଓ ହୃଦୟ ପରିବର୍ତ୍ତନର ହିଁ ଗୁରୁତ୍ୱ ରହିଛି । ‘ଚାପ’ ଦ୍ୱାରା ଏ କାମ ହୋଇ ପାରିବ ନାହିଁ । ଘେରାଓ ଦ୍ୱାରା ଚାପ ଦେଇ ମାଲିକଠାରୁ ତାର ଅନିଚ୍ଛା ସତ୍ତ୍ୱେ ଅଧିକ ମଜୁରୀ ଆଦାୟ କରିହେବ, ମାତ୍ର ମାଲିକ ଓ ଖୋଦ ଘେରାଓ କରୁଥିବା ଶ୍ରମିକଙ୍କ ହୃଦୟରେ ବ୍ୟକ୍ତିଗତ ମାଲିକାନା ପ୍ରତି ଯେଉଁ ଆସ୍ଥା ରହିଛି ତାକୁ ଉପାଡ଼ିବ କିଏ ?

 

ସ୍ୱାଧୀନତତ୍ତ୍ୱର ଯୁଗରେ ବିନୋବାଜୀଙ୍କର ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନ ଗାନ୍ଧୀ ବିଚାର ଧାରା ଓ ପରମ୍ପରା ଅନ୍ତର୍ଗତ ସବୁଠାରୁ ବ୍ୟାପକ ଓ ଶକ୍ତିଶାଳୀ ଆନ୍ଦୋଳନ ଓ ବିଧାୟକ ସତ୍ୟାଗ୍ରହର ସବୁଠାରୁ ବଡ଼ ପୂର୍ଣ୍ଣାଙ୍ଗ ଦୃଷ୍ଟାନ୍ତ । ଅହିଂସା ବୋଲନ୍ତେ ସତ୍ୟାଗ୍ରହ ପନ୍ଥାରେ ସମାଧାନ କରିବାପାଇଁ ଦେଶର ସବୁଠାରୁ ଉତ୍କଟ ଓ ବିସ୍ପୋରଣ ଗର୍ଭ ସମସ୍ୟା—ଭୂମି ସମସ୍ୟାକୁ ସେ ବାଛି ନେଲେ । ପ୍ରଥମେ ଭୂଦାନ ଯଜ୍ଞ ରୂପରେ ଏହା ଆରମ୍ଭ ହେଲା ଓ କ୍ରମେ ସେଥିରୁ ଗ୍ରାମଦାନ ଆନ୍ଦୋଳନର ଉଦ୍‌ଭବ ହୋଇ ଏବେ ଏ ଶେଷୋକ୍ତ ଆନ୍ଦୋଳନ ଦେଶର ଲକ୍ଷାଧିକ ଗାଁକୁ ବ୍ୟାପି ଗଲାଣି ।

 

ଭୂମିର ସମବିତରଣ ପାଇଁ ଆଇନ କରିବା ଆବଶ୍ୟକ ବୋଲି କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସ୍ୱାଧୀନତା ପୂର୍ବରୁ ହିଁ ପ୍ରସ୍ତାବମାନ କରିଥିଲେ । ମାତ୍ର ସ୍ୱରାଜ୍ୟ ପରେ ସେସବୁ କିଛି ଦେଲା ନାହିଁ । ହିଂସା ଦ୍ୱାରା ଜବରଦସ୍ତି ଜମି ଛଡ଼ାଇବା ଉଦ୍ୟମ ଚାଲିଲା, ମାତ୍ର ସରକାରର ସଂଗଠିତ ପୁଲିସ ଫୌଜ ସାମନାରେ ତାହା ତିଷ୍ଠିବ କେତେକେ ? କେହି କେହି ଜମିମାଲିକଙ୍କ ଉପରେ ଚାପ ପକାଇବା ପାଇଁ ଧାରଣା ଦେବା, ଅନଶନ କରିବା, ଜମି ଦଖଲ କରିବା ଆଦି ଢଙ୍ଗର ନିଷେଧାତ୍ମକ ସତ୍ୟାଗ୍ରହ କଥା ମଧ୍ୟ ଚିନ୍ତା କରୁଥିଲେ । ମାତ୍ର ବିନୋବାଜୀ ଏହି ବିଶ୍ୱାସ ନେଇ ଚାଲିଲେ ଯେ ଜମିମାଲିକମାନଙ୍କୁ ବୁଝେଇ ସୁଝେଇ ସେମାନଙ୍କୁ ନିଜ ଜମିର ବାଣ୍ଟ ଭୂମିହୀନଙ୍କୁ ଦେବାକୁ ରାଜି କରିହେବ । ସତ୍ୟାଗ୍ରହୀର ମୂଳମନ୍ତ୍ର ମଣିଷ ଶୁଭବୁଦ୍ଧି ପ୍ରତି ଆସ୍ଥା-ଏଇୟାକୁ ଧରି ସେ ଆଗେଇ ଚାଲିଲେ । ଜମି ଇଶ୍ୱର ବା ପ୍ରକୃତିର ଦାନ । ସେଥିରେ ସମସ୍ତଙ୍କର ଅଧିକାର ଅଛି । କେହି ତାକୁ ଏକଚାଟିଆ କରି ଅନ୍ୟକୁ ବଞ୍ଚିତ କରିବା ଅନ୍ୟାୟ । ତେଣୁ ଭୂମିହୀନକୁ ନିଜ ଜମିରୁ ଗୋଟିଏ ବାଣ୍ଟ ସବୁ ମାଲିକମାନେ ଦେବା ବିଧେୟ । ଏହି ବିଚାର ଲୋକଙ୍କ ଆଗରେ ବାଢ଼ିବା ସାଙ୍ଗେ ସାଙ୍ଗେ ଲୋକଙ୍କର କରୁଣା ବୃତ୍ତିକୁ ଜାଗ୍ରତ କରିବା ଉଦ୍ୟମ ସେ କଲେ । ଏଥିରେ ସେ ସଫଳ ହେଲେ । ଅନ୍ୟ ସହସ୍ର ସଂଖ୍ୟକ କର୍ମୀ ମଧ୍ୟ ଏ ବିଚାର ଲୋକଙ୍କୁ ବୁଝାଇବାକୁ ଲାଗିଲେ ଓ ସଫଳ ହେଲେ କ୍ରମେ ଜମିର ମାଲିକାନା ବ୍ୟକ୍ତିର ନ ରହି ଗାଁର ହେବା ଚାହିଁ, ଏ ବିଚାର ଏଥିରେ ଯୋଡ଼ା ହେଲା ଓ ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହେଲା ।

 

ସତ୍ୟାଗ୍ରହର ଚରମ ଲକ୍ଷ୍ୟ ହେଲା ଅପରକୁ କୌଣସି କଥା ବୁଝାଇ ତାର ହୃଦବୋଧ କରାଇବା, ଏହି ମୌଳିକ ମାତ୍ର ଅଧିକାଂଶ ସମୟରେ ଦୃଷ୍ଟିରେ ନ ପଡ଼ୁଥିବା ସିଦ୍ଧାନ୍ତ ଉପରେ ଜୋର ଦେଇ ଓ ତାର ବ୍ୟାବହାରିକତା ପ୍ରମାଣ କରି ବିନୋବାଜୀ ସତ୍ୟାଗ୍ରହର ବିକାଶରେ ଏକ ଅମୂଲ୍ୟ ଅବଦାନ ଦେଇଛନ୍ତି । ଶଙ୍କରାଚାର୍ଯ୍ୟଙ୍କୁ ଉଦ୍ଧୃତ କରି ବିନୋବାଜୀ କହିଛନ୍ତି ‘‘ମୁଁ ମୋ କଥା ବୁଝାଇବି, ଯଦି ଅପର ଲୋକ ନ ବୁଝିଲେ ତେବେ ପୁଣି ବୁଝାଇବି ଓ ସେ ନ ବୁଝିବା ଯାଏ ବାରମ୍ବାର ବୁଝାଉଥିବି ।’’

 

ଯେ ଭୂଦାନରେ ଜମି ନ ଦେବ ତାହାପ୍ରତି କୌଣସି ପ୍ରକାରର ଅସୂୟାଭାବ ପୋଷଣ ନ କରିବା ପାଇଁ ତାକିଦ୍‍ କରି ସେ କହିଛନ୍ତି ଯେ ଦାତାଙ୍କୁ ଗୋଟିଏ ନମସ୍କାର କରିବ ମାତ୍ର ନ ଦେଲା ବାଲାକୁ ଦୁଇଟି ନମସ୍କାର ।

 

ଗାନ୍ଧୀଯୁଗରେ ଆମେ ଯେଉଁ ସତ୍ୟାଗ୍ରହ କରିଥିଲୁ (ଖୋଦ୍ ଗାନ୍ଧୀଙ୍କୁ ଓ ଅନ୍ୟ ପାଞ୍ଚ ଦଶ ଜଣଙ୍କୁ ଛାଡ଼ି) ସେଥିରେ ଆମର ପ୍ରତିପକ୍ଷୀ ଥିଲେ ବ୍ରିଟିଶ୍ ସରକାର ତାର କର୍ମଚାରୀ ଓ ଇଂରେଜ ଜାତିକୁ ଆମ କଥା ବୁଝାଇବା ବା ତାଙ୍କ କଥା ବୁଝିବା ସାଙ୍ଗରେ ଆମର କିଛି ସମ୍ବନ୍ଧ ନଥିଲା । ଏହାର ଦାୟିତ୍ୱ ଥିଲା ଗାନ୍ଧିଜୀଙ୍କଠାରେ । ଆମେ ଯାହା କରୁଥିଲୁ ତାହା ସରକାର ପ୍ରତି ଆମର ଅବଜ୍ଞା ଓ ନିର୍ଭୟତା ଜାହିର କରିବାପାଇଁ । ସ୍ୱରାଜ ପରେ ମଧ୍ୟ ଏହି ଅଭ୍ୟାସ ଆମର ରହି ଯାଇଥିଲା । ଆମେ ବିଚାରୁଥିଲୁ ଯେ ‘‘ଜମି ବାଣ୍ଟ ହେଉ’’ ବୋଲି ସ୍ଳୋଗାନ ଦେଇ ପିକେଟିଂ, କି ଅନଶନ କି କିଛି ଗୋଟିଏ କରିଦେଲେ କାମ ହୋଇଯିବ । ବିନୋବାଜୀ ଏ ଭ୍ରାନ୍ତିଟାକୁ ଭାଙ୍ଗିଦେଲେ ।

 

ଆଜିକାଲି କମ୍ୟୁନିକେଶନ, (Communication) ବିଚାରର ଆଦାନପ୍ରଦାନ ବା ‘ସମ୍ବାଦ’ (ଗୀତାର କୃଷ୍ଣାର୍ଜ୍ଜୁନ ‘ସମ୍ବାଦ’ ଅର୍ଥରେ)ର ଗୋଟିଏ ରୀତିମତ ସ୍ୱତନ୍ତ୍ର ବିଜ୍ଞାନ ହିଁ ସୃଷ୍ଟି ହେଲାଣି । ଭାଷା ଭାବ ପ୍ରକାଶରେ ଯେତିକି ସାହାଯ୍ୟ କରେ ଭାବକୁ ଅସ୍ପଷ୍ଟ ଓ ବିଭ୍ରାନ୍ତ କରିବାରେ ବି ତାଠୁଁ କମ କରେ ନାହିଁ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଓ ଜନୈକ ଇଂରେଜ ପାଦ୍ରୀଙ୍କର ବିଷୟରେ ଏକ ଜଣାଶୁଣା କାହାଣୀ ଅଛି । ପାଦ୍ରୀ ସାହେବ ବଙ୍ଗଳା ଶିଖୁଥିଲେ ଓ ଭଲ ଶିଖିଛନ୍ତି ବୋଲି ଆତ୍ମପ୍ରସାଦ ଅନୁଭବ କରୁଥିଲେ । ଈଶ୍ୱରଚନ୍ଦ୍ର ତାଙ୍କୁ ପରୀକ୍ଷା କରିବା ପାଇଁ ଗଙ୍ଗାରେ ଡ଼ଙ୍ଗା ବାହୁଥିବା ଏକ ମାଝିକୁ କୂଳକୁ ଡାକିବାକୁ କହିଲେ । ସାହେବ ବାରମ୍ବାର ଚିତ୍କାର କଲେ–‘‘ଭୋ, ଭୋ । କର୍ଣ୍ଣଧାର, ତରୀ ତୀରେ ଆନୟନ କର ।’’ କିନ୍ତୁ ଶୁଣେ କିଏ ? ଶେଷକୁ ବିଦ୍ୟାସାଗର ଡାକିଲେ—‘‘ଏ ମାଝି, ନୌକା ନିୟେ ଆୟ ।’’ ସେ ସାଙ୍ଗେ ସାଙ୍ଗେ ଆସିଗଲା ।

 

ଏଇଟା ଗୋଟାଏ ସ୍ଥୂଳ ଉଦାହରଣ । ମାତ୍ର ବକ୍ତା ଓ ଶ୍ରୋତାର ପରସ୍ପରଠାରୁ ଭିନ୍ନ ମାନସିକ, ସାମାଜିକ ବା ସାଂସ୍କୃତିକ ଭୂମିକା ଯୋଗୁଁ ଖୁବ୍ ସହଜ ଜଣାପଡ଼ୁଥିବା କଥା ମଧ୍ୟ ଅବୁଝା ରହିଥାଏ । ଗାଁ ଚାଷୀକୁ ନୂଆ ଧାନ ବିହନର ଉପଯୋଗୀତା ବୁଝେଇବାଠାରୁ ପୁଞ୍ଜିବାଦୀ ଆମେରିକା ଓ ସାମ୍ୟବାଦୀ ରୁଷ୍‍ର କୁଟନୀତିଜ୍ଞମାନଙ୍କ ପରସ୍ପର ବୁଝାମଣା ଯାଏ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କେତେ ଉଦ୍ୟମ ବିଫଳ ହେଉଛି, କେତେ ଭୁଲ ବୁଝାମଣାର ସୃଷ୍ଟି ହେଉଛି ଓ କେତେ ସଂଘର୍ଷର ମଧ୍ୟ ସୂତ୍ରପାତ ହେଉଛି; ଗୋଟାଏ ପକ୍ଷର କଥା ଓ ଉଦ୍ଦେଶ୍ୟ ଅପର ପକ୍ଷ ଠିକ୍ ଭାବରେ ନ ବୁଝି ପାରିବା ଯୋଗୁଁ । ସେଥିପାଇଁ ଆଜିକାଲି ଆଧୁନିକ ଜଗତରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ‘ସମ୍ବାଦବିଜ୍ଞାନ’ର ଗୁରୁତ୍ୱ ବଢ଼ି ଚାଲିଛି । ସ୍ପଷ୍ଟତଃ ଏହି ସମ୍ବାଦବିଜ୍ଞାନ ପଛରେ ଥିବା କଳ୍ପନା ଓ ତାର ମୂଳ ବିଷୟ ସହିତ ସତ୍ୟାଗ୍ରହ ପଦ୍ଧତିର ଗୋଟାଏ ସମ୍ବନ୍ଧ ଓ ସାମଞ୍ଜସ୍ୟ ରହିଛି ।

 

ମୁଁ ଯେଉଁ କଥା କହୁଛି ବା ଅନ୍ୟକୁ ଯାହା କରିବାକୁ ଅନୁରୋଧ କରୁଛି ସେ ଯଦି ତାହା ନ ବୁଝି ପାରିଲା ବା ଗ୍ରହଣ ନ କଲା ତେବେ ସେଇଟା କେବଳ ତାର ମୁଢ଼ତା ବା ଦୁଷ୍ଟତା ଯୋଗୁଁ, ଏହା ଧରିନେବା ଆଜିକାଲି ରାଜନୀତି, ବେପାର, ଶିକ୍ଷା ବା ଶାସନ କ୍ଷେତ୍ରରେ ବି ବୁଦ୍ଧିମାନର କାମ ବୋଲି ମନେ କରାହେଉ ନାହିଁ । ମୋର କହିବାର ଭାଷାରେ, ଢଙ୍ଗରେ, ବେଳକାଳରେ କଣ ତ୍ରୁଟି ବା ଊଣା ରହିଗଲା ତାହା ଆମେ ଦେଖିବା ଜରୁରୀ ମନେ କରାଯାଉଛି । ସେହିପରି ଗାନ୍ଧିଜୀ ଓ ବିନୋବା କୌଣସି ସତ୍ୟାଗ୍ରହର ବିଫଳତାର ଦୋଷ ଅପରପକ୍ଷେ ଉପରେ ଲଦି ନ ଦେଇ ନିଜର କେଉଁଠି ଦୋଷତ୍ରୁଟି ରହିଲା ସେଥିପ୍ରତି ପ୍ରଥମେ ଦୃଷ୍ଟି ଦେଉଥିଲେ ଓ ଦିଅନ୍ତି ।

 

ଜଣକର କଥା ବା ଦାବି ଅନ୍ୟ ଜଣେ ଗ୍ରହଣ କରିବାପାଇଁ ହେଲେ ସେ ସେଥିପାଇଁ ଅନୁକୂଳ ମନୋଭାବରେ ଥିବା ଚାହିଁ । ଯଦି ସେ ମୂଳରୁ ସନ୍ଦେହ କରୁଥିବ ଯେ ଏ ମତେ ହଇରାଣ ହଟହଟା, ବଦନାମ ବା ଲୋକହସା କରିବା ପାଇଁ ସତ୍ୟାଗ୍ରହ କରୁଛି ତେବେ ତ ସେ ସତ୍ୟାଗ୍ରହୀ ଓ ତାର ସମସ୍ତ କାର୍ଯ୍ୟକଳାପ ପ୍ରତି ବିରୂପ ମନୋଭାବ ପୋଷଣ କରିବ, ସବୁ କଥାର ଭୁଲ ଅର୍ଥ କରିବ ଓ ତୀବ୍ର ବିରୋଧଭାବ ଧରିବ ।

 

ବ୍ରିଟିଶ ସରକାର ବିରୋଧରେ ଆନ୍ଦୋଳନ ବେଳେ କଂଗ୍ରେସ ଓ ଗାନ୍ଧିଜୀଙ୍କ ପ୍ରତି ସରକାରରେ ଅତି ତୀବ୍ର ସନ୍ଦେହୀ ମନୋଭାବ ଓ ବିରୋଧ ଥିଲା । ହିଂସାଯୁଦ୍ଧରେ ଏ ବିରୋଧ ଓ ସନ୍ଦେହକୁ ସ୍ୱାଭାବିକ ବୋଲି ଧରି ନିଆଯାଏ ଓ ତାରି ଭିତ୍ତିରେ ସବୁ କାରବାର ଚାଲେ । ଆମେ ପୂର୍ବରୁ ଦେଖିଛୁ ଯେ ଇଂରେଜ ଜାତି ନିଜର ବନ୍ଧୁଭାବ ଓ ସଦିଚ୍ଛାର ପରିଚୟ ଦେବା ପାଇଁ ଗାନ୍ଧିଜୀ ଯତ୍‌ପରାନାସ୍ତି ଚେଷ୍ଟା କରୁଥିଲେ ।

 

ଅନ୍ୟାନ୍ୟ କ୍ଷେତ୍ରରେ ସତ୍ୟାଗ୍ରହ, ଅନଶନ ଆଦି ସଂକ୍ରାନ୍ତରେ ଗାନ୍ଧିଜୀ ବରାବର ପରାମର୍ଶ ଦେଉଥିଲେ ଯେ ଯେପରି ତାହା ଉତ୍‌ପୀଡ଼ନମୂଳକ ହୋଇଯାଏ । ଉଦାହର ସ୍ୱରୂପ ୧୯୨୬ର ସେପ୍ଟେମ୍ବର ୩୦ ତାରିଖରେ ହରିଜନରେ ସେ ଲେଖିଥିଲେ ଯେ ‘‘ଜଣେ ନିଜର ବିରୋଧୀ ବିରୋଧରେ ଉପବାସରୂପୀ ସତ୍ୟାଗ୍ରହ କରିପାରେ ନାହିଁ । ଉପବାସ କେବଳ ନିଜର ପ୍ରିୟଜନଙ୍କ ବିରୋଧରେ, କେବଳ ମାତ୍ର ସେମାନଙ୍କର ମଙ୍ଗଳ ପାଇଁ କରାଯାଇପାରେ ।

 

୧୯୩୩ର ଗାନ୍ଧିଜୀଙ୍କର ଅସ୍ପୃଶ୍ୟତା ବିରୋଧୀ ଉପବାସ ନିଆଯାଉ । ସେତେବେଳେ ତାର ବ୍ୟାପକ ଓ ଗଭୀର ପ୍ରଭାବ ସମାଜ ଉପରେ ପଡ଼ିଲା ଓ ଲକ୍ଷ ଲକ୍ଷ ଲୋକ ଅସ୍ପୃଶ୍ୟତା ତ୍ୟାଗ କରିବାକୁ ଆଗଭର ହେଲେ କାହିଁକି ? ଏଥିପାଇଁ ଯେ ଗାନ୍ଧିଜୀ ହିନ୍ଦୁ ସମାଜ ପ୍ରତି ପ୍ରେମଭାବ ନେଇ, ଜନତାକୁ ଏକ କଳଙ୍କରୁ ମୁକ୍ତ କରିବାର ଉଦ୍ଦେଶ୍ୟରେ ଅନଶନ କଲେ । ଜୀବନବ୍ୟାପୀ ସେବା ଦ୍ୱାରା ଜନତାର ଶ୍ରଦ୍ଧା ଓ ଭକ୍ତି ତାଙ୍କୁ ମିଳିଥିଲା । ଦଶ ବାର ବର୍ଷ ପୂର୍ବରୁ ସେ ଅସ୍ପୃଶ୍ୟତା ବିରୋଧରେ ପ୍ରଚାର ଆରମ୍ଭ କରିଥିଲେ । ସେସବୁ କଥା ଲୋକଙ୍କ କାନରେ ପଡ଼ିଥିଲା । ବହୁଲୋକ ବିବେକର ଦଂଶନ ଖୁବ୍ ମୃଦୁ ଭାବରେ ହେଲେ ବି ଅନୁଭବ କରିବାକୁ ଆରମ୍ଭ କରିଥିଲେ । ମାତ୍ର ସମାଜର ଭୟରେ ବା ଜନତା ଯୋଗୁଁ ଅସ୍ପୃଶ୍ୟତା ଛାଡ଼ିବା ଦିଗରେ କିଛି କରି ନ ଥିଲେ । ଗାନ୍ଧିଜୀଙ୍କର ଅନଶନ ସେମାନଙ୍କର ବିବେକକୁ ତୀବ୍ର ଭାବରେ ସ୍ପର୍ଶ କଲା । ସେମାନଙ୍କୁ ଭୟ ଓ ଜଡ଼ତାରୁ ମୁକ୍ତ କରିବାରେ ସାହାଯ୍ୟ କଲା । ଏହିରୂପେ ବିଧାୟକ ସତ୍ୟାଗ୍ରହ କେବଳ ବିଚାର ବୁଝାଇବା ସ୍ତରରେ ନ ରହି ଲୋକଙ୍କର ବିବେକକୁ କ୍ରିୟାଶୀଳ କରାଇବା ପାଇଁ ଅନଶନ ଭଳି କୌଣସି ନୈମିତ୍ତିକ ରୂପ ମଧ୍ୟ ନେଇପାରେ ।

 

ମାତ୍ର ଗାନ୍ଧିଜୀ ଯଦି ହିନ୍ଦୁ ସମାଜ ପ୍ରତି କ୍ରୋଧ ବା ଅଶ୍ରଦ୍ଧାର ମନୋଭାବ ନେଇ ଅନଶନ କରିଥାନ୍ତେ ତେବେ ତାର ଏଭଳି ପ୍ରଭାବ ପଡ଼ିଥାନ୍ତା କି? ତାହାଦ୍ୱାରା ଲୋକଙ୍କ ଭିତରେ ବି ଗାନ୍ଧିଜୀଙ୍କ ପ୍ରତି ବିରୂପ ଭାବ ହିଁ ବଢ଼ିଥାନ୍ତା । ଅବଶ୍ୟ ବହୁ ସନାତନୀ, ଯେଉଁମାନେ କି ଗାନ୍ଧିଜୀଙ୍କୁ ହିନ୍ଦୁଧର୍ମର ଶତ୍ରୁ ମଣୁଥିଲେ, ସେମାନେ ଅନଶନ ଦ୍ୱାରା ଅଧିକ ଉତ୍‌କ୍ଷିପ୍ତ ହିଁ ହେଲେ । ଯଦି ପୂର୍ବରୁ ବା ଅନଶନ ବେଳେ ମଧ୍ୟ ଅସ୍ପୃଶ୍ୟତା ବିରୋଧରେ ଆହୁରି ଅଧିକ ଓ ବ୍ୟାପକ ପ୍ରଚାର ହୋଇଥାନ୍ତା ତେବେ ଆହୁରି ଅଧିକ ଲୋକ ଅନଶନ ଦ୍ୱାରା ପ୍ରଭାବିତ ହୋଇଥାନ୍ତେ । ଶତକଡ଼ା ଶହେ ଲୋକଙ୍କୁ ସ୍ପର୍ଶ କଲାଭଳି ବିଲକୁଲ୍‍ । ପରିପୂର୍ଣ୍ଣ ସତ୍ୟାଗ୍ରହ ତତ୍ତ୍ୱତଃ କଳ୍ପନୀୟ ହେଲେ ବି ବାସ୍ତବ କ୍ଷେତ୍ରରେ ସମ୍ଭବ କି ନୁହେଁ ଏ ତର୍କରେ ନପଡ଼ି ଏକଥା ତ ଆମେ ସ୍ପଷ୍ଟ କଳ୍ପନା କରିପାରୁ ଯେ ଯଦି ଲୋକଙ୍କୁ ବୁଝାଇଲେ ବୁଝିବେ ଏ ବିଶ୍ୱାସ ମୂଳରୁ ନରଖି ପୂର୍ବରୁ ପ୍ରଚାର ଓ ସେବାର କୌଣସି ଉଦ୍ୟମ ନକରି ଗାନ୍ଧିଜୀ ହଠାତ୍ ଦିନେ ଅନଶନ ଠୁକି ଦେଇଥାନ୍ତେ ତେବେ ତାର ପ୍ରଭାବ କି ଧରଣର ହୋଇଥାନ୍ତା ।

Image

 

(ନଅ)

ସୌମ୍ୟ, ସୌମ୍ୟତର, ସୌମ୍ୟତମ ଓ ସତ୍ୟାଗ୍ରହୀ

 

‘‘ଅପରପକ୍ଷ ନ ବୁଝିବା ଯାଏ ମୁଁ ତାକୁ ବୁଝାଉଥିବି, ଥରେ, ଦୁଇଥର, ତିନିଥର, ବାରମ୍ବାର ବୁଝାଇବି । ଧୈର୍ଯ୍ୟ ହରାଇବି ନାହିଁ । ଏହି ମୋର ପ୍ରତିଜ୍ଞା ।’’ ବିନୋବାଙ୍କର ଏ କଥାରେ ଅର୍ଥ କଣ ଏୟା ଯେ ମୋର ବୁଝାଇବାର ଢଙ୍ଗ ଏକା ପ୍ରକାର ରହିଥିବ?

 

ସ୍ପଷ୍ଟତ ନୁହେଁ । ମୋର ବୁଦ୍ଧି ସୁଦ୍ଧି ଥିବ ତ ପ୍ରତିଥର ବୁଝାଇବା ବେଳେ କଣ କଲେ ମୋର ବୁଝାଇବା ପୂର୍ବ ଅପେକ୍ଷା ଅଧିକ ସଫଳ ହେବ ତାର ଉପାୟ ପାଞ୍ଚିବି । ମୋର ଯୁକ୍ତିକୁ ଅଧିକ ତୀକ୍ଷ୍‌ଣ କରିବି, ନୂଆ ନୂଆ ଉଦାହରଣ ଦେବି, ଅପରପକ୍ଷର ମତିଗତିକୁ ଲକ୍ଷ୍ୟ କରି ତାକୁ କାଟୁ କଲା ପରି ଯୁକ୍ତି ବାଢ଼ିବି ।

 

ତେବେ ବିଧାୟକ ସତ୍ୟାଗ୍ରହରେ କେବଳ ବୁଦ୍ଧିକୁ ସ୍ପର୍ଶ କରିବା ପାଇଁ ବୁଝାଇବା ଦ୍ୱାରା ହିଁ କାମ ହୁଏ ବୋଲି ବିଚାରିବା ଠିକ୍ ନୁହେଁ । ବିନୋବାଜୀ ଥରେ ବିଶ୍ଳେଷଣ କରି କହିଥିଲେ ଯେ ଏକରେ ବୁଦ୍ଧିକୁ ବିଚାରର ଆବେଦନ, ଦୁଇରେ ପରିସ୍ଥିତିର ପ୍ରଭାବ ଓ ତିନିରେ ସତ୍ୟାଗ୍ରହୀର ତପର ପ୍ରଭାବ ଏଇ ତିନୋଟି ମିଳିତ ପ୍ରଭାବରେ କାମ ହୁଏ । ଯେମିତି ଧରନ୍ତୁ ଗ୍ରାମଦାନରେ । ଆଜି କେବଳ ଯୁକ୍ତି ଦ୍ୱାରା ବିଚାର ବୁଝାଇବା ଦ୍ୱାରା ଯେ ଗ୍ରାମଦାନକୁ ଗ୍ରହଣ ନ କରୁଛନ୍ତି ସେ ହୁଏତ ଦଶ ଦିନ ପରେ ଯେତେବେଳେ ଦେଖିବେ ଯେ ତା ଗାଁର ଆଉ ଦଶ ଜଣ ଗ୍ରାମଦାନକୁ ମାନିନେଲେଣି ବା ପାଖ ଗାଁ ଗ୍ରାମଦାନ ହେଲାଣି ସେତେବେଳେ ସେ ସେ ବିଚାରକୁ ମାନିବାକୁ ତିଆରି ହୋଇଯିବେ । କର୍ମୀ ଯେ ଏତେ ସଚ୍ଚୋଟ ପଣିଆର ସହିତ ଏତେ ଖରାବର୍ଷା ସହି ଭୋକ ଉପାସକୁ ଖାତିର ନକରି ଏଥିପାଇଁ ଗାଁ ଗାଁ ବୁଲୁଛନ୍ତି, ତାଙ୍କ ପାଖକୁ ଆସି ନମ୍ରଭାବରେ ବୁଝାଉଛନ୍ତି ଏହାର ପ୍ରଭାବ ମଧ୍ୟ ସେ ଲୋକଙ୍କ ଉପରେ ଅବଶ୍ୟ ପଡ଼ିଥିବ । କର୍ମୀର ନିଷ୍ଠା ଓ ଆପଣା ଆଦର୍ଶ ପାଇଁ ଦୁଃଖକଷ୍ଟକୁ ଭ୍ରୂକ୍ଷେପ ନ କରି ସତତ ଉଦ୍ୟମ ମଧ୍ୟ ଅନଶନ ପରି ଏକ ତପ । ବିନୋବାଜୀ ଯଦି ପ୍ରତିଦିନ ଖରା ନାହିଁ ବର୍ଷା ନାହିଁ ବଢ଼ି ନାହିଁ ଲଗାତର ତେର ବର୍ଷ ନ ଚାଲି ଓ୍ୟାର୍ଦ୍ଧାରେ ତିନୋଟି ଭଲ ବକ୍ତୃତା ରେଡ଼ିଓ ଓ ଖବର କାଗଜ ଦ୍ୱାରା ପ୍ରଚାର କରି ଦେଇଥାନ୍ତେ ତେବେ ଶତାଂଶରେ ବି ପ୍ରଭାବ ପଡ଼ିଥାନ୍ତା କି ? ଅନଶନ ଅଳ୍ପ ସମୟ ପାଇଁ ଉଚ୍ଚ ମାତ୍ରାର ତପ, ପଦଯାତ୍ରା ଓ ସତତ ସେବାପରତା ଦୀର୍ଘକାଳ ବ୍ୟାପି ନିମ୍ନ, ମାତ୍ରାର ତପ ।

 

ସତ୍ୟାଗ୍ରହର ଗୋଟାଏ ରୂପ, ଧରନ୍ତୁ ବୁଲି ବୁଲି ଲୋକଙ୍କୁ ବୁଝାଇବା, ଯଦି ଆଶାନୁରୂପ ଫଳ ନ ହେଲା ତେବେ ତାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ କେବଳ ବୁଝାଇବାର ପ୍ରତିକ୍ରିୟାକୁ ହିଁ ଅଧିକ ମାର୍ଜିତ କରିବାର ପନ୍ଥା ହିଁ ଯେ ଖୋଲା ଅଛି ତାହା ନୁହେଁ, ‘ତ୍ରିଶୂଳର’ ଅନ୍ୟ ଦୁଇଟି ମୁନ ସତ୍ୟାଗ୍ରହୀର ତପ ଓ ପରିସ୍ଥିତିର ପ୍ରଭାବକୁ ମଧ୍ୟ ଅଧିକ ଶକ୍ତିଶାଳୀ ଓ ପ୍ରଭାବକାରୀ କରାଯାଇପାରେ । ଭୂଦାନର ଉଦାହରଣ ନିଆଯାଉ । ଆନ୍ଦୋଳନକୁ ଅଧିକ ସକ୍ଷମ କରିବା ପାଇଁ ଅନଶନ କାହିଁକି ନ କରାଯିବ ? ପରିସ୍ଥିତିର ଚାପ ସୃଷ୍ଟି ପାଇଁ ଭୂମିହୀନଙ୍କ ସଂଗଠନ କରି ସେମାନଙ୍କ ଦ୍ୱାରା ଧର୍ମଘଟ କାହିଁକି ନ କରାଯିବ ?

 

ସତ୍ୟାଗ୍ରହକୁ ଅଧିକ ଶକ୍ତିଶାଳୀ କିପରି ‘କରାଯିବ, ତାହା ବୁଝାଇବାକୁ ଯାଇ ବିନୋବାଜୀଙ୍କ ସୌମ୍ୟ, ସୌମ୍ୟତର, ପ୍ରକ୍ରିୟାର ବିଚାର ବାଢ଼ିଛନ୍ତି । ତାଙ୍କ କହିବା ମତେ ହିଂସା ଯୁଦ୍ଧରେ ଗୋଟାଏ ଅସ୍ତ୍ରରେ କାମ ନ ହେଲେ ଆହୁରି ଉଗ୍ର ଅସ୍ତ୍ର ଅଣାଯାଏ । ବନ୍ଧୁକ କାମ ନ ହେଲେ ତୋପ, ତୋପରେ ନ ହେଲେ ବୋମା ବ୍ୟବହାର କରାଯାଏ । ମାତ୍ର ସତ୍ୟାଗ୍ରହରୂପୀ ଅହିଂସ ପନ୍ଥାରେ ଗୋଟାଏ ଉପାୟରେ କାମ ନ ହେଲାତ ଅପରପକ୍ଷର ବୁଦ୍ଧିକୁ ଓ ହୃଦୟକୁ ସ୍ପର୍ଶ କରିବାକୁ ସୌମ୍ୟତର ଉପାୟ ଅବଲମ୍ବନ କରାଯିବ । ସେଥିରେ ବି ନ ହେଲେ ଆହୁରି ସୌମ୍ୟ ବା ସୌମ୍ୟତମ ।

 

ସେ କହିଛନ୍ତି—‘‘ଯେଉଁ କାମ ଧମକ ଦ୍ୱାରା ହେବ ନାହିଁ ତାହା ବୁଝାଇଲେ ଅବଶ୍ୟ ହେବ । ବୁଝାଇବା ଦ୍ୱାରା ନ ହେବତ ପ୍ରେମପୂର୍ବକ ସେବା କଲେ ହେବ । ପ୍ରେମପୂର୍ଣ୍ଣ ସେବାଦ୍ୱାରା ନ ହେବ ତ ତାହାପାଇଁ ପ୍ରେମର ସହିତ ଅଧିକ ତ୍ୟାଗ କଲେ ଅବଶ୍ୟ ହେବ । ଏହିପରି ଉତ୍ତାରୋତ୍ତର ପ୍ରୟାସ ଦ୍ୱାରା ଲୋକଙ୍କୁ ବୁଝାଇ ହେବ ଓ ଏହି ବାଟରେ ହିଁ ଅବଶ୍ୟ ସୁଫଳ ମିଳିବ, ଏହି ବିଶ୍ୱାସର ନାମ ହିଁ ଅହିଂସା ।

 

ଏବେ ଆମେ ଭୂଦାନ କଥା ଲୋକଙ୍କୁ ବୁଝାଉଛୁ । ଲୋକଙ୍କୁ ପ୍ରେମର ସହ ମାଗୁଛୁ । ଧରନ୍ତୁ ମାଗିବାର କିଛି ଫଳ ହେଲାନାହିଁ, ସେଠୁ ଲୋକେ ବିଚାରନ୍ତି ଯେ ଏବେ କିଛି ଉଗ୍ର ପଦକ୍ଷେପ ନେବାକୁ ହେବ ଓ ସେ ଉଗ୍ର ପଦକ୍ଷେପ ଦ୍ୱାରା କିଛି ନ ହେଲାତ ତତୋଽଧିକ ତୀବ୍ର ପନ୍ଥା ଧରିବା । ...ମାତ୍ର ଏହା ଅହିଂସାର ଚିନ୍ତନର ଢଙ୍ଗ ନୁହେଁ ।’’ (ଭୂଦାନ ଗଙ୍ଗା ୬ଷ୍ଠ ଖଣ୍ଡ, ପୃ ୧୧୩)

 

ଅର୍ଥାତ୍ ଯଦି ଆମର ଚିନ୍ତାର ଢଙ୍ଗ ଏୟା ହେଲା ଯେ, ‘‘ଆରେ ଲୋକଟା ଶୁଣୁନାହିଁ ? ଲଗେଇବଟି ତା ଦୁଆରେ ପିକେଟିଂ । ତଥାପି ମାନୁ ନାହିଁ ? ମୂଲିଆ ବନ୍ଦ କରିଦେଲେ ଦେଖିବା କୁଆଡ଼େ ଯିବ ?’’ ….ତେବେ ତାହା ସତ୍ୟାଗ୍ରହର-ପନ୍ଥା ନୁହେଁ, ଅକଡ଼େଇବାର ପନ୍ଥା । ତାର ଶେଷ ପରିଣତି ହିଂସାରେ, ମୂଲିଆ ବନ୍ଦରେ ବି ସେ ନ ମାନିଲେ ଘେରାଉ ହେବ ଓ ସେଥିରେ ବି କାମ ନ ହେଲେ ବି ଚାରି ପାହାର କସି ଦେବା କଥା ଉଠିବ । ଅର୍ଥାତ୍ ବିଚାରରେ ଏ ଧାରରେ ଶାନ୍ତିପୂର୍ଣ୍ଣ ଅନ୍ଦୋଳନ ହେଲା ହିଂସାର ପ୍ରଥମ ଓ ଅଳ୍ପକିଆ ପାନ । ଅପର ପକ୍ଷର ବୁଦ୍ଧିକୁ ସ୍ପର୍ଶ କରିବାର, ତାର ହୃଦୟକୁ ମୋହମୁକ୍ତ କରିବାର ଆକୁତି ନେଇ ସତ୍ୟାଗ୍ରହର ଉତ୍ତରୋତ୍ତର ସକ୍ଷମ ପନ୍ଥା ଖୋଜିବାକୁ ହେବ ।

 

ଏହାର ଉଦାହରଣ ବିନୋବାଜୀ ନିଜେ ଦେଇଛନ୍ତି । ଭୂଦାନ ଯଜ୍ଞର ପ୍ରଥମ ଅବସ୍ଥାରେ ବିନୋବା ଆସୁଛନ୍ତି ଶୁଣିଲେ ଗାଁର ବଡ଼ବଡ଼ ଭୂମିମାଲିକ ଗାଁ ଛାଡ଼ି ପଳେଇ ଯାଉଥିଲେ । ଏପରି ଭୟ କାହିଁକ ହେବ ବୋଲି ବିଚାରି ବିଚାରି ବିନୋବା ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ମୁଁ କେବଳ ସମାଜର ଗୋଟିଏ ଶ୍ରେଣୀ ଜମିମାଲିକଙ୍କୁ ଜମି ମାଗୁଛି । ଏଇଟା ଏକାଙ୍ଗୀ ବିଚାର ହେଉଛି । ସମାଜର ପ୍ରତ୍ୟେକ ବ୍ୟକ୍ତି କିଛି ଦେବା ଉଚିତ । ସେଠୁ ସେ ଭୂମିହୀନଙ୍କୁ ଶ୍ରମଦାନ ମାଗିବା ଆରମ୍ଭ କଲେ । ଏହି ରୂପେ ବିଚାର ପୂର୍ଣ୍ଣ ହେଲା ଓ ବିନୋବା କେବଳ ଜମି ମାଗୁ ନାହିଁ, ସମସ୍ତଙ୍କୁ କିଛି ନା କିଛି ମାଗୁଛି, ଏହା ଜାଣି ଭୟ ଭାଙ୍ଗିଲା ।

 

ସେହିପରି ଗ୍ରାମଦାନରେ ପ୍ରଥମେ ସବୁ ଜମି ବିନା ସର୍ତ୍ତରେ ଗ୍ରାମ ସଭାକୁ ଦେଇଦେବା କଥା ଥିଲା । ମାତ୍ର ବିନୋବାଜୀ ଜମିମାଲିକମାନଙ୍କ ସହିତ ଆଲୋଚନା କରି ଦେଖିଲେ ଯେ ଅନେକ ଗ୍ରାମଦାନର ବିଚାରକୁ ନୀତି ଦୃଷ୍ଟିରୁ ଗ୍ରହଣ କଲେ ବି ହଠାତ୍ ସମବଣ୍ଟନ ପାଇଁ ପ୍ରସ୍ତୁତ ହୋଇ ପାରୁନାହାନ୍ତି । ଘରସଂସାର, ପିଲାଙ୍କ ପାଠପଢ଼ା, ବିବାହ ବ୍ରତ ଆଦିର ଯେଉଁସବୁ ଦାୟିତ୍ୱ ଅଛି ତାକୁ ହଠାତ୍ ଏଡ଼େଇ ଦେଇ ହେଉ ନାହଁ । ଦଶ ଏକରରୁ ଦୁଇ ଏକର ଚାଲିଗଲେ ବୋଝ ଅସମ୍ଭାଳ ହୋଇଯିବ । ତେଣୁ ବିନୋବା କୋଡ଼ିଏ ଭାଗରୁ ଭାଗେ ଦେବା କଥା କଲେ । ତାଙ୍କ ବିଚାର ହେଲା ଲୋକଙ୍କ ହୃଦୟରେ ବାଣ୍ଟି ଖାଇବା ବିଚାରଟା ତ ପସୁ । କିଛି ନା କିଛି ଦେବାର ଆନନ୍ଦଟା ଅନୁଭବ କରନ୍ତୁ । ହୃଦୟର ଦ୍ୱାର ଥରେ ଫିଟିଲେ ପୁଣି ଦରକାର ପଡ଼ିଲେ ବଳେ ସ୍ୱେଚ୍ଛାରେ ବେଶି ଦେବେ । ପ୍ରକୃତରେ ମଧ୍ୟ ଚାଷୀମାନେ ଗାଁର ଭୂମିହୀନଙ୍କ ପାଇଁ କୋଡ଼ିଏ ଭାଗରୁ ଭାଗେ ଅକୁଳାନ ନ ହେଲେ ସାନନ୍ଦରେ ଜମିର ବାର ଭାଗ ବା ଦଶଭାଗରୁ ଭାଗେ ଛାଡ଼ି ଦେଇ ଥିବାର ଶହ ଶହ ଉଦାହରଣ ଦେଖିବାକୁ ମିଳିଛି ।

 

ଏହି ରୂପେ ସତ୍ୟାଗ୍ରହକୁ ସୌମ୍ୟରୁ ସୌମ୍ୟତର କରିବାପାଇଁ ହେଲେ ଅପରପକ୍ଷର ଦୃଷ୍ଟିକୋଣକୁ ବୁଝିବା ପାଇଁ ସତ୍ୟାଗ୍ରହୀ ସର୍ବଦା ପ୍ରସ୍ତୁତ ଥିବା ଚାହିଁ । ଗାନ୍ଧିଜୀ ଏହା ଉପରେ ବରାବର ଜୋର ଦେଉଥିଲେ । ଭାଇକମ ମନ୍ଦିର ପ୍ରବେଶ ସତ୍ୟାଗ୍ରହ ପ୍ରସଙ୍ଗରେ ସେ କହିଥିଲେ–“ମୁଁ ସେମାନଙ୍କର ସନାତନୀଙ୍କର, ମନର ଅବସ୍ଥା ସେମାନଙ୍କର ଦୃଷ୍ଟି କୋଣରୁ ବିଚାର କରୁଛି, ମୋ ଦୃଷ୍ଟିରୁ ନୁହେଁ । ସେମାନେ ହିନ୍ଦୁ ନ ହୋଇଥିଲେ କାଲି ଯେପରି କଥାବାର୍ତ୍ତା କଲେ ସେପରି କରି ନଥାନ୍ତେ । ଏବଂ କୌଣସି ବସ୍ତୁକୁ ଆମର ବିରୋଧୀ ପକ୍ଷର ଦୃଷ୍ଟିକୋଣରୁ ଦେଖି ଶିଖିବା ମାତ୍ରେ ଅମେ ସେମାନଙ୍କ ପ୍ରତି ନ୍ୟାୟ କରିପାରିବା । ମୁଁ ଜାଣେ ଯେ ଏଥିପାଇ ଏକ ଅନାଶକ୍ତ ମନ ଦରକାର ଓ ସେ ଅବସ୍ଥାରେ ପହଞ୍ଚିବା ବଡ଼ କଠିନ । ମାତ୍ର ସତ୍ୟାଗ୍ରହୀ ପାଇଁ ଏହା ଅପରିହାର୍ଯ୍ୟ । ଆମେ ଯଦି ଆମ ବିରୋଧୀ ପକ୍ଷର ଜାଗାରେ ଛିଡ଼ା ହୋଇ ତାଙ୍କର ଦୃଷ୍ଟିକୋଣ ବୁଝିପାରନ୍ତେ ତେବେ ଦୁନିଆର ତିନିଚତୁର୍ଥାଂଶ ଦୁଃଖ ଓ ଭୁଲ ବୁଝାମଣା ଲୋପ ପାଇଯାନ୍ତା । ତାହାହେଲେ ଆମେ ଆମ ବିରୋଧୀପକ୍ଷ ସହିତ ଶୀଘ୍ର ଏକମତ ହୋଇଯାନ୍ତେ, ନଚେତ୍ ତାଙ୍କ କଥାକୁ ଉଦାରତାର ସହ ବିଚାର କରନ୍ତେ ।

 

ସତ୍ୟାଗ୍ରହୀ ସର୍ବଦା ବିରୋଧୀପକ୍ଷ ସହିତ କଥାବାର୍ତ୍ତା ଓ ଆଲେଚନା ପାଇଁ ପ୍ରସ୍ତୁତ ରହିବ । ଆଲୋଚନାର ଜରିଆରେ ସମାଧାନରେ ପହଞ୍ଚିବାର ଅର୍ଥ ହଁ ହେଉଛି କିଛି ଦିଆନିଆ । ଏପାଖ କିଛି ଛାଡ଼ିବ, ସେପାଖ ବି କିଛି ଛାଡ଼ିବ । ଏହାତ ଜୀବନରେ ସର୍ବଦା ଘଟି ହିଁ ଥାଏ । ଏତ ହେଲା ଦର ଦସ୍ତୁରର କଥା । ମାତ୍ର ସତ୍ୟାଗ୍ରହୀର ଦୃଷ୍ଟି ଏହାଠାରୁ ଗଭୀର ଓ ମୂଳଗାମୀ । ତାର ସତ୍ୟପ୍ରତି ଆଗ୍ରହ ରହିବା ଅର୍ଥ ସେ ନିଜେ ଯାହାକୁ ସତ୍ୟ ବୋଲି ଜାଣିଛି ତାହାରି ଉପରେ ଅଡ଼ି ବସିବା ନୁହେଁ । ସେ ଜାଣିଥିବା ଚାହିଁ ଯେ ପୂର୍ଣ୍ଣ ସତ୍ୟ ତାହାଠାରେ ନାହିଁ, କୌଣସି ମନୁଷ୍ୟଠାରେ ନାହିଁ । ସେଥିପାଇଁ ସେ ସର୍ବଦା ସତ୍ୟର ସନ୍ଧାନ ପାଇବାକୁ ଉତ୍ସୁକ ଥିବା ତାର ପ୍ରତିପକ୍ଷୀଠାରେ, ତାର କଥା ଓ ତାର ଦାବିରେ, କିଛି ସତ୍ୟର ଅଂଶ ଅଛି କି ନାହିଁ ତାହା ବୁଝିବା ପାଇଁ ସେ ଆଗ୍ରହୀ ଥିବେ ଏବଂ ତାହା ଗ୍ରହଣ କରିବାକୁ ମଧ୍ୟ ।

 

ଏଥିପାଇଁ ବିନୋବାଜୀ ଗୋଟାଏ ନୂଆ ଶବ୍ଦ ସୃଷ୍ଟି କରିଛନ୍ତି—‘‘ସତ୍ୟାଗ୍ରହୀ,’’ ଅର୍ଥାତ୍ ସେ ସତ୍ୟକୁ ଗ୍ରହଣ କରିବା ପାଇଁ ମଧ୍ୟ ସର୍ବଦା ପ୍ରସ୍ତୁତ ଥିବ । ଏଠାରେ ଏହା ଉଲ୍ଲେଖ କରିବା ଓଡ଼ିଆ ପାଠକମାନଙ୍କ ପକ୍ଷରେ ଚିତ୍ତାକର୍ଷକ ହେବ ଯେ ଓଡ଼ିଆ ଭାଷାରେ ପ୍ରଚଳିତ ଭାବଗ୍ରାହୀ, ଗୁଣଗ୍ରାହୀ ଆଦି ଶବ୍ଦରୁ ବିନୋବାଜୀଙ୍କୁ ସତ୍ୟାଗ୍ରାହୀ ଶବ୍ଦ ସୁଝିଲା ।

 

ସତ୍ୟାଗ୍ରହୀଠାରେ ଏ ଗୁଣ ରହିବାର ପ୍ରତୀକ୍ଷା ଆଧୁନିକ ମନୋବିଜ୍ଞାନ ଦୃଷ୍ଟିରୁ ମଧ୍ୟ ଯଥାର୍ଥ । ଅପର ପକ୍ଷଠାକୁ ଯେତେବେଳେ ଆଶା କରାଯାଉଛି ଯେ ସେ ନିଜର ବଦ୍ଧମୂଳ ଧାରଣା, ବିଶ୍ୱାସ ବା ଆଚରଣକୁ ବଦଳାଇ ନୂଆ ବିଚାର ଓ ଆଚରଣ ଗ୍ରହଣ କରିବ, ସେତେବେଳେ ଯେ ତାକୁ ଏକଥା କରିବା ପାଇଁ ପ୍ରବର୍ତ୍ତାଉଛି ସେ ନିଜେ ମଧ୍ୟ ନିଜର ମନକୁ ସେହିପରି ନୂଆ କଥା ପାଇଁ ଉନ୍ମୁକ୍ତ ନ ରଖିଲେ ତାର ପ୍ରଭାବ ପଡ଼ିବ କାହିଁକି ?

 

ସତ୍ୟାଗ୍ରହୀର ଏ ଗୁଣ ଥିବା ଚାହିଁ ବୋଲି ଗାନ୍ଧୀ ବା ବିନୋବା କହିଦେଲେ ବହୁତ ଭାରି ଜଣାପଡ଼ୁଛି । ମାତ୍ର ଦେଖାଯାଉଛି ଯେ ଶିକ୍ଷକର ମଧ୍ୟ ଏ ଗୁଣ ନଥିଲେ ସେ ସକ୍ଷମ ଭାବରେ ଶିକ୍ଷାଦେଇ ପାରିବ ନାହିଁ । ଗ୍ରାମସେବକର ଏ ଗୁଣ ନଥିଲେ ସେ ଲୋକଙ୍କୁ ଜାପାନୀ ଚାଷ ବା କମ୍ପୋଷ୍ଟ ଖତ କଥା ବୁଝେଇ ପାରିବ ନାହିଁ । ଏପରିକି ବେପାରୀର ସେ ଗୁଣ ନ ଥିଲେ ସେ ବେପାରରେ ଉଧେଇ ପାରିବ ନାହିଁ । ଯେ କୌଣସି କ୍ଷେତ୍ରରେ ମଣିଷକୁ ସକ୍ଷମ ଭାବରେ କାମ କରିବାକୁ ହେଲେ ଓ ଜୀବନରେ ତିଷ୍ଠି ରହିବାକୁ ହେଲେ ତାଠାରେ ଏ ଗୁଣ ଥିବା ଆବଶ୍ୟକ ।

 

ଏହି ସୌମ୍ୟ, ସେମ୍ୟତରର ସନ୍ଦର୍ଭରେ ସତ୍ୟାଗ୍ରହର ଆଉ ଏକ ବିଭାବ ପ୍ରତି ଧ୍ୟାନ ଦେବା ପ୍ରାସଙ୍ଗିକ ହେବ । ସତ୍ୟାଗ୍ରହର ଉଦ୍ଦେଶ୍ୟ ଅନେକ ସମୟରେ ଆତ୍ମ ସମର୍ପଣ ଦ୍ୱାରା ସିଦ୍ଧ ହୋଇଥାଏ । ବିଶେଷକରି ଯେଉଁଠି ସତ୍ୟାଗ୍ରହୀ ନିଜକୁ ପ୍ରତିପକ୍ଷୀଠାରୁ ଅଧିକ ସବଳ ଓ ଅଧିକ ଦୃଢ଼ ଭୂମି ଉପରେ ଠିଆ ହୋଇଥିବାର ଅନୁଭବ କରେ ସେଠାରେ ସେ ପ୍ରତିପକ୍ଷୀର ଦାବିକୁ ମାନିନେଇ ତାର ବିରୋଧୀତାକୁ ପୂରାପୂରି ନିଃଶେଷ କରିଦେଇ ପାରେ । ଏହା ସତ୍ୟାଗ୍ରହର ଏକ ସୌମ୍ୟ ରୂପ ।

 

ହିନ୍ଦୁ ଓ ମୁସଲମାନ ନେତାମାନଙ୍କ ଭିତରେ ସ୍ଵରାଜ୍ୟ ପୂର୍ବରୁ ରାଜନୀତିକ କ୍ଷମତା ଓ ଚାକିରୀ ଆଦିର ଭାଗବଣ୍ଟା ନେଇ ଯେଉଁ ଟଣା ଓଟରା ଲାଗିଥିଲା ସେ ବିଷୟରେ ଗାନ୍ଧିଙ୍କର ପରାମର୍ଶ ଥିଲା ଯେ ଅଧିକ ସଂଖ୍ୟକ ପକ୍ଷ ଅଳ୍ପ ସଂଖ୍ୟକଙ୍କ ଦାବି ଦରଦସ୍ତୁତ ନ କରି ପୂରା ମାନି ନିଅନ୍ତୁ ।

 

ସେ ଲେଖିଥିଲେ—‘‘ମୁଁ ଏକ ସତ୍ୟାଗ୍ରହୀ ରୂପେ ପୂର୍ଣ୍ଣ ସମର୍ପଣର ଅମୋଘ କାର୍ଯ୍ୟକାରିତାରେ ବିଶ୍ୱାସ କରେ । ସଂଖ୍ୟା ଦୃଷ୍ଟିରୁ ହିନ୍ଦୁମାନେ ବୃହତ୍ତର ସମ୍ପ୍ରଦାୟ । ତେଣୁ ସଂଖ୍ୟା ଲଘୁମାନେ ଯାହା ଚାହିଁବେ ତାହା ସେମାନେ ଦେଇଦେବା ଉଚିତ । ମାତ୍ର ହିନ୍ଦୁମାନେ ସଂଖ୍ୟା ଲଘିଷ୍ଠ ହୋଇଥିଲେ ବି ମୁଁ କହନ୍ତି ଯେ ସେମାନେ ପୂର୍ଣ୍ଣ ସମର୍ଥନ ଦ୍ୱାରା ଦୀର୍ଘକାଳୀନ ଦୃଷ୍ଟିରୁ କିଛି ହରାଇବେ ନାହିଁ ।’’

 

‘‘ଏ ଯୁକ୍ତିର ନ ଭାବିଚିନ୍ତି ଏକ ଜବାବ ଦିଆଯାଇଛି ଯେ ତେବେ ଆପଣ ଭାରତକୁ ଇଂରେଜଙ୍କଠାରେ ଆତ୍ମସମର୍ପଣ କରିବାକୁ ପରାମର୍ଶ ନ ଦେଉଛନ୍ତି କାହିଁକ ? ସେମାନେ ଚାହୁଁଥିବା ଆଧିପତ୍ୟ ତାଙ୍କୁ ଦେଇ ଆନନ୍ଦରେ ରହନ୍ତୁ । ମାତ୍ର ଏ ତରବରିଆ ଜବାବ ଦେବାରେ ଏ କଥାଟି ଭୁଲି ଯାଇଛନ୍ତି ଯେ ମୁଁ ସଙ୍ଗୀନ ମୁନରେ ଆତ୍ମସମର୍ପଣ କଥା କହୁନାହିଁ । ସତ୍ୟାଗ୍ରହୀର ଶାସ୍ତ୍ରରେ ପଶୁବଳ ନିକଟରେ ଆତ୍ମସମର୍ପଣ ଭଳି କଥା ନାହିଁ । ତେଣୁ ଏ ସମର୍ପଣ ହେଲା ଦୁଃଖ ବରଣର ସମର୍ପଣ, ସଙ୍ଗୀନ ଉଞ୍ଚେଇଥିବା ଲୋକର ଇଚ୍ଛା ନିକଟରେ ନୁହେଁ । ସତ୍ୟାଗ୍ରହୀର ଆତ୍ମସମର୍ପଣ ଶକ୍ତିକୁ ଜନ୍ମିବା ଚାହିଁ, ଦୁର୍ବଳତାରୁ ନୁହେଁ । ମୁଁ ଯେଉଁ ସମର୍ପଣ କଥା କହୁଛି ତାହା ସମ୍ମାନର ନୁହେଁ, କେବଳ ଭୌତିକ ସମ୍ପତ୍ତି ବା ବସ୍ତୁର ! ଆସନ ଓ ଚାକିରୀକୁ ସମର୍ପଣ କରିଦେବାରେ କୌଣସି ଆତ୍ମସମ୍ମାନ ହାନି ନାହିଁ । ଏସବୁ ନେଇ ଦରଦସ୍ତୁ କରିବାରେ ସମ୍ମାନ ହାନି ଅଛି । ଇଂରେଜମାନେ ସଙ୍ଗୀନ ଫିଙ୍ଗିଦେଇ ଆମ ଭିତରେ ସହଜ ବନ୍ଧୁଭାବରେ ରହନ୍ତୁ । ତା ହେଲେ ମୁଁ ସେମାନଙ୍କ ପକ୍ଷ ହୋଇ ଅନୁନୟ କରିବି । ସମର୍ପଣ ଓ ତ୍ୟାଗର ନିୟମ ସାର୍ବଜନୀନ । ଏଥିରେ ବ୍ୟତିକ୍ରମର ସ୍ଥାନ ନାହିଁ ।’’(ୟଂ ଇଣ୍ଡିଆ, ୩୦/୪/୩୧)

 

କାଲଡ଼ିଠାରେ ଅନୁଷ୍ଠିତ ସର୍ବୋଦୟ ସମ୍ମିଳନୀରେ ସତ୍ୟାଗ୍ରହତତ୍ତ୍ୱ ବିଶ୍ଳେଷଣ କରିବାକୁ ଯାଇ ବିନୋବାଜୀ କହିଥିଲେ—‘‘ଆପଣ ଯଦି ସତ୍ୟାଗ୍ରହର ଅଧିକାର ଚାହାନ୍ତି, ତେବେ ଆଜିକାର ପରିସ୍ଥିତିରେ ସତ୍ୟାଗ୍ରହ ଉପରେ ଯେଉଁ ଦାୟିତ୍ୱ ଆସିଛି, ସେ ତାହାର ନାମ ଉଚ୍ଚାରିତ ହେଲେ ଲୋକଙ୍କଠାରେ ଭୟ ଜନ୍ମିବ ନାହିଁ, ସେ ଦାୟିତ୍ୱକୁ ସମ୍ଭାଳିବାକୁ ହେବ । ଯଦି ମୁଁ କହେ ଯେ କାଲି ସତ୍ୟାଗ୍ରହ କରିବି ତେବେ ମୋ ପ୍ରତି ଲୋକଙ୍କର ସହାନୁଭୂତି ହଜାର ଗୁଣ ବଢ଼ିବା ଓ ଯାହା ବିରୋଧ ଥିବ ତାହା ଊଣା ହେବା ଚାହିଁ । ଏଭଳି ପରିଣାମ ସତ୍ୟାଗ୍ରହ ଶବ୍ଦର ଶ୍ରବଣ ମାତ୍ରେ ହେବା ଚାହିଁ, ପରେ କୃତିର ଅଧିକ ପରିଣାମ ତ ହେବ । ସେ ଶବ୍ଦ ଶୁଣିବା ମାତ୍ରେ ବଡ଼ ସୁନ୍ଦର କାମ ହେଉଛି ବୋଲି ଅନୁଭୂତ ହେବା ଚାହିଁ । ଯେପରି କେହି କାହାରି ପ୍ରତି ପ୍ରେମ କଲେ ବା କରୁଣା ଦେଖାଇଲେ ତ ଶୁଣିବା ମାତ୍ରେ କାନକୁ ଅମୃତର ସ୍ପର୍ଶ ମିଳିବା ପରି ହୁଏ ସେହିପରି । ତାର ଯୋଗ୍ୟତା କେତେ ଥିଲା ଆଦି ମୂଲ୍ୟାଙ୍କନ ପରେ ହୁଏ । ଯେପରି ଗୋଟାଏ ଖୁନ୍ ହେବାର ଖବର ଶୁଣିବା ମାତ୍ରେ ଆଗ ସମସ୍ତଙ୍କୁ ଅସୁଖ ଲାଗେ । ପରେ ସେ ବିଷୟରେ ତାହାର ସମର୍ଥନରେ କିଛି ଯୁକ୍ତି ଅଛି କି ନାହିଁ, ତାହାର କାରଣ ବା ଉଦ୍ଦେଶ୍ୟ କଣ ସେସବୁର ବିଚାର ହୁଏ । କେତେକ ତାର ସମର୍ଥନ କରନ୍ତି, କେତେକ ନୁହେଁ, ମାତ୍ର ପ୍ରଥମ ଶ୍ରବଣରେ ଭୁଲ କଥା ହେଲା ବୋଲି ଲାଗେ । ମାତ୍ର ପ୍ରେମ କାର୍ଯ୍ୟ ହେଲେ ପ୍ରଥମ ଶ୍ରବଣରେ ଲାଗେ ଯେ ଉତ୍ତମ କାର୍ଯ୍ୟ ହେଲା । ସେହିପରି ସତ୍ୟାଗ୍ରହ ଶବ୍ଦର ପ୍ରଥମ ଶ୍ରବଣର ସାରା ଦୁନିଆର ମନ ଉପରେ ଉତ୍ତମ ପ୍ରଭାବ ପଡ଼ିବା ଚାହିଁ । ଏହି ଶକ୍ତି ଯେଉଁଥିରେ ଥିବ ତାହାହିଁ ସତ୍ୟାଗ୍ରହ । ସେହି ସତ୍ୟାଗ୍ରହ ହଁ ଗଣତନ୍ତ୍ରରେ ଚଳିବ । ସତ୍ୟାଗ୍ରହର ପୁରୁଣା ରୂପର ଗଣତନ୍ତ୍ରରେ ସ୍ଥାନ ନାହିଁ ।’’ (କଲାଡ଼ି ସମ୍ମିଳନ ବିବରଣ ପୃ ୬୪–୬୫) ଏହାଛଡ଼ା ସେ ମଧ୍ୟ କହିଛନ୍ତି ଯେ ସତ୍ୟାଗ୍ରହ ଏଭଳି ହେବା ଉଚିତ ଯାହାଦ୍ୱାର କି ବିରୋଧୀପକ୍ଷ ମନରେ କ୍ଷୋଭ ଉତ୍ପନ୍ନ ନ ହେବ । କାରଣ କ୍ଷୋଭ ଉତ୍ପନ୍ନ ହେବା ଅର୍ଥ ସେ ଆଉ ତର୍କସଙ୍ଗତ ଭାବରେ ଚିନ୍ତା କରିପାରିବ ନାହିଁ, ଭାବୋତ୍ତେଜନା ଦ୍ୱାରା ଚାଳିତ ହେବ ଓ ଏହା ତାକୁ ଠିକ୍‍ ବାଟରେ ଆସିବାକୁ ବାଧା ଦେବ ।

 

ଡଃ ରାମମୋହନ ଲୋହିଆ ବିନୋବାଜୀଙ୍କର ବିଚାରର ପ୍ରବଳ ବିରୋଧ କରିଥିଲେ । ଡଃ ଲୋହିଆ ନିଜକୁ ନିଷ୍ଠାପର ଗାନ୍ଧୀପନ୍ଥି ବୋଲି ବିଚାରୁଥିଲେ ଓ ସତ୍ୟାଗ୍ରହ ପନ୍ଥାରେ ହିଁ ନିଜର ଆନ୍ଦୋଳନମାନ ଚଳାଇବାର ଉଦ୍ୟମ କରୁଥିଲେ । ସେ କହିଥିଲେ ଯେ ସତ୍ୟାଗ୍ରହଦ୍ୱାରା କ୍ଷୋଭ ଅନୁଭୂତ ହେବ ନାହିଁ, ଶୀତଳତା ଅନୁଭୂତ ହେବା ଉଚିତ ଏ ସବୁ ବିଚାର ଠିକ୍ ନୁହେଁ, ଗାନ୍ଧିଜୀ ସତ୍ୟାଗ୍ରହ ଆନ୍ଦୋଳନମାନ କଲାବେଳେ ଇଂରେଜି ସରକାର ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉଠୁଥିଲେ । ମାତ୍ର ଗାନ୍ଧିଜୀ ସେଥିକୁ ଭ୍ରୂକ୍ଷେପ କରୁ ନ ଥିଲେ । କାଳେ ସରକାର କ୍ରୁଦ୍ଧ ହେବେ ବୋଲି ସେ ସତ୍ୟାଗ୍ରହ ବନ୍ଦ ରଖୁ ନ ଥିଲେ ।

 

ଏ ବିଷୟରେ ଥରେ ବିନୋବାଜୀଙ୍କ ସହିତ ଲେଖକର ବିସ୍ତୃତ ଆଲୋଚନା ହୋଇଥିଲା-। ଏ ବିଷୟରେ ବିନୋବାଜୀ ଯେଉଁ ବିଶ୍ଳେକ୍ଷଣ କରଥିଲେ ତାର ସାରମର୍ମ ହେଇଛି ଏୟା ଯେ କ୍ରୋଧ ଓ କ୍ଷୋଭ ଏକ ଜିନିଷ ନୁହେଁ । ସତ୍ୟାଗ୍ରହର ଉଦ୍ଦେଶ୍ୟ ହେଲା ବିରୋଧୀପକ୍ଷର ବୁଦ୍ଧିକୁ ଚାଳନା ଦେବା, ଯେପରି କି ସେ ତାର ସାମନାରେ ଥିବା ପରିସ୍ଥିତି ସମ୍ବନ୍ଧରେ ଚିନ୍ତା କରିବାକୁ ଆରମ୍ଭ କରିବ । ଅଳ୍ପ ପରିମାଣରେ ଭୟ ବା ଅଳ୍ପ ପରିମାଣରେ କ୍ରୋଧ ଏଥିରେ ସହାୟକ ହୋଇପାରେ । କାମ, କ୍ରୋଧ, ଭୟ ଆଦି ସେ ସମ୍ପୂର୍ଣ୍ଣରୂପେ ମନ୍ଦ ତାହା ନୁହେଁ । ସାଧାରଣ ମଣିଷଠାରେ ଏକ ସୀମିତ ପରିମାଣରେ କାମପ୍ରବୃତ୍ତି ଥିବା ମନ୍ଦ ନୁହେଁ । ମାତ୍ର ଏହା ଯଦି ଏତେ ପ୍ରବଳ ହୋଇଯିବ ଯେ ସେ ଲୋକ ଦିକ୍‌ବିଦିଗ ଜ୍ଞାନଶୂନ୍ୟ ହୋଇଯିବ ତେବେ ତ ତାର ସର୍ବନାଶ ହେବ ।

 

ସେହିପରି ଭୟ ମଧ୍ୟ ଅଳ୍ପ ରହିବା ଲାଭଜନକ । ବଣ ଭିତରେ ଦେଇ ଗଲା ବେଳେ ସେଥିରେ ବାଘ ଅଛି ବୋଲି କାଣି ଯଦି ମଣିଷ ଟିକେ ସଂତ୍ରସ୍ତ ହେବ ତେବେ ସେ ଯଥୋଚିତ ସାବଧାନତା ଅବଲମ୍ବନ କରିବ, ଯେପରି ସେ ବାଘ କବଳରେ ନ ପଡ଼େ ମାତ୍ର ବାଘ ଭୟରେ ଯଦି ସେ ଏତେ ଆତଙ୍କିତ ହୋଇ ପଡ଼ିବ ଯେ ତାର ହାତଗୋଡ଼ ନାଠି ହୋଇଯିବ, ବୃଦ୍ଧି କାମ କରିବ ନାହିଁ ବା ତାର ସଂଜ୍ଞା ଲୋପ ହୋଇଯିବ ତେବେ ତ ତାର ସବୁ ସରିଗଲା ।

 

ସେହିପରି କ୍ରୋଧ ବିଷୟରେ ମଧ୍ୟ । ସତ୍ୟାଗ୍ରହୀମାନଙ୍କର ବିରୋଧ ଯୋଗୁଁ ଯଦି ସାଧାରଣ କ୍ରୋଧ ଉତ୍ପନ୍ନ ହୁଏ ତେବେ ତାହା ବୁଦ୍ଧିକୁ ଚାଳନାଦେବାରେ ସହାୟକ ବି ହୋଇପାରେ-। ମାତ୍ର କ୍ଷୋଭ ଏଭଳି ସହାୟକ ହୁଏ ନାହିଁ । ଭାବୋତ୍ତେଜନାର ଅତିରେକ ହେଲା କ୍ଷୋଭ । ଏହାଦ୍ୱାରା ବୁଦ୍ଧିଦୃତ୍ତି ଲୋପ ପାଇଯାଏ ବୋଲି କୁହାଯାଇ ପାରେ । ସେତେବେଳେ ମନୁଷ୍ୟ କାଣ୍ଡଜ୍ଞାନଶୂନ୍ୟ ହୋଇ କଣ ଯେ କରିପାରେ ତାର ଠିକଠିକଣା ନାହିଁ ସେଥିପାଇଁ ସତ୍ୟାଗ୍ରହୀରୁ ଅବଶ୍ୟ ଏ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ, ଯେପରି ବିରୋଧୀ ପକ୍ଷ ମନରେ କ୍ଷୋଭର ଉଦ୍ରେକ ନ ହୁଏ ।

 

ଏ ସଂକ୍ରାନ୍ତରେ ବୁଝାଇବାକୁ ଯାଇ ସେ ଥରେ ଏକ ଉଦାହରଣ ଦେଇଥିଲେ ଯେ ଧରନ୍ତୁ ଜଣେ ଲୋକ ହାତରେ ଅତି ପ୍ରଚଣ୍ଡ ମାରଣାସ୍ତ୍ର ରହିଛି । ଯୁଦ୍ଧ ହେଲେ ବା ଆତଙ୍କିତ ହେଲେ ସେ ଅସ୍ତ୍ର ଚଳେଇ ବ୍ୟାପକ ବିନାଶ ଘଟାଇ ପାରେ । ଏପରି ଅବସ୍ଥାରେ ତାର ପ୍ରତିକ୍ରିୟା ପ୍ରତି ଖୁବ୍ ଯତ୍ନର ସହିତ ଦୃଷ୍ଟି ଦେଇ ତାହା ସହିତ କାରବାର କରିବା ବିଧେୟ କି ନାହିଁ ?

 

ଏହା କେବଳ ଏକ କାଳ୍ପନିକ ପ୍ରଶ୍ନ ନୁହେଁ । ଆଜି ଦୁନିଆରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବ ଓ ପାଶ୍ଚାତ୍ୟ ଶକ୍ତି ଗୋଷ୍ଠୀର ନେତା ରୁଷିଆ ଓ ଆମେରିକା ହାତରେ ଏବେ ପରସ୍ପରର ଦେଶକୁ ଓ ଫାଉ ଭିତରେ ଅବଶିଷ୍ଟ ଅଧିକାଂଶ ଦେଶକୁ ମଧ୍ୟ ଧ୍ୱଂସ କରିଦେବାର ଶକ୍ତି ଠୁଳ ହୋଇସାରିଛି । ପରସ୍ପରର ଏ ସଂହାର ଶକ୍ତିର ଭୟାବହତା ଉପଲବ୍ଧି କରିବା ଦିନଠାରୁ ଉଭୟ ଦେଶ ପରସ୍ପରକୁ ଶତ୍ରୁ, ବିଚାରୁଥିଲେ ଓ ଘୋର ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସୁଦ୍ଧା କାହାରି କୌଣସି କଥା ବା କାର୍ଯ୍ୟକୁ ଅପର ଯେପରି ଭୁଲ ବୁଝି ହଠାତ୍ କିଛି କରି ନ ବସେ ସେଥିପ୍ରତି ଅଧିକତମ ସାବଧାନତା ଅବଲମ୍ବନ କରୁଛନ୍ତି । ଆମେରିକାର ରାଷ୍ଟ୍ରପତି ଓ ରୁଷ୍‍ ପ୍ରଧାନମନ୍ତ୍ରୀଙ୍କ ଭିତରେ ତୁରନ୍ତ ବିଚାର ବିନିମୟ ପାଇଁ ସ୍ୱତନ୍ତ୍ର ସିଧା ଟେଲିଫୋନ ଲାଇନ ଖଞ୍ଜାଯାଇଛି ।

 

କ୍ଷୋଭର ଉଦ୍ରେକ ନ କରିବା ଭଳି ଶୃଙ୍ଖଳିତ ଓ ବିବେକପୂର୍ଣ୍ଣ ଆଚରଣର ସର୍ବୋତ୍ତମ ଉଦାହରଣ ଅଳ୍ପ ଦିନ ତଳେ ମିଳିଛି ଚେକୋସ୍କୋଭାକିଆରେ । ସେଠାରେ ଆକ୍ରମଣକାରୀ ପଞ୍ଚଶକ୍ତି ସୈନ୍ୟବାହିନୀକୁ ଯେ ଚେକ୍ ଲୋକେ ଚାହାନ୍ତି ନାହିଁ, ଏହାର ଯଥେଷ୍ଟ ଆଭାସ ଚେକ୍‌ ଲୋକେ ଦେଇଥିଲେ । ମାତ୍ର ସେମାନଙ୍କର ନେତୃବୃନ୍ଦ ସେମାନଙ୍କୁ ସବୁ ପ୍ରକାର ଉତ୍ସୃଙ୍ଖଳ କାର୍ଯ୍ୟକଳାପରୁ ବିରତ ହେବା ପାଇଁ ନିବେଦନ କରିଥିଲେ । ଜନତା ମଧ୍ୟ ମୋଟାମୋଟି ସଂଯମ ଆଚରଣ କରିଥିଲେ । ଏହା ଫଳରେ ରୁଷ୍‍ ଶାସକମାନଙ୍କ ମନରେ କ୍ଷୋଭ ଖୁବ୍ କମ ଜନ୍ମିଲା । ଏହାଦ୍ୱାରା ସେ ଦେଶ ଏକ ନିରର୍ଥକ ରକ୍ତସ୍ନାନରୁ ରକ୍ଷା ପାଇଲା, ଅଥଚ ସେମାନଙ୍କର ପ୍ରତିରୋଧ ଅଧିକ ପ୍ରଭାବକାରୀ ହେଲା ।

 

ଆମେ ପୂର୍ବରୁ ଚତୁର୍ଥ ଅଧ୍ୟାୟର ଆଲୋଚନା ପ୍ରସଙ୍ଗରେ ଦେଖିଛୁ ଯେ ଗାନ୍ଧିଜୀ ସେ ତାଙ୍କର ପ୍ରତିପକ୍ଷୀ ଇଂରେଜ ସରକାର ବା ସନାତନୀ ହିନ୍ଦୁମାନଙ୍କର ମନ ଉପରେ ତାଙ୍କର କୌଣସି ପଦକ୍ଷେପର କି ପ୍ରତିକ୍ରିୟା ହେବ ସେ ବିଷୟରେ ବେପରବାୟ ରହୁଥିଲେ ତାହା ମୋଟେ ନୁହେଁ । ସେ ପ୍ରତ୍ୟେକ ପାହୁଣ୍ଡ ପକାଇବାବେଳେ ତାର କି କି ପ୍ରତିକ୍ରିୟା ଘଟିପାରେ ତାହା ବିଚାର କରୁଥିଲେ ଓ ପ୍ରତିପକ୍ଷୀ ମନରେ ଯେପରି ଆନ୍ଦୋଳନ ବିଷୟରେ କୌଣସି ଭୁଲ ଧାରଣା ନ ଜନ୍ମେ ସେଥିପ୍ରତି ପାରୁପର୍ଯ୍ୟନ୍ତ ସାବଧାନ ରହୁଥିଲେ ।

 

ଏ ବିଷୟରେ ବିନୋବାଜୀଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣ ଯେ ମନୋବିଜ୍ଞାନସମ୍ମତ ଓ ସତ୍ୟାଗ୍ରହର ସୂଷ୍ମ ପ୍ରକ୍ରିୟା ଉପରେ ଉଜ୍ଜ୍ୱଳ ଆଲୋକପାତ କରିଛି ଏଥିରେ ସନ୍ଦେହ ନାହିଁ ।

Image

 

(ଦଶ)

ଆଧୁନିକ ବିଜ୍ଞାନର ସାକ୍ଷ୍ୟ

 

ସତ୍ୟାଗ୍ରହର ସିଦ୍ଧାନ୍ତ ଓ ପ୍ରକ୍ରିୟା ବିଷୟରେ ଆଲୋଚନା କରିବା ବେଳେ ସେହି ମୌଳିକ ପ୍ରଶ୍ନ ସମୂହ ବାରମ୍ବାର ଗୁଡ଼େଇ ତୁଡ଼େଇ ହୋଇ ସାମନାରେ ଉପସ୍ଥିତ ହେଉଛି । ମଣିଷର ହୃଦୟ ଓ ବିଚାରରେ ପରିବର୍ତ୍ତନ ଆସି ପାରେ କି ? ମଣିଷ ତାର ପଶୁତ୍ୱରୁ ମୁକ୍ତ ହୋଇପାରେ କି ? ହିଂସା, ଦ୍ୱେଷ, ଲୋଭ, ସ୍ୱାର୍ଥପରତା ଆଦି ରୀପୁରୁ ସେ କେବେହେଲେ ମୁକ୍ତି ପାଇପାରେ କି ?

ମଣିଷ ସ୍ଵଭାବ ବିଷୟରେ ଯେଉଁ ଦୃଷ୍ଟିକୋଣ ଏସବୁ ପ୍ରଶ୍ନର ଅସ୍ତିବାଚକ ଉତ୍ତର ଦିଏ ତାହାରି ଉପରେ ସତ୍ୟାଗ୍ରହର ବିଚାର ପ୍ରତିଷ୍ଠିତ । ଥରେ ଏ ଦୃଷ୍ଟି କୋଣକୁ ନ୍ୟାଯ୍ୟ ବୋଲି ମାନି ନେଲେ ପୁଣି ସତ୍ୟାଗ୍ରହର ପ୍ରକ୍ରିୟାର ସେ ସବୁ ବିଶ୍ଳେଷଣ ଗାନ୍ଧିଜୀ, ବିନୋବାଜୀ ଆଦି କରିଛନ୍ତି ଓ ଯେଉଁ ସବୁ ସିଦ୍ଧାନ୍ତ ଉପରେ ତାହାର ପ୍ରୟୋଗକୁ ପ୍ରତିଷ୍ଠା କରିଛନ୍ତ ସେସବୁର ଯଥାର୍ଥତା ସମ୍ବନ୍ଧରେ କୌଣସି ସନ୍ଦେହର ଅବକାଶ ରହିବ ନାହଁ । ମାତ୍ର ବାସ୍ତବ ଜୀବନରେ ଏ ଦୃଷ୍ଟିକୋଣର, ମଣିଷ ସ୍ଵଭାବ ଉପରେ ଏ ବିଶ୍ୱାସ ପୋଷଣ କରିବାର, କି ଯଥାର୍ଥତା ରହିଛି ? ସାଧାରଣ ମଣିଷର ଅଭିଜ୍ଞତା ଇତି ପୂର୍ବରୁ ଏହା ସପକ୍ଷରେ ବିଶେଷ ସାକ୍ଷ୍ୟ ଦେଇ ନାହିଁ । ଦାର୍ଶନିକ ବା ତତ୍ୱଜ୍ଞାନୀମାନଙ୍କ ଭିତରେ ଆଶାବାଦୀଙ୍କ ଅପେକ୍ଷା ନିରାଶାବାଦୀଙ୍କର ସଂଖ୍ୟା ବେଶି ଥିବାର ଦେଖାଯିବ । ପୁଣି ଆମ ଦେଶରେ ବହୁ ଆଶାବାଦୀ ଦର୍ଶନ ଏ ଦୁନିଆର ଧୂଳିମାଟି ଓ ତାର ସମସ୍ୟାକୁ ଏଡ଼ିଦେଇ ଭଗବାନଙ୍କର ସାନ୍ନିଧ୍ୟ, ମୋକ୍ଷ, ନିର୍ବାଣ ଆଦିରେ ବା ପରଲୋକରେ ହଁ ଆପଣାର ଆଶାର ସ୍ଥଳ ନିର୍ଦ୍ଧିଷ୍ଟ କରିଛି । ସତ୍ୟ, ପ୍ରେମ, କରୁଣା, ଅହିଂସା ଆଦି ଗୁଣ ଏ ଦୁନିଆରେ କୌଣସି ସମସ୍ୟାର ସମାଧାନ କରି ପାରିବ ବୋଲି ନୁହେଁ, ମାତ୍ର ଆତ୍ମାର ଉନ୍ନତିରେ ବା ଭଗବତ୍ ଦର୍ଶନ ଲାଭରେ ସହାୟକ ହେବ ବୋଲି ସେ ସବୁର ଆଚରଣ ଉପରେ ଜୋର ଦିଆଯାଇଛି । ସାଧାରଣ ଜୀବନର ସାଧାରଣ ସମସ୍ୟାର ସମାଧାନ ପାଇଁ ମାଡ଼ଗାଳି, ବିଧାଚଟକଣା, ଠେଙ୍ଗାବାଡ଼ି ପୁଲିସ ପଲଟଣ, ତୋପ ବନ୍ଧୁକର ବାସ୍ତବ ସକ୍ଷମତା ସ୍ୱୀକୃତ ହୋଇଆସିଛି ।

ବିଜ୍ଞାନର ଗୋଟାଏ ବିଶେଷତ୍ୱ ହେଲା ଯେ ତାହା ମଣିଷର ସାଧାରଣ ଜୀବନରେ ନିତି ଦିନିଆ ସମସ୍ୟାର ସମାଧାନରେ ସାହାଯ୍ୟ କରେ । ଆଦିମତମ ମାନବ ଟେକା ପଥର ବା କାଠଫାଳିଆ ଫିଙ୍ଗି ଠେକୁଆ ଶିକାର କରୁଥିଲା । ଏହି ଫିଙ୍ଗିବାଟାକୁ ଅଧିକ ଶକ୍ତିଶାଳୀ ଓ ଅଭ୍ରାନ୍ତ କରିବା ପାଇଁ କ୍ରମେ ଧନୁଶର, ବନ୍ଧୁକ, ତୋପ କମାଣ ଓ ଏବେ ଶେଷକୁ ଆର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ରର ଉଦ୍ଭାବନ ହେଲା । ଏ ସବୁ ଉଦ୍ଭାବନ ପଛରେ ରହିଛି ଆମ ଚାରିପାଖରେ ଘେରି ରହିଥିବା ସୃଷ୍ଟିର ଗଠନର ସ୍ଵରୂପ ଓ ସେଥି ଭିତରେ ଚାଲିଥିବା ପ୍ରକ୍ରିୟାସମୂହ ସମ୍ବନ୍ଧରେ ଉତ୍ତରୋତ୍ତର ବିକାଶଶୀଳ ସମ୍ୟକ୍ ଜ୍ଞାନ । ବିଜ୍ଞାନ ମାଧ୍ୟମରେ ହିଁ ଏ ଜ୍ଞାନ ମିଳିଛି ଓ ଜ୍ଞାନର ପରିମାଣ ଦିନକୁ ଦିନ ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି ଓ ଏ ଜ୍ଞାନ ଯେତେ ବଢ଼ୁଛି ତାର ନିତିଦିନିଆ ଦୁନିଆର ସମସ୍ୟାବଳୀର ସମ୍ମୁଖୀନ ହେବାର ଶକ୍ତି ମଧ୍ୟ ସେତିକି ବଢ଼ୁଛି ।

ଦର୍ଶନ ଆମକୁ ସୃଷ୍ଟିର ସ୍ୱରୂପ ବିଷୟରେ ସମ୍ୟକ ଜ୍ଞାନ ଦେବାକୁ ଚେଷ୍ଟା କରିଥାଏ ଓ ବିଜ୍ଞାନରୁ ମଧ୍ୟ ଆମେ ସୃଷ୍ଟି ବିଷୟରେ କେତେକ ଜ୍ଞାନ ପାଇଥାଉଁ । ଏ ଦୁଇଟି ଭିତରେ ପାର୍ଥକ୍ୟ କଣ ? ଗୋଟିଏ ଉଦାହରଣ ଦେଇ ବୁଝାଇବାକୁ ଚେଷ୍ଟା କରିବି । ଦୁଇ ହଜାର କି କେତେବର୍ଷ ତଳେ ଏ ଦେଶରେ କଣାଦ ଓ ଗ୍ରୀସ୍ ଦେଶର ଦାର୍ଶନିକ ଡେମୋକ୍ରିଟସ୍‌ ଅଣୁବାଦର ସିଦ୍ଧାନ୍ତ ବାଢ଼ିଥିଲେ । ଦୁନିଆ ଅଣୁର ସମଷ୍ଟି ଏଇ ଥିଲା ଏମାନଙ୍କର ପ୍ରତିପାଦ୍ୟ ତତ୍ତ୍ୱ । ଏବେ ଆଧୁନିକ ପଦାର୍ଥ ବିଜ୍ଞାନ ଏ ଅଣୁତତ୍ତ୍ୱକୁ ଯଥାର୍ଥ ବୋଲି ସାବ୍ୟସ୍ତ କରିଛି । ମାତ୍ର ବୈଜ୍ଞାନିକ ପରମାଣୁ ତତ୍ତ୍ୱ ପ୍ଲାଷ୍ଟିକ୍‌ରୁ ପରମାଣୁ ବୋମା ଯାଏ ଯେଉଁ ଅସଂଖ୍ୟ ପ୍ରକାରର ବିସ୍ମୟକର ଉଦ୍ଭାବନ ଓ ପ୍ରୟୋଗ ସମ୍ଭବ କରିଛି କଣାଦ ବା ଡେମୋକ୍ରିଟସ୍‌ଙ୍କର ଅଣୁବାଦର ଜ୍ଞାନ ମିଳିଗଲେ ବା ତାହାକୁ ସତ୍ୟ ବୋଲି ମାନି ନେଲେ ବି ଏସବୁର କାଣିଚାଏ ସୁଦ୍ଧା ସେ ଯୁଗରେ ସମ୍ଭବ ନ ଥିଲା, କାରଣ ଏ ଦାର୍ଶନିକ ତତ୍ତ୍ୱ କେବଳ ଏକ ପ୍ରମେୟ ବା କଳ୍ପନା ମାତ୍ର ଥିଲା । ଏହା ପଛରେ ପରମାଣୁ ମାନଙ୍କର ବାସ୍ତବିକ ରୂପ, ପରସ୍ପର ସହିତ ସେମାନଙ୍କର ସମ୍ବନ୍ଧ ଓ ସୃଷ୍ଟିରେ ସେମାନେ କିଭଳି ସଜା ହୋଇ ରହିଛନ୍ତି, ସେମାନଙ୍କର ଯୋଗ ବିୟୋଗ ଦ୍ୱାରା ବସ୍ତୁର କି ଧରଣର ରୂପାନ୍ତର ଘଟେ ଆଦି ବହୁପ୍ରଶ୍ନର ଜବାବ ଦେବାଭଳି କୌଣସି ପ୍ରୟୋଗଲବ୍‌ଧ ଜ୍ଞାନ ସେ ଯୁଗରେ ନ ଥିଲା ।

ବହିର୍ଜଗତ ବା ତଥାକଥିତ ଜଡ଼ ସୃଷ୍ଟିର ବାସ୍ତବ ଜ୍ଞାନ ଆହରଣ କରିବାରେ ବିଜ୍ଞାନର କୃତିତ୍ୱ ବଢ଼ିବା ସାଙ୍ଗେ ସାଙ୍ଗେ ଏହା ସ୍ଵାଭାବିକ ଥିଲା ଯେ ମଣିଷର ଅନ୍ତର୍ଜଗତ ଅର୍ଥାତ୍ ତାର ମନ ତଥା ବହିର୍ଜଗତ ଓ ଅନ୍ତର୍ଜଗତର ସଙ୍ଗମ ସ୍ଥଳ ତାର ସମାଜକୁ ଅଧ୍ୟୟନ କରିବାରେ ମଧ୍ୟ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ଆରମ୍ଭ ହେବ । ପୂର୍ବେ ମନୋବିଜ୍ଞାନଦର୍ଶନର ହିଁ ଏକ ବିଭାଗ ଥିଲା ଓ ପ୍ରଧାନତଃ ବର୍ଣ୍ଣାନାମୂଳକ ଥିଲା । ଫ୍ରୟେଡ଼ଙ୍କଠାରୁ ମଣିଷର ମନରୁ ବାସ୍ତବିକ ବୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ ହେଲା ବୋଲି କୁହାଯାଇପାରେ । ମାନସିକ ରୋଗୀମାନଙ୍କର ଚିକିତ୍ସା କରିବାକୁ ଯାଇ ସେ ମନୋଜଗତର ଗହୀର ସନ୍ଧାନରେ ପ୍ରବୃତ୍ତ ହେଲେ । ମନୋବିଜ୍ଞାନକୁ ତାଙ୍କର ଅନ୍ୟତମ ଅବଦାନ ହେଲା ‘ଅଚେତନ ମନର ସନ୍ଧାନ’ । ପ୍ରତ୍ୟେକ ବ୍ୟକ୍ତିର ସ୍ମୃତିରେ ଯେତେ ଯେତେ କଥା ଅଛି ସେସବୁ ବିଷୟରେ ସେ ସଦାସର୍ବଦା ସଚେତ ନ ଥାଏ । ସେଗୁଡ଼ିକ ଆମର ଚେତନାର ଅନ୍ତରାଳରେ ଥାଏ । ଲୋଡ଼ା ହେଲେ ପରିଚିତ ଥାକରୁ ବହି କାଢ଼ିଲା ପରି ଆମେ ଝଟ କରି ଆମର ଆବଶ୍ୟକ ସ୍ମୃତିକୁ ଆମର ଚେତନା ଭିତରକୁ ଆଣିପାରୁ । କେତେକ ସ୍ମରଣୀୟ ବିଷୟ ଅବଶ୍ୟ ବ୍ୟବହାର ବା ଆବଶ୍ୟକ ଅଭାବରୁ ସ୍ମୃତିରୁ ଲିଭିଯାଏ ବା ହଜିଯାଏ । ଗତ ମାସ ପ୍ରଥମ ମଙ୍ଗଳବାର ଦିନ ଧୋବା କି କି ଲୁଗା ନେଇଥିଲା ତାହା କେହି ମନେ ରଖିପାରେ ନାହିଁ ।

ମନର ହାତ ପାହାନ୍ତାରେ ଚେତନାର ଠିକ୍ ତଳେ ରହିଥିବା ଏହି ଅବଚେତନ ସ୍ତର ଛଡ଼ା ମଣିଷ ମନରେ ଆଉ ଏକ ମସ୍ତବଡ଼ ଗନ୍ତାଘର ଅଛି ବୋଲି ଫ୍ରୟେଡ଼ ଆବିଷ୍କାର କଲେ ଯାହା ଭିତରେ କେବଳ ଯେ ବହୁ ପ୍ରକାରର ସ୍ମୃତି ଜମା ହୋଇ ରହିଛି ତାହା ନୁହେଁ, ବହୁତ ପ୍ରକାରର ଭାବାବେଗ, କାମ, କ୍ରୋଧ, ରାଗ, ଦ୍ୱେଷ ଆଦି ମଧ୍ୟ ଜମା ରହିଛି । ଏ ଗନ୍ତାଘରର ଚାବି ପ୍ରତ୍ୟେକ ବ୍ୟକ୍ତି ହଜେଇ ଦେଇଥାଏ, ସେଥିପାଇଁ ତାହା ଭିତରେ କଣ ଅଛି ତାହା ସେ ସାଧାରଣତଃ ଜାଣିପାରେ ନାହିଁ । ତାହା ଭିତରେ ପୁଞ୍ଜିଭୂତ ହୋଇ ରହିଥିବା ସ୍ମୃତି ସବୁକୁ ସେ କେବେ ସଚେତନ ସ୍ମରଣକୁ ଆଣିପାରେ ନାହିଁ; ମାତ୍ର ସେ ଜାଣି ନ ପାରିଲେ କଣ ହେବ, ଏ ଗୁପ୍ତ ସ୍ମୃତି, ଭାବାବେଗ ଓ ପ୍ରବୃତ୍ତିଗୁଡ଼ିକ କିନ୍ତୁ ତାର ଆଚରଣକୁ ପ୍ରଭାବିତ କରି ଚାଲିଥାଏ ।

ଆମେ ଦୈନନ୍ଦିନ ଜୀବନରେ ଯେ ନାନା ପ୍ରକାରର ଭୁଲଭ୍ରାନ୍ତି କରୁ, ଦରକାରୀ କଥା ଭୁଲି ଯାଉଁ, ଜିନିଷ ହଜେଇ ଦେଉଁ, ଆମହାତରୁ ପଡ଼ି ଜିନିଷପତ୍ର ଭାଙ୍ଗିଯାଏ ଓ ଏହିପରି ଅନ୍ୟ ଛୋଟିଆ ଛୋଟିଆ ଦୁର୍ଘଟନାର ସମ୍ମୁଖୀନ ହେଉ ସେସବୁକୁ ଆମେ ଅସାବଧାନତା, ଅନ୍ୟମନସ୍କତା ଓ ଦୁର୍ଘଟନା ତଳେ ହିସାବ କରୁଁ l ମାତ୍ର ଫ୍ରୟେଡ଼ଙ୍କର ପଦ୍ଧତିରେ ବିଶ୍ଳେଷଣ କରି ଦେଖାଯାଇଛି ଯେ ଏସବୁ ପଛରେ ଅନେକ ସମୟରେ ହୁଏତ ଅଧିକାଂଶ କ୍ଷେତ୍ରରେ କୌଣସି ଗୁପ୍ତ ଇଚ୍ଛା ବା ଭାବନା ଥାଏ । ମନୋବିଜ୍ଞାନର ସାହିତ୍ୟରେ ଏସବୁର ପ୍ରଚୁର ଉଦାହରଣ ରହିଛି । ସାଧାରଣତଃ ପାଠକଙ୍କ ପାଇଁ ଫ୍ରୟେଡ଼ଙ୍କର The Psycho pathology of Everyday life (ଦୈନନ୍ଦିନ ଜୀବନର ମନୋବିକାରର ତତ୍ତ୍ୱ) ଏକ ଉତ୍ତମ ପୁସ୍ତକ । ଏଠାରେ ଏଭଳି ଭ୍ରାନ୍ତିର ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ ।

ଫ୍ରୟେଡ଼ ତାଙ୍କ ନିଜ ବିଷୟରେ ଲେଖିଛନ୍ତି ଯେ ତାଙ୍କ ପଢ଼ାଘର ଖୁବ୍‌ ସଂକୀର୍ଣ୍ଣ ହୋଇଥିଲେ ବି ସେଥିରେ ବହୁ ସଂଖ୍ୟକ ଛୋଟ ଛୋଟ ପ୍ରାଚୀନ କଳାକୃତିର ନମୁନା ଇତସ୍ତତ ରହିଥିଲେ ବି ତାଙ୍କ ବାଜି କେବେ କୌଣସି ଜିନିଷ ଭାଙ୍ଗେ ନାହିଁ । ଅଥଚ ଦିନେ ସେ ଅଫିସକୁ ଅସି ହାତରେ କଲମ ଧରି ହାତକୁ ଏପରି ହଲେଇ ଦେଲେ ଯେ ଟେବୁଲ ଉପରେ ଥିବା କାରୁକାର୍ଯ୍ୟ ସମ୍ପନ୍ନ ଦୁଆତ ଓ କଲମଦାନୀର ଢାଙ୍କୁଣୀ ତଳେ ପଡ଼ି ଭାଙ୍ଗିଗଲା । ଏହା କଣ ଶୁଦ୍ଧ ଦୁର୍ଘଟଣା ?

ଫ୍ରୟେଡ଼ ବିଶ୍ଳେଷଣ କରି କହିଛନ୍ତି ଯେ ସେଦିନ ଭଉଣୀ ଆସି ପଢ଼ାଘରର ସାଜସଜ୍ଜା ଓ ସେଥିରେ ଥିବା ସବୁ ବସ୍ତୁର ପ୍ରଶଂସା କରିଥିଲେ । ମାତ୍ର ସେ କଲମଦାନୀଟି ନାପସନ୍ଦ କରି ତାହା ବଦଳାଇ ଦେବା ଉଚିତ ବୋଲି ମତ ଦେଇଥିଲେ । ଫ୍ରୟେଡ଼ କହନ୍ତି ଯେ ଭଉଣୀଙ୍କର ଏହି ନାପସନ୍ଦ ଯୋଗୁଁ ସେ କଲମଦାନୀଟା ଭାଙ୍ଗିବାକୁ ହାତ ଗଲା । ଭଉଣୀ ଆଉ ଏକ ସୁନ୍ଦର କଲମଦାନୀ ତାଙ୍କୁ ଉପହାର ଦେବେ ଏହି ଧାରଣା ତାଙ୍କ କଥାରୁ ଫ୍ରୟେଡ଼ଙ୍କର ହୋଇଥିଲା । ସେଥିପାଇଁ ତାଙ୍କ ହାତ ଟେବୁଲ ଉପରେ ଥିବା ଆଉ ଅନେକ ଜିନିଷରେ ନ ବାଜି ଠିକ୍ କଲମଦାନୀରେ ବାଜିଲା

କାହାରି ପ୍ରତି ମନରେ ଅଚେତନ ଦ୍ୱେଷ ଥିଲେ ତାହା ସଂକ୍ରାନ୍ତ ଦରକାରୀ କଥା ଭୁଲିଯିବା , ତାହାର ଜିନିଷ ହଜେଇ ଦେବା ବା ହାତରୁ ପଡ଼ି ଭାଙ୍ଗିଯିବା ଆଦିରେ ଏ ଦ୍ୱେଷ ପ୍ରକଟ ହୁଏ ।

ଦୈନନ୍ଦିନ ଜୀବନର ଏ ପ୍ରକାର ଛୋଟ ଛୋଟ ଘଟଣା କାହାରି ଖୁବ୍ ବେଶି କ୍ଷତି କରେ ନାହିଁ, ମାତ୍ର ଅଚେତନ ମନର ତାଡ଼ନା ଅଧିକ ପ୍ରବଳ ହେଲେ ତାହା ଆଚରଣରେ ଚିନ୍ତାଜନକ ବିକୃତି ସୃଷ୍ଟ କରେ ଓ ଶେଷକୁ ଉନ୍ମାଦ ଅବସ୍ଥାରେ ନେଇ ପହଞ୍ଚାଇ ଦେଇପାରେ । ଅଧିକାଂଶ ମାନସିକ ରୋଗର ମୂଳ ମନର ଏହି ଗୁପ୍ତ ଗନ୍ତାଘରରେ ଥିବା ଅଭିଜ୍ଞତା ଓ ତତ୍‌ସଂଲଗ୍ନ ଭାବାବେଗରେ ରହିଥାଏ । ଫ୍ରୟଡ଼େ ମାନସିକ ବିକୃତିର ଏକ ଚିକିତ୍ସା ପ୍ରଣାଳୀର ଉଦ୍‌ଭାବନ କଲେ । ପ୍ରଣାଳୀର ସାରକଥା ହେଲା ଯେ ଯେଉଁ ଅଭିଜ୍ଞତା ଓ ଭାବାବେଗ ମନଗହନରେ ଥାଇ ଉତ୍ପାତ କରୁଛି ତାକୁ ଯେ ଗୁପ୍ତ ଗନ୍ତାଘରୁ ଉଦ୍ଧାର କରି ସଚେତନ ମନର ହାତ ପାହାନ୍ତାକୁ ଓ ବୃଦ୍ଧି ଓ ଇଚ୍ଛା ଶକ୍ତିର ଅକ୍ତିଆରକୁ ଆଣିବା ।

 

ଗୋଟାଏ ଉଦାହରଣ ଦେଲେ କଥା ସୁସ୍ପଷ୍ଟ ହେବ । ଜଣେ ଲୋକ କୌଣସି ବନ୍ଦ ଘରେ ବା ସଂକୀର୍ଣ୍ଣ ସ୍ଥାନରେ ଆଦୌ ରହି ପାରୁ ନଥିଲା । ଏଭଳି ସ୍ଥାନରେ ସେ ଏତେ ଆତଙ୍କଗ୍ରସ୍ତ ହୋଇ ପଡ଼ୁଥିଲା ଯେ ସୈନ୍ୟଦଳରେ ଯୋଗ ଦେଇ ଯୁଦ୍ଧକୁ ଗଲାପରେ ସେ ଯୁଦ୍ଧକ୍ଷେତ୍ରର ମାଟିତଳ ଆଶ୍ରୟ ଗର୍ତ୍ତରେ ରହିପାରୁ ନଥିଲା, ବାହାରକୁ ପଳାଇ ଆସୁଥିଲା । ବାହାରେ ଶତ୍ରୁ ପକ୍ଷର ଗୋଳାଗୁଳିର ବିପଦ ତାକୁ ବରଂ ଊଣା ଭୟଙ୍କର ଊଣା ପଡ଼ୁଥିଲା ।

 

ତାର ମାନସିକ ଚିକିତ୍ସା କରାଯିବାରୁ ତାର ପିଲାଦିନର ଏକ ଘଟଣା ଏହା ମୂଳରେ ଥିବାର ଜଣା ପଡ଼ିଲା । ଏ ଲୋକଟି ପାଞ୍ଚ ଛଅ ବର୍ଷର ହୋଇଥିବା ବେଳେ ତାଙ୍କ ସହରରେ ଜଣେ ବୁଢ଼ାଲୋକ ପୁରୁଣା ଲୁଗାପଟା ଲୋକଙ୍କ ଘରୁ ମାଗି ନେଇ ବେପାର କରୁଥିଲା । ଏ ଲୋକଟିକୁ ପିଲାର ବାପମା ଇତର ବୋଲି ମନେ କରୁଥିଲେ ଓ ପିଲାଏ ତା ସହିତ ସମ୍ପର୍କ ରଖିବା ଅନୁଚିତ ବୋଲି ଶାସନ କରୁଥିଲେ । ଦିନେ ଏ ପିଲାଟି କୌଣସି ଉଦ୍ଦେଶ୍ୟରେ ସେ ଲୋକ ପାଖକୁ ଯାଇଥିଲା । ଗୋଟିଏ ସଂକୀର୍ଣ୍ଣ ଗଳିବାଟ ଦେଇ ଫେରିବା ବେଳେ ଦେଖିଲା ଯେ ପ୍ରକାଣ୍ଡ ଓ ଭୟଙ୍କର କୁକୁର ବାଟ ଓଗାଳି ରହିଛି । ଏଥିରେ ସେ ଭୀଷଣ ଭାବରେ ଡରିଗଲା । ଘରକୁ ଫେରି ସେ ଆଉ କାହାରିକୁ ଏ କୁକୁର ଆଉ ଭୟର କଥା କହି ପାରିଲା ନାହିଁ । କାରଣ ତାର ଭୟ ହେଲା ଯେ ସେ କଥାରୁ ସେ ବୁଢ଼ା ପାଖକୁ ଯିବା ମଧ୍ୟ ବାହାରି ପଡ଼ି ତା ଭାଗ୍ୟକୁ ପ୍ରଚଣ୍ଡ ମାଡ଼ଗାଳି ଜୁଟିବ-। ଏହି ମାନସିକ ଉଦବେଗ ଓ ଦ୍ୱନ୍ଦର ଫଳ ହେଲା ଯେ ସେ ସେ ଦିନର ସେ ଅଭିଜ୍ଞତା ଏକାବେଳେକେ ଭୁଲିଗଲା । ଅର୍ଥାତ ତାହା ସେହି ଗୁପ୍ତ ଗନ୍ତାଘରକୁ ନିର୍ବାସିତ କରି ଦିଆଗଲା । ମାତ୍ର ମନରେ ରହିଗଲା ଯେ ବନ୍ଦ ଓ ସଙ୍କୀର୍ଣ୍ଣ ସ୍ଥାନ ପ୍ରତି କୋକୁଆ ଭୟ । ଏହି ପିଲା ଦିନର ଲୁପ୍ତ ସୃତି ଚିକିତ୍ସା ଦ୍ୱାରା ଫେରି ଆସିବା ପରେ ସେ ନିଜର ଭୟର ମୂଳ କାରଣ ଜାଣି ପାରିଲା ଓ ସେଥିରୁ ସଂପୂର୍ଣ୍ଣ ମୁକ୍ତ ହୋଇଗଲା ।

 

ଏହିରୂପେ ଫ୍ରୟେଡ଼ଙ୍କ ପ୍ରବର୍ତ୍ତିତ ପଦ୍ଧତି ଅବଲମ୍ବନ କରି ମଣିଷ ମନର ଗୋପନ ଗତିବିଧିର ବହୁତ ଖବର ମିଳିଲା । ସମୁଦ୍ର ମନ୍ଥନରୁ ପ୍ରଥମେ ହଳାହଳ ବାହାରିଲା ପରି ଏ ଗବେଷଣାରୁ ପ୍ରଥମେ ଏୟା ଦେଖା ଗଲା ଯେ ମଣିଷ ମନରେ ଇର୍ଷା, ଦ୍ୱେଷ ଓ ଲାଳସା କାମନାର ପ୍ରଭାବ ବହୁତ ବେଶି । ଅତି ମାର୍ଜିତ, ଭଦ୍ର ଓ ସଂଯତ ବ୍ୟକ୍ତି ମନର ଅନ୍ତସ୍ଥଳରେ ମଧ୍ୟ ଏସବୁ ରହି ତାର ଅଜାଣତରେ ତାର ଆଚରଣକୁ ପ୍ରଭାବିତ କରି ଚାଲିଥାନ୍ତି । ସଭ୍ୟତା, ସଂଯମ ଆଦି ଜାଣି କେବଳ ଉପରର ପୁଟ । ଏଥିରୁ ଫ୍ରୟେଡ଼ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ମଣିଷର ସ୍ଵଭାବରେ ଦୁଇଟି ମୌଳିକ ସହଜାତ ଓ ପ୍ରବଳ ପ୍ରବୃତ୍ତି ରହିଛି, ଯୌନତା ଓ ଆକ୍ରମଣଶୀଳତା ।

 

ପ୍ରାଚୀନ କାଳରୁ କାମ ଓ କ୍ରୋଧକୁ ମଣିଷର ସବୁଠାରୁ ବଡ଼ ଭୟ ବୋଲି କୁହାଯାଇଛି । ଆପାତଃ ଦୃଷ୍ଟିରେ ଫ୍ରୟେଡ଼ଙ୍କ ଆବିଷ୍କାର ସେହି ପୁରୁଣା ମତ ସପକ୍ଷରେ ଅସରନ୍ତି ଓ ସୂକ୍ଷ୍ମ ପ୍ରମାଣ ଯୋଗାଇ ତାହାକୁ ଯଥାର୍ଥ ସାବ୍ୟସ୍ତ କଲା । ଏହା ନିରାଶବାଦୀ ଦର୍ଶନକୁ ହିଁ ପୁଷ୍ଟ କଲା । ଯଦି କାମ ଓ କ୍ରୋଧର ମଞ୍ଜି ମଣିଷ ସ୍ୱଭାବର ବୁନିଆଦିରେ ହିଁ ପୋତା ହୋଇଛି ତ ଏ ଦେହରେ ସେଥିରୁ ମୁକ୍ତି କାହିଁ ? ଫ୍ରୟେଡ଼ ମଧ୍ୟ ନିଜେ ନିରାଶବାଦୀ ଥିଲେ । ଯୁଦ୍ଧକୁ ତୀବ୍ର ଭାବରେ ନାପସନ୍ଦ କରୁଥିଲେ ମଧ୍ୟ ସେଥିରୁ ମାନବ ସମାଜ କେବେ ମୁକ୍ତ ହୋଇପାରିବ ବୋଲି ସେ ଆଶା କରି ପାରୁ ନ ଥିଲେ ।

 

ମାତ୍ର ପ୍ରଥମ ଅବସ୍ଥାରେ ଫ୍ରୟେଡ଼ଙ୍କ ଆବିଷ୍କାର ନିରାଶବାଦକୁ ଉତ୍ସାହିତ କଲେ ମଧ୍ୟ ତାଙ୍କ ଦ୍ୱାରା ମନୋବିଜ୍ଞାନରେ ଯେଉଁ ବିପ୍ଳବର ସୂତ୍ରପାତ ହେଲା ତାହାର ପ୍ରଭାବ ସୁଦୂର ପ୍ରସାରୀ ହୋଇଛି ଓ ମଣିଷର ସ୍ୱଭାବ ସମ୍ବନ୍ଧରେ ଆମର ଦୃଷ୍ଟିକୋଣକୁ ଏକାବେଳେକେ ବଦଳାଇ ଦେଇଛି-। ପ୍ରଥମତଃ ଆଧୁନିକ ମନୋବିଜ୍ଞାନ ଏ ଧାରଣାକୁ ଉଡ଼ାଇ ଦେଇଛି ଯେ ମଣିଷ ମନ କାମ, କ୍ରୋଧ, ଲୋଭ, ମୋହ, ପ୍ରେମ, କରୁଣା, ବୀରତା, ଭୀରୁତା, ଦୟା ଦାକ୍ଷିଣ୍ୟ ଆଦି ଅଲଗା ଅଲଗା ଟୁକୁରା ଟୁକୁରା ଦୋଷ ଗୁଣର ଇଟାରେ ତିଆର, ମଣିଷ ମନର ଏସବୁ ଗୁଣଦୋଷ ବା ବୃତ୍ତିଗୁଡ଼ିକୁ ଭଲ ଓ ମନ୍ଦ, ଦୈବୀ ଓ ଆସୁରୀ, ଏହିଭଳି ଦୁଇ ସ୍ପଷ୍ଟ ବିଭାଗରେ ବାଣ୍ଟି ଦେଇ ହେବ ଏବଂ କୌଣସି ମଣିଷର ଚରିତ୍ର ଯେଉଁପରି ଭାବରେ ଥରେ ତିଆରି ହୋଇ ଯାଇଛି ତାହା ଆଉ ବଦଳିବ ନାହିଁ, ପୋଡ଼ା ହାଣ୍ଡି ପରି ।

 

ଆଧୁନିକ ମନୋବିଜ୍ଞାନ ଦର୍ଶାଉଛି ଯେ କୌଣସି ବ୍ୟକ୍ତିର ଚରିତ୍ର ପୁନର୍ଜନ୍ମରୁ, ଗର୍ଭଧାନ ବେଳୁ, ଜନ୍ମବେଳୁ ବା ଜୀବନର କୌଣସି ଗୋଟିଏ କ୍ଷଣରେ ଚିରକାଳ ପାଇଁ ଗଢ଼ା ହୋଇଯାଏ ନାହିଁ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନାନା ଘାତ ପ୍ରତିଘାତ ଓ ଅଭିଜ୍ଞତାର ଭିତର ଦେଇ ତାହା ରୂପାୟିତ ହେଉଛି । ଅନୁକୂଳ ପରିସ୍ଥିତି ଏହାର ବିକାଶରେ ସାହାଯ୍ୟ କରୁଛି । ପ୍ରତିକୂଳ ପରିସ୍ଥିତ ସେଥିରେ ବିକୃତି ଜନ୍ମାଉଛି । ଅବଶ୍ୟ ବାଲ୍ୟକାଳର ପ୍ରଭାବ ଓ ଅନୁଭୂତିର ବିଶେଷ ଗୁରୁତ୍ୱ ରହିଛି । ଚରିତ୍ର ଉପରେ ତାର ଛାପ ଖୁବ୍ ବଳବାନ ହୁଏ । ଏପରିକି ଗର୍ଭରେ ଥିବା ବେଳରେ ଅନୁଭୂତି ଓ ଜନ୍ମବେଳର ଅନୁଭୂତିର ପ୍ରଭାବ ମଧ୍ୟ ଚରିତ୍ର ଉପରେ ପଡ଼େ । ଏଭଳି ପ୍ରଭାବର ଖୁବ୍ ଟାଣ ହୋଇ ବସିଥିବା ଛାପକୁ ବଦଳାଇବା କଠିନ ହୁଏ । କିନ୍ତୁ ଆଧୁନିକ ମନୋବିଜ୍ଞାନ ଆଉ ଏଭଳ ପରିବର୍ତ୍ତନକୁ ଅସାଧ୍ୟ ମନେ କରେ ନାହିଁ ।

 

ବିଭିନ୍ନ ଦେଶର, କୌଣସି ଏକ ସମାଜର ବିଭିନ୍ନ ଗୋଷ୍ଠୀ ଓ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କର ଚରିତ୍ରରେ ଯେ କେତେକ ବିଶେଷତା ଥାଏ ଏହା ବହୁକାଳରୁ ଲକ୍ଷ୍ୟ କରାଯାଇଛି । ‘ନଇକେ ବାଙ୍କ୍‌, ଦେଶକେ ଫାଙ୍କ୍‍’ ଏକ ସମୟରେ ଏଭଳି ଚରିତ୍ରଗତ ପାର୍ଥକ୍ୟ ଯୋଗୁଁ ଏଭଳି ବିଭିନ୍ନ ଅଞ୍ଚଳର ମଣିଷକୁ ବିଭିନ୍ନ ଯୋନିର ଜୀବ ବୋଲି ହିଁ ମନେ କରାଯାଉଥିଲା । ଦେବ, ଦାନବ, ମାନବ, କିନ୍ନର ଗନ୍ଧର୍ବ, ଯକ୍ଷ, ରାକ୍ଷସ ଆଦି ଶ୍ରେଣୀବିଭାଗ ଏହି ବିଶ୍ୱାସରେ ହିଁ କରାଯାଇଥିଲା । ଏବେ ଏଭଳି ମନୁଷ୍ୟୋପମ ବିଭିନ୍ନ ଯୋନିର କଳ୍ପନା ଆଉ ଚାଲୁ ନ ଥିଲେ ମଧ୍ୟ ବିଭିନ୍ନ ରାଷ୍ଟ୍ର ବା ସମ୍ପ୍ରଦାୟର ଚାରିତ୍ରିକ ବିଶେଷତ୍ୱ ଯେ ସେମାନଙ୍କର ରକ୍ତରେ ରହିଛି ଏଭଳି ବିଶ୍ୱାସ ଏବେ ବି ଖୁବ୍‍ ବ୍ୟାପକ । ମାତ୍ର ଆଧୁନିକ ମନୋବିଜ୍ଞାନ, ସମାଜବିଜ୍ଞାନ ଓ ନୂବଂଶବିଜ୍ଞାନ ବା ନୃତତ୍ତ୍ୱ ଏ ଧାରଣାକୁ ଭ୍ରାନ୍ତି ବୋଲି ସାବ୍ୟସ୍ତ କରି ସାରିଲେଣି । ପ୍ରତ୍ୟେକ ସମାଜର ଭୌଗୋଳିକ ପରସ୍ଥିତି, ଆର୍ଥିକ ବ୍ୟବସ୍ଥା ସାମାଜିକ ରୀତିନୀତି; ଧର୍ମ ବିଶ୍ୱାସ, ପାରିବାରିକ ଚଳନ, ଶିଶୁପାଳନ ପଦ୍ଧତି ଆଦିର ପ୍ରଭାବରେ କିଭଳି ସେଥିରେ ପ୍ରତ୍ୟେକ ସଦସ୍ୟ ଚରିତ୍ର ଉପରେ କେତେଗୁଡ଼ିଏ ସମାନ ଧରଣର ଛାପ ପଡ଼ିଛି ତାହାର ଯଥେଷ୍ଟ ପ୍ରମାଣ ଏସବୁ ବିଜ୍ଞାନ ମାଧ୍ୟମରେ ସଂଗୃହୀତ ହୋଇଛି । ପରିବେଶର ଏ ବିଭିନ୍ନ ଉପାଦାନ ଗୁଡ଼ିକ ବଦଳି ଗଲେ କିପରି ଆଚରଣ ଓ ଚରିତ୍ର ମଧ୍ୟ ବଦଳି ଯାଏ ତାହାର ମଧ୍ୟ ଉଦାହରଣ ଓ ପ୍ରମାଣର ଅଭାବ ନାହିଁ । ସାରକଥା ମଣିଷ ସ୍ୱଭାବ କୁକୁର ଲାଙ୍ଗୁଡ଼, ଏହାକୁ ସିଧା କରିବା ଅସମ୍ଭବ, ଏ ଧାରଣା ସେଇ ପୃଥିବୀକୁ ବାସୁକୀ ମୁଣ୍ଡାଇବା କଥା ସାଙ୍ଗକୁ ଏକା ଗାତକୁ ଗଲାଣି ।

 

ପୁଣି ଆଧୁନିକ, ବିଜ୍ଞାନ ଦର୍ଶାଉଛି ସେ ମଣିଷର ମନ କେବଳ ବାହ୍ୟ ପରସ୍ଥିତି ଓ ପ୍ରଭାବ ହାତରେ ବା ଅନ୍ତରର ପ୍ରବୃତ୍ତିପୁଞ୍ଜର ହାତରେ କ୍ରୀଡ଼ାପୁତ୍ତଳି ନୁହେଁ । ସେ ଏସବୁର ଜ୍ଞାନ ହାସଲ କରିପାରେ । ବାହ୍ୟ ପରସ୍ଥିତି ଓ ଅନ୍ତରର ପ୍ରବୃତ୍ତି ପୁଞ୍ଜକି ଢଙ୍ଗରେ କାମ କରୁଛନ୍ତି ଓ ଉଭୟର ପରସ୍ପର ଆତପ୍ରତିଯାତ କି ଢଙ୍ଗରେ ଘଟୁଛି; ତାହା ଅଧ୍ୟୟନ କରିପାରୁଛି ଓ ଏହି ଜ୍ଞାନ ବଳରେ ନିଜର ଆଚରଣ ଓ ଚରିତ୍ରକୁ ନିୟନ୍ତ୍ରିତ କରିବା ସମ୍ଭବ ହେଉଛି ।

 

ବୋଧହୁଏ ଆଧୁନିକ, ମନୋବିଜ୍ଞାନର, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ହେଲା ଏହି ଜ୍ଞାନ ଯେ, ମଣିଷର ମାନସିକ ଗଠନତନ୍ତ୍ର ଭିତରେ ଯେଉଁସବୁ ମୌଳିକ ଓ ଜନ୍ମଗତ ପ୍ରେରଣା ବା ପ୍ରବୃତ୍ତି ରହିଛି ସେ ସବୁକୁ ଭଲ ଓ ମନ୍ଦ ଏ ଦୁଇ ଶ୍ରେଣୀରେ ବାଣ୍ଟି ହେବ ନାହିଁ । ପ୍ରତ୍ୟେକ ସହଜାତ ପ୍ରବୃତ୍ତି ବିଭିନ୍ନ ପରିସ୍ଥିତି ଓ ବିଭିନ୍ନ ପ୍ରଭାବ ଅନୁସାରେ ନାନାବିଧ ରୂପ ଧରେ । ଏସବୁ ଭିତରୁ କେତେକ ରୂପ ବ୍ୟକ୍ତି ଓ ସମାଜ ପକ୍ଷରେ କଲ୍ୟାଣ କର ହୁଏତ କେତେ ଅକଲ୍ୟାଣ କର । ସାଧାରଣତଃ ପ୍ରବୃତ୍ତିଗୁଡ଼ିକର ବିକୃତି ହିଁ ସବୁଠାରୁ ବେଶି ସମସ୍ୟା ସୃଷ୍ଟି କରିଥାଏ । ଏହାଛଡ଼ା କୌଣସି ଗୋଟିଏ ପ୍ରବୃତ୍ତି ଯେ ଅଲଗା, ଏକାଟିଆ କାମ କରିଥାଏ ଓ ବିକାଶ ଲାଭ କରିଥାଏ ତାହା ବି ନୁହେଁ । ମଣିଷର ମାନସିକ ରଚନା ଭିତରେ ଏସବୁ ପ୍ରବୃତ୍ତି ଓ ପ୍ରକ୍ରିୟା ପରସ୍ପର ଛନ୍ଦାଛନ୍ଦି ହୋଇ ରହିଛି ଓ କାମ କରୁଛି । ଗୋଟିକରେ କୌଣସି ଅଦଳ ବଦଳ ହେଲେ ତାହା ଅନ୍ୟକୁ ମଧ୍ୟ ପ୍ରଭାବିତ କରୁଛି । ସାଧାରଣତଃ ଏସବୁ ପରସ୍ପର ସାମଞ୍ଜସ୍ୟ ରଖି ଐକ୍ୟତାନରେ କାମକଲେ ମଣିଷର ବ୍ୟକ୍ତିଗତ ସମଗ୍ରତା ଓ ସ୍ୱାସ୍ଥ୍ୟ ବଜାୟ ରହେ । ବିସମ୍ବାଦ ସୃଷ୍ଟି ହେଲେ ବ୍ୟକ୍ତିତ୍ୱ ବିଖଣ୍ଡିତ ଓ ରୁଗ୍‌ଣ ହୋଇପଡ଼େ ।

 

ଉଦାହରଣ ସ୍ଵରୁପ କାମପ୍ରବୃତ୍ତି ବା ଯୌନତା ମନୁଷ୍ୟ ସ୍ୱଭାବର ଏକ ମୌଳିକ ଉପାଦାନ । ପୂର୍ବକାଳରୁ ଏହାକୁ ଏକ ରୀତି ବୋଲି କହି ତାହାପ୍ରତି ସାବଧାନ ରହିବା ପାଇଁ ବହୁ ସତର୍କବାଣୀ ଶୁଣାଇ ଦିଆଯାଇଛି, ଯଦିଓ ଗୀତାରେ ମଧ୍ୟ କୁହାଯାଇଛି ‘‘ଧର୍ମାବିରୁଦ୍ଧୋ ଭୂତେଷୁ କାମୋଽସ୍‌ମି ଭରତର୍ଷଭ’’ ଅର୍ଥାତ୍‌ ମୁଁ ଇଶ୍ୱର, ପ୍ରାଣୀମାନଙ୍କ ଭିତରେ ଥିବା ଧର୍ମର ଅବିରୋଧୀ କାମ । ଏବେ ଏ କଥା ଦୃଢ଼ ଭାବରେ କୁହାଯାଇ ପାରେ ଯେ ଯୌନବୃତ୍ତି ମୂଳତଃ ଆଦୌ ଅନିଷ୍ଟକର ବା ପାପମୟ ନୁହେଁ । ଏହାର ସୁସ୍ଥ ପରିପ୍ରକାଶ ମଣିଷ ଜୀବନକୁ ପ୍ରେମମୟ ଓ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହାର ବିକୃତି ହିଁ କୁଟିଳ, ଅରୁଚିକର ଓ ସମାଜ ବିରୋଧୀ ରୂପ ଧରେ । ବିକୃତ ଯୌନ ପ୍ରବୃତ୍ତି ଯେ ମଣିଷକୁ ନାନାବିଧ ବିକୃତ ଯୌନ ପ୍ରଚେଷ୍ଟାରେ ପ୍ରବୃତ୍ତ କରାଏ ସେତିକି ନୁହେଁ, ଏକ ଧରଣର ବିକୃତି ତାର ଚରିତ୍ରରେ ନିଷ୍ଠୁରତା ଆଣିଦିଏ । ସେ ଅନ୍ୟକୁ ନାନା ପ୍ରକାର କଷ୍ଟ ଦେବାରେ ହିଁ ଆନନ୍ଦ ଉପଭୋଗ କରେ । ସେହିପରି ଆଉ ଏକ ବିକୃତି ଫଳରେ ବ୍ୟକ୍ତି ନିଜେ କଷ୍ଟ ପାଇବାରେ ଆନନ୍ଦ ଲାଭ କରେ ।

 

ସେହିପରି ଆକ୍ରମକ ବୃତ୍ତି ମଣିଷ ସ୍ୱଭାବର ମୌଳିକ ଉପାଦନ ବୋଲି ଫ୍ରୟେଡ଼ ସାବ୍ୟସ୍ତ କରିଥିଲେ । ଏହି ବୃତ୍ତି ହିଁ ହିଂସା, ଯୁଦ୍ଧ, ସଂଘର୍ଷ ଆଦି ରୂପେ ପ୍ରକାଶ ପାଏ । ଫ୍ରୟେଡ଼ଙ୍କ ପରବର୍ତ୍ତୀ କାଳରେ ଏ ବୃତ୍ତି ସଂପର୍କରେ ବହୁତ ନୂତନ ତଥ୍ୟ ମିଳିଛି ଓ ଆଲୋକପାତ ହୋଇଛି । ସେ ସବୁର ଆଲୋଚନା ପରବର୍ତ୍ତୀ ଅଧ୍ୟାୟରେ କରାଯିବ ।

Image

 

(ଏଗାର)

Unknown

ପରାକ୍ରମ ଓ ହିଂସା

 

ପୂର୍ବରୁ ସାଧାରଣ ବୁଦ୍ଧି ମାନି ଆସିଛି ଓ ଫ୍ରୟେଡ଼ ମଧ୍ୟ ସାବ୍ୟସ୍ତ କଲେ ଯେ ଆକ୍ରମଣଶୀଳତା ଅର୍ଥାତ୍ ହିଂସାପ୍ରବଣତା ମଣିଷର ଏକ ସହଜାତ ପ୍ରବୃତ୍ତି ଯାହାକୁ କେବେହେଲେ ନିର୍ମୂଳ କରିବା ସମ୍ଭବ ନୁହେଁ । ମାତ୍ର ଫ୍ରୟେଡ଼ଙ୍କ ପରେ ଏ କେତେ ଦଶନ୍ଧି ଭିତରେ ଏ ବିଷୟରେ ବୈଜ୍ଞାନିକ ଦୃଷ୍ଟିକୋଣ ଏକାବେଳକେ ବଦଳି ଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଆକ୍ରମଣଶୀଳତା ବୋଲନ୍ତେ ଆମେ ସାଧାରଣ ଭାଷାରେ ଯାହା ବୁଝୁ, ହିଂସା, ମାରପିଟ ବା ଯୁଦ୍ଧଖୋର ମନୋଭାବ ତାହା ଆଉ ଏତେ ବୈଜ୍ଞାନିକ ପରିଭାଷାରେ ଏ ଶବ୍ଦର ଅର୍ଥ ହୋଇନାହିଁ । ଏବେ ଏହାର ଅର୍ଥ ବୈଜ୍ଞାନିକ କ୍ଷେତ୍ରରେ ବ୍ୟାପକ ହୋଇଗଲାଣି । ଏବେ ଅମୁକ ବ୍ୟକ୍ତି ଖୁବ୍‌ ଆକ୍ରମଣଶୀଳ (aggressive) ବୋଲି କହିଲେ ବୁଝାଇପାରେ ଯେ ସେ ତାର ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଖୁବ୍ ଜୋରସୋରରେ ଲାଗି ପଡ଼ିଛି । କିମ୍ବା ଉତ୍ତର ମେରୁରେ ପହଞ୍ଚିବା ପାଇଁ ଏକ ଅଭିଯାନକୁ ସଫଳ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି । କୌଣସି ଛାତ୍ର ଖୁବ୍‌ ଅନୁସନ୍ଧିତ୍ସୁ, ଅଦମ୍ୟ ଉତ୍ସାହରେ ନାନା ସୂତ୍ରର ତଥ୍ୟ ଓ ଜ୍ଞାନ ସଂଗ୍ରହ କରିବାରେ ଲାଗିପଡ଼ିଛି ତ କୁହାଯାଉଛି ଯେ ତାହା ଭିତରେ ଆକ୍ରମଣଶୀଳତା ରହିଛି । ଅର୍ଥାତ୍‌ କୌଣସି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ପ୍ରତିକୂଳତା ଓ ବାଧାବିଘ୍ନକୁ ଅତିକ୍ରମ କରିବାରେ ଅଦମ୍ୟ ଚେଷ୍ଟା, ସେ ସବୁ ଦ୍ୱାରା ନିରୁତ୍ସାହିତ ହୋଇ ବା ଭାଗ୍ୟକୁ ଦୋଷ ଦେଇ ହାତ ବାନ୍ଧି ନ ବସି ଯିବାର ମନୋଭାବକୁ ଆକ୍ରମଣଶୀଳତା କୁହାଯାଉଛି ।

 

ଏକଥା ସ୍ପଷ୍ଟ ଯେ ଏଭଳି ଲକ୍ଷ୍ୟ ସାଧନ ଉଦ୍ୟମରେ ସଘଂର୍ଷ, ହିଂସା ଓ ଯୁଦ୍ଧର ମଧ୍ୟ ସମ୍ଭାବନା ରହିଛି । ସାମନାରେ ଛିଡ଼ା ହୋଇଥିବା ବାଧାକୁ କେବଳ ବଳପ୍ରୟୋଗ ଦ୍ୱାରାହିଁ ଲୋପ କରି ହେବ ବୋଲି ଯଦି ଲକ୍ଷ୍ୟର ସାଧକ ଅନୁଭବ କରେ ତେବେ ସେ ସେଭଳି କରିବ । ବାସ୍ତବରେ ଦୁନିଆର ବହୁ କନ୍ଦଳ ଓ ହିଂସା ତ ଏଇଥି ପାଇଁ ହିଁ ଘଟୁଛି । ଭିନ୍ନ ଭିନ୍ନ ବ୍ୟକ୍ତି, ଗୋଷ୍ଠୀ ବା ରାଷ୍ଟ୍ରର ଲକ୍ଷ୍ୟ ଭିତରେ ପରସ୍ପର ବିରୋଧ ଉପୁଜୁଛି ଓ ପ୍ରତ୍ୟେକ ନିଜର ଲକ୍ଷ୍ୟକୁ ଯଶସ୍ୱୀ କରିବା ଉଦ୍ୟମରୁ ସଂଘର୍ଷ ଘଟୁଛି ।

 

କିନ୍ତୁ ଏଇଠି ଗୋଟାଏ ସୂକ୍ଷ୍ମ ପାର୍ଥକ୍ୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏ ପାର୍ଥକ୍ୟଟିକୁ ଆଧୁନିକ ଗବେଷଣା ଆମ ଦୃଷ୍ଟିକୁ ଆଣିଛି । କୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ଅଦମ୍ୟ ଆକାଂକ୍ଷା ଯୋଗୁଁ ମାରପିଟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯିବା ଏକ କଥା ଓ ମାରପିଟ, ଯୁଦ୍ଧ ଆଦିରେ ଆନନ୍ଦ ଅନୁଭବ କରୁଥିବା ଯୋଗୁଁ ସେଥିପାଇଁ ପ୍ରସ୍ତୁତ ହେବା ଆଉ ଏକ କଥା । ଲକ୍ଷ୍ୟ ସାଧନ ପାଇଁ ଯେ ଯୁଦ୍ଧକୁ ପ୍ରସ୍ତୁତ ଥିବ ସେ ଯଦି ବିନା ଯୁଦ୍ଧରେ ଲକ୍ଷ୍ୟ ହାସଲ କରିପାରିବ ତେବେ ଯୁଦ୍ଧ କରିବାକୁ ଯିବନାହିଁ । କିନ୍ତୁ କେବଳ କଳିପାଇଁ, ଯୁଦ୍ଧ ପାଇଁ ଯୁଦ୍ଧ କରିବାରେ ପ୍ରବୃତ୍ତି କଣ ମଣିଷ ଭିତରେ ଅଛି ?

 

ଦେଖାଯାଏ ଯେ ଅନେକ ଲୋକଙ୍କ ଭିତରେ ଏଭଳି ପ୍ରବୃତ୍ତି ରହିଛି । କେତେକ ଲୋକ ଯୁଦ୍ଧରୁ ଆନନ୍ଦ ପାଆନ୍ତି । କେତେକ ଲୋକ ମଣିଷକୁ ହତ୍ୟା କରିବା ଓ ଯନ୍ତ୍ରଣା ଦେବାରେ ଆନନ୍ଦ ଅନୁଭବ କରନ୍ତି ଓ ସେଥିପାଇଁ ଯୁଦ୍ଧ ବା ମାଡ଼ଗୋଳକୁ ଆଗଭର ହୋଇ ଆସନ୍ତି । ବହୁ ଲୋକତ କଳିକଜିଆ କରିବାରେ, କୌଣସି ଲୋକ ପଛରେ ଲାଗି ତାକୁ ହଇରାଣ କରିବାରେ, ଆନନ୍ଦ ପାଆନ୍ତି ।

 

ସୌଭାଗ୍ୟକ୍ରମେ ମନୋବିକାରର ତତ୍ତ୍ୱ (Psychopathology) ଏ ବାବଦରେ ନିର୍ଭର ପ୍ରମାଣ ଦିଏ ଯେ ଏ ଧରଣର ହିଂସା ବା କ୍ରୂରତାରେ ଆନନ୍ଦ ଅନୁଭବ କରିବାରେ ବୃତ୍ତି ମଣିଷର ସହଜାତ ନୁହେଁ । ଏହା ତାର ମନୋବିକାରର ଲକ୍ଷଣ । ଏହିରୂପେ ଯେ ଆମେ ଦୁଇ ପ୍ରକାରର ହିଂସାର ବୃତ୍ତି ଦେଖିବାକୁ ପାଉ, ଗୋଟିଏ ସୁସ୍ଥ ମାନସିକତାର ଓ ଅନ୍ୟଟି ଅସୁସ୍ଥ ମାନସରୁ ପରିପ୍ରକାଶ । ସୁସ୍ଥ ମାନସିକତା ହିଂସାର ଆନନ୍ଦ ପାଇଁ ହିଂସା ଲୋଡ଼େ ନାହିଁ । ଅସୁସ୍ଥ ମାନସିକତା ଏଭଳି ହିଂସା, କ୍ରୂରତା, ନୀଚତା ଆଦିରୁ ଆନନ୍ଦ ପାଏ ଓ ତାହା ଲୋଡ଼େ । ଏ ସବୁର ଉତ୍ପତ୍ତି ହୁଏ କେଉଁଠୁ ?

 

ବିକୃତ ଯୌନ ପ୍ରବୃତ୍ତି କ୍ରୂରତାରେ ଏକ ପ୍ରକାର ଆନନ୍ଦ ବୋଧ ଉପୁଜାଏ ବୋଲି ଆମେ ପୂର୍ବ ଅଧ୍ୟାୟରେ ଉଲ୍ଲେଖ କରିଛୁ । ସାଧାରଣତଃ ସବୁ ପ୍ରକାରର ବିକୃତିର ଅବଦମନ ଦ୍ୱାରା ଅର୍ଥାତ୍‌ ବୃତ୍ତି ବା ମନର ଭାବାବେଗର ବର୍ହିପ୍ରକାଶକୁ ଭୟ ବା ଅନ୍ୟ ପ୍ରକାରର ବାହାରର ଚାପ ଦ୍ୱାରା ଅବରୁଦ୍ଧ କରିଦେବା ଯୋଗୁଁ ଘଟିଥାଏ । ଅବଦମନର କାରଣ ନାନାବିଧ ହୋଇପାରେ ଓ ପାରିପାର୍ଶ୍ୱିକ ପରିସ୍ଥିତି, ଅବଦମନର କବଳରେ ପଡ଼ିଥିବା ବ୍ୟକ୍ତିର ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଆଦିକୁ ଘେନି ବିକୃତିର ରୂପ ମଧ୍ୟ ବିବିଧ ହୋଇଥାଏ । ତେବେ ପିଲାଦିନେ ପିତାମାତା ବା ଅଭିଭାବକଙ୍କ ଦ୍ୱାରା ଅତି କଠୋର ଅନୁଶାସନ ଯୋଗୁଁ ସାଧାରଣ ଆତ୍ମପ୍ରକାଶରେ ବାଧା ଓ ସୁସ୍ଥ ଆକ୍ରମକ ବୃତ୍ତିର ଅବଦମନ ହିଁ ଉପରୋକ୍ତ ପ୍ରକାରର ହିଂସାପ୍ରିୟତା ଓ କ୍ରୂରତା ଆଦିର ମୁଖ୍ୟ କାରଣ । ତାହା ନିମ୍ନଲିଖିତ ପ୍ରକାରେ କାମ କରେ ।

 

ସାମନ୍ତବାଦୀ ସମାଜରେ ଯେପରି ରାଜା ଆଗରେ ପ୍ରଜାକୁ ମୁଣ୍ଡ ନୁଆଁଇ ଚଳିବାକୁ ହୁଏ, ଯେପରି ତାର ପାଟି ଫିଟାଇବାର ଅଧିକାର ନ ଥାଏ, ସେହିପରି ସାମନ୍ତବାଦୀ ପରମ୍ପରାରେ ଚଳିଆସିଥିବା ପରିବାରରେ ବଡ଼ମାନଙ୍କର ବିଶେଷ କରି ବାପଜେଠାଙ୍କର ଏକଛତ୍ର ଶାସନ ଚଳେ-। ବଡ଼ମାନଙ୍କ ଆଗରେ ସାନପିଲାଙ୍କର ପାଟି ଫିଟେଇବାର ଅଧିକାର ନ ଥାଏ, ସେମାନଙ୍କର ସ୍ୱାଧୀନ ଇଚ୍ଛା ବା ରୁଚି କିଛି ଅଛି ବୋଲି ସ୍ୱୀକାର କରାଯାଏ ନାହିଁ । ଖାଇବା ପିନ୍ଧିବାଠାରୁ ଆରମ୍ଭ କରି ବୟସ ହେଲେ ବାହାଘର ହେବା ପର୍ଯ୍ୟନ୍ତ ପ୍ରତ୍ୟେକ କଥାରେ ବଡ଼ଙ୍କର ଆଦେଶ ମାନି ଚଳିବାକୁ ହୁଏ । ବଡ଼ମାନଙ୍କର ସାନମାନଙ୍କୁ ମାରଧର କରିବାର, ଗାଳିମନ୍ଦ କରିବାରେ ପୂର୍ଣ୍ଣ ଅଧିକାର ଥାଏ । ମାତ୍ର କୌଣସି ସାନ ପିଲା ଯଦି ରାଗିଯାଇ ବଡ଼ ମଣିଷକୁ ପଦେ କଥା କହିଦିଏ ତେବେ ସମସ୍ତେ ହାଁ ହାଁ କରି ତାକୁ ଶାସନ କରିବାକୁ ଧାଇଁ ଆସନ୍ତି । ଅନେକ ପରିବାରରେ ମାଡ଼ଗାଳି ଖାଇ କାନ୍ଦିବାର ବି ଅଧିକାର ନ ଥାଏ । କାହିଁକି କାନ୍ଦୁଛୁ ବୋଲି ଆହୁରି ମାଡ଼ ବସେ । ବିଲାତରେ ଉଣେଇଶହ ଶତାବ୍ଦୀରେ ଗୋଟିଏ ସୂତ୍ର ଥିଲା—‘‘ସାନ ପିଲା ଦେଖାଯିବେ ସିନା ଶୁଣାଯିବାର ନୁହେଁ ।’’ ଅନେକ ସମୟରେ ଖେଳକୁଦ ଆଦି ପିଲାମାଙ୍କର ଜୀବନୀଶକ୍ତିର ସ୍ୱତସ୍ଫୁର୍ତ୍ତ ଉଚ୍ଛ୍ୱାସରେ ମଧ୍ୟ ବାଧା ଦିଆଯାଏ ।

 

ସାନପିଲା ମନରେ ବାପମା’ଙ୍କ ପ୍ରତି ଅପାର ସ୍ନେହ ଥାଏ, ସ୍ନେହ ବିନା ସେ ବଞ୍ଚି ପାରେନାହିଁ । ସମସ୍ତେ ତାକୁ ଭଲ ପାଇବେ ଓ ସେ ସମସ୍ତଙ୍କୁ ଭଲ ପାଇବ ଏଇଟା ତାର ଅସ୍ତିତ୍ୱ ପାଇଁ ଅତି ଜରୁରୀ । ଆଗକୁ ଦେଖିବା ଯେ ଏ ପ୍ରେମର ଗୁରୁତ୍ୱ ଦେହ ପାଇଁ ଖାଦ୍ୟର ଆବଶ୍ୟକତା ଅପେକ୍ଷା ବି ଅଧିକ ।

 

ବାଧା, ନିଷ୍ଫଳତା, ତାହା ପ୍ରତି ଅନ୍ୟାୟ କରା ଯାଉଛି ବୋଲି ଅନୁଭବ, ଏସବୁ ଦ୍ୱାରା ବଡ଼ମାନଙ୍କର ପରି ପିଲା ମନରେ ବି କ୍ରୋଧ ଓ ଦୁଃଖ ଜନ୍ମେ । ବଡ଼ମାନଙ୍କ ଅପେକ୍ଷା ପିଲାର ମନରେ ଏସବୁର ବେଗ ବହୁତ ବେଶି ହୋଇଥାଏ । କ୍ରୋଧ ବା ଦୁଃଖର ବେଗକୁ ସହଜ ଭାବରେ ପ୍ରକଟ ହୋଇ ଉଡ଼ିଯିବାକୁ ଦେଲେ ମନ ଉପରେ ତାର ସ୍ଥାୟୀ ପ୍ରଭାବ ବିଶେଷ ରହେ ନାହିଁ । ମାତ୍ର ବାରମ୍ବାର କ୍ରୋଧ ଓ ଦୁଃଖର ଉପଲକ୍ଷ୍ୟ ଘଟିଲେ ଓ ସେ ଭାବାବେଗକୁ ପୁଣି ବାହାରୁ ଚାପି ଦିଆଗଲେ ପିଲାର ମନରେ ବାପ ମା ବା ସେହିଭଳି କର୍ତ୍ତୃତ୍ତ୍ୱର ଆସ୍ଥାନରେ ଥିବା ଅନ୍ୟ ମାନଙ୍କ ପ୍ରତି ଦ୍ୱେଷର ସଞ୍ଚାର ହୁଏ । ସେହି ଏକା ଲୋକଙ୍କ ପ୍ରତି ଏକାଧାରରେ ପ୍ରେମ ଓ ଦ୍ୱେଷ ତା ମନରେ ଦ୍ୱନ୍ଦ ଉପୁଜାଏ । ଏ ଦ୍ୱନ୍ଦର ଚାପ ପିଲାର ଅପରିପକ୍ୱ ମନ ସହ୍ୟ କରିପାରେ ନାହିଁ । ସେତେବେଳେ ତାର ମନରେ ଥିବା ଆତ୍ମରକ୍ଷା ତନ୍ତ୍ର ତାର ମନକୁ ଏ ଚାପରୁ ରକ୍ଷା କରିବା ପାଇଁ ଦ୍ୱେଷର ଭାବନାକୁ ସଚେତନ ମନର ଗୁପ୍ତ ଗନ୍ତାଘରକୁ ଠେଲିଦିଏ । ଚେତନ ମନରେ ଦ୍ୱନ୍ଦର ଅବସାନ ଘଟେ । ମାତ୍ର ଏ ଦ୍ୱେଷ ଅଚେତନ ଭିତରେ ଥାଇ ନାନା ଭାବରେ ଆତ୍ମପ୍ରକାଶ କରିବାକୁ ଚେଷ୍ଟା କରୁଥାଏ ।

 

ଜିନିଷପତ୍ର ହଜେଇବା, ଭାଙ୍ଗିବା ଭଳି ଛୋଟ ଛୋଟ ‘ଅଭ୍ୟାସ ଦୋଷର’ ଆରମ୍ଭ କରି ଅନ୍ୟମାନଙ୍କ ନାଁରେ ଚୁଗୁଲି କରିବା, ଅନ୍ୟକୁ ନାନାଭାବରେ ହଇରାଣ କରିବା ଆଦି ରୂପରେ ଏ ଦ୍ୱେଷ ପ୍ରକାଶ ପାଇପାରେ ଓ ଅତି ପ୍ରବଳ ହେଲେ ଅନ୍ୟ ଜାତି, ଧର୍ମ, ବର୍ଣ୍ଣ ବା ଭାଷାରେ ‘ପର’ ଲୋକଙ୍କ ଗୋଷ୍ଠୀ ପ୍ରତି ଦ୍ୱେଷ ଓ କ୍ରୂରତା ଆଚରଣ ରୂପରେ ମଧ୍ୟ ଦେଖାଦେଇପାରେ । ଅବଦମନ ଊଣା ହୋଇଥିଲେ ମୃଦୁ ପ୍ରକାରର ହିଂସା ଆଡ଼କୁ ରୁଚି ଯାଏ । ଅଧିକ ହୋଇଥିଲେ ହିଂସା ଓ କ୍ରୂରତାରେ ରୁଚି ତୀବ୍ରତର ହୋଇପାରେ ।

 

ଆଧୁନିକ ପରିବେଶରେ ଏ ଅବଦମନ ବା ଆତ୍ମପ୍ରକାଶର ସୁଯୋଗର ଅଭାବ ଭିନ୍ନ ରୂପ ଧରେ । ଏଠି ବାପମାନଙ୍କର କଡ଼ା ଶାସନ ପରିବର୍ତ୍ତେ ବାପମାଙ୍କ ସହିତ ସମ୍ପର୍କର ହିଁ ଅଭାବ ଘଟେ । ସମସ୍ତେ ଯେଝା କାରଖାନା, କଚେରୀ ଓ ବିଦ୍ୟାଳୟରେ ଅଧିକାଂଶ ଚେଇଁବା ସମୟ କଟାନ୍ତି । ଦେଖା ସାକ୍ଷାତର ସୁଯୋଗ ହିଁ କମ୍‌ ମିଳେ । ତେଣୁ ବାପମାଙ୍କଠାରୁ ମାର୍ଗ ଦର୍ଶନ ତ ମିଳେନାହିଁ, ଅନେକ ସମୟରେ ଦରିଦ୍ର ପରିବାରରେ ଅଭାବଜନିତ ନାନା କଳିଗୋଳ ଯୋଗୁଁ ଘରର ବାତାବରଣରେ ଶାନ୍ତି ନ ଥାଏ । ତା ଛଡ଼ା ସହରର ଜନବହୁଳ ଓ ସଙ୍କୀର୍ଣ୍ଣ ପରିସର ଭିତରେ ସ୍ୱାଭାବିକ ଉଚ୍ଛ୍ୱଳତା ପ୍ରକାଶ କରିବାରେ ସୁଯୋଗ ବହୁତ କମ ମିଳେ । ଏସବୁର ପ୍ରଭାବରେ ଚରିତ୍ର ଆଉ ଏକ ଢଙ୍ଗରେ ବିକୃତ ହୋଇଥାଏ ।

 

ଏ ଦିଗରେ ସମାଜବିଜ୍ଞାନ ଓ ନୃତତ୍ତ୍ୱ ମଧ୍ୟ ବହୁତ ତଥ୍ୟ ପ୍ରମାଣ ଏକତ୍ର କରିଛି । ସାରା ଦୁନିଆରେ ଜାତିଜାତିକା ଛୋଟ ଛୋଟ ଆଦିବାସୀ ସମାଜ ରହିଛି ଓ ଦେଖାଯାଏ ଯେ ବାହାରର ବ୍ୟାପକ ସଭ୍ୟତାର ସମ୍ପର୍କରେ ନ ଆସି ବିଚ୍ଛିନ୍ନ ହୋଇ ରହିଥିବା ଏଭଳି ଗୋଷ୍ଠୀମାନଙ୍କରେ ସାମାଜିକ ରୀତିନୀତି ଓ ଆଚାର ବ୍ୟବହାର ଯେପରି ଭିନ୍ନ ଭିନ୍ନ ସେପରି ସେସବୁ ପ୍ରତ୍ୟେକ ସମାଜର ସାଧାରଣ ବା ହାରାହାରି ମନୁଷ୍ୟ ଚରିତ୍ରରେ ମଧ୍ୟ ଭିନ୍ନତା ଦେଖାଯାଏ । ମନୋବିଜ୍ଞାନର ସାହାଯ୍ୟ ନେଇ ନୃତତ୍ତ୍ୱବିତ୍‌ମାନେ ଏହିସବୁ ଚାରିତ୍ରିକ ବିଶେଷତ୍ୱର ମୂଳ ସେହିସବୁ ସମାଜର ରୀତିନୀତି ଓ ବିଶେଷକରି ଶିଶୁ ପାଳନ ପଦ୍ଧତିରେ ଖୋଜି ପାଇଛନ୍ତି ।

 

ଆମେରିକାନ୍‌ ନୃତତ୍ତ୍ୱବିତ୍‌ ମାର୍ଗାରେଟ୍‌ ମୀଡ଼୍‌ ବୋର୍ଣ୍ଣୀ ଓ ଦ୍ୱୀପ ନିକଟରେ ଦୁଇଟି ଜାତି, ଆରାପେଶ୍‌ ଓ ମୁଣ୍ଡୁଗୁମରର ବର୍ଣ୍ଣନା ଦେଇଛନ୍ତି । ଏ ଦୁଇଟି ଜାତିର ବାସସ୍ଥାନ ମଧ୍ୟରେ ଦୂରତ୍ୱ ଖୁବ୍‌ ବେଶି ନୁହେଁ, ମାତ୍ର ଚରିତ୍ର ଏକାବେଳକେ ଭିନ୍ନ । ଆରାପେଶ୍‌ ଜାତିର ଲୋକେ ଖୁବ୍‌ ଶାନ୍ତିପ୍ରିୟ ଓ ମେଳାପି । ମିଳିମିଶି କାମ କରିବା ଓ ବାଣ୍ଟି କୁଣ୍ଟି ଖାଇବାରେ ଅଭ୍ୟସ୍ତ । କଳିତକରାଳ ସେମାନଙ୍କ ଭିତରେ ଖୁବ୍‌ କମ୍‌ । ଆଉ ମୁଣ୍ଡୁଗୁମର ଜାତି ଏକାବେଳକେ ଓଲଟା ସ୍ୱଭାବର କହିଲେ ଚଳେ । ଏମାନେ ଅତି ସନ୍ଦେହ ପ୍ରବଣ ଓ କଳହପ୍ରିୟ । ପରସ୍ପର ପ୍ରତି ସନ୍ଦେହ ଓ କଳହ ଏମାନଙ୍କ ଭିତରେ ଲାଗି ରହିଥାଏ । ଏଠାରେ ସ୍ତ୍ରୀମାନେ ମଧ୍ୟ ଏହିପରି । ଏ ଦୁଇ ଗୋଷ୍ଠୀର ଚାରିତ୍ରିକ ବୈଶିଷ୍ଟ୍ୟ ସେମାନଙ୍କର ନିଜ ନିଜର ସମାଜ ବ୍ୟବସ୍ଥା, ଧର୍ମବିଶ୍ୱାସ ବା ଜୀବନକୁ ଦେଖିବାର ଦୃଷ୍ଟିକୋଣ ଓ ଶିଶୁ ପାଳନ ପଦ୍ଧତିର ପରିଣାମ ବୋଲି ମାର୍ଗାରେଟ୍‌ ମୀଡ଼ ଦର୍ଶେଇଛନ୍ତି । ଧର୍ମ ବିଶ୍ୱାସ ଓ ବ୍ୟବସ୍ଥା ବଦଳିଲେ ଚରିତ୍ରରେ ମଧ୍ୟ କିଭଳି ବ୍ୟାପକ ପରିବର୍ତ୍ତନ ଘଟେ ତାହାର ଏକ ଚିତ୍ତାକର୍ଷକ ବିବରଣ ମାନୁସା ନାମକ ଏକ ଗୋଷ୍ଠୀର କୋଡ଼ିଏ ବର୍ଷର ଅନ୍ତରରେ ସେ ଯେଉଁ ଦୁଇ ଥର ଅଧ୍ୟୟନ କରିଥିଲେ ତାହାରି ଭିତ୍ତିରେ ସେ ଉପସ୍ଥାପିତ କରିଛନ୍ତି । ଏହିଭଳି ଆହୁରି ବହୁତ ତଥ୍ୟ ସଂଗୃହୀତ ହୋଇ ସାରିଛି ।

 

ଯୁଦ୍ଧ ବା ସଂଘର୍ଷର ଆକାଂକ୍ଷା ଯେ ମଣିଷର ମୌଳିକ ପ୍ରବୃତ୍ତି ନୁହେଁ ଏହାର ବହୁତ ପ୍ରମାଣ ମଧ୍ୟ ରହିଛି । ଦୁନିଆରେ ଏଭଳି ବହୁ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଶହଶହ ବର୍ଷ ହେଲା କେବେ ଯୁଦ୍ଧ କରି ନାହାନ୍ତି ଓ ଯୁଦ୍ଧ ବା ପରସ୍ପର ଭିତରେ ମାରପିଟ୍‌ ବି କାହିଁକି କରିବା ଦରକାର ହୁଏ ତାହା ସେମାନଙ୍କୁ ବୁଝେଇବା କଠିନ ହେବ । ଉପର ବର୍ଣ୍ଣିତ ଆରାପେଶ ଗୋଷ୍ଠୀ ଏହାର ଦୃଷ୍ଟାନ୍ତ । ଆଉ ଏକ ଉଦାହରଣ ହେଲେ ଏସ୍କିମୋମାନେ । ଗ୍ରୀନ୍‌ଲାଣ୍ଡରେ ବାସ କରୁଥିବା ଏସ୍କିମୋମାନେ କେଜାଣି କେଉଁଯୁଗରୁ ଯୁଦ୍ଧ ତ କରିନାହାନ୍ତି, ନରହତ୍ୟା ମଧ୍ୟ ସେମାନଙ୍କ ଭିତରେ ଅତି କ୍ୱଚିତ ଘଟୁଥିଲେ ଘଟୁଥିବ ।

 

ସିନ୍ଧୁ ନଦୀର ଅବବାହିକାରେ ମୋହେଞ୍ଜୋଦାରୋ ଓ ହରପ୍‌ପାଠାରେ ଯେଉଁ ପ୍ରାଚୀନ ସହର ସବୁର ଭଗ୍ନାବଶେଷ ମାଟିତଳୁ ବାହାରିଛି ସେଥିରୁ ଜଣାଯାଏ ଯେ ସେସବୁ ସ୍ଥାନରେ ଏକ ଖୁବ୍‍ ଉନ୍ନତ ସଭ୍ୟତା କେତେ ହଜାର ବର୍ଷଧରି ତିଷ୍ଠି ରହିଥିଲା । ସେଠାରେ ଅଧିବାସୀ ନକ୍‌ସା ଅନୁସାରେ ସୁବିସ୍ତୃତ ସହର ଗଢ଼ୁଥିଲେ । ଘରମାନଙ୍କରେ ଗାଧୁଆ ଘର ଓ ସହରରେ ଜଳ ନିଷ୍କାସନ ପାଇଁ ଇଟାର ପକ୍‌କା ନାଳ ବ୍ୟବସ୍ଥା ଥିଲା । ଧାତୁର ବ୍ୟବହାର ସେମାନେ ଜାଣିଥିଲେ । ନାନା ପ୍ରକାରର ଧାତୁ ତିଆରି କୃଷି ଉପକରଣ ଓ ଅନ୍ୟ କାରିଗରୀ ହତିଆର ସେଠାରେ ମିଳିଛି, ମାତ୍ର ଗୋଟିଏ ହେଲେ ଯୁଦ୍ଧର ଅସ୍ତ୍ର, ଖଣ୍ଡା ବା ବର୍ଚ୍ଛା ବା ଆଉ କିଛି, ସେଠାରେ ମିଳିନାହିଁ ।

 

ବିଶିଷ୍ଟ ବ୍ରିଟିଶ୍‌ ବିଦ୍ୱାନ ଜେରାଲର୍ଡ଼ ହାର୍ଡ଼ (Gerald Heard) ଏହାର ଆଲୋଚନା କରି ଅତି ପ୍ରାଚୀନ୍‍ କାଳରେ ସିନ୍ଧୁ କାଳରେ ସିନ୍ଧୁ ଅବବାହିକାରେ ଓ ହୁଏତ ଭାରତୀୟ ଭୂଖଣ୍ଡ ଓ ପୃଥିବୀର ଅନ୍ୟତ୍ର ମଧ୍ୟ ଶାନ୍ତିପୂର୍ଣ୍ଣ ସମାଜମାନ ଥିବା ସ୍ଥଳେ କିଭଳି ମିଶର ଓ ବେବିଲୋନ୍‍ରେ ତଥା ଅନ୍ୟତ୍ର ମଧ୍ୟ ହିଂସା ଓ ଶୋଷଣମୂଳକ ସମାଜ ବ୍ୟବସ୍ଥା ଓ ତାହା ସାଙ୍ଗକୁ ଯୁଦ୍ଧପ୍ରଥାର ଉଦ୍‌ଭବ ହେଲା ତାହାର ଏକ ଚିତ୍ତାକର୍ଷକ ଆଲୋଚନା ପୁରାତତ୍ତ୍ୱ, ନୃତତ୍ୱ ଓ ପ୍ରାଗ୍‌ ଇତିହାସର ଗବେଷଣା ସମୂହର ଭିତ୍ତିରେ କରିଛନ୍ତି ।

 

ହିଂସା ଓ କ୍ରୂରତା ପ୍ରତି ଆକର୍ଷଣର ଆଉ ଏକ କାରଣ ହେଉଛି ସାଂସ୍କୃତିକ ପରମ୍ପରା । ନାଗାମାନଙ୍କର ଉଦାହରଣ, ଅବଶ୍ୟ ତିରିଶ ଚାଳିଶ ବର୍ଷ ତଳର, ଏବର ନୁହେଁ, ନିଆ ଯାଇପାରେ-। ସେତେବେଳେ ସେମାନଙ୍କ ଭିତରେ ମୁଣ୍ଡ ଶିକାର ପ୍ରଥା ଥିଲା । ଅନ୍ୟ ଗାଁର ଅନ୍ୟ ଗୋଷ୍ଠୀର ଲୋକଙ୍କର ମୁଣ୍ଡ ନାଗା ପୁରୁଷମାନେ ସୁବିଧା ପାଇଲେ କାଟି ଆଣୁଥିଲେ । ଲୁଚିଛପି ଏକୁଟିଆ ବାଟୋଇକୁ ଆକ୍ରମଣ କରିବା ଓ ଦଳବଦ୍ଧ ଭାବରେ ଅନ୍ୟ ଗାଁ ଉପରେ ଆକ୍ରମଣ କରିବା ଏସବୁ ପନ୍ଥା ସେଥିପାଇଁ ଅନୁସୃତ ହେଉଥିଲା । ଏସବୁ ମୁଣ୍ଡ ଆଣି ଘରେ ଠଣା ଉପରେ ସଜାଇ ରଖା ଯାଉଥିଲା ବା ଗାଁମୁଣ୍ଡ ଠାକୁରାଣୀ ଗଛରେ ଟାଙ୍ଗି ଦିଆଯାଉଥିଲା । ଏ ଏକ ଅତି ଅମାନୁଷିକ ପ୍ରଥା-। ମାତ୍ର ଫନ୍‌ ହାଇମେନ୍‌ ଡଫ୍‌ (Von Heimendorf) ଦର୍ଶାଇଛନ୍ତି ଯେ ଏହା ପଛରେ ଚରିତ୍ରଗତ କ୍ରୂରତା ନାହିଁ । ନାଗାମାନେ ନିଜ ପରିବାର ଓ ଗାଁରେ ଅତ୍ୟନ୍ତ ଭଦ୍ର, ମେଳାପି ଓ କୋମଳ ସ୍ୱଭାବ । ପିଲାମାନଙ୍କ ସହ ସେମାନେ ବ୍ୟବହାର ଅତି ସ୍ନେହପୂର୍ଣ୍ଣ ଓ ଆଧୁନିକ ଶିକ୍ଷାବିଜ୍ଞାନ ଦୃଷ୍ଟିରୁ ଆଦର୍ଶ ସ୍ଥାନୀୟ କହିଲେ ଚଳେ । ପରସ୍ପର ଭିତରେ କଳିତକରାଳ ନଥିବା ପରି ଓ ନିଜ ଭିତରେ ହଣାମରା ହୋଇ କେହି କାହାରିକୁ ହତ୍ୟା କରିବ କାହିଁକି ଏକଥା କେତେ ଗାଁରେ ବୁଝେଇବାକୁ ହାଇମେନଡ଼ର୍ଫ ନାନା ଭାବରେ ଚେଷ୍ଟା କଲେ ମଧ୍ୟ ଲୋକେ ବୁଝିପାରିଲେ ନାହିଁ । ଅଥଚ ସେହି ଲୋକ ବଣ ଭିତରେ ଲୁଚି ବସି ପାଣି ଆଣିବାକୁ ଯାଉଥିବା ଭିନେ ଗାଁରେ ସ୍ତ୍ରୀ ଲୋକଙ୍କର ମୁଣ୍ଡ ଅନାୟାସରେ କାଟି ଆଣିବ ।

 

ଏଭଳି ପ୍ରଥା ଅନ୍ୟତ୍ର ମଧ୍ୟ ଥିଲା ଓ ଏବେ ବି ହୁଏତ କେଉଁଠି ଥିବ । ଏହାର ଉଦ୍‌ଭବ ରହସ୍ୟାବୃତ । ମାତ୍ର ଏତକ ସ୍ପଷ୍ଟ ଯେ ଏହା ସେ ଗୋଷ୍ଠୀର ସଂସ୍କୃତିର ଏକ ବିଶିଷ୍ଟ ଅଙ୍ଗ ହୋଇଯାଇଥିଲା । ଅଧିକରୁ ଅଧିକ ମୁଣ୍ଡ କାଟି ଆଣିପାରିବାଟା ପୁରୁଷପଣିଆର, ଶୌର୍ଯ୍ୟବୀର୍ଯ୍ୟର ପ୍ରମାଣ ଥିଲା, ଠିକ୍‌ ଯେପରି ଆଜି କ୍ରିକେଟ୍‌, ଟେନିସ୍‌ ବା ଫୁଟବଲରେ ଅଧିକରୁ ଅଧିକ କପ୍‌, ଶିଲ୍‌ଡ଼୍‌ ଆଦି ଜିତିଯିବା ଯୁବକର ଆଦର ହୁଏ । ଯେଉଁ ଯୁବକ ଦୁଇ ଚାରିଟା ମୁଣ୍ଡ ହାସଲ ନ କରିଥିବ ତାକୁ କୌଣସି ଝିଅ ଫେରି ସୁଦ୍ଧା ଚାହିଁବ ନାହିଁ । ଏହିଭଳି ସାଂସ୍କୃତିକ ମୂଲ୍ୟର ଆଧାର ହୋଇଥିବାରୁ ଏ ଧରଣର କ୍ରୂରତା ସେସବୁ ସମାଜରେ ଚଳି ଆସୁଥିଲା । ଦକ୍ଷିଣ ଆମେରିକାର ଏକ ଗୋଷ୍ଠୀ ଭିତରେ ଏହି ପ୍ରକାରର ପ୍ରଥାକୁ ଆଇନ ଦ୍ୱାରା ବନ୍ଦ କରିଦେବାରୁ ସେ ଗୋଷ୍ଠୀର ଲୋକେ ହତୋତ୍ସାହ ହୋଇଗଲେ । ସେମାନଙ୍କୁ ଲାଗିଲା ଯେପରି ଜୀବନରେ ସବୁ ମହତ୍ତ୍ୱ ସରିଗଲା, ତାଙ୍କ ମଣିଷପଣିଆ ଲିଭିଗଲା । ସେମାନଙ୍କର ବଂଶ କ୍ଷୟ ହେବାକୁ ଲାଗିଲା । ଲୋକସଂଖ୍ୟା ଦ୍ରୂତ କମିଗଲା ।

 

ନିଜର ପ୍ରୌଢ଼ି ବା ବାହାଦୁର ପଣିଆ ଦେଖାଇବା ପାଇଁ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବାର ପରମ୍ପରା ମଧ୍ୟ କେତେକ ଗୋଷ୍ଠୀ ଭିତରେ ଥିବାର ଦେଖା ଯାଇଛି । ଏହିରୂପେ ଯୁଦ୍ଧର ମଧ୍ୟ ଏକ ସାଂସ୍କୃତିକ ମୂଲ୍ୟ ଓ ଗୌରବ ସଭ୍ୟ ଜଗତରେ ପ୍ରତିଷ୍ଠିତ ହୋଇଥିଲା-। ଏବେ ପରମାଣୁ ବୋମା ଉଦ୍ଭାବିତ ହେଲା ଦିନଠୁଁ ଏ ଗୌରବ ପ୍ରାୟ ଉଭେଇ ଗଲାଣି । ପୁଞ୍ଜିବାଦୀଠାରୁ ସାମ୍ୟବାଦୀ ଯାଏ ସବୁ ରାଷ୍ଟ୍ରର ନେତା ଦରକାର ହେଲେ ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ଯୁଦ୍ଧ କରିବେ ବୋଲି ସିନା କହୁଛନ୍ତି, ହିଟଲର ପରି ଯୁଦ୍ଧର ଗୌରବଗାନ ଆଉ କେହି କରୁ ନାହିଁ ।

 

ନିଜର ବାହାଦୂରପଣିଆ ଦେଖାଇବା ଓ ଶକ୍ତିସାମର୍ଥ୍ୟର ପରିଚୟ ଦେବା ପାଇଁ ଅନ୍ୟ ପ୍ରକାରର ପରମ୍ପରା ଲୋକେ ଗ୍ରହଣ କରିଥିବାର ବହୁ ଉଦାହରଣ ମଧ୍ୟ ରହିଛି । ଗୋଟିଏ ସମାଜରେ ନିଜର ସଞ୍ଚିତ ସମ୍ପତ୍ତିକୁ ବାଣ୍ଟିଦେଇ ବା ନଷ୍ଟ କରିଦେଇ ଲୋକେ ନିଜର ବଡ଼ିମା ଦେଖାଇଥାନ୍ତି । ଆମ ଦେଶରେ ବିବାହ ବ୍ରତ ଆଦିରେ ନିଜର ସାମର୍ଥ୍ୟକୁ ବଳି ଖର୍ଚ୍ଚ କରିବା ମଧ୍ୟ ସେହି ଢଙ୍ଗର ଏକ କାରବାର । ଯେପରି ଦେଖା ଯାଉଛି, କୌଣସି ଏକ କଠିନ କାର୍ଯ୍ୟ ହାସଲ କରି ତଦ୍ୱାରା, ନିଜର ଶକ୍ତି ସାମର୍ଥ୍ୟର, ବଳବୀର୍ଯ୍ୟ ବା ବୁଦ୍ଧି ଚାତୁର୍ଯ୍ୟର, ପରିଚୟ ବ୍ୟକ୍ତି ବା ଗୋଷ୍ଠୀଗତ ଭାବରେ ଦେବାରେ ମଣିଷ ଆତ୍ମପ୍ରସାଦ ଅନୁଭବ କରିଥାଏ । ଏଥିପାଇଁ ପ୍ରତ୍ୟେକ ସମାଜରେ କେତେକ ପରମ୍ପରାଗତ ପନ୍ଥା ରହିଛି । ସେ ପନ୍ଥା କେଉଁଠି ହିଂସାମୂଳକ ତ କେଉଁଠି ଶାନ୍ତିପୂର୍ଣ୍ଣ, ମାତ୍ର ଏ ସବୁର ମୂଳ ସଂସ୍କାରରେ, ମନୁଷ୍ୟ ସ୍ୱଭାବରେ ନୁହେଁ ।

 

ଆମେ ଯେଉଁ ଆକ୍ରମଣ ବୃତ୍ତିକୁ ଘେନି ଏ ଅଧ୍ୟାୟର ଆଲୋଚନା ଆରମ୍ଭ କରିଥିଲୁ ଏବେ ଆମେ ତାର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବିଭିନ୍ନ ପରିପ୍ରକାଶ ଦେଖିଲୁ । ଏବେ ବୁଝିବା କଷ୍ଟ ହେବ ନାହିଁ ଯେ ଏ ବୃତ୍ତିକୁ ବାସ୍ତବରେ ପୁରୁଷାର୍ଥ ବୃତ୍ତି ବା ପରାକ୍ରମ ବୃତ୍ତି କହିବା ଉଚିତ । ଏ ଭଳି ନାମକରଣ ମଧ୍ୟ ଚଳିଲାଣି ।

 

ଜଣେ ନବ୍ୟ ଫ୍ରୟେଡ଼ପନ୍ଥୀ ବୈଜ୍ଞାନିକ ଏରିକ୍‌ ଫ୍ରମ (Erich Fromm) ୧. ଏହାକୁ ଶ୍ରେଷ୍ଠତ୍ୱ ଲାଭର ଆକାଂକ୍ଷା (The urge of transcendence) କହିଛନ୍ତି । ତାଙ୍କ ମତରେ ଏ ଦୁନିଆରେ ଜନ୍ମ ଓ ମୃତ୍ୟୁର ସମକ୍ଷରେ ମଣିଷର ଯେ ଅସହାୟତା ସେଇଥିରୁ ତାର ଏ ଆକାଂକ୍ଷାର ଉଦ୍ଭବ । ମଣିଷ ତାର ନିଜ ଇଚ୍ଛାରେ ବା ଜ୍ଞାନ ଅନୁସାରେ ଜନ୍ମ ହୁଏ ନାହିଁ ଓ ମରିବା ବେଳେ ମଧ୍ୟ ସେହିପରି ନିଜ ଇଚ୍ଛା ଅନିଚ୍ଛା ବା କର୍ତ୍ତବ୍ୟର ପ୍ରଶ୍ନ ନ ଥାଏ । ଏହି ଅସହାୟତାକୁ ଅତିକ୍ରମ କରି ମଣିଷ ନିଜକୁ ସ୍ରଷ୍ଟାରୂପେ, ପ୍ରକୃତି ଉପରେ ବଳୀୟାନ ବିଜୟୀ ରୂପେ, ଦେଖିବାକୁ ଚାହେଁ । ଏଥିପାଇଁ ସେ ମାଟିରେ ଫସଲ ଫଳାଇ, ବନ୍ଧ ବାନ୍ଧି, ବା ଯନ୍ତ୍ର ଗଢ଼ି, ଶିଳ୍ପ ସାମଗ୍ରୀ ଉତ୍ପାଦନ କରି ବା ଜ୍ଞାନବିଜ୍ଞାନର ସାଧନ କରି, ରୋଗ, ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ି ବା ଚନ୍ଦ୍ରରେ ପହଞ୍ଚିବା ଉଦ୍ୟମ କରି, ପାରିପାର୍ଶିକ ପରିସ୍ଥିତି ଉପରେ ନିଜର ଶ୍ରେଷ୍ଠତ୍ୱର ନିଦର୍ଶନ ଦେଇପାରେ । ଏହିଭଳି ଭାବରେ ସେ ଉତ୍ପାଦନ ବା ସୃଷ୍ଟି କରିଥିବା ବସ୍ତୁକୁ ସେ ଅନ୍ୟକୁ ଦାନ କରି ଆତ୍ମପ୍ରସାଦ ଅନୁଭବ କରେ ।

 

*The Sane Society-Erich Fromm.

 

ମାତ୍ର ମଣିଷ ଯେମିତି ସୃଷ୍ଟିରେ ସେମିତି ଧ୍ୱଂସରେ ମଧ୍ୟ ନିଜର ଶ୍ରେଷ୍ଠତ୍ୱ ଦେଖାଇ ପାରେ । ହଜାର ହଜାର ଲୋକଙ୍କର ଜୀବନ ନେଇ ନିଜକୁ ବଳୀୟାନ ବୋଲି ଜାହିର କରିପାରେ । ତାର ଚରିତ୍ର ବିକୃତଗ୍ରସ୍ତ ହେଲେ, ପ୍ରେମ ପରିବର୍ତ୍ତେ ଦ୍ୱେଷ ତାର ହୃଦୟକୁ ଅଧିକାର କଲେ, ସେ ଏଭଳି ବାଟ ଧରିପାରେ । ଚେଙ୍ଗିଜ୍‌ ଖାଁ, ତୈମୁର, ହିଟଲର୍‌ ଏହିଭଳି ବ୍ୟକ୍ତିତ୍ୱର ନମୁନା । ବ୍ୟକ୍ତିର ହୃଦୟରେ ଏ ଦ୍ୱେଷ କିଭଳି ଭାବରେ ଉତ୍ପନ୍ନ ଓ ପୁଞ୍ଜିଭୂତ ହୁଏ ତାହାର କିଛି ଆଲୋଚନା ପୂର୍ବରୁ କରାଯାଇଛି । ସାରକଥା, ଖଜୁରୀ ରସରୁ ଯେଭଳି ଉଭୟ ଉତ୍କୃଷ୍ଟ ଗୁଡ଼ି ଓ ଜଘନ୍ୟ ତାଡ଼ି ତିଆରି ହୋଇପାରେ, ସେହିପରି ମଣିଷର ମୂଳ ସ୍ୱଭାବ ସୃଷ୍ଟି ବା ଧ୍ୱଂସର ବାଟ ପରିସ୍ଥିତି ଅନୁସାରେ ଧରିପାରେ ।

 

ହିଂସାର ଆଉ ଏକ କାରଣ ଅଜ୍ଞତାଜନିତ ଭୟ । ନରବଳିଠାରୁ ଆରମ୍ଭ କରି ଛାଗବଳି ଯାଏ ଓ ସାନପିଲାଙ୍କଠାରୁ ଅପରାଧୀ ଯାଏ ସମାଜର ବ୍ୟବହାରରେ ଏଭଳି ବହୁ କ୍ରୂରତା ଓ ଅତ୍ୟାଚାର ରହିଛି ଯାହା ଲୋକେ କେବଳ ପ୍ରାଣଭୟରେ କରି ଯାଉଛନ୍ତି । ସୃଷ୍ଟି ବିଷୟରେ ଏକ ଅତି ଭ୍ରାନ୍ତ କଳ୍ପନା, ଯେ ଏହା ମୂଳରେ ଏକ ଭୟଙ୍କର ଶକ୍ତି; ଏକ ଦେବତା ବା ଠାକୁରାଣୀ ଅଛି ଯାହାକୁ ସନ୍ତୁଷ୍ଟ ନ କରି ପାରିଲେ ସେ ଆମର ଘୋର ଅନିଷ୍ଟ କରିବେ, ତାକୁ ଗୋଟାଏ ମଣିଷ, ଗୋଟାଏ ପୋଢ଼ ବା ଗୋଟାଏ ଛେଳି ନ ଦେଲେ ସେ ଶହଶହଙ୍କୁ ମାରିଦେବ, ଏହିଥିରୁ ହିଁ ବଳି ପ୍ରଥାର ଜନ୍ମ । ସୃଷ୍ଟି ପ୍ରତି ଏ ଆତଙ୍କ ଯେ କିପରି ସର୍ବଗ୍ରାସୀ ଓ ସର୍ବନାଶୀ ଥିଲା ତାହା ଆମେ ନିଉଟନ୍‌, ଗାଲିଲିଓ, ପାସ୍ତର୍‌, ଲିଷ୍ଟର, ଫ୍ରୟେଡ଼, ୟୁଙ୍ଗଙ୍କ ପରିବର୍ତ୍ତୀ ଯୁଗରେ ବସି କଳ୍ପନା କରିପାରିବା ନାହିଁ । ଏହାର କିଛି କିଛି ନମୁନା ସୁଦୂର ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳିବ ।

 

ସାନପିଲାଙ୍କୁ ମାରଧର କରି ଜବତ ନ କଲେ ସେ କଣ ମାନେ କଣ ହୋଇଯିବ ଏହି ଭୟରେ ଦୁନିଆରେ ସାନ ପିଲାଙ୍କ ପ୍ରତି ଜଘନ୍ୟ କ୍ରୂରତା ହୋଇଛି ଓ ହେଉଛି ଓ ଅପରାଧୀକୁ କଠୋର ଭାବରେ ଦମନ ନ କଲେ ସାରା ସମାଜର ବ୍ୟବସ୍ଥା ଧୂଳିସାତ୍‌ ହୋଇଯିବ, ଏହି ଭୟ ରହିଛି ଦଣ୍ଡର ନୃଶଂସତା ମୂଳରେ । ନବଲବ୍‌ଧ ଜ୍ଞାନ ଏସବୁ କ୍ଷେତ୍ରରେ ଯେଉଁ ବିପ୍ଳବ ଆଣି ଦେଉଛି ତାର ଆଲୋଚନା ଆଗକୁ କରାଯିବ ।

Image

 

(ବାର)

ଶିଶୁଶିକ୍ଷା ଓ ପ୍ରେମର ମହତ୍ତ୍ୱ

 

ଆଧୁନିକ ମନୋବିଜ୍ଞାନର ସବୁଠାରୁ ଅଧିକ ଓ ବୈପ୍ଳବିକ ପ୍ରଭାବ ପଡ଼ିଛି ଶିଶୁ ପାଳନ ଓ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ । ପୂର୍ବରୁ କି ପ୍ରାଚ୍ୟରେ କି ପାଶ୍ଚାତ୍ୟରେ ସେହି ଏକା ନୀତି ଥିଲା–‘‘ଲାଳୟେତ୍‌ ପଞ୍ଚବର୍ଷାଣି, ଦଶ ବର୍ଷାଣି ତାଡ଼ୟେତ୍‌’’ ‘‘Spare the rob and spoil the child.’’ ମାଟିବଂଶ ଅବଧାନ ବା ସେମାନଙ୍କର ପର୍ଯ୍ୟାୟ ଥିଲେ ସର୍ବତ୍ର ପ୍ରବଳ । ବିଚାର ଥିଲା ସିଧା ଓ ସରଳ । ମଣିଷ ଜନ୍ମ ହୋଇଥାଏ ପଶୁତ୍ୱ ନେଇ । ତା ଭିତରୁ ସେ ପଶୁତ୍ୱକୁ ବାଡ଼େଇ ପିଟି ବାହାର କରିଦେଲେ ଯାଇ ସେ ସାନ ମଣିଷ ହେବ । ଜଣେ ଧର୍ମପରାୟଣ ପାଦ୍ରିଙ୍କର ଉକ୍ତି ଅଛି ଯେ ସାନ ପିଲା ହେଲା ‘‘a little viper in the eyes of God’’ ଭଗବାନଙ୍କ ଦୃଷ୍ଟିରେ ଏକ କ୍ଷୁଦ୍ର ବିଷଧର ସାପ । ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ସାନପିଲାଙ୍କୁ ଶାସ୍ତି ଦେବାପାଇଁ ‘ସଭ୍ୟ’ ୟୁରୋପରେ ଯେତେ ପ୍ରକାର ଉପାୟ ଖଞ୍ଜା ଯାଉଥିଲା ତାର ବର୍ଣ୍ଣନା କରି ଜଣେ ଏକ ବହି ଲେଖିଛନ୍ତି । ସେସବୁ ପଢ଼ିଲେ ଆଖି ଖୋସି ହୋଇଯିବ ।

 

ଏବେ ସଭ୍ୟ ଜଗତରେ ପୁଞ୍ଜିବାଦୀ ଆମେରିକାଠୁଁ ସାମ୍ୟବାଦୀ ରୁଷ୍‍ ଯାଏ ସର୍ବତ୍ର ଏ ପନ୍ଥା ଏକଦମ୍‌ ବଦଳି ଗଲାଣି । ପୁରୁଣା ନୀତି ଥିଲା ପିଲାମାନଙ୍କର ଜିଦି ଭାଙ୍ଗି ଦେବା, ସେମାନଙ୍କ ଉପରେ ବାପମାଙ୍କର ଇଚ୍ଛା ଓ ସମାଜର କଟକଣା ଚପେଇ ସେମାନଙ୍କୁ ତାହା ମାନିବାକୁ ବାଧ୍ୟ କରିବା । ଏଥିରେ ଦଣ୍ଡ ସାଙ୍ଗକୁ ଭୟ ଥିଲା ପ୍ରଧାନ ଅସ୍ତ୍ର ।

 

ଶିଶୁର ମାନସିକ ରଚନା ଉପରେ ପୁରୁଣା ପଦ୍ଧତିର କି କୁପରିଣାମ ହେଉଛି ତାହାର ପ୍ରମାଣ ମାନସିକ ରୋଗର ଚିକିତ୍ସା କ୍ରମରେ ମିଳିବାକୁ ଲାଗିଲା ଓ ଯେତିକି ଯେତିକି ଏସବୁ ପ୍ରମାଣ ଜମା ହୋଇ ଚାଲିଲା ସେତିକି ସେତିକି ପୁରୁଣା ପଦ୍ଧତି ଅରିତ୍ୟକ୍ତ ହେବାକୁ ଲାଗିଲା ।

 

ଏ କ୍ଷେତ୍ରରେ ମଧ୍ୟ ଫ୍ରୟେଡ଼ଙ୍କ ଉଦ୍‌ଘାଟିତ ଜ୍ଞାନବିଭାବର ପ୍ରଭାବ ସବୁଠାରୁ ଅଧିକ ରହିଛି ବୋଲି କୁହାଯାଇପାରେ । ଡରେଇବା, ମାରିବା, ଧମକେଇବା ଆଦି ଦ୍ୱାରା ପିଲାର ଚରିତ୍ର ଓ ବ୍ୟକ୍ତିତ୍ୱରେ ନାନା ବିକୃତି ଦେଖା ଦିଏ, ଏକଥା ଫ୍ରୟେଡ଼ଙ୍କ ଗବେଷଣା ଦ୍ୱାରା ପ୍ରକଟ ହେବା ପରେ ୟୁରୋପ ଓ ଆମେରିକାର ଶିକ୍ଷିତ ମହଲରେ ଶିଶୁପାଳନ ଓ ଶିକ୍ଷାର ରୂପ ବଦଳିଯିବାକୁ ଲାଗିଲା । ଫ୍ରୟେଡ଼ଙ୍କ ପୂର୍ବରୁ ରୁସୋ, ପେସ୍ତାଲୋଜୀ ଆଦି ଓ ତାଙ୍କର ସମସାମୟିକ ମାରିଆ ମନ୍ତେସରୀ, ଡିଉଇସ ଆଦି ଶିକ୍ଷାର ଯେଉଁ ନୂଆ ଆଦର୍ଶ ଓ ନୂଆ ପଦ୍ଧତି ସମୂହର ପରିକଳ୍ପନା ଓ ପ୍ରୟୋଗ ଆରମ୍ଭ କରିଥିଲେ ସେ ସବୁର ପ୍ରସାର ମଧ୍ୟ ଘଟିବାକୁ ଲାଗିଲା ଓ ଦୁନିଆରେ ଏ ଦିଗରେ ଅସଂଖ୍ୟ ନୂଆ ପ୍ରୟୋଗ ମଧ୍ୟ ଆରମ୍ଭ ହେଲା । ଭାରତରେ ଗାନ୍ଧିଜୀଙ୍କର ମୌଳିକ ଶିକ୍ଷାର ପ୍ରୟୋଗ ମଧ୍ୟ ଏହି ପର୍ଯ୍ୟାୟର ।

 

ପୂର୍ବ ଯୁଗର ଅନେକ ଶିକ୍ଷାବିତ୍‌, ରୁସୋ ଆଦିଙ୍କ ଭଳି, ଆଦର୍ଶ ଦୃଷ୍ଟିରୁ ଶିଶୁ ଓ ବାଳକଙ୍କର ସ୍ୱାଧୀନତା ଓ ସୃଜନଶୀଳତାର ବିକାଶ ଉପରେ ତଥା ସେମାନଙ୍କ ସହିତ ବ୍ୟବହାରରେ ସ୍ନେହ ଓ ଧୈର୍ଯ୍ୟ ଉପରେ ଖୁବ୍‌ ଜୋର ଦେଉଥିଲେ । ମାତ୍ର ଏଭଳି ଦୃଷ୍ଟିକୋଣ ସପକ୍ଷରେ ବୈଜ୍ଞାନିକ ସାକ୍ଷ୍ୟର ସମର୍ଥନ ବିଶେଷ କିଛି ନଥିଲା । ଫ୍ରୟେଡ଼ଙ୍କ ଦ୍ୱାରା କଠୋରତା ଓ ଦମନର ଦୁଷ୍ଟ ପରିମାଣ ଦୃଷ୍ଟିକୁ ଆସିଲା । ଏହାପରେ କ୍ରମେ ସ୍ନେହ ଓ ପ୍ରେମର ମହତ୍ତ୍ୱ ଉପରେ ଯଥେଷ୍ଟ ବୈଜ୍ଞାନିକ ତଥ୍ୟ ଏକତ୍ର ହେଲାଣି । ବ୍ୟକ୍ତିତ୍ୱର ସୁଷମ ବିକାଶ ପାଇଁ ସ୍ନେହ ମମତା ଯେ ଏକାନ୍ତ ଆବଶ୍ୟକ ଏହା ଏବେ ମନୋବିଜ୍ଞାନ କ୍ଷେତ୍ରରେ ସର୍ବବାଦୀ ସମ୍ମତ ରୂପେ ସ୍ୱୀକୃତ ହୋଇସାରିଲାଣି ବୋଲି କହିଲେ ଚଳେ ।

 

ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କ ଜୀବନରେ ସ୍ନେହପୂର୍ଣ୍ଣ ବ୍ୟବହାରର ଗୁରୁତ୍ୱ ବିଷୟରେ କେତେକ ଏପରି ତଥ୍ୟ ଏକତ୍ର ହୋଇଛି ଯାହା ଆମ ମନରେ ବିସ୍ମୟ ସୃଷ୍ଟି କରିବ ।

 

ଗତ ଶତାବ୍ଦୀରେ ୟୁରୋପରେ ମାରାସ୍‌ମସ୍‌ ନାମକ ଏକ ଶିଶୁ ରୋଗର ବିଶେଷ ପ୍ରାଦୁର୍ଭାବ ଥିଲା । ବେଶ ଭଲ ଅବସ୍ଥାପନ୍ନ ଘରର ଶିଶୁ ସନ୍ତାନ, ଯେଉଁମାନଙ୍କର ଖାଇବା ପିଇବା ଓ ଅନ୍ୟ ଶାରୀରିକ ଆରାମ ଆୟସରେ କୌଣସି ତ୍ରୁଟି ନ ଥାଏ, ସେମାନେ ଏ ରୋଗରେ ଆକ୍ରାନ୍ତ ହେଉଥିଲେ । ସେମାନଙ୍କର ଦେହରେ ଲାଗୁ ନଥିଲା, ସେମାନେ ଶୁଖି ଶୁଖି ଯାଉଥିଲେ ଓ କ୍ରମେ ମରି ଯାଉଥିଲେ । ସେମାନଙ୍କ ଦେହରେ ରୋଗର କୌଣସି ପ୍ରକଟ ଲକ୍ଷଣ ଦେଖିବାକୁ ମିଳୁ ନ ଥିଲା । ହାସପାତାଳ ମାନଙ୍କରେ ମଧ୍ୟ ଏ ରୋଗର ପ୍ରାଦୁର୍ଭାବ ଥିଲା ।

 

ଦେଖାଗଲା ଯେ ଗରିବ ଲୋକଙ୍କ ଘରେ ଏ ରୋଗ ପ୍ରାୟ ଦେଖାଯାଉ ନାହିଁ । ସେଠି ଖାଦ୍ୟର ଅଭାବ ଅଛି, ପରିଚ୍ଛନ୍ନତାର ଅଭାବ ଅଛି, ଅଥଚ ଏ ରୋଗ ନାହିଁ । କ୍ରମେ ଧରା ପଡ଼ିଲା ଯେ ଶିଶୁ ପ୍ରତି ଯଥେଷ୍ଟ ସ୍ନେହ ଓ ଆଦରପୂର୍ଣ୍ଣ ବ୍ୟବହାର ଅଭାବ ହିଁ ଏ ରୋଗରେ ଏକମାତ୍ର କାରଣ । ୟୁରୋପର ଧନୀ ଲୋକଙ୍କ ଘରେ ପିଲା ମଣିଷ କରିବାର ଦାୟିତ୍ୱ ଚାକରବାକରଙ୍କ ଉପରେ ଥାଏ । ବାପାମା ବା ଅନ୍ୟ ବୟସ୍କ ଆତ୍ମୀୟ ସ୍ୱଜନଙ୍କ ସଂସ୍ପର୍ଶରେ ସେମାନେ ଖୁବ୍‌ କମ୍‌ ଆସନ୍ତି । ପାରିବାରିକ ଜୀବନର ସ୍ୱାଭାବିକ ସ୍ନେହ ମମତାପୂର୍ଣ୍ଣ ସମ୍ପର୍କ ସେମାନଙ୍କ ପକ୍ଷରେ ଦୁର୍ଲଭ ହୋଇଥାଏ । ଏହି ସ୍ନେହ ସ୍ପର୍ଶର ଅଭାବରେ ସେମାନେ ମଉଳି ଝଡ଼ି ପଡ଼ନ୍ତି । ଶିଶୁ ହାସପାତାଳ ମାନଙ୍କରେ ମଧ୍ୟ ରୋଗୀର ଚିକିତ୍ସା ସିନା କରାଯାଏ କିନ୍ତୁ ତାକୁ ତାହାରି ସ୍ନେହ ସ୍ପର୍ଶ ମିଳେ ନାହିଁ । ରୋଗର ଏ କାରଣ ଅନୁମିତ ହେବା ପରେ ହାସପାତାଳମାନଙ୍କରେ ଶିଶୁରୋଗୀମାନଙ୍କୁ ଦିନକୁ ଦୁଇଥର କିଛି ସମୟ ପାଇଁ କୋଳରେ ଧରି ଗେଲ କରିବାର ବ୍ୟବସ୍ଥା କରାହେଲା ଏବଂ ରୋଗର ମଧ୍ୟ ସାଙ୍ଗେ ସାଙ୍ଗେ ଆଶ୍ଚର୍ଯ୍ୟଜନକ ଭାବେ ଉପଶମ ହେବାକୁ ଲାଗିଲା ।

 

ଆମେରିକାର ଯୁକ୍ତରାଷ୍ଟ୍ରର ଏକ ଗବେଷଣାଗାରରେ କେତେ ଶହ ମୂଷାଙ୍କର ଥାଇରଏଡ଼୍‌ ଗ୍ରନ୍ଥି କାଟି ବାଦ ଦେବାର ଏକ ପରୀକ୍ଷା କରାଯାଉଥିଲା । ଏ ମୂଷାଙ୍କୁ ଦୁଇ ଭାଗରେ ବାଣ୍ଟି ଅଲଗା ଅଲଗା ରଖାହେଲା ଓ ରହିବା ବ୍ୟବସ୍ଥା ଖାଦ୍ୟ ଆଦି ସମସ୍ତ ଏକଦମ ସମାନ ରଖା ହେଲା । କିନ୍ତୁ ଦୁଇଦଳ ଭିତରେ ଏତକ ପାର୍ଥକ୍ୟ କରାହେଲା ଯେ ଗୋଟିଏ ଦଳର ପ୍ରତ୍ୟେକଟି ମୂଷାକୁ ପ୍ରତିଦିନ କିଛି ସମୟ ପାଇଁ ଆଉଁଷା ଆଉଁଷି କରିବାର ବ୍ୟବସ୍ଥା କରାଗଲା, ମାତ୍ର ଅନ୍ୟ ଦଳଟିକୁ ସେପରି କରାଗଲା ନାହିଁ । ଦେଖାଗଲା ଯେ ହାତ ଆଉଁଷା ଦଳଟିର ହାରାହାରି ଓଜନ ଅନ୍ୟ ଦଳ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବଢ଼ିଲା ଓ ସେମାନଙ୍କ ସାଧାରଣ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଲା । ପୁଣି ଏମାନଙ୍କ ଉପରେ ଅସ୍ତ୍ରୋପଚାର କରାଯିବା ପରେ ହାତଆଉଁଷା ଦଳଟିର ପ୍ରାୟ ୭୮% ବଞ୍ଚି ରହିଲେ, ମାତ୍ର ଅନ୍ୟ ଦଳଟିର ମାତ୍ର ୨୦% ଯାଏ ବଞ୍ଚିଲେ, ଅନ୍ୟ ସବୁଯାକ ମରିଗଲେ ।

 

ଗତ ଅଧ୍ୟାୟରେ ଆମେ ଦେଖିଛୁ ଯେ ପିଲାବେଳେ ମଣିଷ ତାର ଅନ୍ତରର ଭାବ ପ୍ରକାଶ କରିବାରେ ବରାବର ବାଧା ପାଇଲେ ତା ମନରେ ବିକୃତି ଆସେ ଓ ଦ୍ୱେଷର ମଞ୍ଜି ରୋପା ହୁଏ । ଏ ଅବସ୍ଥା ସୃଷ୍ଟି କରିବାରେ ସ୍ନେହ ମମତା ଓ ଆଦରର ଅଭାବର ଅନୁଭୂତିର ମଧ୍ୟ ଖୁବ୍‌ ହାତ ଥାଏ । ପିଲା ଯେତେବେଳେ ଅନୁଭବ କରେ ଯେ ତାକୁ କେହି ଭଲ ପାଉ ନାହାନ୍ତି, ତା କଥା କେହି ସହାନୁଭୂତିର ସହ ବିଚାର କରୁନାହାନ୍ତି, ତାହା ସହିତ ପାତର ଅନ୍ତର ବ୍ୟବହାର କରାଯାଉଛି, ସେତେବେଳେ ତାର ମନ ଭାଙ୍ଗି ଯିବାକୁ ଓ ବିକୃତ ହେବାକୁ ଆରମ୍ଭ କରେ । ସେ ନିଜକୁ ଆଘାତରୁ ବଞ୍ଚାଇବା ପାଇଁ ଜାଣି ଏକ ଟାଣ ଖୋଳପା ଭିତରେ ପଶିଯାଏ । ଅନ୍ୟମାନଙ୍କ ସହିତ ସମ୍ପର୍କ ଯଥାସମ୍ଭବ କମ୍‌ କରିଦିଏ । ରୁକ୍ଷ ଆଚରଣ କରେ ଇତ୍ୟାଦି । ଏଇଥିରୁ ବଢ଼ି ବଢ଼ି ବିକୃତି ଗୁରୁତର ରୂପ ଧାରଣ କରିପାରେ ।

 

ଏଭଳି ସ୍ନେହ ମମତାର ଅଭାବରେ ପିଲାଙ୍କର ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୁଏ ବୋଲି ଯଥେଷ୍ଟ ପ୍ରମାଣ ରହିଛି । ଏଥିଯୋଗୁଁ ଅନେକ ବାଳକ ବାଳିକା ଏକାବେଳକେ ଜଡ଼ ପାଲଟି ଯାଇଥିବାର ଘଟଣା ମଧ୍ୟ ଲିପିବଦ୍ଧ ହୋଇରହିଛି । ଅନେକ ପ୍ରକାରର ଅପରାଧମୂଳକ ଆଚରଣ ପଛରେ ମଧ୍ୟ ସ୍ନେହ ମମତାର ଅଭାବ ଥାଏ । କେତେକ ପ୍ରକାରର ଚୋରୀ ଗୁଣ୍ଡାମି ଆଦି ଏହି ପରିସ୍ଥିତିରୁ ଉପୁଜିଥାଏ ବୋଲି ବୈଜ୍ଞାନିକମାନେ କହନ୍ତି । ଆବ୍ରାହାମସେନ୍‌ଙ୍କ ବର୍ଣ୍ଣିତ ଗୋଟାଏ ଉଦାହରଣ ଏଠି ନିଆ ଯାଇପାରେ । ଗୋଟିଏ ଯୁବକ ମଟରଗାଡ଼ି ଚୋରୀ କରୁଥିଲା । ସେ ଗାଡ଼ି ନେଇ ବହୁ ଦୂରକୁ ଚାଲିଯାଏ ଓ ସେଠି ତାକୁ ଛାଡ଼ି ଦେଇ ବା ବିକି ଦେଇ ପୁଣି ଅନ୍ୟଗାଡ଼ି ନେଇ ପଳାଏ । ସେ ପିଲାଦିନେ ଅନାଥାଶ୍ରମରେ ମଣିଷ ହୋଇଥିଲା, ତାର ମା’କୁ କେବେ ଦେଖି ନ ଥିଲା କି ସ୍ନେହ ପାଇ ନ ଥିଲା । ମା’ ପାଇଁ ତାର ମନ ପ୍ରଥମେ ବ୍ୟାକୁଳ ହେଉଥିଲା, ମାତ୍ର କ୍ରମେ ସେ ମା’କୁ ‘ଭୁଲିଗଲା’ । ତାର ମାନସିକ ବିଶ୍ଳେଷଣ କରାଯାଇଥିଲା । ଏହାଦ୍ୱାରା ଯେତେବେଳେ ତାର ପୂର୍ବ ସ୍ମୃତି ଫେରି ଆସିଲା ସେ ବୁଝି ପାରିଲା ଯେ ମଟର ଚୋରୀ ପଛରେ ତାର ମା’କୁ ଖୋଜିବାର ଓ ତାର ମା’କୁ ତା’ଠାରୁ ନେଇଯିବା ଯୋଗେ ଅନ୍ୟମାନଙ୍କ ଉପରେ ପ୍ରତିଶୋଧ ନେବାର ଅଚେତନ ପ୍ରେରଣା ରହିଛି । ମଟର ଧରି ଜାଣି ସେ ମା’କୁ ଖୋଜିଯାଏ । ନିଜର ଅଚେତନ ମନର ଏ ଖେଳ ଜାଣି ପାରିବା ପରେ ସେ ନିଜକୁ ସଂଶୋଧନ କରିବାକୁ ସମର୍ଥ ହୋଇଥିଲା ।

 

ଏହି ସଂକ୍ରାନ୍ତରେ ମନୋବିଜ୍ଞାନର ଏକ ଚିତ୍ତାକର୍ଷକ ତଥ୍ୟ ଏଠି ବାଢ଼ିବା ପ୍ରାସଙ୍ଗିକ ହେବ । ପ୍ରଚଳିତ ଧାରଣା ହେଉଛି ଯେ ଶିଶୁ ଓ ବାଳକକୁ ଜୋର କରି ନିସ୍ୱାର୍ଥପରତା, ସେବାଭାବ ଆଦି ଶିଖାଇଲେ ଯାଇ ତାହାର ସେ ସଦ୍‍ଗୁଣ ଅଭ୍ୟାସରେ ପଡ଼ିବ । ମାତ୍ର ମନୋବିଜ୍ଞାନ ଓଲଟା କଥା କହେ । ଶୈଶବ ଓ ବାଲ୍ୟ କାଳରେ ଯଦି ପିଲାର ସ୍ନେହର ଆବଶ୍ୟକତା, ଶାରିରୀକ ସ୍ୱାଚ୍ଛନ୍ଦ୍ୟ, ଖାଦ୍ୟପେୟ ଆଦି ପ୍ରତି ପୂରା ଦୃଷ୍ଟି ଦିଆଯାଇ ତାର ଆପାତଃ ‘ସ୍ୱାର୍ଥପରତା’କୁ ସନ୍ତୁଷ୍ଟ କରାଯାଏ ତେବେ ତାହା ଭିତରେ ବୟସ ସଙ୍ଗେ ସଙ୍ଗେ ଅନ୍ୟ ପ୍ରତି ଚିନ୍ତା ଓ ସେବାଭାବର ଉଦ୍ରେକ ହୁଏ । ଶୈଶବ ବା ବାଲ୍ୟକାଳରୁ ନିଃସ୍ୱାର୍ଥପରତା ଶିଖାଇ ବସିଲେ ଓଲଟା ତାର ମନ ସଙ୍କୁଚିତ ହୋଇଯାଏ । ମାର୍ଗାରେଟ ମୀଡ୍‌ଙ୍କ ଦ୍ୱାରା କରାଯାଇଥିବା ଆରାପେଶ ଓ ମୁଣ୍ଡୁଗୁମୁର ଗୋଷ୍ଠୀଙ୍କ ଅଧ୍ୟୟନର କେତେକ ଆଲୋଚନା ପୂର୍ବରୁ କରାଯାଇଛି । ଆରାପେକ୍ଷ ଗୋଷ୍ଠୀର ପିଲାମାନଙ୍କୁ ସାଧାରଣତଃ ଖୁବ୍‌ ସ୍ନେହ ଓ ଧୈର୍ଯ୍ୟର ସହ ମଣିଷ କରାଯାଏ । ମୁଣ୍ଡୁଗୁମୁର ଜାତିର ପିଲାମାନଙ୍କ ସହ କର୍କଶ ଓ କଠୋର ବ୍ୟବହାର କରାଯାଏ । ପିଲା ମଣିଷ କରିବାର ଏ ରୀତି ସହିତ ଗୋଷ୍ଠୀମାନଙ୍କର ସାଧାରଣ ସମ୍ପର୍କ ରହିଛି ବୋଲି ମୀଡ୍‌ ସାବ୍ୟସ୍ତ କରିଛନ୍ତି ।

 

ସାରକଥା ହେଲା ଯେ ପିଲାମାନଙ୍କ ସହିତ ଯଦି ସ୍ନେହପୂର୍ଣ୍ଣ ବ୍ୟବହାର କରାଯାଏ, କଠୋରତା ଓ ଦଣ୍ଡ ସମ୍ପର୍ଣ୍ଣରୂପେ ବର୍ଜନ କରାଯାଏ, ଭୟକୁ ଶିକ୍ଷା ଓ ଅନୁଶାସନର ଅସ୍ତ୍ରରୂପେ ବ୍ୟବହାର ନ କରାଯାଏ ତେବେ ସେମାନଙ୍କ ଭିତରେ ଉଦାର ଓ ସମାଜନୁକୂଳ ଗୁଣାବଳୀର ବିକାଶ ହୁଏ । ସେମାନଙ୍କର ସୃଜନଶୀଳତା ବଢ଼େ । ସେମାନେ ସହଯୋଗ ମନୋଭାବାପନ୍ନ ହୁଅନ୍ତି । ସେମାନଙ୍କର ହୃଦୟ ସଙ୍କୁଚିତ ହୁଏନାହିଁ ଓ ପରପାଇଁ ଚିନ୍ତା ଓ ତ୍ୟାଗ କରିବାକୁ ସେମାନେ ଅଧିକ ସକ୍ଷମ ହୁଅନ୍ତି । ସ୍ନେହ ମମତା ଅଭାବରେ ଯେପରି ମାନସିକ ବିକୃତି ଘଟେ ସେହିପରି ମାନସିକ ବିକୃତି ଓ ଅସାମାଜିକ ଆଚରଣକୁ ଆରୋଗ୍ୟ କରିବା ପାଇଁ ମଧ୍ୟ ସ୍ନେହ ମମତାକୁ କାମରେ ଲାଗାଇବାକୁ ହୁଏ । ଏହାର କେତେକ ଦୃଷ୍ଟାନ୍ତ ଆଗକୁ ଆଲୋଚନା କରାଯାଇଛି ।

 

ଏବେ ଆମେରିକାରେ ଏକ ଚିତ୍ତାକର୍ଷକ ବାଦାନୁବାଦ ଚାଲିଛି । ଦୁନିଆର ଅନ୍ୟାନ୍ୟ ଦେଶ ସହିତ ସେଠି ମଧ୍ୟ ଛାତ୍ର ସମ୍ପ୍ରଦାୟ ଭିତରେ ଏକ ବିଦ୍ରୋହର ମନୋଭାବ ଦେଖା ଦେଇଛି । ସେଠି ଏ ବିଦ୍ରୋହ ପ୍ରଧାନତଃ ପ୍ରଚଳିତ ସମାଜ ବ୍ୟବସ୍ଥା ଓ ରାଜନୀତିର ଦୋଷତ୍ରୁଟିର ବିରୋଧିତାରେ ପ୍ରକାଶ ପାଉଛି । ଭିଏତ୍‌ନାମରେ ଆମେରିକାର ଅନ୍ୟାୟ ଯୁଦ୍ଧ ବିରୋଧରେ, ନିଗ୍ରୋମାନଙ୍କୁ ସମାନ ନାଗରିକ ଅଧିକାରରୁ ବଞ୍ଚିତ କରିବା ବିରୋଧରେ; ପୁଞ୍ଜିବାଦୀ ସଭ୍ୟତାର ବସ୍ତୁ ତାନ୍ତ୍ରିକତା ବିରୋଧରେ ଓ ଏହିପରି ଅନ୍ୟାନ୍ୟ ସମସ୍ୟା ନେଇ ଏ ବିଦ୍ରୋହ ପ୍ରକାଶ ପାଉଛି । ଯେଉଁମାନେ ଏ ବିଦ୍ରୋହକୁ ଉଚ୍ଛୃଙ୍ଖଳତା ବୋଲି ମନେ କରୁଛନ୍ତି, ଯେଉଁମାନେ ଭିଏତ୍‌ନାନ ଯୁଦ୍ଧର ସମର୍ଥକ, ନିଗ୍ରୋମାନଙ୍କୁ ସମାନ ଅଧିକାର ଦେବାକୁ କୁଣ୍ଠିତ, ସେମାନେ କହନ୍ତି ଯେ ଏସବୁ ପାଇଁ ଡଃ ସ୍ପକ୍‌ ଦାୟୀ । ଡଃ ସ୍ପକ୍‌ କୋଡ଼ିଏ ବର୍ଷ ତଳେ ଶିଶୁ ପାଳନର ଆଧୁନିକ ପ୍ରଣାଳୀ ଉପରେ ଏକ ଲୋକପ୍ରିୟ ବହି ଲେଖିଥିଲେ । ଏ ବହି ଆମେରିକାରେ ଦୁଇକୋଟିରୁ ବେଶି କଟିଛି ଓ ସାରା ପୃଥିବୀରେ ମଧ୍ୟ ଆଦୃତ ହୋଇଛି । ଏଥିରେ ସେ ପିଲାଙ୍କୁ ସ୍ନେହ ଓ ଧୈର୍ଯ୍ୟର ସହିତ, ଗୁଡ଼ାଏ କଡ଼ାକଡ଼ି ନକରି, ମଣିଷ କରିବା ହିଁ ଶ୍ରେଷ୍ଠ ପନ୍ଥା ବୋଲି ବୁଝାଇଛନ୍ତି । ବିରୋଧୀମାନେ କହନ୍ତି ଯେ ଏହି କଡ଼ାକଡ଼ି ଓ ଭୟର ଶାସନର ଅଭାବ ଯୋଗୁଁ ହିଁ ପିଲାଗୁଡ଼ାକ ଉଚ୍ଛୃଙ୍ଖଳ ହୋଇଗଲେ । ଡଃ ସ୍ପକ୍‌ ଓ ଅନ୍ୟ ଉଦାରବାଦୀମାନେ କହନ୍ତି ଯେ ଏ ପିଢ଼ିର ପିଲାମାନଙ୍କର ଚରିତ୍ର ପୂର୍ବ ପିଢ଼ିମାନଙ୍କ ଅପେକ୍ଷା ଅନେକ ଗୁଣରେ ଭଲ । ସେମାନେ କମ ସ୍ୱାର୍ଥପର, ଅନ୍ୟାୟ ଅନୀତି ସହିବାକୁ କମ ପ୍ରସ୍ତୁତ, ଅଧିକ ଉଦାର ଦୃଷ୍ଟିସମ୍ପନ୍ନ, ସେଥିପାଇଁ ତ ସେମାନେ ଏସବୁ ଆନ୍ଦୋଳନରେ ମାତୁଛନ୍ତି । ଯଦି ସ୍ପକ୍‌ଙ୍କ ଯୋଗୁଁ ଏହା ହୋଇଥାଏ ତେବେ ଏହା ତାଙ୍କ ପକ୍ଷରେ ଦୂଷଣ ନୁହେଁ ଭୂଷଣ । ସିକାଗୋ ଓ ହାରଭାଡ୍‌ ବିଶ୍ୱବିଦ୍ୟାଳର କେତେକ ବୈଜ୍ଞାନିକ ଏ ବିଷୟରେ ଅନୁସନ୍ଧାନ କରି ଦେଖିଛନ୍ତି ଯେ ଭିଏତ୍‌ନାମ ଯୁଦ୍ଧ ବିରୋଧ, ନିଗ୍ରୋ ଅଧିକାର ଓ ସେହିପରି ଅନ୍ୟାନ୍ୟ ପ୍ରଗତିଶୀଳ ଆନ୍ଦୋଳନରେ ଯୋଗ ଦେଉଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ବାପମାଙ୍କଠାରୁ ଅପେକ୍ଷାକୃତ ଅଧିକ କୋମଳ ବ୍ୟବହାର ପାଇଥିଲେ, ଅଧିକ ସ୍ୱାଧୀନତା ପାଇଥିଲେ । ଆନ୍ଦୋଳନରେ ଯୋଗ ଦେଉନଥିବା ଛାତ୍ରଛାତ୍ରୀମାନେ ଅଧିକାଂଶତଃ କଡ଼ା ଶାସନ ଭିତରେ ମଣିଷ ହୋଇଥିଲେ ।

 

ଆମେ ଡଃ ସ୍ପକ୍‍ଙ୍କ ସହିତ ଏକମତ ହେବା । ଆମେରିକାର ଛାତ୍ର ବିଦ୍ରୋହକୁ ନୂଆ ଶିଶୁପାଳନ ପଦ୍ଧତିର ସୁଫଳ ବୋଲି ହିଁ କହିବାକୁ ହେବ ।

 

ଆଜି କେବଳ ଆମେରିକା ନୁହେଁ ପୃଥିବୀର ଅନ୍ୟାନ୍ୟ ଅଧିକାଂଶ ଆଗୁଆ ଦେଶରେ, ପୁଞ୍ଜିବାଦୀ ଓ ସାମ୍ୟବାଦୀ ଉଭୟ ଗୋଷ୍ଠୀରେ ଭୟ ଓ କଠୋରତା ଉପରେ ଆଧାରିତ ଶିଶୁପାଳନ ଓ ଶିକ୍ଷା ପଦ୍ଧତିର ଅବସାନ ଘଟିଲାଣି । କେବଳ ସ୍ପେନ୍‌ ଓ ପର୍ତ୍ତୁଗାଲ ଭଳି ପ୍ରତିକ୍ରିୟାଶୀଳ ଏକଛତ୍ରବାଦୀ ଦେଶମାନଙ୍କରେ ହିଁ ଏ ନୂଆ ହାଓ୍ୟା ବହି ନାହିଁ ।

 

ଶିଶୁପାଳନ ଓ ଶିକ୍ଷା କ୍ଷେତ୍ରରେ ଏ ବୈପ୍ଳବିକ ପରିବର୍ତ୍ତନ ଭିତରେ ଆମେ ମଣିଷର ପ୍ରକୃତି ବିଷୟରେ ଦୃଷ୍ଟିକୋଣର ଏକ ଆମୂଳ ପରିବର୍ତ୍ତନ ଦେଖିବାକୁ ପାଉଛୁ ଏବଂ ସତ୍ୟାଗ୍ରହ ବିଚାରର ମୂଳରେ ମଣିଷ ସ୍ୱଭାବର ଯେଉଁ ଉଦାର ଧାରଣା ରହିଛି ତାହା ସହିତ ଆଧୁନିକ ମନୋବିଜ୍ଞାନର ଗବେଷଣାରୁ ମିଳୁଥିବା ନୂଆ ଦୃଷ୍ଟିକୋଣ ଯଥେଷ୍ଟ ପରିମାଣରେ ଖାପ ଖାଉଛି ବୋଲି ଆମେ ପୂର୍ବ ଦୁଇ ଅଧ୍ୟାୟର ଆଲୋଚନାରୁ ଦେଖିପାରିବା ।

Image

 

(ତେର)

ଅପରାଧୀର ସଂଶୋଧନ

 

ଅତି ଆଦିମ କାଳରୁ ପୃଥିବୀର ପ୍ରାୟ ସମସ୍ତ ପ୍ରଧାନ ସଭ୍ୟତା ଗୁଡ଼ିକରେ ଅପରାଧ ଓ ଅପରାଧୀକୁ ଅତି ଭୟ ଦୃଷ୍ଟିରେ ଦେଖାଯାଇଛି ଓ କଠୋର ଦଣ୍ଡ ହିଁ ତାର ଏକମାତ୍ର ପ୍ରତିବିଧାନ ବୋଲି ଧରି ନିଆଯାଇଛି । ‘‘ପ୍ରାୟ ସମସ୍ତ ପ୍ରଧାନ ସଭ୍ୟତା’’ କୁହାଗଲା କାରଣ ଦୁନିଆରେ ଏଭଳି ବହୁ ସାନ ସାନ ମନୁଷ୍ୟ ଗୋଷ୍ଠୀ ରହିଛନ୍ତି, ଏଭଳି ଅନେକ ଆଦିବାସୀ ସମାଜ ରହିଛି, ଯେଉଁଠି ଅପରାଧ ବିଷୟରେ ଦୃଷ୍ଟି ୟୁରୋପ ଓ ଏସିଆର ପ୍ରଚଳିତ ଅପରାଧ ବିଷୟକ ସାଧାରଣ ଦୁଷ୍ଟିଠାରୁ ଭିନ୍ନ । ମାତ୍ର କି ହିନ୍ଦୁ, କି ମୁସଲମାନ, କି ଖ୍ରୀଷ୍ଟାନ ସବୁ ବୃହତ୍‌ ସଭ୍ୟତାରେ ଏ ବିଷୟରେ ଦୃଷ୍ଟି ପ୍ରାୟ ସମାନ । ଏ ଦେଶର ଅପରାଧୀକୁ ଶୂଳିରେ ବସା ଯାଉଥିଲା । ତାର ହାତ କାଟି ଦିଆ ଯାଉଥିଲା । କାନରେ ଗରମ ପାଣି ଢାଳି ଦିଆ ଯାଉଥିଲା । ମୁଣ୍ଡକାଟ ତ ଅହରହ ଘଟୁଥିଲା । ଇଂଲଣ୍ଡରେ ଏହି ବିଶାଶହେ ବର୍ଷ ତଳେ ବି ଆଠଅଣା ପଇସା ଚୋରି କଲେ ଫାସିଦଣ୍ଡ ମିଳୁଥିଲା । ଧାରଣା ଥିଲା ଯେ ଅତି କଠୋର ଦଣ୍ଡ ନ ଦେଲେ ଲୋକେ ସାଧ୍ୟ ହେବେ ନାହିଁ । ଦଣ୍ଡ ଭୟ ନ ରହିଲେ ଆହୁରି ବେଶି ଲୋକ ଅପରାଧ କରିବେ ।

 

ମାତ୍ର ଅନ୍ୟାନ୍ୟ ସାଧାରଣ ମାନସିକ ବିକୃତିର ମୂଳ କାରଣ ଉଦ୍‌ଘାଟିତ ହେବାକୁ ଲାଗିବା ସଙ୍ଗେ ସଙ୍ଗେ ଅପରାଧ ବିଷୟରେ ମଧ୍ୟ ଦୃଷ୍ଟି ବଦଳିବାକୁ ଲାଗିଲା । ଅପରାଧୀ ମଧ୍ୟ ଆର୍ଥିକ ପରିସ୍ଥିତି ବା ମାନସିକ ବିକୃତିର ଶୀକାର ବୋଲି ବିଚାର ଆରମ୍ଭ ହେଲା । ପ୍ରଚଳିତ ସମାଜର ବ୍ୟବସ୍ଥାର ମୂଳରେ ଥିବା ବିଷମତା ଓ ଶୋଷଣର ବିରୋଧ କରୁଥିବା ଚିନ୍ତୁକମାନେ ସାଧାରଣତଃ ଅପରାଧର କାରଣ ରୂପେ ଦାରିଦ୍ର୍ୟ ଓ ଅଭାବ ପ୍ରତି ସଂକେତ କଲେ । ମନୋବିଜ୍ଞାନୀମାନେ ମାନସିକ ବିକୃତି ଉପରେ ଦୃଷ୍ଟି ଦେଲେ । ଏ ଉଭୟ କାରଣ ବ୍ୟତୀତ ଅନ୍ୟ ଅନେକ କାରଣ ମଧ୍ୟ ଅପରାଧ ପ୍ରବଣତା ମୂଳରେ ରହିଥିବାର ସାବ୍ୟସ୍ତ ହୋଇଛି, ମାତ୍ର ଏ ଦୁଇଟିକୁ ପ୍ରଧାନ ବୋଲି କୁହାଯାଇପାରେ । ଏ ଦୁଇଟି ମଧ୍ୟରେ ପରସ୍ପର ସମ୍ପର୍କ ମଧ୍ୟ ରହିଛି । ଅଭାବରେ ପଡ଼ି ସିଧାସଳଖ ଚୋରି ଆଦି କରିବାକୁ ପ୍ରବୃତ୍ତି ହେବା ତ ଦାରିଦ୍ର୍ୟର ଗୋଟିଏ ପରିଣାମ । ଅନ୍ୟ ପରିଣାମ ହେଲା, ପାରିବାରିକ ପରିସ୍ଥିତି ଓ ପରିପାର୍ଶ୍ଵିକ ପରିସ୍ଥିତି ଦାରିଦ୍ର୍ୟ ଓ ଅପମାନଜନକ ସାମାଜିକ ସ୍ଥିତି ଯୋଗୁଁ ଏଭଳି ଦୂଷିତ ହୋଇଯାଏ ଯେ ତାହା ସୁସ୍ଥ ଓ ସ୍ୱାଭାବିକ ବ୍ୟକ୍ତିତ୍ୱର ବିକାଶରେ ବାଧା ଦିଏ ।

 

ଅପରାଧର କାରଣ ବିଷୟରେ ଏ ନୂଆ ଦୃଷ୍ଟିକୋଣର ପ୍ରସାର ହେବା ସଙ୍ଗେ ସଙ୍ଗେ ଅପରାଧୀ ପ୍ରତି ମନୋଭାବର ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଛି । ଅପରାଧୀକୁ ଭୟ ଓ ଘୃଣା ପରିବର୍ତ୍ତେ ଦୟା ଓ ଅନୁକମ୍ପା ଦୃଷ୍ଟିରେ ଦେଖିବା ଆରମ୍ଭ ହେଲାଣି । ପୂର୍ବକାଳରେ କଠୋର ଓ ଅମାନୁଷିକ ଦଣ୍ଡପ୍ରଥା ବହୁ ପରିମାଣରେ ଲାଘବ ହୋଇଗଲାଣି । ୟୁରୋପର ଅନ୍ୟୂନ ଛବିଶଟି ଦେଶରୁ ପ୍ରାଣଦଣ୍ଡ ଉଠିଗଲାଣି । ଅପରାଧୀକୁ ଦଣ୍ଡ ଦେବା ପରିବର୍ତ୍ତେ ସଂଶୋଧନ କରିବା ଉଦ୍ୟମ ହେଲାଣି । ଏଥିପାଇଁ ଆମେରିକାର ଯୁକ୍ତରାଷ୍ଟ୍ରରେ ଓ ଅନ୍ୟାନ୍ୟ ଦେଶରେ ଜେଲଖାନାମାନଙ୍କରେ ମାନସିକ ରୋଗର ଚିକିତ୍ସକ ମଧ୍ୟ ରେଖା ଗଲେଣି ।

 

କେତେକ ଧରଣର କ୍ରୂର ଓ ପୈଶାଚିକ ଅପରାଧ, ଯାହା ଟଙ୍କା ପଇସା ଲୋଭରେ ବା କୌଣସି ବ୍ୟକ୍ତିଗତ ଆକ୍ରୋଶ ପାଇଁ କରା ହୋଇ ନ ଥାଏ, ସ୍ପଷ୍ଟତଃ ମାନସିକ ବିକୃତି ଯୋଗୁଁ ହିଁ କରାଯାଇ ଥାଏ । ଅଳ୍ପ ଦିନ ତଳେ ଆମେରିକାରେ ଓ ଅନ୍ୟତ୍ର ଏହିଭଳି କେତେକ ଅପରାଧର ଚାଞ୍ଚଲ୍ୟକର ସମ୍ବାଦ ବାହାରିଥିଲା । ଜଣେ ଅଳ୍ପ ବୟସ୍କ ଯୁବକ ଏକ ବିଶ୍ୱବିଦ୍ୟାଳୟର ଏକ ଉଚ୍ଚ ମିନାର ଉପରେ ବନ୍ଧୁକ ଧରି ବସି ତଳେ ବୁଲୁଥିବା ସମ୍ପୂର୍ଣ୍ଣ ଅପରିଚିତ କେତେଜଣ ଲୋକଙ୍କୁ ମାରିଦେଲା । ଆଉ ଜଣେ ନର୍ସମାନଙ୍କର ଏକ ଆବାସରେ ପଶି ଛଅ ଜଣଙ୍କୁ ହତ୍ୟା କଲା । ଏହିଭଳି ଯୌନ ଅପରାଧ ମଧ୍ୟ ମାନସିକ ବିକୃତିର ପରିଣାମ ବୋଲି ସ୍ପଷ୍ଟତଃ ଜଣାପଡ଼େ ।

 

ମାତ୍ର ଏସବୁ ଛଡ଼ା ଆଉ ଅନେକ ସାଧାରଣ ଧରଣର ଅପରାଧର ମାନସିକ କାରଣ ମଧ୍ୟ ମନୋବିଜ୍ଞାନୀମାନେ ଉଦ୍‍ଘାଟିତ କରିବାପାଇଁ ଉଦ୍ୟମ କରିଛନ୍ତି ଓ କରୁଛନ୍ତି । ଏ କ୍ଷେତ୍ରରେ ନାନା ପ୍ରକାରର ପ୍ରୟୋଗଫଳ ସଫଳତାର ସହିତ କରାଯାଇଛି । ରୁଷ୍‍ ବିପ୍ଳବର ଅବ୍ୟବହିତ ପରେ ମ୍ୟାକାରେଙ୍କୋ ନାମକ ଜଣେ ଶିକ୍ଷକ କେତେଶହ ଅପରାଧ-ପ୍ରବଣ ଯୁବକ ଯୁବତୀଙ୍କୁ ସତ୍‍ମାର୍ଗକୁ ଆଣିବା ପାଇଁ ଏକ ବିରାଟ ପ୍ରୟୋଗ କରି ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିଲେ । ଆମେରିକାରେ ଫ୍ଳଏଡ୍ ଷ୍ଟାର (Floyed starr) ନାମକ ଜଣେ ଭଦ୍ରବ୍ୟକ୍ତି ମଧ୍ୟ ଏହିପରି ଉଦ୍ୟମ ସଫଳ ଭାବରେ କରିଛନ୍ତି । ଇଂଲଣ୍ଡରେ ମିଲାଇଓ୍ୟାର୍ଡଙ୍କର ଅନୁଷ୍ଠାନ ମଧ୍ୟ ଉଲ୍ଲେଖଯୋଗ୍ୟ । ଏହି ପ୍ରକାର ପ୍ରୟୋଗ ଅନ୍ୟ ଅନେକ ସ୍ଥାନରେ ମଧ୍ୟ ଚାଲିଛି ।

 

ସଂକ୍ଷେପରେ ଏମାନଙ୍କର ଚିକିତ୍ସାର ତିନୋଟି ତଥ୍ୟ । ପ୍ରଚୁର ସ୍ନେହ, ଆତ୍ମପ୍ରକାଶର ଯଥେଷ୍ଟ ସୁଯୋଗ ଓ ନିଜର ସଚେତନ ଓ ଅଚେତନ ମନର ନାନା ଜଟିଳ ଗତିବିଧିକୁ ବୁଝିବା ଓ ବୁଦ୍ଧି ସାହାଯ୍ୟରେ ସେସବୁକୁ ଆୟତ୍ତ କରିବାରେ ସାହାଯ୍ୟ । ସ୍ନେହମମତା ଓ ଆଦର ସମ୍ମାନ ପାଇବାର ଓ ଅନ୍ୟଦ୍ୱାରା ବିଶ୍ୱାସର ପାତ୍ର ବିବେଚିତ ହେବାର ଯେଉଁ ଏକ ତୀବ୍ର ଆକାଂକ୍ଷା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଥାଏ ତାର ସେ ଆକାଂକ୍ଷାକୁ ପୂର୍ଣ୍ଣକଲେ, ତା ପ୍ରତି ସ୍ନେହ ଓ ବିଶ୍ୱାସ ରଖିଲେ, ତାକୁ ସମ୍ମାନ ଦେଲେ, ସେ ଏସବୁର ପାତ୍ର ହେବା ପାଇଁ ଉଦ୍ୟମ କରିବାକୁ ନିଜ ଅନ୍ତରରୁ ପ୍ରେରଣା ପାଏ ।

 

ପୂର୍ବରୁ ଚଳି ଆସିଥିବା ବଂଶ ପରମ୍ପରା ଯୋଗୁଁ ମଧ୍ୟ ଅନେକ ଗୋଷ୍ଠୀ ଚୋରୀ ଡକେଇତି କରନ୍ତି । ଏ ପରମ୍ପରା ହୁଏତ ଅଭାବରେ ପଡ଼ିବା ଯୋଗୁଁ ହୋଇଥିଲା । ଅନୁର୍ବର ଅଞ୍ଚଳରେ ରହୁଥିବା ଲୋକଙ୍କ ଭିତରେ ଓ ଜମିର ଅଧିକାରରୁ ବଞ୍ଚିତ କରାଯାଇଥିବା ଗୋଷ୍ଠୀଙ୍କ ଭିତରେ କୌଣସି ଯୁଗରେ ଚୋରୀ ଡକେଇତି ଏକ ଜୀବିକାର ପନ୍ଥା ରୂପେ ସ୍ୱୀକୃତ ହୋଇଯାଉଥିଲା । ଗୁଜୁରାତର ବିଖ୍ୟାତ ସମାଜସେବୀ, ଗାନ୍ଧିଜୀଙ୍କର ଶିଷ୍ୟ ଓ ସାଥି, ଶ୍ରୀ ରବିଶଙ୍କର ମହାରାଜ ଗୁଜୁରାତର ଏହିଭଳି ଏକ ଅପରାଧ ପ୍ରବଣ ଜାତି ସହିତ ଲାଗି ଲାଗି ସେ ସମସ୍ତ ଜାତିଟାକୁ ସତ୍‍ବାଟକୁ ଆଣିଥିଲେ । ବବଲଭାଇ ମେହେତାଙ୍କ ଲିଖିତ ‘ଗୁଜୁରାତକେ ମହାରାଜ’ ବହିରେ ଏହାର ରୋମାଞ୍ଚକର ବର୍ଣ୍ଣନା ରହିଛି । ଏହି ପାଟଣବାଡ଼ିଆ ଜାତି କିପରି ଚୋରୀକୁ କୌଳିକ ବୃତ୍ତି ରୂପେ ଧରିଥିଲେ ତାହା ମହାରାଜାଙ୍କ ସହିତ ସେ ଜାତିର ଜଣେ ମୁଖ୍ୟ ବ୍ୟକ୍ତିଙ୍କର ନିମ୍ନଲିଖିତ କଥାବାର୍ତ୍ତାରୁ ଜଣାପଡ଼େ ।

 

ମହାରାଜ କହିଲେ—‘‘ତମେ ଏତେ ଚୋରୀ କରୁଛ, ତଥାପି ଏତେ ସୁଖରେ ଅଛ । ଏହା ତୁମର ପୂର୍ବଜନ୍ମର ସତ୍‍କର୍ମର ଫଳ । ନିଜ କର୍ମ ତ ମଣିଷ ଭୋଗିବାକୁ ପଡ଼େ ।’’ ଫୁଲାଜୀ କହିଲା––‘‘ମହାରାଜ, ଆଜିଯାଏ ମୁଁ କାହାର ମା ଭଉଣୀ ଆଡ଼କୁ କୁଦୃଷ୍ଟି ପକେଇ ନାହିଁ । କାହାରି ପ୍ରତି ବିଶ୍ୱାସ ଘାତକତା କରିନାହିଁ କି କାହାକୁ ଠକି ନାହିଁ, ତେବେ ଭଗବାନ ମୋ ପ୍ରତି ପ୍ରସନ୍ନ ନ ହେବେ କାହିଁକି ?’’ ମହାରାଜ କହିଲେ—‘‘ତମେ କିନ୍ତୁ ବହୁତ ଚୋରୀ ତ କରୁଛ ।’’

 

‘‘ହଁ, କରିଛି । କିନ୍ତୁ ସେଥିରେ ପାପ କଣ କଲି ? ଏ ତ ଜାଣି ଆମର ଚାଷ ଧନ୍ଦା । ଯେତେ କଷ୍ଟ କରିବ ସେତେ ମିଳିବ । ମହାରାଜ ଟିକିଏ ବିଚାର କରନ୍ତୁ, ଯୋଗ ଏମିତି ଯେ ମୁଁ କେବେ ଯେଉଁ ସାହିକୁ ଯାଏ ନାହିଁ ସେଠିକି ଗଲି । ଯେଉଁଠି ବାକ୍ସ ପେଟରା ପଡ଼ିଥିବ ସେଠି ପହଞ୍ଚିଗଲି । ଯେଉଁଠି ଧନ ପଡ଼ିଛି ସେଇଠିକୁ ମୋ ହାତ ଗଲା । ହାତରେ ସାପ ବିଛା ନ ପଡ଼ି ଧନ ହିଁ ପଡ଼ିଲା । ଏହାର କାରଣ କଣ ? ପ୍ରତିଦିନ ଯେଉଁ ବାକ୍ସରେ ତାଲା ପଡ଼େ ସେଦିନ ତାହା ପକାଇବାକୁ ଭୁଲିଗଲେ । ଏ ଭୁଲ କିଏ କରାଇଲା ? ଆମେ ଜାଣି ବି ପାରୁ ନାହୁଁ, ଲକ୍ଷ୍ମୀ ତ ଧନୀ ଲୋକଙ୍କ ଘରେ ବନ୍ଦିନୀ ହୋଇ ଆକୁଳରେ ଡକା ପକାନ୍ତି ମୋତେ ଉଦ୍ଧାର କର, ଉଦ୍ଧାର କର । ଆମେ ତ ଲକ୍ଷ୍ମୀଙ୍କୁ ମୁକ୍ତ କରି ଦେଉ । ଆମ ହାତକୁ ତ ଏଥିରୁ ମଳିଧୂଳି ପରି ଯେତିକି ଆସେ ସେତିକି । ଆମେ ତ ମୂଲିଆ । ଆମଭଳି ଲୋକ ଲକ୍ଷ୍ମୀଙ୍କୁ ମୁକ୍ତ କରିଦେଲେ କି ପାପ ? ବିନା ଝାଳ ବୁହେଇ ଜମା କରାଯାଇଥିବା ଅଧର୍ମଵିତ୍ତ ହିଁ ପାପ ।’’

 

ମହାରାଜ : ‘‘କଣ ତମେ ଝାଳ ବୁହାଇ ଉପାର୍ଜନ କର ?’’ ଫୁଲା : ‘‘ଯେତେ ଆଣୁ ସବୁ ଝାଳ ବୁହା ନ ହେଲେ ବି ଆମ ହାତରେ ତ ଆମରି ପରିଶ୍ରମ ମୁତାବକ ଲକ୍ଷ୍ମୀ ରହନ୍ତି । ବାକି ତ ପୁଲିସ, ହାକିମ, ମୁଖିଆ ମାଲ ରଖିଲାବାଲା ପାଖକୁ ଚାଲିଯାଏ । ତେଣୁ ଯେତିକି ରହେ ସେତିକି ଆମ ଭାଗ୍ୟରେ ଥାଏ ।’’

 

ଏଥିରୁ ଦେଖାଯିବ ଯେ କିଭଳି ସମାଜର ଅନ୍ୟାୟ ଓ ଶୋଷଣ ପ୍ରତି ଦ୍ୱେଷ ସାଙ୍ଗକୁ ନିଜର ସ୍ୱାର୍ଥ ମିଶି ଏ ତତ୍ତ୍ୱଜ୍ଞାନ ସୃଷ୍ଟି ହୋଇଛି । ଏଭଳି ଅପରାଧ-ପ୍ରବଣ ଜାତି ଏ ଦେଶରେ ଏବଂ ପୃଥିବୀରେ ଅନ୍ୟତ୍ର ମଧ୍ୟ ଅନେକ ଜାଗାରେ ଥିଲେ ଓ ଅଛନ୍ତି । ଏମାନଙ୍କୁ ଏ ଭ୍ରାନ୍ତ ଜୀବନ ଦର୍ଶନରୁ ମୁକ୍ତ କରିବା ଦ୍ୱାରା ହିଁ ଏମାନଙ୍କୁ ସତ୍‍ବାଟକୁ ଆଣିହେବ । ମାତ୍ର ସମାଜରେ ସର୍ବତ୍ର ଶୋଷଣ ଦ୍ୱାରା ବିନା ପରିଶ୍ରମରେ ଧନ ସଂଗ୍ରହ କରିବାକୁ ସମାଜ ନ୍ୟାର୍ଯ୍ୟ ବୋଲି ସ୍ୱୀକୃତି ଦେଉଥିବା ବେଳେ ଓ ଏଭଳି କରି ଧନୀ ହୋଇଥିବା ବ୍ୟକ୍ତି ପ୍ରଶଂସା ପାଉଥିବା ବେଳେ ବିଚରା ଚୋରକୁ କଣ କରିବ ? ସେଥିପାଇଁ ବିନୋବା କହନ୍ତି ଧନୀ ହେଉଛି ଚୋରର ବାପ । ଗୋଟାଏ ଆଡ଼େ ଧନୀ ସୃଷ୍ଟି ହେଲେ ଅନ୍ୟଆଡ଼େ ଚୋର ସୃଷ୍ଟି ହୁଅନ୍ତି । ଗାନ୍ଧିଜୀ ମଧ୍ୟ ଅନୁରୂପ ମତବ୍ୟକ୍ତ କରିଛନ୍ତି ।

 

ଥରେ ଜଣେ ଚୋରକୁ ଧରି ଗାଁବାଲା ଗାନ୍ଧିଜୀଙ୍କ ପାଖକୁ ଆଣିଲେ । ଗାନ୍ଧିଜୀ ସେମାନଙ୍କୁ ବୁଝାଇଲେ ଯେ ଚୋର ସହିତ କାରବାରରେ ତିନୋଟି ପନ୍ଥା ଅଛି । ପ୍ରଥମଟି ହେଲା ପୁଲିସରେ ଏତଲା ଦେବାର ଗତାନୁଗତିକ ପନ୍ଥା । ଏହାଦ୍ୱାରା ଅଧିକାଂଶ ସମୟରେ ପୁଲିସକୁ ହିଁ ଭ୍ରଷ୍ଟାଚାରର ଏକ ସୁଯୋଗ ମିଳିଥାଏ, ଯାହାର ଚୋରୀ ହେଲା ସେ କିଛି ଉପକାର ପାଏ ନାହିଁ ଦ୍ଵିତୀୟ ପନ୍ଥା ଯାହାକୁ ସାଧାରଣତଃ ଗାଁ ଲୋକେ ଅନୁସରଣ କରିଥାନ୍ତି, ତାହାହେଲା ନିଷ୍କ୍ରିୟ ରହି ଏହା ସହିଯିବା । ଏହା କାପୁରୁଷୋଚିତ ଓ ତେଣୁ ନିନ୍ଦନୀୟ । କାପୁରୁଷତା ଥିବା ଯାଏ ଅପରାଧ ବ୍ୟାପି ଚାଲିବ । ଗାନ୍ଧିଜୀଙ୍କ ସୁପାରିଶମତେ ତୃତୀୟ ପନ୍ଥା ହେଲା ଶୁଦ୍ଧ ସତ୍ୟାଗ୍ରହର । ଏହା ଅନୁସାରେ ଆମେ ଅପରାଧୀଙ୍କୁ ନିଜର ଭାଇ ଭଉଣୀ ପରି ମଣିବା ଓ ଚୋରି ଅଭ୍ୟାସକୁ ତାଙ୍କଠାରେ ଥିବା ଏକ ରୋଗ ବୋଲି ମଣିବା, ଯାହାକୁ କି ଦୂର କରିବାକୁ ହେବ । ଅପରାଧୀ ପ୍ରତି ମନରେ ଅସଦ୍‍ଭାବ ନ ରଖି ତାକୁ ଦଣ୍ଡ ଦେବାର ଚେଷ୍ଟା ନ କରି ଆମେ ତାର ଅନ୍ତରରେ ପଶି ତାର ମନୋଭାବ ବୁଝିବା ଚାହିଁ । କେଉଁ କାରଣରୁ ସେ ଏ ଅପରାଧ ବାଟକୁ ଆସିଲା ତାହା ବୁଝିବା ଓ ତାର ପ୍ରତିକାର ଉଦ୍ୟମ କରିବା ଚାହିଁ । ଯଥା ସେମାନେ ତାକୁ ଏକ ଧନ୍ଦା ଶିଖାଇବା ଚାହିଁ ଓ ସତ୍‍ ଭାବରେ ଜୀବିକା ଅର୍ଜନ କରିବାର ଉପକରଣ ତାକୁ ଯୋଗାଇ ଦେବା ଚାହିଁ ଯେପରିକି ସେ ନିଜ ଜୀବନକୁ ବଦଳାଇ ଦେଇ ପାରିବ । ସେମାନେ ବୁଝିବା ଚାହିଁ ଯେ ଜଣେ ଚୋର ବା ଅପରାଧୀ ସେମାନଙ୍କଠାରୁ କିଛି ଭିନ୍ନ ଜୀବ ନୁହେଁ । ବାସ୍ତବରେ ଯଦି ସେମାନେ ନିଜ ଅନ୍ତରକୁ ନିରେଖି କରି ଚାହିଁବେ ତେବେ ଦେଖିପାରିବେ ଯେ ଉଭୟଙ୍କ ଭିତରେ ପାର୍ଥକ୍ୟଟା କେବଳ ମାତ୍ରାର । ଯେଉଁ ଧନୀ ଶୋଷଣ ବା ଅନ୍ୟ ସନ୍ଦେହଜନକ ଉପାୟରେ ଧନ ସଞ୍ଚୟ କରେ ସେ ପକେଟମାରୁଠାରୁ ବା ଘରେ ପଶି ଚୋରି କରିଥିବା ଚୋରଠାରୁ ଡକେଇତି ଅପରାଧରେ ଊଣା ଅପରାଧୀ ନୁହେଁ । କେବଳ ଏତିକି ଯେ ପ୍ରଥମୋକ୍ତ ଜଣକ ଭଦ୍ରତାର ମୁଖା ପିନ୍ଧି ଆଇନ କବଳରୁ ଖସିଯାନ୍ତି । ଗାନ୍ଧିଜୀ କହିଲେ ଯେ ପ୍ରକୃତରେ କହିବାକୁ ଗଲେ ନିଜର ନ୍ୟାର୍ଯ୍ୟ ଆବଶ୍ୟକତାଠାରୁ ଅଧିକ ଧନ ସଂଗ୍ରହ ବା ସଞ୍ଚୟ କରିବା ହେଉଛି ଚୋରି ଓ ଯଦି ସମ୍ପତ୍ତିକୁ ବିଜ୍ଞ ଭାବରେ ନିୟନ୍ତ୍ରିତ କରାଯାଏ ଓ ପୂର୍ଣ୍ଣ ସାମାଜିକ ନ୍ୟାୟ ବିରଜା କରେ ତେବେ ଚୋରିର କାରଣ ଓ ଚୋର ରହିବେ ନାହିଁ । (ହରିଜନ ତା ୧୧-୮-୪୬)

 

ରବିଶଙ୍କର ମହାରାଜ ଗାନ୍ଧିଜୀଙ୍କ ପ୍ରେରଣାରେ ହିଁ ପାଟଣବାଡ଼ିଆଙ୍କ ଭିତରେ କାମ କରିଥିଲେ ।

 

ଚମ୍ବଲ ଘାଟିର ଡକେଇତମାନଙ୍କୁ ସୁଧାରିବା ଉଦ୍ୟମରେ ବିନୋବାଜୀଙ୍କର ସଫଳତା ମଧ୍ୟ ସର୍ବଜନ ବିଦିତ । ଏହା ମଧ୍ୟ ଏକ ପରମ୍ପରାଗତ ସମସ୍ୟା । ସେହି ମୋଗଲ ବାଦଶାହାଙ୍କ ଅମଳରୁ ଏହା ଚଳି ଆସଛି । ଏକ ସମୟରେ ହୁଏତ ଏମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ବିଦ୍ରୋହୀ ଥିଲେ । ବିଦ୍ରୋହ ବିଫଳ ହେବା ଫଳରେ ଏମାନେ କ୍ରମେ ଲୁଟପାଟ କରି ଚଳିବାଟାକୁ ଜୀବିକା ରୂପେ ଗ୍ରହଣ କରିନେଲେ । ଏହା ବ୍ୟତୀତ ସେ ଅଞ୍ଚଳର ଚମ୍ବଲ ନଦୀ ଯୋଗୁଁ ମୃତ୍ତିକାକ୍ଷୟ ଘଟି ବିସ୍ତୀର୍ଣ୍ଣ ଚାଷ ଜମି ନଷ୍ଟ ହୋଇଯାଇଛି । ଏହି ଜମି ଅଭାବ ମଧ୍ୟ ଏହାର ଆଉ ଏକ କାରଣ ହୋଇପାରେ । ବିନୋବାଜୀ ଏହି ଅଞ୍ଚଳ ଭିତରେ ପଦଯାତ୍ରା କରି ପଶିଲେ ଓ ତାଙ୍କର ପ୍ରବର୍ତ୍ତନ ଦ୍ୱାରା ବାଇଶ ଜଣ ଡକାୟତ ଏ ଭୁଲ ବାଟ ଛାଡ଼ିବାକୁ ସମ୍ମତ ହେଲେ । ସେମାନେ ପୁଲିସଠାରେ ଆତ୍ମ ସମର୍ପଣ କଲେ ଓ ଦଣ୍ଡ ମଧ୍ୟ ବରଣ କରିନେଲେ । ବିନୋବାଜୀଙ୍କ ଚେଷ୍ଟାରେ ପ୍ରାୟ ସମସ୍ତେ ପୂରା ଦଣ୍ଡ ନ ଭୋଗି ଖଲାସ ହୋଇ ଯାଇଛନ୍ତି ଓ ସତ୍ ଓ ଆଦର୍ଶ ନାଗରିକ ଭାବରେ ଜୀବନ ବିତାଉଛନ୍ତି । ମଧ୍ୟପ୍ରଦେଶରେ ସେ ସମୟର ସରକାରର ଭ୍ରାନ୍ତ ମନୋଭାବ ଏ ଉଦ୍ୟମର ଅଧିକ ପ୍ରସାରରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା ।

 

ଉପରେ ଯେଉଁସବୁ ପ୍ରସଙ୍ଗ ଓ ପ୍ରକ୍ରିୟାର ଆଲୋଚନା କରାଗଲା ପ୍ରଚଳିତ ଅର୍ଥରେ ସତ୍ୟାଗ୍ରହ ସହିତ ସେସବୁର କିଛି ସମ୍ପର୍କ ନାହିଁ । କିନ୍ତୁ ଏ ସବୁଥିରେ ପ୍ରେମର ଶକ୍ତିର ନିଦର୍ଶନ ରହିଛି ଓ ଗାନ୍ଧିଜୀ ସେ ଗ୍ରାମବାସୀଙ୍କୁ ବୁଝାଇବା ପରି ଏସବୁ ସମସ୍ୟାର ସମାଧାନ ମଧ୍ୟ ପ୍ରେମ ଓ ସହାନୁଭୂତିଯୁକ୍ତ ପନ୍ଥାରେ ହିଁ ସମ୍ଭବ । ଆମେ ଦେଖିଲୁ ଯେ ଆଧୁନିକ ମନୋବିଜ୍ଞାନର ପନ୍ଥା ସତ୍ୟାଗ୍ରହର ପାଖାପାଖି ଆସି ପହଞ୍ଚିଛି । ମାନସିକ ବିକୃତିର ଚିକିତ୍ସା ଓ ସତ୍ୟାଗ୍ରହର ପଦ୍ଧତି ଭିତରେ ଆମେ ବହୁତ ସାମଞ୍ଜସ୍ୟ ଦେଖି ପରିବା । ଉଭୟ କ୍ଷେତ୍ରରେ ପ୍ରେମ, ଆତ୍ମଜ୍ଞାନ ଓ ଆତ୍ମପ୍ରକାଶ ହିଁ ସାଧନ ବା ସୋପାନ । କେବଳ ଦାବି ହାସଲ ବା ଅନ୍ୟାୟର ପ୍ରତିକାର ନୁହେଁ, ମଣିଷ ମଣିଷ ଭିତରେ ମୈତ୍ରୀ ଓ ସହଯୋଗିତାର ସନ୍ତୋଷଜନକ ସମ୍ବନ୍ଧ ସ୍ଥାପନ ସତ୍ୟାଗ୍ରହର ଲକ୍ଷ୍ୟ । ଏହି ରୂପେ ଉଭୟେ ପରସ୍ପରର ପରିପୂରକ । ସତ୍ୟାଗ୍ରହର ଅଧିକ ଓ ପଙ୍ଖାନୁପୁଙ୍ଖ ଗବେଷଣା ହେଲେ ସତ୍ୟାଗ୍ରହ ଓ ବୈଜ୍ଞାନିକ ପରମ୍ପରା ଭିତରେ ପାର୍ଥକ୍ୟ ଯେ ଉଭେଇ ଯିବ ଏଥିରେ ସନ୍ଦେହ ନାହିଁ ।

 

ପରବର୍ତ୍ତୀ ଅଧ୍ୟାୟରେ ଆମେ ଜୀବନର ଆଉ ଏକ କ୍ଷେତ୍ରରେ ବିଜ୍ଞାନର ବ୍ୟବହାରର କେତେକ ପ୍ରାସଙ୍ଗିକ ଉଦାହରଣର ଆଲୋଚନା କରିବା ।

Image

 

(ଚଉଦ)

ସହଯୋଗିତା ଓ ସଂଗଠନର ବିଜ୍ଞାନ

 

ଆଧୁନିକ ସମାଜ ବଡ଼ ବଡ଼ ସଂଗଠନମାନଙ୍କରେ ବହୁ ସଂଖ୍ୟକ ଲୋକଙ୍କୁ ଏକତ୍ର କାମ କରିବାକୁ ପଡ଼ିଥାଏ, ଶିଳ୍ପ ସଂଗଠନ, ସରକାରୀ ଦପ୍ତର, ରାଜନୀତିକ ଦଳ, ସମାଜ ସେବା ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ଆଦି ସର୍ବତ୍ର, ଏବଂ ‘ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି’ ଏବଂ କଳି ଛଡ଼ା ମଧ୍ୟ ଊଣା ଅଧିକ ଅବ୍ୟବସ୍ଥା ଓ ସେଥିଯୋଗୁଁ ଅକୁଶଳତା ତ ଥାଏ ହିଁ ।

 

ବହୁ ଲୋକଙ୍କୁ ଏକତ୍ର ଦକ୍ଷତାର ସହିତ କାମ କରେଇବାର ସର୍ବ ପ୍ରଥମ ସଂଗଠନ ବୋଧହୁଏ ସୈନ୍ୟବାହିନୀ । ଆମେ ଦେଖୁଁ ଯେ ଏଥିରେ ଆଦେଶଦାନର କ୍ରମିକ ବ୍ୟବସ୍ଥା ଓ ଡ୍ରିଲ ଦ୍ୱାରା କିପରି ଲକ୍ଷ ଲକ୍ଷ ସୈନ୍ୟଙ୍କୁ ଗୋଟିଏ ନିର୍ଭୁଲ ଯନ୍ତ୍ର ପରି କାମ କରେଇ ପାରାଯାଏ । ଅନ୍ୟାନ୍ୟ ସଂଗଠନମାନଙ୍କରେ ସୈନ୍ୟବାହିନୀ ପରି ଯାନ୍ତ୍ରିକ ସଂଗଠନ ଓ ଶୃଙ୍ଖଳାର ଅବସର କମ୍, କିନ୍ତୁ ସେ ସବୁରେ ଉପରକୁ ଉପର ଆଦେଶଦାନର କର୍ତ୍ତୃତ୍ୱ ଓ ଅଧିକାରର ଆଧାରରେ ସଂଗଠନ କରାଯାଇଥାଏ । କିନ୍ତୁ ଆଦେଶ ଦ୍ୱାରା ସିନା ବାହାରରୁ ଯାନ୍ତ୍ରିକ ଆଚରଣକୁ ନିୟନ୍ତ୍ରିତ କରିହେବ, ଅନ୍ତରରେ ପ୍ରେରଣା ଓ ଭାବନାକୁ ତ ତାହା ଛୁଇଁ ପାରିବ ନାହିଁ । ‘ଆଗେ ବଢ଼ୋ’ ଆଦେଶ ଦେଲେ ପ୍ରଥମେ ବାଁ ଗୋଡ଼ ଆଗକୁ ପକେଇ ଲକ୍ଷେ ଲୋକ ଆଗେଇ ଯିବେ ଓ ଡ୍ରିଲ ଅଭ୍ୟାସ ଅନୁସାରେ ମିନଟ୍‍କୁ ଶହେ କୋଡ଼ିଏ ଲେଖା ତିରିଶି ଇଞ୍ଚର ସମାନ ପାହୁଣ୍ଡ ପଡ଼ିବ । କିନ୍ତୁ ‘ହିସାବ ମିଶାଅ’ ବୋଲି ଆଦେଶ ଦେଲେ ଯେ ଅଫିସରେ ଶହେ କିରାନୀ ଏକା ତାଳରେ, ଏକା ଲୟରେ, ନିର୍ଭୁଲ ମିଶାଣ କରିଯିବେ ତା ତ ନୁହେଁ । ଆଳସ୍ୟ, ଉପରିସ୍ଥ କର୍ମଚାରୀଙ୍କ ପ୍ରତି ବିଦ୍ୱେଷ, ପରସ୍ପର ପ୍ରତି ଈର୍ଷା, ପଦୋନ୍ନତିର ଆଶା ବା ଆଶାର ଅଭାବ, ଚାଉଳର ଦର ଆଦି ଅନେକ ବିଷୟ କାମର ଗତି ଓ ତାର ନିର୍ଭୁଲତା ଉପରେ ପ୍ରଭାବ ପକାଇବା ।

 

ତେଣୁ ସଂଗଠନର କାର୍ଯ୍ୟଦକ୍ଷତା ବଢ଼ାଇବା ଉଦ୍ଦେଶ୍ୟରେ ଆଜିକାଲି ବୈଜ୍ଞାନିକ ଗବେଷଣା ଚାଲିଛି ଓ ସ୍ଵଭାବତଃ ସଂଗଠନର ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କର ପରସ୍ପରରେ ସମ୍ପର୍କଜନିତ ମନୋବୈଜ୍ଞାନିକ ସମସ୍ୟାମାନ ବିଶେଷ ଭାବରେ ଦୃଷ୍ଟିକୁ ଆସୁଛି । ଏସବୁ ଗବେଷଣା ଲବ୍ଧ ତଥ୍ୟ ଭିତରେ ଅନୁଷ୍ଠାନ ଓ ସଂଗଠନମାନଙ୍କର ସଦସ୍ୟମାନଙ୍କ ପାଇଁ ନାନା ପ୍ରକାରର ଶିକ୍ଷା ବ୍ୟବସ୍ଥା ମଧ୍ୟ ଚାଲୁ ହେଲାଣି ।

 

ଏଭଳି ଗୋଟିଏ ପ୍ରକାରର ପଦ୍ଧତିକୁ ଲେବରଟେରୀ ପଦ୍ଧତି କୁହାଯାଉଛି । ଆମେରିକାର ଯୁକ୍ତରାଷ୍ଟ୍ରରେ ଏହାର ଏବେ ଖୁବ୍‍ ପ୍ରଚଳନ ହୋଇଛି । ଏଥିରେ କୌଣସି ସଂସ୍ଥାର ବିଭିନ୍ନ ସ୍ତରରେ କର୍ମକର୍ତ୍ତାମାନେ ଦୁଇଚାରି ସପ୍ତାହ ପାଇଁ ଏକତ୍ର ହୋଇ ତାଲିମ ନିଅନ୍ତି । ଏଥିରେ ପାରସ୍ପରିକ ସମ୍ପର୍କର ମନୋବୈଜ୍ଞାନିକ ଦିଗ ଉପରେ ବିଶେଷ ଭାର ଦିଆଯାଏ । ଏ ଧରଣର ଶିକ୍ଷା ବ୍ୟବସ୍ଥାର ମୂଳରେ ଥିବା ଗୋଟିଏ ସିଦ୍ଧାନ୍ତ ହେଲା ଯେ ମଣିଷ ସାଧାରଣତଃ ଅଭ୍ୟାସର ବଶବର୍ତ୍ତୀ ହୋଇ ଆଚରଣ ଓ ଚିନ୍ତା କରେ । କିନ୍ତୁ ଏହି ଅଭ୍ୟାସଗତ ଚିନ୍ତା ଓ କାର୍ଯ୍ୟର ପରିଣାମ ଯେ ସବୁ କ୍ଷେତ୍ରରେ ବାଞ୍ଛନୀୟ ଓ ସାଫଲ୍ୟଜନକ ହୁଏ ତାହା ନୁହେଁ । ବରଂ ଓଲଟା ହିଁ ହୁଏ । କାରଣ ଦୁନିଆରେ ବରାବର ନୂଆ ଜ୍ଞାନ ହାସଲ ହୋଇ ଚାଲିଛି ଓ ପରିସ୍ଥିତି ମଧ୍ୟ ବଦଳି ବଦଳି ଚାଲିଛି । ତେଣୁ ଗୋଟିଏ ପରିସ୍ଥିତିରେ ଯାହା କରଣୀୟ ଥିଲା ପରିବର୍ତ୍ତିତ ପରିସ୍ଥିତିରେ ତାହା ଆଉ ସେଭଳି ରହୁନାହିଁ । ନୂଆ ଜ୍ଞାନ ମିଳିବା ଦ୍ୱାରା ସମସ୍ୟା ସମାଧାନର ନୂଆ ବାଟ ମିଳୁଛି । ପୁରୁଣା ଅଭିଜ୍ଞତା ଓ ପୁରୁଣା ଚିନ୍ତାଧାରା ଏ ନୂଆ ଜ୍ଞାନର ସୁବିଧା ନେବାରେ ବାଧାଦିଏ ।

 

ଉଦାହରଣ ସ୍ୱରୂପ ଧରନ୍ତୁ ପିଲାଦିନେ ଜଣଙ୍କ ଘରେ ପ୍ରାୟ ସମବୟସ୍କ ଭାଇ ଭଉଣୀଙ୍କ ଭିତରେ କଳି ଓ ବାଦ ପ୍ରବଳ ଥିଲା । ସେମାନେ ପରସ୍ପରର ବିରୋଧରେ ବାପ ମା’ଙ୍କଠାରେ ଅଭିଯୋଗ ଓ ଚୁଗୁଲି କରୁଥିଲେ, ନିଜେ ନିଜେ ଭଲେଇ ହେଉଥିଲେ । ଏବେ ସେମାନେ ବଡ଼ ହୋଇ କର୍ମକ୍ଷେତ୍ରରେ ପ୍ରବେଶ କରିବେ ତ ସେମାନଙ୍କର ପିଲା ଦିନୁ ବଦ୍ଧମୂଳ ହୋଇଥିବା ଏହି ପ୍ରକାରର ଭାବଗତ ଅଭ୍ୟାସ ସେଠାରେ ମଧ୍ୟ କାମ କରିବ । ଧରନ୍ତୁ ସେମାନଙ୍କ ଭିତରୁ ଜଣେ କୌଣସି ଅନୁଷ୍ଠାନରେ ବା ଅଫିସରେ କାମ କଲେ । ସେ ଘରେ ନିଜର ଭାଇ ଭଉଣୀଙ୍କ ସହିତ ଯେପରି ବାଦ କରୁଥିଲେ ସେ ଅନୁଷ୍ଠାନରେ ନିଜର ସମାସ୍କନ୍ଧ ସହକର୍ମୀଙ୍କ ସହ ସେହି ଭଳି ବାଦ କରିବେ । ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତା ବା ଅଫିସରଙ୍କୁ ସେ ବାପାଙ୍କ ସ୍ଥାନରେ ଥୋଇବେ ଓ ତାଙ୍କ ସହିତ ସେହିପରି ସମ୍ପର୍କ ସ୍ଥାପନର ଉଦ୍ୟମ କରିବେ । ତାଙ୍କଠାରେ ଅଭିଯୋଗ, ଚୁଗୁଲି କରିବେ ।

 

ଏକଥା ସ୍ପଷ୍ଟ ଯେ ଏଭଳି ଆଚରଣ ସେ ଅନୁଷ୍ଠାନର ବାତାବରଣକୁ ବିଷାକ୍ତ କରିବ, ପରସ୍ପର ଭିତରେ ଅଶାନ୍ତି ସୃଷ୍ଟି କରିବ ଓ ଏହାଫଳରେ ସେ ଅନୁଷ୍ଠାନର କର୍ମକୁଶଳତା ନିଶ୍ଚୟ ଊଣା ହେବ । ସେହିପରି ମନେ କରନ୍ତୁ ଜଣେ ଜମିଦାର ଘରର ପିଲା ପିଲାଦିନୁ ଅନେକ ଚାକରବାକରଙ୍କ ସେବା ପାଇବାରେ ଅଭ୍ୟସ୍ତ । ସେମାନଙ୍କୁ ନିଜଠାରୁ ନିକୃଷ୍ଟ ମନେକରି ହୁକୁମ ଚଳେଇବାରେ ଅଭ୍ୟସ୍ତ । ସେ ଯଦି ଆସି ଗୋଟିଏ କୌଣସି ଆଧୁନିକ ଧରଣର ସଂସ୍ଥାର ମେନେଜର ହୁଅନ୍ତି ତେବେ ତାଙ୍କର ମଜ୍ଜାଗତ ଜମିଦାର ସୁଲଭ ଆଚରଣ ତାଙ୍କର ଅଧୀନସ୍ଥ କର୍ମଚାରୀମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିବ ।

 

ଏ ଦୁଇଟି ସ୍ଥୂଳ ଉଦାହରଣ ଦିଆଗଲା । ମାତ୍ର ଏହିଭଳି ଅନେକ ଅକାମୀ ମାନସିକ ଅଭ୍ୟାସ ଓ ଜଟିଳତା ଅଧିକାଂଶ ଲୋକଙ୍କର ଥାଏ । ଏହାକୁ ସୁଧାରିବା ପାଇଁ ଉପରୋକ୍ତ ତାଲିମ ପ୍ରକ୍ରିୟାରେ ଉଦ୍ୟମ କରାଯାଏ । ଏହାର ପ୍ରକ୍ରିୟାକୁ ଇଂରେଜୀରେ (unfreezing) ବା ‘ତରଳାଇବା’ କୁହାଯାଇଛି । ଅର୍ଥାତ୍ ପାଣି ଜମି ବରଫ ହେଲା ପରି ମଣିଷର ଭାବନା ଓ ଆଚରଣ ମଧ୍ୟ ଜମାଟ ବାନ୍ଧି ଅଚଳ ହୋଇ ଯାଇଥାଏ । ତାର ସାବଳୀଳତା ନଷ୍ଟ ହୋଇ ଯାଇଥାଏ । ତେଣୁ ସେ ପରିସ୍ଥିତି ଅନୁରୂପ ସୁଦକ୍ଷ ଓ ସାଫଲ୍ୟପ୍ରଦ ଆଚରଣ କରିପାରେ ନାହିଁ । ଏ ଜମାଟ ବାନ୍ଧିବା ଅଭ୍ୟାସକୁ ‘ତରଳାଇଲେ’ ପୁଣି ନୂଆ ପ୍ରକାରର ମନୋଭାବ ଓ ଆଚରଣ ସମ୍ଭବ ହୁଏ ।

 

ଯେଉଁ କାମକୁ ଅନେକ ଲୋକ ମିଶି କରିବାର କଥା ତାହା ଜଣେ ଲୋକର ହୁକୁମରେ ଚାଲିଲେ କାମ ଭଲ ହେବ ବୋଲି ସାଧାରଣରେ ଧାରଣା ରହିଛି । ସାମରିକ ବାହିନୀ ଏହାର ଆଦର୍ଶ । ସେନା ବାହିନୀର ସାଧାରଣ ସୈନିକ କେବଳ ହୁକୁମ ତାମିଲ କରିବା ଛଡ଼ା ଆଉ କିଛି ଜାଣେ ନାହିଁ । ସମର କୌଶଳର ଗତିବିଧି ତାକୁ କିଛି ଜଣା ନ ଥାଏ । ‘‘କାହିଁକି ବୋଲି ପଚାରିବାର ନୁହେଁ, ତାଙ୍କର କରିବା ନ ହେଲେ ମରିବା କଥା ।’’ —‘Theirs is not to questions why, theirs is but to do and die ବୋଲି ଲେଖି କବି ଏ ବିଚାରକୁ ଏକ ରୋମାଞ୍ଚକ ରୂପ ଦେଇଛନ୍ତି । ମାତ୍ର ଆଜିକାଲି ନାନା ପରୀକ୍ଷା ଦ୍ୱାରା ଜଣାଯାଇଛି ଯେ କୌଣସି କାମର ଯୋଜନା ଗଢ଼ିବାରେ ଯଦି ସେଥିରେ ଲାଗିଥିବା ସମସ୍ତ ଲୋକଙ୍କ ପରାମର୍ଶ ନିଆଯାଏ, ଯଦି କାମର ଲକ୍ଷ୍ୟ ସମସ୍ତଙ୍କୁ ଜଣାଯାଏ, ତାହାହେଲେ ଅନେକ ବେଶି ସଫଳତା ମିଳେ-। ପରସ୍ପର ସଦ୍‍ଭାବ ଓ ସହଯୋଗ ଅଧିକ ହୁଏ । କାରଖାନାର ଉତ୍ପାଦନର ଯୋଜନା ବା ବ୍ୟବହାରର ବିସ୍ତାର ଯୋଜନା ମଧ୍ୟ ଯଦି ସମସ୍ତ ଶ୍ରମିକ ବା କର୍ମଚାରୀଙ୍କ ପରାମର୍ଶରେ ଗଢ଼ାଯାଏ ତେବେ ଅଧିକ ସାଫଲ୍ୟ ମିଳେ ।

 

ଉଦାହରଣ ସ୍ୱରୂପ ଗୋଟିଏ ପ୍ରୟୋଗରେ କେତେକ ସ୍କୁଲ ପିଲାଙ୍କୁ ତିନୋଟି ସମାନଦଳରେ ବଣ୍ଟାଗଲା । ପ୍ରତ୍ୟେକ ଦଳକୁ ଜଣେ ଜଣେ ଶିକ୍ଷକଙ୍କ ଦାୟିତ୍ୱରେ ରଖାଗଲା ଓ ସମସ୍ତଙ୍କୁ ଏକା ପ୍ରକାରର ଖେଳ ସାମଗ୍ରୀ ତିଆରି କରିବାକୁ ଦିଆଗଲା । ଶିକ୍ଷକମାନଙ୍କ ଭିତରୁ ଜଣେ ହୁକୁମ କରି କାମ କରାଇବା ନୀତି ଧରିଲେ । ପ୍ରତ୍ୟେକଙ୍କୁ ତୁ ଏହି କାଗଜକୁ ଭାଙ୍ଗ, ତୁ ଏଇଟା କାଟ ଏହିପରି କାମର ପ୍ରତି ପଦକ୍ଷେପ ପ୍ରତ୍ୟେକକୁ ବରାଦ କରି ଚାଲିଲେ । ମୋଟରେ ଶେଷକୁ କଣ ତିଆରି ହେବ ଏହାର ଧାରଣା ଦେଲେ ନାହିଁ । ଏହା ଛଡ଼ା ପ୍ରତ୍ୟେକରେ କାମର ଦୋଷତ୍ରୁଟି ଧରି ନିନ୍ଦା ବା ପ୍ରଶଂସା କଲେ ।

 

ଦ୍ଵିତୀୟ ଦଳରେ ଶିକ୍ଷକ ଗଣତାନ୍ତ୍ରିକ ପନ୍ଥା ଧରିଲେ । ସମସ୍ତଙ୍କ ସହିତ ଏକାଠି ବସି କଣ ତିଆରି ହେବ ଓ କିପରି ତାହା ଆଲୋଚନା କଲେ ଓ କିଏ କଣ କରିବ, କିପରି କଲେ ଭଲ ହେବ; ଏହା ମଧ୍ୟ ସମସ୍ତଙ୍କର ପରାମର୍ଶ ଅନୁସାରେ ସ୍ଥିର କଲେ । ଏ ଦଳରେ କାମର ପ୍ରଗତି ବିଷୟରେ ଏକାଠି ବସି ଆଲୋଚନା ହେଲା ଓ ବ୍ୟକ୍ତିଗତ ଦୋଷ ତ୍ରୁଟି ବାଛିବା ଓ ନିନ୍ଦା ପ୍ରଶଂସାର ଦାୟିତ୍ୱ ଶିକ୍ଷକ ନ ନେଇ ସମସ୍ତେ ବିଚାର କରି କରିବାର ଅଧିକ କୁଶଳ ଉପାୟ ପାଞ୍ଚିଲେ ।

 

ତୃତୀୟ ଦଳର ଶିକ୍ଷକ ‘ଅରାଜକ’ ନୀତି ଧରିଲେ । ପିଲାମାନଙ୍କୁ କଣ କରିବାକୁ ହେବ କହିଦେବା ପରେ ଆଉ କୌଣସି ପ୍ରକାରର ସମ୍ପର୍କ ନ ରଖି ଚୁପଚାପ ରହିଲେ । କେହି କିଛି ପଚାରିଲେ ଜବାବ ଦେଲେ ନଚେତ ନାହିଁ ।

 

ଦେଖାଗଲା ଯେ ପ୍ରଥମ ଦଳରେ ଶିକ୍ଷକ ସାମନାରେ ଥିବାଯାଏ ସମସ୍ତେ ମନଦେଇ କାମ କଲେ, ସେ ଅପସରି ଯିବା ମାତ୍ରେ ପରସ୍ପର ଭିତରେ ଠେଲାପେଲା ଚାଲିଲା । ଏ ଦଳରେ ପରସ୍ପର ଭିତରେ ମନ କଷା କଷି ବେଶି ରହିଲା । ପରସ୍ପର ସହିତ କଳି, କୌଣସି ଗୋଟିଏ ପିଲା ପଛରେ ଲାଗି ତାକୁ ହଇରାଣ କରିବା, ଏସବୁ ଚାଲିଲା । କାମ କମ୍‍ ହେଲା ।

 

ଦ୍ଵିତୀୟ ଦଳରେ ଶିକ୍ଷକ ଥିବା ଉଭୟ ଅବସ୍ଥାରେ ପିଲାଙ୍କ ଭିତରେ ହସ, ଥଟା ତାମସା ଆଦି ବରାବର ଚାଲିଲା, କିନ୍ତୁ କାମର ଗତି ପ୍ରଥମ ଦଳ ଅପେକ୍ଷା ବେଶି ହେଲା । ଦଳ ଭିତରେ ପରସ୍ପର ସଦ୍‍ଭାବ ଓ ସହଯୋଗ ବହୁତ ବେଶି ରହିଲା ।

 

ତୃତୀୟ ଦଳର ଅବସ୍ଥା ଭଲ ହେଲା ନାହିଁ । ସେଥିରେ କାମ ଖାପଛଡ଼ା ଭାବରେ ଚାଲିଲା । ପିଲାଙ୍କ ମନରେ ଅନିଶ୍ଚିତତା ଓ ଅଶାନ୍ତି ମଧ୍ୟ ରହିଲା ।

 

ଏହିଭଳି ବହୁ ପ୍ରୟୋଗ ଓ ଅଭିଜ୍ଞତାକୁ ଭିତ୍ତି କରି ଏବେ ସଂଗଠନର ପରିଚାଳନାରେ ଗଣତାନ୍ତ୍ରିକ ପ୍ରଣାଳୀକୁ ମହତ୍ତ୍ୱ ଦିଆଯାଏ ଓ ଉପରୋକ୍ତ ‘ଲାବୋରେଟରୀ’ ତାଲିମ ପଦ୍ଧତିରେ ଗଣତାନ୍ତ୍ରିକ ମନୋଭାବ ଓ କାମ କରିବାର ଢଙ୍ଗର ବିକାଶକୁ ଏକ ଲକ୍ଷ୍ୟରୂପେ ରଖାଯାଏ । ଏହା ସାଙ୍ଗକୁ କୌଣସି ବିରୋଧ ବା ମତଭେଦ ଉପୁଜିଲେ ତାହାକୁ ଯୁକ୍ତିସଙ୍ଗତ ପନ୍ଥାରେ ସମାଧାନ କରିବାର ଉପାୟର ମଧ୍ୟ ଚର୍ଚ୍ଚା କରାଯାଏ ।

 

ଉପରୋକ୍ତ ପ୍ରକାରର ତାଲିମର ଗୋଟିଏ ମୌଳିକ ସିଦ୍ଧାନ୍ତ ହେଲା ଯେ ଦୁଇପକ୍ଷ ଭିତରେ କୌଣସି ବିବାଦ ଉପୁଜିଲେ ତାହାକୁ ଚାପି ଦେବା ବା ଏ ପକ୍ଷ ଟିକେ ଛାଡ଼ିଲା ଏଭଳି କରି ରଫା କରିବାର ବି ଆବଶ୍ୟକତା ନାହିଁ । ବିବାଦ ବା ମତବାଦ ଉପରେ ଯଦି ବୁଦ୍ଧିପୂର୍ବକ ଉଦ୍ୟମ କରାଯାଏ ତେବେ ସେଥିରୁ ଏକ ବାସ୍ତବରେ ନୂତନ ସୃଜନାତ୍ମକ ପନ୍ଥା ଆବିଷ୍କୃତ ହୋଇପାରେ । ଏକଥା ଉଭୟ ବିବାଦମାନ ପକ୍ଷଙ୍କର ପ୍ରସ୍ତାବ ବା ଜୀବନଠାରୁ ଅଧିକ ଫଳପ୍ରଦ ଓ ସନ୍ତୋଷଜନକ ହୋଇପାରେ ।

 

ସତ୍ୟାଗ୍ରହ ସିଦ୍ଧାନ୍ତ ସହିତ ଏହାର ସାମଞ୍ଜସ୍ୟ ଲକ୍ଷ୍ୟ କରିବାର କଥା ।

 

ଏହାଛଡ଼ା ଏଥିରେ ବୈଜ୍ଞାନିକ ଦୃଷ୍ଟିର ବିକାଶ ଉପରେ ମଧ୍ୟ ଜୋର ଦିଆଯାଏ । ସମସ୍ୟାକୁ ତଥା ପରିସ୍ଥିତିକୁ ନିରାସକ୍ତ ବୈଜ୍ଞାନିକ ଦୃଷ୍ଟିରେ ପର୍ଯ୍ୟାଲୋଚନା କରିବା, ନିଜର ମନର ଭାବକୁ କାର୍ଯ୍ୟକଳାପକୁ ମଧ୍ୟ ସେହିପରି ସେଥିରୁ ନିଜକୁ ଅଲଗା କରି ଯାଞ୍ଚ କରିବା, ଅନ୍ୟ ମାନଙ୍କର ଭାବ, କଥା ଓ କାର୍ଯ୍ୟକୁ ସଠିକ୍‍ ଭାବରେ ବୁଝିବାର ସାମର୍ଥ୍ୟ ବଢ଼ାଇବା ଏସବୁ ମଧ୍ୟ ଏହି ବୈଜ୍ଞାନିକ ଦୃଷ୍ଟିର ଅନ୍ତର୍ଗତ ।

 

ସାଧାରଣତଃ ଦେଖାଯାଏ ଯେ ଲୋକେ ନିଜ କଥା କହିବାକୁ ଯେତେ ବ୍ୟଗ୍ର ଥାନ୍ତି ଅନ୍ୟର କଥା ଶୁଣିବା ପାଇଁ ସେତେ ନୁହେଁ । ସଭାସମିତିରେ ଦେଖାଯାଏ ଯେ ପ୍ରତ୍ୟେକ ସଦସ୍ୟ ନିଜ ମତ ଜାହିର କରି ଚାଲିଛନ୍ତି କିନ୍ତୁ ଅନ୍ୟର ମତକୁ ମନଯୋଗସହ ଶୁଣି ବିଷୟକୁ ବିଚାର କରିବା ଅବସ୍ଥାରେ ଖୁବ୍‍ କମ୍‍ ସଦସ୍ୟ ଅଛନ୍ତି । ପୁଣି ନିଜ ମତ ଅନ୍ୟମାନେ ବୁଝି ପାରିଲେ କି ନାହିଁ ସେଥିପ୍ରତି ମଧ୍ୟ ଊଣା ଦୃଷ୍ଟି ଥାଏ । କିପରି ଢଙ୍ଗରେ ତାହା ଉପସ୍ଥାପିତ କଲେ ଅନ୍ୟମାନେ ତାହା ସହଜରେ ବୁଝିପାରିବେ ସେଥିପ୍ରତି ମଧ୍ୟ ଖାତିର ନ ଥାଏ । ଏହା ଫଳରେ ବହୁତ ଭୁଲ ବୁଝାମଣା ଓ ବିରୋଧ ସୃଷ୍ଟି ହୁଏ । ତେଣୁ ଏ ବିଷୟ ମଧ୍ୟ ଏ ତାଲିମର ଏକ ଅଙ୍ଗ ରୂପେ ରହିଥାଏ ।

 

ବୈଜ୍ଞାନିକ ଦୃଷ୍ଟି ଅନ୍ତର୍ଗତ ଆଉ ଏକ କଥା ହେଲା ଯେ ମଣିଷର ପରିଧି ଯେତେ ବଢ଼ିବ ସେ ସେତେ ଦେଖିପାରିବ ଯେ କୌଣସି ଏକ କାମ କରିବାର ବା ସମସ୍ୟା ସମାଧାନ କରିବାର କେବଳ ଗୋଟିଏ ନୁହେଁ, ଅନେକ ପନ୍ଥା ରହିଛି ଓ ଜଣେ ଲୋକ କୌଣସି ଏକ ପରିସ୍ଥିତିର ମୁକାବିଲା ଯେଉଁ ଢଙ୍ଗରେ କରିବାକୁ ଅଭ୍ୟସ୍ତ ତାହାଠାରୁ ଅଧିକ କୁଶଳ ଓ ସାଫଲ୍ୟଜନକ ଉପାୟ ସେ ପାଇ ପାରିବ । କୃଷି, ଶିଳ୍ପ, ଯାନବାହାନ ଗୃହ ନିର୍ମାଣ, ସ୍ୱାସ୍ଥ୍ୟରକ୍ଷା, ରୋଗ ନିରାକରଣ ଆଦି କ୍ଷେତ୍ରରେ ତ ଏହାର ଅସଂଖ୍ୟ ଉଦାହରଣ ଆମେ ଅହରହ ଦେଖୁଛୁ । ମାତ୍ର ଏବେ ସାମାଜିକ ବିଜ୍ଞାନମାନଙ୍କର ବିକାଶ ଫଳରେ ମଣିଷ ମନର ଓ ତାର ସାମାଜିକ ସଂଗଠନ ଓ ଜୀବନର ଗତିବିଧି ବିଷୟରେ ଯେତେ ଯେତେ ନୂଆ ଜ୍ଞାନ ମିଳିଲାଣି ଓ ମିଳୁଛି ତାହାର ପରିଣାମ ସ୍ୱରୂପ ସାମାଜିକ ସଂଗଠନ ଓ କାର୍ଯ୍ୟକଳାପ ତଥା ପାରସ୍ପରିକ ସମ୍ବନ୍ଧ ବାବଦରେ ଉପୁଜିଥିବା ସମସ୍ୟାମାନଙ୍କର ସନ୍ତୋଷଜନକ ସମାଧାନର ମଧ୍ୟ ନୂଆ ଓ ବିବିଧ ଉପାୟ ମଧ୍ୟ ମିଳିପାରୁଛି । ଜ୍ଞାନର ବିକାଶ ଫଳରେ ଯେ ମଣିଷ ଆଗରେ ଅନେକ ପନ୍ଥା ଖୋଲି ଯାଇଛି ଓ ଯାଉଛି ଓ ସେସବୁ ଭିତରୁ ନିର୍ବାଚନ କରିବାର ସୁଯୋଗ ମଧ୍ୟ ଯାଇଛି ଓ ଯାଉଛି ଓ ସେସବୁ ଭିତରୁ ନିର୍ବାଚନ କରିବାର ସୁଯୋଗ ମଧ୍ୟ ବଢ଼ୁଛି, ଏକଥା ଉପଲବ୍ଧି କରିବା ବୈଜ୍ଞାନିକ ଦୃଷ୍ଟିର ଏକ ଅଙ୍ଗ ।

 

ଆମ ଦେଶରେ ମହୀଶୂରଠାରେ ଗ୍ରାମଗୋଷ୍ଠୀ ଯୋଜନାର କର୍ମୀମାନଙ୍କୁ ତାଲିମ ଦେବା ପାଇଁ ଏକ କେନ୍ଦ୍ର ଜଣେ ସମାଜ ବୈଜ୍ଞାନିକ ଆର. ପି. ଲିଣ୍ଟନଙ୍କ ତତ୍ତ୍ୱାବଧାନରେ ଚାଲୁଥିଲା-। ସେଠାରେ ମଧ୍ୟ ଉପରୋକ୍ତ ଧରଣରେ ପୁରୁଣା ଦୃଷ୍ଟିକୋଣକୁ ବଦଳାଇ ନୂଆ ଓ ଅଧିକ ସକ୍ଷମ ଦୃଷ୍ଟିକୋଣ ଶିକ୍ଷା ଦିଆଯାଉଥିଲା । ଲିଂଟନ ତାଙ୍କ ଶିକ୍ଷା ପଦ୍ଧତିରେ ମଣିଷ ମଣିଷ ଭିତରେ ପରସ୍ପର ସମ୍ପର୍କ ବଦଳାଇବା ଉପରେ ଗୁରୁତ୍ୱ ଦେଉଥିଲେ । ପରମ୍ପରାଗତ ବା ସାଆନ୍ତିଆ ଢଙ୍ଗରେ ସମାଜରେ ପରିବାର ଠାରୁ ଆରମ୍ଭ କରି ରାଷ୍ଟ୍ର ଯାଏ ସବୁଠି ବ୍ୟକ୍ତି ବିଶେଷର ଆଧିପତ୍ୟ ଚାଲେ । ପରିବାରରେ ବାପା ବା ଅଜାଙ୍କ ଏକଛତ୍ର ଶାସନ ସମସ୍ତଙ୍କୁ ମାନିବାକୁ ହୁଏ । ତାଙ୍କ ଆଗରେ ମୁହଁ ଫିଟାଇବାର ଅଧିକାର ବା ସାହସ କାହାରି ନ ଥାଏ । ରାଜ୍ୟରେ ରାଜା ପରି ପରିବାରରେ ବାପ, ଗାଁରେ ନାୟକ ବା ଗଉନ୍ତିଆ ।

 

ଏଭଳି ଏକାଧିପତ୍ୟମୂଳକ (authoritarian) ସମାଜର ଯେ କୌଣସି ଗୋଷ୍ଠୀର ମୁରବୀ ସହିତ ପ୍ରତ୍ୟେକ ଅଧସ୍ତନ ବ୍ୟକ୍ତିର ସମ୍ପର୍କ ଥାଏ, ମାତ୍ର ପରସ୍ପର ଭିତରେ କୌଣସି ସମ୍ପର୍କ ନ ଥାଏ । ମୁରବୀର ପ୍ରଶଂସା ଗାଇବା ପାଇଁ ବା ସୁନଜରରେ ପଡ଼ିବା ପାଇଁ ପ୍ରତ୍ୟେକ ଚେଷ୍ଟା କରନ୍ତି ଓ ଏମାନଙ୍କ ପରସ୍ପର ଭିତରେ ରେଷାରେଷ ଚାଲେ । ମୁରବୀ ଉପରେ ନିର୍ଭରଶୀଳ ହୋଇ ପଡ଼ିଥିବା ହେତୁ ସେମାନେ ମୁରବୀ ବିନା ଚଳି ପାରନ୍ତି ନାହିଁ ଅଥଚ ମୁରବୀଙ୍କ ପ୍ରତି ଏକ ଚପା ବିଦ୍ରୋହ ଓ ଅସନ୍ତୋଷର ଭାବ ମଧ୍ୟ ଥାଏ ।

 

ଏଭଳି ସମାଜରେ ବଢ଼ିଥିବା ଲୋକେ ଅନ୍ୟ ସହିତ ସମାନ ସମାନ ବ୍ୟବହାର କରି ପାରନ୍ତି ନାହିଁ କି ସହି ପାରନ୍ତି ନାହିଁ । କାହାରି ଅଧସ୍ତନ ଉର୍ଦ୍ଧ୍ୱତନ ହେବାରେ ଏମାନେ ଅଭ୍ୟସ୍ତ । ତେଣୁ ଗଣତାନ୍ତ୍ରିକ ଢଙ୍ଗରେ ଏକ ମୈତ୍ରୀ ବା ଭାଇଚାରରେ ଭିତ୍ତିରେ ଦଶଜଣଙ୍କ ସହିତ ମିଶି କାମ କରିବା ଏମାନଙ୍କ ଦେଇ ହୁଏ ନାହିଁ । ଏହି ମଜ୍ଜାଗତ ଅଭ୍ୟାସ ବଦଳାଇବା ଲିଂଟନଙ୍କ ତାଲିମର ଏକ ଲକ୍ଷ୍ୟ ।

 

ଏହାଛଡ଼ା ପରମ୍ପରାଗତ ସମାଜରେ ବଢ଼ିଥିବା ବ୍ୟକ୍ତି ସମସ୍ତେ ଯାହା କରୁଛନ୍ତି ତାହାହିଁ କରିବାରେ ଅଭ୍ୟସ୍ତ । କୌଣସି ସ୍ୱତନ୍ତ୍ର ଆଦର୍ଶ ବା ମୂଲ୍ୟବୋଧକୁ ଧରି ନିଜ ଇଚ୍ଛା ଅନୁସାରେ ଆଚରଣ କରିବାର ସାହସ ବା ମନୋଭାବ ଏହାଙ୍କର ନ ଥାଏ । ଏଭଳି ଲୋକଙ୍କୁ ଗାନ୍ଧି ଆଶ୍ରମକୁ ଆଣିଲେ ସେଠା ନିୟମ ମାନି ଭୋର ଚାରିଟାରେ ଉଠିବେ, ଖଦି ପିନ୍ଧିବେ, ଛୁଆଁ ଅଛୁଆଁ ମାନିବେ ନାହିଁ ଓ ପୁଣି ଗାଁକୁ ଗଲେ ସାତଟାରେ ଉଠିବେ, ମିଲ୍‍ ଲୁଗା ପିନ୍ଧିବେ, ଛୁଆଁ ମାନିବେ । ତେଣୁ ଅନେକ ସେବକ ବା କର୍ମୀ ଆଶ୍ରମ ବା ଶିକ୍ଷାନୁଷ୍ଠାନର ନୂଆ ଆଚାର ଅଭ୍ୟାସ ଶିଖିଯାଇ ମଧ୍ୟ ସମାଜରେ କୌଣସି ପ୍ରଭାବ ପକାଇ ପାରନ୍ତି ନାହିଁ । କାରଣ ନିଜେ ତ ସ୍ୱତନ୍ତ୍ର ବୁଦ୍ଧିରେ ନୂଆ ବାଟ ଧରି ଶିଖି ନାହାନ୍ତି, ଅନ୍ୟକୁ ଶିଖାଇବେ କିପରି ? ଲିଂଟନଙ୍କର ତାଲିମର ଆଉ ଏକ ଉଦ୍ଦେଶ୍ୟ ହେଲା ଏ ମେଷବୃତ୍ତି ଭାଙ୍ଗିବା । ଏହିରୂପେ ସେବକମାନଙ୍କର ମାନସିକ ଅଭ୍ୟାସ ବଦଳାଇବାରେ ସେ ଯଥେଷ୍ଟ ସଫଳତା ଲାଭ କରିଥିବାର ଦେଖାଯାଇଛି ।

 

ଏହି ଧରଣର ଅନ୍ୟ ଅନେକ ପ୍ରୟୋଗ ମଧ୍ୟ ବିଭିନ୍ନ ଦେଶରେ ଚାଲିଛି । ଉପରୋକ୍ତ ସଂକ୍ଷିପ୍ତ ବର୍ଣ୍ଣନାରୁ ଦେଖାଯିବ ଯେ ସଂଗଠନମାନଙ୍କର କର୍ମକୁଶଳତା ବଢ଼ାଇବା ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରାଯାଉଛି ତାହା ସହିତ ସତ୍ୟାଗ୍ରହର ନୀତି ଓ ଦୃଷ୍ଟିର ଅନେକ ସାମଞ୍ଜସ୍ୟ ରହିଛି । ବିରୋଧର ସୃଜନାତ୍ମକ ସମାଧାନ, ପରିସ୍ଥିତିର ନିରାସକ୍ତ (objective) ଅଧ୍ୟୟନ, ନିଜର କଥା ଅନ୍ୟକୁ ଠିକ୍‍ ଭାବରେ ବୁଝାଇବା ଓ ଅନ୍ୟର କଥାକୁ ଠିକ୍‍ ଭାବରେ ବୁଝି ସେଥିରେ ଥିବା ସତ୍ୟାଂଶ ବା ସାର ଗ୍ରହଣ କରିବା, ଅନ୍ତର ନିରୀକ୍ଷଣ ଦ୍ୱାରା ନିଜର ଭାବନା କଥା ଓ କାମର ବାସ୍ତବ ସ୍ୱରୂପ ଅର୍ଥାତ ନିଜର ବାସ୍ତବ ସ୍ୱରୂପକୁ ଚିହ୍ନିବା ଏସବୁ ସହିତ ସତ୍ୟାଗ୍ରହୀଠାରେ ମଣିଷ ସ୍ୱରୂପ ଉପରେ ଆସ୍ଥା, ସତ୍ୟାଗ୍ରହୀତା, ଅନାଶକ୍ତ, ବିଚାରର ଶକ୍ତିରେ ଆସ୍ଥା ଆଦି ଯେଉଁ ସବୁଗୁଣ ଥିବା ଆବଶ୍ୟକ ବୋଲି ମନେ କରାଯାଉଛି ସେ ସବୁର ସାଦୃଶ୍ୟ ମଧ୍ୟ ସହଜରେ ଦେଖି ହେବ । ଉପରନ୍ତୁ ଜୀବନର ଦୈନଦିନ କ୍ଷେତ୍ରରେ ଏସବୁ ଗୁଣଗୁଡ଼ିକ କି ଢଙ୍ଗରେ କାମରେ ଆସିବ ଓ କି ପ୍ରକାରେ ଜରୁରୀ ତାର ମଧ୍ୟ ଜ୍ଞାନ ଆମେ ଏହି ଲେବରେଟରୀ ପଦ୍ଧତି ଆଦିର ପର୍ଯ୍ୟାଲୋଚନାରୁ ପାଇପାରିବା ।

Image

 

(ପନ୍ଦର)

ବିଶ୍ୱାସର ଶକ୍ତି

 

‘‘ମୁଁ କହୁଥିଲି ଯେ ଏବେ ଆଗକୁ ଆମେ କୌଣସି ପ୍ରକାରେ ସଂକୁଚିତ ହେବା ବା ହୋଇ ରହିଥିବାରେ ସୁଖ ମିଳିବ ନାହିଁ । ବିଜ୍ଞାନର ଶକ୍ତି ଆମକୁ ସାହାଯ୍ୟ କରିବାକୁ ଆସିଲାଣି ଓ ଆତ୍ମଜ୍ଞାନର ଶକ୍ତି ତ ଏ ଦେଶରେ ଥିଲା ହିଁ । ଆତ୍ମଜ୍ଞାନ ତ ଆମକୁ ବ୍ୟାପକତା ଶିଖାଉଥିଲା, ଏବେ ବିଜ୍ଞାନ ତାହାକୁ ଏକ ସାଂସରିକ ଆବଶ୍ୟକତାରେ ପରିଣତ କଲାଣି । ଏ ବିଜ୍ଞାନ ଯୁଗରେ ଆମେ ବ୍ୟାପକ ନ ହେଲେ ଆମ ସାଂସାରିକ ଜୀବନ ଅଚଳ ହୋଇଯିବ । ବିଜ୍ଞାନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ଓ ତେଣୁ ବିଜ୍ଞାନ ଓ ଆତ୍ମଜ୍ଞାନ ଏକ ହୋଇଯାଇଛି । ଏ ଦୁଇଟି ବ୍ୟତୀତ ମୁଁ ଆଉ ଏକ ଶକ୍ତିର ଦର୍ଶନ ଲାଭ କରିଛି । ଏ ତୃତୀୟ ଶକ୍ତିକୁ ମୁଁ ବିଶ୍ୱାସ ଶକ୍ତି କହିଥାଏ । ଏ ବିଜ୍ଞାନ ଯୁଗରେ ବିଶ୍ୱାସ ଶକ୍ତି ରାଜନୀତି, ସାମାଜିକ ଯୋଜନା ଓ ସମାଜ ବିଜ୍ଞାନରେ ଖୁବ୍‍ ଦରକାର । ଆମଠାରେ ଯେତେ ବିଶ୍ୱାସ ଶକ୍ତି ଥିବ ଆମେ ଏ ଯୁଗର ସେତିକି ଯୋଗ୍ୟ ହେବା । ଆଜିକାଲି ବହୁତ ଅବିଶ୍ୱାସ ଦେଖାଯାଉଛି, ବିଶେଷ କରି ରାଜନୀତିକ, ଧାର୍ମିକ ଓ ସାମ୍ପ୍ରଦାୟିକ କ୍ଷେତ୍ରରେ ଏ ପୁରୁଣା ଜିନିଷ ଚଳି ଆସୁଛି । ମାତ୍ର ଏହା ଆଉ ତିଷ୍ଠି ପାରିବ ନାହିଁ ।’’

 

‘‘ରାଜନୀତିରେ ଅବିଶ୍ୱାସକୁ ଗୋଟାଏ ବଳ ବୋଲି ମନେ କରାଯାଏ, ତାହାକୁ ସାବଧାନତାର ଲକ୍ଷଣ ବୋଲି ମନେ କରାଯାଏ । କିନ୍ତୁ ମୁଁ ବିଚାରେ ଯେ ଯେଉଁ ମୁହୂର୍ତ୍ତରେ ଆମ ମନରେ ଟିକିଏ ହେଲେ ଅବିଶ୍ୱାସ ଜନ୍ମିବ ସେ ମୁହୂର୍ତ୍ତରେ ଆମେ ଅସାବଧାନ ଥିଲୁ ବୋଲି ବୁଝିବାକୁ ହେବ । ପୂର୍ଣ୍ଣ ବିଶ୍ୱାସ ବିନା ରାଜନୀତି ସୁଧୁରିବ ନାହିଁ । ଦେଶ ଦେଶ ଭିତରେ କଳି ବଢ଼ିବ । ସାମ୍ପ୍ରଦାୟିକ କଳି ମଧ୍ୟ ବଢ଼ିବ ଓ ତାହାର ମଧ୍ୟ ପରିଣାମ ବିପଦଜନକ ହେବ । ତେଣୁ ବେଦାନ୍ତ ଓ ବିଜ୍ଞାନ ସାଙ୍ଗକୁ ମୁଁ ବିଶ୍ୱାସକୁ ମଧ୍ୟ ଯୋଡ଼ି ଦେଇଛି ଓ ଆଜିକାଲି ଏହି ତିନି ତତ୍ତ୍ୱର ଉପାସନା କରିଥାଏ । ଏଥିପାଇଁ ମୁଁ ସଂସ୍କୃତରେ ଗୋଟିଏ ଶ୍ଳୋକ ସାରା ଭାରତରେ ଚଳିବା ଦୃଷ୍ଟିରୁ, ରଖିଛି ।’’

 

ବେଦାନ୍ତୋ ଵିଜ୍ଞାନଂ ବିଶ୍ୱାସଶ୍ଚେତି ଶକ୍ତୟସ୍ତ୍ରି ସ୍ରଃ ।

ଯେଷାଂ ସ୍ଥୈର୍ଯ୍ୟେ ନିତ୍ୟଂ ଶାନ୍ତିସମୃଦ୍ଧିଃ ଭବିଷ୍ୟତୋ ଜଗତି ।

 

ବେଦାନ୍ତ, ବିଜ୍ଞାନ ଓ ବିଶ୍ୱାସ—ଏ ତିନୋଟି ଶକ୍ତିର ସ୍ଥୈର୍ଯ୍ୟ ଦ୍ୱାରା ଦୁନିଆକୁ ଶାନ୍ତି ଓ ସମୃଦ୍ଧି ମିଳିବ । ବେଦାନ୍ତର ଅର୍ଥ ବେଦର ଅନ୍ତ । ବେଦ ଅର୍ଥାତ ସବୁ ପ୍ରକାରର କାଳ୍ପନିକ ଧର୍ମ, Conventional ବା ଗତାନୁଗତିକ ଧର୍ମ ଦୁନିଆରେ ଯେତେ ଅଛି ସେ ସବୁର ଅନ୍ତ । ଅର୍ଥାତ ଇସ୍ଳାମାନ୍ତ, ଜୈନାନ୍ତ, ବୌଦ୍ଧାନ୍ତ, ଶଖାନ୍ତ, ଖ୍ରୀଷ୍ଟାନ୍ତ.....

 

‘‘ପୁଣି ବିଜ୍ଞାନ ଓ ପରସ୍ପରର ବିଶ୍ୱାସ ରହିବା ଆବଶ୍ୟକ, ତାହା ରାଜନୀତିକ କ୍ଷେତ୍ରରେ ହେଉ ବା ସାମାଜିକ କ୍ଷେତ୍ରରେ ହେଉ ବା ପାରିବାରିକ କ୍ଷେତ୍ରରେ ହେଉ ।’’

 

୧୯୫୯ରେ ଆଜମିର୍‍ଠାରେ ଅନୁଷ୍ଠିତ ଅଖିଳ ଭାରତ ସର୍ବୋଦୟ ସମ୍ମିଳନୀରେ ବିନୋବାଜୀ ବିଶ୍ୱାସର ଶକ୍ତି ଓ ଆବଶ୍ୟକତା ବିଷୟରେ ଉପରୋକ୍ତ ମତେ ବୁଝାଇଥିଲେ ।

 

ମଣିଷ ସ୍ୱଭାବରେ ଅର୍ଥାତ୍‍ ତାହାର ଅନ୍ତର୍ନିହିତ ସଦ୍‍ବୁଦ୍ଧି ଓ ଶୁଭ ଦୃଷ୍ଟିରେ ଆସ୍ଥା ସତ୍ୟାଗ୍ରହର ମୂଳଦୁଆ । ଏ ଦୃଷ୍ଟିରୁ ଏ ଆସ୍ଥା ରଖିବା ସତ୍ୟାଗ୍ରହୀ ପକ୍ଷରେ ଅପରିହାର୍ଯ୍ୟ ଯେ, ଆଜି ଯେ ଭୁଲ କାମ କରୁଛି ସେ ଦିନେ ନା ଦିନେ ଠିକ୍‍ ବାଟକୁ ଆସିବ । ଆମେ ଅମୁକ ପ୍ରକାରର ପଦକ୍ଷେପ ନେଲେ ତାହା ସେ କୁପଥଗାମୀକୁ ଠିକ୍‍ ବାଟକୁ ଆଣିବାରେ ସାହାଯ୍ୟ କରିବ ଏ ବିଶ୍ୱାସ ମଧ୍ୟ ସତ୍ୟାଗ୍ରହର ପନ୍ଥା ଭିତରେ ନିହିତ । ମାତ୍ର ବିନୋବାଜୀ ବିଶ୍ୱାସଟାକୁ ହିଁ ଏକ ଶକ୍ତି କହିବା ଦ୍ୱାରା ଏହାଠାରୁ ଆହୁରି ଆଗକୁ ଯାଉଛନ୍ତି ।

 

ବିଶ୍ୱାସର ପୁଣି ଆଉ ଗୋଟିଏ ରୂପରେ ଆମେ ଆଜିଯାଏଁ ଅଭ୍ୟସ୍ତ । ‘‘ବିଶ୍ୱାସେ ମିଲୟେ ହରି ତର୍କେ ବହୁଦୂର ।’’ ଏହାର ଅର୍ଥ ଆମେ ସାଧାରଣତଃ ଏୟା ବୁଝିଛୁ ଯେ ବଡ଼ ବଡ଼ ଲୋକେ ଯେଉଁ କଥା କହିଛନ୍ତି ଶାସ୍ତ୍ର ପୁରାଣରେ ଯେ ସବୁ କଥା ଲେଖା ହୋଇଛି ଉଚ୍ଚ ପାହ୍ୟାରେ ଥିବା କର୍ତ୍ତୃପକ୍ଷ ଯାହା କହିବେ ବା କରିବେ ସେ ସବୁକୁ ବିନା ବାକ୍ୟବ୍ୟୟରେ ମାନି ନେବାକୁ ହେବ-

 

ଏଭଳି ବିଶ୍ୱାସ ବିରୋଧରେ ବିଜ୍ଞାନ ବିଦ୍ରୋହ ଘୋଷଣା କରିଛି ଏବଂ ସେହି ବିଜ୍ଞାନକୁ ମଧ୍ୟ ବିନୋବା ଏକ ଶକ୍ତି ବୋଲି କହୁଛନ୍ତି । ବିଜ୍ଞାନର ସଂକଳ୍ପ ହେଲା ପ୍ରତ୍ୟେକ କଥା ଉପରେ ବିଚାର ଓ ପ୍ରୟୋଗର କଟୁରି ଚଳେଇବା, ବେଦ, ପୁରାଣ, କୋରାନ ବା ଗୁରୁ ଗୋସେଇଁ କହିଛନ୍ତି ବୋଲି କୌଣସି କଥାକୁ ଆଖି ବୁଜି ମାନି ନ ନେବା । ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ । ତେବେ ଏ ବିଜ୍ଞାନ ଓ ବିଶ୍ୱାସର ସହାବସ୍ଥାନ କିପରି ସମ୍ଭବ ?

 

ପ୍ରଥମତଃ ଗୋଟିଏ ପାର୍ଥକ୍ୟ ତୁରନ୍ତ ଦୃଷ୍ଟିରେ ପଡ଼ିଥିବ ଯେ ବିଶ୍ୱାସ କେଉଁଥିରେ ? ନିର୍ବିଚାରରେ ସବୁଠାରେ ସବୁଥିରେ ବିଶ୍ୱାସ ରଖିବା କଥା ବିନୋବାଜୀ କହି ନାହାନ୍ତି । ମଣିଷଠାରେ ବିଶ୍ୱାସ ରଖିବା କଥା କହିଛନ୍ତି ଓ ସାଙ୍ଗେ ସାଙ୍ଗେ ବେଦ, ପୁରାଣ, କୋରାନ ଆଦି ସବୁର ଅନ୍ତ ବା ବିଲୟ କଥା ବି । କିନ୍ତୁ ମଣିଷଠାରେ ବିଶ୍ୱାସ ରଖିବା ତ ସେ ଯାହା କହିବ ବା କହିଥିବ ସେଥିରେ ବି ବିଶ୍ୱାସ ରଖାଯିବ ନା ନାହିଁ ।

 

ବିଜ୍ଞାନର ମୂଳରେ ଯେଉଁ scepticism ବା ସଂଶୟବାଦୀତା ରହିଛି ତାହା ଏକ ମସ୍ତବଡ଼ ଗୁଣ ଓ ସତ୍ୟର ସନ୍ଧାନରେ ତାର ଆବଶ୍ୟକତା ଅପରିହାର୍ଯ୍ୟ । ମାତ୍ର ଏହା ଆମେ ଏହାର ତଥା ସନ୍ଦେହପରାୟଣତା (suspiciousness) ଓ ବିଶ୍ଵନିନ୍ଦୁକତା (Cynicism) ଭିତରେ ଥିବା ପାର୍ଥକ୍ୟ ହୃଦୟଙ୍ଗମ କରିବା ଚାହିଁ । ସନ୍ଦେହପରାୟଣତା ଓ ବିଶ୍ଵନିନ୍ଦୁକତାର ଉଦ୍‍ଗମସ୍ଥାନ ଭାବାବେଗରେ ଓ ସଂଶୟର ଅଧିଷ୍ଠାନ ବୁଦ୍ଧିରେ । ଭାବାବେଗ ଦ୍ୱାରା ଚାଳିତ ସନ୍ଦେହପରାୟଣତା ବୁଦ୍ଧିର ଆୟତ୍ତରେ ନଥାଏ । ଏହାର ଆତିଶଯ୍ୟ ଏକ ମାନସିକ ବିକୃତି-Paranoia ରୂପେ ପରିଚିତ । କେହି କେହି ଲୋକେ ଦେଖିବାକୁ ମିଳନ୍ତି ଯେ ବରାବର ସନ୍ଦେହ କରୁଥାନ୍ତି ଯେ ଅନ୍ୟ କୌଣସି ଜଣା ବା ଅଜଣା ଲୋକ ତାଙ୍କର ଅନିଷ୍ଟ କରିବା ପାଇଁ, ତାଙ୍କୁ ମାରିଦେବା ପାଇଁ ଫନ୍ଦି ଫିକର କରୁଛି । ଉଠିବା, ବସିବା, ଚାଲିବା, ଖାଇବା ସବୁବେଳେ ତାଙ୍କ ମନରେ ଏ ଶଙ୍କା ବା ସନ୍ଦେହ ଥାଏ । ପ୍ରତ୍ୟେକ ଲୋକଙ୍କୁ, ପ୍ରତ୍ୟେକ କାମକୁ ସେ ଏହି ଭୟମିଶ୍ରିତ ସନ୍ଦେହ ଦୃଷ୍ଟିରେ ଦେଖନ୍ତି । ସ୍ତ୍ରୀ, ପୁତ୍ର, ଭାଇ, ଭଉଣୀଙ୍କ ପ୍ରତି ବି ତାଙ୍କର ସନ୍ଦେହ ଛାଡ଼ି ଯାଏ ନାହିଁ । ଏଭଳି ଲୋକକୁ ଆମେ ସହଜରେ ବିକାରଗ୍ରସ୍ତ ବୋଲି ଚିହ୍ନୁ ।

 

ମାତ୍ର ସୁସ୍ଥ ଓ ସ୍ୱାଭାବିକ ବୋଲାଉଥିବା ଆମମାନଙ୍କ ଭିତରେ ମଧ୍ୟ ଏଭଳି ସନ୍ଦେହୀ ସ୍ଵଭାବ ଊଣା ଅଧିକେ ରହିଥାଏ । ସାଧାରଣ ଦୈନନ୍ଦିନ ଜୀବନରେ ତାହା ବିଶେଷ ସୁବିଧା ସୃଷ୍ଟି କରେ ନାହିଁ । ସେଥିପାଇଁ ଆମେ ତାହାକୁ ସ୍ୱାଭାବିକ ବୋଲି ମାନି ନେଇଥାଉଁ । ପୁଣି ଦେଖାଯାଇଛି ଯେ କୌଣସି କୌଣସି ସମାଜରେ ଏଭଳି ସନ୍ଦେହଶୀଳତା ଖୁବ୍‍ ବ୍ୟାପକ ହୋଇଥାଏ । ନିଉଗିନୀ ଦ୍ୱୀପପୁଞ୍ଜରେ ମୁଣ୍ଡୁଗୁମୋର ଜାତି ବିଷୟରେ ପୂର୍ବରୁ ଆଲୋଚନା ହୋଇଛି । ଏମାନଙ୍କ ଭିତରେ ପରସ୍ପର ସନ୍ଦେହଶୀଳତା ଏକ ସର୍ବସାଧାରଣ ଚାରିତ୍ରିକ ଲକ୍ଷଣ । ପିଲାମାନଙ୍କୁ ମଣିଷ କରିବାରେ ସ୍ନେହର ଅଭାବ, କର୍କଶତା, କଠୋରତା ଆଦିର ପ୍ରଭାବରେ ଯେଉଁ ଚରିତ୍ର ସୃଷ୍ଟି ହୁଏ ସେଥିରେ ଏଭଳି ସନ୍ଦେହୀ ସ୍ୱଭାବର ପ୍ରାଦୁର୍ଭାବ ଦେଖାଯାଏ । ମୁଣ୍ଡୁଗୁମୋରଙ୍କ ଭଳି କୌଣସି ସମାଜରେ ଯଦି ଏ ଚାରିତ୍ରିକ ଲକ୍ଷଣ ସର୍ବବ୍ୟାପକ ହୋଇଥାଏ ତେବେ ବାହାର ଦୁନିଆ ଖବର ନଜାଣିବା ଯାଏ ସେଠି ତାହା ସ୍ୱାଭାବିକ ବୋଲି ହିଁ ବିବେଚିତ ହେବ, ଠିକ୍‍ ଯେମିତି ଆମରି ଦେଶର ଲୋକେ ଖାଦ୍ୟ ଓ ପୃଷ୍ଟି ଅଧିକାଂଶ ଅଭାବରୁ ଅଳ୍ପ ବୟସରେ ମରୁଥିଲେ ଓ ଅନ୍ୟ ଦେଶର ଖବର ନ ଜାଣିବା ଯାଏ ସେହି ଅକାଳ ମୃତ୍ୟୁଟାକୁହିଁ ସ୍ୱାଭାବିକ ଆୟୁସୀମା ବୋଲି ଧରି ନେଉଥିଲେ ଓ ଏବେ ବି ଧରି ନେଇଥାନ୍ତି । ଉପନିଷଦ, ପୁରାଣ ଆଦିରେ ଶହେବର୍ଷ ବଞ୍ଚିବା କଥା ଅଛି ବୋଲି ଜାଣିବା ଲୋକେ ସେଠାକୁ ଆଦର୍ଶ ମନେ କରିଥାନ୍ତି ମାତ୍ର ଅଧିକାଂଶ ଲୋକ ମାନି ନେଉଥିଲେ ଯେ କଳିଯୁଗରେ ଆୟୁର ସୀମା ୬୦, ‘କଳିଷଠା’ ।

 

ଯେଉଁ ପରିସ୍ଥିତି ଭିତରୁ ଏଭଳି ସନ୍ଦେହଶୀଳତା ଜନ୍ମେ ତାହାର ବହୁ ଅଧ୍ୟୟନ ହୋଇଛି ଓ ତାହା ମୋଟାମୋଟି ଅଧିକାରବାଦମୂଳକ (authoritarian) ସମାଜ ଓ ପରିବାର ବ୍ୟବସ୍ଥାର ପରିଣାମ ବୋଲି ସାବ୍ୟସ୍ତ ହୋଇଛି । ଏହାର କେତେକଟା ବିସ୍ତୃତ ବିବରଣ ପୂର୍ବର ‘ପରାକ୍ରମ ଓ ହିଂସା’ ଅଧ୍ୟାୟରେ ଦିଆଯାଇଛି । ଦେଖାଯାଇଛି ଯେ, ଯେଉଁମାନଙ୍କର ଚରିତ୍ରରେ ଏହାର ଆଧିକ୍ୟ ଥାଏ ସେମାନେ ଜାତିଗତ, ଧର୍ମଗତ ବା ଭାଷାଗତ ଭେଦଭାବ ଓ ବିଦ୍ଵେଷର ସହଜରେ ବଶବର୍ତ୍ତୀ ହୋଇଥାନ୍ତି । ପିଲାଦିନର ଲାଳନପାଳନ ପ୍ରଭାବ ଛଡ଼ା ସମାଜରେ ବ୍ୟାପିଥିବା ଆର୍ଥିକ ସଙ୍କଟର, ରାଜନୀତିକ ଅସ୍ଥିରତା ଆଦି ଯୋଗୁଁ ମଧ୍ୟ ମଣିଷ ମନ ଉପରେ ବିଶେଷ ଚାପ ପଡ଼ିଲେ ତା ଭିତରେ ଏ ଲକ୍ଷଣ ବୃଦ୍ଧି ପାଇଥାଏ ପ୍ରଥମ ମହାଯୁଦ୍ଧ ପରେ ପରାଜୟର ଗ୍ଳାନି, ଆର୍ଥିକସଙ୍କଟ ଶାସନର ଅବ୍ୟବସ୍ଥା ଆଦିର ପ୍ରଭାବରେ ଜର୍ମାନ ଜାତି ଏହିଭଳି ସନ୍ଦେହ ଶୀଳତା ବା ପ୍ୟାରାନୋଇଆର କବଳରେ ପଡ଼ିଲା ଓ ହିଟଲର ଏଥିରୁ ଲାଭ ଉଠାଇ ଓ ଏହାକୁ ବଢ଼େଇ ଜର୍ମାନମାନଙ୍କୁ ନାନା ବର୍ବରକୃତ୍ୟରେ ଲଗାଇଲା । ଏ ଚାରିତ୍ରିକ ଲକ୍ଷଣ ଆଜି ଦୁନିଆ ଆଗରେ ଏକ ସମସ୍ୟା । ଏକଛତ୍ରବାଦୀ ଦେଶମାନଙ୍କର ଓ ରକ୍ଷଣଶୀଳ ହିନ୍ଦୁ ସମାଜର ରାଜନୀତି ଓ ସମାଜ ବ୍ୟବସ୍ଥା ଭିତରେ ଏଭଳି ସନ୍ଦେହଶୀଳ ଚରିତ୍ର ବିକାଶର ପର୍ଯ୍ୟାପ୍ତ ଉପାଦାନ ରହିଛି । ଏ ଚରିତ୍ର ମଣିଷକୁ ନାନା ପ୍ରକାରର କାଳ୍ପନିକ ଭୟ ଓ ସନ୍ଦେହର କବଳରେ ପକାଏ, ତାହାର ବୁଦ୍ଧିକୁ ଆଚ୍ଛନ୍ନ କରି ରଖେ ଓ ଫଳରେ ସମସ୍ୟା ସବୁକୁ ବାସ୍ତବ ରୂପରେ ହୃଦୟଙ୍ଗମ କରିବା ଓ ସେସବୁର ସନ୍ତୋଷଜନକ ସମାଧାନ କରାଇବାର ସାମର୍ଥ୍ୟ ସେ ହରାଇ ବସେ । ଅନ୍ୟମାନଙ୍କ ସହିତ ସମ୍ପର୍କ ମଧ୍ୟ ସର୍ବଦା ସନ୍ଦେହଭାରାକ୍ରାନ୍ତ ଓ ଶଙ୍କାକୁଳ ହେବାରୁ ତାର ଜୀବନ ମଧ୍ୟ ରହସ୍ୟଶୂନ୍ୟ ଓ ନିରାନନ୍ଦ ହୁଏ ।

 

ବିଶ୍ଵନିନ୍ଦୁକତା (cynicism) ମଧ୍ୟ ଗୋଟିଏ ପ୍ରକାରର ସୃଜନଶୀଳତାହୀନ ଓ ଧ୍ଵଂସକାରୀ ମନୋଭାବ ଯାହା ମୂଳରେ ତିକ୍ତତା, ଅବଜ୍ଞା ଓ ଆତ୍ମକୈନ୍ଦ୍ରିକତା ଥାଏ । ବିଶ୍ଵନିନ୍ଦୁକ ସମସ୍ତଙ୍କର ଦୋଷ ଦେଖିବାରେ ହିଁ ପଟୁ ଓ କୌଣସି କାଳେ କାହାରି ଦ୍ୱାରା କୌଣସି ଭଲ କାମ ହୋଇଛି ବୋଲି ସେ କେବେ ସ୍ୱୀକାର କରେ ନାହିଁ । ସେ କୌଣସି ପ୍ରକାରର ଆଦର୍ଶନିଷ୍ଠା ବା ତଦ୍‍ଜନିତ ଦାୟିତ୍ୱବୋଧର ଧାର ଧାରେ ନାହିଁ । ସେଥିପାଇଁ ହିଂସାତ୍ମକ ବା ଅହିଂସ, କୌଣସି ପ୍ରକାରର ପ୍ରତ୍ୟକ୍ଷ କର୍ମପନ୍ଥାର ପାଖ ମାଡ଼ିବା କଥା ତାହାଠାରେ ନ ଥାଏ ।

 

ଏସବୁ ନିଷ୍ଫଳ ଓ ସୃଜନଶକ୍ତିହୀନ ବ୍ୟକ୍ତିତ୍ୱର ବିପରୀତ ସୃଜନଶକ୍ତି ବିଶିଷ୍ଟ, ସକ୍ଷମ, ସାର୍ଥକ ଓ ସୁସ୍ଥ ବ୍ୟକ୍ତିତ୍ୱର ଲକ୍ଷଣ ଅନ୍ୟ ଅଧ୍ୟାୟରେ ଆଲୋଚନା କରିଛୁ । ଅନ୍ୟ ଲୋକଙ୍କ ପ୍ରତି, ସାଧାରଣ ଭାବରେ ଦୁନିଆ ପ୍ରତି, ଏକ ଆସ୍ଥା ଓ ବନ୍ଧୁତାପୂର୍ଣ୍ଣ ତଥା ଆଶାବାଦୀ ମନୋଭାବ ଏଭଳି ସୁସ୍ଥ ବ୍ୟକ୍ତିତ୍ୱର ଲକ୍ଷଣ । ବିଶ୍ଵାସ ଓ ବନ୍ଧୁତ୍ୱର ମନୋଭାବରେ ଅର୍ଥ ନୁହେଁ ଯେ ଯେ ଯାହା କହିବ ବା କରିବ ତାହା ଠିକ୍‍ ବୋଲି ମାନି ନେବାକୁ ହେବ ବା କାହାରି ସମାଲୋଚନା ବା ବିରୋଧ କରାଯିବ ନାହିଁ । ବୈଜ୍ଞାନିକ ସଂଶୟବାଦର ସାରକଥା ହେଲା ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରମାଦର ସମ୍ଭାବନା ରହିଛି । ସେଥିପାଇଁ ନିଜର ଓ ଅପରର ପ୍ରତ୍ୟେକ ବିଚାର କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ରୂପେ ଯାଞ୍ଚ କରିବା ଆବଶ୍ୟକ । କେହି ଶତ୍ରୁ ବୋଲି ସନ୍ଦେହ କରି ତାହା କଥାକୁ ଅସ୍ୱୀକାର କରାଯିବ ଓ ମିତ୍ର ବୋଲି ମାନି ନିଆଯିବ, ଏହା ନୁହେଁ । କୌଣସି ତ୍ରୁଟି ଧରା ପଡ଼ିଲେ ତାହା ବନ୍ଧୁ ଭାବରେ ଅଥଚ ଦୃଢ଼ତାର ସହିତ ଦର୍ଶାଇ ଦିଆଯିବ । ସେଥିରେ ଦ୍ୱେଷ ବା ସନ୍ଦେହ ଆଦି ଯୁକ୍ତ ହେବାର ଅବକାଶ ଆଦୌ ନାହିଁ । ବିଜ୍ଞାନ କ୍ଷେତ୍ରରେ ଅହରହ ଏହି ଅନୁସାରେ ବିଚାର ଓ କାର୍ଯ୍ୟର ପରୀକ୍ଷା ନିରୀକ୍ଷା ଚାଲିଛି ।

 

ଏ ତ ଗଲା ବୈଜ୍ଞାନିକ ସଂଶୟବାଦ ଓ ବିକୃତ ସନ୍ଦେହଶୀଳତା ତଥା ବିଶ୍ଵନିନ୍ଦୁକତା ଭିତରେ ପାର୍ଥକ୍ୟର କଥା । ବନ୍ଧୁତ୍ୱ ବା ସ୍ନେହ ଦୃଷ୍ଟି ନ ଥିଲେ ବିନୋବା ମଣିଷଠାରେ ଯେଉଁ ବିଶ୍ୱାସର କଥା କହୁଛନ୍ତି ତାହା କରିବା ସମ୍ଭବ ନୁହେଁ । ଏଭଳି ବିଶ୍ୱାସ ବା ଆସ୍ଥାରେ ହିଁ ମଣିଷ ସ୍ଵଭାବକୁ ପ୍ରଭାବିତ କରିବାର ଶକ୍ତି ରହିଛି । ଏହାର ବହୁ ପ୍ରମାଣ ମନୋବିଜ୍ଞାନର ପ୍ରୟୋଗ ଓ ଗବେଷଣାରୁ ମିଳିଛି ।

 

ଦେଖାଯାଇଛି ଯେ ଯଦି ପାଠରେ କୌଣସି ପିଲା ପାରୁ ନଥିଲେ ତାକୁ ବାରମ୍ବାର ସମାଲୋଚନା କରି ବାପମା ଓ ଅନ୍ୟମାନେ ଏହିଟା ମୂର୍ଖଟା, ଅଳସୁଆଟା ବୋଲି କହନ୍ତି, ତେବେ ସେ ପଢ଼ାରେ କେବେ ଉନ୍ନତି କରି ପାରିବନାହିଁ ହିଁ, ନିଜକୁ ମୂର୍ଖ ଓ ଅଳସୁଆ ବୋଲି ସେହିପରି ହୋଇଯିବ । ଏହାର ଓଲଟା ଯଦି ତାକୁ ଉତ୍ସାହିତ କରାଯାଏ ତାହାର ବୁଦ୍ଧି ଅଛି, ସେ ନିଶ୍ଚୟ ପାରିବ ବୋଲି ଆସ୍ଥା ରଖାଯାଏ ତେବେ ସେ ନିଶ୍ଚୟ ପାଠର ପୂର୍ବ ଅପେକ୍ଷା ଭଲ କରିବ । ପିଲାମାନେ ପରୀକ୍ଷାରେ ଫେଲ୍‍ ହେଲେ ତାଙ୍କର ଆତ୍ମବିଶ୍ୱାସ କମିଯାଏ ଓ ପରେ ମଧ୍ୟ ଆହୁରି ଖରାପ ଫଳ କରନ୍ତି, ଭଲ ଫଳ ରଖିବା ପିଲା ଆହୁରି ଭଲ ରଖିବାକୁ ଉତ୍ସାହିତ ହୁଏ ।

 

ଏକ ଆମେରିକାନ୍‍ ବିଶ୍ୱବିଦ୍ୟାଳୟରେ ଏହାର ଏକ ପରୀକ୍ଷା ହୋଇଥାଏ । ପରୀକ୍ଷାରେ ବରାବର ଖରାପ ଫଳ ଦେଖାଉଥିବା ପଞ୍ଝାଏ ଛାତ୍ରକୁ ପରୀକ୍ଷକ ଜାଣିଶୁଣି ଅଧିକ ଭଲ ନମ୍ବର ଦେଇଦେଲେ । ଦେଖାଗଲା ଯେ ସେମାନେ ଏହାପରେ ପଢ଼ାପଢ଼ିରେ ବେଶି ଉତ୍ସାହରେ ଲାଗିଲେ ଓ ପରବର୍ତ୍ତୀ ପରୀକ୍ଷାମାନଙ୍କରେ ବାସ୍ତବରେ ଭଲ ଫଳ ଦେଖାଇଲେ । ଏଭଳି ପ୍ରୟୋଗ ଆଉ କେତେଠାରେ ମଧ୍ୟ କରାଯାଇଛି ଓ ଏହି ପ୍ରକାରର ପରିଣାମ ସବୁଠାରେ ମଧ୍ୟ ମିଳିଛି ।

 

ଖେଳ କସ୍‍ରତରେ ମଧ୍ୟ ଆମେ ଏହା ଅହରହ ଦେଖିଥାଉଁ । ଉତ୍ସାହ ପାଇଲେ ଖେଳାଳୀ ଭଲ ଖେଳେ, ତାହାର କୁଶଳତା ବଢ଼େ । ଅନ୍ୟ ସବୁ କାମରେ ମଧ୍ୟ ଏହି ନିୟମ ଖଟେ ।

 

ପିଲାମାନଙ୍କର ସତ୍ୟତା ଆଦି ସଦ୍‍ଗୁଣରେ ଆସ୍ଥା ରଖିଲେ ସେ ଗୁଣର ବିକାଶ ହୋଇଥାଏ । ‘‘ସେ କେବେ ମିଛ କହିବି ନାହିଁ,’’ ତାହା ଦ୍ୱାରା କେବେ ଏଭଳି ନୀଚକାମ ହେବ ନାହିଁ’’ ବୋଲି ଆସ୍ଥା ରଖିଲେ ପିଲାଙ୍କର ଆତ୍ମସମ୍ମାନ ବୋଧ ଦୃଢ଼ୀଭୂତ ହୁଏ ଓ ସେମାନେ ସେହିଭଳି ହେବାକୁ ଉତ୍ସାହ ପାଆନ୍ତି । ଶିଶୁପାଳନ ଓ ଶିକ୍ଷାରେ ବିପ୍ଳବ ଶୀର୍ଷକ ଅଧ୍ୟାୟରେ ସ୍ନେହର ବା ପ୍ରେମର ପ୍ରଭାବ ବିଷୟରେ ଯେଉଁସବୁ ଆଲୋଚନା କରାଯାଇଛି ସେଥିରେ ସ୍ନେହପ୍ରେମ ସାଙ୍ଗକୁ ଏଭଳି ବିଶ୍ୱାସ ବା ଆସ୍ଥାର ମଧ୍ୟ ଅଂଶ ରହିଛି । ବାସ୍ତବରେ ଏ ବିଶ୍ଵାସ ସ୍ନେହ ବା ପ୍ରେମର ଓଲଟା ପିଠି । ସ୍ନେହଥିଲେ ଏଭଳି ଆସ୍ଥା ମଧ୍ୟ ଥିବ ଓ ଆସ୍ଥାର ପ୍ରଭାବ ଚରିତ୍ର ଉପରେ ପଡ଼ିବ ।

 

କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ, ବଡ଼ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା କାମ ଦେଖାଇଥାଏ । ଅପରାଧୀ ମଦ୍ୟପ ଓ ଦୁର୍ଗୁଣଗ୍ରସ୍ତ ଲୋକଙ୍କର ସଂଶୋଧନ ପ୍ରଚେଷ୍ଟାରେ ଦେଖା ଯାଇଛି ଯେ ଦୁର୍ଗୁଣକୁ ଜିତିବାର ସେମାନଙ୍କ ଶକ୍ତି ଉପରେ ଆସ୍ଥା, ସେମାନଙ୍କର ଅନ୍ତର୍ନିହିତ ସଦ୍‍ଗୁଣରେ ସଦ୍‍ଭାବନାର ବିଶ୍ୱାସ ସେମାନଙ୍କୁ ଦୁର୍ଗୁଣରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଖେଳାଳୀ ବା ଛାତ୍ର ଉତ୍ସାହ ପାଇଲେ ଭଲ ଫଳ ଦେଖାଗଲା ପରି ଦୁର୍ଗୁଣଗ୍ରସ୍ତ ଲୋକ ମଧ୍ୟ ଦୁର୍ଗୁଣରୁ ଉଧୁରିବା ଚେଷ୍ଟାରେ ଭଲ ଫଳ ଦେଖାଏ । ମ୍ୟାକାରେଙ୍କୋ, ଷ୍ଟାର, ରବିଶଙ୍କର, ମହାରାଜ ଆଦିଙ୍କର ଅପରାଧୀ ସଂଶୋଧନର ଯେଉଁସବୁ ଉଦାହରଣ ଆଲୋଚନା କରାଯାଇଛି ସେସବୁଥିରେ ମଧ୍ୟ ସ୍ନେହ ଓ ଆଦରଭାବ ସାଙ୍ଗକୁ ଏହି ଆସ୍ଥା ବା ବିଶ୍ୱାସ କାମ କରିଛି । ଫ୍ଳୟଡ଼ ଷ୍ଟାର୍‍ଙ୍କ ବିଷୟରେ କଥା ଅଛି ଯେ ଅପରାଧୀ ତରୁଣ ତରୁଣୀଙ୍କୁ ନେଇ ନିଜ ପାଖରେ ରଖୁଥିଲେ ମଧ୍ୟ ନିଜର ଟଙ୍କା ପଇସା ଖୋଲା ରଖୁଥିଲେ । ବାକ୍ସରେ ଚାବି ପକାଉ ନଥିଲେ । ତାଙ୍କର ପ୍ରତ୍ୟେକ କଥା ଓ କାର୍ଯ୍ୟରେ ଏହି ବିଶ୍ୱାସ ବିଚ୍ଛୁରିତ ହେଉଥିଲା ଯେ ତାଙ୍କ ପାଖରେ ଥିବା ପିଲାଏ କେବେ ବିଶ୍ୱାସ ଭଙ୍ଗ କରିବେ ନାହିଁ । ଏବଂ ଏ ଆସ୍ଥାରେ ଫଳ ହେଉଥିଲା ।

 

ମଣିଷଠାରୁ ଯାହା ପ୍ରତ୍ୟାଶା ରଖାଯାଏ ତାହା ଯଦି ତାହାର ଆତ୍ମସମ୍ମାନ, ତାର ଗୌରବ, ତାର ମହତ୍ତ୍ୱ ବଢ଼ାଇବା ଭଳି କଥା ହୋଇଥାଏ ତେବେ ପ୍ରତ୍ୟାଶା (expectation) ପୂରଣ କରିବା ପାଇଁ ସେ ପ୍ରବଳ ପ୍ରେରଣା ପାଇଥାଏ ।

 

ବିନୋବାଜୀ ରାଜନୀତି କ୍ଷେତ୍ରରେ ବିଶ୍ୱାସ ରଖିବା କଥା କହିଛନ୍ତି । ଅବଶ୍ୟ ଏ ସବୁ କ୍ଷେତ୍ରରେ ବିଶ୍ଵାସର ପ୍ରଭାବ ବିଷୟରେ କୌଣସି ବୈଜ୍ଞାନିକ ଗବେଷଣା ହୋଇଥିବାର ଜଣାନାହିଁ-। ସତ୍ୟାଗ୍ରହ ବିଜ୍ଞାନର ଅଧିକ ପ୍ରୟୋଗ ଓ ଗବେଷଣା ହେଲେ ଓ ସବୁ କ୍ଷେତ୍ରରେ ବିଶ୍ୱାସର ପ୍ରଭାବ ବିଷୟରେ ବୈଜ୍ଞାନିକ ସାକ୍ଷ ମିଳିପାରିବ । ମାତ୍ର ଦେଶ ଭିତରର ଓ ଆନ୍ତରାଷ୍ଟ୍ରୀୟ ରାଜନୀତିର କ୍ଷେତ୍ରରେ ବିକୃତ (ପ୍ୟରାନୋଏଡ଼୍‍) ସନ୍ଦେହଶୀଳତାର କୁଫଳ ଆମେ ସର୍ବତ୍ର ଦେଖିବାକୁ ପାଉଛୁ । କୋଟି କୋଟି ଲୋକ ନିଜର ଭୟ ଓ ସନ୍ଦେହର ରଙ୍ଗିନ ଚଶମାର ଭିତର ଦେଇ ଦୁନିଆକୁ ଦେଖୁଛନ୍ତି ଓ ଏହି ଦୃଷ୍ଟିର କ୍ରିୟା ପ୍ରତିକ୍ରିୟାରୁ ଦୁନିଆରେ ଭୟ, ସନ୍ଦେହ ଓ ଦ୍ଵେଷର ସମ୍ଭାର ବଢ଼ି ଚାଲିଛି । ବୈଜ୍ଞାନିକ ସଂଶୟବାଦର କଟୁରି ଏହା ପ୍ରତି ପ୍ରୟୋଗ କରିବା ଦ୍ୱାରା ହିଁ ଏହାର ପ୍ରଭାବ ଊଣା ହେବ । ଆମେରିକା ଓ ରୁଷରେ ପରସ୍ପର ପ୍ରତି ତୀବ୍ର ସନ୍ଦେହ, ଭୟ ଓ ବିଦ୍ୱେଷ ଥିଲା । କେବଳ ନିଜର ଭୟ ଓ ସନ୍ଦେହ ଉପରେ ନିର୍ଭର କରି ପରସ୍ପର ବିଷୟରେ ନାନା କଥା କଳ୍ପନା କରିବା ପରିବର୍ତ୍ତେ ସେମାନେ ଯେତେବେଳେ ପରସ୍ପର ବିଷୟରେ ବାସ୍ତବ ତଥ୍ୟ ସଂଗ୍ରହ କରିବାକୁ ଆରମ୍ଭ କଲେ ସେତେବେଳଠୁଁ ଶୀତଳ ଯୁଦ୍ଧର ଜୋର କମିବାକୁ ଆରମ୍ଭ କଲା । ଯେ ସତ୍ୟାଗ୍ରହର ପନ୍ଥା ଅନୁସରଣ କରିବାକୁ ଚାହୁଁଥିବା ସେ ନିଜକୁ ଏ ସନ୍ଦେହ ପ୍ରବଣତାର ପ୍ରଭାବରୁ ମୁକ୍ତ କରିବା ଚାହିଁ ।

Image

 

(ଷୋହଳ)

ସତ୍ୟାଗ୍ରହୀର ଗୁଣ

 

ପୂର୍ବ ଅଧ୍ୟାୟମାନଙ୍କରେ ଆମେ ସତ୍ୟାଗ୍ରହର ଲକ୍ଷ୍ୟ ବିଷୟରେ ଚର୍ଚ୍ଚା କରିଛୁ । ଏ ଲକ୍ଷ୍ୟ ହାସଲ କରିବା ପାଇଁ ଯେ ଉଦ୍ୟମ କରିବ, ତାହାଠାରେ, ଅର୍ଥାତ ସତ୍ୟାଗ୍ରହୀଠାରେ, କେତେକ ବିଶେଷ ଗୁଣ ବା ଯୋଗ୍ୟତା ରହିବା ଯେ ଆବଶ୍ୟକ ତାହା ସ୍ପଷ୍ଟ । ହିଂସା ଯୁଦ୍ଧ କରିବା ପାଇଁ ହେଲେ ସୈନିକକୁ ନିର୍ଭରତା, ବୀରତା ଅନୁଶାସନାନୁବର୍ତ୍ତିତା, ସହଯୋଗୀତା, କଷ୍ଟ ସହିଷ୍ଣୁତା ଆଦି କେତେକ ଗୁଣ ତଥା ବନ୍ଧୁକ ଚଳାଇବା, ବହୁତ ବାଟ ଚାଲି ପାରିବା, ଉଚ୍ଚକୁ ଡେଇଁ ପାରିବା ଆଦି ବହୁବିଧ ଯୋଗ୍ୟତା ହାସଲ କରିବାକୁ ପଡ଼େ ।

 

ଗାନ୍ଧିଜୀ ଅନେକଥର ସତ୍ୟାଗ୍ରହୀର ତୁଳନା ହିଂସା ଯୁଦ୍ଧର ସୈନିକ ସହିତ କରି ସତ୍ୟାଗ୍ରହୀ ପାଇଁ ଆବଶ୍ୟକ ବିଶେଷ ଗୁଣ ଓ ଯୋଗ୍ୟତାର ବାଖ୍ୟା କରିଛନ୍ତି । ୧୯୪୦ର ଏକ ପ୍ରବନ୍ଧରେ ସେ ସତ୍ୟାଗ୍ରହୀର ଶାରୀରିକ ତାଲିମ ବିଷୟ ଚର୍ଚ୍ଚା କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ହିଂସାର ଫୌଜ ପାଇଁ ଯେଉଁ ସବୁ ନିୟମ ଲୋଡ଼ା ସେଥିରୁ ଖୁବ୍‍ ସାମାନ୍ୟ କେତୋଟି ଅହିଂସା ଫୌଜ ପ୍ରତି ଲାଗୁ ହେବ । ‘‘ଅହିଂସାର ସୈନିକ ଗୁଳି ଚଳାଇ ଶିଖିବା ପରିବର୍ତ୍ତେ ରୋଗୀର ସେବା କରିବା, ବିପନ୍ନ ବ୍ୟକ୍ତିଙ୍କୁ ନିଜର ଜୀବ ବିପନ୍ନ କରି ମଧ୍ୟ ଉଦ୍ଧାର କରିବା, ଚୋର ବା ଡକାୟତ ସଙ୍କୁଳ ସ୍ଥାନରେ ପହରା ଦେବା ଓ ସେମାନଙ୍କୁ ଅପକର୍ମରୁ ନିବୃତ୍ତ କରିବା ଚେଷ୍ଟାରେ ଜୀବନ ଦେବାକୁ ପ୍ରସ୍ତୁତ ହେବା, ଏହି ପ୍ରକାରର କାମ କରି ସତ୍ୟାଗ୍ରହୀ ତାର ତାଲିମ ପାଇବ ।

 

‘‘ସତ୍ୟାଗ୍ରହୀର ଅଭିଧାନରେ ବାହ୍ୟ ଶତ୍ରୁ ବୋଲି କୌଣସି ଶବ୍ଦ ନାହିଁ । ତଥାପି ଶତ୍ରୁ ରୂପେ ଅନୁମିତ ବ୍ୟକ୍ତି ପ୍ରତି ମଧ୍ୟ ତାହା ହୃଦୟରେ କରୁଣା ଛଡ଼ା ଅନ୍ୟ କୌଣସି ଭାବ ନ ଥିବ । ସେ ବିଶ୍ୱାସ କରୁଥିବ ଯେ କୌଣସି ବ୍ୟକ୍ତି ଜାଣିଶୁଣି ଦୁଷ୍ଟ ହୁଏ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଭଲ ମନ୍ଦ ବାରିବାର ଶକ୍ତି ଅଛି ଓ ତାହାର ପୂର୍ଣ୍ଣ ବିକାଶ କରାଗଲେ ତାହା ଅହିଂସା ରୂପେ ପ୍ରସ୍ଫୁଟିତ ହେବ ।’’

 

‘‘ଏହିରୂପେ ଉଭୟଙ୍କ ମାନସିକ ସ୍ଥିତି ଭିତରେ ଆକାଶ ପାତାଳ ଭେଦ ରହିବ ଓ ସେମାନଙ୍କର ଶାରୀରିକ ତାଲିମ ମଧ୍ୟ ସେହି ଅନୁପାତରେ ଭିନ୍ନ ହେବ ।’’ (ସତ୍ୟାଗ୍ରହ, ପୃ:୯୨-୯୩)

 

ଏହିସବୁ ଆଲୋଚନା କରି ଗାନ୍ଧିଜୀ ସତ୍ୟାଗ୍ରହୀର ଦୈହିକ ତାଲିମ ପାଇଁ ହଠଯୋଗର ଉପଯୋଗୀତା ଉଲ୍ଲେଖ କରି କହିଛନ୍ତି ଯେ ଦେହକୁ ସବଳ ଓ ପବିତ୍ର କରି ମନ ଉପରେ ନିୟନ୍ତ୍ରଣ ହାସଲ କରିବା ହଠଯୋଗର ବିବିଧ ଆସନ ଆଦିର ଉଦ୍ଦେଶ୍ୟ । ସେ ପୁଣି କହିଛନ୍ତି ଯେ ସତ୍ୟାଗ୍ରହୀର ଦେହ ଓ ମନ ସୁସ୍ଥ ନ ଥିଲେ ସେ ପୂର୍ଣ୍ଣ ନିର୍ଭରତା ହାସଲ କରିବାରେ ବିଫଳ ହୋଇପାରେ । ତାଠାରେ ଗୋଟିଏ ଜାଗାରେ ଦିନରାତି ଛିଡ଼ା ହୋଇ ପହରା ଦେବାର ସାମର୍ଥ୍ୟ ଥିବ । ସେ ଶୀତ, ଖରା ବର୍ଷା ଭୋଗି ମଧ୍ୟ ଅସୁସ୍ଥ ହେବ ନାହିଁ । ତାଠାରେ ବିପଦ ସଙ୍କୁଳ ସ୍ଥାନକୁ ଯିବାର ଶକ୍ତି ଥିବ । ନିଆଁ ଲାଗିଥିବା ସ୍ଥାନକୁ ସେ ଦୌଡ଼ି ଯାଇ ପାରୁଥିବା ଓ ଜନମାନବହୀନ ବନରେ ବୁଲିବାର ଓ ମୃତ୍ୟୁର ଘାଟି ସ୍ଥାନମାନଙ୍କୁ ଯିବାର ସାହସ ତାର ଥିବ । ସେ କୌଣସି ପ୍ରକାରର ଅଭିଯୋଗ ନ କରି ଖୁବ୍‍ ଟାଣ ପାହାର, ଅନଶନ ଓ ତାଠୁଁ ବଳି ଗୁରୁତର କଷଣ ସହି ପାରୁଥିବ ଓ ନିଜ କର୍ତ୍ତବ୍ୟ ସ୍ଥାନରେ ଅଟଳ ହୋଇ ରହି ପାରୁଥିବ । ଦଙ୍ଗାହଙ୍ଗାମା ବେଳେ ଦୁର୍ଭେଦ୍ୟ ଭିଡ଼ ଭିତରକୁ ପଶିଯିବା ଭଳି ବୁଦ୍ଧି ଚାତୁର୍ଯ୍ୟ ଓ ସାମର୍ଥ୍ୟ ତାର ଥିବ, ନିଆଁ ଲାଗିଥିବା ଘରର ଉପର ମହଲାରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭଗବାନଙ୍କ ନାମ ସୁମରି ଧାଇଁ ଯିବାର ଉତ୍କଣ୍ଠା ଓ ସାମର୍ଥ୍ୟ ତାର ଥିବ । ବନ୍ୟାରେ ଭାସି ଯାଉଥିବା ବା କୂଅରେ ବୁଡ଼ି ଯାଉଥିବା ଲୋକକୁ ଉଦ୍ଧାର କରିବା ପାଇଁ ଡେଇଁ ପଡ଼ିବାର ନିର୍ଭରତା ତାହାଠାରେ ଥିବ ।

 

ଏହି ସବୁର ତାଲିକା ଆହୁରି ବଢ଼ାଯାଇପାରେ ବୋଲି କହି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସତ୍ୟାଗ୍ରହୀର ତାଲିମର ମୂଳଦୁଆ ହେଲା ଈଶ୍ଵର ବିଶ୍ୱାସ । ସେ ପୁଣି କହିଛନ୍ତି ଯେ ବ୍ରହ୍ମଚର୍ଯ୍ୟ ତାହାର ବ୍ୟାପକ ଅର୍ଥରେ ନୁହେଁ ମାତ୍ର ଇନ୍ଦ୍ରିୟ ସଂଯମ ଦ୍ୱାରା ବୀର୍ଯ୍ୟ ସଂଗ୍ରହ ଅର୍ଥରେ, ମଧ୍ୟ ସତ୍ୟାଗ୍ରହୀ ପକ୍ଷରେ ଅପରିହାର୍ଯ୍ୟ । ଏହି ସନ୍ଦର୍ଭରେ ସେ ମଧ୍ୟ ଏହି ଚେତାବନୀ ଦେଇଛନ୍ତି ଯେ, ଯେ ବ୍ରହ୍ମଚର୍ଯ୍ୟ ପାଳନ କରୁଛି ବୋଲି କହି ନ ହୋଇ ସଂଯମୀ ଗୃହସ୍ଥରେ ଜୀବନ ଯାପାନ ପରେ ତା ଅପେକ୍ଷା ବାହ୍ୟ ଇନ୍ଦ୍ରିୟ ସଂଯମ କରି ତେଣେ ମନରେ ବିଷୟ ଚିନ୍ତାରେ ବୁଡ଼ି ରହିଥିବା ଲୋକର ଅବସ୍ଥା ବହୁତ ମନ୍ଦ ହୁଏ ।

 

ଗାନ୍ଧିଜୀ ଏ ଦେଶରେ ପୂରି ରହିଥିବା ଭୀରୁତାର ବହୁତ ନିନ୍ଦା କରିଥିଲେ ଓ ନିର୍ଭୟତାକୁ ସତ୍ୟାଗ୍ରହୀର ଗୁଣ ଭିତରେ ଉଚ୍ଚ ସ୍ଥାନ ଦେଉଥିଲେ । ୧୯୩୦ର ସତ୍ୟାଗ୍ରହ ବେଳେ କରାଚୀରେ ଗୁଳି ଚାଳନାରେ ପ୍ରାଣ ହରାଇଥିବା ଦୁଇଜଣ ଯୁବକ, ଦତ୍ତାତ୍ରେୟ ମାନେ ଓ ମେଘରାଜ ରେବାଚାନ୍ଦଙ୍କର ତଥା ଗୁଳିରେ ଆହତ ହୋଇଥିବା ଶ୍ରୀ ଜୟ ରାମଦାସ ଦୌଲତରାମଙ୍କ ବିଷୟରେ ସେ ୟଂ ଇଣ୍ଡିଆରେ ଲେଖିଥିଲେ:—

 

‘‘ଜୟରାମଦାସଙ୍କର ମିଳିଥିବା ଆଘାତ ମୋତେ ଅମିଶ୍ରିତ ଆନନ୍ଦ ଦେଇଥିଲା । ନେତାମାନଙ୍କୁ ମିଳିଥିବା ଆଘାତ ହିଁ ଦେଶକୁ ତ୍ରାଣ କରିବ । ତ୍ୟାଗର ନିୟମ ସାରା ପୃଥିବୀରେ ସମାନ । ସଫଳତା ନିମନ୍ତେ ଏହା ସବୁଠାରୁ ସାହସୀ ଓ ପବିତ୍ର ବ୍ୟକ୍ତିର ବଳିଦାନ ଆବଶ୍ୟକ କରେ । ଏବଂ ଜୟରାମଦାସ ଏହି ନିର୍ଭୀକତମ ଓ ପବିତ୍ରତମଙ୍କ ଭିତରୁ ଜଣେ । ତେଣୁ ମୁଁ ଯେତେବେଳେ ଜୟରାମଦାସଙ୍କର ଆଘାତର ସମ୍ବାଦ ପାଇଲି ମୁଁ ଏ ତାରବାର୍ତ୍ତା ନ ପଠାଇ ରହି ପାରିଲି ନାହିଁ ଯେ, କାରାବାସ ଅପେକ୍ଷା ଜଙ୍ଘରେ ଗୁଳି ବାଜିବା ଶ୍ରେୟସ୍କର ଓ ଛାତିରେ ବାଜିବା ଆହୁରି ବେଶି ।’’

 

‘‘ତେଣୁ ମୁଁ ପ୍ରାଣ ଦେଇଥିବା ଏହି ଦୁଇଜଣ ବୀର ବାଳକଙ୍କର ପିତାମାତାଙ୍କୁ ସମବେଦନା ଜଣାଉଛି ସତ ମାତ୍ର ମୋର ଅନ୍ତରର ଗଭୀରତମ ଭାବ ହେଉଛି ସେମାନଙ୍କୁ ତାଙ୍କର ପୁଅମାନଙ୍କର ଚରମ ବଳିଦାନ ନିମନ୍ତେ ଅଭିନନ୍ଦନ ଜଣାଇବା, ଯଦି ସେମାନେ ମୋର ଅଭିନନ୍ଦନ ଗ୍ରହଣ କରିବାକୁ ରାଜି ହେବେ । ଯୋଦ୍ଧାର ମୃତ୍ୟୁ କେବେ ଶୋକର କାରଣ ନୁହେଁ । ଆଉ ସତ୍ୟାଗ୍ରହୀ ଯୋଦ୍ଧାର ତ କଦାପି ନୁହେଁ । ସ୍ୱାଧୀନତାର ଆକାଂକ୍ଷା ପୋଷଣ କରୁଥିବା ଏକ ରାଷ୍ଟ୍ରକୁ ଯେଉଁସବୁ ପାଠ ଶିଖିବାକୁ ହେବ ତାହା ଭିତରୁ ଗୋଟିଏ ହେଲା ନାନାବିଧ ଭୟ ତ୍ୟାଗ କରିବା ଯଥା ଉପାଧି, ଧନ ସମ୍ପତ୍ତି ଓ ପଦାଧିକାର ହରାଇବା ଭୟ, କାରାଦଣ୍ଡର ଓ ଦୈହିକ ଆଘାତର ଭୟ ତଥା ସର୍ବ ଶେଷରେ ମୃତ୍ୟୁ ଭୟ ।’’ (ୟଂ ଇଣ୍ଡିଆ, ୨୪ । ୪ । ୩୦)

 

ନିର୍ଭୟତା ହିଁ ଗାନ୍ଧିଜୀଙ୍କର ଭାରତକୁ ସବୁଠାରୁ ବଡ଼ ଶିକ୍ଷା ବୋଲି କୁହାଯାଇପାରେ । କାରଣ ନିର୍ଭୟତା ନ ଥିଲେ ଅନ୍ୟ କୌଣସି ସଦ୍‍ଗୁଣ ହାସଲ କରାଯାଇ ପାରିବ ନାହିଁ । ଆମ ଦେଶରେ ଅନେକେ ଏଭଳି ନିର୍ଭୟତାକୁ ଅବାସ୍ତବ ଓ ଅପରିହାର୍ଯ୍ୟ ବୋଲି ମତ ଦେଇଥାନ୍ତି ଓ ଏଣୁ ଅହିଂସା ସତ୍ୟାଗ୍ରହକୁ ଅସମ୍ଭବ ମନେ କରିଥାନ୍ତି । ଏହାର କାରଣ ହେଲା ଯେ ଆମ ଦେଶ ବହୁ ଶତାବ୍ଦୀ ଧରି କ୍ଳୀବ ଓ ଭୀରୁ ହୋଇ ରହିଛି ଓ ତାହା ଉପରକୁ ଏକ ସାମନ୍ତବାଦୀ ମନୋଭାବର ଶୀକାର । ସ୍ୱାଧୀନତା ଲାଭ, ସାମାଜିକ ବିପ୍ଳବ ବା ଦେଶରକ୍ଷା, ଯେଉଁ ସବୁ ଉଦ୍ଦେଶ୍ୟ ହାସଲ ପାଇଁ ସତ୍ୟାଗ୍ରହର ପନ୍ଥା ଗ୍ରହଣ ପନ୍ଥା ଗ୍ରହଣ କରିବା କଥା ଉଠେ ସେ ସବୁକୁ ହିଂସା ବାଟରେ ହାସଲ କରିବାକୁ ହେଲେ ଅଶେଷ ତ୍ୟାଗ ଓ ନିର୍ଭୟତା ଲୋଡ଼ା ହୁଏ । ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ମୂର୍ଚ୍ଛିବାକୁ ପଡ଼େ ।

 

ଆମ ଦେଶରେ ବଡ଼ ଲୋକ ତାଙ୍କର ସମ୍ପତ୍ତି ଜଗିବା ପାଇଁ ପହରାବାଲା ରଖିବା ଭଳି ଦେଶରକ୍ଷା ପାଇଁ ଦରମାଖିଆ ସୈନିକ ଅଛନ୍ତି, ସେହି ଲଢ଼ିବେ ଓ ମରିବେ, ଆମକୁ ଖଜଣା ଗଣ୍ଡାକ ଦେବାଛଡ଼ା ଆଉ କିଛି କରିବାକୁ ହେବନାହିଁ, ଆମେ ନିଜେ ବା ଆମ ପୁଅ ପୁତୁରାଙ୍କୁ ହାଣ ମୁହଁକୁ ଯିବାକୁ ହେବ ନାହିଁ, ଏହି ଧରଣର ସାଆନ୍ତିଆ ଧାରଣା ଆମ ଦେଶର ଅଧିକାଂଶ ଲୋକଙ୍କଠାରେ ରହିଛି । ସେଇଥିପାଇଁ ହିଂସାକୁ ବ୍ୟବହାର୍ଯ୍ୟ ଓ ଅହିଂସାକୁ ଅବ୍ୟବହାର୍ଯ୍ୟ ମନେ କରାଯାଉଛି । ମାତ୍ର ଦୁନିଆକୁ ଆଖି ପକେଇବା ତ ଦେଖିବା ଅନ୍ୟାନ୍ୟ ଦେଶର କୋଟି କୋଟି ସାଧାରଣ ଲୋକ ସ୍ୱାଧୀନତା, ଦେଶରକ୍ଷା ବା ବିପ୍ଳବ ପାଇଁ କେତେ ତ୍ୟାଗ ଓ କଷ୍ଟ ସହୁଛନ୍ତି । କେତେ ବୀରତ୍ୱ ଦେଖାଇ ପ୍ରାଣବଳି ଦେଉଛନ୍ତି । ବୀରତ୍ୱ ଓ ତ୍ୟାଗର ମହିମା ହିଂସା ବାଟରେ ବି ଯେ ବୁଝିଥିବ ତାହା ପକ୍ଷରେ ଅହିଂସା କଠିନ ହେବ ନାହିଁ । ସେଥିପାଇଁ ଗାନ୍ଧିଜୀ ବୀରର ଅହିଂସାର କଥା କହୁଥିଲେ । କାପୁରୁଷ ବା ଭୀରୁ ପ୍ରକୃତ ଅହିଂସା ଆଚରଣ କରିପାରେ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ ।

 

ସତ୍ୟାଗ୍ରହୀର କଷ୍ଟ ସହିଷ୍ଣୁତା ଓ ତ୍ୟାଗର ଶକ୍ତି ବିଷୟରେ ଗାନ୍ଧିଜୀଙ୍କ ମତର ଉଲ୍ଲେଖ କରି ସାରିଛୁ । ଏ ବିଷୟରେ ସେ ଆଉଠାଏ ଲେଖିଛନ୍ତି—

 

‘‘କଷଣର ଅଗ୍ନି ପରୀକ୍ଷାରେ ଶୁଦ୍ଧ ନ ହେଲା ଯାଏ କୌଣସି ଦେଶ କେବେ ଉପରକୁ ଉଠି ନାହିଁ । ପିଲାଙ୍କୁ ବଞ୍ଚାଇବା ପାଇଁ ମା କଷ୍ଟ ସହେ । ଗହମର ବିହନଟି ନାଶ ପାଇଲେ ଯାଇ ଗହମ ଗଛ ଉଠେ । ମୃତ୍ୟୁ ଗର୍ଭରୁ ଜୀବନର ଜନ୍ମ ହୁଏ । କଣ କଷଣ ଦ୍ୱାରା ଶୁଦ୍ଧିଲାଭର ଏହି ଶାଶ୍ୱତ ନିୟମକୁ ପୂରଣ ନ କରି ଭାରତ ତାର ଦାସତ୍ୱ ଶୃଙ୍ଖଳରୁ ମୁକ୍ତ ହୋଇଯିବ ?’’ (ୟଂ ଇଣ୍ଡିଆ, ୧୬ । ୬ । ୨୦)

 

ସତ୍ୟାଗ୍ରହୀର ସତ୍ୟ ଓ ଅହିଂସା ପ୍ରତି ଅଟଳ ନିଷ୍ଠା ରହିଥିବା ଚାହିଁ ଏ ବିଷୟରେ ଅଧିକ ଚର୍ଚ୍ଚା ନିଷ୍ପ୍ରୟୋଜନ । ଅହିଂସା ନିଷ୍ଠାର ଅନ୍ୟ ନାମ ହେଲା ପ୍ରେମର ଶକ୍ତିର ଆସ୍ଥା । କାରଣ ସତ୍ୟାଗ୍ରହର ଶକ୍ତି ବାସ୍ତବରେ ପ୍ରେମର ହିଁ ଶକ୍ତି । ସତ୍ୟାଗ୍ରହୀର ହୃଦୟରେ ତାର ବିରୋଧୀ ପ୍ରତି ସଦ୍ଭାବ ହିଁ ଶେଷ ପର୍ଯ୍ୟନ୍ତ ବିରୋଧୀର ଆଚରଣକୁ ବଦଳାଇବାରେ ସମର୍ଥ ହୁଏ । ପ୍ରେମର ଏ ମୌଳିକ ଗୁଣ ଓ ତାର ଅମୋଘ ଶକ୍ତି ବିଷୟରେ ଗାନ୍ଧିଜୀ ଲେଖିଛନ୍ତି—

 

‘‘ମୁଁ ଦେଖିଛି ଯେ ଧ୍ୱଂସ ଭିତରେ ମଧ୍ୟ ଜୀବନ ତିଷ୍ଠି ରହେ ଓ ତେଣୁ ଧ୍ୱଂସର ନିୟମ ଅପେକ୍ଷା ଏକ ଉଚ୍ଚତର ନିୟମ ଅବଶ୍ୟ ଥିବ । ଏହି ନିୟମ ଅଧୀନରେ ହିଁ ଏକ ସୁବ୍ୟବସ୍ଥିତ ସମାଜର ଅସ୍ଥିତ୍ୱ ବୋଧଗମ୍ୟ ହେବ ଓ ବଞ୍ଚିବାରେ କିଛି ମୂଲ୍ୟ ରହିବ ଏବଂ ଜୀବନର ଯଦି ଏହାହିଁ ନିୟମ ହୁଏ ତେବେ ଆମେ ଦୈନନ୍ଦିନ ଜୀବନରେ ଏହାକୁ ପ୍ରୟୋଗ କରିବାର ଉପାୟ ବାହାର କରିବା ଚାହିଁ । ଯେଉଁଠି ଆପଣ ବାଧା ପାଇବେ, ଯେଉଁଠି ଆପଣ ବିରୋଧୀର ସମ୍ମୁଖୀନ ହେବେ, ସେଠି ତାକୁ ପ୍ରେମଦ୍ୱାରା ଜୟ କରନ୍ତୁ । ଏହାକୁ ଖୁବ୍‍ ସ୍ଥୂଳ ଭାବରେ ମୋ ଜୀବନରେ ପ୍ରୟୋଗ କରିପାରିଛି । ଏହାର ଅର୍ଥ ନୁହେଁ ଯେ ମୋର ସବୁ କଠିନତାର ସମାଧାନ ହୋଇ ସାରିଛି । ତେବେ ମୁଁ ଦେଖିଛି ଯେ ଏ ପ୍ରେମର ନିୟମ ବା ପନ୍ଥା ଯେପରି କାମ ଦେଖାଇଛି ସେପରି ଧ୍ୱଂସର ନିୟମ କଦାପି ଦେଖାଇ ପାରେ ନାହିଁ ।

 

‘‘ପ୍ରେମର ନିୟମ ଠିକ୍‍ ମାଧ୍ୟାକର୍ଷଣର ନିୟମ ଭଳି କାମ କରି ଚାଲିବ । ଆମେ ତାକୁ ସ୍ୱୀକାର କରୁ ବା ନ କରୁଁ । ଯେପରି ବୈଜ୍ଞାନିକ ପ୍ରକୃତିର ନିୟମର ନାନା ପ୍ରକାର ପ୍ରୟୋଗ କରି ନାନରୂପ ବିସ୍ମୟକର କାର୍ଯ୍ୟ କରିପାରେ ସେହିପରି ପ୍ରେମର ନିୟମକୁ ବୈଜ୍ଞାନିକ ନିର୍ଭୁଲତାର ସହିତ ପ୍ରୟୋଗ କରୁଥିବା ବ୍ୟକ୍ତି ମଧ୍ୟ ବିସ୍ମୟକର କାର୍ଯ୍ୟ କରିପାରେ । କାରଣ ଅହିଂସାର ବଳ, ଧରନ୍ତୁ ବିଜୁଳୀ ଶକ୍ତି ପରି, ପ୍ରକୃତିର ଜଡ଼ ଶକ୍ତି ସମୂହଠାରୁ ଅନନ୍ତ ଗୁଣରେ ଅଧିକ ବିସ୍ମୟଜନକ ଓ ସୂକ୍ଷ୍ମ । ଯେଉଁମାନେ ପ୍ରେମର ନିୟମ ଆବିଷ୍କାର କରି ଆମକୁ ଦେଇ ଯାଇଛନ୍ତି ସେମାନେ ଆମର ଆଧୁନିକ ବୈଜ୍ଞାନିକମାନଙ୍କଠାରୁ ଢେର ବଡ଼ ବୈଜ୍ଞାନିକ ଥିଲେ । କେବଳ ଏ ଶକ୍ତିର ଯଥେଷ୍ଟ ଗବେଷଣା ହୋଇନାହିଁ ଓ ତେଣୁ ସମସ୍ତଙ୍କ ପକ୍ଷରେ ତାର ସମସ୍ତ କ୍ରିୟାଶୀଳତା ଦେଖିପାରିବା ସମ୍ଭବ ହେଉ ନାହିଁ ।’’ (The Nation's voice II, ପୃ ୧୦୯-୧୦)

 

ବିନୋବାଜୀ ଏହି ପ୍ରେମକୁ ପ୍ରତିରୋଧୀ ପ୍ରେମ ଆଖ୍ୟା ଦେଇଛନ୍ତି । ତାଙ୍କ କହିବା ମତେ ପ୍ରେମ ଦୁଇ ପ୍ରକାର ଅନୁରୋଧୀ ଓ ପ୍ରତିରୋଧୀ । ‘‘ଅନ୍ୟଲୋକ ମୋତେ ଭଲ ପାଇଲେ ମୁଁ ତାକୁ ଭଲ ପାଇବି, ଏ ହେଲା ଅନୁରୋଧୀ ପ୍ରେମ । ଏହି ପ୍ରତିକ୍ରିୟାରୂପୀ ପ୍ରେମରେ ଆତ୍ମାର କୌଣସି ଶକ୍ତି ପ୍ରକଟ ହୁଏ ନାହିଁ । ଏଭଳି ପ୍ରେମ ପଙ୍ଗୁଠାରେ ବି ଥାଏ । ଗାଈ ଓ କୁକୁର ବୁଝି ପାରନ୍ତି ଯେ, ଏ ଲୋକ ଆମକୁ ଭଲ ପାଉଛି ଓ ତେଣୁ ପ୍ରେମର ଉତ୍ତର ପ୍ରେମ ଦ୍ୱାରା ଦିଅନ୍ତି । ମାତ୍ର ପ୍ରତିରୋଧୀ ପ୍ରେମରେ ଯଦି କେହି ଆମ ଶତ୍ରୁତା ବା ଦ୍ୱେଷଭାବ ଘୋଷଣା କରୁଥାଏ ତେବେ ତାହା ପ୍ରତି ବି ପ୍ରେମଭାବ ରଖିବାକୁ ପଡ଼େ । ଏ ପ୍ରେମକୁ ‘ସ୍ନେହ’ କୁହାଯାଏ । ଯେଉଁଠି ସଂଘର୍ଷ ଘଟୁଥିବ, ତାକୁ ସେଠି ଲଗାଇଲେ ସାରା ଦୁନିଆରେ ଶୀତଳତା ଜନ୍ମାଇବ, ଏପରି ପ୍ରେମ । ଦ୍ୱେଷକାରୀ ଉପରେ ମଧ୍ୟ ଯେ ଆକ୍ରମଣ କରେ ତାକୁ ‘ପ୍ରତିରୋଧୀ’ ପ୍ରେମ କୁହାଯାଏ । ପଚାରି ପାରନ୍ତି ଯେ ସାଧାରଣ ଲୋକ ପକ୍ଷରେ କଣ ଏହା ସମ୍ଭବ । ମୁଁ କହିବାକୁ ଚାହେଁ ଯେ ହିଁ ପୂରାପୂରି ସମ୍ଭବ ।

‘‘କାର୍ଲମାର୍କସ ଆମକୁ ଏକ ବଡ଼ କଥା ଶିଖାଇଛନ୍ତି ଯେ ଦୁନିଆରେ କେତେକ ଗୁଣ ଓ ପ୍ରକ୍ରିୟାର ଉଦ୍ଭବ ଐତିହାସିକ ଆବଶ୍ୟକତାରୁ ହୁଏ । ପ୍ରତିରୋଧୀ ପ୍ରେମ ଏ ଯୁଗର ଦାଗୀ ।’’ (ପଣ୍ଢରପୁର ସର୍ବୋଦୟ ସମ୍ମିଳନୀରେ ଭାଷଣ ୩୦ । ୫ । ୫୮)

ସ୍ୱାଧୀନତା ପୂର୍ବରୁ ଚାକିରି ଓ ଆସନର ଭାଗବଣ୍ଟା ନେଇ ହିନ୍ଦୁ ଓ ମୁସଲମାନ ନେତାମାନଙ୍କ ଭିତରେ ଟଣା ଓଟରା ଲାଗିଥିବା ବେଳେ ଗାନ୍ଧିଜୀ ହିନ୍ଦୁମାନଙ୍କୁ ମୁସଲମାନଙ୍କ ଦାବି ମାଗିନେଇ ‘ପୂର୍ଣ୍ଣ ସମର୍ପଣ’ କରିବାର ପରାମର୍ଶ ଦେଇଥିଲେ । ଏହାର ଆଲୋଚନା ‘ବିଧାୟକ ସତ୍ୟାଗ୍ରହ’ ଅଧ୍ୟାୟରେ କରାଯାଇଛି । ହିନ୍ଦୁମାନେ ଏପରି କରିଥିଲେ ଏହା ମଧ୍ୟ ପ୍ରତିରୋଧୀ ପ୍ରେମର ଏକ ଅଭିବ୍ୟକ୍ତ ହୋଇଥାନ୍ତା ।

ଏବେ ମନୁଷ୍ୟ ଓ ପ୍ରାଣୀ ଜୀବନରେ ପ୍ରେମର ମହତ୍ତ୍ୱ ଓ ତାର ଶକ୍ତି ବିଷୟରେ ବୈଜ୍ଞାନିକ ଗବେଷଣା ଦ୍ୱାରା ବହୁ ତଥ୍ୟ ସଂଗୃହୀତ ହୋଇଛି । ଏସବୁ ତଥ୍ୟକୁ ଆଲୋଚନା କରି ତାହା ଭିତରୁ ମାନବ ଜୀବନର ଏକ ନିୟମକୁ ରୂପରେଖ ଦେବାର ଚେଷ୍ଟା ବିଶିଷ୍ଟ ସମାଜ ବୈଜ୍ଞାନିକ ଏରିକି ପ୍ରଂମ୍‍ (୧) ଓ ନୂତତ୍ତ୍ୱବିତ୍‍ ଏଶ୍‍ଲି-ମଣ୍ଟେଗୁ (୨) କରିଛନ୍ତି । ଉଭୟେ ପ୍ରେମକୁ ଜୀବନର ମୂଳଗତ ନିୟମ ବା ଆଧାର ବୋଲି ବୈଜ୍ଞାନିକ ଗବେଷଣା ଲବ୍ଧ ପ୍ରମାଣର ଭିତ୍ତିରେ ସାବ୍ୟସ୍ତ କରିଛନ୍ତି । ଏସବୁରେ କିଛି କିଛି ଚର୍ଚ୍ଚା ପରବର୍ତ୍ତୀ ଅଧ୍ୟାୟମାନଙ୍କରେ କରାଯିବ । ସତ୍ୟାଗ୍ରହର ସର୍ବଶ୍ରେଷ୍ଠ ଓ ସର୍ବୋତ୍ତମ ଗୁଣ ହେଲା ଆତ୍ମସମୀକ୍ଷା କରିବାର ଶକ୍ତି । ଯେ ନିଜକୁ ନିଜର ବିଚାର ଓ କର୍ମରୁ ଅଲଗା କରିନେଇ ଏସବୁକୁ ଅନାସକ୍ତ ଭାବରେ ପର୍ଯ୍ୟାଲୋଚନା କରି ସେ ସବୁଥିରେ ଥିବା ଦୋଷତ୍ରୁଟି ଓ ଅପୂର୍ଣ୍ଣତାକୁ ବାରି ପାରୁଥିବେ । ସେ କହିଛନ୍ତି—

1.

The Art of Living-Fromm

2.

The Directions of Human Development-Achley Montagu

‘‘ଯେ ନିଜକୁ ସତ୍ୟାଗ୍ରହୀ ବୋଲି ଦାବି କରେ ସେ ସର୍ବଦା ତୀକ୍ଷଣ ଓ ପ୍ରାର୍ଥନାଯୁକ୍ତ ଆତ୍ମନିରୀକ୍ଷଣ ଓ ଆତ୍ମବିଶ୍ଳେଷଣ ଦ୍ୱାରା ଏହା ଜାଣିବାକୁ ଚେଷ୍ଟା କରିବ ଯେ ସେ କ୍ରୋଧ, ଅସୂୟା ଓ ସେହିପରି ଅନ୍ୟ ମନୁଷ୍ୟସୁଲଭ ଦୁର୍ବଳତାରୁ ମୁକ୍ତ କି ନୁହେଁ ଓ ସେ ଯେଉଁ ସବୁ ମନ୍ଦତା ବିରୋଧରେ ଅଭିଯାନ ଚଳାଇବାକୁ ଚାହେଁ ସେହିସବୁ ମନ୍ଦତାରେ ସେ ନିଜେ ପଡ଼ିଯାଇ ପାରେ କି ନାହିଁ । ଆତ୍ମଶୁଦ୍ଧି ତପଶ୍ଚର୍ଯ୍ୟାରେ ହିଁ ସତ୍ୟାଗ୍ରହୀର ଅଧେ ବିଜୟ ରହିଛି ।’’ (ୟଂ ଇଣ୍ଡିଆ, ୮-୮-୨୯)

ସତ୍ୟନିଷ୍ଠାର ଦୁଇଟି ବଡ଼ ବିଭାବ—ସତ୍ୟ ପ୍ରତି ଆଗ୍ରହ ଓ ସତ୍ୟ ଗ୍ରହଣର ଶକ୍ତି—ସତ୍ୟାଗ୍ରହୀତ୍ୱ ଓ ସତ୍ୟାଗ୍ରହୀତ୍ୱ—ବିଷୟରେ ଅନ୍ୟ ଅଧ୍ୟାୟରେ ବିଶଦ ଆଲୋଚନା କରାଯାଇଛି । ସତ୍ୟନିଷ୍ଠା ସହିତ ସମ୍ପୃକ୍ତ ଆଉ ଏକ ବିଶିଷ୍ଟ ଗୁଣ ଅନାସକ୍ତି ।

ଅନାସକ୍ତି ଯୋଗ ହିଁ ଗୀତାର ଶ୍ରେଷ୍ଠ ଶିକ୍ଷା ବୋଲି ଗାନ୍ଧିଜୀ ବିଚାରୁ ଥିଲେ ଓ ଦ୍ଵିତୀୟ ଅଧ୍ୟାୟର ଶେଷ ଅଠରଟି ଶ୍ଳୋକରେ ଥିବା ସ୍ଥିତପ୍ରଜ୍ଞ ଲକ୍ଷଣକୁ ନିଜର ଦୈନିକ ସାନ୍ଧ୍ୟ ପ୍ରାର୍ଥନାରେ ପ୍ରଧାନ ସ୍ଥାନ ଦେଇଥିଲେ । ବୁଦ୍ଧି ବା ପ୍ରଜ୍ଞା ଯଦି ସ୍ଥିର ବା ଅବିଚଳିତ ନ ରହିବ, ଯଦି ତାହା କାମ କ୍ରୋଧ ବା ଅନ୍ୟ ପ୍ରକାରର ମାନସିକ ଉତ୍ତେଜନା ବା କ୍ଷୋଭ ଦ୍ୱାରା ପ୍ରଭାବିତ ହୋଇଯିବ ତେବେ ତାହା ଫଳରେ କେବଳ ଜଟିଳ ଓ ସଙ୍ଗୀନ ପରିସ୍ଥିତିରେ କାହିଁକି ସାଧାରଣ ପରିସ୍ଥିତିରେ ମଧ୍ୟ, ମଣିଷ ଭୁଲ୍‍ ନିର୍ଣ୍ଣୟ କରି ବସିବ । ସେଥିପାଇଁ ଗୀତାରେ ପରା କୁହାଯାଇଛି––

 

ଦୁଃଖରେ ନାହିଁ ଉଦବେଗ ସୁଖରେ ନାହିଁ ଅନୁରାଗ

ଛାଡ଼େ ଯେ ତୃଷ୍ଣା, ଭୟ, କ୍ରୋଧ, ସ୍ଥିତଧିମୁନି ସେ ପ୍ରସିଦ୍ଧ ।

 

ଏଠି ଗୀତାରେ ‘ମୁନି’ ଶବ୍ଦର ବ୍ୟବହାର ଯୋଗୁଁ ସାଧାରଣ ଲୋକଙ୍କ ମନରେ ଭୟ ଜନ୍ମିବ ଯେ ଏସବୁ ଅତି ଉଚ୍ଚ ସ୍ତରର କାରବାରର କଥା । ମାତ୍ର ବିନୋବାଜୀ ଏହି ସ୍ଥିତପ୍ରଜ୍ଞତାକୁ ‘ଅକ୍ଷୋଭ ଚିନ୍ତନ’ ନାମ ଦେଇଛନ୍ତି ଓ ବର୍ତ୍ତମାନ ଯୁଗରେ ଏହାର ସାର୍ବଭୌମ୍ୟ ଆବଶ୍ୟକତା ନିମ୍ନମତେ ବୁଝାଇଛନ୍ତି––

 

‘‘ପୂର୍ବକାଳର ଯୁଦ୍ଧର ଫଟୋ ନିଆଯାଇଥାନ୍ତା ତ ଦେଖାଯାନ୍ତା ଯେ ଖଣ୍ଡାଧାରୀ ହଣାକଣା କରୁଥିବା ଯୋଦ୍ଧାମାନଙ୍କର ମୁହଁ କ୍ରୋଧ, ଦ୍ୱେଷ ଆଦି କ୍ଷୋଭରେ କିଭଳି ବିକୃତ ହୋଇଛି-। ମାତ୍ର ଏ ଯୁଗର ଉଡ଼ାଜାହାଜରୁ ବୋମା ପକାଉଥିବା, ଆର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ନିକ୍ଷେପ କରୁଥିବା, ଯୋଦ୍ଧାକୁ ଦେଖାଯାଉ । ତାର ମନ ଏକଦମ ଶାନ୍ତି ରହିଥିବ । କାରଣ ଖୁବ୍‍ ସୂକ୍ଷ୍ମ ହିସାବ କରି ତାକୁ ଅସ୍ତ୍ର ନିକ୍ଷେପ କରିବାକୁ ହେବ । ଟିକିଏ ଭୁଲ ହୋଇଗଲେ ଅସ୍ତ୍ର ଏଠି ନ ପଡ଼ି ସେଠି ପଡ଼ିବ । ତେଣୁ ତାହା ମନରେ ତିଳେ ହେଲେ କ୍ଷୋଭ ରହିଲେ ଚଳିବ ନାହିଁ । ଏହିରୂପେ ଆଜି କେବଳ ଅହିଂସା କ୍ଷେତ୍ରରେ ନୁହେଁ, ଜୀବନର ସବୁ କ୍ଷେତ୍ରରେ, ହିଂସାତ୍ମକ ଯୁଦ୍ଧରେ ବି ଅକ୍ଷୋଭ ବୃତ୍ତି ଏକାନ୍ତ ଆବଶ୍ୟକ ହେଲାଣି । ଏହା ଯୁଗର ଦାବି ।’’ (ଲେଖକ ସହ ଆଲୋଚନା ତା ୧୦.୧୨.୬୮)

 

ବାସ୍ତବରେ ଆଜିକାଲି ସୈନ୍ୟବାହିନୀରେ ପରମାଣୁ ବୋମା, କ୍ଷେପଣାସ୍ତ୍ର ଆଦି ଯୋଗୁଁ ଦାୟିତ୍ୱବୋଧ ଓ ଧୀରବୁଦ୍ଧିର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଆମେରିକା ପ୍ରଭୃତି ଦେଶର ଏସବୁ ଦାୟିତ୍ୱ ଲୋକ ବାଛିଲାବେଳେ ସେମାନଙ୍କର ପାରିବାରିକ ଇତିହାସ, ପରିବାରର ପରିସ୍ଥିତି ପ୍ରଭୃତି ଦେଖାଯାଉଛି ଓ ମାନସିକ ପରୀକ୍ଷା କରାଯାଉଛି । କାରଣ ଯଦି ଧରନ୍ତୁ ତାର ସ୍ତ୍ରୀ ସହିତ ବନୁ ନ ଥିବ ଓ ସେଥିପାଇଁ ସେ ତାର ମନ ବିଚଳିତ ରହୁଥିବ ତେବେ ସେ ସେହି କ୍ଷୁବ୍‍ଧ ମାନସିକ ସ୍ଥିତିରେ କୌଣସି ଆଦେଶ ବା ସଙ୍କେତର ଭୁଲ ଅର୍ଥ କରିପାରେ ଓ ଗୁରୁତର ଧ୍ୱଂସଲୀଳା ଘଟାଇପାରେ ।

 

ବିନୟ ବା ନମ୍ରତାକୁ ମଧ୍ୟ ଗାନ୍ଧିଜୀ ସତ୍ୟାଗ୍ରହର ଆଉ ଏକ ଆବଶ୍ୟକ ଗୁଣ ରୂପେ ନିର୍ଦ୍ଧିଷ୍ଟ କରିଛନ୍ତି । ସତ୍ୟର ସନ୍ଧାନ ପାଇବା ପାଇଁ ନମ୍ରତା ଲୋଡ଼ା । ମୁଁ ସବୁ ଜାଣେ, ମୁଁ ସବୁ କରିପାରେ, ମୋତେ ଅଜଣା କିଛି ନାହିଁ, ମୁଁ ନ କରିପାରେ ଏଭଳି କାମ ନାହିଁ, ଏଭଳି ଅହଙ୍କାର ଯାହା ମନରେ ଥିବ । ସେ ନିଶ୍ଚୟ ଦଗା ପାଇବ । ଏ ବିଷୟରେ ଗାନ୍ଧିଜୀ ଲେଖିଥିଲେ—

 

‘‘ଅହିଂସା ବୃତ୍ତି ସ୍ଵଭାବତଃ ନମ୍ରତା ଆଡ଼କୁ ନେଇ ଯାଏ । ଅହିଂସା ଅର୍ଥ ସେହି ଶାଶ୍ୱତ ଆଧାର ଭଗବାନଙ୍କଠାରେ ଆସ୍ଥା । ଆମେ ତାଙ୍କର ସାହାଯ୍ୟ ଚାହିଁବା ତ ନମ୍ର ଓ ପଶ୍ଚାତ୍ତାପଯୁକ୍ତ ହୃଦୟ ନେଇ ତାଙ୍କ ପାଖକୁ ଯିବା । କଂଗ୍ରେସରେ ଅସହଯୋଗର ସମର୍ଥକମାନେ ଯେଉଁ ବିସ୍ମୟଜନକ ସାଫଲ୍ୟ ଲାଭ କଲେ ତାକୁ ସେମାନେ ଭଙ୍ଗେଇ ଖାଇଲେ ଚଳିବ ନାହିଁ । ଫଳ ଲାଭରେ ଆମ୍ରତରୁ ଯେପରି ଅବନତ ହୁଏ ଆମେ ସେହିପରି ହେବା । ତାହାର ମହାନୀୟତା ତାହାର ରାଜୋଚିତ ବିନମ୍ରତାରେ ହିଁ ରହିଛି ।’’ (ୟଂ ଇଣ୍ଡିଆ ୧୨.୧.୨୧)

 

ଆମ ଦେଶରେ ତଥା ଦୁନିଆରେ ସର୍ବତ୍ର, ସାମନ୍ତବାଦୀ ଯୁଗରେ ନମ୍ରତାର ବା ବିନୟର ଅର୍ଥ ଥିଲା ରାଜନ୍ୟ ବର୍ଗ, ତଥାକଥିତ ଉଚ୍ଚ କୁଳ ବା ଉଚ୍ଚ ବର୍ଣ୍ଣ, ଜମି ମାଲିକ ଶ୍ରେଣୀ ଆଦିଙ୍କ ଆଗରେ ନିଉନ ହୋଇ ରହିବା, ସେମାନଙ୍କୁ ଅଣ୍ଟାଭାଙ୍ଗି ଦଣ୍ଡବତ ହେବା, ଗାଳି ମନ୍ଦ ଶୁଣିଲେ କୃତ୍ରିମ ହସରେ ଦାନ୍ତ ନିକୁଟି ଆଜ୍ଞା ଅବଧାନ କହୁଥିବା ଇତ୍ୟାଦି । ଇଂରେଜ ସାମ୍ରାଜ୍ୟବାଦ ଯୁଗରେ ମଧ୍ୟ ସେହି ଦାନ୍ତ ନିକୁଟା କାପୁରୁଷତାକୁ ବିନୟ ବୋଲି ମନେ କରାଯାଉ ଥିଲା । ଗାନ୍ଧିଜୀ ଏହାକୁ ଭାଙ୍ଗିବାକୁ ଚାହୁଁଥିଲେ । ସେ ସାବରମତୀରେ ସତ୍ୟାଗ୍ରହ ଆଶ୍ରମ ସ୍ଥାପନ କରିବା ବେଳେ ତାହା ନିମନ୍ତେ ଗଢ଼ିଥିବା ନିୟମାବଳୀର ଏକ ଚିଠା ଦେଶର କେତେ ବିଶିଷ୍ଟ ଲୋକଙ୍କଠାରୁ ମତାମତ ପାଇଁ ପଠାଇ ଥିଲେ । ଜଣେ ମତ ଦେଲେ ଯେ ବିନୟକୁ ଆଶ୍ରମର ଏକ ନିୟମ ରୂପେ ରଖାଯାଉ । ଗାନ୍ଧିଜୀ ଏହାର ଜବାବରେ ଲେଖିଥିଲେ ଯେ ବିନୟକୁ ବାହାରୁ ଏକ ନିୟମ ରୂପେ ଲଦିଲେ ତାହା ଭଣ୍ଡାମି ବା ମିଥ୍ୟାଚାରକୁ ହିଁ ଜନ୍ମଦେବ । ଏହା ଅନ୍ତରରୁ ସ୍ୱତଃସ୍ଫୁର୍ତ୍ତ ଭାବରେ ପ୍ରକାଶିତ ହେବା ଚାହିଁ । (ଆତ୍ମକଥା) ।

 

ଭୟ ବା ନ୍ୟୂନଭାବ ଯୋଗୁଁ ନୁହେଁ, ମାତ୍ର ପ୍ରତ୍ୟେକ ମନୁଷ୍ୟ ଏପରି କି ପ୍ରାଣୀର ଜୀବନ ଓ କୃତି, ସୁଖଦୁଃଖ ଆଚାରବିଚାରର ପ୍ରତି ଏକ ଆଦର ମନୋଭାବରୁ ହିଁ ବାସ୍ତବ ନମ୍ରତା ଜନ୍ମିଥାଏ-। ସତ୍ୟର ଝଲକ କେଉଁଠି କେତେବେଳେ କାହା କଥାରେ ବା କୃତିରେ ଦିଶିଯିବ ସେଥିପାଇଁ ସତତ ଜାଗରୁକତା ଏଭଳି ନମ୍ରତା ଯୋଗୁଁ ହିଁ ସମ୍ଭବ ହୁଏ । ଏ ଯୁଗର ବୈଜ୍ଞାନିକଙ୍କର ସାଧନାରେ ମଧ୍ୟ ଜାଗରୁକତା ଓ ନମ୍ରତା ପରିଲକ୍ଷିତ ହୁଏ । ଜଣେ ବୈଜ୍ଞାନିକ ଆଜୀବନ ଗବେଷଣା କରି ଗୋଟିଏ ସିଦ୍ଧାନ୍ତ ପ୍ରତିପାଦିତ କରିଛନ୍ତି । ଆଉ ଜଣେ ତାଙ୍କର ନାତି ବୟସର ଯୁବକ ବୈଜ୍ଞାନିକ ଆସି ନୂତନ ତଥ୍ୟ ପ୍ରମାଣ ଦେଇ ସେ ସିଦ୍ଧାନ୍ତକୁ କାଟିବାକୁ ବସିଲେ । ଆମ ପ୍ରବୀଣ ବୈଜ୍ଞାନିକ ଏ ନୂତନ ପ୍ରତିପାଦନକୁ ଆଦର ଓ ନମ୍ରତାର ସହିତ ପର୍ଯ୍ୟାଲୋଚନା କରି ଦେଖିବେ । ନିଜର ବୟସର ପ୍ରଭୂତ୍ୱତା ଓ ଦାବିର ଦୈର୍ଘ୍ୟର ଦ୍ୱାହି ଦେଇ ତାକୁ ଅବଜ୍ଞା କରି ପାରିବେ ନାହିଁ ।

 

ସହିଷ୍ଣୁତା ଏହି ନମ୍ରତା ଓ ଆଦର ଭାବର ଅନ୍ୟ ପିଠି । ଅନ୍ୟର ଚିନ୍ତାଧାରା ଓ କାର୍ଯ୍ୟକଳାପ ପ୍ରତି ସହିଷ୍ଣୁତାର ଭାବ ନ ରହିଲେ ଗଣତାନ୍ତ୍ରିକ, ସଭ୍ୟ ଓ ଶାନ୍ତିମୟ ନାଗରିକ ଜୀବନ ସମ୍ଭବହିଁ ହେବ ନାହିଁ । ଏହାର ଆଉ ଏକ ବିଭାବ ବିଷୟରେ ଗାନ୍ଧିଜୀ ଏକ ଭାଷଣରେ କହିଥିଲେ—

 

‘‘ରାଷ୍ଟ୍ରର ଅନେକ ଆଇନ ଆମକୁ ଅସୁବିଧା ଜନକ ବୋଧ ହେଲେ ମଧ୍ୟ ତାହା ମାନିବାକୁ ପଡ଼ିବ । ପୁଅ ବାପର କେତେ ଆଦେଶକୁ ପସନ୍ଦ ନ କଲେ ବି ମାନିଥାଏ । ଯେତେବେଳେ ଏଭଳି ଆଦେଶ ସହ୍ୟ କରିବାର ଅଯୋଗ୍ୟ ଓ ଅନୈତିକ ହୋଇପଡ଼େ ସେତେବେଳେ ଯାଇ ସେ ତାହା ଅମାନ୍ୟ କରେ । ବାପ ତୁରନ୍ତ ତାହାର ଏ ସମ୍ମାନଯୁକ୍ତ ଅବମାନନାର ମହତ୍ତ୍ୱ ଉପଲବ୍ଧି କରିପାରେ । ସେହିପରି ଯେତେବେଳେ ଲୋକେ ରାଷ୍ଟ୍ରର ନାନାବିଧ ଆଇନକୁ ପାଳନ କରି ତାହା ପ୍ରତି ନିଜର ସକ୍ରିୟ ଅନୁରକ୍ତିର ନିଦର୍ଶନ ଦିଅନ୍ତି ସେତେବେଳେ ଯାଇ ସେମାନଙ୍କର ଆଇନ ଅମାନ୍ୟ କରିବାର ଅଧିକାର ଉପୁଜେ ।’’ (ୟଂ ଇଣ୍ଡିଆ ୮.୧.୨୫) ।

 

ଏହାଛଡ଼ା କୌଣସି ବ୍ୟାପକ ଗଣ ଆନ୍ଦୋଳନ ସୁଶୃଙ୍ଖଳ ଭାବରେ ପରିଚାଳନା କରାଯିବା ପାଇଁ ସେଥିରେ ନିୟମାନୁବର୍ତ୍ତିତା ରହିବ ଏକାନ୍ତ ଆବଶ୍ୟକ । ହିଂସାତ୍ମକ ଯୁଦ୍ଧରେ ଏଭଳି ଶୃଙ୍ଖଳା ବାହାରୁ ଲଦି ଦିଆଯାଇ ଥାଏ ଓ ତାହାର ଅବମାନନା ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ଥାଏ । ମାତ୍ର ଅହିଂସ ଆନ୍ଦୋଳନରେ ଏ ଶୃଙ୍ଖଳାଜ୍ଞାନ ସ୍ୱତଃସ୍ଫୂର୍ତ୍ତ ହେବା ଓ ନିୟମାନୁବର୍ତ୍ତୀତା ସ୍ଵେଚ୍ଛାରେ ସ୍ୱୀକୃତ ହେବା ଚାହିଁ । ଏହାର ଆବଶ୍ୟକତା ବିଷୟରେ ସେ ଲେଖିଥିଲେ—

 

‘‘କୌଣସି ନିର୍ଦ୍ଦେଶ ବୁଦ୍ଧିକୁ ସନ୍ତୋଷ ନ ଦେଲେ ମଧ୍ୟ ତାହାକୁ ଉତ୍ସାହର ସହିତ ପାଳନ କରିବାରେ ହିଁ ପ୍ରକୃତ ଅନୁଶାସନ ରହିଛି । ସ୍ଵେଚ୍ଛାସେବକ ତାର ସେନାପତି ବାଛିବା ବେଳେ ନିଜର ବୁଦ୍ଧି ପ୍ରୟୋଗ କରିବାର କଥା । ମାତ୍ର ଥରେ ବାଛି ସାରିବା ପରେ ସେନାପତିର ଆଦେଶକୁ ସେ କାର୍ଯ୍ୟକାରୀ କରିବା ପୂର୍ବରୁ ପରଖି ବସି ଓ ବୁଦ୍ଧିର କଷଟିରେ ଯାଞ୍ଚ କରି ନିଜର ସମୟ ଓ ଶକ୍ତି ବରବାଦ କରିବ ନାହିଁ ।’’ (ହରିଜନ: ୩୦.୩.୪୦)

 

ପୁଣି ଆଉଠାଏ ସେ ଲେଖିଛନ୍ତି––

 

ମୁଁ ଆଜି ପର୍ଯ୍ୟନ୍ତ ଏପରି ସେନାପତି ଦେଖି ନାହିଁ ଯେ ତାଙ୍କର ସଂଗ୍ରାମର ଯୋଜନା ବାରମ୍ବାର ନ ବଦଳାଇଛନ୍ତି ଓ ତାଙ୍କର ଆଦେଶମାନଙ୍କରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ନ କରିଛନ୍ତି । ସାଧାରଣ ସୈନିକ ଏ ସବୁ ଯୋଜନାର କିଛି ଜାଣି ନ ଥାଏ । ବାସ୍ତବରେ ସେସବୁ ଖୁବ୍‍ ସାବଧାନରେ ଜଗି ରଖାଯାଇଥିବା ଗୁପ୍ତ ତଥ୍ୟ ଭାବରେ ଥାଏ ଓ ସେନାପତିଙ୍କ ଛଡ଼ା ଆଉ କାହାରିକୁ ଜଣା ନ ଥାଏ । ସେଥିପାଇଁ ଟେନିସନ୍‍ ଲେଖିଥିଲେ—‘ସେମାନଙ୍କର ଯୁକ୍ତିକରିବାର ନୁହେଁ, ଜବାବ ଦେବାର ନୁହେଁ, କେବଳ ମାତ୍ର କରିବା ଓ ମରିବା ସେମାନଙ୍କର କାମ ।’ ମାତ୍ର ଏ କଥା ସାଧାରଣ ଫୌଜ ଅପେକ୍ଷା ସତ୍ୟାଗ୍ରହୀ ଫୌଜ ପ୍ରତି ଅଧିକ ଯୋଗ୍ୟ ଭାବରେ ଖାଟିବ । କାରଣ ସାମରିକ ସେନାପତି ପ୍ରତିଦିନର ବଦଳୁଥିବା ପରିସ୍ଥିତିକୁ ଧ୍ୟାନରେ ରଖି ନିଜର ଯୋଜନା ବଦଳାଇ ପାରନ୍ତି । ଶତ୍ରୁପକ୍ଷର ବଦଳୁଥିବା ଗତିବିଧି ଉପରେ ସାମରିକ ରଣକୌଶଳ ନିର୍ଭର କରେ । ସତ୍ୟାଗ୍ରହୀ ସେନାପତିକୁ ଆପଣାର ଅନ୍ତରବାଣୀର ଅନୁସରଣ କରିବାକୁ ପଡ଼େ, କାରଣ ବାହାରର ପରିସ୍ଥିତି ଉପରନ୍ତୁ ସେ ନିଜର ଅନ୍ତରକୁ ମଧ୍ୟ ସତତ ନିରୀକ୍ଷଣ କରେ ଓ ଅନ୍ତରାତ୍ମାର ଆଦେଶକୁ କାନ ଡେରିଥାଏ । ମାତ୍ର ସତ୍ୟାଗ୍ରହ ଓ ହିଂସାତ୍ମକ ଯୁଦ୍ଧବିଗ୍ରହ ଉଭୟରେ ସାଧାରଣ ସୈନିକର ପରିସ୍ଥିତି ପ୍ରାୟ ସମାନ । ବିଶ୍ରାମ କଣ ତାହା ତାକୁ ଜଣା ନଥାଏ, ତାର ଗତିବିଧିର କିଛି ସ୍ଥିରତା ନଥାଏ । ତା ଆଗରେ ଏକମାତ୍ର ନିଶ୍ଚୟତା ଏତିକି ଥାଏ ଯେ ତାକୁ ଘୋର ବିପଦର ଏପରିକି ମୃତ୍ୟୁର ସମ୍ମୁଖୀନ ହେବାକୁ ହେବ । ଯୁଦ୍ଧ ବନ୍ଦ ଥିଲା ବେଳେ ମଧ୍ୟ ଅନୁଶାସନ ଓ ସେନାପତିର ଆଦେଶ ମାନିବାର ତାର ପ୍ରତିଜ୍ଞା ଲାଗୁରହେ । ମାତ୍ର ମୁଁ ଏଭଳି ଅନୁଶାସନ ଦାବି କରିନାହିଁ । ମୁଁ ବରାବର ମୋର ସହକର୍ମୀମାନଙ୍କର ହୃଦବୋଧ କରାଇବାର ଚେଷ୍ଟା କରିଛି, ସେମାନଙ୍କ ହୃଦୟ ଓ ବୁଦ୍ଧିର ସହଯୋଗ ପାଇବାକୁ ଉଦ୍ୟମ କରିଛି । ମୁଁ ଏହା ବରାବର କରିଚାଲିବି । ମାତ୍ର ଯେଉଁଠି ଆପଣ ବୁଝି ନ ପାରିବେ ସେଠି ଆସ୍ଥାଥିବା ଆବଶ୍ୟକ । ସାଧାରଣ ଯୁଦ୍ଧରେ ଜଣେ ସୈନିକ ଯୁକ୍ତି କରିପାରେ ନାହିଁ, ମାତ୍ର ଆମର ଯୁଦ୍ଧରେ ଯୁକ୍ତିତର୍କ ପାଇଁ ଯଥେଷ୍ଟ ଆବଶ୍ୟକତା ରହିଛି । ଆପଣଙ୍କ ହୃଦବୋଧ ହେବା ଯାଏ ଆପଣ ଯୁକ୍ତି କରନ୍ତୁ, ମାତ୍ର ଯଦି ହୃଦବୋଧ ନ ହେଲା, ତେବେ ତ ବିଶ୍ୱାସ ହିଁ ଭରସା’’ ହରିଜନ । (୧୦ । ୬ । ୩୯)

 

ମାତ୍ର ଏଭଳି ଅନୁଶାସନ ଦାବି କରିବା ସାଙ୍ଗେ ସାଙ୍ଗେ ସେ ସତ୍ୟାଗ୍ରହ ସଂଗ୍ରାମ ଚାଲିବା ବେଳେ ପ୍ରତ୍ୟେକଙ୍କୁ ନିଜେ ନିଜର ସେନାପତି ରୂପେ କାର୍ଯ୍ୟ କରିବା ପାଇଁ ମଧ୍ୟ ସୂଚନା ଦେଉଥିଲେ । କାହାରି ନିର୍ଦ୍ଦେଶକୁ ଅପେକ୍ଷା ନ ରଖି ସେମାନେ ପ୍ରତ୍ୟେକ ନିଜ ନିଜର ବିବେକର ନିର୍ଦ୍ଦେଶ ଅନୁସାରେ କାମ କରିବା ଉଚିତ ବୋଲି ତାଙ୍କର ଅନୁଜ୍ଞା ରହିଥିଲା । ଏହିରୂପେ ସ୍ୱତନ୍ତ୍ର ବିଚାର ଶକ୍ତିର ବିକାଶକୁ ସେ ପର୍ଯ୍ୟାପ୍ତ ମହତ୍ତ୍ୱ ଦେଉଥିଲେ ।

ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ଆନ୍ଦୋଳନ କରିବା ବେଳେ ଗାନ୍ଧିଜୀ ଜାଣୁଥିଲେ ଯେ ସମସ୍ତ ସତ୍ୟାଗ୍ରହର ସବୁ ତତ୍ତ୍ୱ ବୁଝି ଆନ୍ଦୋଳନରେ ଯୋଗ ଦେଉ ନାହାନ୍ତି ଓ ସମସ୍ତଙ୍କୁ ସେ ସବୁ ବିଷୟରେ ବିଶଦ ତାଲିମ ଦେବାର ବି ଅବକାଶ ନାହିଁ । ଏ ଅବସ୍ଥାରେ ସେ ସାଧାରଣ ସତ୍ୟାଗ୍ରହୀ ପାଇଁ କେତେକ ସ୍ଥୂଳ ନିୟମ ବାନ୍ଧି ଦେଉଥିଲେ, ଅତି କମ୍‍ ରେ ଯେଉଁତକ ମାନିଲେ ଆନ୍ଦୋଳନ ପନ୍ଥାରୁ ବିଚ୍ୟୁତ ହେବ ନାହିଁ । ଉଦାହରଣ ସ୍ୱରୂପ ୧୯୩୦ର ଲବଣ ସତ୍ୟାଗ୍ରହ ବେଳର କେତେକ ନିୟମ ନିମ୍ନ ପ୍ରକାର ଥିଲା—

ବ୍ୟକ୍ତିଗତ ଭାବରେ

୧.

ସତ୍ୟାଗ୍ରହୀ, ଅର୍ଥାତ୍‍ ଆଇନ ଅମାନ୍ୟକାରୀ, ମନରେ କ୍ରୋଧ ରଖିବେ ନାହିଁ ।

୨.

ପ୍ରତିପକ୍ଷୀର କ୍ରୋଧକୁ ସହିଯିବେ ।

୩.

ଏଥିପାଇଁ ସେ ପ୍ରତିପକ୍ଷୀର ମାଡ଼ ସହିବେ, କେବେ ହେଁ ପ୍ରତି ଆକ୍ରମଣ କରିବେ ନାହିଁ । ମାତ୍ର ସେ ଦଣ୍ଡ ବା ଅନ୍ୟ ଭୟ ଯୋଗୁଁ କ୍ରୋଧରେ ଦିଆ ଯାଉଥିବା ଆଦେଶ ପାଳନ କରିବେ ନାହିଁ ।

୪.

କ୍ଷମତାପନ୍ନ ବ୍ୟକ୍ତି ଆଇନ ଅମାନ୍ୟକାରୀକୁ ଗିରଫ କରିବାକୁ ଚାହିଁଲେ ସେ ସ୍ଵେଚ୍ଛାରେ ଗିରଫ ହେବେ ଓ ତାଙ୍କର ନିଜର ସମ୍ପତ୍ତିକୁ କର୍ତ୍ତୃପକ୍ଷ ବାଜ୍ୟାପ୍ତ କରିବାକୁ ସେ ସେଥିରେ ବାଧା ଦେବେ ନାହିଁ ।

୫.

ମାତ୍ର ଆଇନ ଅମାନ୍ୟକାରୀ ପାଖରେ ଯଦି କୌଣସି ସମ୍ପତ୍ତି ଗଚ୍ଛିତ ଥାଏ ତେବେ ସେ ତାହା ଛାଡ଼ି ଦେବାକୁ ଅସ୍ୱୀକାର କରିବ, ତାକୁ ରକ୍ଷା କରିବାକୁ ଯାଇ ଜୀବନ ବଳି ଦେବାକୁ ପଡ଼ିଲେ ବି । ତେବେ ସେ କେବେହେଁ ପ୍ରତି ଆକ୍ରମଣ କରିବ ନାହିଁ ।

୬.

ପ୍ରତି ଆକ୍ରମଣ ନ କରିବା ବୋଲନ୍ତେ ଗାଳି ନ ଦେବା ବା ଅଭିଶାପ ନ ଦେବା ବି ବୁଝାଏ-

୭.

ତେଣୁ କୌଣସି ଆଇନ ଅମାନ୍ୟକାରୀ ତାର ବିରୋଧୀର ଅପମାନ କରିବ ନାହିଁ ଓ ତେଣୁ ଅହିଂସାର ଅନ୍ତର୍ନିହିତ ବୃତ୍ତି ସହିତ ଖାପ ଖାଉ ନ ଥିବା କେତେକ ନୂଆ ଧରଣର ସ୍ଲୋଗାନ ଓ ଜୟଧ୍ୱନିରେ ସେ ଭାଗ ନେବ ନାହିଁ ।

୮.

ସତ୍ୟାଗ୍ରହୀ ୟୁନିୟନ ଜ୍ୟାକ୍‍କୁ ସଲାମ କରିବ ନାହିଁ, ମାତ୍ର ସେ ତାକୁ ବା କୌଣସି ଇଂରେଜ ବା ଭାରତୀୟ ଅଫିସରଙ୍କୁ ଅପମାନ ମଧ୍ୟ ଦେବ ନାହିଁ ।

୯.

ଯଦି ସତ୍ୟାଗ୍ରହ ସଂଗ୍ରାମ ବେଳେ କୌଣସି ଲୋକ କୌଣସି ସରକାରୀ କର୍ମଚାରୀଙ୍କୁ ଅପମାନ ଦିଏ ବା ତାଙ୍କ ଉପରେ ଆକ୍ରମଣ କରେ, ତେବେ ସତ୍ୟାଗ୍ରହୀ ଏଭଳି କର୍ମଚାରୀଙ୍କୁ ଅପମାନ ବା ଆକ୍ରମଣରୁ ନିଜର ଜୀବନ ବିପନ୍ନ କରି ମଧ୍ୟ ରକ୍ଷା କରିବ ।

ଜଣେ ବନ୍ଦୀ ଭାବରେ

୧୦.

ସତ୍ୟାଗ୍ରହୀ ବନ୍ଦୀ ଭାବରେ ଜେଲ କର୍ମଚାରୀଙ୍କ ପ୍ରତି ଭଦ୍ର ଆଚରଣ କରିବ ଓ ଆତ୍ମ ସମ୍ମାନହାନିକର ନ ହୋଇଥିବା ସବୁ ଜେଲ ଅନୁଶାସନ ମାନିବ । ଉଦାହରଣ ସ୍ୱରୂପ ସେ ସାଧାରଣ ଭାବରେ କର୍ମଚାରୀମାନଙ୍କୁ ନମସ୍କାର କରିବ, ମାତ୍ର କୌଣସି ପ୍ରକାରର ଉଠବସ କରିବାକୁ ବା ‘ସରକାର ସଲାମ’ କହିବାକୁ ସମ୍ମତ ହେବ ନାହିଁ । ସେ ପରିଚ୍ଛନ୍ନ ଭାବରେ ରନ୍ଧା ଓ ପରସା ହୋଇ ଥିବା ଖାଦ୍ୟ ଗ୍ରହଣ କରିବ, ଯଦି ତାହା ତାର ଧର୍ମବିଧିର ପ୍ରତିକୂଳ ନ ହୋଇଥାଏ । ମାତ୍ର ଅପମାନର ସହିତ ବା ଅପରିଚ୍ଛନ୍ନ ବାସନାର ପରସା ଯାଇଥିବା ଖାଦ୍ୟ ଗ୍ରହଣ କରିବ ନାହିଁ ।

୧୧.

ସତ୍ୟାଗ୍ରହୀ ବନ୍ଦୀ ଜଣେ ସାଧାରଣ କଏଦୀ ଓ ନିଜ ଭିତରେ କୌଣସି ପ୍ରକାର ପାର୍ଥକ୍ୟ ରଖିବ ନାହିଁ, ଅନ୍ୟମାନଙ୍କ ଠାରୁ ନିଜକୁ ଶ୍ରେଷ୍ଠ ମଣିବ ନାହିଁ ଓ ନିଜର ଦେହକୁ ସୁସ୍ଥ ଅବସ୍ଥାରେ ରଖିବା ପାଇଁ ଯାହା ଲୋଡ଼ା ତାହାଠାରୁ ଅଧିକ ସୁବିଧା ଦାବି କରିବ ନାହିଁ । ତାର ଦୈହିକ ବା ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ଯାହା ଲୋଡ଼ା ସେ ଭଳି ସୁବିଧା ଦାବି କରିବାର ଅଧିକାର ତାର ଅଛି ।

୧୨.

ଯେଉଁ ସୁବିଧା ନ ମିଳିଲେ ନିଜର ଆତ୍ମସମ୍ମାନରେ ଆଞ୍ଚ ନ ଆସିବ ତାହାପାଇଁ ସତ୍ୟାଗ୍ରହୀ ଅନଶନ କରିବ ନାହିଁ । (ୟଂ ଇଣ୍ଡିଆ, ୨୬.୨.୩୦)

Image

 

(ସତର)

ସତ୍ୟାଗ୍ରହ : ଜୀବନଦୃଷ୍ଟି

 

ସତ୍ୟାଗ୍ରହକୁ ଆମେ ମୁଖ୍ୟତଃ ଅନ୍ୟାୟର ପ୍ରତିକାର ଓ ଅନ୍ୟ ସାମାଜିକ ଲକ୍ଷ୍ୟ ହାସଲର ସାବଧାନରୂପେ ଚିହ୍ନିଛୁ ଓ ଆଇନ ଅମାନ୍ୟ, ଅନସନ, ପିକେଟିଂ ଆଦିକୁ ତାର ପରିପ୍ରକାଶ ବୋଲି ଦେଖି ଶିଖିଛୁ । ମାତ୍ର ସତ୍ୟାଗ୍ରହ ଯେ ଏକ ଜୀବନଦୃଷ୍ଟି, କେବଳ ବିଶେଷ ବିଶେଷ ପ୍ରସଙ୍ଗରେ ନୁହେଁ, ସମଗ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସତ୍ୟାଗ୍ରହୀ ତାର ବିଶିଷ୍ଟ ଦୃଷ୍ଟିକୋଣ ଓ କାମ କରିବାର ଢଙ୍ଗ ନେଇ ଚଳିବ, ଏକଥା ଅନେକ ସମୟରେ ଆମର ଧ୍ୟାନରେ ନ ଥାଏ । ଭାରତର ସ୍ୱାଧୀନତା ପାଇଁ ସତ୍ୟାଗ୍ରହର ପନ୍ଥା ଭିତରେ ଗାନ୍ଧିଜୀଙ୍କର ଅଠର ବା ଏକୋଇଶ ପ୍ରକାରର ରଚନାତ୍ମକ କାର୍ଯ୍ୟକ୍ରମ ମଧ୍ୟ ସନ୍ନିବେଶିତ ଥିଲା । ଗାନ୍ଧିଜୀ ବାରମ୍ବାର ଚେତେଇ ଦେଉଥିଲେ ଯେ ସତ୍ୟାଗ୍ରହୀକୁ ନିଜ ଆଚରଣରୁ ଅସ୍ପୃଶ୍ୟତା ଲୋପ କରିବାକୁ ହେବ । ସେ କୌଣସି ପ୍ରକାର ସାମ୍ପ୍ରଦାୟିକ ମନୋଭାବ ରଖିବ ନାହିଁ, ସ୍ଵେଚ୍ଛାକୃତ ଭାବରେ ଦାରିଦ୍ର୍ୟ ବରଣ କରିବ, ଶରୀରଶ୍ରମ ଦ୍ୱାରା ଜୀବିକା ଅର୍ଜନ କରିବା ସତ୍ୟାଗ୍ରହ ସମ୍ମତ ପନ୍ଥା, ଇତ୍ୟାଦି । ଏଗୁଡ଼ିକୁ ଯେ ସେ କେବଳ ଦେଶର ସ୍ୱାଧୀନତା ପାଇଁ ଏକତା ସ୍ଥାପନ ପାଇଁ ବା ସମାଜ ସଂସ୍କାର ପାଇଁ ଆବଶ୍ୟକ ମଣୁଥିଲେ ତାହା ନୁହେଁ, ସତ୍ୟାଗ୍ରହୀର ଜୀବନକୁ ନିର୍ମଳ ବା ସତ୍ୟାଗ୍ରହ ନୀତିସମ୍ମତ କରିବାପାଇଁ ମଧ୍ୟ ସେ ଏସବୁ କାର୍ଯ୍ୟକ୍ରମକୁ ସତ୍ୟାଗ୍ରହୀ ତାର ବ୍ୟକ୍ତିଗତ ଆଚରଣରେ ପାଳିବା ଆବଶ୍ୟକ ବୋଲି ଅନୁଭବ କରୁଥିଲେ । ଯେ ପୂର୍ଣ୍ଣ ବା ସକ୍ଷମ ସତ୍ୟାଗ୍ରହୀ ହେବାକୁ ଚାହିଁବ, ସେ ଅହିଂସା, ସତ୍ୟ, ଅସ୍ତେୟ (ଚୋରୀ ନ କରିବା) ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀରଶ୍ରମ, ଅସ୍ଵାଦ, ଅଭୟ, ସର୍ବଧର୍ମ, ସମାନତ୍ଵ, ସ୍ୱଦେଶୀ ଓ ଅସ୍ପୃଶ୍ୟତା ବର୍ଜନ, ଏ ଏଗାର ବ୍ରତ ପାଳନ କରିବା ଆବଶ୍ୟକ ବୋଲି ଅନୁଭବ କରି ସତ୍ୟାଗ୍ରହ ଆଶ୍ରମରେ ଓ ଅନ୍ୟତ୍ର ଏସବୁ ବ୍ରତର ପ୍ରଚଳନ କରାଇଥିଲେ ।

 

ଏହାଛଡ଼ା ବ୍ୟକ୍ତିଗତ ଲାଭ ପାଇଁ ବି କୌଣସି ଅନ୍ୟାୟ ଉଦ୍ଦେଶ୍ୟର ସିଦ୍ଧି ପାଇଁ ସତ୍ୟାଗ୍ରହ କରାଯାଇ ପାରିବ ନାହିଁ । ଏଭଳି ନିଷେଧ ବାଣୀ ମଧ୍ୟ ସେ ଶୁଣାଇଛନ୍ତି ।

 

ଅଲଗା ଅଲଗା କରି ବିଚାର କଲେ ଅଠର ପ୍ରକାର ରଚନାମୂକ କାର୍ଯ୍ୟ ବା ଏକାଦଶ ବ୍ରତର ପ୍ରତ୍ୟେକଟି କାହିଁକି ଆବଶ୍ୟକ ତାହା ସିଦ୍ଧ କରି ହେବା ବା ଓଲଟି ଯୁକ୍ତି ଦ୍ୱାରା କୌଣସି କାର୍ଯ୍ୟକ୍ରମ ବା ବ୍ରତର ଅନାବଶ୍ୟକତା ମଧ୍ୟ ସାବ୍ୟସ୍ତ କରିହେବ । ମାତ୍ର ଆମେ ସତ୍ୟାଗ୍ରହ ବିଷୟରେ ଏପର୍ଯ୍ୟନ୍ତ ଯେତେ ଆଲୋଚନା କରି ଆସିଲେ ସେଥିରୁ ଏହା ସହଜରେ ହୃଦୟଙ୍ଗମ କରିହେବ ଯେ ମଣିଷର ବ୍ୟକ୍ତିଗତ ଓ ସାମାଜିକ ଚରିତ୍ରର ଯେଉଁ ଦର୍ଶକ ଉପରେ ସତ୍ୟାଗ୍ରହର ପନ୍ଥା ଆଧାରିତ ତାହା ସେଥିରେ ଆସ୍ଥା ରଖିଥିବା ବ୍ୟକ୍ତିର ସମଗ୍ର ଜୀବନକୁ ପ୍ରଭାବିତ ନ କରି ରହିବ ନାହିଁ ।

 

ଗତ ଦେଢ଼ ଦୁଇ ଶତାବ୍ଦୀ ଭିତରେ ୟୁରୋପର ଯେଉଁ ହ୍ୟୁମାନିଷ୍ଟ ବା ମାନବବାଦୀ ଦୃଷ୍ଟିକୋଣ ଓ ମୂଲ୍ୟବୋଧର ଉଦ୍‍ଭବ ହୋଇ ସାରା ପୃଥିବୀକୁ ବ୍ୟାପିଛି ଓ ଯାହା ଭିତରୁ ସମାଜବାଦ, ସାମ୍ୟବାଦ ଆଦି ନାନା ବୈପ୍ଳବିକ ଆନ୍ଦୋଳନ ତଥା ଦାସତ୍ୱ ନିବାରଣ, ଶ୍ରମିକ ହିତରକ୍ଷା, ନାରୀର ସମାନ ଅଧିକାର ଠାରୁ ଆରମ୍ଭ କରି ମୃତ୍ୟୁଦଣ୍ଡ ନିରୋଧ ଓ କାରାଗାର ସଂସ୍ଥାର ଆଦି ନାନା ସଂସ୍କାରମୂଳକ ଆନ୍ଦୋଳନର ଉଦ୍‍ଭବ ହୋଇଛି ସେହି ମାନବବାଦୀ ଦୃଷ୍ଟିକୋଣ ସତ୍ୟାଗ୍ରହ ବିଚାର ମୂଳରେ ରହିଛି ବୋଲି କୁହାଯାଇପାରେ ।

 

ଗାନ୍ଧିଜୀଙ୍କର ସ୍ୱତନ୍ତ୍ର ପ୍ରତିଭାର ସ୍ଫୁରଣ ବ୍ୟତୀତ ଟଲଷ୍ଟୟ ଓ ରସ୍କିନଙ୍କ ବିଚାର ସହିତ ସମ୍ପର୍କ ଯେ ତାଙ୍କର ମାନବବାଦୀ ଆଭିମୁଖ୍ୟକୁ ପୁଷ୍ଟ କରିଥିଲା ଏଥିରେ ସନ୍ଦେହ ନାହିଁ ଏବଂ ସତ୍ୟାଗ୍ରହର ଏହି ମାନବବାଦୀ ପୃଷ୍ଠଭୂମି ସ୍ୱାଭାବିକ ମଧ୍ୟ । ଏଥିଯୋଗୁଁ ସତ୍ୟାଗ୍ରହର ଆଦର୍ଶ ବ୍ୟକ୍ତିର ଜୀବନର ପ୍ରତ୍ୟେକ ବିଭାଗକୁ ଯେପରି ନୂତନତ୍ୱ ଦେଇଥାଏ ସେହିପରି ସ୍ୱତଃ ସେଥିରୁ ସମାଜ ରଚନାର ଏକ ନୂତନ ଆଦର୍ଶ ମଧ୍ୟ ପ୍ରକଟିତ ହୋଇଥାଏ ।

 

ସତ୍ୟାଗ୍ରହୀ ତାଙ୍କର ବିରୋଧୀ ସହିତ ମଧ୍ୟ ସଦ୍‍ଭାବର ସମ୍ପର୍କ ରଖିବା ପାଇଁ ଚେଷ୍ଟିତ ହେବେ । ତେଣୁ ଘରେ କର୍ମକ୍ଷେତ୍ରରେ; ସମାଜରେ ରାଷ୍ଟ୍ରରେ ତାର ସବୁ ଲୋକଙ୍କ ସହିତ ସମ୍ପର୍କ ଏହି ଆଲୋକରେ ଉଦ୍‍ଭାସିତ ହେବା ଆବଶ୍ୟକ । ଘରେ ସେ କେବେ ସ୍ତ୍ରୀଙ୍କୁ ନିଜଠାରୁ ନିକୃଷ୍ଟ ବା ଅଧସ୍ତନ ଭାବିବେ ନାହିଁ ବା ତାହାଙ୍କ ଉପରେ ପରମ୍ପରାଗତ ସ୍ୱାମୀସୁଲଭ ଆଧିପତ୍ୟ ବିସ୍ତାର କରି ପାରିବେ ନାହିଁ ।

 

ପିଲାଛୁଆଙ୍କୁ ମାରଧର ଓ ଧମକ ଦ୍ୱାରା ଜବଦ କରିବା ବାଟ ତାଙ୍କୁ ବର୍ବର ସୁଲଭ ମନେ ହେବ । ଚାଖଣ୍ଡେ ବାଡ଼ ପାଇଁ ପଡ଼ିଶା ଘର ସହିତ କଳିତକରାଳ କରି ମାଡ଼ ଫୌଜଦାରୀ ବା କୋଟ୍‍ କଚେରୀ କରିବାଟାକୁ ମୂର୍ଖତା ବୋଲି ବିଚାରିବେ । ଜାତି; ବର୍ଣ୍ଣ, ଭାଷା ବା ଧର୍ମଭେଦ ଯୋଗୁଁ କୌଣସି ମାନବଗୋଷ୍ଠୀ ନିକୃଷ୍ଟ ଓ ଅନ୍ୟ କୌଣସିଟି ଶ୍ରେଷ୍ଠ ଏ ଧରଣର ଭ୍ରାନ୍ତ ଧାରଣାରୁ ସେ ମୁକ୍ତ ହୋଇଥିବା ଯୋଗୁଁ କାହାରିକୁ ଅଛୁଆଁ ମଣିବା ବା କାହା ସହିତ ଅନ୍ୟ ପ୍ରକାରର ଅଶ୍ରଦ୍ଧାପୂର୍ଣ୍ଣ ଆଚରଣ କରିବା ଅର୍ଥ ସେ ନିଜକୁ ହିଁ ନୀଚ କରିବା ବୋଲି ଅନୁଭବ କରିବେ ।

 

ଏହା ଯେ ସେ କେବଳ ‘ନୀତି’ ଦୃଷ୍ଟିରୁ କରିବେ ତାହା ନୁହେଁ । ମଣିଷ ମଣିଷ ଭିତରେ ସମ୍ବନ୍ଧକୁ ନିୟନ୍ତ୍ରଣ କରିବାର ଏକ ନୂଆ କଳା ବା ପନ୍ଥା ଏବଂ ମଣିଷକୁ ମାପିବାର ଏକ ନୂଆ ମାପକାଠି ସେ ଆଧୁନିକ ବିଜ୍ଞାନ ଦ୍ୱାରା ପୃଷ୍ଟଜ୍ଞାନ ଓ ବ୍ୟାବହାରିକ ଅଭିନ୍ନତା ଦ୍ୱାରା ହାସଲ କରିଥିବେ । ସେଥିପାଇଁ ତାଙ୍କ କର୍ମକ୍ଷେତ୍ରରେ, ଅଫିସ ବା କାରଖାନାରେ, ଏବେ ଯେଉଁ ପ୍ରକାରର ପ୍ରଭୁ ଭୃତ୍ୟ ସମ୍ପର୍କ ସାଧାରଣତଃ ଦେଖାଯାଏ ଊର୍ଦ୍ଧ୍ୱତନ କର୍ତ୍ତୃପକ୍ଷଙ୍କର ହାମବଡ଼ା ଭାବ ଓ ଅଧସ୍ତନ କର୍ମଚାରୀଙ୍କର ଖୋସାମତିଆ ଦାନ୍ତନିକୁଟା ବା ନିଷ୍ଫଳ ଆକ୍ରୋଶ, ପରସ୍ପରର ଈର୍ଷା ଓ କର୍ତ୍ତୃପକ୍ଷଙ୍କ ସୁନଜର ପାଇଁ ଠେଲାପେଲା, ଆଳସ୍ୟ ଓ ଅବହେଳା, ଦେଖିବାକୁ ମିଳେ ସେ ସବୁ ତାଙ୍କୁ ଅସହ୍ୟ ବୋଧ ହେବ । ତାଙ୍କର ଶକ୍ତିଥିବ ତ ସେ ଏସବୁ ସମ୍ପର୍କକୁ ନୂଆ, ଅଧିକ ସଦ୍‍ଭାବ ସହଯୋଗ ଓ ଦାୟିତ୍ୱଶୀଳତାର ଭିତ୍ତିରେ ପ୍ରତିଷ୍ଠିତ କରିବାକୁ ଚାହିଁବେ । ଏଥିପାଇଁ ସେ ହୁଏତ ଏ ଦିଗରେ କରାଯାଇଥିବା ନାନାବିଧ ବୈଜ୍ଞାନିକ ପ୍ରୟୋଗରୁ ଲାଭ ଉଠାଇବାକୁ ଚେଷ୍ଟା କରିବେ ।

 

ଯେଉଁ ସତ୍ୟାଗ୍ରହୀ କୌଣସି ଅନ୍ୟାୟ, ଶୋଷଣ ବା ଅବହେଳା ବିରୋଧରେ ଲଢ଼େଇ କରିବାକୁ ଅଗ୍ରସର ହୋଇଥିବ ସେ କେବେ ନିଜେ ଏଭଳି ଅନ୍ୟାୟ, ଶୋଷଣ ଆଦିର କାରଣ ହେବ ନାହିଁ । ସେଥିପାଇଁ ସେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଆଚରଣକୁ ସୂକ୍ଷ୍ମ ଦୃଷ୍ଟିର ସହିତ ଯାଞ୍ଚ କରିବ ଓ ସେଥିରେ କୌଣସି ଦୋଷ ଥିବାର ଦେଖିଲେ ତାକୁ ତୁରନ୍ତ ସୁଧାରିବା ପାଇଁ ଉଦ୍ୟତ ହେବ । କବିଗୁରୁ ରବୀନ୍ଦ୍ରନାଥ ଗାଇଥିବା ପରି—

 

ଦୃଷ୍ଟି ହତେ ଘୁଚବେ କାଲୋ

ଯେଥାୟ ନୟନ ପଡ଼ିବେ ସେଥାୟ ଦେଖବେ ଆଲୋ ।

 

ତାହାର ଦୃଷ୍ଟିରୁ ଅନ୍ଧାର ହଟିଯିବ ଓ ଯେଉଁଠି କି ସେ ଚାହିଁବ ସେଠି ତାକୁ ଆଲୋକ ଦେଖାଯିବ । ଏ ନୂତନ ଦୃଷ୍ଟିକୁ ବିନୋବାଜୀ ଓ ତାଙ୍କ ପୂର୍ବରୁ ବହୁ ସନ୍ଥ ମହାତ୍ମା ‘ଆତ୍ମଜ୍ଞାନ’ କହିଛନ୍ତି । ଆମ ଦେଶର ପୂର୍ବ ପରମ୍ପରାରେ ଆତ୍ମଜ୍ଞାନ ‘ବ୍ରହ୍ମଜ୍ଞାନ’ ‘ଭଗବତ ଉପଲବ୍ଧି’ ‘ମୋକ୍ଷ’ ଆଦି ସହିତ ଯୋଡ଼ି ହୋଇଥିବାରୁ ତାହା ବିଷୟରେ ସାଧାରଣ ଧାରଣା ହୋଇ ଯାଇଛି ଯେ ଏହା ଅତି ଉଚ୍ଚ ଓ ଦୁରୂହ ବ୍ୟାପାର । ଇହଲୋକର ଦୈନନ୍ଦିନ ଜୀବନର କାରବାର ସହିତ ଏହାର କୌଣସି ସମ୍ବନ୍ଧ ନାହିଁ । ଏହାର ସମ୍ବନ୍ଧ ପରଲୋକ ସହିତ ।

 

ମାତ୍ର ବିନୋବାଜୀ ଆମର ଏହି ଦୈନନ୍ଦିନ ସଂସାରର ବ୍ୟାବହାରିକ କାରବାର ପାଇଁ ଜୀବନକୁ ଏକ ନୂତନ ଓ ଅଧିକ ସନ୍ତୋଷଜନକ ସ୍ତରକୁ ନେବା ପାଇଁ, ଆତ୍ମଜ୍ଞାନ ବା ବ୍ରହ୍ମବିଦ୍ୟାକୁ ଜରୁରୀ ବୋଲି ପ୍ରତିପାଦିତ କରିଛନ୍ତି :—

 

‘‘ଭାରତ ନିଜ ଆଗରେ ଯେଉଁ ଆଦର୍ଶ ରଖିଛି ତାହା ଅତି ସଂକୀର୍ଣ୍ଣ । ମଣିଷର କୌଣସି ଆସକ୍ତି ବା କୌଣସି ମାୟା ନ ରହିଲେ, ସେ ପାପପୁଣ୍ୟର ଅତୀତ ହୋଇଗଲେ, ଆତ୍ମଜ୍ଞାନ ହୋଇଗଲା । ପରିସ୍ଥିତି ଯାହା ହୋଇଥାଉ କେବଳ ମାନସିକ ଶାନ୍ତି ରହିଲେ ଯଥେଷ୍ଟ ହୋଇଗଲା ବୋଲି ମନେ କରାଯାଏ । ଆଜି ବି ଏହି ଆଦର୍ଶ ଅନୁସାରେ ଚଳୁଥିବା ଲୋକ ଅଛନ୍ତି ଯାହାଙ୍କର ବାହାର ଦୁନିଆର ସୁଖଦୁଃଖ ସହିତ କୌଣସି ସମ୍ବନ୍ଧ ନାହିଁ । ଦୁନିଆରେ ଏତେ ଦୁଃଖ ଥିବା ବେଳେ ମାନସିକ ଶାନ୍ତି ଆସିବ କିପରି ? ଆମକୁ କୁହାଯାଏ ଯେ ଏସବୁ ଈଶ୍ୱରଙ୍କ ଲୀଳା । ମୁକ୍ତି ପାଇବା ଖୁବ୍‍ ସହଜ ବୋଲି ଏମାନେ ବିଚାରନ୍ତି ।’’

 

‘‘ବିଜ୍ଞାନର ପ୍ରଗତିର ଯେପରି ଶେଷ ନାହିଁ ସେହିପରି ଆତ୍ମଜ୍ଞାନ ମଧ୍ୟ ନିଜ ଆଗରେ ଏପରି ଲକ୍ଷ ରଖିବା ଚାହିଁ ଯାହାର ଶେଷ ସୀମା ନାହିଁ । ବିଜ୍ଞାନ ଯେପରି ସମଗ୍ର ବିଶ୍ୱକୁ ଆୟତ୍ତକୁ ଆଣିବାକୁ ଚାହୁଁଛି ସେହିପରି ଆମେ ମଣିଷର ଅନ୍ତରର ଥିବା ସମଗ୍ର ଶକ୍ତିକୁ ଆୟତ୍ତ କରିବାର ଆକାଂକ୍ଷା ରଖିବା ଚାହିଁ । ଯଦି ଜଣକୁ କଙ୍କଡ଼ା ବିଛା ବିନ୍ଧି ଦିଏ ତେବେ ତା ପ୍ରତି ମୋର ଦୟାଭାବ ଜାଗିବ । ମାତ୍ର ବାସ୍ତବ ଆତ୍ମଜ୍ଞାନ ଥାନ୍ତା, ଅର୍ଥାତ ସେ ଓ ମୁଁ ଏକ ବୋଲି ଯଦି ଆମେ ଉପଲବ୍ଧ କରିଥାନ୍ତେ ତେବେ ମୁଁ ତାର ଯନ୍ତ୍ରଣାଟାକୁ ତାରିପରି ଅନୁଭବ କରନ୍ତି ଓ ମୋ ମନରେ ଥିବା ଶାନ୍ତି ଓ ପ୍ରସନ୍ନତା ତାହା ଅନ୍ତରରେ ଅନୁଭୂତ ହୁଅନ୍ତା ।’’ (ଆରସିକେରି, ୮-୧୧-୫୭)

 

‘‘ଶଙ୍କରାଚାର୍ଯ୍ୟ ଆମକୁ ଏକ ବଡ଼ କଥା ଶିଖାଇଛନ୍ତି ଯେ ମୁଁ କିଏ ଏହା ଜାଣ । କୋଃହମ୍‍’ ମୁଁ କିଏ ? ମୁଁ ଯଦି ଦେହ ତେବେ ଅନ୍ୟଠୁଁ ଭିନ୍ନ । ଯଦି ମୁଁ ବ୍ରାହ୍ମଣ ତେବେ ତ ଅବ୍ରାହ୍ମଣଙ୍କଠୁ ଅଲଗା ହୋଇଗଲି । ମାଲାୟାଲୀ ହେଲେ ତାମିଲ ଲୋକଙ୍କଠୁ ଭିନେ ହେଲି । ଭାରତୀୟ ହେଲେ ଅନ୍ୟ ଆଦିବାସୀଙ୍କ ଠାରୁ ପୃଥକ୍‍ ହେଲି । ଯଦି ଜୀବ ତେବେ ଜଡ଼ରୁ ଭିନେ ହେଲି । ମୁଁ କିଏ ଏହାର ଉତ୍ତର ଯେତେ ବିଶାଳ ହେବ ଆମେ ସେତିକି ବେଶି ସୁଖୀ ହେବା । ଯେତେ ସଂକୀର୍ଣ୍ଣ ଉତ୍ତର ମିଳିବ ସେତେ ଦୁଖୀ ହେବା । ତେଣୁ ଆତ୍ମଜ୍ଞାନ ବଢ଼ାଇବାକୁ ହେବ ।" (ପଲୟାନ୍ନୁର, ୨୨-୫-୫୭)

 

‘‘ପ୍ରତ୍ୟେକଙ୍କଠାରେ ବ୍ରହ୍ମରସ ପୂରି ରହିଛି । କଥାଟା ଆମେ କାହିଁକି ଉପଲବ୍ଧି କରିପାରୁ ନାହୁଁ । ପ୍ରତ୍ୟେକଙ୍କଠାରେ ଅନ୍ୟ ଯାହା କିଛି ରସ ଅଛି ତାହା ତାର ସୁରକ୍ଷା (ପ୍ରୋଟେକ୍‍ସନ୍‍) ନିମନ୍ତେ । ଆମେ ତାକୁ ତ୍ୟାଗ କରିବା ଓ ବ୍ରହ୍ମରସ ନେବା.....ଆମେ କମଳାଲେମ୍ବୁର ଚୋପା ଓ ମଞ୍ଜି ଫିଙ୍ଗି ଦେଉ ଓ ଭିତରର ରସ ଖାଉ । ଆଉ କମଳାଲେମ୍ବୁ କଥା ମନେ ପଡ଼ିଲେ ଆମ ପାଟିରୁ ଲାଳ ବହେ । ସେତେବେଳେ ଆମର କଣ ମନେ ପଡ଼େ ? ଚୋପା, ମଞ୍ଜି ନା ରସ ? (ସେହିପରି) ଅମୁକ ସାଥୀଙ୍କଠାରେ ଅମୁକ ଗୁଣ ଅଛି ବୋଲି କହି ଆମେ ଅସ୍ତିବାଦୀ ନ ହେଉଛୁ କାହିଁକି ? ଅମୁକ ଗୁଣ ତାହାଠାରେ ନାହିଁ ବୋଲି କହି ‘ନାସ୍ତିବାଦୀ’ ହେଉ କାହିଁକି ?’’ (ବ୍ରହ୍ମବିଦ୍ୟାର ସାଧନା ପୃ ୮)

 

ବିଜ୍ଞାନ ଓ ଅନ୍ୟାନ୍ୟ ବିଦ୍ୟାର ଯେପରି ସ୍ତରଭେଦ ରହିଛି ବିଦ୍ୟାଳୟର ପ୍ରଥମ ଶ୍ରେଣୀର ବାଳକ ପାଇଁ ଏକାବେଳେକେ ପ୍ରାଥମିକ ସ୍ତରର ଜ୍ଞାନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଉଚ୍ଚତମ ଶ୍ରେଣୀର ଛାତ୍ର ପାଇଁ ଦୁରୂହତମ ଜ୍ଞାନର ଭଣ୍ଡାର ଓ ଆଗକୁ ଗବେଷଣା ଓ ସାଧନା ଦ୍ୱାରା ଆବିଷ୍କାର କରିବା ପାଇଁ ଅଗାଧ ବିପୁଳ ସମ୍ବର ରହିଛି, ଆତ୍ମଜ୍ଞାନ ମଧ୍ୟ ସେହିପରି ବୋଲି ବିନୋବାଜୀ କହୁଛନ୍ତି ।

 

ଏହି ଦୃଷ୍ଟିରୁ ଆଧୁନିକ ମନୋବିଜ୍ଞାନ ଓ ସମାଜ ବିଜ୍ଞାନ ଆମର ଓ ଅନ୍ୟମାନଙ୍କର ମନର ଗତିବିଧି ବିଷୟରେ, ସମାଜ ଭିତରେ ଆମମାନଙ୍କର ପରସ୍ପର ସମ୍ପର୍କର ମୂଳରେ କାମ କରୁଥିବା ନାନାବିଧ ଶକ୍ତି ଓ ପ୍ରେରଣା ବିଷୟରେ ଯେଉଁ ଜ୍ଞାନ ଦେଉଛି ତାହା ଆତ୍ମଜ୍ଞାନର ଗୋଟାଏ ସୋପାନ । ଏହାଦ୍ୱାରା ମଣିଷ ନିଜର ଓ ଅନ୍ୟମାନଙ୍କର ଆଚରଣ ବିଷୟରେ ଅନ୍ତର୍ଦୃଷ୍ଟି ଲାଭ କରୁଛି । ଏ ଅନ୍ତର୍ଦୃଷ୍ଟି ମିଳିବା ଫଳରେ ମଣିଷ ଭିତରେ ସହାନୁଭୂତି ଓ କରୁଣାର ବୃତ୍ତି ପୃଷ୍ଟ ହୋଇଛି ଓ ଅପର ପକ୍ଷରେ ନାନା ପ୍ରକାର ସମାଜ ବିରୋଧୀ ଓ ବିକୃତ ଆଚରଣକୁ ସୁମରିବା ସମ୍ଭବ ହେଉଛି । ଏଭଳି ପ୍ରୟୋଗର କେତେକ ଉଦାହରଣ ଆମେ ଅନ୍ୟାନ୍ୟ ଅଧ୍ୟାୟମାନଙ୍କରେ ଆଲୋଚନା କରିଛୁ ।

 

ମନୋବିଜ୍ଞାନ ଓ ସାମାଜିକ ବିଜ୍ଞାନ ଗୁଡ଼ିକର ଅଦ୍ଭ୍ୟୁଦୟ ପଦାର୍ଥ ବିଜ୍ଞାନ, ରସାୟନ ଆଦି ଭୌତିକ ବିଜ୍ଞାନ ସମୂହର ପରେ ଅନେକ ବିଳମ୍ବରେ ହୋଇଛି । ଏସବୁ ଶୈଶବାବସ୍ଥାରେ ଅଛି ବୋଲି କୁହାଯାଇ ପାରେ । ଏସବୁର ପ୍ରଗତି ସହିତ ମଣିଷର ଆତ୍ମଜ୍ଞାନ ବଢ଼ିବ ଓ ସତ୍ୟାଗ୍ରହ ପନ୍ଥାର ମଧ୍ୟ ସାମର୍ଥ୍ୟ ବଢ଼ିବ ଏଥିରେ ସନ୍ଦେହ ନାହିଁ ।

 

ସତ୍ୟାଗ୍ରହର ଜୀବନ ଦୃଷ୍ଟି ଯେ କେବଳ ଅନ୍ୟମାନଙ୍କ ସହିତ ସମ୍ପର୍କକୁ ଅଧିକ ସମାଧାନକାରକ କରେ, ସେତିକି ନୁହଁ, ନିଜର ଜୀବନକୁ ମଧ୍ୟ ତାହା ଅଧିକ ପୂର୍ଣ୍ଣତା, ସମାଧାନ ଓ ସାର୍ଥକତା ଦିଏ । ମଣିଷ ଜୀବନର ସବୁ ଆନନ୍ଦ ଓ ସବୁ ଦୁଃଖଶୋକ ଅନ୍ୟମାନଙ୍କର ସହିତ ତାହାର ସମ୍ପର୍କରୁ ଉଦ୍‍ଭୂତ । ପରିବାର, କର୍ମକ୍ଷେତ୍ର ବ୍ୟାପକ ସମାଜ, ସର୍ବତ୍ର ଯଦି ମଣିଷର ସମ୍ପର୍କ ଆଦର, ସହାନୁଭୂତି ଓ ସ୍ନେହ ଉପରେ ଆଧାରିତ ହୁଏ ତାହା ହେଲେ ଜୀବନରେ ଯେ ପ୍ରସନ୍ନତା ଓ ସନ୍ତୋଷ ଅଧିକ ରହିବ ଏହା ସ୍ୱାଭାବିକ । ତେଣୁ ଗୋଟାଏ ଆଡ଼ୁ ଦେଖିଲେ ଯେପରି ବାହାରର ସମସ୍ୟା ସମୂହର ସମାଧାନ ପାଇଁ, ଦାବି ହାସଲ ଓ ଅଧିକାର ସାବ୍ୟସ୍ତ କରିବାପାଇଁ ସତ୍ୟାଗ୍ରହର ଆବଶ୍ୟକତା ରହିଛି ସେହିପରି ନିଜ ନିଜର ଜୀବନକୁ ଉନ୍ନତ ଓ ସାର୍ଥକ କରିବାର ବ୍ୟକ୍ତିଗତ ବା ସ୍ୱାର୍ଥପର ଦୃଷ୍ଟିରୁ ମଧ୍ୟ ଏହାର ମହତ୍ତ୍ୱ ରହିଛି ।

 

ଏ ବାବଦରେ ବିଶିଷ୍ଟ ସମାଜତତ୍ୱବିତ୍‍ ଏରିକ୍‍ ଫ୍ରମ୍‍ଙ୍କର ବିଚାର ପ୍ରଣିଧାନ ଯୋଗ୍ୟ । ଫ୍ରମ୍‍ କହନ୍ତି ଯେ ଲୋକେ ସାଧାରଣତଃ ନିଜର ସ୍ୱାର୍ଥ ପାଇଁ କରୁଛନ୍ତି ବୋଲି ବିଚାରି ଅନେକ କାମ କରନ୍ତି ଓ ନିଜକୁ ଭଲ ପାଇବା ଯୋଗୁଁ ହିଁ ସ୍ୱାର୍ଥପର ଭାବରେ ଆଚରଣ କରୁଛନ୍ତି ବୋଲି ବିଚାରନ୍ତି-। ମାତ୍ର ନିଜର ସନ୍ତୋଷ ଓ ସୁଖ ସମ୍ଭୋଗପାଇଁ କାମକରୁଛି ବୋଲି ଭ୍ରାନ୍ତ ଭାବରେ ବିଚାରି ବାସ୍ତବରେ ସେ ଶାସନସଂସ୍ଥା ବା ଆର୍ଥିକ ବ୍ୟବସ୍ଥାର ଦାସ ଭାବରେ କାମ କରିଥାନ୍ତି । ସେ ନିଜପାଇଁ କରୁଛନ୍ତି ଭାବି ବହୁତ ପଇସା ଜମା କରିବାକୁ ବସନ୍ତି ମାତ୍ର ଏହାଦ୍ୱାରା ପୁଞ୍ଜି ସଞ୍ଜୟ ଓ ଲଗାଣର ଉଦ୍ଦେଶ୍ୟ ହିଁ ସାଧିତ ହୁଏ । ସେ ନିଜେ ଉପଭୋଗ କରିବେ ବୋଲି ବିଚାରି ବହୁତ ଜିନିଷ କିଣନ୍ତି ମାତ୍ର ବାସ୍ତବରେ ବ୍ୟବସାୟୀଙ୍କର ବିଜ୍ଞାପନ ଓ ପ୍ରଚାର ଦ୍ୱାରା ପ୍ରଭାବିତ ହୋଇ ସେ ଏହା କରନ୍ତି ।

 

ଫ୍ରମ୍‍ଙ୍କ ମତରେ ସ୍ୱାର୍ଥପର ଲୋକ ଯେ ଅନ୍ୟକୁ ଭଲ ନ ପାଇଁ ନିଜର ଭଲ ପାଇଁ ଏସବୁ କରୁଛି ବୋଲି ବିଚାରେ ସେ ବାସ୍ତବରେ ନିଜକୁ ମଧ୍ୟ ଭଲ ପାଇବାକୁ ଅକ୍ଷମ ହୋଇଥାଏ । ନିଜକୁ ଭଲ ପାଇବା ଓ ପ୍ରଚଳିତ ଅର୍ଥରେ ସ୍ୱାର୍ଥପରତା ଏ ଦୁଇଟା ଭିନେ ଜିନିଷ । ଯେ ନିଜକୁ ଭଲ ପାଇ ପାରିବ ସେ ଅନ୍ୟକୁ ମଧ୍ୟ ଭଲ ପାଇବ । ବିକୃତ ବିଚାର ହିତ ବା ସାର୍ଥକତାକୁ ବଳି ଦେବା ପରିବର୍ତ୍ତେ ମଣିଷ ଯଦି ନିଜକୁ ଭଲ ପାଇ ଶିଖିବ ତେବେ ସେ ନିଜର ଅନ୍ୟମାନଙ୍କର ଜୀବନକୁ ମଧ୍ୟ ଆନନ୍ଦ, ସୁଖ ଓ ସାର୍ଥକତାରେ ଭରି ଦେଇ ପାରିବ ।

 

ଏହିରୂପେ ସେ ଜୀବନରେ ପ୍ରେମର ସାଧନାକୁ ବିଶେଷ ମହତ୍ତ୍ୱ ଦିଅନ୍ତି । ମଣିଷଠାରେ ପ୍ରେମ ଓ ସ୍ନେହର ଅମାପ ଶକ୍ତି ରହିଛି ମାତ୍ର ଆମେ ତାହା ଜାଣୁ ନାହିଁ । ମଣିଷ ଚରିତ୍ରକୁ ସେ ସୃଜନଶୀଳ ଓ ସୃଜନ ଶକ୍ତିହୀନ ଏହିଭଳି ଦୁଇଭାଗ କରିଛନ୍ତି ଓ ପୁଣି ସୃଜନ ଶକ୍ତିହୀନ ବ୍ୟକ୍ତିତ୍ୱକୁ ଚାରିପ୍ରକାରେ ବାଣ୍ଟିଛନ୍ତି । ଗ୍ରହଣ ଅଭିମୁଖ, ଶୋଷଣ ଅଭିମୁଖ, ସଞ୍ଚୟ ଅଭିମୁଖ ଓ ପଣ୍ୟ ବା ବାଣିଜ୍ୟ ଅଭିମୁଖ । ଏଠି ଏସବୁର ଲକ୍ଷଣ କେବଳ ଠିକେ ଠିକେ ଦେବା ସମ୍ଭବ । ଗ୍ରହଣ ଅଭିମୁଖୀ ବ୍ୟକ୍ତି ଅନ୍ୟର ପ୍ରେମ ପାଇବାକୁ ଚାହେଁ, ନିଜେ ଦେଇ ପାରେ ନାହିଁ । ସେହିପରି ବିଚାର ଓ ଅନ୍ୟସବୁ ଜିନିଷ ସେ ଆଉ କାହାଠୁଁ ବାହାରୁ ବା ଭଗବାନଙ୍କ ଆଲୌକିକ ଶକ୍ତିରେ ମିଳିବ ବୋଲି ଆଶା କରିଥାଏ । ନିଜର ଉଦ୍ୟମରେ ତାର ବିଶ୍ୱାସ ନ ଥାଏ । ବିନୋବାଜୀଙ୍କର ବିଶ୍ଳେଷିତ ଅନୁରୋଧୀ ପ୍ରେମ ସହିତ ଏହାର ସାଦୃଶ୍ୟ ଅଛି ।

 

ଶୋଷଣ ଅଭିମୁଖୀ ଚରିତ୍ର ମଧ୍ୟ ସବୁ ଜିନିଷ ବାହାରୁ ମିଳିବ ବୋଲି ବିଶ୍ୱାସ କରେ ମାତ୍ର ଫରକ ଏତିକି ଯେ ସେ ସବୁ ଅନ୍ୟଠୁଁ ଆଡ଼େଇ ଆଣିବା ଦ୍ୱାରା ମିଳିବ ବୋଲି ବିଚାରେ । ସ୍ନେହ ମମତା ମଧ୍ୟ ସେ ଜୋର କରି ଆଦାୟ କରିବା ଚେଷ୍ଟା କରେ ।

 

ସଞ୍ଚୟ ଅଭିମୁଖୀ ବ୍ୟକ୍ତି ଆଉ କେଉଁଠୁ କିଛି ମିଳିବ ବୋଲି ବିଶ୍ୱାସ କରିପାରେ ନାହିଁ, ଯାହା ଅଛି ତାକୁ ହିଁ ସୁରକ୍ଷିତ ରଖିବାକୁ ଚାହେଁ । ସେଥିପାଇଁ ସେ ନିଜ ଚାରିପଟେ ବାଡ଼ ତିଆରି କରି ନିଜର ଆଚାର, ବିଚାର, ସଂସ୍କାର; ସବୁକୁ ରକ୍ଷା କରିବାକୁ ଚେଷ୍ଟିତ ଥାଏ । ସ୍ନେହ ପ୍ରେମକୁ ମଧ୍ୟ ସମ୍ପତ୍ତି କରିବାକୁ ଚେଷ୍ଟା କରେ । ପ୍ରିୟଜନକୁ ନିଜ କବଳରେ ସମ୍ପତ୍ତି ପରି ରଖିବାକୁ ଚାହେଁ ।

 

ପୁଞ୍ଜିବାଦୀ ସମାଜର ବାଣିଜ୍ୟାଭିମୁଖ ବ୍ୟକ୍ତିତ୍ୱ ଦେଖିବାକୁ ମିଳେ । ସେ ସବୁ ଜିନିଷର ମୂଲ୍ୟ ପଇସାରେ ମାପେ ଓ ସ୍ନେହ ମମତା ମଧ୍ୟ ପଇସା ଦ୍ୱାରା ମିଳିବ ବୋଲି ବିଶ୍ୱାସ କରେ ।

 

ସୃଜନାଭିମୁଖୀ ଚରିତ୍ର ଏ ସବୁଠାରୁ ଭିନ୍ନ । ବିନୋବାଜୀଙ୍କ ବର୍ଣ୍ଣିତ ପ୍ରତିରୋଧୀ ପ୍ରେମ ଏହିଭଳି ଚରିତ୍ରଠାରେ ଥାଏ । ଅର୍ଥାତ ସେ ସ୍ନେହ ମମତା କେବଳ ପାଇବା ପାଇଁ ନୁହେଁ ଦେବା ପାଇଁ ଉଦ୍ୟତ ଥାଏ । ତାହାଠାରେ ସୃଜନଶୀଳତାର ବିକାଶ ହୋଇଥାଏ । ସେ ନିଜର ଚିନ୍ତା ଦ୍ୱାରା ନୂତନ ଭାବଧାରାର ସନ୍ଧାନ ପାଇ ପାରେ । ବିଜ୍ଞାନ, ଦର୍ଶନ, କଳା, ସାହିତ୍ୟ, କାରିଗରୀ, କୃଷି ଆଦି ଯେ କୌଣସି କ୍ଷେତ୍ରରେ ସେ ନୂଆ ନୂଆ ସର୍ଜନା କରିଥାଏ ଓ ଏହାଦ୍ୱାରା ନିଜର ତଥା ସମାଜର ଜୀବନକୁ ସମୃଦ୍ଧ କରିଥାଏ । ପ୍ରେମ ଓ ସୃଜନଶୀଳତା ଛଡ଼ା ତାହାଠାରେ ଦେବାର ପ୍ରବୃତ୍ତି ମଧ୍ୟ ଥାଏ । ସେ ଯାହା ସୃଷ୍ଟି କରେ ତାହା ସେ ଅନ୍ୟକୁ ଦେଇ ଆନନ୍ଦ ପାଏ । କବି ହୋଇଥିଲେ କବିତା ଶୁଣାଏ । ଚାଷୀ ହୋଇଥିଲେ ଫଳେଇଥିବା ଫସଲ ଦିଏ । ସେ ନିଜକୁ ବିଖଣ୍ଡିତ କରି ନ ଦେଖି ପୂର୍ଣ୍ଣ ରୂପରେ ଦେଖିବାକୁ ଉଦ୍ୟମ କରେ ଅର୍ଥାତ ମୁଁ କିରାଣୀଟିଏ, ମୁଁ ଓଡ଼ିଆଟିଏ, ମୁଁ କରଣଟିଏ ବା ମୁଁ ମାଷ୍ଟର କି ଦୋକାନୀଟିଏ, ଏତିକିରେ ନିଜର ପରିଚୟ ସୀମାବଦ୍ଧ ବୋଲି ବିଚାରେ ନାହିଁ ।

 

ପୂର୍ବର ଚାରି ପ୍ରକାରର ସୃଜନ, ପରିପନ୍ଥୀ, ଚରିତ୍ର ସାମନ୍ତବାଦୀ ଓ ପୁଞ୍ଜିବାଦୀ ସମାଜର ପ୍ରଭାବରେ ବିକଶିତ ହୋଇଥାଏ । ସାମନ୍ତବାଦୀ ବ୍ୟବସ୍ଥାରେ ଶୋଷଣ କରୁଥିବା ଶ୍ରେଣୀର ଶୋଷଣ ଓ ସଞ୍ଚୟ ଅଭିମୁଖୀ ଚରିତ୍ର ଗଢ଼ି ଉଠେ ଓ ଶୋଷିତ ଶ୍ରେଣୀର ଗ୍ରହଣ ଅଭିମୁଖୀ । ପୁଞ୍ଜିବାଦୀରେ ବାଣିଜ୍ୟ ଅଭିମୁଖୀ ଚରିତ୍ରର ବିକାଶ ହୁଏ ।

 

ମଣିଷ ଯେପରି ନିଜର ଉଦ୍ୟମ ଦ୍ୱାରା, ଅନ୍ତର ଦୃଷ୍ଟି ଦ୍ୱାରା ନିଜର ଚରିତ୍ର ବଦଳାଇପାରେ ସେହିପରି ସମାଜ ବ୍ୟବସ୍ଥା ବଦଳାଇଲେ ମଧ୍ୟ ଚରିତ୍ର ବଦଳିବାରେ ସାହାଯ୍ୟ ହୁଏ-

 

ସତ୍ୟାଗ୍ରହରେ ଆସ୍ଥାଥିବା ବ୍ୟକ୍ତିର କେତେଗୁଡ଼ିଏ ବିଶେଷ ମୂଲ୍ୟବୋଧ ଥିବା ଯୋଗୁଁ ଯେପରି ସେ ବ୍ୟକ୍ତିଗତ ଜୀବନରେ ସେହି ଅନୁସାରେ ଆଚରଣ କରିବ । ସେହିପରି ଏହା ମଧ୍ୟ ସ୍ୱାଭାବିକ ଯେ ସେ ସେହିସବୁ ମୂଲ୍ୟବୋଧର ପରିପୋଷକ ସମାଜ ବ୍ୟବସ୍ଥାର ସମର୍ଥନ କରିବ । ପ୍ରଚଳିତ ସମାଜର ରୀଜନୀତି, ଅର୍ଥନୀତି, ସାମାଜିକ ରୀତିନୀତି ଆଦିରେ ତଦନୁକୂଳ ପରିବର୍ତ୍ତନ ଆଣିବା ପାଇଁ ସେ ଉଦ୍ୟମ କରିବ । ସେ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପୋଷକ ହେବ, ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଦି ନିର୍ବିଶେଷରେ ମଣିଷ ମାତ୍ରର ସମାନ ଅଧିକାରର ସମର୍ଥକ ହେବ । ଶୋଷଣମୂଳକ ଅର୍ଥନୀତି ବଦଳାଇ ସାମ୍ୟ ଓ ସହଯୋଗ ଉପରେ ଆଧାରିତ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଚାହିଁବ । ଜୀବନର ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ସବୁ ପ୍ରକାରର କଠୋରତା ଓ ନିଷ୍ଠୁରତାକୁ ନିର୍ମୂଳ କରିବାକୁ ଚାହିଁବ । ଏବଂ ସର୍ବୋପରି ସାରା ବିଶ୍ୱର ଯୁଦ୍ଧ, ଦାରିଦ୍ର୍ୟ ଓ ବିଷମତା ଲୋପ ପାଇ ବିଶ୍ୱଶାନ୍ତି ଓ ବିଶ୍ୱ ସହଯୋଗ ସ୍ଥାପିତ ହେବାର ସ୍ୱପ୍ନ ସେ ଦେଖିବାକୁ ଲାଗିବ । ଗାନ୍ଧିଜୀ ୧୯୧୪ରେ ଦକ୍ଷିଣ ଆଫ୍ରିକାରୁ ପ୍ରକାଶିତ ଇଣ୍ଡିଆନ୍‍ ଓପିନିୟନ ପତ୍ରିକାରେ ଲେଖିଥିଲେ—

 

‘‘ଆମ ଭିତରେ ସତ୍ୟାଗ୍ରହର ବୃତ୍ତି ଯେତିକି ଅଧିକ ରହିବ ଆମେ ସେତିକି ଅଧିକ ଭଲ ମଣିଷ ହେବୁ । ତେଣୁ ଏହାର ବ୍ୟବହାର ସମ୍ବନ୍ଧରେ ବିତର୍କର ସ୍ଥାନ ନାହିଁ ଏବଂ ମୋ ବିଚାରରେ ଏହା ଏକ ଏପରି ଶକ୍ତି ଯାହା ବ୍ୟାପକ ଓ ସାର୍ବଜନୀନ ହେଲେ ଆମର ସାମାଜିକ ଆଦର୍ଶ ସମୂହରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଓ ଯେଉଁସବୁ ମନମୁଖୀ ଶାସନ ଓ ସାମରିକବାଦ କବଳରେ ପଡ଼ି ଆଜି ପାଶ୍ଚାତ୍ୟ ଦେଶମାନେ ଆର୍ତ୍ତନାଦ କରୁଛନ୍ତି ଓ ଯାହାଦ୍ୱାରା ଦଳି ହୋଇ ସେମାନେ ମୁମୂର୍ଷୁ ଅବସ୍ଥାରେ ପହଞ୍ଚିଲେଣି ଏବଂ ଯାହା ପ୍ରାଚ୍ୟ ଦେଶମାନଙ୍କୁ ମଧ୍ୟ ଗ୍ରାସ କରିବାର ଲକ୍ଷଣ ଦେଖାଗଲାଣି, ସେ ସବୁର ଲୋପ ସାଧନ କରିବ ।

 

ଏହା ପରେ ଆମେ ସହଜରେ ବୁଝି ପାରିବା ଯେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ରଚନାତ୍ମକ କାର୍ଯ୍ୟକ୍ରମ କାହିଁକି ସତ୍ୟାଗ୍ରହ ପନ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଦେଶ, କାଳ ଓ ପାତ୍ର ଅନୁସାରେ ଏ କାର୍ଯ୍ୟକ୍ରମ ଗୁଡ଼ିକରେ ପରିବର୍ତ୍ତନ ହେବ ମାତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂତନ ମୂଲ୍ୟବୋଧ ଦାଖଲ ନ କରି ସତ୍ୟାଗ୍ରହୀ କେବେ ସ୍ଥିର ରହି ପାରିବ ନାହିଁ ।

Image

 

(ଅଠର)

Unknown

ସତ୍ୟାଗ୍ରହର ସଂଗଠନ

 

ସତ୍ୟାଗ୍ରହ ଯେ ସମଗ୍ର ଜୀବନକୁ ଦେଖିବାର ଏକ ନୂଆ ଦୃଷ୍ଟି, ଏହା ଉପଲବ୍ଧି କରିବା ପରେ ଆମେ ସହଜରେ ବୁଝି ପାରିବା ଯେ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଏହାର ପ୍ରୟୋଗ ଅହରହ ଅସଂଖ୍ୟ ପ୍ରକାରରେ ଚାଲିପାରେ । କେହି ଜଣେ ଗାଳି ଦେଲେ କଡ଼ା ନ କହି ହସିକରି ଜବାବ ଦେବା ବା ଭାଇ ସମ୍ପତ୍ତିର ବାଟୁଆର କରିବାକୁ ଚାହିଁଲେ ସେ ଯାହା ମାଗିବ ତାଙ୍କୁ ତାହା ଦେଇ ଦେବାଠାରୁ ଆରମ୍ଭ କରି ଜମି ସମସ୍ୟା ସମାଧାନ ବା ରାଷ୍ଟ୍ରୀୟ ଏକତା ପାଇଁ ସତ୍ୟାଗ୍ରହର ପ୍ରୟୋଗ ହୋଇପାରେ । ତେବେ ଏ ଅଧ୍ୟାୟରେ ଆମେ କୌଣସି ସର୍ବସାଧାରଣ ଉପଲକ୍ଷ୍ୟକୁ ଘେନି କରା ଯାଉଥିବା ସତ୍ୟାଗ୍ରହର ଆୟୋଜନ, ସଂଗଠନ ଓ ନେତୃତ୍ୱ ବିଷୟରେ ଚର୍ଚ୍ଚା କରିବା ।

 

ଯେଉଁ ସବୁ ଉଦ୍ଦେଶ୍ୟ ବା ସମସ୍ୟାକୁ ନେଇ ସତ୍ୟାଗ୍ରହ କରାଯାଇଥାଏ ତାର କେତେକ ଚର୍ଚ୍ଚା ଆମେ ପୂର୍ବରୁ ୬ଷ୍ଠ ଅଧ୍ୟାୟରେ କରିଛୁଁ। ଯେ କୌଣସି ଲକ୍ଷ୍ୟକୁ ସାମନାରେ ରଖି ସତ୍ୟାଗ୍ରହ କରିବାକୁ ଗଲାବେଳେ (ଏଠି ମୁଁ ସ୍ୱାଧୀନତା ହାସଲରୂପୀ ବ୍ୟାପକ ଓ ବିଶାଳ ଲକ୍ଷ୍ୟକୁ ବାଦ ଦେଉଛି ଯାହା ଆଉ ଆମ ସାମନାରେ ଏକ ପ୍ରଶ୍ନ ହୋଇ ନାହିଁ) ମଧ୍ୟ ସେଥିରେ ପରିସ୍ଥିତି ଓ ସତ୍ୟାଗ୍ରହୀର ସାମର୍ଥ୍ୟକୁ ଘେନି ନିମ୍ନମତେ ପ୍ରକାର ଭେଦ ଘଟିପାରେ ।

 

(୧) କୌଣସି ଅନ୍ୟାୟ ବା ଅନୈତିକ କାମ ବିରୋଧରେ ବ୍ୟକ୍ତିଗତ ବିବେକଗତ ବିରୋଧ ଦର୍ଶାଇବା ପାଇଁ ବା ସେଭଳି କାର୍ଯ୍ୟରୁ ନିଜକୁ ଅଲଗା ରଖିବା ପାଇଁ ସତ୍ୟାଗ୍ରହ । ଏ ବିରୋଧ ବା ସତ୍ୟାଗ୍ରହ ଦ୍ୱାରା ସେ ଅନ୍ୟାୟ ଲୋପ ହେବାର ପ୍ରଶ୍ନ ମୁଖ୍ୟତଃ ସାମନାରେ ନ ଥାଏ-। ଅନ୍ତରର ଏକ ବ୍ୟାକୁଳତା ଦ୍ୱାରା ପ୍ରେରିତ ହୋଇ ଏଭଳି ସତ୍ୟାଗ୍ରହ କରାଯାଇଥାଏ । ଏହା ନ କଲେ ତାର ମଣିଷପଣିଆ ମାଟିରେ ମିଶିଯିବ ବଞ୍ଚି ରହିବାର ଆଉ କୌଣସି ଅର୍ଥ ରହିବ ନାହିଁ ବୋଲି ସତ୍ୟାଗ୍ରହୀ ଅନୁଭବ କରେ । ୟୁରୋପରେ ଯୁଦ୍ଧବିରୋଧୀମାନଙ୍କର ବାଧ୍ୟତାମୂଳକ ସୈନିକ ତାଲିମକୁ ଅମାନ୍ୟ କରିବା ଏହାର ପ୍ରକୃଷ୍ଟ ଉଦାହରଣ । ଏହିଭଳି ହଜାର ହଜାର ଯୁଦ୍ଧ ବିରୋଧୀ ନିଜର ବିବେକର ଡାକ ଶୁଣିବା ଯୋଗୁଁ କଠୋର ଦଣ୍ଡ ବାରଣ କରିଛନ୍ତି । କେତେକ ସାରା ଜୀବନ କାରାଗାରରେ କଟାଇଛନ୍ତି, ମାତ୍ର ନିଷ୍ଠାରୁ ବିଚ୍ୟୁତ ହୋଇ ନାହାନ୍ତି । ଜର୍ମାଦିରେ ହିଟଲର ରାଜୁତି ବେଳେ ଅନେକ ନାଜୀ ବିରୋଧୀ ମଧ୍ୟ ଏହିଭଳି କଷଣ ସହିଛନ୍ତି ଓ ଏପରିକି ଜୀବନ ମଧ୍ୟ ଦେଇଛନ୍ତି ।

 

ଏଭଳି କାର୍ଯ୍ୟର ତୁରନ୍ତ ପରିଣାମ କିଛି ଦେଖାଯାଏ ନାହିଁ, ମାତ୍ର ପ୍ରତ୍ୟେକ ସତ୍‍କାର୍ଯ୍ୟର ଶୁଭ ପରିଣାମ ଦିନେ ନା ଦିନେ ହେବ ଏହି ଶ୍ରଦ୍ଧା ଏ କ୍ଷେତ୍ରରେ ସତ୍ୟାଗ୍ରହୀଙ୍କୁ ବଳ ଦିଏ ।

 

(୨) ଏହା ଆଗକୁ କୌଣସି ଅକାର୍ଯ୍ୟ ବା ଅନୀତି ଉପରକୁ ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିବା ଓ ତାହା ବିରୋଧରେ ଲୋକମତ ସଂଗଠନ କରିବା ଉଦ୍ୟମ । ସଭାସମିତି, ଖବରକାଗଜ ଆଦି ଦ୍ୱାରା ପ୍ରଚାର ବ୍ୟତୀତ ହଠାତ୍‍ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ଓ ସେମାନଙ୍କର ହୃଦୟକୁ ସ୍ପର୍ଶ କରିବା ଭଳି କାର୍ଯ୍ୟକ୍ରମ ଏଥିପାଇଁ ଉପଯୋଗୀ ହୋଇଥାଏ । ୧୯୨୪ରେ ହିନ୍ଦୁ ମୁସଲମାନ ଏକତା ପାଇଁ ଓ ୧୯୩୩ରେ ଅସ୍ପୃଶ୍ୟତା ବିରୋଧରେ ଗାନ୍ଧିଜୀଙ୍କର ଅନଶନ ଏହି ପର୍ଯ୍ୟାୟରେ ପଡ଼ିବ । ବ୍ରିଟେନର ପରମାଣୁ ଅସ୍ତ୍ରସଜ୍ଜା ବିରୋଧରେ ର୍ବଟ୍ରାଣ୍ଡ ରସେଲଙ୍କ ଆଇନ ଅମାନ୍ୟ ମଧ୍ୟ ଏକ ସମସ୍ୟା ପ୍ରତି ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣରେ ସଫଳ ହୋଇଥିଲା । ପୂର୍ବ ଯୁଗରେ ବିବେକଶୀଳ ଯୁଦ୍ଧବିରୋଧୀମାନଙ୍କର ଯୁଦ୍ଧରେ ଯୋଗ ଦେବାର ଅସ୍ୱୀକୃତ କେବଳ ବ୍ୟକ୍ତିଗତ ନୀତିରକ୍ଷା ପାଇଁ ଥିଲା । ମାତ୍ର ଏବେ ଯୁକ୍ତରାଷ୍ଟ୍ରରେ ଯୁଦ୍ଧ ବିରୋଧୀମାନେ ସର୍ବସାଧାରଣରେ ବିକ୍ଷୋଭ ପ୍ରଦର୍ଶନ କରି ଡ୍ରାଫଟ କାର୍ଡ଼ ବା ସୈନ୍ୟ ବାହିନୀରେ ଯୋଗ ଦେବାର ଆଦେଶାନାମାକୁ ପୋଡ଼ିବା ଦ୍ୱାରା ନିରସ୍ତ୍ରୀକରଣ, ଭିଏତନାମା ଯୁଦ୍ଧ ଆଦି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ ଓ ସେ ବାବଦରେ ଲୋକମତ ସୃଷ୍ଟିର ପ୍ରୟାସ କରୁଛନ୍ତି ।

 

ଯେଉଁ ସମସ୍ୟା, ଅନୀତି ବା ଅପକର୍ମ ପ୍ରତି ଦୃଷ୍ଟି ଆକର୍ଷଣ କରାଯିବ ତାହା ଯଦି ଅସ୍ପୃଶ୍ୟତା ପରି ସମାଜରେ ପ୍ରଚଳିତ ମୂଲ୍ୟବୋଧର ପ୍ରଶ୍ନ ହୋଇଥାଏ ତେବେ ତାହା ବିରୋଧରେ ଲୋକମତା ସୃଷ୍ଟି ହିଁ ତାହାକୁ ସମାଧାନ କରିବାର ପ୍ରକୃଷ୍ଟ ପନ୍ଥା ମଧ୍ୟ ହୋଇଥାଏ । ସେଥି ସହିତ ଆଇନର ସମ୍ପର୍କ ଥିଲେ ଆଇନ ପ୍ରଣୟନ ନିମନ୍ତେ ଲୋକମତର ଯଥେଷ୍ଟ ଚାପ ସୃଷ୍ଟି କରିବା ଆବଶ୍ୟକ ହୁଏ ।

 

(୩) ତୃତୀୟ ପ୍ରକାର ବା ସ୍ତର ହେଲା କୌଣସି ସମସ୍ୟା ବିଷୟରେ କେବଳ ଲୋକମତ ସୃଷ୍ଟି ନୁହେଁ, ତାର ଆଶୁ ସମାଧାନ ପାଇଁ ସତ୍ୟାଗ୍ରହ । ବସ୍ତୁତଃ ଅଧିକାଂଶ ସତ୍ୟାଗ୍ରହର ଏହିଭଳି ଆଶୁ ଫଳଲାଭର ଉଦ୍ଦେଶ୍ୟ ହିଁ ଥାଏ । ଲବଣ ସତ୍ୟାଗ୍ରହ, ବାରଦୋଲୀ ସତ୍ୟାଗ୍ରହ ଆଦି ସବୁ ଏହି ପର୍ଯ୍ୟାୟରେ ପଡ଼ିବ ।

 

ଯେ କୌଣସି ଆନ୍ଦୋଳନ ଏହି ତିନି ପର୍ଯ୍ୟାୟ ଦେଇ ଗତିକରେ ବୋଲି କୁହାଯାଇପାରେ । ଅନେକ ସମୟରେ ଆନ୍ଦୋଳନର ଶେଷରେ ତାହାର ପରିଣାମ ଦେଖି ତାହା କେଉଁ ପର୍ଯ୍ୟାୟର ବୋଲି ନିର୍ଣ୍ଣୟ କରିବାକୁ ହୁଏ । ଯୁଦ୍ଧ ବା ବେପାର ଭଳି ସତ୍ୟାଗ୍ରହରେ ମଧ୍ୟ ପରିସ୍ଥିତିର ସବୁ ଅନୁକୂଳ ପ୍ରତିକୂଳ ଉପାଦାନ ହିସାବ କରି ଅବଶ୍ୟ ଜିତିବୁ ବୋଲି ନିର୍ଭର ଆଶ୍ୱାସ ନେଇ ଉଦ୍ୟମ ଆରମ୍ଭ କରିହୁଏ ନାହିଁ । ଭଗବାନଙ୍କ ଉପରେ ବା ଭାଗ୍ୟ ଉପରେ ବିଶ୍ୱାସ ରଖି କେତେକଟା ଝୁଙ୍କି ମୁଣ୍ଡେଇବାକୁ ହୁଏ । ହୁଏତ ଶୁଦ୍ଧ ବିବେକର ଆହ୍ୱାନରେ କରାଯାଇଥିବା ‘‘ଏକଲା ଚଲୋରେ’’ ଭଳି ଉଦ୍ୟମ ସମାଜ ଉପରେ ଗଭୀର ପ୍ରଭାବ ପକାଏ ଓ ସାଫଲ୍ୟ ମଣ୍ଡିତ ହୁଏ । ୧୯୪୭ରେ କଲିକତାରେ ଗାନ୍ଧିଜୀ ସମ୍ପ୍ରଦାୟିକ ଦଙ୍ଗା ବିରୋଧରେ ଯେଉଁ ଅନଶନ କରିଥିଲେ ତାହା ଏହିଭଳି ବ୍ୟାକୁଳ ହୃଦୟରେ ମରିୟା ହୋଇ କରିଥିଲେ । ମାତ୍ର ତାହା ଅଲୌକିକ ପ୍ରଭାବ ପକାଇଲା । ପୁଣି ଏବେ କେରଳରେ ସର୍ବୋଦୟ କର୍ମୀମାନେ ନିଶା ନିବାରଣ ଉଠେଇଦେବା ବିରୋଧରେ ଯେଉଁ ସତ୍ୟାଗ୍ରହ କରିଥିଲେ ତାହା କେବଳ ବିବେକଗତ ପ୍ରତିବାଦରେ ହିଁ ପର୍ଯ୍ୟବସିତ ହେଲା ।

 

(୪) ଆଉ ଏକ ଚତୁର୍ଥ ପ୍ରକାରର ସତ୍ୟାଗ୍ରହକୁ ଆତ୍ମରକ୍ଷାମୂଳକ ଆଖ୍ୟା ଦିଆଯିବ । ବେଦଖଲୀ ବିରୋଧରେ ସତ୍ୟାଗ୍ରହ ଏହି ପ୍ରକାରର ।

 

କୌଣସି ସତ୍ୟାଗ୍ରହ ଆରମ୍ଭ କରିବା ପୂର୍ବରୁ ତାହାର ଲକ୍ଷ୍ୟ କଣ, କେଉଁ ପର୍ଯ୍ୟନ୍ତ ତାହା ଯାଇ ପାରିବ, ଏହାର ସ୍ପଷ୍ଟ ଧାରଣା ଥିବା ଚାହିଁ । ସତ୍ୟାଗ୍ରହ ବ୍ୟକ୍ତିଗତ, ଅଳ୍ପ ଲୋକଙ୍କଠାରେ ସୀମାବଦ୍ଧ ଓ ଗଣ ଆନ୍ଦୋଳନମୂଳକ ହୋଇପାରେ । ବ୍ୟକ୍ତିଗତ ସତ୍ୟାଗ୍ରହ ଯଦି କେବଳ ପ୍ରତିବାଦମୂଳକ ବା ବିବେକଗତ ବିରୋଧ ପ୍ରଦର୍ଶନ ପାଇଁ ହୋଇଥାଏ କିମ୍ବା କୌଣସି ଅସମ୍ଭାଳ ପରିସ୍ଥିତି ବିଷୟରେ ବ୍ୟାକୁଳତା ଯୋଗୁଁ ହୋଇଥାଏ ତେବେ ସେଥିରେ ବ୍ୟକ୍ତିର ଅନ୍ତରରେ ପ୍ରେରଣା ହିଁ ତାର ମୁଖ୍ୟ ନିୟାମକ ହେବ । ମାତ୍ର ତଥାପି ପ୍ରଥମ ପାର୍ଯ୍ୟାୟରୁ ଦ୍ଵିତୀୟଂ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଅଲଗା ନୁହେଁ । ଜନମତ ଉପରେ ତାର ପ୍ରଭାବ ଅବଶ୍ୟ କିଛି ନା କିଛି ପଡ଼େ । ସେଥିପାଇଁ ଲୋକଙ୍କର ଦୃଷ୍ଟି ଆକର୍ଷଣ ପାଇଁ ଓ ହୃଦୟକୁ ସ୍ପର୍ଶ କରିବା ଦୃଷ୍ଟିରୁ ତାହା ଯଥୋଚିତ କି ନୁହେଁ ତାର ବିଚାର କରି ଦେଖିବାର କଥା ।

 

ଏ ସନ୍ଦର୍ଭରେ ବିନୋବାଜୀଙ୍କର ଗୋଟିଏ କଥାର ଉଲ୍ଲେଖ ପ୍ରାସଙ୍ଗିକ ହେବ । ମଧ୍ୟପ୍ରଦେଶର ରତଲାମଠାରେ କେତେକ ସାମ୍ପ୍ରଦାୟିକ ଗଣ୍ଡଗୋଳ ଯୋଗୁଁ ଜଣେ ସର୍ବୋଦୟ କର୍ମୀ ବିନୋବାଜୀଙ୍କଠାକୁ ଆସି ଏହା ବିରୋଧରେ ଅନଶନ କରିବାର ବିଚାର ପ୍ରକାଶ କଲେ । ଏ କର୍ମୀ ଜଣେ ଜୈନ ଥିଲେ । ବିନୋବାଜୀ ତାଙ୍କୁ କହିଲେ—‘‘ଜୈନମାନଙ୍କ ଭିତରେ ଖୁବ୍‍ ଦୀର୍ଘକାଳ ଧରି ବାରମ୍ବାର ଉପବାସ କରିବାର ପରମ୍ପରା ଅଛି । ତମେ ଉପବାସ କଲେ କିଏ କାହିଁକି ସେଥିପ୍ରତି ଦୃଷ୍ଟି ଦେବ ? ବରଂ ତମେ ଦିନକୁ ସାଧାରଣତଃ ତିନିଥର ଖାଉଥିବ ତ ପାଞ୍ଚଥର ଖାଇବା ଆରମ୍ଭ କଲେ କେଜାଣି ଲୋକେ କହିବେ ଯେ ଆରେ, ଘଟଣା କଣ ? ଏ ଲୋକ କାହିଁକି ଏପରି କରୁଛି ?’’

 

ଲୋକମତ ସୃଷ୍ଟିର ଉଦ୍ଦେଶ୍ୟ ନେଇ କରାଯାଉଥିବା ସତ୍ୟାଗ୍ରହର ଏ ଦିଗ ପ୍ରତି ତ ବିଶେଷ ଦୃଷ୍ଟି ଦେବା ଚାହିଁ ଏବଂ ଅନ୍ୟାୟର ପ୍ରତିକାର ପାଇଁ ବା ସମସ୍ୟାର ଆଶୁ ସମାଧାନ ପାଇଁ କରାଯାଉଥିଲେ ଓ ସେଥିରେ ଜନସାଧାରଣାନଙ୍କର ସହଯୋଗ କାମ୍ୟ ଥିଲେ, ନିଜର ଶକ୍ତି ଓ ଜନତାର ଭାବନା; ବିଚାର ଓ ଶକ୍ତିକୁ ମଧ୍ୟ ହିସାବକୁ ନେବା ଚାହିଁ ।

 

ଅନେକ ବିଚାରନ୍ତି ଯେ ଗାନ୍ଧିଜୀ ଅନଶନ କଲେ ବା ଅନ୍ୟ କୌଣସି ପଦକ୍ଷେପ ନେଲେ ଦେଶସାରା ଚହଳ ପଡ଼ିଯାଉଥିଲା, ଅତଏବ ଯେ କେହି ସେଭଳି କଲେ ଚହଳ ପଡ଼ିଯିବ ବା ଚହଳ ପକାଇବା ପାଇଁ ସେଭଳି ପଦକ୍ଷେପ ନେବା ଉଚିତ । ସେମାନେ ଏହା ବିଚାରିବା ବେଳେ ନିଜର ବ୍ୟକ୍ତିତ୍ୱ ଓ ଶକ୍ତି, ଜନସାଧାରଙ୍କର ମତିଗତି ଓ ପରିବର୍ତ୍ତିତ ପରିସ୍ଥିତିର ବିଚାର କରିବାକୁ ଭୁଲିଯାନ୍ତି ।

 

ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଆଉ ଏକ କରଣୀୟ କାର୍ଯ୍ୟ ହେଲା ଯେଉଁ ସମସ୍ୟାକୁ ଧରି ତାହା କରାଯିବ ତାହାର ଯେତେଦୂର ସମ୍ଭବ ପୂର୍ଣ୍ଣ ଅଧ୍ୟୟନ । ପ୍ରକୃତରେ ତାର ରୂପ କଣ, ତାହା ମୂଳରେ ଥିବା ସାମାଜିକ, ରାଜନୀତିକ, ଆର୍ଥନୀତିକ କାରଣ, ସମସ୍ୟା ସହିତ ସମ୍ପୃକ୍ତ ସମାଜ ବା ଗୋଷ୍ଠୀରେ କେଉଁମାନଙ୍କଠାରେ କିଭଳି କ୍ଷମତା ଓ ପ୍ରଭାବ ରହିଛି ଏଥିପ୍ରତି ଖବର କାଗଜ, ପୁଲିସ ଓ ରାଜନୀତିକ ଦଳର ନେତାମାନଙ୍କର ମନୋଭାବ କଣ, ସମାଜର ମୁଖ୍ୟ ଗୋଷ୍ଠୀମାନଙ୍କର ଏ ବିଷୟରେ ଆଭିମୁଖ୍ୟ, ଏ ବାବଦରେ ଆଇନଗତ ସ୍ଥିତି ଇତ୍ୟାଦି ସମସ୍ୟାର ବିବିଧ ବିଭବ ବିଷୟରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଓ ତଥ୍ୟ ହାସଲ କରିବା ଚାହିଁ ।

 

ପୁଣି ସେ ବିଷୟରେ ଲୋକମତ ସଂଗଠନ ପାଇଁ ଜନସାଧାରଣଙ୍କୁ ସମସ୍ୟାର ସମ୍ୟକ୍‍ ଜ୍ଞାନ ଦେବା ଦୃଷ୍ଟିରୁ ବ୍ୟାପକ ଓ ସକ୍ଷମ ପ୍ରଚାର ଆବଶ୍ୟକ । ଏଥିପାଇଁ ଖବର କାଗଜ, ପ୍ରଚାର ପୁସ୍ତିକା, ରେଡ଼ିଓ, ସାଧାରଣ ସଭା, ବିଶିଷ୍ଟ ଲୋକଙ୍କର ବକ୍ତୃତା, ଆନ୍ଦୋଳନର ସମର୍ଥନରେ ବିଭିନ୍ନ ଅନୁଷ୍ଠାନମାନଙ୍କର ପ୍ରସ୍ତାବ ଗ୍ରହଣ, ଶୋଭାଯାତ୍ରା ଆଦି ପନ୍ଥା ଅବଲମ୍ବନ କରାଯାଇଥାଏ ।

 

ଲୋକମତ ସଂଗଠନ ବିଷୟରେ ଗାନ୍ଧିଜୀ କହିଛନ୍ତି—‘‘କିନ୍ତୁ ସତ୍ୟାଗ୍ରହ ନୀରବରେ କାମ କରିପାରୁଥିଲେ ବି ତାହା ସତ୍ୟାଗ୍ରହୀ ଦ୍ୱାରା କେତେ କ୍ରିୟାକଳାପ ଆବଶ୍ୟକ କରେ । ଉଦାହରଣ ସ୍ୱରୂପ ସତ୍ୟାଗ୍ରହୀକୁ ପ୍ରଥମେ ସେ ଯେଉଁ ଅନୀତିକୁ ଦୂର କରିବାକୁ ଚାହେଁ ତାହା ବିରୋଧରେ ଜନମତ ସଂଗଠିତ କରିବାକୁ ହେବ ଓ ସେଥିପାଇଁ ବ୍ୟାପକ ଓ ପ୍ରଖର ଆନ୍ଦୋଳନ ଚଳାଇବାକୁ ହେବ । କୌଣସି ସାମାଜିକ ଅନୀତି ବିରୋଧରେ ଯଥେଷ୍ଟ ଜନମତ ଜାଗ୍ରତ ହେଲେ ଅତି ଶକ୍ତିଶାଳୀ ଲୋକ ବି ସେ ଅନୀତି ଆଚରିବା ବା ତାହାକୁ ଖୋଲା ଖୋଲି ସମର୍ଥନ କରିବାକୁ ସାହସ କରିବେ ନାହିଁ । ଜାଗ୍ରତ ଓ ବୁଦ୍ଧିଯୁକ୍ତ ଜନମତ ହିଁ ସତ୍ୟାଗ୍ରହୀର ସବୁଠୁଁ ଶକ୍ତିଶାଳୀ ଅସ୍ତ୍ର । ଯଦି ସର୍ବସମ୍ମତ ଜନମତକୁ ପୂରାପୂରି ଉପେକ୍ଷା କରି କେହି ଏଭଳି ସାମାଜିକ ଅନୀତିର ସମର୍ଥନ କରେ ତେବେ ତାହାକୁ ସାମାଜିକ ବାସନ୍ଦ କରିବା ସପକ୍ଷରେ ଯଥେଷ୍ଟ କାରଣ ମିଳିଥାଏ । ମାତ୍ର ଏଭଳି ବାସନ୍ଦର ଲକ୍ଷ୍ୟ ସେ ଲୋକର କୌଣସି ପ୍ରକାର ହାନି ଘଟାଇବା କଦାପି ହେବ ନାହିଁ ।’’ (ୟଂ ଇଣ୍ଡିଆ ୮.୮. ୨୯)

 

ଜନସାଧାରଣଙ୍କ ସହିତ ସତତ ସଂଯୋଗ ରକ୍ଷାପାଇ ଏକ ନିଷ୍ଠାପର ଓ ତତ୍ପର ସ୍ୱେଚ୍ଛାସେବକ ବାହିନୀର ଆବଶ୍ୟକତା ଉପରେ ମଧ୍ୟ ଗାନ୍ଧିଜୀ ଜୋର ଦେଉଥିଲେ । ସେ କହିଛନ୍ତି–‘‘ମୁଁ ଉପଲବ୍ଧି କଲି ଯେ ଲୋକେ ଆଇନ ଅମାନ୍ୟ କରିବାକୁ ଯୋଗ୍ୟ ହେବା ପୂର୍ବରୁ ସେମାନଙ୍କୁ ଏହାର ଗଭୀରତର ତାତ୍ପର୍ଯ୍ୟ ସମୂହକୁ ବୁଝିବାକୁ ପଡ଼ିବ । ଏପରି ଅବସ୍ଥାରେ ଆଇନ ଅମାନ୍ୟ ପୁଣି ଆରମ୍ଭ କରିବା ପୂର୍ବରୁ ସତ୍ୟାଗ୍ରହର କଡ଼ା ସର୍ତ୍ତଗୁଡ଼ିକୁ ଭଲଭାବରେ ବୁଝିଥିବା, ସୁପରିକ୍ଷିତ ଓ ଶୁଦ୍ଧ ହୃଦୟ ସ୍ୱେଚ୍ଛାସେବକମାନଙ୍କର ଗୋଟିଏ ଦଳ ଗଢ଼ିବାକୁ ହେବ । ସେମାନେ ଏ ସବୁ ଲୋକଙ୍କୁ ବୁଝାଇବେ ଓ ଅତନ୍ଦ୍ର ସତର୍କତା ଦ୍ୱାରା ଲୋକଙ୍କୁ ଠିକ୍‍ ବାଟରେ ରଖିବେ ।’’ (ଆତ୍ମକଥା, ଅଧ୍ୟାୟ-୩୩)

 

ଗାନ୍ଧିଜୀ ଆନ୍ଦୋଳନର ବାର୍ତ୍ତା ଲୋକଙ୍କଠାରେ ପହଞ୍ଚାଇବା ପାଇଁ ଏକ ମୁଖପାତ୍ର ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । ଦକ୍ଷିଣ ଆଫ୍ରିକାରେ ଇଣ୍ଡିଆନ ଓପିନିୟନ୍‍ ଓ ଭାରତରେ ପ୍ରଥମ ଇଂରେଜୀ ୟଂ ଇଣ୍ଡିଆ ଓ ହିନ୍ଦୀ ତଥା ଗୁଜୁରାଟୀ ନବଜୀବନ ଓ ପରେ ଉପରୋକ୍ତ ତିନିଭାଷାରେ ଯଥାକ୍ରମେ ‘ହରିଜନ’ ‘ହରିଜନ ସେବକ’ ଓ ‘ହରିଜନ ବନ୍ଧୁ’ ତାଙ୍କର ମୁଖପତ୍ର ଥିଲା ।

 

ବ୍ୟାପକ ପ୍ରଚାର ଓ ଦୃଷ୍ଟି ଆକର୍ଷଣ ନିମନ୍ତେ ଅତି ପ୍ରଭାବକାରୀ ଉପାୟ ରୂପେ ଲବଣ ସତ୍ୟାଗ୍ରହ ବେଳେ ଗାନ୍ଧିଜୀଙ୍କର ଦାଣ୍ଡି ପଦଯାତ୍ରା ଓ ଓଡ଼ିଶାରେ ହରିଜନ ପଦଯାତ୍ରା ଉଲ୍ଲେଖ ଯୋଗ୍ୟ । ବିନୋବାଜୀଙ୍କ ପଦଯାତ୍ରା ମଧ୍ୟ ସେହିପରି ।

 

ଆଜିକାଲି ସବୁ ଆନ୍ଦୋଳନରେ ଜନସମ୍ପର୍କରେ ମହତ୍ତ୍ୱ ରହିଛି । ଜନସାଧାରଣଙ୍କର ହୃଦୟ ଓ ବୁଦ୍ଧିର ସଂସ୍ପର୍ଶରେ ନ ଆସିପାରିଲେ କି ଆନ୍ଦୋଳନ ହେବ ? ରଚନାତ୍ମକ କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କର ଜନସମ୍ପର୍କର ମାଧ୍ୟମ ଥିଲା, ମାତ୍ର ଏଥିରେ ଦୁଇଟି ବିଶେଷତ୍ୱ ଥିଲା । ଏ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ମୂଲ୍ୟବୋଧ ଓ ଜୀବନ ଦୃଷ୍ଟିର ପ୍ରସାରର ଉଦ୍ୟମ ସେବା ମାଧ୍ୟମରେ କରାଯାଇଥାଏ ଓ ସମସ୍ୟାରେ ସମ୍ପୃକ୍ତ ଉଭୟ ବା ସମସ୍ତ ପକ୍ଷଙ୍କୁ ସ୍ପର୍ଶ କରିବା ପାଇଁ ଉଦ୍ୟମ କରାଯାଇଥାଏ । ଅନ୍ୟାନ୍ୟ ଗଣ ଆନ୍ଦୋଳନ ବିଶେଷକରି ଶ୍ରେଣୀ ସଂଘର୍ଷ ମୂଳକ ଆନ୍ଦୋଳନରେ କେବଳ ନିପୀଡ଼ିତ ଶ୍ରେଣୀ ସହ ସମ୍ପର୍କକୁ ଗୁରୁତ୍ୱ ଦିଆଯାଏ । ସତ୍ୟାଗ୍ରହ ପନ୍ଥାରେ ହରିଜନ ସମସ୍ୟାର ସମାଧାନ ପାଇଁ ହରିଜନ ଓ ବର୍ଣ୍ଣହିନ୍ଦୁ, ଭୂମି ସମସ୍ୟାର ସମାଧାନ ପାଇଁ ଉଭୟ ମାଲିକ ଓ ଶ୍ରମିକ ଏହିପରି ଦୁଇପକ୍ଷ ସହିତ ସମ୍ପର୍କ ରଖିବା ଆବଶ୍ୟକ ।

 

ରଚନାତ୍ମକ ବା ସେବାକାର୍ଯ୍ୟର ଅନ୍ୟାନ୍ୟ ଉଦ୍ଦେଶ୍ୟ ହେବ, ସମସ୍ୟାର ତାତ୍ପର୍ଯ୍ୟ ବିଷୟରେ ସମ୍ପୃକ୍ତ ଲୋକସାଧରଣଙ୍କର ଧାରଣା ସ୍ପଷ୍ଟ କରିବା ଉଦାସୀନତା ବା ତିକ୍ତତାର ମନୋଭାବ ଦୂର କରି ଏକ ବିଧାୟକ ବା ରଚନାତ୍ମକ ମନୋଭାବ ଜାଗ୍ରତ କରାଇବା, ଅହିଂସା ପ୍ରତିରୋଧ ପାଇଁ ଆବଶ୍ୟକ ଗୁଣାବଳୀ ଯଥା ଆତ୍ମଅନୁଶାସନ, ସାତତ୍ୟ, ଧୈର୍ଯ୍ୟ, ଆତ୍ମନିର୍ଭରଶୀଳତା, ସମସ୍ତଙ୍କ ପ୍ରତି ଆଦର, କଷ୍ଟସହିଷ୍ଣୁତା, ସେବା ଅଭିକ୍ରମ ଆଦିର ବିକାଶ କରାଇବା, ସମାଜରେ ସେବାର ଆଦର୍ଶ ଦେଖାଇ ଆନ୍ଦୋଳନ ପ୍ରତି ଆସ୍ଥା ସୃଷ୍ଟି କରିବା ଇତ୍ୟାଦି ।

 

ଏସବୁ କରିବା ସାଙ୍ଗେ ସାଙ୍ଗେ ସମସ୍ୟା ସହିତ ସମ୍ପୃକ୍ତ ଓ ତାହାର ସମାଧାନରେ ବାଧକ ହେଉଥିବା ପକ୍ଷ, ଯାହାକୁ ଅନ୍ୟ ଉତ୍ତମ ଶବ୍ଦର ଅଭାବରେ ବିରୋଧୀ ପକ୍ଷ ବୋଲି କହିବା, ତାହା ସହିତ କଥାବାର୍ତ୍ତା ଓ ଆଲୋଚନା ଚଳାଇଥିବା ଆବଶ୍ୟକ । ଏଥିପାଇଁ ଯେଉଁମାନେ ମଧ୍ୟସ୍ଥତା କରିପାରିବେ ସେଭଳି ଲୋକଙ୍କର ସାହାଯ୍ୟ ମଧ୍ୟ ନେବା ଚାହିଁ । ଠିକ୍‍ ଢଙ୍ଗର ସମ୍ପର୍କ, ପ୍ରଚାର ଓ ବୁଝାଇବା ଦ୍ୱାରା ହିଁ ସମସ୍ୟା ସମାଧାନ ବାଟରେ ଅଗ୍ରଗତି ସମ୍ଭବ ହୁଏ । ଭୂଦାନ, ଗ୍ରାମଦାନ ଆନ୍ଦୋଳନ ଏହାର ପ୍ରକୃଷ୍ଟ ଉଦାହରଣ । ଲୋକମତର ପ୍ରଭାବ, ସତ୍ୟାଗ୍ରହୀ ସେବକର ସାତତ୍ୟ ଓ କଷ୍ଟସହନ ତଥା ପ୍ରତିପେକ୍ଷୀର ବୁଦ୍ଧି ଓ ହୃଦୟକୁ ସକ୍ଷମ ଆବେଦନ ଦ୍ୱାରା ହିଁ କାମ ହୁଏ-

 

କୌଣସି ଆନ୍ଦୋଳନରେ ବିରୋଧକୁ ଆୟତ୍ତ କରିବା ପାଇଁ ପରୋକ୍ଷ ପଦକ୍ଷେପର ମଧ୍ୟ ମହତ୍ତ୍ୱ ରହିଛି । ଗୋଟିଏ ଗାଁରେ ବର୍ଣ୍ଣହିନ୍ଦୁମାନେ ହରିଜନମାନଙ୍କୁ ତାଙ୍କ କୂଅରୁ ପାଣି କାଢ଼ିବାକୁ ଦେଉ ନଥିଲେ ଓ ସେ ସମସ୍ୟା ନେଇ ଜଣେ କର୍ମୀ ସେଠି ଆନ୍ଦୋଳନ ଚଳାଇଥିଲେ । ବର୍ଣ୍ଣ ହିନ୍ଦୁମାନେ ପ୍ରସ୍ତାବ ଦେଲେ ଯେ ଆମେ ହରିଜନମାନଙ୍କ ପାଇଁ ଆମ ଖର୍ଚ୍ଚରେ ଏକ ଅଲଗା କୂଅ ଖୋଲାଇ ଦେବୁ । ବିନୋବାଜୀ ଏ ପ୍ରସ୍ତାବକୁ ସ୍ୱୀକାର କରି ନେବାକୁ କର୍ମୀଙ୍କୁ ପରାମର୍ଶ ଦେଲେ । ବିନୋବାଜୀଙ୍କ ମତରେ କୂଅ ଖୋଳାଇ ଦେବା ପ୍ରସ୍ତାବରେ ବର୍ଣ୍ଣ ହିନ୍ଦୁଙ୍କ ମନରେ ହରିଜନଙ୍କ ପ୍ରତି କିଛି ସହାନୁଭୂତି ଜନ୍ମ ହେବାର ସୂଚନା ରହଛି । ଅତି ଆଗ୍ରହ ଦ୍ୱାରା ଏ ସହାନୁଭୁତିକୁ ଶୁଖିଯିବାକୁ ନ ଦେଇ ତାକୁ ବଢ଼ିବା ପାଇଁ ସୁଯୋଗ ଦେବା ଉଚିତ । ଗୋଟାଏ ଆଡ଼ୁ ଆଗ୍ରହ ଛାଡ଼ିଦେଲେ ଅନ୍ୟଆଡ଼ୁ ମଧ୍ୟ ଆଗ୍ରହ ବା ଜିଦ୍‍ ଢିଲା ହୋଇଯିବ ଓ ବିରୋଧ କମିଯିବ । ହରିଜନଙ୍କ କୂଅରୁ କେହି କେହି ବର୍ଣ୍ଣ ହିନ୍ଦୁ ବି ପାଣି ନେବାକୁ ଆସିବେ ଓ ଏହିରୂପେ ଅସ୍ପୃଶ୍ୟତାର ମୂଳ ଦୋହଲିବ ।

 

ସମସ୍ୟାର ସମାଧାନ ପାଇଁ ପ୍ରତିରୋଧମୂଳକ ପଦକ୍ଷେପ ନେବାକୁ ପଡ଼ିଲେ କଥାବାର୍ତ୍ତା ଦ୍ୱାରା ସମାଧାନର ସବୁ ଚେଷ୍ଟା ବିଫଳ ହେଲେ, ଅନ୍ୟ ପଦକ୍ଷେପର କଳ୍ପନା କରାଯାଇ ପାରେ । କେତେକ କ୍ଷେତ୍ରରେ ଏହା ପ୍ରତିରୋଧମୂଳକ ହେବ, ଯଥା : ବେଦଖଲୀ ରୋକିବାପାଇଁ ଜମି ଉପରେ ବସିବା, ମଦ ଦୋକାନ ଉଠାଇବା ପାଇଁ ପିକେଟିଂ କରିବା ଇତ୍ୟାଦି । ଅନ୍ୟ କ୍ଷେତ୍ରରେ ଏହା କେବଳ ମୌଖିକ କଥାବାର୍ତ୍ତା ଓ ବୁଝାବୁଝି ଅପେକ୍ଷା ହୃଦୟକୁ ଅଧିକ ଗଭୀର ଭାବରେ ସ୍ପର୍ଶ କରିବାର ଉଦ୍ଦେଶ୍ୟ ନେଇ କରାଯାଇପାରେ । ଯଦିଓ ପ୍ରଥମୋକ୍ତ ପ୍ରତିରୋଧମୂଳକ ପ୍ରକାରରେ ବି ଏଭଳି ହୃଦୟକୁ ସ୍ପର୍ଶ କରିବାର ଲକ୍ଷ୍ୟ ବାଦଗଲେ ଚଳିବ ନାହିଁ ।

 

ଏଭଳି ପଦକ୍ଷେପ ନେବା ପୂର୍ବରୁ ପ୍ରତିପକ୍ଷକୁ ନିଜର ନ୍ୟୂନତମ ଦାବି, ତାହା ସପକ୍ଷରେ ବିଶଦ ଯୁକ୍ତି ତଥା କି ପଦକ୍ଷେପ ନିଆଯିବ ଓ କେବେ, ତାହା ଜଣାଇ ଦେବା ଚାହିଁ । ଏହା ଲିଖିତ ଭାବରେ ହେବା ଆବଶ୍ୟକ । ଏଭଳି ପ୍ରତିରୋଧମୂଳକ ଓ ଆବେଦନମୂଳକ ପଦକ୍ଷେପର ପରିଣାମରେ ପ୍ରତିପକ୍ଷୀ ସହିତ ପୁଣି ଏକ ନୂତନ ସ୍ତରରେ କଥାବାର୍ତ୍ତା ଓ ଆପୋଷରଫା ପାଇଁ ଉଦ୍ୟମର ବେଳ ଆସିବ ଏକଥା ଧ୍ୟାନରେ ରଖିବା ଚାହିଁ । ଏଥିପାଇଁ ମଧ୍ୟସ୍ଥତା କରିବାକୁ ସକ୍ଷମ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ରଖିଥିବା ଚାହିଁ ।

 

କୌଣସି ବ୍ୟାପକ ଓ ଦୃଢ଼ମୂଳ ଅନୀତି ବା ଅନ୍ୟାୟ ବିରୋଧରେ ଆନ୍ଦୋଳନ ଚଳାଇବାର ବିଭିନ୍ନ ସୋପାନ ଭିତରୁ ଗୋଟାଏ ସୋପାନ ଦୃଷ୍ଟାନ୍ତ ସୃଷ୍ଟି କରିବା ମଧ୍ୟ ହୋଇପାରେ-। ପ୍ରଥମେ ବ୍ୟାପକ ପ୍ରଚାର ଦ୍ୱାରା ସମସ୍ୟା ପ୍ରତି ଜନସାଧାରଣଙ୍କର ଦୃଷ୍ଟି ଆକୃଷ୍ଟ କରିବା ଓ କିଛି ପରିମାଣରେ ଜନମତ ସୃଷ୍ଟି କରିବା ପରେ କୌଣସି ଗୋଟିଏ ସ୍ଥାନରେ ଗୋଟିଏ ଘଟଣାକୁ ଧରି ସତ୍ୟାଗ୍ରହ କରାଯିବ । ଯେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ନିର୍ଦ୍ଧିଷ୍ଟ ଅନ୍ୟାୟର ପ୍ରତିକାର ପାଇଁ କରାଯିବା ସତ୍ୟାଗ୍ରହ ଓ ଏହା ମଧ୍ୟରେ ପାର୍ଥକ୍ୟ ଏତିକି ଯେ କୌଣସି ଏକ ବିଚ୍ଛିନ୍ନ ଓ ଗୋଟିକିଆ ସତ୍ୟାଗ୍ରହ ପ୍ରତି ଜନସାଧାରଣଙ୍କର ଦୃଷ୍ଟି ନ ପଡ଼ି ବି ପାରେ । ମାତ୍ର ଏଭଳି ଦୃଷ୍ଟାନ୍ତ ଦେଖାଇବା ପାଇଁ କରାଯାଉଥିବା ସତ୍ୟାଗ୍ରହର ପୂର୍ବରୁ ହୋଇଥିବା ବ୍ୟାପକ ପ୍ରଚାର ଫଳରେ ଏଥିପ୍ରତି ଜନସାଧାରଣଙ୍କର ଦୃଷ୍ଟି ବିଶେଷ ରୂପେ ଆକୃଷ୍ଟ ହେବ ଓ ଏହାର ଅନୁକରଣ କରିବାର ପ୍ରେରଣା ମଧ୍ୟ ଲୋକଙ୍କୁ ମିଳିବ । ପୂର୍ବରୁ ହେଉଥିବା ପ୍ରଚାର ଛଡ଼ା ସତ୍ୟାଗ୍ରହ ଚାଲିଥିବା ବେଳେ ବି ସେ ବିଷୟରେ ତଥ୍ୟମୂଳକ ପ୍ରଚାର ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦେବା ଚାହିଁ ।

 

ଅନେକ ସମୟରେ ଏଭଳି ପରୀକ୍ଷାମୂଳକ ବା ଦୃଷ୍ଟାନ୍ତମୂଳକ ସତ୍ୟାଗ୍ରହ ସଫଳ ହେଲେ ତାର ପ୍ରଭାବ ବ୍ୟାପକ ହୋଇଥାଏ ଓ ଅନ୍ୟ ବହୁ ଘଟଣାରେ ପ୍ରତ୍ୟେକ୍ଷ ପଦକ୍ଷେପର ଆବଶ୍ୟକତା ନ ହୋଇ ସମସ୍ୟାର ସମାଧାନ ହୋଇଯାଏ । ଗୋଟାଏ ନୂଆ ଶକ୍ତିର ଆବିର୍ଭାବକୁ ଲୋକେ ବାରି ନିଅନ୍ତି ଓ ଆଉ ବଳ କଷାକଷିକୁ ଅପେକ୍ଷା ନ କରି ନୂଆ ପରିସ୍ଥିତିର ଦାବି ମାନି ନିଅନ୍ତି । ମଦୁରାଇ ଜିଲାରେ ମନ୍ଦିର ଜମି ସଂକ୍ରାନ୍ତ ସତ୍ୟାଗ୍ରହର କେତେକ ଏଭଳି ପରିଣାମ ହେଲା-। ସତ୍ୟାଗ୍ରହ ଗୋଟିଏ ଗାଁରେ ହେଲା, ମାତ୍ର ମନ୍ଦିର କର୍ତ୍ତୃପକ୍ଷ ଅନ୍ୟାନ୍ୟ ଗାଁରେ ମଧ୍ୟ ମନ୍ଦିର ଜମି ଗ୍ରାମସଭାକୁ ପଟା ଦେବାକୁ ରାଜି ହୋଇଗଲେ । ମାର୍ଟିନ ଲୁଥର କିଙ୍ଗଙ୍କ ପରିଚାଳିତ ମଣ୍ଟଗୋମେରୀର ବସ୍‍ ବର୍ଜନ ଓ ଅନ୍ୟତ୍ର ଦୋକାନ ଓ ହୋଟେଲରେ ନିଗ୍ରୋମାନଙ୍କୁ ପ୍ରବେଶ ଦିଆଯିବାର ଦାବି ନେଇ ହୋଇଥିବା ସତ୍ୟାଗ୍ରହମାନ ଫଳରେ ଆଖପାଖର ଅଳ୍ପ କେତେକ ସ୍ଥାନରେ ଗୋରାମାନେ ବିନା ଦ୍ଵନ୍ଦ୍ଵରେ ନିଗ୍ରୋଙ୍କ ଦାବି ମାନି ନେଲେ ।

 

ତେବେ ଆଉ ଏକ କଥା ଦୃଷ୍ଟିରେ ରଖିବା ଉଚିତ । ସ୍ୱାଧୀନତା ପୂର୍ବରୁ ଯେତେବେଳେ ଲୋକଙ୍କର ସ୍ଵାତନ୍ତ୍ର୍ୟ ଲୁପ୍ତ ହୋଇଥିଲା ଓ ଦେଶର ବାୟୁମଣ୍ଡଳ ରୁନ୍ଧି ହୋଇ ରହିଥିଲା ସେତେବେଳେ କୌଣସିଠାରେ ଏକ ଶୌର୍ଯ୍ୟପୂର୍ଣ୍ଣ ଘଟଣା ଘଟିଲେ କେହି ସାହସର ସହ ମୁଣ୍ଡ ଟେକି ଛିଡ଼ା ହେଲେ, ତାହା ତୁରନ୍ତ ସାରା ଦେଶର ଦୃଷ୍ଟି ଆକର୍ଷଣ କରୁଥିଲା । ମାତ୍ର ଏବେ ଚାରିଆଡ଼େ ବିକ୍ଷୋଭ ଓ ସଂଘର୍ଷମୂଳକ ଘଟଣା ଏତେ ଲାଗିରହିଛି ଯେ ସେଭଳି ଘଟଣା ଆଉ ଲୋକଙ୍କ ମନକୁ ଟାଣି ନେଉ ନାହିଁ । ଏସବୁ ହଟ୍ଟଗୋଳ ଭିତରେ ଶୁଦ୍ଧ ସତ୍ୟାଗ୍ରହ ଢଙ୍ଗରେ ଚଲା ଯାଉଥିବା ପ୍ରତିରୋଧ ସାରା ଦେଶର ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ଅତି କମ୍‍ । ପର ଅଧ୍ୟାୟରେ ଏ ଦେଶରେ ନିକଟରେ ହୋଇଥିବା ଯେତେଗୁଡ଼ିଏ ପ୍ରତିରୋଧମୂଳକ ସତ୍ୟାଗ୍ରହର ଦୃଷ୍ଟାନ୍ତ ଦିଆଯାଇଛି ସେଗୁଡ଼ିକ ସବୁ ସଫଳ ହୋଇଥିଲେ ବି ଦେଶର ଦୃଷ୍ଟି ଆକର୍ଷଣ କରି ନାହିଁ । ସ୍ଥାନୀୟ ଅଞ୍ଚଳରେ ଅବଶ୍ୟ ଏସବୁର ବ୍ୟାପକ ପ୍ରଭାବ ପଡ଼ିଛି । ସେଥିପାଇଁ ବର୍ତ୍ତମାନ ସମୟରେ ଏ ଦେଶରେ କୌଣସି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସତ୍ୟାଗ୍ରହର ପରମ୍ପରାଗତ ଢଙ୍ଗ ଅବଲମ୍ବନ କରିବା ପରିବର୍ତ୍ତେ ନୂଆ ପ୍ରକାରର ପ୍ରଣାଳୀ ଅବଲମ୍ବନ କରିବା ପାଇଁ ବିନୋବାଜୀ ପରାମର୍ଶ ଦିଅନ୍ତି ।

 

କୌଣସି ଆନ୍ଦୋଳନର ପରବର୍ତ୍ତୀ ସୋପାନ ବିଷୟରେ, ଯଥା କଂଗ୍ରେସର ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନତାର ପ୍ରସ୍ତାବ ଗୃହୀତ ହେବା ପରେ, ଗାନ୍ଧିଜୀ କି ପଦକ୍ଷେପ ନେବେ ତାହା ତାଙ୍କୁ ପଚରାଗଲେ ସେ କହୁଥିଲେ—‘‘ମୁଁ ବେଶି ଆଗକୁ ଭାବେ ନାହିଁ । ମୋ ପାଇଁ ଗୋଟାଏ ପାହୁଣ୍ଡ ଯଥେଷ୍ଟ । ପାହୁଣ୍ଡଟିଏ ପକାଇ ସାରିଲେ ପର ପାହୁଣ୍ଡ ମତେ ଦିଶିବ । ଅନେକ ବିଚାରନ୍ତି ଯେ ଗୋଟିଏ ପାହୁଣ୍ଡ ପରେ ଅନ୍ୟ ପାହୁଣ୍ଡ କଣ ହେବ ତାହା ପୂର୍ବରୁ ସ୍ଥିର କରିଥିବା ଚାହିଁ-। ବୁଝାଇବା, ନ ବୁଝିଲେ ପିକେଟିଂ କରିବା, ସେଥିରେ ନ ହେଲେ ଅନଶନ ଇତ୍ୟାଦି ।

 

ବିନୋବାଜୀ ଏହାର ଏକ ପରିହାସପୂର୍ଣ୍ଣ ଉତ୍ତର ଦେଇଥିଲେ । ସେ କହିଥିଲେ–‘‘ବାପା ବେମାର ପଡ଼ିଥିଲେ କେହି ଏହା ଭାବେ ଓ କହିବୁଲେ କି ଯେ ମୁଁ ଡାକ୍ତର ଡାକିବି, ସେଥିରେ ବାପା ଭଲ ନ ହେଲେ ଓ ମରିଗଲେ ତାଙ୍କୁ ପୋଡ଼ିବା ପାଇଁ କାଠ ଯୋଗାଡ଼ କରି ରଖିବି, ଇତ୍ୟାଦି । ଡାକ୍ତରର ଚିକିତ୍ସାରେ ବାପା ଭଲ ହେବେ ଏହି ଦୃଢ଼ ବିଶ୍ୱାସ ରଖି ସେଥିପାଇଁ ସେ ପ୍ରାଣପଣେ ଉଦ୍ୟମ କରେ । ସମସ୍ତ ଉଦ୍ୟମ ବିଫଳ ହୋଇ ଶେଷକୁ ବାପା ଇହଧାମ ଛାଡ଼ିଲେ ପରବର୍ତ୍ତୀ କାମ ଯାହା କରିବାର କରେ ।’’ ସେହିପରି ଜଣେ ଲୋକକୁ ବୁଝାଇଲା ବେଳେ ତୁ ନ ବୁଝିଲେ ତୋ ଦୁଆରେ ଧାରଣା ଦେବି ବୋଲି ଆଗରୁ କହି ବସିବା ବୁଦ୍ଧିମାନର କାମ ନୁହେଁ-

 

ଆଉ ଏକ ଦୃଷ୍ଟିରୁ ଦେଖିଲେ, କୌଣସି ସମସ୍ୟା ସମାଧାନ ଉଦ୍ୟମ, ଦୁଇପକ୍ଷ ଭିତରେ କଥାବାର୍ତ୍ତା, ସତ୍ୟାଗ୍ରହ, ଯୁଦ୍ଧ ଏକ ନ୍ୟାୟବଳ (chess) ଖେଳ ବା ଟେନିସ୍‍ ଖେଳ ଭଳି । ଜଣେ ଖେଳାଳୀ ଏଥିରେ ଆଗରୁ ସବୁଗୁଡ଼ିକ ଚାଲ୍‍ ବା ରାକେଟ୍‍ର ମାଡ଼ ଆଗରୁ ଭାବି ରଖି ନ ପାରେ । ଜଣେ ଗୋଟିଏ ଚାଲ୍‍ ଚାଳିଲା, ଓ ତାପରେ ଅନ୍ୟ ଜଣକ ଚାଳିଲା । ଦ୍ୱିତୀୟ ଜଣକର ଚାଲ୍‍ ଉପରେ ପ୍ରଥମ ଜଣକର ପରବର୍ତ୍ତୀ ଚାଲ ନିର୍ଭର କରିବ । ସେହିଭଳି ସତ୍ୟାଗ୍ରହରେ ସତ୍ୟାଗ୍ରହୀ ଗୋଟିଏ ପଦକ୍ଷେପ ନେଲା ପରେ ଅନ୍ୟଆଡ଼ୁ ସେ ବାବଦରେ କି ପ୍ରକାର ପ୍ରତିକ୍ରିୟା ହେଉଛି ତାହା ଲକ୍ଷ୍ୟ କରି ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବାକୁ ପଡ଼ିବ । ସତ୍ୟାଗ୍ରହ ବା ଯେ କୌଣସି ଆନ୍ଦୋଳନର ପରିଚାଳକଙ୍କଠାରେ ବୁଦ୍ଧି ଓ କାର୍ଯ୍ୟର ଏଭଳି ମାନସିକ ସାବଲୀଳତା (flexibility) ଓ ତପ୍ତରତା (alertness) ନ ଥିଲେ ସେ କେବେ ସାଫଲ୍ୟ ଲାଭ କରି ପାରିବ ନାହିଁ ।

 

ଯେଉଁଥିରେ ବହୁ ସଂଖ୍ୟାରେ ସାଧାରଣଲୋକ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଥିବ ସେଭଳି ସତ୍ୟାଗ୍ରହ ଆନ୍ଦୋଳନରେ, ବିଶେଷକରି ଯଦି ତାହା ପ୍ରତିରୋଧମୂଳକ ହୋଇଥାଏ, ସମସ୍ତଙ୍କର ମାର୍ଗ ଦର୍ଶନ ପାଇଁ ଆନ୍ଦୋଳନର ସୁପରିଚାଳନା ପାଇଁ କେତେକ ସ୍ଥୂଳ ନୀତି ବା ନିୟମ ପ୍ରଣୟନ କରିବା ଆବଶ୍ୟକ ହୋଇଥାଏ । କାରଣ ଆନ୍ଦୋଳନରେ ଯୋଗ ଦେଉଥିବା ସମସ୍ତ ଲୋକ ଯେ ସତ୍ୟାଗ୍ରହର ବିଚାରଧାରା ବୁଝି ସେଥିରେ ଯୋଗ ଦେବେ ତାହା ନୁହେଁ । ୧୯୩୦ର ଲବଣ ସତ୍ୟାଗ୍ରହ ବେଳେ ସତ୍ୟାଗ୍ରହୀମାନଙ୍କ ପାଇଁ ଗାନ୍ଧିଜୀ ଯେଉଁ ସବୁ ନିୟମ ଗଢ଼ିଥିଲେ ତାର ନମୁନା ‘ସତ୍ୟାଗ୍ରହୀର ଗୁଣ’ ଅଧ୍ୟାୟରେ ଦିଆଯାଇଛି । ନିଶା ଓ ବିଦେଶୀ ଲୁଗା ଦୋକାନ ଆଗରେ ପିକେଟିଂ ପାଇଁ ମଧ୍ୟ ଗାନ୍ଧିଜୀ ସେହିଭଳି କେତେକ ନିୟମ ଗଢ଼ି ଦେଇଥିଲେ, ଯଥା:—

 

୧.

ଗୋଟିଏ ମଦ ବା ବିଦେଶୀ ଲୁଗା ଦୋକାନରେ ପିକେଟିଂ ପାଇଁ ଅନ୍ୟୂନ ଦଶ ଜଣ ମହିଳା ଲୋଡ଼ା ହେବେ । ସେମାନେ ନିଜ ଭିତରୁ ଜଣେ ନେତା ବାଛିବେ ।

୨.

ସେମାନେ ପ୍ରଥମେ ଦୋକାନଦାରଠାକୁ ଯାଇ ତାକୁ ଏ ଧନ୍ଦା ଛାଡ଼ି ଦେବା ପାଇଁ ବୁଝାଇବେ ଓ ମଦ ବା ବିଦେଶୀ ଲୁଗା ସଂକ୍ରାନ୍ତ ତଥ୍ୟ ସମ୍ବଳିତ ପ୍ରଚାର ପତ୍ର ତାକୁ ଦେବେ । କହିବା ବାହୁଲ୍ୟ ଯେ ଏ ପ୍ରଚାରପତ୍ର ସେ ବୁଝୁଥିବା ଭାଷାରେ ହୋଇଥିବ ।

୩.

ଯଦି ଦୋକାନଦାର ଧନ୍ଦା ଛାଡ଼ିବାକୁ ମନା କରନ୍ତି ତେବେ ସ୍ଵୟଂସେବିକାମାନେ ସେ ଦୋକାନ ଆଗରେ ଛିଡ଼ା ହୋଇ ଗ୍ରାହକ ମାନଙ୍କୁ ବ୍ୟକ୍ତିଗତ ନିବେଦନ କରିବେ । ସେମାନେ ଯିବା ଆସିବା ରାସ୍ତା ଛାଡ଼ିଦେବେ ।

୪.

କନା ବା ହାଲୁକା ପଟାରେ ନିଶା ବା ବିଦେଶୀ ଲୁଗା କିଣିବା ବିରୋଧରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ସତର୍କ ବାଣୀମାନ ସ୍ଵୟଂ ସେବକମାନେ ଧରିଥିବେ ।

୫.

ଯେତେଦୂର ସମ୍ଭବ ସେମାନେ ଗଣବେଶ ପିନ୍ଧିଥିବେ ।

୬.

ପିକେଟିଂର ବିଷୟ ସହିତ ସମ୍ବନ୍ଧ ଥିବା ଉପଯୁକ୍ତ ଭଜନ ସ୍ଵୟଂ ସେବିକାମାନେ ମଝିରେ ମଝିରେ ବୋଲୁଥିବେ ।

୭.

କେହି ପୁରୁଷ ଲୋକ କୌଣସି ପ୍ରକାରର ହସ୍ତକ୍ଷେପ ବା ଜବରଦସ୍ତ କରିବାରେ ଏ ସ୍ଵୟଂ ସେବିକାମାନେ ବାଧା ଦେବେ ।

୮.

କେବେହେଲେ ଅମାର୍ଜିତ ଭାଷା, ଗାଳି ଧମକାଣ ଆଦି ବ୍ୟବହାର କରାଯିବ ନାହିଁ ।

୯.

ସର୍ବଦା ବୁଦ୍ଧି ଓ ହୃଦୟକୁ ଆବେଦନ କରାଯିବ, କଦାପି ଭୟଂ ବା ଜବରଦସ୍ତି ରହିବ ନାହିଁ ।

୧୦.

ପିକେଟିଂ ସ୍ଥାନରେ କୌଣସିମତେ ପୁରୁଷ ଲୋକ ଜମା ହେବେ ନାହିଁ ଓ ଚଳାଚଳରେ ବାଧା ସୃଷ୍ଟି କରିବେ ନାହିଁ । ମାତ୍ର ସେମାନେ ସେ ଅଞ୍ଚଳରେ ସାଧାରଣ ଭାବରେ ବିଦେଶୀ ଲୁଗା ଓ ମଦନିଶା ବିରୋଧରେ ପ୍ରଚାର ଚଳାଇବେ । ସେ ଅଞ୍ଚଳରେ ଖଦି ଓ ନିଶାତ୍ୟାଗର ବାର୍ତ୍ତା ତଥା ବିଦେଶୀ ଲୁଗା ଓ ମଦ ବର୍ଜନ କରିବା କଥା ବୁଝାଇବା ପାଇଁ ସ୍ତ୍ରୀଲୋକମାନଙ୍କର ଶୋଭାଯାତ୍ରା ସଂଗଠିତ କରିବାରେ ପୁରୁଷମାନେ ସାହାଯ୍ୟ କରିବେ ।

୧୧.

ଏହି ପିକେଟିଂ ଦଳଗୁଡ଼ିକ ପଛରେ ଏକ ସୁବ୍ୟବସ୍ଥିତ ସଂଗଠନ ଥିବା ଚାହିଁ ଯେକି ତକଲି ଓ ଚରଖାର ବାର୍ତ୍ତା ପ୍ରଚାର କରିବ ଓ ନୂଆ ପ୍ରଚାରପତ୍ର ତଥା ପ୍ରଚାରର ନୂଆ ନୂଆ ଢଙ୍ଗ ଉଦ୍ଭାବନ କରିବ ।

୧୨.

ସବୁ ଆୟବ୍ୟୟର ବ୍ୟବସ୍ଥିତ ଓ ନିର୍ଭୁଲ ହିସାବ ରଖାଯିବ । ଏହା ମଝିରେ ମଝିରେ ଅଡ଼ିଟ୍‍ କରାହେବ । ଏହା ସ୍ତ୍ରୀଲୋକମାନଙ୍କ ତତ୍ତ୍ଵାବଧାନରେ ପୁରୁଷମାନେ କରିବେ । ଏସବୁ ମୂଳରେ ସ୍ତ୍ରୀଲୋକମାନଙ୍କର ଅଭ୍ୟୁତ୍‍ଥାନ ପ୍ରତି ପୁରୁଷମାନଙ୍କର ବାସ୍ତବ ଶ୍ରଦ୍ଧା ଓ ସେଥିପାଇଁ ଇଚ୍ଛା ରହିଥିବ ବୋଲି ଧରି ନିଆଯାଇଛି । (ୟଂ ଇଣ୍ଡିଆ, ୨୪.୪.୩୦)

Image

 

(ଉଣେଇଶ)

ନେତୃତ୍ୱ

 

ଯେଉଁଠି ବହୁ ଲୋକ ଏକାଠି ମିଶି କୌଣସି ଉଦ୍ଦେଶ୍ୟ ସାଧନ ପାଇଁ କାମ କରିବାକୁ ହୁଏ ସେଠି କାମ ତୁଲାଇବା ପାଇଁ ସକ୍ଷମ ନେତୃତ୍ୱ ଆବଶ୍ୟକ ହୁଏ । ନେତୃତ୍ୱର ଅନେକ ଗୁଡ଼ିଏ ବିଭାବ ରହିଥାଏ, ଯଥା—ପରିସ୍ଥିତିର ସମ୍ୟକ୍‍ ଅଧ୍ୟୟନ କରି କର୍ତ୍ତବ୍ୟ ନିରୂପଣ କରିବା, ଆନ୍ଦୋଳନରେ ଯୋଗ ଦେଇଥିବା ବିଭନ୍ନ ଚରିତ୍ରର ବହୁ ଲୋକଙ୍କ ଭିତରେ କଳିଗୋଳର ସମାଧାନ କରି ପରସ୍ପରର ସଦ୍‍ଭାବ ରକ୍ଷା କରିବା, ସମସ୍ତଙ୍କୁ ଏକାଠି ଚଳାଇବା, ଲୋକଙ୍କୁ ପ୍ରେରଣା ଦେଇ ସେମାନଙ୍କର ଆଣ୍ଟ ଓ ଉତ୍ସାହ ବଜାୟ ରଖିବା, କର୍ମ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ସବୁ ତଫସିଲ ଆୟୋଜନ କରିବା ଆବଶ୍ୟକ, ଅର୍ଥ, ଖାଦ୍ୟପେୟ, ପ୍ରଚାର ସାମଗ୍ରୀ, ଦାୟିତ୍ୱ ବଣ୍ଟା ଆଦି, ସେସବୁକୁ ତୁଲାଇବା ଇତ୍ୟାଦି ।

 

ଗାନ୍ଧିଜୀଙ୍କର ଏକ ଏଭଳି ବିଶାଳ ଓ ବ୍ୟାପକ ବ୍ୟକ୍ତିତ୍ୱ ଥିଲା ଯେ ସେ ନେତୃତ୍ୱର ଏସବୁ ବିଭାବ ସମ୍ଭାଳି ପାରୁଥିଲେ । କୌଣସି ସତ୍ୟାଗ୍ରହ ସଂଗ୍ରାମର ବେଳ ପାଖେଇ ଆସିଲେ ସେ ସାଧାରଣତଃ ତାର ରୂପରେଖ ଓ ଗତିବିଧି ବିଷୟରେ ନିର୍ଣ୍ଣୟ କରିବାର ଦାୟିତ୍ୱ ଓ ଅଧିକାର ନିଜ ଉପରକୁ ନେଇ ନେଉଥିଲେ । ୧୯୩୦ରେ କଂଗ୍ରେସ ପ୍ରସ୍ତାବ କରି ତାଙ୍କୁ ଏ ଅଧିକାର ଦେଇଥିଲା । ସତ୍ୟାଗ୍ରହର କଳା ଓ ବିଜ୍ଞାନର ସେ ଅପ୍ରତୀମ ବିଶେଷଜ୍ଞ ଥିଲେ । ତେଣୁ ତାଙ୍କ ଉପରେ ଏ ଅଧିକାର ବର୍ତ୍ତିବା ସ୍ୱାଭାବିକ ଥିଲା ।

 

ଗାନ୍ଧିଜୀ କିଭଳି କୁଶଳତାର ସହିତ ବହୁ ପ୍ରକାରର ଓ ଏକଦମ ପରସ୍ପର ବିରୋଧୀ ସ୍ଵଭାବସମ୍ପନ୍ନ ବ୍ୟକ୍ତିଙ୍କୁ ଏକାଠି ରଖି ଏକ ଉଦ୍ଦେଶ୍ୟରେ କାମରେ ଲଗାଇ ପାରୁଥିଲେ ତାହା ସୁବିଦିତ । ଲୋକଙ୍କୁ ପ୍ରେରଣା ଦେବାର ଅପାର ଶକ୍ତି ତ ଗାନ୍ଧିଜୀଙ୍କଠାରେ ଥିଲା ଓ ସେ କୌଣସି କର୍ମଯୋଜନାର ଟିକିନିଖି ତଫସିଲ ବିଷୟରେ ଚିନ୍ତାକରି ଓ ଦୃଷ୍ଟି ରଖି ବ୍ୟବସ୍ଥା କରିବାରେ ପଟୁ ଥିଲେ ।

 

ଆମେ ଏଥି ପୂର୍ବରୁ ସତ୍ୟାଗ୍ରହୀର ଗୁଣ ଅଧ୍ୟାୟରେ ଦେଖିଛୁ ଯେ ଗାନ୍ଧିଜୀ ସତ୍ୟାଗ୍ରହର ଅନୁଶାସନକୁ ସାମରିକ ଅନୁଶାସନ ସହ ତୁଳନା କରିଛନ୍ତି ଓ ସତ୍ୟାଗ୍ରହ ସଂଗ୍ରାମର ପରିଚାଳକକୁ ସାମରିକ ସେନାପତିଙ୍କ ସହିତ । ଏ ସମ୍ବନ୍ଧରେ ସେ ଟେନିସନ୍‍ଙ୍କ କବିତା ‘‘ସେମାନଙ୍କର ପ୍ରଶ୍ନ ପଚାରିବାର ନୁହେଁ, ସେମାନଙ୍କର ଯୁକ୍ତି କରିବାର ନୁହେଁ–’’ ମଧ୍ୟ ଉଦ୍ଧୃତ କରିଛନ୍ତି । କିନ୍ତୁ ସାଙ୍ଗେ ସାଙ୍ଗେ କହିଛନ୍ତି ଯେ ସେ କେବେ ସେଭଳି ଅନ୍ଧ ଅନୁମୋଦନ ଦାବି କରିନାହାନ୍ତି । ସହକର୍ମୀମାନଙ୍କୁ ବୁଝାଇ କାମ କରାଇବାର ଉଦ୍ୟମ କରିଛନ୍ତି ଓ କରୁଥିବେ ।

 

ବାସ୍ତବରେ ସତ୍ୟାଗ୍ରହ ଭଳି ଏକ ଆନ୍ଦୋଳନ ଅନ୍ଧ ଅନୁଶାସନ ଦ୍ୱାରା କେବେହେଁ ଚଳି ପାରନ୍ତା ନାହିଁ । ବ୍ୟବସ୍ଥା ଓ କର୍ମ କୁଶଳତା ଦୃଷ୍ଟିରୁ ଅନେକ ନିର୍ଦ୍ଦେଶର ତାତ୍ପର୍ଯ୍ୟ ଓ ଆବଶ୍ୟକତା ବୁଝାଇବା ଓ ଆଲୋଚନା କରିବା ସମ୍ଭବ ହୋଇ ନ ଥାଏ । କର୍ମପନ୍ଥାର ମୋଟାମୋଟି ଓ ବ୍ୟାପକ ରୂପରେଖ ସ୍ଥିର ହୋଇଗଲା ପରେ ତାର ଅନ୍ତର୍ଗତ ବିବିଧ ତଫସିଲଗତ କ୍ରିୟାକଳାପ ପାଇଁ ବ୍ୟବସ୍ଥାପକଙ୍କ ନିର୍ଦ୍ଦେଶ ମାନି ନେବାକୁ ପଡ଼େ । ବ୍ୟବସ୍ଥାପକ ମୋଟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସଚ୍ଚୋଟ ଭାବରେ ଉଦ୍ୟମ କରୁଛନ୍ତି ଏତକ ବିଶ୍ୱାସ ରଖିବାକୁ ପଡ଼େ । ମାତ୍ର ବ୍ୟାପକ ଯୋଜନାର ମୋଟାମୋଟି ରୂପରେଖ ସମ୍ବନ୍ଧରେ ସତ୍ୟାଗ୍ରହୀମାନଙ୍କର କୌଣସି ଧାରଣା ନ ଥିଲେ ସେମାନଙ୍କ ଦ୍ୱାରା ସତ୍ୟାଗ୍ରହ ସମ୍ଭବ ହୁଅନ୍ତା ନାହିଁ । ସତ୍ୟାଗ୍ରହରେ ନିଜର ବିବେକ ଦ୍ୱାରା ପରିଚାଳିତ ହେବାର କଥା ରହିଛି । ପୂରାପୂରି ବାହ୍ୟ ଅନୁଶାସନରେ ଆବଦ୍ଧ ଲୋକଙ୍କ ଦ୍ୱାରା ଏ କାମ ହେବାର ନୁହେଁ ।

 

ଆଜିକାଲିକା ଯୁଗରେ ଏ ବାବଦରେ ଅନେକ ସମାଜବୈଜ୍ଞାନିକ ଗବେଷଣା ମଧ୍ୟ କରାଯାଇଛି ଓ ଦେଖାଯାଇଛି ଯେ କୌଣସି କାର୍ଯ୍ୟରେ ଲାଗିଥିବା ଲୋକଙ୍କର ପରାମର୍ଶ ନେଇ ସେମାନଙ୍କୁ କାର୍ଯ୍ୟର ଉଦ୍ଦେଶ୍ୟ ଭଲ ଭାବରେ ବୁଝାଇ ଯଦି କାମ କରାଯାଏ ତେବେ ସେଥିରେ ଅଧିକ ସହଯୋଗ ଓ ସାଫଲ୍ୟ ମିଳେ । ସଦ୍‍ଭାବ ମଧ୍ୟ ଅଧିକ ଉପୁଜେ । ମୋଟ ଉପରେ ଏକାଧିକାରମୂଳକ ବ୍ୟବସ୍ଥା ଅପେକ୍ଷା ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ସନ୍ତୋଷଜନକ ଓ ଫଳପ୍ରଦ ବୋଲି ଏସବୁ ପ୍ରୟୋଗ ଦ୍ୱାରା ସାବ୍ୟସ୍ତ ହୋଇଛି । ଏଭଳି ପ୍ରୟୋଗର ଏକ ଉଦାହରଣ ଆମେ ୧୪ଶ ଅଧ୍ୟାୟରେ ଦେଖିଛୁ ।

 

ଭାରତର ପୂର୍ବରୁ ଚଳି ଆସିଥିବା ପରମ୍ପରାରେ ଏକାଧିପତ୍ୟ ବା କର୍ତ୍ତୃପ୍ରଧାନତା ବହୁତ ରହିଛି । ଆଜିକି ପଚାଶ ଷାଠିଏ ବର୍ଷ ତଳେ ଆହୁରି ବେଶି ଥିଲା । ପରମ୍ପରାଗତ ସଂସ୍କାର ଅନୁସାରେ କର୍ତ୍ତୃପ୍ରଧାନତା ଗାନ୍ଧିଜୀଙ୍କ ଠାରେ ଥିଲା । ଦକ୍ଷିଣ ଆଫ୍ରିକାରେ ଦିନେ କସ୍ତୁରବା ମୂତ୍ରପାତ୍ର ସଫା ନ କରିବା ଯୋଗୁଁ ତାଙ୍କୁ ଘରୁ ବାହାର କରିଦେବା ଉଦ୍ୟମରେ ଏହାର ଝଲକ ଆମେ ଦେଖିବାକୁ ପାଉଁ । ମାତ୍ର ଗାନ୍ଧିଜୀ ଏ ସଂସ୍କାରରୁ ମୁକ୍ତ ହେବାକୁ ଚେଷ୍ଟା କରୁଥିଲେ । ଦକ୍ଷିଣ ଆଫ୍ରିକାରେ ହିଁ ସେ ଭାରତୀୟମାନଙ୍କର ସଂଗଠନ ଗଢ଼ି ସେମାନଙ୍କର ମୁଖ୍ୟ ପ୍ରତିନିଧିମାନଙ୍କର ପରାମର୍ଶରେ କାମ କରୁଥିଲେ । ଭାରତରେ ଏକ ଦିଗରେ କଂଗ୍ରେସର କାର୍ଯ୍ୟକାରୀ କମିଟି ଓ ଅନ୍ୟ ଦିଗରେ ରଚନାତ୍ମକ କାମରେ ଲାଗିଥିବା ସହକର୍ମୀମାନଙ୍କ ଅନ୍ତରଙ୍ଗ ମଣ୍ଡଳୀ ତାଙ୍କର ନେତୃତ୍ୱର ବିବିଧ ବିଭାବରେ ଭାଗୀଦାର ଥିଲେ । ତେବେ ଏକାଧିପତ୍ୟର ସଂସ୍କାରରେ ଅଭ୍ୟସ୍ତ ଗାନ୍ଧିଜୀଙ୍କର ସହକର୍ମୀମାନେ ତାଙ୍କଠାରୁ ଏକାଧିପତ୍ୟସମ୍ପନ୍ନ ପିତା ‘ବାପୁ’ ରୂପେ ଆଚରଣ ଆଶା କରୁଥିଲେ ଓ ସେଭଳି ଆଚରଣ ଆଦାୟ କରୁଥିଲେ ।

 

ସତ୍ୟାଗ୍ରହ ଓ ରଚନାତ୍ମକ କାର୍ଯ୍ୟରେ ସ୍ଵତନ୍ତ୍ର ବିଚାର ଓ ଅଭିକ୍ରମ ବିନା କାମ ନଚଳିବା କଥା । ଏଭଳି ସ୍ଵତନ୍ତ୍ରତା ଓ ଅଭିକ୍ରମକୁ ଜାଗ୍ରତ କରିବା ପାଇଁ ଗାନ୍ଧିଜୀ ବରାବର ଉଦ୍ୟମ କରୁଥିଲେ-। ନୀତି ପ୍ରତି ନିଷ୍ଠା ସ୍ଥିର ରଖି ବାକି ନିଜର ବିଚାରବୁଦ୍ଧି ଓ କୁଶଳତା ଅନୁସାରେ କାମ କରିବାଟାକୁ ଉତ୍ସାହିତ କରୁଥିଲେ । ସତ୍ୟାଗ୍ରହ ଆନ୍ଦୋଳନ ବେଳେ ସେ ବରାବର ନିର୍ଦ୍ଦେଶ ଦେଉଥିଲେ ଯେ ସଂଗ୍ରାମ ଆରମ୍ଭ ହୋଇଗଲା ପରେ ଓ ବିଶେଷ କରି ସେ ଗିରଫ ହୋଇଯିବା ପରେ ପ୍ରତ୍ୟେକ ସତ୍ୟାଗ୍ରହୀ ନିଜେ ନିଜର ନେତା ହେବ । ନିଜର ବିବେକ ଓ ନିଷ୍ଠା ଅନୁସାରେ କାମ କରିଯିବ ।

 

ତଥାପି ଗାନ୍ଧିଜୀଙ୍କର ପ୍ରତିଭା ଓ ଶକ୍ତି ସାରା ବିଶ୍ଵରେ ଅତୁଳନୀୟ ଥିଲା । ତେଣୁ ତାଙ୍କ ସମୟରେ ସତ୍ୟାଗ୍ରହ ଆନ୍ଦୋଳନ ସଂକ୍ରାନ୍ତ ଅଧିକାଂଶ ନୂତନ ଚିନ୍ତା ଓ ଅଭିକ୍ରମ ତାଙ୍କଠାରୁ ବାହାରିବା ସ୍ୱାଭାବିକ ଥିଲା । ଗାନ୍ଧୀ–ଉତ୍ତର ଯୁଗରେ ବିନୋବାଜୀ ଗଣସେବକତ୍ୱ ଉପରେ ଜୋର ଦେଇଛନ୍ତି । ରୁଷରେ କୃଶ୍ଚେଭ ଯେଉଁ ସାମରିକ ନେତୃତ୍ୱର ବିଚାର ଚଳାଇଲେ ତାହାରି ଉଦାହରଣ ଦେଇ ୧୯୫୬ରେ କାଞ୍ଚିପୁରମ୍‍ଠାରେ ସର୍ବୋଦୟ ସମ୍ମିଳନୀରେ ଏହି ବିଚାର ବାଢ଼ିଥିଲେ ଯେ, ଏଣିକି ଜଣେ ବ୍ୟକ୍ତିର ନେତୃତ୍ୱ ଉପରେ ନିର୍ଭର କରିବା ପରିବର୍ତ୍ତେ ଏକ ମିଳିତ ସାମୂହିକ ନେତୃତ୍ୱର ବିକାଶ କରିବାକୁ ହେବ ଏବଂ ରାଜନୀତି ଓ ଅନ୍ୟାନ୍ୟ ନେତାର ଯେଉଁଭଳି କର୍ତ୍ତୃତ୍ୱ କ୍ଷମତା ଥାଏ ଏ କ୍ଷେତ୍ରରେ ତାହା ନ ଥିବାରୁ ଏହାକୁ ନେତୃତ୍ୱ ନ କହି ସେବକତ୍ୱ ଆଖ୍ୟା ଦେବା ଉଚିତ ।

 

ଅନ୍ୟାନ୍ୟ ସଂଗଠନରେ ସଂଗଠନର ସମ୍ବିଧାନ ଅନୁସାରେ ତାହାର ନେତାଙ୍କୁ ଅନୁଶାସନ ରକ୍ଷାପାଇଁ ଶୃଙ୍ଖଳାଗତ ଶାସ୍ତିବିଧାନ କରିବାର ଅଧିକାର ଦିଆଯାଇଥାଏ । ଏହାଛଡ଼ା ରାଜନୀତିକ କ୍ଷମତା ବା ଆର୍ଥିକ ତନ୍ତ୍ରର ବଳରେ ମଧ୍ୟ ସେ ନିଜର ଅନୁଯାୟୀମାନଙ୍କୁ ପ୍ରଭାବିତ କରି ପାରନ୍ତି । ମାତ୍ର ସତ୍ୟାଗ୍ରହର ସଂଗଠନରେ ଏହାର କୌଣସି ଅବକାଶ ନ ଥାଏ । ଏଥିରେ କୌଣସି ପ୍ରକାର କ୍ଷମତା ବା ଆର୍ଥିକ ସୁବିଧାର ଲୋଭ ସତ୍ୟାଗ୍ରହୀଙ୍କୁ ଆକର୍ଷିତ କରେନାହିଁ । ତେଣୁ ଏହାର ସଂଗଠନରେ ଅନୁଶାସନ ସଂପୂର୍ଣ୍ଣରୂପେ ସ୍ୱେଚ୍ଛାକୃତ ଭାବରେ ପାଳିତ ହେବା ଉପରେ ହିଁ ଭରସା ରଖିବାକୁ ପଡ଼େ ଓ ନେତା କେବଳ ତାଙ୍କର ନୈତିକ ପ୍ରଭାବ ଓ ବିଚାରର ଆକର୍ଷଣ ଦ୍ୱାରା ହିଁ ଅନୁଯାୟୀମାନଙ୍କୁ ଠିକ୍‍ ବାଟରେ ନେଇଥାନ୍ତି । ତେଣୁ ନେତୃତ୍ୱ ପରିବର୍ତ୍ତେ ଏଥିପାଇଁ ବିନୋବାଜୀ ସେବକତ୍ୱ ଶବ୍ଦ ପସନ୍ଦ କରିଚ୍ଛନ୍ତି । ଆଜିକାଲି ସମାଜ ବିଜ୍ଞାନରେ ନେତୃତ୍ୱକୁ କ୍ଷମତାଧାରୀ ନେତୃତ୍ୱ ଓ ପ୍ରଭାବଧାରୀ ନେତୃତ୍ୱ ଏହି ଦୁଇ ପ୍ରକାରେ ଭାଗ କରାଯାଇଥାଏ । ଶେଷୋକ୍ତ ପ୍ରକାରଟି ବିନୋବାଜୀଙ୍କର ସେବକତ୍ୱର କଳ୍ପନା ସଙ୍ଗେ ସମାନ ବୋଲି କୁହାଯାଇପାରେ ।

 

ପ୍ରଥମରୁ ନେତୃତ୍ୱର ଯେଉଁ ବିଭିନ୍ନ ବିଭାଗଗୁଡ଼ିକର ଆଭାସ ଦିଆଯାଇଛି ତାହା ସାଧାରଣତଃ ବିଭିନ୍ନ ବ୍ୟକ୍ତିଙ୍କଠାରେ ଊଣା ଅଧିକ ପରିମାଣରେ ବିକାଶଲାଭ କରିବାର ଦେଖାଯାଏ । ସାମୂହିକ ନେତୃତ୍ୱ ବା ଗଣସେବକତ୍ୱରେ ଏଭଳି ବହୁଲୋକଙ୍କର ବିଶେଷ ଗୁଣ ଓ ଯୋଗ୍ୟତାର ଲାଭ ସଂଗଠନ ବା ଆନ୍ଦୋଳନକୁ ମିଳିଥାଏ । କେହି ହୁଏତ ଆନ୍ଦୋଳନର ମୂଳଭୂତ ଦର୍ଶନ ଓ ସିଦ୍ଧାନ୍ତ ବିଷୟରେ ବିଶେଷ ଚିନ୍ତା କରିଥାନ୍ତି, କେହି ବାସ୍ତବ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରି ସେଥିଭିତରେ ନିହିତ ବିବିଧ ପ୍ରକ୍ରିୟାର ବିଶ୍ଳେଷଣ କରିଥାନ୍ତି । କେହି କର୍ମ ଯୋଜନା ଗଢ଼ା ହେଲେ ତାହାର ଅନ୍ତର୍ଗତ ହଜାର ରକମର ବ୍ୟବହାରିକ ବ୍ୟବସ୍ଥା ଓ ଆୟୋଜନ ସମ୍ଭାଳିବାରେ କୁଶଳ । କେହି ଆନ୍ଦୋଳନରେ ଯୋଗ ଦେଇଥିବା ନାନା ପ୍ରକାର ସ୍ଵଭାବ ଓ ଚାଲିଚଳଣର ଲୋକଙ୍କ ଭିତରେ ବିସମ୍ବାଦ ଓ ମତଭେଦକୁ ଦୂର କରି ସୌମନସ୍ୟ ଓ ଏକତା ରକ୍ଷା କରିବାରେ ସିଦ୍ଧହସ୍ତ । ଏହିଭଳି ଐକ୍ୟତାନବାଦନରେ ବହୁ ବାଦ୍ୟଯନ୍ତ୍ର ସୁମେଳରୁ ଏକ ସୁସମ୍ୱାଦୀ ସଙ୍ଗୀତ ବାହାରିଲା ପରି ସାମୂହିକ ନେତୃତ୍ୱରେ ବହୁ ଲୋକଙ୍କର ପ୍ରତିଭା ଓ ସାମର୍ଥ୍ୟର ସୁମେଳରୁ ଏକ ସକ୍ଷମ ଓ ଶକ୍ତିଶାଳୀ ନେତୃତ୍ୱର ଉଦ୍‍ଭବ ହୁଏ ।

 

ଗଣତାନ୍ତ୍ରିକ ପ୍ରଣାଳୀ ଓ ସାମୂହିକ ନେତୃତ୍ୱର ସ୍ୱାଭାବିକ ତାତ୍ପର୍ଯ୍ୟ ହେଲା ଯେ ଆନ୍ଦୋଳନ ସହିତ ସଂଶ୍ଳିଷ୍ଟ ସମସ୍ତ ଲୋକ ଆନ୍ଦୋଳନ ସମ୍ବନ୍ଧରେ ସମସ୍ତ ନିର୍ଣ୍ଣୟ ବା ନିଷ୍ପତ୍ତି ଗ୍ରହଣ କରିବାରେ ଅଂଶ ଗ୍ରହଣ କରିବେ । ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରତିନିଧିମୂଳକ ସମିତି ଓ ସାମୟିକ ସମ୍ମିଳନୀର ବ୍ୟବସ୍ଥା ରହିବା ଆବଶ୍ୟକ ହୋଇଥାଏ । ପ୍ରତିନିଧି ନିର୍ବାଚନ ଓ ନିର୍ଣ୍ଣୟ ଗ୍ରହଣ ବେଳେ ପ୍ରଚଳିତ ପ୍ରଥା ଅନୁସାରେ ଭୋଟ୍‍ ଓ ବହୁ ମତରେ ନିର୍ଣ୍ଣୟ ଗ୍ରହଣ ଦ୍ୱାରା ସଂଗଠନ ଓ ଆନ୍ଦୋଳନ ଭିତରେ ତୀବ୍ର ମତଭେଦ ଓ ଦଳ ସୃଷ୍ଟି ଓ ଗୋଟିଏ ଦଳ ଅନ୍ୟ ଦଳକୁ ପରାଭୂତ କରିବାର ଜିଦ୍‍ ଆଦି ଦୋଷ ଦେଖାଯାଏ । ସେଥିପାଇଁ ବିନୋବାଜୀ ଏବେ ଏ ସବୁଥିରେ ସର୍ବସମ୍ମତି ବା ସର୍ବାନୁମତିରେ କାମ ହେବା ଉପରେ ଜୋର ଦେଇଥାନ୍ତି । ଏହି ସର୍ବସମ୍ମତିର ନିୟମକୁ ସାଧାରଣରେ ଅବ୍ୟାବହାରିକ ମନେ କରାଯାଇଥାଏ । ମାତ୍ର ଖ୍ରୀଷ୍ଟିୟ କ୍ଵେକର୍ସ ସମ୍ପ୍ରଦାୟ ଏହି ନିୟମ ଅନୁସାରେ ସାତ ଶହ ବର୍ଷ ହେଲା କାମ କରି ଆସୁଛନ୍ତି । ସର୍ବୋଦୟ ଆନ୍ଦୋଳନର ପ୍ରଧାନ ସଂଗଠନ ସର୍ବସେବା ସଂଘରେ ମଧ୍ୟ ଏହି ନିୟମ ଗତ କୋଡ଼ିଏ ବର୍ଷ ହେଲା ଅନସୃତ ହେଉଛି । ଏହା ବାସ୍ତବରେ ସତ୍ୟାଗ୍ରହର ମୂଳଭୂତ ସିଦ୍ଧାନ୍ତ ଉପରେ ହିଁ ଆଧାରିତ । କୌଣସି ବିଷୟରେ ମତଭେଦ ଉପୁଜିଲେ ଉଭୟ ପକ୍ଷର ଯୁକ୍ତିରେ କିଛି ନା କିଛି ସତ୍ୟର ଅଂଶ ଓ ଯଥାର୍ଥତା ଥାଏ । ଏ ଯଥାର୍ଥତା ପ୍ରତି ଧ୍ୟାନ ଦେଇ ମୁଣ୍ଡ ଖେଳେଇଲେ ଉଭୟ ପକ୍ଷକୁ ସନ୍ତୋଷ ଦେବାଭଳି କୌଣସି ନା କୌଣସି ପନ୍ଥା ଅବଶ୍ୟ ବାହାରିବ । ଏହି ବିଶ୍ୱାସ ନେଇ ସର୍ବସମ୍ମତି ପାଇଁ କାମ କରିବାକୁ ହୁଏ ।

 

ଆଜିକାଲି ଅନେକ କ୍ଷେତ୍ରରେ ନିର୍ଣ୍ଣୟ ନେବା ବେଳେ ଏଭଳି ଏକମତରେ ପହଞ୍ଚିବାର ଉଦ୍ୟମ କରାଯାଏ । ସୈନ୍ୟବାହିନୀର ପରିଚାଳକ ମଣ୍ଡଳୀ, ଡାକ୍ତର ବା ଇଞ୍ଜିନିୟରମାନଙ୍କର ବିଶେଷଜ୍ଞ ସମିତି ଆଦିରେ ଯଦି ରାଜନୀତିରେ ଚଳୁଥିବା ଭଳି ଦଳାଦଳି ଓ ଭୋଟ୍‍ ଚାଲିବ ତେବେ ତ ହୋଇଛି । ଏହାକୁ ଇଂରେଜୀରେ କନସେନ୍‍ସସ୍‍ କୁହାଯାଏ । ଅର୍ଥାତ୍‍ ପ୍ରତ୍ୟେକେ ଅକ୍ଷରଶଃ ଏକମତ ନ ହେଲେ ବି ଗୋଟାଏ ମୋଟାମୋଟି ମତୈକ୍ୟ ପ୍ରକାଶ ପାଏ । ଏହାକୁ ସର୍ବାନୁମତି କୁହାଯାଉଛି ।

 

ସତ୍ୟାଗ୍ରହୀର ଯେ ସବୁ ଗୁଣଥିବା ଆବଶ୍ୟକ ବୋଲି ପୂର୍ବରୁ ଆଲୋଚନା କରାଯାଇଛି ସେ ସବୁ ସତ୍ୟାଗ୍ରହର ସଂଗଠନ କରୁଥିବା ଓ ତହିଁରେ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କର ତ ଅବଶ୍ୟ ଥିବା ଆବଶ୍ୟକ । ସତ୍ୟାଗ୍ରହୀର ଗୁଣ ଅଧ୍ୟାୟରେ ଅଭୟ, ସତ୍ୟନିଷ୍ଠା, ସତ୍ୟାଗ୍ରହୀତା, ଅକ୍ଷୋଭ ଚିନ୍ତନ, ନିର୍ବୌରତା, ପ୍ରେମଶୀଳତା, କଷ୍ଟସହିଷ୍ଣୁତା, ଆତ୍ମଅନୁଶାସନ ପ୍ରଭୃତି ଗୁଣର ଆଲୋଚନା ହୋଇଛି । ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଆମେ ବିଭିନ୍ନ ପ୍ରସଙ୍ଗରେ ସାବଲୀଳ ଓ ତତ୍ପର ବୁଦ୍ଧି ତଥା ସ୍ନେହପ୍ରବଣ ବ୍ୟକ୍ତିତ୍ୱର ଅନ୍ୟ ବିଶେଷତ୍ୱ, ସୃଜନଶୀଳତା ଓ ଦାନବୃତ୍ତିର ମଧ୍ୟ ଚର୍ଚ୍ଚା ହୋଇଛି । ସେ ସବୁ ସାଙ୍ଗକୁ ଏ ଅଧ୍ୟାୟରେ ନେତୃତ୍ୱ ଶକ୍ତିର ବିବିଧ ବିଭାବର ମଧ୍ୟ ଚର୍ଚ୍ଚା ହୋଇଛି । ଏ ସମସ୍ତ ବିଭାବ ମଧ୍ୟରୁ ଏକ ବା ଅଧିକର ବିକାଶ ସତ୍ୟାଗ୍ରହର ଅଗ୍ରଣୀମାନଙ୍କଠାରେ ଥିବା ଆବଶ୍ୟକ ।

 

ଏହାଛଡ଼ା ସତ୍ୟାଗ୍ରହୀର ‘ସତ୍ୟାଗ୍ରହୀତା’ର ଏକ ପରିପୂରକ ଗୁଣ ହେଲା ଯେ ସେ ନିଜର ବିଚାର ଅନ୍ୟକୁ ଯଥାଯଥ ଭାବରେ ବୁଝାଇ ପାରୁଥିବ ଓ ଅନ୍ୟର କଥାର ମର୍ମ ଠିକ୍‍ ଭାବରେ ଗ୍ରହଣ କରିବାକୁ ସକ୍ଷମ ଥିବ । ଆଧୁନିକ କମ୍ୟୁନିକେଶନ ବା ଭାବ ଆଦାନ ପ୍ରଦାନ ତତ୍ତ୍ୱର ଏ ହେଲା ଏକ ପ୍ରାଥମିକ ସିଦ୍ଧାନ୍ତ ।

 

ଧରି ନିଆଯାଇଛି ଯେ ସତ୍ୟାଗ୍ରହୀଠାରେ ଲଢ଼ୁଆ ମନୋବୃତ୍ତି ଥିବ । ସେ ଅନ୍ୟାୟ, ଅନୀତିକୁ ମୁଣ୍ଡପାତି ଉଦାସୀନ ଭାବରେ ସହି ନ ନେଇ ସେସବୁର ନିରାକରଣ ପାଇଁ ଦୀର୍ଘକାଳ ଧରି ଯୁଝିବାକୁ ଉଦ୍ୟତ ଥିବ । ଏ ଲଢ଼ୁଆ ମନୋଭାବ ବା ପରାକ୍ରମଶୀଳତାର ଆମ ଦେଶରେ ବହୁତ ଅଭାବ ରହିଛି । ଅଭୟ ସାଙ୍ଗକୁ ପରାକ୍ରମ ବୃତ୍ତି ମଧ୍ୟ ଗାନ୍ଧିଜୀଙ୍କର ଏ ଦେଶକୁ ଶ୍ରେଷ୍ଠ ଅବଦାନ ।

 

ମାତ୍ର ବେଳେବେଳେ କେତେକ ଲୋକଙ୍କଠାରେ ଏ ଲଢ଼ୁଆ ସ୍ଵଭାବ ବା ପରାକ୍ରମବୃତ୍ତି ଆଉ ଏକ ଅବାଞ୍ଛନୀୟ ମାନସିକ ଅଭ୍ୟାସ ସହିତ ଗୋଳି ହୋଇଯାଏ । ତାହା ହେଉଛି କଳିହୁଡ଼ା ସ୍ଵଭାବ । ଅନେକ ଲୋକଙ୍କଠାରେ ଏଭଳି ମାନସିକ ଅଭ୍ୟାସ ଥାଏ ଯାହା ଯୋଗୁଁ ସେମାନେ ଅନ୍ୟ ଜଣେ ସୁଦ୍ଧା ବ୍ୟକ୍ତି ସହିତ ମିଳିମିଶି ଚଳିପାରନ୍ତି ନାହିଁ ବା କାମ କରିପାରନ୍ତି ନାହିଁ । ସେମାନଙ୍କର ଚରିତ୍ର ସବୁବେଳେ ଟିଙ୍କ ପରି ଚାରିଆଡ଼କୁ କଣ୍ଟା ଫୁଲେଇ ରହିଥାଏ । ଏବଂ ସେଥିପାଇଁ ସଦା ସର୍ବଦା ସେମାନଙ୍କର ଅନ୍ୟ ଲୋକଙ୍କ ସହିତ ତେଣ୍ଟାତେଣ୍ଟି ଲାଗିଥାଏ । ଏଭଳି କେହି କେହି ଲୋକ ପ୍ରତ୍ୟେକ କଥାରେ ‘ଲଢ଼େଇ ପାଇଁ ତିଆରି ହୋଇଯାନ୍ତି । ମାତ୍ର ପ୍ରକୃତ ଲଢ଼ୁଆ ବୃତ୍ତିଠାରୁ ଏ କଳିହୁଡ଼ା ପଣ ଏକାବେଳକେ ଭିନ୍ନ ବସ୍ତୁ । ଏଭଳି ଚରିତ୍ର ଥିବା ବ୍ୟକ୍ତି କ୍ୱଚିତ୍‍ କେବେ କୋଣସି ସାଧାରଣ କାମରେ ବି ସଫଳତା ହାସଲ କରିପାରନ୍ତି ।

 

ଆମେ ଯଦି ବଡ଼ ବଡ଼ ହିଂସାତ୍ମକ ବିପ୍ଳବ ବା ସ୍ୱାଧୀନତା ସଂଗ୍ରାମର ନେତାଙ୍କୁ ଦେଖିବା, ଲେନିନ୍‍, ହୋଚିମିନ୍‍ ଗାରିବାଲଦି, ୱାସିଂଟନ ଆଦିଙ୍କୁ ତେବେ ଜାଣିବା ଯେ ସେମାନଙ୍କର ଚରିତ୍ରରେ ଏକ ମାଧୁର୍ଯ୍ୟ ଓ ସହନଶୀଳତା ରହିଥିଲା ଯାହାଦ୍ଵାରା ସେ ହଜାର ହଜାର ଲୋକଙ୍କୁ ପାଖକୁ ଟାଣି ପାରିଛନ୍ତି ଓ ସେମାନଙ୍କୁ କାମରେ ଲଗାଇ ପାରିଛନ୍ତି ।

 

ଏହି କଳିହୁଡ଼ା ସ୍ଵଭାବ ଭଳି ଆଉ ଏକ ଅବାଞ୍ଛନୀୟ ଚାରିତ୍ରିକ ତ୍ରୁଟି ହେଉଛି କାଠକୋଟ୍ଟା ପଣିଆ ବା ରିଜିଡ଼ିଟି । ଏହା ମାନସିକ ସାବଳୀଳତାର ଓଲଟା । କେତେକ ଭାବନାଗତ ଦାଉଧକ୍‍କାର ପ୍ରଭାବରୁ ଏଭଳି ଲୋକଙ୍କର ବିଚାରବୁଦ୍ଧି ମୁକ୍ତ ଓ କ୍ଷୋଭରହିତ ଭାବରେ କାମ ନ କରି ଗୋଟାଏ ଗୁଳା ଧରି ଯାଇଥାଏ । ସେମାନେ କେତେକ ବିଚାର, ଆଚାର ଓ ମତାମତକୁ ଅତି ନିବିଡ଼ ଭାବରେ ଜାବୁଡ଼ି ଧରିଥାନ୍ତି, ଭିନ୍ନ ଆଚାର ବା ବିଚାର ସହି ପାରନ୍ତି ନାହିଁ । କାଳେ ନିଜ ଆଚାର ବିଚାରରୁ ବିଚ୍ୟୁତ ହୋଇଯିବେ ବୋଲି ଏକ ଶଙ୍କା ସେମାନଙ୍କ ମନରେ ଥିବା ଯୋଗୁଁ ସେମାନେ ଏଭଳି ମନୋଭାବ ଧରନ୍ତି । ଯେ କୌଣସି କଥାରେ, ଛୋଟ ଛୋଟ କଥାରେ ସେମାନେ ଜିଦ୍‍ ଧରି ବସନ୍ତି ।

 

ଏ କାଠଖୋଟ୍ଟାପଣିଆକୁ ବେଳେ ବେଳେ ସତ୍ୟାଗ୍ରହୀର ସତ୍ୟନିଷ୍ଠା ବୋଲି ଭୁଲ ହୋଇଥାଏ । ମାତ୍ର ଏହା ସତ୍ୟନିଷ୍ଠା ଠାରୁ ଏକା ବେଳେକେ ଭିନ୍ନ । ସତ୍ୟନିଷ୍ଠା ବୁଦ୍ଧିର ସହିତ ସତ୍ୟକୁ ଧରିଥାଏ ଓ ସତ୍ୟର ନୂତନ ବିଭାବର ସନ୍ଧାନ ପାଇବା ପାଇଁ ତାର ବୁଦ୍ଧି ସବୁବେଳେ ଜାଗ୍ରତ ଓ ମୁକ୍ତ ଥାଏ । ମାତ୍ର କାଠଖୋଟ୍ଟା ବ୍ୟକ୍ତିର ବିଚାର ଆଚାର ବୁଦ୍ଧିରେ ପ୍ରତିଷ୍ଠିତ ନ ହୋଇ ଏକ ପ୍ରକାରର କ୍ଷୁବ୍ଧ ଭାବନା ଉପରେ ଆଧାରିତ ଥାଏ । ସେଥିପାଇଁ ଏଭଳି ବ୍ୟକ୍ତିଙ୍କର ବୁଦ୍ଧି ଉନ୍ମୁକ୍ତ ବା ଜାଗ୍ରତ ନଥାଏ । ତାଙ୍କଠାରେ ଜିଦ୍‍ ଥାଏ, ସତ୍ୟର ଆଗ୍ରହ ନୁହେଁ ।

 

ଏସବୁ ଚାରିତ୍ରିକ ତ୍ରୁଟିକୁ ମଣିଷ ଉଦ୍ୟମ ଦ୍ୱାରା ଦୂର କରିପାରେ । ଏଥିପାଇଁ ଜ୍ଞାନ ଓ ଅର୍ନ୍ତନିରୀକ୍ଷଣ ଲୋଡ଼ା । ଏସବୁ ଦୂର ନ ହେଲେ ସତ୍ୟାଗ୍ରହୀ ତ ଦୂରର କଥା ମଣିଷ ସାଧାରଣ ଜୀବନରେ ମଧ୍ୟ ସାଫଲ୍ୟ ଲାଭ କରି ପାରେନାହିଁ ।

 

ସାଧାରଣ ବୁଦ୍ଧିମାନ ବ୍ୟକ୍ତିଙ୍କର ଏବଂ ସତ୍ୟାଗ୍ରହୀଙ୍କର ଧୈର୍ଯ୍ୟ ଏକ ଗୁଣ ବୋଲି ବିବେଚିତ ହୁଏ । ଧୈର୍ଯ୍ୟ ବୋଲନ୍ତେ ବିପଦରେ ବିଚଳିତ ନ ହେବା, ଦୁଃଖ କଷ୍ଟକୁ ଶାନ୍ତ ଭାବରେ ସହିବା, ଗାଳିମନ୍ଦ ଆଦି ଦ୍ୱାରା ଉତ୍ତେଜିତ ନ ହେବା ଆଦି ସାଧାରଣତଃ ବୁଝାଇଥାଏ, ମାତ୍ର ସକ୍ଷମ କାର୍ଯ୍ୟଶକ୍ତି ଓ ନେତୃତ୍ୱ ଶକ୍ତି ଦିଗରୁ ଏହାର ଗୋଟିଏ ଦିଗ ମଧ୍ୟ ରହିଛି ।

 

ମଣିଷ ମନରେ ଦୁଃଖ କ୍ରୋଧ, ଅସନ୍ତୋଷ ଆଦି କୌଣସି ଭାବାବେଗ ଜମା ହେଉଥିଲେ କୌଣସି ନା କୌଣସି ପ୍ରକାର କ୍ରିୟା ଦ୍ୱାରା ଏ ଚାପକୁ ଲାଘବ କରି ମାନସିକ ଭାରସାମ୍ୟ ଫେରାଇ ଆଣିବା ପାଇଁ ମନ ଭିତରେ ଗୋଟିଏ ତନ୍ତ୍ର (ମେକାନିଜିମ୍‍) କାମ କରୁଥାଏ-। ଏଭଳି କ୍ରିୟା ସଫଳ ଓ ସକ୍ଷମ, ଅର୍ଥାତ ଅସନ୍ତୋଷ ଆଦିର କାରଣକୁ ଦୂର କରିବା ଭଳି ହୋଇପାରେ ବା କେବଳ ଭାବାବେଗର ଚାପି ଊଣାକରି ମନକୁ ଶାନ୍ତି ଦେବା ପାଇଁ ପ୍ରତୀକାତ୍ମକ କ୍ରିୟା ହୋଇପାରେ । ସାନପିଲାକୁ ଭୋକ କରୁଛି । ତା ମା ତାକୁ ଖାଇବାକୁ ଦେଉନାହିଁ । ସେ ରାଗିଯାଇ ଗୋଟାଏ ବହି ଚିରିଦେଲା ବା ଗିଲାସ ଭାଙ୍ଗି ଦେଲା । ଏହାଦ୍ୱାରା ତାର ଭୋକ ମେଣ୍ଟାଇବାର ଉପାୟ ହେଲା ନାହିଁ, ମାତ୍ର ରାଗର ତାପଟା ଊଣା ହୋଇଗଲା । ନିଦରେ ଶୋଇଥିବା ବେଳେ ଶୋଷ କଲେ ଆମେ ସ୍ଵପ୍ନ ଦେଖୁ ଯେ ଆମେ ଉଠି ସୋରେଇରୁ ପାଣି ଗଡ଼େଇ ପିଉଛୁ । ତାହାଦ୍ୱାରା ଶୋଷ ମରେ ନାହିଁ, ମାତ୍ର ନିଦ୍ରାବସ୍ଥାକୁ ବ୍ୟାଘାତ ନ ଦେବା ପାଇଁ ଏ ମାନସିକ ତନ୍ତ୍ର ଏଭଳି ସ୍ଵପ୍ନର ଅବତାରଣା କରେ । ମନର ଭାବାବେଗକୁ ଊଣା କରୁଥିବା ଏଭଳି ଅପରିଣାମପ୍ରସୂ ପ୍ରକ୍ରିୟାକୁ କ୍ୟାଥାରସିସ୍‍ (କ୍ଷାଳନ) କୁହାଯାଏ ।

 

ଆଜିକାଲି ଅନେକ ଆନ୍ଦୋଳନ ଓ ବିକ୍ଷୋଭ ଆଦି ଏହିଭଳି ପ୍ରତୀକାତ୍ମକ ଭାବାବେଗ କ୍ଷାଳନର ପ୍ରକ୍ରିୟା ହୋଇଥାଏ, ଚାଉଳ ଦାମ ବଢ଼ିଲା ତ ଦୁଇଟା ବସ୍‍ ପୋଡ଼ିଦିଅ, ପରୀକ୍ଷାରେ ବେଶି ପିଲା ଫେଲ୍‍ ହେଲେ ତ ଗଣ୍ଡାଏ ଟ୍ରାମ ପୋଡ଼ିଦିଅ । ଏହାଦ୍ୱାରା ବାଷ୍ପ ବାହାରିଯିବା କାମ ହିଁ ହୋଇଛି । କୌଣସି ସମସ୍ୟାର ସମାଧାନ ଏ ଯାଏ ହୋଇ ନାହିଁ ।

 

ଏହିପରି ଅମୁକ ସମସ୍ୟା ଅସହ୍ୟ ହେଲାଣି, ଏହାର ତୁରନ୍ତ ପ୍ରତିକାର ନ କଲେ ଚଳିବ ନାହିଁ ବୋଲି ସତ୍ୟାଗ୍ରହ ସମ୍ମତ ଢଙ୍ଗରେ କୌଣସି କାର୍ଯ୍ୟ କରିବାକୁ କେହି କେହି ଉଦ୍ୟତ ହୋଇଥାନ୍ତି । ଏ ଧରଣର ଅନେକ ସତ୍ୟାଗ୍ରହ ଏ ଦେଶରେ ହୋଇଛି ଓ ସେ ସବୁରୁ କୌଣସି ପରିଣାମ ଉପୁଜି ନାହିଁ, କେବଳ ସତ୍ୟାଗ୍ରହୀଙ୍କ ଭାବାବେଗର କ୍ଷାଳନ ଛଡ଼ା ।

 

ଗହୀରରେ ଚେର ମାଡ଼ି ରହିଥିବା ଅନ୍ୟାୟ, ଅନୀତି ବା ସମସ୍ୟାର ନିରାକରଣର ପାଇଁ ଦୀର୍ଘକାଳୀନ ଓ ବ୍ୟାପକ ଆୟୋଜନ ଲୋଡ଼ା । ରୁଷ୍‍ ଓ ଚୀନ୍‍ର ବିପ୍ଳବର ଆୟୋଜନ ପାଇଁ ପଚିଶ ପଚିଶ ବର୍ଷ ଲାଗିଗଲା । ଭାରତର ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କୁ ତିରିଶ ବର୍ଷ ଯୁଝିବାକୁ ପଡ଼ିଲା । ସମସ୍ୟା ସମାଧାନ ପାଇଁ ତୀବ୍ର ଆକାଂକ୍ଷା, ବ୍ୟାକୁଳତା, ସତତ ଅତନ୍ଦୀତ ଉଦ୍ୟମ, ଏସବୁ ଲୋଡ଼ା ମାତ୍ର ଯେଉଁ ପଦକ୍ଷେପ ନିଆଯିବ ତାହା ବାସ୍ତବରେ ସମସ୍ୟାର ସମାଧାନ ଆଡ଼କୁ ଆମକୁ ଆଗେଇ ନେବ କି କେବଳ ଆମର ମନର ଭାବାବେଗର ଭାର ହାଲୁକା କରିବା କାମ କରିବ ଏହା ବିଚାର କରିବା ଶକ୍ତି ସତ୍ୟାଗ୍ରହର ଉଦ୍ୟୋକ୍ତା ଅର୍ଜନ କରିବା ଚାହିଁ ।

 

ଗୋଟିଏ ଛୋଟ ଶିଶୁ ଭୋକରେ କାନ୍ଦିଲା । ତାର ମା ଉଠି ଅନ୍ୟ ଘରକୁ ଦୁଧ ଗରମ କରି ଆଣିବା ପାଇଁ ଗଲା । ଏସବୁ କରିବାରେ ଦଶ ମିନିଟ୍‍ ଲାଗିଲା । ମାତ୍ର ଦଶ ମିନିଟ୍‍ ଧରି ଅନ୍ୟ ଘରେ ଚାଲିଥିବା ଆୟୋଜନଟାକୁ ସେ ଶିଶୁର ମନ ହୃଦୟଙ୍ଗମ କରିପାରେ ନାହିଁ । ମା ତା ପାଖରୁ ଲୁଚିଗଲା ତ ମା ଆଉ ନାହିଁ ବୋଲି ସେ ଆହୁରି ଜୋରରେ କାନ୍ଦିବାକୁ ଲାଗେ ।

 

ଜଣେ ବାର ବା ପନ୍ଦର ବର୍ଷର ପିଲାକୁ ଭୋକ କଲେ ସେ ଏହା ହୃଦୟଙ୍ଗମ କରିପାରେ ଯେ ବାପା ବଜାରକୁ ମାଛ କିଣି ଯାଇଛନ୍ତି, ଆସିଲେ ରୋଷେଇ ହେବ । ଦୁଇ ତିନି ଘଣ୍ଟାପରେ ଉତ୍ତମ ମାଛ ଝୋଳ ଓ ଭାତ ମିଳିବ ।

 

ସାନପିଲା ଦୀର୍ଘକାଳ ପରେ ଫଳ ମିଳିବ ବୋଲି ଅପେକ୍ଷା ରଖି କୌଣସି କାମ କରିପାରେନାହିଁ । ମଞ୍ଜିଟିଏ ପୋତିଲେ ଗଜା ହେଲା କି ନାହିଁ ଦଶ ମିନିଟ୍‍ ପରେ ଖୋଳି ଦେଖେ । ବଡ଼ ମଣିଷ ପାଞ୍ଚ ବର୍ଷରେ ଫଳ ଫଳିବ ବୋଲି ଜାଣି ଆମ୍ବ ଗଛ ଲଗାଏ ।

 

ଏହିପରି ମଣିଷର ବୁଦ୍ଧିଶକ୍ତି, କର୍ମକ୍ଷମତା, ଜ୍ଞାନର ବ୍ୟାପ୍ତି ଆଦି ବଢ଼ିବାଦ୍ୱାରା, ଅନ୍ୟ କଥାରେ ତାର ପରିପକ୍ୱତା, ବଢ଼ିବା ସାଙ୍ଗେ ସାଙ୍ଗେ ସ୍ଥାନ ଓ କାଳର ବ୍ୟାପକ ବିସ୍ତାରରେ ଘଟୁଥିବା ପ୍ରକ୍ରିୟାକୁ ସେ ହୃଦୟଙ୍ଗମ କରିପାରେ । ବ୍ୟାପକ କ୍ଷେତ୍ର ଓ କାଳର ଦୀର୍ଘ ଅବଧିକୁ ଧ୍ୟାନରେ ରଖି ଯୋଜନା ଗଢ଼ିପାରେ ଓ କାମ କରିପାରେ ତଥା ଏହି ରୂପେ କେବଳ ପ୍ରତୀକାତ୍ମକ ବା ଭାବକ୍ଷାଳନମୂଳକ ପ୍ରଚେଷ୍ଟାରେ ଶକ୍ତି କ୍ଷୟ ନ କରି ବାସ୍ତବିକ ସକ୍ଷମ ଓ ଫଳପ୍ରଦ ପ୍ରଚେଷ୍ଟା କରିପାରେ । ସତ୍ୟାଗ୍ରହର ନେତୃତ୍ୱ ପାଇଁ ଏଭଳି ପରିପକ୍ୱତା ଅପରିହାର୍ଯ୍ୟ ।

 

ଅବଶ୍ୟ ସାଧାରଣ ଲୋକଙ୍କ ଭିତରେ ଭାବାବେଗର ଚାପି ବଢ଼ିବାର ଦେଖାଗଲେ ତାକୁ ଧ୍ୱଂସମୂଳକ ଓ ହାନିକାରକ ବାଟରେ ଯିବାକୁ ନ ଦେଇ ନିରୁପଦ୍ରବୀ ଢଙ୍ଗରେ ପ୍ରବାହିତ କରିଦେବା ପାଇଁ କୌଣସି ପଦକ୍ଷେପ ଉଠାଇବା ଆବଶ୍ୟକ ହୋଇପାରେ । ଗାନ୍ଧିଜୀଙ୍କର ବିଦେଶୀ ଲୁଗାପୋଡ଼ା ଆନ୍ଦୋଳନର ଉଦାହରଣ ଦେଇ ଏହାର ବିସ୍ତୃତ ଚର୍ଚ୍ଚା କରା ଯାଇଛି ।

 

ଗାନ୍ଧିଜୀ କହିଛନ୍ତି ଯେ ସତ୍ୟାଗ୍ରହ ପ୍ରତି ବିରୋଧୀ ପକ୍ଷର କ୍ରମାନ୍ୱୟ ପାଞ୍ଚ ପ୍ରକାରର ପ୍ରତିକ୍ରିୟା ହୁଏ । ପ୍ରଥମେ ସେମାନେ ଏଥିପ୍ରତି ଉଦାସୀନ ରହନ୍ତି । ତାହାପରେ ଏହାକୁ ବିଦ୍ରୂପ କରନ୍ତି । ତୃତୀୟରେ ଗାଳି ଦେବାକୁ ଆରମ୍ଭ କରନ୍ତି ଓ ଆନ୍ଦୋଳନ ତଥାପି ଆଗେଇ ଚାଲିଲେ ତାକୁ ଦମନ କରିବା ଚେଷ୍ଟା କରନ୍ତି । ଏ ଦମନକୁ ସହି ଆନ୍ଦୋଳନ ତିଷ୍ଠି ରହିଲେ ତାହାପ୍ରତି ସେମାନଙ୍କର ଶ୍ରଦ୍ଧା ବା ସମ୍ମାନ ଜନ୍ମେ ଓ ସମାଧାନ ପାଇଁ ସେମାନେ ପ୍ରସ୍ତୁତ ହୁଅନ୍ତି । ଏସବୁ ସ୍ତର ଭିତର ଦେଇ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଯଥେଷ୍ଟ ଧୈର୍ଯ୍ୟ ଓ ଦୂରଦୃଷ୍ଟି ଲୋଡ଼ା ।

Image

 

(କୋଡ଼ିଏ)

ସତ୍ୟାଗ୍ରହରେ ଉପବାସର ସ୍ଥାନ

 

ତାଙ୍କର ଜୀବନରେ ବହୁ ଘରୋଇ ଓ ସାର୍ବଜନୀନ ସମସ୍ୟା ନେଇ ଗାନ୍ଧିଜୀ ଉପବାସ କରିଥିଲେ । ସେ ସବୁ ଭିତରୁ କେତେଗୋଟି ପ୍ରଧାନ ପ୍ରସଙ୍ଗର ଉଲ୍ଲେଖ ପୂର୍ବରୁ ବିଭିନ୍ନ ସ୍ଥାନରେ କରାଯାଇଛି । ଏହା ଏକ ଅତି ଶକ୍ତିଶାଳୀ ଓ ବିପଦଜନକ ଅସ୍ତ୍ର ଓ ସେଥିପାଇଁ ଏହାର ପ୍ରୟୋଗ ଖୁବ୍‍ ବୁଝି ବିଚାରି କରିବା ଉଚିତ ବୋଲି ଗାନ୍ଧିଜୀ ବାରମ୍ବାର ଚେତାଇ ଦେଉଥିଲେ । ସାର୍ବଜନୀନ ରାଜନୀତିକ ପ୍ରଶ୍ନକୁ ନେଇ ଉପବାସ ଯେ ଗାନ୍ଧିଜୀ ଆରମ୍ଭ କରିଥିଲେ ତାହା ନୁହେଁ । ପୂର୍ବରୁ ମଧ୍ୟ ତାହାର ବ୍ୟବହାର ବହୁ କ୍ଷେତ୍ରରେ କରାଯାଇଥିଲା । ଆର୍ୟଲାଣ୍ଡର ସ୍ଵାଧୀନତା ଆନ୍ଦୋଳନର ନେତା ଟେରେନ୍‍ସ୍‍ ମ୍ୟାକ୍‍ସ୍ୱିନୀ ଅନଶନ କରି ପ୍ରାଣତ୍ୟାଗ କରିଥିଲେ ଓ ଭାରତରେ ମଧ୍ୟ ବିପ୍ଲବୀ ନେତା ଯତୀନ ଦାସ ଅଠଷଠି ଦିନର ଅନଶନରେ ଜୀବନବଳି ଦେଇଥିଲେ । ଏମାନଙ୍କର ଅନଶନ ପଛରେ ଥିବା ନିଷ୍ଠା ଓ ତ୍ୟାଗ ଭାବନା ଅତୀବ ମହାନ । କିନ୍ତୁ ଏ ସବୁ ସତ୍ୟାଗ୍ରହ ପନ୍ଥା ଅନୁସରଣ କରି କରାଯାଇଥିଲା ବୋଲି କୁହାଯାଇ ପାରିବନାହିଁ । ମ୍ୟାକ୍‍ସ୍ୱିନୀଙ୍କ ଅନଶନଜନିତ ମୃତ୍ୟୁ ତ ସେ ଦେଶରେ ହିଂସାତ୍ମକ ବିଦ୍ରୋହର ଆନ୍ଦୋଳନକୁ ହିଁ ବଳଶାଳୀ କରିଥିଲା ।

 

ଅନଶନ ମଣିଷର ମନ ଉପରେ ଖୁବ୍‍ ଚାପ ପକାଏ । ସେଥିପାଇଁ ଆମରଣ ଅନଶନ ଚାପରେ ଅପର ପକ୍ଷ ବା ଲୋକେ କୌଣସି ଅଯୌକ୍ତିକ ଦାବି ମାନି ନେବାର ମଧ୍ୟ ସମ୍ଭାବନା ଥାଏ-। ତେଣୁ ସତ୍ୟାଗ୍ରହ ପ୍ରସଙ୍ଗରେ ଏହାର ପ୍ରୟୋଗ ଖୁବ୍‍ ସାବଧାନ ହୋଇ କରିବାର କଥା ।

 

ଉପବାସ ବିଭିନ୍ନ ଉଦ୍ଦେଶ୍ୟରେ କରାଯଇପାରେ । ନିଜେ ବା ଅନ୍ୟ ଲୋକ କରିଥିବା ଭୁଲ ଯୋଗୁଁ ପ୍ରାୟଶ୍ଚିତ ବା ଆତ୍ମଶୁଦ୍ଧି ପାଇଁ, ସମାଜର ନୈତିକ ଚେତନାକୁ ଜାଗ୍ରତ କରିବା ପାଇଁ ବା କୌଣସି ଦାବି ହାସଲ ପାଇଁ । ଗାନ୍ଧିଜୀଙ୍କ ଜୀବନରେ ଏସବୁ ଗୁଡ଼ିକର ଉଦାହରଣ ମିଳେ ।

 

ନିଜର ଆଚରଣରୁ ଓ ମନ ଭିତରୁ ଦୋଷ ଓ ମନ୍ଦ ଭାବନା ଦୂର କରିବା ପାଇଁ ଉପବାସର ଉପଯୋଗୀତା ବହୁ ପ୍ରଚୀନ କାଳରୁ ଦୁନିଆର ପ୍ରାୟ ସମସ୍ତ ଆଧ୍ୟାତ୍ମିକ ବା ଧାର୍ମିକ ପରମ୍ପରାରେ ସ୍ୱୀକୃତ ହୋଇ ଆସିଛି । ଉପବାସ ମଣିଷର ଇନ୍ଦ୍ରିୟଗୁଡ଼ିକୁ ନିଜ ନିଜର ବିଷୟ ଆଡ଼କୁ ଧାଇଁବାରୁ ନିବୃତ୍ତ କରିବାରେ ସାହାଯ୍ୟ କରେ ଓ ଇନ୍ଦ୍ରିୟ ସମୂହ ଏଭଳି ନିବୃତ୍ତ ହେଲେ ମନ ମଧ୍ୟ ସହଜରେ ଏକାଗ୍ର ହୁଏ । ମନର ଏହି ସଂଯତ ଓ ଏକାଗ୍ର ଅବସ୍ଥା ଈଶ୍ୱର ଉପାସନାକୁ ବହୁତ ବେଶି ଗଭୀର କରିଥାଏ ବୋଲି ଅନୁଭଵୀମାନେ କହିଥାନ୍ତି । ଗାନ୍ଧିଜୀ ତାଙ୍କର ୧୯୩୩ର ହରିଜନ ଉପବାସ ସମ୍ବନ୍ଧରେ ଲେଖିଛନ୍ତି:—

 

‘‘ଏ ଉପଵାସଟା ଏକୋଇଶ ଦିନ ବ୍ୟାପୀ ଏକ ଅଖଣ୍ଡ ପ୍ରାର୍ଥନା ଥିଲା, ଯାହାର ପ୍ରଭାବ ମୁଁ ଏବେବି ଅନୁଭବ କରୁଛି । ମୁଁ ପୂର୍ବ ଅପେକ୍ଷା ଏବେ ଆହୁରି ପୂର୍ଣ୍ଣଭାବରେ ଜାଣିଲିଣି ଯେ ଉପବାସ ବିନା ପ୍ରାର୍ଥନା ନାହିଁ, ସେ ପ୍ରଥମୋକ୍ତଟି ଯେତେ କମ୍‍ ହୋଇଥାଉ ନା କାହିଁକି ଏବଂ ଏ ଉପବାସ କେବଳ ପାଟି ବା ପେଟର ନୁହେଁ, ସମସ୍ତ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟମାନଙ୍କର ମଧ୍ୟ । ପ୍ରାର୍ଥନାରେ ସମ୍ପୂର୍ଣ୍ଣଭାବରେ ନିମ୍ମଜିତ ହେବାର ଅର୍ଥ ସବୁ ପ୍ରକାରର ଶାରୀରିକ କ୍ରିୟାକଳାପରୁ ନିବୃତ୍ତ ହେବା, ଯେପରିକି ଶେଷକୁ ପ୍ରାର୍ଥନା ଆମର ସମଗ୍ର ସତ୍ତାକୁ ଅଧିକାର କରିବ ଓ ଆମେ ସମସ୍ତ ଶାରୀରିକ ପ୍ରକ୍ରିୟାରୁ ଅଲଗା ହୋଇଯିବା ଓ ସେ ସବୁର ଉର୍ଦ୍ଧ୍ୱକୁ ଉଠିଯିବା । ଶରୀରକୁ ବରାବର ସ୍ୱେଚ୍ଛାପ୍ରବୃତ ଭାବରେ ବଳି ଦେଇ ପାରୁଥିଲେ ଯାଇ ଏହି ଅନାସକ୍ତ ଅବସ୍ଥା ଲାଭ ହୋଇ ପାରିବ । ଯଦି ସେସବୁ ଆଧ୍ୟାତ୍ମିକ କାର୍ଯ୍ୟରୂପେ ଅନୁସୃତ ହେଉଥାଏ ତେବେ ସମସ୍ତ ଉପବାସକୁ ଆମେ ପୂର୍ଣ୍ଣ ସମର୍ପିତ ପ୍ରାର୍ଥନା ବା ସେଥିପାଇଁ ପ୍ରସ୍ତୁତ ବୋଲି କହିପାରିବା । ଈଶ୍ୱରୀୟ ସତ୍ତାରେ ଲୀନ ହୋଇଯିବା ପାଇଁ ଏହା ଆତ୍ମାର ଏକ ଆକୃତି ।’’ (ହରିଜନ, ୮-୭-୩୩)

 

ଗାନ୍ଧିଜୀ ନିଜର ଶୁଦ୍ଧି ଓ ପ୍ରାର୍ଥନାର ତୀବ୍ରତା ବଢ଼ାଇବା ପାଇଁ, ବିଶେଷ କରି ନିଜର ଆଚରଣରେ ବା ବିଚାରରେ କୌଣସି ଦୋଷ ଦେଖିଲେ ବେଳେ ବେଳେ ଉପବାସ କରିବାର ଜଣା ଅଛି । ନିଜର ଅତି ନିକଟର ପ୍ରିୟଜନମାନଙ୍କର ଦୋଷ ଦେଖିଲେ ମଧ୍ୟ ସେ କେତେଥର ତାହାର ଶୁଦ୍ଧି ପାଇଁ ଉପବାସ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଥିବାବେଳେ ସେଠା ପୀନିକ୍‍ସ ଆଶ୍ରମର ଅଧିବାସୀମାନଙ୍କର ନୈତିକ ପତନ ଓ ଗୁରୁତର ଦୋଷତ୍ରୁଟି ସକାଶେ ସେ ଅନେକଥର ଉପବାସ କରୁଥିଲେ । ଭାରତରେ ମଧ୍ୟ ସେହିଭଳି ସାବରମତୀ ଆଶ୍ରମର ଅଧିବାସୀଙ୍କର ଦୋଷତ୍ରୁଟିର ପ୍ରାୟଶ୍ଚିତ ବା ଶୁଦ୍ଧି ନିମନ୍ତେ ସେ ଉପବାସ କରିଥିଲେ । ୧୯୨୫ରେ କେତେକ ଆଶ୍ରମ ପିଲାଙ୍କ ଚରିତ୍ରଗତ ଦୋଷ ଦେଖି ସେ ସାତଦିନ ଉପବାସ କରିଥିଲେ । ଆଶ୍ରମର କେହି ବ୍ୟକ୍ତିଗତ ଭାବରେ କୌଣସି ଟଙ୍କା ପଇସା ବା ସେ ପ୍ରକାରର ସମ୍ପତ୍ତି ରଖିବେ ନାହିଁ ବୋଲି ନିୟମ ଥିଲା । ତତ୍‍ସତ୍ତ୍ୱେ କସ୍ତୁରବାଙ୍କ ସମେତ କେତେଜଣ ଆଶ୍ରମବାସୀଙ୍କଠାରେ ଅଳ୍ପ କିଛି କିଛି ପଇସା ଥିବାର ଦେଖି ଗାନ୍ଧିଜୀ ସାତଦିନ ଅନଶନ କରିଥିଲେ ।

 

ବିପଥଗାମୀ ଲୋକପ୍ରତି ଶୁଦ୍ଧତମ ପ୍ରେମରୁ ହିଁ ଏଭଳି ଉପବାସର ଜନ୍ମ ହୋଇଥାଏ । ତାହାର ମଧ୍ୟ ଉପବାସକାରୀ ପ୍ରତି ପ୍ରେମ ଥିବା ଚାହିଁ । ଏହିଭଳି ପରସ୍ପର ପ୍ରେମ ଥିଲେ ଯାଇ ଉପବାସର ସୁସ୍ଥ ପ୍ରଭାବ ପଡ଼େ ବୋଲି ଗାନ୍ଧିଜୀ ଲେଖିଛନ୍ତି । ସେ କହିଛନ୍ତି—

 

‘‘ଉପବାସରୂପୀ ସତ୍ୟାଗ୍ରହ ବିରୋଧୀ ମନେ କରାଯାଉଥିବା କୌଣସି ଲୋକ ବିରୋଧରେ କରାଯାଇ ପାରିବ ନାହିଁ । ଉପବାସ କେବଳ ନିଜର ଅତି ନିକଟର ପ୍ରିୟଜନଙ୍କ ବିରୋଧରେ କରାଯାଇପାରେ ଓ ତାହା ମଧ୍ୟ କେବଳ ମାତ୍ର ସେମାନଙ୍କର କଲ୍ୟାଣ ନିମନ୍ତେ ।’’ (ହରିଜନ, ୩୦, ୯, ୨୬)

 

ନିଜର ପରିବାର, ଆଶ୍ରମ ବା ଅନୁଷ୍ଠାନରୁ ବ୍ୟାପକ ସମାଜ ଗୋଟିଏ ପାହୁଣ୍ଡ ମାତ୍ର । ସମାଜ ସହିତ ମଧ୍ୟ ସତ୍ୟାଗ୍ରହୀର ସେହିଭଳି ପ୍ରଗାଢ଼ ସ୍ନେହ ସମ୍ବନ୍ଧ ଥିଲେ ସମାଜର ଶୁଦ୍ଧି ପାଇଁ ଉପବାସ କରାଯାଇପାରେ । ୧୯୨୪ ରେ ହିନ୍ଦୁ ମୁସଲମାନ ଏକତା ଓ ୧୯୩୩ରେ ଅସ୍ପୃଶ୍ୟତା ନିବାରଣ ପାଇଁ ଗାନ୍ଧିଜୀଙ୍କର ସତ୍ୟାଗ୍ରହ ଏହି ପର୍ଯ୍ୟାୟରେ ପଡ଼ିବ । ସମାଜର ଜନତାର ସାମୟିକ ଉନ୍ନତ୍ତତାକୁ ରୋକିବା ପାଇଁ କରାଯାଇଥିବା ଉପବାସ ମଧ୍ୟ ଏହି ପର୍ଯ୍ୟାୟର ଏକ ବିଶେଷ ବିଭାଗରେ ଯିବ । ୧୯୪୭ରେ କଲିକତା ଓ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାହଙ୍ଗାମା ବେଳେ ସେ ଏଭଳି ଉପବାସ କରିଥିଲେ ।

 

କୌଣସି ବଦ୍ଧମୂଳ କୁସଂସ୍କାର ବା ମନ୍ଦ ଭାବନା ବିରୋଧରେ ଅନଶନ କେବେ ଆମରଣ ହୋଇପାରେ ନାହିଁ । ଜନସାଧାରଣଙ୍କର ବିବେକକୁ ସ୍ପର୍ଶ କରିବା ଏହାର ଉଦ୍ଦେଶ୍ୟ ହେବ । କୌଣସି ଏକ ବୃହତ୍‍ ସମାଜରେ ବହୁକାଳରୁ ବଦ୍ଧମୂଳ ହୋଇ ରହିଥିବା କୁସଂସ୍କାର ଆଦି ଆମରଣ ଉପବାସ ଦ୍ୱାରା ଅଳ୍ପ ସମୟ ଭିତରେ ଦୂର କରିଦେଇ ହେବ ଏଭଳି ଭାବିବା ଅବାସ୍ତବତା ହେବ । ମାତ୍ର ସାମୟିକ ଉନ୍ନତ୍ତତାକୁ ଶାନ୍ତ କରିବା ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉପବାସ ଆବଶ୍ୟକ ହୋଇପାରେ ।

 

କୌଣସି ଦାବି ପୂରଣ ପାଇଁ ସତ୍ୟାଗ୍ରହରୂପେ ଉପବାସ ଏହାର ଶେଷ ପର୍ଯ୍ୟାୟ ଏବଂ ଏଇଥିରେ ସବୁଠାରୁ ଅଧିକ ବିପଦର ସମ୍ଭାବନା ରହିଛି । ଏଭଳି ବିଷୟରେ ସେଥିପାଇଁ ଗାନ୍ଧିଜୀ ବାରମ୍ବାର ଚେତାବନୀ ଶୁଣାଇଛନ୍ତି ଓ ଏହା ସତ୍ୟାଗ୍ରହୀର ସର୍ବଶେଷ ଅସ୍ତ୍ର ବୋଲି ସତର୍କ କରି ଦେଇଛନ୍ତି । ଏପରିକି ୧୯୪୭ରେ ସେ ‘ଉପବାସ ହାଓ୍ୟା’ ଶୀର୍ଷକରେ ଲେଖିଥିଲେ ଯେ ସେ ନିଜେ ସତ୍ୟାଗ୍ରହର ପ୍ରଣେତା ଓ ସେଥିରେ ବିଶେଷଜ୍ଞ ହୋଇଥିବାରୁ ଯେ କେହି ସତ୍ୟାଗ୍ରହ ଉଦ୍ଦେଶ୍ୟରେ ଉପବାସ କରିବାକୁ ଚାହିଁବେ ସେ ତାଙ୍କଠାରୁ ପ୍ରଥମେ ଅନୁମତି ନେବା ଉଚିତ । ଏହାହେଲେ ସେଥିପାଇଁ କୌଣସି ନିୟମ ପ୍ରଣୟନ କରିବା ଲୋଡ଼ା ହେବନାହିଁ । ତଥାପି ସେ ଗୋଟାଏ ସାଧାରଣ ନିୟମ ବାଢ଼ିଥିଲେ ଯେ ‘‘ପ୍ରତିକାରର ଅନ୍ୟ ସବୁ ଉପାୟ ବ୍ୟବହୃତ ହୋଇ ବିଫଳ ହେଲା ପରେ କେବଳ ଶେଷ ଆଶ୍ରୟରୂପେ ସତ୍ୟାଗ୍ରହୀ ଉପବାସ କରିପାରେ । ଯାହାର କୌଣସି ଆନ୍ତରିକ ଶକ୍ତି ନ ଥିବ ସେ ଏ କଥା ସ୍ଵପ୍ନରେ ବି ଚିନ୍ତା କରିବାର ନୁହେଁ ଓ ସଫଳତାର ଆସକ୍ତି ରଖି ତ କଦାପି ନୁହେଁ । ମାତ୍ର ସତ୍ୟାଗ୍ରହୀ ଯଥାର୍ଥ ବିଶ୍ୱାସର ସହ ସତ୍ୟାଗ୍ରହ ଆରମ୍ଭ କରିଦେଲେ ତାର ସଫଳତାର ଆଶା ଥାଉ ବା ନ ଥାଉ ସେ ନିଜ ସଂକଳ୍ପରେ ଦୃଢ଼ ରହିବ । ଏହାର ଅର୍ଥ ନୁହେଁ ଯେ ଉପବାସର କୌଣସି ପରିଣାମ ହୁଏ ନାହିଁ । ଯେ ଫଳାସକ୍ତି ରଖି ଉପବାସ କରେ ସେ ସାଧାରଣତଃ ବିଫଳ ହୁଏ । ଏବଂ ସେ ଉପରୁ ଦେଖିବାକୁ ବିଫଳ ନ ହେଲେ ବି ପ୍ରକୃତ ଉପବାସରୁ ମିଳୁଥିବା ସମସ୍ତ ଆନ୍ତରିକ ଆନନ୍ଦ ସେ ହରାଏ ।

 

‘‘ଉପବାସକାରୀ ଫଳରସ ପିଇବ କି ନାହିଁ ତାହା ତାହାର ଶାରୀରିକ ସହନଶକ୍ତି ଉପରେ ନିର୍ଭର କରେ । ମାତ୍ର ଦେହ ପାଇଁ ଯେତିକି ନ ହେଲେ ନ ଚଳେ ତାଠାରୁ ଅଧିକ ଫଳରସ ପିଇବାର ନୁହେଁ । ଯେ କେବଳ ପାଣି ପିଇ ଉପବାସ କରେ ତାରି ବୋଧହୁଏ ସବୁଠାରୁ ବେଶି ଆନ୍ତରିକ ଶକ୍ତି ଥାଏ ।’’ (ହରିଜନ ୨୧-୪-୪୬)

 

ଉପବାସକାରୀର ଯୋଗ୍ୟତା ସମ୍ବନ୍ଧରେ ସେ କହିଛନ୍ତି ‘‘ତାହା ପଛରେ ଇଚ୍ଛାଶକ୍ତି ନ ଥାଇ କେବଳ ଦୈହିକ ଉପବାସ କିଛି ନୁହେଁ । ଏହା ଅନ୍ତରର ଉପବାସର ଏକ ଯଥାର୍ଥ ସ୍ୱୀକୃତି ଓ ସତ୍ୟ ଓ ଶୁଦ୍ଧମାତ୍ର । ସତ୍ୟର ହିଁ ପ୍ରକାଶ ଲାଗି ଏକ ଅଦମ୍ୟ ଅଭିଳାଷ ରଖି ହିଁ ସତ୍ୟାଗ୍ରହ କରାଯିବା ଚାହିଁ । ତେଣୁ ଯେଉଁମାନେ ସତ୍ୟ ପାଇଁ କାମ କରିଛନ୍ତି, ଶତ୍ରୁ ପ୍ରତି ମଧ୍ୟ ଯାହାଙ୍କ ହୃଦୟରେ ପ୍ରେମ ରହିଛି, ଯେଉଁମାନେ ଜୈବକାମନାରୁ ମୁକ୍ତ ଓ ଐହିକ ସମ୍ପତ୍ତି ଓ ଉଚ୍ଚାଭିଳାଷ ପରିହାର କରିଛନ୍ତି ସେହିମାନେ ହିଁ ସତ୍ୟଲାଗି ଉପବାସ କରିବାର ସୌଭାଗ୍ୟ ଲାଭ କରିବେ । ତେଣୁ ମୁଁ ଯେଉଁ ଉପବାସ କଥା କହିଛି ତାହା କେହି ଯେପରି ପୂର୍ବ ପ୍ରସ୍ତୁତି ଓ ଅନୁଶାସନ ବ୍ୟତୀତ କରିବାକୁ ନ ବାହାରନ୍ତି ।’’ (ହରିଜନ ୬-୫-୩୩)

 

ସେ ଆଉ ଠାଏ ରାଜକୋଟ ଉପବାସର ଦୋଷତ୍ରୁଟି ସମ୍ବନ୍ଧରେ ଆଲୋଚନା କରିସାରି ଲେଖିଛନ୍ତି—‘‘ମାତ୍ର ଆମେ ଶିଖିଲୁ ଯେ ଉପବାସକାରୀକୁ କି ଅସୀମ ପରିମାଣରେ ସତର୍କ ଓ ପ୍ରାର୍ଥନାମୟ ରହିବାକୁ ପଡ଼େ ଓ କିଭଳି ଅଳ୍ପଟିକିଏ ଅସାବଧାନତା ଏବଂ ଉତ୍ତମ ଉଦ୍ଦେଶ୍ୟର ହାନି ଘଟାଇପାରେ । ଏହା ଏବେ ସ୍ପଷ୍ଟ ଯେ ସତ୍ୟ ଓ ଅହିଂସା ବ୍ୟତୀତ ସତ୍ୟାଗ୍ରହୀର ଏ ନିର୍ଭର ଭରସା ବି ଥିବା ଚାହିଁ ଯେ ଈଶ୍ୱର ତାକୁ ଆବଶ୍ୟକ ଶକ୍ତି ଦେବେ ଓ ଉପବାସରେ ତିଳେ ହେଲେ ଅଶୁଦ୍ଧତା ଥିଲେ ସେ ତାକୁ ତୁରନ୍ତ ଛାଡ଼ି ଦେବାକୁ ଇତସ୍ତତ କରିବେ ନାହିଁ । ଅସୀମ ଧୈର୍ଯ୍ୟ ଦୃଢ଼ ସଂକଳ୍ପ, ଏକାଗ୍ର ଉଦ୍ଦେଶ୍ୟନିଷ୍ଠା, ପରିପୂର୍ଣ୍ଣ ଧୀରଚିତ୍ତତା ଓ ଅକ୍ରୋଧ ତାହାଠାରେ ଥିବା ଅତ୍ୟାବଶ୍ୟକ । କିନ୍ତୁ ଏସବୁ ଗୁଣର ବିକାଶ ଏକା ସାଙ୍ଗରେ କରାଇ ପାରିବା କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବ ବୁହେଁ, ତେଣୁ ଯେ ଅହିଂସାର ନିୟମ ଅନୁସରଣ କରିବାରେ ନିଜକୁ ନିୟୋଜିତ ନ କରିଛି ସେ ଉପବାସ କରିବ ନାହିଁ ।’’ (ହରିଜନ ୧୩-୧୦-୪୦)

 

ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତି ଓ ତାଲିମ ବିନା ଯେଉଁସବୁ ଅନେକ ଉପବାସ କରାଯାଇଥାଏ ତାହା ଗାନ୍ଧିଜୀଙ୍କର ମାପକାଠି ଅନୁସାରେ ସତ୍ୟାଗ୍ରହ ମୂଳକ ଉପବାସ ପର୍ଯ୍ୟାୟରେ ପଡ଼ିବ ନାହିଁ ବୋଲି ଦର୍ଶାଇ ଗାନ୍ଧିଜୀ ୧୯୩୧ରେ ଏକ ଚେତାବନୀ ଶୁଣାଇଥିଲେ । ଏଭଳି ଯଥେଷ୍ଟ ପ୍ରସ୍ତୁତି ଓ ଚିନ୍ତା ବିନା କରାଯାଉଥିବା ଅନଶନ (ଭୋକ, ହରତାଳ, ହଙ୍ଗରଷ୍ଟ୍ରାଇକ୍‍) ଯଦି ବାରମ୍ବାର କରାଯାଏ ତେବେ ଏ ପ୍ରକ୍ରିୟାର ଯାହା କିଛି କାର୍ଯ୍ୟକାରିତା ରହିଛି ତାହା ବି ନଷ୍ଟ ହୋଇଯିବ ଓ ଶେଷକୁ ହାସ୍ୟାସ୍ପଦ ହୋଇପଡ଼ିବ । (ହରିଜନ ୧୮-୩-୩୯)

 

କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ସିଦ୍ଧିପାଇଁ ଉପବାସ କରାଯାଇ ପାରିବ ନାହିଁ । ଯଥା ନିଜର ଦରମା ବଢ଼ାଇବା, ଅନ୍ୟଠାରୁ ପାଉଣା ଟଙ୍କା ଆଦାୟ କରିବା ପାଇଁ ଉପବାସ କରାଯାଇ ପାରିବ ନାହିଁ ବୋଲି ଗାନ୍ଧିଜୀ ସ୍ପଷ୍ଟ ଭାବରେ ବାରମ୍ବାର ମତ ପ୍ରକାଶ କରିଥିଲେ (ୟଂ ଇଣ୍ଡିଆ ୩୦-୯-୨୬, ହରିଜନ ୨୧-୪-୪୬) । ତେବେ ନିଜର ଗୋଷ୍ଠୀର ମଜୁରୀ ବଢ଼ାଇବା ନିମନ୍ତେ ଉପବାସ ସମ୍ଭବ ବୋଲି ମଧ୍ୟ ସେ କହିଛନ୍ତି ।

 

ଉପବାସ ଦ୍ୱାରା ଯେ ଅନ୍ୟାୟ ଚାପ ପଡ଼ିପାରେ ଓ ତାହା ଜବରଦସ୍ତିର ରୂପ ଧରିପାରେ ଗାନ୍ଧିଜୀ ଏଥିପ୍ରତି ଅବହିତ ତ ଥିଲେ ହିଁ, ରାଜକୋଟ ଉପବାସରେ ବଡ଼ଲାଟଙ୍କୁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିବା ଦ୍ୱାରା ସତ୍ୟାଗ୍ରହର ନୀତି କ୍ଷୁର୍ଣ୍ଣ ହେଲା ବୋଲି ସେ ଅନୁଭବ କରିଥିଲେ ଓ ତାହାଦ୍ଵାରା ମିଳିଥିବା ବିଜୟକୁ ଗ୍ରହଣ କରି ନ ଥିଲେ । ଏହାର ବିଶଦ ଆଲୋଚନା ପୂର୍ବର ଏକ ଅଧ୍ୟାୟରେ କରାଯାଇଛି । ଉପବାସ ଦ୍ୱାରା ଜବରଦସ୍ତିର ସମ୍ଭାବନା ବିଷୟରେ ଆଲୋଚନା କରି ସେ ହରିଜନରେ ଥରେ ଲେଖିଥିଲେ—‘‘ଯଦି ମୋ ଉପବାସ ପ୍ରେମରୁ ଉପୁଜିଛି ବୋଲି ସ୍ୱୀକାର କରାଯାଏ ତେବେ ତାହାକୁ ଜବରଦସ୍ତି ବୋଲି ସେତିକି ବେଳେ କୁହାଯିବ ଯେବେ ବାପମା’ଙ୍କର ସନ୍ତାନପ୍ରତି, ବା ସନ୍ତାନଙ୍କର ବାପମାଙ୍କ ପ୍ରତି, ସ୍ୱାମୀର ସ୍ତ୍ରୀ ପ୍ରତି ଓ ସ୍ତ୍ରୀର ସ୍ୱାମୀ ପ୍ରତି ପ୍ରେମ ବା ଏକ ଅତି ବ୍ୟାପକ ଉଦାହରଣ ନେବାକୁ ହେଲେ ଯେଉଁମାନେ ଯୀଶୁଙ୍କୁ ନିଜର ଯଥାସର୍ବସ୍ଵ ବୋଲି ଜ୍ଞାନ କରନ୍ତି ସେମାନଙ୍କ ପ୍ରତି ଯୀଶୁଙ୍କର ପ୍ରେମକୁ ଆମେ ଜବରଦସ୍ତି କହିବା । କୋଟି କୋଟି ଖ୍ରୀଷ୍ଟାନଙ୍କର ଦୃଢ଼ ଓ ପବିତ୍ର ବିଶ୍ୱାସ ରହିଛି ଯେ ଯୀଶୁଙ୍କର ପ୍ରେମ ହିଁ ସେମାନଙ୍କୁ ପତନରୁ ରକ୍ଷା କରୁଛି ଏବଂ ସେମାନଙ୍କର ନିଜ ବିରୁଦ୍ଧରେ ବି । ତାଙ୍କର ପ୍ରେମ ହଜାର ହଜାର ଭକ୍ତଙ୍କର ବୁଦ୍ଧି ଓ ଭାବନାକୁ ନିଜ ଆଡ଼କୁ ଟାଣି ନେଉଛି । ମୁଁ ଜାଣେ ଯେ ମୋର ପିଲାଦିନେ ମୋର ବାପାମାଙ୍କର ପ୍ରେମ ମୋତେ ପାପରୁ ରକ୍ଷା କରିଥିଲା ଓ ମୋର ପଚାଶ ବର୍ଷ ବୟସ ହେବା ପରେ ମଧ୍ୟ ମୋର ସନ୍ତାନ ଓ ବନ୍ଧୁମାନଙ୍କର ପ୍ରେମ ମୋତେ ଧ୍ଵଂସ ମୁଖରୁ ନିଧାର୍ଯ୍ୟ ଭାବରେ ବଞ୍ଚାଇଥିଲା ଓ ଏ ପ୍ରେମର ନିଶ୍ଚିତ ଓ ପ୍ରବଳ ପ୍ରଭାବ ନ ଥିଲେ ମୁଁ ଅବଶ୍ୟ ଧ୍ଵଂସମୁଖକୁ ଯାଇଥାନ୍ତି । ଏବଂ ଏ ପ୍ରେମକୁ ଜବରଦସ୍ତି କୁହାଯିବ ତ ଯେଉଁ ପ୍ରେମ ମୋତେ ଉପବାସର ପ୍ରେରଣା ଦେଲା ଓ ସେ ଉପବାସ ମଧ୍ୟ ଅବଶ୍ୟ ଜବରଦସ୍ତି । ମାତ୍ର ଅନ୍ୟ କୌଣସି ଅର୍ଥରେ ନୁହେଁ ।’’ ଆଉ ଏକ ପ୍ରସଙ୍ଗରେ ସେ ଏ ବିଷୟ ଆଲୋଚନା କରି ଲେଖିଥିଲେ—

 

‘‘ଯଦି ମୋର ଉପବାସ ସମୂହର ‘ଜବରଦସ୍ତି ମୂଳକ ପ୍ରଭାବ’ ରହିଛି ବୋଲି ନ୍ୟାୟତଃ କୁହାଯାଇ ପାରିବ ତେବେ ସବୁ ଉପବାସର ସେହିଭଳି ପ୍ରଭାବ ରହିଛି, ଊଣା ଅଧିକେ ରହିଥିବାର ଦର୍ଶାଇ ହେବ । କଥାହେଲା ଯେ ସବୁ ଆଧ୍ୟାତ୍ମିକ ଉପବାସ ତାହାର ପ୍ରଭାବର ଗଣ୍ଡି ଭିତରେ ଥିବା ସମସ୍ତ ଲୋକଙ୍କୁ ପ୍ରଭାବିତ କରେ । ଏଥିପାଇଁ ଆଧ୍ୟାତ୍ମିକ ଉପବାସକୁ ତପ କୁହାଯାଏ । ଓ ଯାହାଙ୍କ ପାଇଁ ତପ କରାଯାଇଥାଏ ସେ ସମସ୍ତଙ୍କ ଉପରେ ତାହାର ଶୋଧନକାରୀ ପ୍ରଭାବ ଅବଶ୍ୟ ପଡ଼ିଥାଏ ।’’

 

ଏହାପରେ ସେ କହିଛନ୍ତି ଯେ ଉପବାସ ଜବରଦସ୍ତି ମୂଳକ ହୋଇପାରେ ଏବଂ ତାହା କୌଣସି ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କରାଯାଇଥିଲେ ତାହା ଏଭଳି ହୋଇଥାଏ । ଏଭଳି ଅସଙ୍ଗତ ପ୍ରଭାବ ପକାଇବାକୁ ଚାହୁଁଥିବା ଉପବାସର ସମସ୍ତେ ପ୍ରତିରୋଧ କରିବା ଉଚିତ ବୋଲି ସେ ପରାମର୍ଶ ଦେଇ କହିଛନ୍ତି ଯେ ସେ ଏଭଳି ଉପବାସର ପ୍ରତିରୋଧ ସଫଳ ଭାବରେ କରିଛନ୍ତି ଓ କେହି ଯଦି କୌଣସି ଉପବାସକୁ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ବା ଅନ୍ୟ ନୀଚ ଅଭିସନ୍ଧି ଦ୍ୱାରା ପ୍ରେରିତ ବୋଲି ବିଶ୍ୱାସ କରୁଥାଏ ତେବେ ସେ ଦୃଢ଼ ଭାବରେ ତାହାଠାରେ ମୁଣ୍ଡ ନୁଆଁଇବାକୁ ଅସ୍ୱୀକାର କରିବା ଉଚିତ । ସେ ଉପବାସକାରୀ ବ୍ୟକ୍ତି ତାହା ଫଳରେ ପ୍ରାଣ ହରାଇଲେ ବି ଏଭଳି ଅଯୋଗ୍ୟ ଉଦ୍ଦେଶ୍ୟ ସିଦ୍ଧି ପାଇଁ କରାଯାଇଥିବା ଉପବାସକୁ ବେଖାତିର କରିବା ଅଭ୍ୟାସ ଲୋକେ କଲେ ଉପବାସର ଏଭଳି ଜବରଦସ୍ତି ଓ ଅଯଥା ପ୍ରଭାବର ଦୋଷ କଟିଯିବ । ଅନ୍ୟସବୁ ମାନବୀୟ ଅନୁଷ୍ଠାନ ପରି ଉପବାସର ମଧ୍ୟ ନ୍ୟାୟ ସଙ୍ଗତ ଓ ଅନ୍ୟାସ୍ତ ଉପଯୋଗ ହୋଇପାରେ । ମାତ୍ର ସତ୍ୟାଗ୍ରହର ଅସ୍ତ୍ରାଗାରର ଏ ଏକ ମହାନ ଅସ୍ତ୍ର ଓ ଏହାର ଅପବ୍ୟବହାରର ସମ୍ଭାବନାର ଭୟରେ ଏହାକୁ ଛାଡ଼ି ଦେଇ ହେବନାହିଁ । (ହରିଜନ ୬-୫-୩୩)

 

ବ୍ୟକ୍ତିଗତ ଉପବାସ ଛଡ଼ା ସମୂହ ଅର୍ଥାତ ବହୁ ଲୋକଙ୍କ ଦ୍ୱାରା ଏକାଦିକ୍ରମେ ବା ଜଣକ ପରେ ଜଣେ ଉପବାସ କରାଯିବାର କଳ୍ପନା ମଧ୍ୟ ଗାନ୍ଧିଜୀ ଅନ୍ତତଃ ଦୁଇଟି ଉପଲକ୍ଷ୍ୟରେ କରିଥିଲେ । ୧୯୩୩ର ହରିଜନ ଆନ୍ଦୋଳନ ବେଳେ ସେ ସୂଚନା ଦେଇଥିଲେ ଯେ ସେ ବର୍ଷର ସେପ୍ଟେମ୍ବର ମାସରେ ହରିଜନମାନଙ୍କୁ ଯେଉଁ ନିର୍ଭର ଜବାବ ଦିଆଗଲା ଯେ ଅସ୍ପୃଶ୍ୟତା ଓ ଭେଦଭାବ ଲୋପ କରି ଦିଆଯିବ ଯାହା ଯଦି ସମସ୍ତ ସାଧାରଣ ଉଦ୍ୟମ ସତ୍ତ୍ୱେ ପୂରଣ କରିବାକୁ ସହକର୍ମୀମାନେ ସମର୍ଥ ନ ହୁଅନ୍ତି ଓ ନିଜକୁ ସେ ପ୍ରତିଶ୍ରୁତିରେ ଭାଗୀ ବୋଲି ବିଚାରୁଥାନ୍ତି ତେବେ ସେମାନେ ଆନନ୍ଦରେ ଆମରଣ ଉପବାସ ଦ୍ୱାରା ଜୀବନ ବଳିଦେବାକୁ ପ୍ରସ୍ତୁତ ହେବା ଚାହିଁ । ସେ ଆହୁରି କହିଛନ୍ତି—

 

‘‘ଶାସ୍ତ୍ରରେ ଅଛି ଯେ ଯେତେବେଳେ ବିପଦରେ ପଡ଼ିଥିବା ଲୋକେ ଈଶ୍ୱରଙ୍କୁ ତ୍ରାଣ କରିବା ପାଇଁ ପ୍ରାର୍ଥନା କରନ୍ତି ମାତ୍ର ସେ ନିଜର ଛାତି ପଥର କରିଦେବା ପରି ଜଣାଯାନ୍ତି ଯେତେବେଳେ ସେମାନେ ଆମରଣ ଅନଶନ ଘୋଷଣା କରନ୍ତି ଓ ଈଶ୍ୱର ତାଙ୍କ ପ୍ରାର୍ଥନା ନ ଶୁଣିଲା ଯାଏ ଏହା ଚଳାନ୍ତି । ଈଶ୍ୱର ସେମାନଙ୍କ ଡାକ ଶୁଣିବା ଯୋଗୁଁ ଯେଉଁମାନେ ଏଭଳି ଉପବାସ ପରେ ବଞ୍ଚି ରହିଥିଲେ ସେମାନଙ୍କ କଥା ଧାର୍ମିକ ଇତିହାସରେ ଅଛି, ମାତ୍ର ଯେଉଁମାନେ ଏକ ବଧିର ଈଶ୍ୱରଙ୍କଠାରୁ ଉତ୍ତର ହାସଲ କରିବା ପାଇଁ ନୀରବରେ ବୀରତ୍ୱରସହ ପ୍ରାଣ ଦେଲେ ସେମାନଙ୍କର କଥା କିଛି କୁହାହୋଇ ନାହିଁ । ଏଭଳି ବୀରତ୍ୱର ସହିତ ବହୁତ ଲୋକ ମରିଛନ୍ତି ମାତ୍ର ଈଶ୍ଵର ଓ ଅହିଂସାରେ ନିଜର ବିଶ୍ଵାସକୁ ତିଳେ ହେଲେ କ୍ଷୁର୍ଣ୍ଣ ହେବାକୁ ଦେଇ ନାହାନ୍ତି ବୋଲି ମୋର ନିଶ୍ଚିତ ବିଶ୍ୱାସ । ଆମେ ଯେଉଁ ଭାବରେ ଚାହୁଁ ଈଶ୍ୱର ସର୍ବଦା ସେହି ପ୍ରକାରେ ହିଁ ତାହା ପୂରଣ କରନ୍ତି ନାହିଁ । ତାଙ୍କ ପାଇଁ ତ ଜୀବନ ମୃତ୍ୟୁ ଉଭୟେ ସମାନ ଓ ଏକଥା କିଏ ଅସ୍ୱୀକାର କରି ପାରିବ ଯେ ଆଜି ବିଶ୍ଵରେ ଯାହା କିଛି ପବିତ୍ର ଓ ସତ୍‍ ବସ୍ତୁ ରହିଛି ତାହା ଏହି ଭଳି ହଜାର ହଜାର ବୀର ଓ ଵୀରାଙ୍ଗନାଙ୍କର ନୀରବ ମୃତ୍ୟୁ ବରଣ ଯୋଗୁଁ ହିଁ ତିଷ୍ଠି ରହିଛି ।’’ (ହରିଜନ ୪-୩-୩୩)

 

ସେତେବେଳେ ଅବଶ୍ୟ ଅନ୍ୟ ସହକର୍ମୀମାନଙ୍କ ଦ୍ଵାରା ଏଭଳି ଉପବାସର ଅବସର ଆସି ନଥିଲା । ପୁଣି ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଗାନ୍ଧିଜୀ ଥରେ ବିନୋବା ପ୍ରଭୃତି ଆପଣଙ୍କର ଅନ୍ତରଙ୍ଗ ସାଥୀମାନଙ୍କୁ କହିଥିଲେ ଯେ ଏଥର ସରକାର ଆମକୁ ଧରିନେଲେ ଜେଲରେ ଯାଇ ଆମରଣ ଅନଶନ ଆରମ୍ଭ କରିଦେବାକୁ ହେବ । ଏଭଳି ବହୁ ଲୋକ ଏକ ସାଙ୍ଗରେ ଅନଶନ କରିବାର କଳ୍ପନା ସେ ବାଢ଼ିଥିଲେ । ବିନୋବାଜୀ ଏଥିରେ ତୁରନ୍ତ ସମ୍ମତ ହୋଇଥିଲେ । ଅଗଷ୍ଟ ୯ ତାରିଖ ଭୋରରେ ଗାନ୍ଧିଜୀ ପ୍ରଭୃତି ଗିରଫ ହେଲେ । ସେତେବେଳେ ସେ ଏଭଳି ଅନଶନର କଳ୍ପନା ଛାଡ଼ି ଦେଇଥିଲେ । ମାତ୍ର ବିନୋବାଜୀ ଏଭଳି ଅନଶନ ନିଶ୍ଚୟ ଆରମ୍ଭ କରିଦେଇଥିବେ ବୋଲି ତାଙ୍କର ଦୃଢ଼ ଧାରଣା ହେଲା ଓ ବାସ୍ତବରେ ବିନୋବାଜୀ ଅନଶନ ଆରମ୍ଭ ମଧ୍ୟ କରିଦେଇଥିଲେ । ଗିରଫ ହେବା ମାତ୍ରେ ଗାନ୍ଧିଜୀ ସର୍ବ ପ୍ରଥମେ ବିନୋବାଜୀଙ୍କ ଠାକୁ ଏ ବାର୍ତ୍ତା ପଠେଇବାର ବ୍ୟବସ୍ଥା କଲେ ଯେ ସେ ଅନଶନ କରିବା ଲୋଡ଼ା ନାହିଁ ।

 

ଗାନ୍ଧିଜୀ ଉପବାସକୁ ଯେତେ ଗୁରୁତ୍ୱ ଦେଉଥିଲେ ବିନୋବାଜୀ ସେତେ ଦିଅନ୍ତି ନାହିଁ । ଉପବାସର ବିଶେଷ କରି ଆମରଣ ଉପବାସର ଚାପ ଲୋକଙ୍କ ଉପରେ ପଡ଼ିବାର ବିପଦ ଖୁବ୍‍ ବେଶି ବୋଲି ସେ ଅନୁଭବ କରନ୍ତି । ଗାନ୍ଧିଜୀ ୧୯୩୩ରେ ହରିଜନମାନଙ୍କୁ ଅଲଗା ନିର୍ବାଚନ ମଣ୍ଡଳୀ ଦିଆଯିବା ବିରୋଧରେ ଯେଉଁ ଆମରଣ ଅନଶନ କରିଥିଲେ ତାହା ଆମରଣ ନ ହୋଇ ଏକ ନିର୍ଦ୍ଦିଷ୍ଟ କାଳପାଇଁ ଯଥା ୨୧ ଦିନ ପାଇଁ ହୋଇଥିଲେ ତାହାର ପରିଣାମ ଆହୁରି ସୌମ୍ୟ ଓ ଶୁଭ ହୋଇଥାନ୍ତା ବୋଲି ସେ ଲେଖକଙ୍କୁ ଏକ ଆଲୋଚନା ପ୍ରସଙ୍ଗରେ କହିଥିଲେ ।

 

ତାଙ୍କ କହିବା ଅନୁସାରେ ଗାନ୍ଧିଜୀଙ୍କର ଜୀବନ ରକ୍ଷା ପାଇଁ ଉତ୍କଣ୍ଠିତ ହୋଇ ଗୁରୁଦେବ ରବୀନ୍ଦ୍ରନାଥ ପୁନା ରାଜିନାମାକୁ ଗ୍ରହଣ କରିବାକୁ ରାଜି ହୋଇଗଲେ, ମାତ୍ର କେତେଦିନ ପରେ ସେ ଅନୁଭବ କଲେ ଯେ ଏ ରାଜିନାମା ଠିକ୍‍ ହେଲା ନାହିଁ । ଏହାଦ୍ୱାରା ବଙ୍ଗାଳୀ ହିନ୍ଦୁ ମାନଙ୍କ ପ୍ରତି ଅନ୍ୟାୟ ହେଲା । ବଙ୍ଗଳାର ଲୋକେ ବି ଏହିପରି ଅନୁଭବ କଲେ ଓ ସେମାନଙ୍କ ଭିତରେ ବରାବର ଅସନ୍ତୋଷ ରହିଲା । ଗାନ୍ଧିଜୀଙ୍କର ଜୀବନ ରକ୍ଷା ପାଇଁ ଏକ ଭୁଲ ରାଜିନାମାକୁ ବି ଗ୍ରହଣ କରିନେବାଟା ରବୀନ୍ଦ୍ରନାଥଙ୍କର ଦୁର୍ବଳତା ବୋଲି ଆମେ କହିପାରୁ, କିନ୍ତୁ ଯେଉଁଠି ଏକ ଏତେବଡ଼ ମହାପୁରୁଷଙ୍କ ଜୀବନ ସଙ୍କଟାପନ୍ନ ସେଠି ରବୀନ୍ଦ୍ରନାଥଙ୍କ ଉଦବେଗକୁ ଦୁର୍ବଳତା କହି ତାଙ୍କୁ ଦୋଷ ଦେବା ଠିକ୍‍ ହେବନାହିଁ, ବରଂ ଏହା କହିବା ଠିକ୍‍ ହେବ ହେ ସତ୍ୟାଗ୍ରହରେ ହିଁ ଦୋଷ ଥିଲା ।

 

ଉପବାସର ପ୍ରେରଣା ପ୍ରେମରୁ ମିଳିଥାଏ ବୋଲି ଗାନ୍ଧିଜୀ କହିଛନ୍ତି । ମାତ୍ର ପ୍ରେମ ଯୋଗୁଁ ମଧ୍ୟ ମଣିଷ ନିଜର ପ୍ରିୟଜନ ଉପରେ ଅଯଥା ଚାପ ସୃଷ୍ଟି କରିପାରେ । ଏହାର ଉଦାହରଣ ଆମେ ସାଧାରଣ ଜୀବନରେ ଅହରହ ଦେଖିଥାଉ । ପ୍ରେମ ଯୋଗୁଁ ହିଁ ବାପମାମାନେ ପିଲାଙ୍କର ଖାଇବା, ପିନ୍ଧିବା, ପଢ଼ିବା, ଖେଳିବା, ସବୁ କଥାରେ ତାଙ୍କ ଉପରେ ନିଜର ଇଚ୍ଛା ପ୍ରେମର ଚାପ ଦ୍ୱାରା ହିଁ ଲଦିଥାନ୍ତି ଓ ସେମାନଙ୍କର ନିଜ ଇଚ୍ଛାଶକ୍ତି ଓ ବିଚାରବୁଦ୍ଧିର ବିକାଶକୁ ରୁଦ୍ଧ କରି ଦେଇଥାନ୍ତି । ପ୍ରେମର ଯେଉଁ ପ୍ରକାରର ଅଭିବ୍ୟକ୍ତି ବ୍ୟକ୍ତିର ସକଳ ବିକାଶରେ ସାହାଯ୍ୟ କରେ ତାହା ସ୍ୱାଗତଯୋଗ୍ୟ ଓ ବ୍ୟକ୍ତିତ୍ୱକୁ ଦୁର୍ବଳ କରୁଥିବା ଅଭିବ୍ୟକ୍ତି ବିପଦଜନକ । ଉଦାହରଣ ସ୍ୱରୂପ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଓ ସାବରମତୀ ଆଶ୍ରମରେ ଚାରିତ୍ରିକ ତ୍ରୁଟି ପାଇଁ, ଖୁବ୍‍ ସମ୍ଭବତଃ ଯୌନ ବିକୃତି ପାଇଁ, ଅନେକ ଥର ଅନଶନ କରିଥିଲେ । ମଣିଷର ମନର ଗତିବିଧି କେଡ଼େ ଜଟିଳ ଓ ବିଶେଷକରି ସାନ ପିଲାଙ୍କର ଆଚରଣ ଓ ଚରିତ୍ରର ରୂପାୟନ କେତେକ ପ୍ରକାରର ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରେ ତାହା ଆମେ ଆଧୁନିକ ମନୋବିଜ୍ଞାନରୁ ଜାଣୁଛୁ । ବିଶେଷ କରି ନାନା ପ୍ରକାରର ଉଦବେଗ, ଆତ୍ମପ୍ରକାଶର ସୁଯୋଗର ଅଭାବ, ସୁରକ୍ଷିତତାର ଅଭାବ ବୋଧ ଆଦି କାରଣରୁ ପିଲାଙ୍କର ଯୌନ ଚେତନତା ବଢ଼ିଯାଏ ଓ ବିକୃତି ଆଡ଼କୁ ଝୁଙ୍କ ବଢ଼େ । ଫିନିକସ୍‍ ଓ ସାବରମତୀ ଆଶ୍ରମରେ ପିଲାଙ୍କର ପାରିପାର୍ଶ୍ୱିକ ପରିସ୍ଥିତି କିଭଳି ଥିଲା ତାହାର ବିଶଦ ତଥ୍ୟ ଜଣା ନାହିଁ ଓ ପିଲାଙ୍କର ଚରିତ୍ରଦୋଷ ଦେଖାଗଲା ପରେ ସେସବୁକୁ ସୁଧାରିବାର କି ଉଦ୍ୟମ ହୋଇଥିଲା ତାହାବି ଜଣାନାହିଁ । ମାତ୍ର ଗାନ୍ଧିଜୀଙ୍କ ଭଳି ଏକ ବିରାଟ ବ୍ୟକ୍ତିଙ୍କର ଉପବାସ ଯେ ପିଲାଙ୍କର ମନଉପରେ ପ୍ରଚଣ୍ଡ ଚାପ ସୃଷ୍ଟି କରିବାର ସମ୍ଭାବନା ଥିଲା ଏହା ଅସ୍ୱୀକାର କରିହେବ ନାହିଁ । ବରଂ ପିଲାଙ୍କର ବ୍ୟକ୍ତିତ୍ୱକୁ ଦୁର୍ବଳ କରିବା ଭଳି ଚାପ ଅବଶ୍ୟ ପଡ଼ିଥିବ ବୋଲି ଅନୁମାନ କରାଯାଇପାରେ ।

 

ସମାଜର ବ୍ୟାପକ କ୍ଷେତ୍ରରେ ସତ୍ୟାଗ୍ରହର ଉପାଦେୟତାର ମାପ ଆଜିଯାଏଁ ଅନୁସୃତ ଅନ୍ୟାନ୍ୟ ପନ୍ଥା ସହିତ ତୁଳନା କରି କରାଯାଇଥାଏ । ଯେଉଁଠି ଯୁଦ୍ଧ ବା ଅନ୍ୟ ପ୍ରକାରର ବଳ ପ୍ରୟୋଗ, ନାନା ପ୍ରକାରର ଚାଲବାଜୀ ଚିରାଚରିତ ପନ୍ଥା ରୂପେ ସ୍ୱୀକୃତ ସେଠାରେ ଅନଶନର ସାମାନ୍ୟ ଚାପର ପରିମାଣକୁ ନଗଣ୍ୟ ବୋଲି ଧରାଯାଇପାରେ । ମାତ୍ର ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କର କ୍ଷେତ୍ରରେ ଏଭଳି ଚାପର ପରିଣାମ ଗୁରୁତର ହୋଇପାରେ ।

Image

 

(ଏକୋଇଶ)

Unknown

ଗାନ୍ଧି ଉତ୍ତର ଯୁଗରେ ସତ୍ୟାଗ୍ରହ : ବିଦେଶରେ

 

ଗାନ୍ଧିଜୀଙ୍କ ପୂର୍ବରୁ ଦୁନିଆରେ ଅନେକ ସ୍ଥାନରେ ସ୍ଵତଃସ୍ଫୁର୍ତ୍ତ ଭାବରେ ସତ୍ୟାଗ୍ରହ ସଦୃଶ ଅହିଂସ ପ୍ରତିରୋଧ ବା ନିଷ୍କ୍ରିୟ ପ୍ରତିରୋଧର ଉଦ୍ୟମ ହୋଇଥିଲା । ତାହାର କେତେକ ଉଦାହରଣ ଆମେ ଦ୍ୱିତୀୟ ଅଧ୍ୟାୟରେ ଦେଖିଛୁ । ଗାନ୍ଧିଜୀଙ୍କ ସମୟରେ ଓ ତାଙ୍କ ପରେ ସତ୍ୟାଗ୍ରହର ବିଚାର ଓ କର୍ମପନ୍ଥା ସାରା ଦୁନିଆରେ ବ୍ୟାପୀ ଯାଇଛି । ବହୁ ସ୍ଥାନରେ ବହୁ ଲୋକ ତାଙ୍କ ଜୀବନ ଓ ବିଚାରଧାରାରୁ ପ୍ରତ୍ୟକ୍ଷ ପ୍ରେରଣା ନେଇ ସତ୍ୟାଗ୍ରହ ପନ୍ଥାରେ ସମସ୍ୟମାନଙ୍କର ସମାଧାନ ଓ ଅନ୍ୟାୟର ପ୍ରତିରୋଧ ପାଇଁ ଉଦ୍ୟମ କରିଛନ୍ତି ଓ କରୁଛନ୍ତି ।

 

ବୋଧହୁଏ ଆମେରିକାର ନିଗ୍ରୋ ନେତା ଡଃ ମାର୍ଟିନ ଲୁଥର କିଙ୍ଗ୍‍ଙ୍କର ପ୍ରସିଦ୍ଧି ଭାରତ ବାହାରର ସତ୍ୟାଗ୍ରହୀମାନଙ୍କ ଭିତରେ ସବୁଠାରୁ ବେଶି । ଆମେରିକାର ଯୁକ୍ତରାଷ୍ଟ୍ରରେ ନିଗ୍ରୋମାନଙ୍କ ପାଇଁ ସମାନ ନାଗରିକ ଅଧିକାର ହାସଲ କରିବା ଉଦ୍ଦେଶ୍ୟରେ ସେ ୧୯୫୬ରେ ଏକ ଗଣ ସତ୍ୟାଗ୍ରହ ଆରମ୍ଭ କରି ସଫଳ ହୋଇଥିଲେ ଓ ତାହାପରେ ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପି ଯାଇଥିଲା । ମହାତ୍ମା ଗାନ୍ଧିଙ୍କ ପରି ଡଃ କିଙ୍ଗ୍‍ ମଧ୍ୟ ଆତତାୟୀର ଗୁଳି ଚୋଟରେ ପ୍ରାଣବଳି ଦେଇଛନ୍ତି ।

 

ଯୁକ୍ତରାଷ୍ଟ୍ରରେ ଆଜିକି ଶହେ ବର୍ଷ ତଳର ଗୃହଯୁଦ୍ଧରେ ଏବ୍ରାହମ୍‍ ଲିଙ୍କନଙ୍କ ଜିତାପଟ ଫଳରେ ସେ ଦେଶରୁ ଦାସତ୍ୱ ପ୍ରଥା ଲୋପ ହେଲା ଓ ଦକ୍ଷିଣର ବିଦ୍ରୋହୀ ରାଜ୍ୟଗୁଡ଼ିକ ଯୁକ୍ତରାଷ୍ଟ୍ରରେ ଅନ୍ତର୍ଭୁକ୍ତ ହେଲେ । ମାତ୍ର ସମ୍ୱିଧାନ ଅନୁସାରେ ପ୍ରତ୍ୟେକ ଆମେରିକାନ ନାଗରିକର ଅଧିକାର ସମାନ ହେଲେ ମଧ୍ୟ ଏହି ଶହେ ବର୍ଷରେ ବି ନିଗ୍ରୋମାନେ ବାସ୍ତବରେ ସମାନ ଅଧିକାର ପାଇ ନ ଥିଲେ । ବିଶେଷକରି ଦକ୍ଷିଣର ରାଜ୍ୟଗୁଡ଼ିକରେ ସେମାନଙ୍କ ପ୍ରତି ଘୃଣା ଓ ଅବଜ୍ଞାର ଭାବି ପୂରି ରହିଥିଲା । ସେମାନଙ୍କୁ ସ୍କୁଲ କଲେଜରେ ଗୋରା ଛାତ୍ରଛାତ୍ରୀଙ୍କ ସହିତ ସମାନ ଭାବରେ ବସିବାର ଅଧିକାର ମିଳି ନଥିଲା । ଅନେକ ରାଜ୍ୟରେ ସେମାନଙ୍କ ପାଇଁ ଅଲଗା ଓ ନିକୃଷ୍ଟ ଧରଣର ଶିକ୍ଷାନୁଷ୍ଠାନ ରହିଥିଲା । ବସ୍‍ ରେ ସେମାନଙ୍କୁ ଅଲଗା ଆସନରେ ବସିବାକୁ ହେଉଥିଲା-। ହୋଟେଲ, ଦୋକାନ ଆଦିରେ ପ୍ରବେଶ ମିଳୁ ନଥିଲା । ଚାକିରୀ ବାକିରୀର ମଧ୍ୟ ସେମାନଙ୍କ ପ୍ରତି ପାତର ଅନ୍ତର ବ୍ୟବହାର କରାଯାଉଥିଲା ଏବଂ ସର୍ବୋପରି କେତେକ ରାଜ୍ୟରେ ନାନା ପ୍ରକାରର କୌଶଳ କରି ସେମାନଙ୍କୁ ଭୋଟ ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଉଥିଲା ।

 

ଡଃ କିଙ୍ଗ୍‍ଙ୍କର ଜନ୍ମ ଯୁକ୍ତରାଷ୍ଟ୍ରର ଦକ୍ଷିଣର ଆଲ୍‍ବାମା ରାଜ୍ୟରେ ୧୯୨୧ ରେ । ତାଙ୍କ ବାପା ଜଣେ ପାଦ୍ରି ଓ ମାର୍ଟିନ ମଧ୍ୟ ଧର୍ମ ଓ ଈଶ୍ୱର ତତ୍ତ୍ୱ ଆଦି ଅଧ୍ୟୟନ କରି ଧର୍ମଯାଜକର ଜୀବନ ଗ୍ରହଣ କରିଥିଲେ । ନିଗ୍ରୋମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିକାର କରିବା ସଂକଳ୍ପ ତାଙ୍କ ମନରେ ଜାଗିଥିଲା ଓ ଗାନ୍ଧିଜୀଙ୍କର ଆଦର୍ଶରେ ଉଦ୍‍ବୁଦ୍ଧ ହୋଇ ସେ ଅନୁଭବ କରିଥିଲେ ଯେ ଜଗତର ଶୋଷିତ ଜନସାଧାରଣଙ୍କର ମୁକ୍ତିର ସବୁଠାରୁ ସକ୍ଷମ ପନ୍ଥା ସତ୍ୟାଗ୍ରହରେ ହିଁ ରହିଛି । ୧୯୫୫-୫୬ରେ ଆଲ୍‍ବାମା ରାଜ୍ୟର ମଂଟଗୋମେରୀ ସହରରେ ବସ୍‍ ରେ ନିଗ୍ରୋମାନଙ୍କର ଗୋରାମାନଙ୍କ ସହିତ ସମାନ ଆସନରେ ବସିବାର ଅଧିକାର ପାଇଁ ସେ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କଲେ । ଏହାର ବିସ୍ତୃତ ଓ ଚିତ୍ତାକର୍ଷକ ବର୍ଣ୍ଣନା ତାଙ୍କର Stride Toward Freedom ବହିରେ ସେ କରିଛନ୍ତି । ପ୍ରଥମେ ବସ୍‍ କମ୍ପାନୀ ଓ କର୍ତ୍ତୃପକ୍ଷଙ୍କୁ ଯଥାବିଧି ଆବେଦନ ପତ୍ର ଆଦି ଦେଇ ସେମାନେ ନ ଶୁଣିବାରୁ ନିଗ୍ରୋମାନେ ବସ୍‍ର ଆଗପଟରେ ଗୋରାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଆସନରେ ଯାଇ ବସିବାକୁ ସ୍ଥିର କଲେ । ଏଭଳି କରିବା ଫଳରେ ସେମାନଙ୍କ ଉପରେ ଜୋର୍‍ ଜବରଦସ୍ତି କରାଗଲା । ମିଥ୍ୟା ମକଦ୍ଦମାରେ ମଧ୍ୟ ସେମାନଙ୍କୁ ପକାହେଲା । ଶେଷକୁ ସେମାନେ ସେ ସହରର ବସ୍‍ ସର୍ଭିସ୍‍କୁ ବର୍ଜନ କରିବାକୁ ସ୍ଥିର କଲେ । ଏହା ପ୍ରଭୂତ ଭାବରେ ସଫଳ ହେଲା । ସମସ୍ତ ନିଗ୍ରୋ ବର୍ଷେକାଳ ପର୍ଯ୍ୟନ୍ତ ଚାଲି ଚାଲି ଅଫିସ ବଜାର ଆଦିକୁ ଯିବା ଆସିବା କଲେ । ଯେଉଁମାନଙ୍କର ମୋଟର ଗାଡ଼ି ଥିଲା ସେମାନେ ସାଧ୍ୟମତେ ଅନ୍ୟମାନଙ୍କୁ ସାହାଯ୍ୟ କଲେ । ମଝିରେ ଡଃ କିଙ୍ଗ୍‍ ଗିରଫ ମଧ୍ୟ ହେଲେ ତାଙ୍କ ଉପରେ ଦଣ୍ଡାଦେଶ ହେଲା । ମାତ୍ର ଶେଷକୁ ନିଗ୍ରୋମାନଙ୍କର ଜୟ ହେଲା ଓ ସେମାନେ ଗୋରାମାନଙ୍କ ସହିତ ସମାନ ଆସନରେ ବସିବାର ଅଧିକାର ପାଇଲେ ।

 

ଏହାପରେ ଆମେରିକାରେ ଅନେକ ଆଡ଼େ ଦୋକାନ ଓ ହୋଟେଲମାନଙ୍କରେ ନିଗ୍ରୋମାନଙ୍କର ପ୍ରବେଶ ଅଧିକାର ପାଇଁ ସତ୍ୟାଗ୍ରହ ଚାଲିଲା । ଏଥିରେ ଗୋରାମାନେ ବି ଯୋଗ ଦେଲେ । ପୁଣି ବସ୍‍, ଓ୍ୱେଟିଂରୁମ୍‍ ଆଦିରେ ଯେଉଁ ଭେଦଭାବ ଥିଲା ତାହାର ବିରୋଧ କରିବା ପାଇଁ ମଧ୍ୟ ଗୋରା ଓ ନିଗ୍ରୋ ଲୋକେ ସତ୍ୟାଗ୍ରହ କଲେ । ଏତେ ଲୋକ ଗିରଫ ହେଲେ ଯେ ଜେଲ୍‍ ରେ ଜାଗା ହେଲା ନାହିଁ । ଅସ୍ଥାୟୀ ଖୁଆଡ଼ମାନଙ୍କରେ ବନ୍ଦୀମାନଙ୍କୁ ରଖାହେଲା । ଏମାନଙ୍କ ଉପରେ ମାଡ଼ ମଧ୍ୟ ବହୁତ ହେଲା । ଅନେକ ସ୍ଥାନରେ ଏସବୁ ସତ୍ୟାଗ୍ରହ ସଫଳ ହେଲା । ଆମେରିକାର କେନ୍ଦ୍ର ସରକାର ଉପରେ ଏହାର ପ୍ରଭାବ ପଡ଼ିଲା ଓ ଫଳରେ କେତେକ ଆଇନଗତ ବ୍ୟବସ୍ଥା ଗ୍ରହଣ କରାଗଲା । ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ନିଗ୍ରୋଙ୍କ ଅଧିକାର ସପକ୍ଷରେ ରାୟ ଦେଲେ । ଏବେ ନିଗ୍ରୋଙ୍କ ଭିତରେ ବ୍ୟାପକ ଜାଗରଣ ଆସିବା ଫଳରେ ଅସନ୍ତୋଷ ବଢ଼ିଛି ଓ କେତେକ ହିଂସାବାଦୀ ଆଗଭର ହୋଇଛନ୍ତି । ବ୍ୟାପକ ହିଂସାକାଣ୍ଡ ମଧ୍ୟ ଘଟୁଛି । ମାତ୍ର ଅହିଂସ ପନ୍ଥାରେ କାମ କରୁଥିବା ଶକ୍ତିଶାଳୀ ସଂସ୍ଥାମାନ ଏବେ ବି କାମ କରି ଚାଲିଛନ୍ତି । ଡଃ କିଙ୍ଗ୍‍ଙ୍କ ମୃତ୍ୟୁପରେ (୧୯୬୮) ରେ ୱାସିଂଟନାଠାରେ ଏକ ବିପୁଳ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କିଙ୍ଗ୍‍ଙ୍କ ସହକର୍ମୀ ଡଃ ଆବରନାଥୀ ବେୟାର୍ଡ଼ ରସ୍‍ଟୀନ ଆଦିଙ୍କ ନେତୃତ୍ୱରେ କରାଯାଇଥିଲା ।

 

ଆମେରିକାର କେନ୍ଦ୍ର ସରକାର ନିଗ୍ରୋମାନଙ୍କର ସମାନ ଅଧିକାରକୁ କାର୍ଯ୍ୟକାରୀ କରିବାପାଇଁ କେତେକ ଉତ୍ତମ ଆଇନଗତ ବ୍ୟବସ୍ଥା ଅବଲମ୍ବନ କରିଥିଲେ ବି ସେଠାର ବହୁ ଗୋରାଙ୍କ ମନରେ ଭେଦଭାବ ପୂରି ରହିଛି ଓ ବିଶେଷକରି ଦକ୍ଷିଣର ରାଜ୍ୟମାନଙ୍କରେ ଏମାନଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସେଠାର କେତେକ ରାଜ୍ୟ ସରକାର ମଧ୍ୟ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ ନ କରାଇ ଦେବା ପାଇଁ ନାନା କୌଶଳ ଖଞ୍ଜୁଛନ୍ତି । ଏସବୁ ବିରୋଧରେ ସେଠି ଶାନ୍ତିପୂର୍ଣ୍ଣ ପ୍ରତିରୋଧର ଆନ୍ଦୋଳନ ଚାଲିଛି । Southern Christian Leadership Council (ଦକ୍ଷିଣ ଖ୍ରୀଷ୍ଟୀୟ ନେତୃ ପରିଷଦ), Congress of Racial Equality (ଜାତି ସାମ୍ୟ ମହାସଂଘ), Students nonviolent Committees (ଅହିଂସ ଛାତ୍ର ସମ୍ପଦ) ଏହିସବୁ ହେଲେ ଅହିଂସା ଆନ୍ଦୋଳନର ଆୟୋଜନ ଓ ନେତୃତ୍ୱ କରୁଥିବା ପ୍ରଧାନ ସଂସ୍ଥା-

 

ଆମେରିକା ଯୁକ୍ତରାଷ୍ଟ୍ରରେ ଯୁଦ୍ଧବିରୋଧୀମାନେ ମଧ୍ୟ ଯୁଦ୍ଧ ଓ ବିଶେଷ କରି ପରମାଣୁ ଅସ୍ତ୍ରର ବିରୋଧ କରିବା ପାଇଁ ଅହିଂସ ପନ୍ଥାର ଆଶ୍ରୟ ନେଉଛନ୍ତି । ପ୍ରଶାନ୍ତ ମହାସାଗରରେ ପରମାଣୁ ବୋମା ବିସ୍ଫୋରଣର ପ୍ରତିବାଦ କରି ଗୋଟିଏ ଛୋଟ ଜାହାଜର କେତେଜଣ ଯୁଦ୍ଧ ବିରୋଧୀ ବିସ୍ଫୋରଣ ଅଞ୍ଚଳକୁ ଯିବାକୁ ବାହାରିଥିଲେ । ସେଠି ସେମାନେ ବୋମା ବିସ୍ଫୋରଣ ବେଳେ ରହି ତାର ପରିଣାମ ଭୋଗିବେ ବୋଲି ସ୍ଥିର କରିଥିଲେ । ସେମାନଙ୍କୁ ବାଟରୁ ଧରିନେଇ ଜବରଦସ୍ତି ଫେରେଇ ଅଣାଗଲା । ଏହାଦ୍ୱାରା ଦୁନିଆର ଦୃଷ୍ଟି ଏ ସମସ୍ୟା ପ୍ରତି ଆକୃଷ୍ଟ ହୋଇଥିଲା । ଏଭଳି ଉଦ୍ୟମ ପରେ ମଧ୍ୟ ଆଉ ଥରେ କରା ଯାଇଥିଲା ।

 

ଇଂଲଣ୍ଡରେ ବିଶ୍ୱବିଖ୍ୟାତ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲ ଅନ୍ୟ କେତେଜଣ ସାଥୀଙ୍କ ସହ ପରମାଣୁ ଅସ୍ତ୍ରସଜ୍ଜାରେ ବିରୋଧରେ ଲଣ୍ଡନରେ ବିଲାତ ସରକାରଙ୍କ ପ୍ରଧାନ କେନ୍ଦ୍ର ହ୍ୱାଇଟ୍‍ହଲଠାରେ ଆଇନ ଅମାନ୍ୟ କରି ଧାରଣା ଦେଇ ବସିଥିଲେ । ସେମାନଙ୍କୁ ଗିରଫ କରାଯାଇଥିଲା ଓ ଏହା ଫଳରେ ମଧ୍ୟ ସାରା ପୃଥିବୀରେ ଏ ସମସ୍ୟା ନେଇ ଖୁବ୍‍ ଚହଳ ପଡ଼ିଯାଇଥିଲା । ଏହା ପରେ ବିଲାତ ଓ ଆମେରିକାରେ ବିଭିନ୍ନ ପରମାଣୁ ଘାଟିମାନଙ୍କରେ ବିରୋଧ ପ୍ରଦର୍ଶନ କରି ପିକେଟିଂ ଅନେକଥର କରାଯାଇଛି । ବିରୋଧ ପ୍ରଦର୍ଶନ ପାଇଁ ବିଲାତର ଆଲଡ଼ରମାଷ୍ଟନ ପରମାଣୁ ଘଟିଯାଏ ପ୍ରତିବର୍ଷ ଏକ ପଦଯାତ୍ରାର ଆୟୋଜନ ମଧ୍ୟ କେତେ ବର୍ଷ ହେଲା କରାଯାଇଛି । ଏଥିରେ ହଜାର ହଜାର ସ୍ତ୍ରୀ ପୁରୁଷ ଯୋଗ ଦେଉଛନ୍ତି । ବିଶେଷ କରି ଯୁବକଯୁବତୀମାନଙ୍କର ଏଥିପ୍ରତି ଖୁବ୍‍ ଆଗ୍ରହ ଦେଖାଯାଉଛି । ଏଭଳି ପଦଯାତ୍ରା ଆମେରିକା ଓ ଅନ୍ୟତ୍ର ମଧ୍ୟ କରାଯାଉଛି । ପରମାଣୁ ଅସ୍ତ୍ରର ଭୟାବହ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ଓ ତାହା ବିରୋଧରେ ଲୋକମତ ସୃଷ୍ଟି କରିବା ଦୃଷ୍ଟିରୁ ଏସବୁ ଉଦ୍ୟମ ଖୁବ୍‍ ଫଳପ୍ରଦ ହେଉଛି ଏଥିରେ ସନ୍ଦେହ ନାହିଁ ।

 

ସତ୍ୟାଗ୍ରହର ଆଦର୍ଶକୁ ଜୀବନରେ ଧ୍ରୁବତାରା ଭଳି ଗ୍ରହଣ କରିଥିବା ଆଉ ଜଣେ ବିଶିଷ୍ଟ ଜନସେବକ ହେଉଛନ୍ତି ଇଟାଲୀର ଗାନ୍ଧି ରୂପେ ପରିଚିତ ଦାନିଲୋଁ ଦୋଲଚି । ଦୋଲଚି ଜଣେ ଇଞ୍ଜିନିୟର । ଇଟାଲୀ ଦେଶର ଦକ୍ଷିଣ ଭାଗରେ ଓ ବିଶେଷକରି ସିସିଲି ଦ୍ଵୀପରେ ବ୍ୟାପୀ ରହିଥିବା ଦାରୁଣ ଦାରିଦ୍ର୍ୟ ଦ୍ୱାରା ବିଚଳିତ ହୋଇ ସେ ନିଜକୁ ସେଠାରେ ଜନସାଧାରଣଙ୍କର ସେବାରେ ନିୟୋଜିତ କରିଛନ୍ତି । ସିସିଲୀରେ ଡକେଇତ ସମସ୍ୟା ଆମ ଚମ୍ବଲ ଘାଟିପରି ଖୁବ୍‍ ଗୁରୁତର । ଏହି ଡକେଇତ ବୋଲାଉଥିବା ଲୋକଙ୍କ ମଧ୍ୟରେ ରହି ସେ ସେବା କାର୍ଯ୍ୟ କରୁଛନ୍ତି । ଏ ସମସ୍ୟା ମୁଖ୍ୟତଃ ଦାରିଦ୍ର୍ୟରୁ ଉପୁଜିଛି ବୋଲି ସେ ମନେ କରନ୍ତି ।

 

ଦୋଲଚି ପ୍ରଥମ କରି ‘ଓଲଟ ଧର୍ମଘଟ’ ରୂପକ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଦକ୍ଷିଣ ଇଟାଲୀରେ ଦାରିଦ୍ର୍ୟ ସାଙ୍ଗକୁ ବେକାରୀ ତ ଅବଶ୍ୟ ରହିଛି । ଏହି ବେକାର ଲୋକଙ୍କୁ କାମ ଯୋଗାଇବା ପାଇଁ ରାସ୍ତା ମରାମତ, ବନ୍ଧବାଡ଼ ତିଆରି ଆଦି କାମ ଆରମ୍ଭ କରିବା ପାଇଁ ସେ ଇଟାଲୀର ସରକାରଙ୍କୁ ଲେଖାଲେଖି କଲେ, ମାତ୍ର ତାଙ୍କ କଥା ପ୍ରତି ସରକାର କାନ ଦେଲେ ନାହିଁ-। ଦୋଲଚି କୌଣସି ପ୍ରତ୍ୟକ୍ଷ ପଦକ୍ଷେପ ନେବା କଥା ବିଚାରିଲେ । ଧର୍ମଘଟ କରିବେ ? ମାତ୍ର ବେକାର ଲୋକଙ୍କର କି ପ୍ରକାରର ଧର୍ମଘଟ ? ତାଙ୍କୁ ଗୋଟାଏ ନୂଆ କଥା ସୁଝିଲା । ସେ ସରକାରଙ୍କୁ ସୂଚନା ଦେଲେ ଯେ ସେ ବେକାର ଗାଁ । ଲୋକଙ୍କୁ ନେଇ ସରକାରୀ ରାସ୍ତା ମରାମତ ପାଇଁ ଶ୍ରମଦାନ ଆରମ୍ଭ କରିବେ । ଏବଂ ସେଭଳି କାମ ବହୁ ଲୋକଙ୍କୁ ନେଇ ଆରମ୍ଭ ମଧ୍ୟ କରିଦେଲେ ।

 

ଆରେ, ସରକାରୀ ରାସ୍ତାରେ ସରକାରଙ୍କ ବିନା ଅନୁମତିରେ କାମ ? ଏତ ବେଆଇନ କଥା । ସାଙ୍ଗେ ସାଙ୍ଗେ ସରକାରଙ୍କ ଆସ୍ଥାନ ଟଳିଲା । ହାକିମ ଓ ପୁଲିସ ଆସି ଏ ଓଲଟ-ଧର୍ମଘଟକାରୀଙ୍କୁ ଗିରଫ କଲେ । ଦୋଲଚିଙ୍କ ଉଦ୍ଦେଶ୍ୟ ସାଧିତ ହେଲା । ଦେଶଯାକର କାଗଜରେ ସେ ଖବର ବାହାରିଲା । ଆଲୋଚନା ସମାଲୋଚନା ହେଲା । ସରକାର ଲଜ୍ଜିତ ହୋଇ ସତ୍ୟାଗ୍ରହୀମାନଙ୍କୁ ଛାଡ଼ିଦେଲେ ଓ ପୁଣି ସେ ଅଞ୍ଚଳରେ ଲୋକଙ୍କୁ କାମ ଯୋଗାଇବା ବ୍ୟବସ୍ଥା କଲେ । ଦୋଲଚି ଜଣେ ଶାନ୍ତିବାଦୀ । ମଣିଷର ସବୁ ଦୁଃଖ କଷ୍ଟ ଦୂର କରି ସମାଜରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମୃଦ୍ଧି ଆଣିବା ପାଇଁ ସମାଜ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ ବୋଲି ବିଶ୍ୱାସ କରନ୍ତି ।

 

ଏହାଛଡ଼ା ଆହୁରି ବହୁ ବ୍ୟକ୍ତି ସତ୍ୟାଗ୍ରହର ଆଦର୍ଶ ଅନୁସରଣ କରି ଅନ୍ୟାନ୍ୟ ଦେଶରେ କାମ କରୁଛନ୍ତି ଓ ନିଜ ନିଜର ସୀମିତ କ୍ଷେତ୍ରରେ ଏହାର ପ୍ରୟୋଗ କରୁଛନ୍ତି । ଏ ସମସ୍ତଙ୍କର ପରିଚୟ ଏଠାରେ ଦେବା ସମ୍ଭବ ନୁହେଁ । ଏମାନଙ୍କ ଭିତରେ ଫ୍ରାନ୍ସର ଦରିଦ୍ର ଲୋକଙ୍କୁ ସଂଗଠିତ କରି ସେମାନଙ୍କ ଭିତରେ ଆତ୍ମସମ୍ମାନ ଓ ସଙ୍ଘଶକ୍ତି ଜାଗ୍ରତ କରୁଥିବା ଆବେପୀୟର ଓ ନରଓୟେରେ ଶାନ୍ତି ଗବେଷଣାରେ ଆତ୍ମ ନିୟୋଗ କରିଥିବା ୟୋହାନ ଗାଲଟୁଙ୍ଗଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଏବେ ଚେକୋସ୍ଳୋଭାକିଆ ଉପରେ ରୁଷ୍‍, ପୋଲାଣ୍ଡ, ପୂର୍ବ ଜର୍ମାନୀ, ହଙ୍ଗେରୀ ଓ ବୁଲଗେରିଆ ସୈନ୍ୟବାହିନୀ ସମୂହର ଆକ୍ରମଣର ଯେଉଁ ବୀରତ୍ୱପୂର୍ଣ୍ଣ ଓ ଶାନ୍ତ ପ୍ରତିରୋଧ ସେ ଦେଶର ଲୋକେ କଲେ ତାହା ପୃଥିବୀର ଇତିହାସରେ ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ଓ ଅହିଂସ ପ୍ରତିରୋଧର ଏକ ଉତ୍କୃଷ୍ଟ ନମୁନା ବୋଲି କୁହାଯାଇପାରେ । ଚେକୋସ୍ଳୋଭାକିଆର ନେତା ଓ ଜନସାଧାରଣ ଗାନ୍ଧିଜୀଙ୍କର ବିଚାରଧାରା ସହିତ ପରିଚିତ ଥିଲେ କି ନା ଜଣା ନାହିଁ ମାତ୍ର ସେମାନେ ଯେଭଳି କାର୍ଯ୍ୟ କଲେ ତାହା ସତ୍ୟାଗ୍ରହର ପଦ୍ଧତିର ଖୁବ୍‍ ନିକଟ ଥିଲା ।

 

୧୯୬୭ ଶେଷ ଆଡ଼କୁ ଚେକୋସ୍ଳୋଭାକିଆର ରକ୍ଷଣଶୀଳ ସରକାର ପ୍ରତି ଖୁବ୍‍ ଅସନ୍ତୋଷ ଦେଖାଗଲା ଓ କମ୍ୟୁନିଷ୍ଟ ପାର୍ଟିରେ ହିଁ ପ୍ରଗତିଶୀଳ ଗୋଷ୍ଠୀଙ୍କ ପ୍ରଭାବ ବଢ଼ିବା ଫଳରେ ସେଠା ନେତୃତ୍ୱରେ ପରିବର୍ତ୍ତନ ହୋଇ ଏକ ଉଦାରପନ୍ଥୀ ସରକାର ସ୍ଥାପିତ ହେଲା । ଏ ନୂଆ ସରକାର ଦେଶର ଜନସାଧାରଣଙ୍କୁ ସଭାସମିତି, ସଂଗଠନ, ଭାଷଣ, ଲେଖନ ଆଦିର ସ୍ୱାଧୀନତା ଦେଲେ । ଖବର କାଗଜ ଉପରୁ ଯାଞ୍ଚ ବ୍ୟବସ୍ଥା ଉଠିଗଲା । ଆର୍ଥିକ ନୀତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନର ସୂଚନା ଦିଆଗଲା ।

 

ଏସବୁରେ ଆତଙ୍କିତ ହୋଇ ରୁଷ୍‍ ଓ ତାର ମିତ୍ର ଗୋଷ୍ଠୀ ବିଚାରିଲେ ଯେ ଚେକୋସ୍ଳୋଭାକିଆ ତାଙ୍କ ଗୋଷ୍ଠୀରୁ ବାହାରିଯିବ । ତାକୁ ଏସବୁ ଉଦାରନୈତିକ ସଂସ୍କାରରୁ ନୀରସ୍ତ କରିବା ପାଇଁ ନାନା ଚେଷ୍ଟା ପରେ ଏ ରାଷ୍ଟ୍ରମାନେ ଅଗଷ୍ଟ ୧୯୬୮ରେ ହଠାତ୍‍ ସେ ଦେଶ ଭିତରେ ଫୌଜ ପୂରାଇ ଦେଲେ ।

 

ସେ ଦେଶରେ ଏହି ଆକ୍ରମଣ ପ୍ରତି ସର୍ବସମ୍ମତ ବିରୋଧ ଦେଖାଗଲା ଏବଂ ଏ ବିରୋଧ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବରେ ପ୍ରକାଶ ପାଇଲା । ଆକ୍ରମଣକାରୀମାନଙ୍କ ସହିତ କେହି ସହଯୋଗ କଲେ ନାହିଁ । ରାସ୍ତାଘାଟର ନାମ ସବୁ ସୁଦ୍ଧା ଲିଭେଇ ଦିଆଗଲା । ଗୁପ୍ତ ପ୍ରଚାରପତ୍ର ଓ ରେଡ଼ିଓ ଦ୍ୱାରା ଆକ୍ରମଣ ବିରୋଧରେ ପ୍ରଚାର ଚାଲିଲା । ରୁଷନେତାମାନେ ଏଭଳି ପ୍ରବଳ ଅଥଚ ଶାନ୍ତିପୂର୍ଣ୍ଣ ବିରୋଧ କଳ୍ପନା ସୁଦ୍ଧା କରି ନଥିଲେ । ଯଦି ସଶସ୍ତ୍ର ବିରୋଧ ହୋଇଥାନ୍ତା ତେବେ ସେମାନେ ତାହା ଅନାୟାସରେ ଦଳି ଦେଇଥାନ୍ତେ । ମାତ୍ର ଏଭଳି ବିରୋଧ ତାଙ୍କୁ ହଡ଼ବଡ଼େଇ ଦେଲା । ଏକ କୁଣ୍ଢେଇ ସରକାର ମଧ୍ୟ ଗଢ଼ିବା ପାଇଁ ସେମାନେ ଜଣେ ସୁଦ୍ଧା ଲୋକ ପାଇଲେ ନାହିଁ । ଦୁବଚେକ, ଚେରନୀକ୍‍, ସ୍ଵୋବୋଦା ଆଦି ନେତାମାନଙ୍କୁ ଧରିନେଇ ନାନା ପ୍ରକାରର ଧମକ ଚମକ ଓ ମାରଧର କରି ମଧ୍ୟ ସେମାନଙ୍କୁ ଟଳେଇ ପାରିଲେ ନାହିଁ । ଫଳରେ ଶେଷକୁ ସେହିମାନଙ୍କ ସହିତ ରଫା କରିବାକୁ ହେଲା । ଚେକନେତାମାନେ ରୁଷ୍‍ର ଦାବିକୁ କେତେକ ପରିମାଣରେ ମାନି ନେଇ ଦେଶର ପ୍ରସାରିତ ବ୍ୟକ୍ତି ସ୍ୱାଧିନତାକୁ କେତେକ ପରିମାଣରେ ଖର୍ବ କରିଛନ୍ତି । ମାତ୍ର ଚେକ୍‍ ଜନସାଧାରଣଙ୍କର ଆଣ୍ଟ ଓ ଆତ୍ମସମ୍ମାନ ଯେ କାୟମ ରହିଛି ଏଥିରେ ସନ୍ଦେହ ନାହିଁ । ନେତାମାନେ ତାଙ୍କର ଉଦାରପନ୍ଥୀ ସଂସ୍କାର କାର୍ଯ୍ୟକୁ ଧୀରେ ଧୀରେ ଅଥଚ ନିଶ୍ଚିତ ଭାବରେ ଆଗେଇ ନେବାର ସଂକଳ୍ପ ଘୋଷଣା କରିଛନ୍ତି ।

 

ଏହି ଘଟଣାବଳୀ ପ୍ରସଙ୍ଗରେ ଗୋଟିଏ ବିଷୟ ଲକ୍ଷ୍ୟ କରିବାର କଥା ଯେ କମ୍ୟୁନିଷ୍ଟ ରାଷ୍ଟ୍ର ଗୋଷ୍ଠୀର ଅନ୍ତର୍ଭୁକ୍ତ ମିତ୍ର ରାଷ୍ଟ୍ର ଭାବରେ ଆକ୍ରମଣକାରୀ ଦେଶମାନଙ୍କର ଜନସାଧାରଣଙ୍କ ପ୍ରତି ଚେକ୍‍ ଜନସାଧାରଣଙ୍କର ସଦ୍‍ଭାବ ଥିଲା । ମିତ୍ରମାନଙ୍କର ଅନ୍ୟାୟ ଆଚରଣକୁ ପ୍ରତିରୋଧ କରିବା ପରି ସେମାନେ କାମ କଲେ । ସେମାନଙ୍କ ପ୍ରତିରୋଧକୁ ପ୍ରଭାବଶାଳୀ କରିବାରେ ଏ ମନୋଭାବ ଅବଶ୍ୟ ସାହାଯ୍ୟ କରିଥିଲା ।

 

ଚେକୋସ୍ଳୋଭାକିଆର ଏ ଘଟଣା ପରେ ଏହାର ପ୍ରତିବାଦ କରି ରୁଷ୍‍ ଦେଶର ପାଞ୍ଚଜଣ ବିଶିଷ୍ଟ ନାଗରିକ ମସ୍କୋ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ଗିରଫ କରି କାରାଦଣ୍ଡ ଦିଆଯାଇଛି । ରୁଷ୍‍ ଦେଶରେ ଏହା ସତ୍ୟାଗ୍ରହ ବୃତ୍ତିର ଅଙ୍ଗୁଳି ପ୍ରବେଶ ବୋଲି କୁହାଯାଇପାରେ ।

Image

 

(ବାଇଶି)

ଗାନ୍ଧିଜୀ ଉତ୍ତର ଯୁଗ : ଭାରତ

 

ଗାନ୍ଧିଜୀଙ୍କ ପରେ ଏ ଦେଶରେ ସତ୍ୟାଗ୍ରହର ସର୍ବଶ୍ରେଷ୍ଠ ପ୍ରବର୍ତ୍ତକ ଓ ସତ୍ୟାଗ୍ରହର ବିଚାର ଧାରାରେ ନୂତନ ଆଲୋକପାତ କରିବାରେ ଅଗ୍ରଣୀ ଆଚାର୍ଯ୍ୟ ବିନୋବା ଭାବେଙ୍କ ବିଚାରଧାରା ସହିତ ଆମେ ଏଥି ପୂର୍ବରୁ ପରିଚିତ ହୋଇ ସାରିଛୁ । ସ୍ୱାଧୀନତା ପରେ ପୂର୍ବତନ ହାଇଦ୍ରାବାଦ ରାଜ୍ୟର ତେଲେଙ୍ଗାନା ଅଞ୍ଚଳ ନାମରେ ପରିଚିତ ତିନୋଟି ଜିଲାରେ କମ୍ୟୁନିଷ୍ଟମାନଙ୍କ ନେତୃତ୍ୱରେ ଭୂମିହୀନ ଶ୍ରମିକ ଓ ଦାରିଦ୍ର୍ୟ ଚାଷୀମାନଙ୍କର ଏକ ବ୍ୟାପକ ଆନ୍ଦୋଳନ ମୁଣ୍ଡ ଟେକିଲା । ଏହାକୁ ଭାରତ ସରକାର ତାଙ୍କର ଚିରାଚରିତ ଢଙ୍ଗରେ ଦମନ କରିବା ଉଦ୍ୟମ ଚଳାଇଲେ । ୧୯୫୧ରେ ହାଇଦ୍ରାବାଦ ସହର ପାଖ ଶିବରାମପଲ୍ଲୀଠାରେ ଅଖିଳ ଭାରତ ସର୍ବୋଦୟ ସମ୍ମିଳନୀ ଅନୁଷ୍ଠିତ ହେଲା । ବିନୋବାଜୀ ଏ ସମ୍ମିଳନୀକୁ ପଦଯାତ୍ରା କରିଗଲେ ଓ ସମ୍ମିଳନୀ ପରେ ପୁଣି ଉପଦ୍ରୁତ ଅଞ୍ଚଳରେ ପଦଯାତ୍ରା କରି ବୁଲି ପରିସ୍ଥିତି ଅଧ୍ୟୟନ କଲେ ।

 

ଭୂମି ସମସ୍ୟାର ସମାଧାନ ନ ହେଲେ, ଭୂମିହୀନ ଓ ଦରିଦ୍ର କୃଷକଙ୍କୁ ଜମି ନ ମିଳିଲେ, ଦେଶରେ ଶାନ୍ତି ରହିବ ନାହିଁ ବୋଲି ଅନୁଭବ କରି ଏହାର ଶାନ୍ତିପୂର୍ଣ୍ଣ ପନ୍ଥା କଣ ହେବ ଏହା ଚିନ୍ତା କରୁ କରୁ ତାଙ୍କୁ ପୋଚମପଲ୍ଲୀ ଗାଁରେ ପ୍ରଥମେ ଶହେ ଏକର ଭୂଦାନ ମିଳିଲା ଏଇଥିରୁ ତାଙ୍କୁ ଭୂଦାନର କଳ୍ପନା ସୁଝିଲା ଓ ସେ ଦେଶସାରା ପଦଯାତ୍ରା କରି ଭୂଦାନ ମାଗିବା ଆରମ୍ଭ କଲେ । ମଣିଷର ଶୁଭବୁଦ୍ଧିରେ ବିଶ୍ୱାସ ରଖି ତାକୁ ବୁଝାଇଲେ ସେ ନିଶ୍ଚୟ ବୁଝିବ; ଏହି ଶ୍ରଦ୍ଧା ରଖି ସେ ଜମି ମାଗିଲେ ଓ ତାହା ମିଳିଗଲା । ଏବେ ଏ ଆନ୍ଦୋଳନର ଫଳାଫଳ ସାରା ଦୁନିଆ ଆଗରେ ରହିଛି । ପ୍ରଥମେ ବିନୋବା ଏକା ଭୂଦାନ ମାଗୁଥିଲେ । କ୍ରମେ ଅନ୍ୟମାନେ ବି ମାଗିଲେ ଓ ସମସ୍ତଙ୍କୁ ମିଳିଗଲା । ଭୂଦାନରୁ କ୍ରମେ ଗ୍ରାମଦାନ ବିଚାର ବାହାରିଲା । ଜମିରେ ବ୍ୟକ୍ତିଗତ ମାଲିକାନା ଲୋପକରି ତାକୁ ଗାଁ ସମାଜର ସମ୍ପତ୍ତି କରିବା ଓ ତାର ପୁନର୍ବଣ୍ଟନ କରିବା, ଏହି ହେଲା ଗ୍ରାମଦାନର ମୂଳନୀତି ।

 

ପୁଣି ବିନୋବାଜୀ ଗ୍ରାମଦାନକୁ ସୁଲଭ କଲେ । ଜମିର କୋଡ଼ିଏ ଭାଗରୁ ଭାଗେ ଭୂମିହୀନଙ୍କୁ ଦେଲେ ଚଳିବ ଓ ଜମିର ମାଲିକାନା ଗ୍ରାମସଭା ହାତରେ ଥିବା ସାଙ୍ଗେ ସାଙ୍ଗେ ଦଖଲ ଓ ଚାଷ କରିବା ଅଧିକାର ବ୍ୟକ୍ତିଗତ ରହିବ । ଏହା କରିବାର କାରଣ ସେ ସୌମ୍ୟ ସୌମ୍ୟତରର ପ୍ରକ୍ରିୟା ଅନୁସାରେ ବୁଝାଇଛନ୍ତି । ଏହାର ବିଶଦ ଆଲୋଚନା ନବମ ଅଧ୍ୟାୟରେ କରାଯାଇଛି । ଏବେ ଏ ଗ୍ରାମଦାନ (୧୯୬୯ ମଇ) ଏକଲକ୍ଷରୁ ଅଧିକ ଗାଁକୁ ବ୍ୟାପିଲାଣି ଓ ଅନ୍ୟୂନ ତିନିକୋଟି ଲୋକ ଏହାର ଆଦର୍ଶକୁ ଗ୍ରହଣ କରିଛନ୍ତି । ଛଅଟି ରାଜ୍ୟରେ ସମସ୍ତ ଗାଁକୁ ଗ୍ରାମଦାନ କରିବା ବା ରାଜ୍ୟଦାନ କରିବାର ସଂକଳ୍ପ ନେଇ କାମ ଚାଲିଛି । ସବୁ ଶ୍ରେଣୀର ଲୋକ ହଜାର ହଜାର ସଂଖ୍ୟାରେ ଏ ଉଦ୍ୟମରେ ଲାଗିଛନ୍ତି । ଲେଖିବା ବେଳକୁ ସତରଟି ଜିଲ୍ଲାର ଶତକଡ଼ା ଅଶିରୁ ନବେ ଗାଁ ଗ୍ରାମଦାନ ହୋଇ ସାରିଛି ।

 

ବିଚାରର, ବୁଝାଇବାର, କେତେ ବଳ ତାହା ବିନୋବାଜୀ ଗ୍ରାମଦାନ ଆନ୍ଦୋଳନ ମାଧ୍ୟମରେ ଦେଖାଇ ଦେଲେ । ଏହାଦ୍ୱାରା ସତ୍ୟାଗ୍ରହର ଏକ ବ୍ୟାପକ ସ୍ଵରୂପ ଜଗତ ଆଗରେ ଉନ୍ମୋଚିତ ହେଲା । ବିନୋବାଜୀଙ୍କର କେବଳ ‘ବୁଝାଇବା’ ଉପରେ ଜୋରରେ ବହୁତ ସମାଲୋଚନା ହୋଇଛି । ଗାନ୍ଧିଜୀଙ୍କ ଯୁଗରେ ଶିଖିଥିବା ଲଢ଼ୁଆ ଭାବଟାକୁ ସେ ତୁଚ୍ଛ କରିଦେଲେ ବୋଲି କୁହା ଯାଇଛି । ମାତ୍ର ବହୁ ଲୋକଙ୍କୁ ଏକତ୍ର କରି ଗାଁ ଗାଁରେ କମ୍ୟୁନିଟି ବା ସମାଜ ଗଢ଼ିବା କାମ ଆମର ଅଭ୍ୟସ୍ତ ପିକେଟିଂ, ଅନଶନ ବା ବିକ୍ଷୋଭ ପନ୍ଥାରେ ହୋଇ ନ ଥାନ୍ତା । ଅନ୍ୟମାନେ କଥାକଥାକେ ଟ୍ରାମ୍‍, ବସ୍‍ ପୋଡ଼ିବାପରି ସତ୍ୟାଗ୍ରହ ପନ୍ଥୀ ମଧ୍ୟ ବିନୋବାଜୀଙ୍କର ଏ ଆନ୍ଦୋଳନ ନ ବାହାରିଥିଲେ କଥା କଥାକେ ଆଇନ ଅମାନ୍ୟ ଛଡ଼ା ଆଉ ନୂଆ ନୂଆ ପନ୍ଥା କଥା ବିଚାର କରିପାରୁ ନ ଥାନ୍ତେ । ଆମମାନଙ୍କର ବୁଦ୍ଧି ମଧ୍ୟ କେତେଗୁଡ଼ିଏ ଅଭ୍ୟସ୍ତ ଗୁଳାରେ ଗତି କରିଥାନ୍ତା ।

 

ଗ୍ରାମଦାନ ଭୂଦାନ ଆନ୍ଦୋଳନର ପ୍ରକ୍ରିୟା କି ଢଙ୍ଗରେ କାମ କରୁଛି ତାହାର କେତେକ ଆଲୋଚନା ଏଥି ପୂର୍ବରୁ ହୋଇ ସାରିଛି । ଏଭଳି ଏକ ବ୍ୟାପକ ଆନ୍ଦୋଳନର କି ପ୍ରଭାବ ସମାଜର ବିଭିନ୍ନ ସ୍ତରରେ ପଡ଼ୁଛି ଓ ତାହା ଫଳରେ କି କି ପରିବର୍ତ୍ତନ ଘଟୁଛି ତାହାର ପୂରା ଅଧ୍ୟୟନ ଓ ବିଶ୍ଳେଷଣ ହେବା ଏବେ ବି ବାକୀ ଅଛି ।

 

ଗୋଟିଏ ଉଦାହରଣ ନିଆଯାଉ । ୧୯୬୫ରେ ବିନୋବାଜୀ ଯେତେବେଳେ ଗ୍ରାମଦାନ ତୋଫାନ ଆନ୍ଦୋଳନ ପାଇଁ ବିହାର ଆସିଲେ ସେଠି ପ୍ରଥମେ କେବଳ ଭୂମିହୀନମାନଙ୍କର ସାନ ସାନ ପଡ଼ା ଗ୍ରାମଦାନରେ ମିଳିଲା । ପଚାଶ ଘର ଲୋକ ପାଞ୍ଚମାଣ ଜମି, ଅନେକ ବିଚାରିଲେ ଏ କଣ ହେଲା ? ଜମିବାଲା ତ ଆସିଲେ ନାହିଁ, ଏ ଗ୍ରାମଦାନର କି ଅର୍ଥ ?

 

ମାତ୍ର ଏହାର ପରିଣାମ ପରେ ଜଣା ପଡ଼ିଥିଲା । ଆମ ଗାଁ ମାନଙ୍କରେ ପୁରୁଣା ସାଆନ୍ତିଆ ପରମ୍ପରା ଅନୁସାରେ ଭୂମିହୀନ ଓ ଗରିବ ଲୋକେ ଗାଁର ବଡ଼ ଜମିବାଲା ‘ଖାନଦାନ’ ବଂଶମାନଙ୍କୁ ଡରିହରି ରହିଥାନ୍ତି । ସେମାନଙ୍କ କଥାରେ ଉଠବସ ହୁଅନ୍ତି । ଗାଁର ମୁଖିଆଙ୍କର ଇଶାରା ବିନା ପାଦେ ସୁଦ୍ଧା ଯିବାର ସାହସ ସେମାନଙ୍କର ନ ଥାଏ । ବଡ଼ଲୋକଙ୍କୁ ନ ପଚାରି ସେ କୌଣସି ନୂଆ କାମ କରି ପାରନ୍ତି ନାହିଁ । ସେମାନଙ୍କ ଇଚ୍ଛା ବିରୋଧରେ ଯିବା ତ ଗରିବ ଲୋକଙ୍କର କଳ୍ପନା ବାହାରେ ।

 

ଏହିଭଳି ଡରିହରି ରହିଥିବା ଭୂମିହୀନମାନେ ଗାଁର ବଡ଼ ଲୋକଙ୍କୁ ନ ପଚାରି ସେମାନେ ଗ୍ରାମଦାନରେ ଯୋଗ ନ ଦେଉଣୁ ନିଜ ଇଚ୍ଛାରେ ଗ୍ରାମଦାନ କରିଦେବା ଅର୍ଥ ଏକ ପ୍ରକାରର ନୀରବ ବିଦ୍ରୋହ । ଏହାଦ୍ୱାରା ସେମାନେ ପରମ୍ପରାଗତ ଭୟ ଓ ଆନୁଗତ୍ୟର ପ୍ରଭାବରୁ ନିଜକୁ ମୁକ୍ତ କରିନେଲେ । ‘‘କିରେ ତମର ସବୁ ଭାରି ବହପ ହେଲାଣି, ଆମକୁ ନ ପଚାରି କାମ କରି ଯାଉଛ ?’’ ଏ ପ୍ରକାରର ପ୍ରଚ୍ଛନ୍ନ ଧମକକୁ ଆଉ ଡରିବା ଅବସ୍ଥାରେ ସେ ଲୋକ ରହିଲେ ନାହିଁ-

 

ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଲା । ବଡ଼ଲୋକମାନେ ଅନୁଭବ କଲେ ଯେ ଯେଉଁ ପୁରୁଣା ସମ୍ବନ୍ଧକୁ ଆଶ୍ରୟ କରି ସେ ନିଜର ବଡ଼ପଣର ଟେକ ରଖିଥିଲେ ଗରିବ ଲୋକଙ୍କର ତାଙ୍କ ସହିତ ସେ ଭୟ ଓ ଆନୁଗତ୍ୟର ସମ୍ପର୍କ ଭୁଷୁଡ଼ି ପଡ଼ିଲାଣି ଏବଂ ଏ ଉପଲବ୍‍ଧି ସେମାନଙ୍କର ଏହାପରେ ଗ୍ରାମଦାନର ବିଚାର ଗ୍ରହଣ କରିବା ବାଟକୁ ସୁଗମ କରିଦେଲା । ଯେଉଁ ପରିସ୍ଥିତି ପରିବର୍ତ୍ତନର ପ୍ରଭାବ କଥା ବିନୋବାଜୀ କହନ୍ତି ଏହା ତାହାର ଏକ ପ୍ରକୃଷ୍ଟ ନମୁନା । ଚୀନ୍‍ ଦେଶର କୃଷକ କମ୍ୟୁନିଷ୍ଟ ବିପ୍ଳବ ବେଳେ ‘ଜନତାର ଅଦାଲତ’ରେ ପୂର୍ବ ବଡ଼ ମାଲିକମାନଙ୍କୁ ଶାସ୍ତି ଦେଇ ଯେଉଁ ମାନସିକ ମୁକ୍ତି ପାଇଥିଲା, ବିହାରର ଭୂମିହୀନ ଗ୍ରାମଦାନ ସଂକଳ୍ପରେ ଟିପଚିହ୍ନ ଦେଇ ସେହି ମୁକ୍ତି ପାଇଲା ।

 

ଏହି ରୂପେ ଆଜି ଗ୍ରାମଦାନ ଆନ୍ଦୋଳନ ଭାରତର ଗାଁ ଗହଳରେ ଏକ ନୂଆ ଜାଗରଣ ସୃଷ୍ଟି କରୁଛି ଓ ଗାଁର ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠୀ ଭିତରେ ପରସ୍ପର ସମ୍ପର୍କକୁ ବଦଳାଇ ତାହାକୁ ଏକ ଅଧିକ ସନ୍ତୋଷଜନକ ଭିତ୍ତିରେ ପ୍ରସ୍ଥାପିତ କରିବାରେ ସାହାଯ୍ୟ କରୁଛି । ନିଜର ଓ ସମାଜର ଜୀବନର ଗତିବିଧି ବିଷୟରେ ଏଜ ନୂତନ ଦୃଷ୍ଟିକୋଣ ଗ୍ରାମଦାନର ବିଚାରରୁ ପାଇ ଲକ୍ଷ ଭୂମିହୀନ, ଭୂମିବାନ, ଧନୀ, ଦରିଦ୍ର, ଗ୍ରାମବାସୀ ନିଜ ନିଜର ଜୀବନର ଗତିପଥ ବଦଳାଇ ଦେବାପାଇଁ ସଂକଳ୍ପ କରିଛନ୍ତି ଓ କରୁଛନ୍ତି । ବିଧାୟକ ସତ୍ୟାଗ୍ରହର ସାମର୍ଥ୍ୟର ଗ୍ରାମଦାନ ଆନ୍ଦୋଳନ ପ୍ରକୃଷ୍ଟତମ ଉଦାହରଣ ବୋଲି କୁହାଯାଇପାରେ ।

 

ବିଧାୟକ ସତ୍ୟାଗ୍ରହ ଉପରେ ଜୋର ଦେବା ଛଳରେ ବିନୋବାଜୀ ନିଷେଧାତ୍ମକ ସତ୍ୟାଗ୍ରହର ନିଷେଧ କରି ପ୍ରତିରୋଧ କଥାଟାକୁ ଉଡ଼େଇ ଦେଉଛନ୍ତି ବୋଲି କେତେକ ବିଚାରିଥାନ୍ତି । ମାତ୍ର ଆମେ ପୂର୍ବରୁ ୮ମ ଅଧ୍ୟାୟରେ ଦେଖିଛୁ ଯେ ସ୍ୱାଧୀନତା ପରର ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ କେତେକ କ୍ଷେତ୍ରରେ ନିଷେଧାତ୍ମକ ବା ପ୍ରତିରୋଧମୂଳକ ସତ୍ୟାଗ୍ରହର ଆବଶ୍ୟକା ବିନୋବାଜୀ ସମର୍ଥନ କରିଛନ୍ତି । ଏଭଳି ଅନେକ ସାନବଡ଼ ସତ୍ୟାଗ୍ରହ ମଧ୍ୟ ଏ ଦେଶରେ ଘଟିଛି, ଯଦିଓ ସେସବୁ ଖବରକାଗଜର ବଡ଼ ଅକ୍ଷରର ଶୀଷର୍କ ହାସଲ କରିପାରି ନାହିଁ । ଏଭଳି ସତ୍ୟାଗ୍ରହ ଭିତରୁ ଏଠାରେ ଚାରୋଟି ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ ।

 

ତାମିଲନାଡ଼ୁ ରାଜ୍ୟର ମଦୁରାଇଠାରେ ମିନାକ୍ଷୀ ଦେବୀଙ୍କର ଏକ ବିଶାଳ ମନ୍ଦିର ଅଛି । ଏ ମନ୍ଦିରର ମାର୍ଫତରେ ବହୁହଜାର ଏକର ଦେବୋତ୍ତର ଜମି ସେ ରାଜ୍ୟର ଗାଁ ଗାଁରେ ବିଛେଇ ହୋଇ ରହିଛି । ଏସବୁ ମନ୍ଦିରର ଖର୍ଚ୍ଚ ତୁଲାଇବା ପାଇଁ ଏ ଦେଶର ପରମ୍ପରା ଅନୁସାରେ ଖଞ୍ଜାଯାଇଥିଲା । ଏ ଜମିକୁ ମନ୍ଦିରର କର୍ତ୍ତୃପକ୍ଷ ଅନ୍ୟମାନଙ୍କୁ ଖଜଣାରେ ଚାଷ କରିବା ପାଇଁ ଦେଇଥାନ୍ତି । ସାଧାରଣତଃ କେତେକ ମଧ୍ୟବର୍ତ୍ତୀ ଠିକାଦାର ଏହାକୁ ପଟ୍ଟାରେ ନେଇ ପୁଣି ଗାଁ ଲୋକଙ୍କୁ ବହୁତ ଅଧିକ ଦରରେ ଚାଷ କରିବାପାଇଁ ଦିଅନ୍ତି । ଏ ବର୍ଷ ଜଣକୁ ଦେଲେ ତ ଆରବର୍ଷ ତାକୁ ବେଦଖଲ କରି ଅନ୍ୟକୁ ଦିଅନ୍ତି, ସେହି ଗାଁର ଲୋକଙ୍କୁ ନ ଦେଇ ବାହାରୁ ଲୋକ ଆଣି ଚାଷ କରନ୍ତି ଓ ଏହି ରୂପେ ଚାଷୀକୁ ନାନା ପ୍ରକାରେ ହଇରାଣ କରନ୍ତି ।

 

ମଦୁରାଇ ଜିଲ୍ଲାର ଗ୍ରାମଦାନ ଅଞ୍ଚଳରେ ଲୋକଙ୍କ ପକ୍ଷରୁ ଏକ ଦାବି ହେଲା ଯେ ଗାଁରେ ଥିବା ମନ୍ଦିରର ଜମି ବାହାରର ଠିକାଦାରଙ୍କୁ ନ ଦେଇ ଗାଁର ଗ୍ରାମସଭାକୁ ଠିକା ଦିଆଯାଉ । ଗ୍ରାମସଭା ସହିତ ଖଜଣାର ଧାର୍ଯ୍ୟ ହେଉ । ଗ୍ରାମସଭା ସେ ଜମି ଗାଁର ଚାଷୀମାନଙ୍କୁ ଚାଷ କରିବାକୁ ଦେବ ଓ ତାଙ୍କଠାରୁ ଖଜଣା ଆଦାୟର ଦାୟିତ୍ୱ ନେବ । ଅନେକ ଥର କଥାବାର୍ତ୍ତା ଓ ଆଲୋଚନା ପରେ ମଧ୍ୟ ମନ୍ଦିର କର୍ତ୍ତୃପକ୍ଷ ଏ ଦାବି ମାନିବାକୁ ରାଜି ହେଲେ ନାହିଁ ଓ ପୂର୍ଵମତେ ଠିକାଦାରଙ୍କୁ ଜମି ପଟା ଦେଲେ । ୱିଲମପଟ୍ଟି ନାମକ ଗୋଟିଏ ଗାଁର ଜମିକୁ ଏକ ପରୀକ୍ଷାମୂଳକ ଦୃଷ୍ଟାନ୍ତ ରୂପେ ନେଇ ଏ କଥାବାର୍ତ୍ତା ଚାଲିଲା । ସବୁ କଥାବାର୍ତ୍ତା ବିଫଳ ହେବାରୁ ମନ୍ଦିର ସାମନାରେ ଗାଁର ଚାଷୀମାନେ ଦଳ ଦଳ ହୋଇ ଉପବାସ ସହ ପ୍ରାର୍ଥନା କରିବାକୁ ସ୍ଥିରକଲେ । ସତ୍ୟାଗ୍ରହୀମାନେ ପାଳିକରି ଏହା କରୁଥାନ୍ତି । ପୁଣି ମାନ୍ଦ୍ରାଜର ମୁଖମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାର ଆଶ୍ଵସନା ଦେବାରୁ ଏ ପ୍ରାର୍ଥନା ସତ୍ୟାଗ୍ରହ ବନ୍ଦ ରଖାଗଲା । କିନ୍ତୁ କେତେକ ଦିନଯାଏ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେଠାର ଵିଶିଷ୍ଟ ସର୍ବୋଦେୟ ସେବକ ଶ୍ରୀ ଏସ୍‍. ଜଗନ୍ନାଥନ୍‍ ଅନଶନ ଆରମ୍ଭ କଲେ । ସାତଦିନ ଅନଶନ ପରେ ମନ୍ଦିରର ମାରାଫତ୍‍ଦାରମାନେ ସେ ଗାଁର ୧୪ ଏକର ଜମି ଛାଡ଼ି ଦେବା ପାଇଁ ସମ୍ମତ ହେଲେ ଓ ଜଗନ୍ନାଥନ୍‍ ଅନଶନ ଛାଡ଼ିଲେ । ମାତ୍ର ଦେଖାଗଲା ଯେ ସେମାନେ ସେ ଜମି ଠିକାଦାରର ସାତଜଣ ମୂଲିଆଙ୍କ ନାଁରେ ପଟ୍ଟା କରି ଦେଇଛନ୍ତି ।

 

ସେମାନେ ଏଭଳି ଭାବରେ କଥାର ଖିଲାପ କରିବା ଫଳରେ ସେ ଜମି ଉପରେ ପ୍ରବେଶ କରିବା ରୂପୀ ସତ୍ୟାଗ୍ରହ ଆରମ୍ଭ କରାହେଲା । ପୁଲିସ ମଧ୍ୟ ଆସି ପହଞ୍ଚିଲେ ଓ ୧୪୪ ଧାରା ଜାରିକରି ସତ୍ୟାଗ୍ରହୀମାନଙ୍କୁ ଗିରଫ କରିବାକୁ ଲାଗିଲେ । ପ୍ରାୟ ଦୁଇ ସପ୍ତାହ ବ୍ୟାପୀ ସତ୍ୟାଗ୍ରହରେ ମୋଟ ସାଢ଼େ ସାତଶହ ସରିକି ସତ୍ୟାଗ୍ରହୀ ଗିରଫ ହେଲେ । ଏହାପରେ କଂଗ୍ରେସ ସଭାପତି ଶ୍ରୀ କାମରାଜ ଏଥିରେ ହସ୍ତକ୍ଷେପ କଲେ ଓ ମାନ୍ଦ୍ରାଜ ସରକାର ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଗାଁରେ ଥିବା ମନ୍ଦିରର ଜମି ଗ୍ରାମସଭାକୁ ପଟ୍ଟା ଦିଆଯିବା ନୀତି ସ୍ୱୀକୃତ କରାଇଲେ । ଏକ ସଦ୍‍ଭାବର ବାତାବରଣ ଭିତରେ ସତ୍ୟାଗ୍ରହର ଅବସାନ ଘଟିଲା । ଏ ଘଟଣା ୧୯୬୫ ମସିହାର ।

 

ଦ୍ୱିତୀୟ ଘଟଣାଟି ଆସାମ ରାଜ୍ୟରେ ୧୯୬୭ରେ ଘଟିଥିଲା । ଦେଶ ବିଭାଗ ବେଳେ ବହୁ ସଂଖ୍ୟକ ବଙ୍ଗାଳୀ ଶରଣାର୍ଥୀ ଆସି ଆସାମ ରାଜ୍ୟର ସ୍ଥାନେ ସ୍ଥାନେ ବସବାସ କରିଛନ୍ତି । ଅନାବାଦୀ ସରକାରୀ ଜମିରେ ଏମାନେ ପନ୍ଦର ସତର ବର୍ଷ ହେଲା ଘରଦ୍ୱାର କରି ରହି ଚାଷବାସ କରୁଛନ୍ତି । କାମରୂପ ଜିଲ୍ଲାର ଅଙ୍ଗାରକଟା ଗାଁରେ ଏହିପରି ଦୁଇଶହରୁ ଅଧିକ ପରିବାର ରହିଛନ୍ତି । ଏମାନେ ପାଞ୍ଚ ଏକର ତିନି ଏକର କରି ଚାଷ କରୁଥିବା ଜମି ଛଡ଼ା ଏଠାରେ ଆହୁରି ଶହଶହ ଏକର ଅନାବାଦୀ ଜମି ମଧ୍ୟ ରହିଛି । ଦିନେ ହଠାତ୍‍ ଖବର ମିଳିଲା ଯେ ଏଠୁ ଏମାନଙ୍କୁ ବେଦଖଲ କରି ଉଠେଇ ଦେବାପାଇଁ ସରକାରରୁ ଆଦେଶ ଆସିଛି । କାରଣ ଏ ଜମି ଭେଟେରୀନାରି ବା ପଶୁ ଚିକିତ୍ସା ବିଭାଗକୁ ଏକ କୃଷିକ୍ଷେତ୍ର କରିବା ପାଇଁ ଦିଆଗଲାଣି । ସରକାରୀ କର୍ମଚାରୀ ପୁଲିସଫୌଜ ଧରି ଆସି ସଙ୍ଗେ ସଙ୍ଗେ ପହଞ୍ଚିଗଲେ ଓ ଟ୍ରାକ୍ଟର ଦ୍ୱାରା ସମସ୍ତ ଜମି ଚଷି ଦେଇ ଡିପାର୍ଟମେଣ୍ଟ ଦ୍ୱାରା ଦାଖଲ ନେବାର ଉଦ୍ୟମ କଲେ । ଏ ଖବର ପାଇ ଅଳ୍ପ ଦୂରରେ ଥିବା କୁମାରୀକଟା କେନ୍ଦ୍ରର ସର୍ବୋଦୟ କର୍ମୀ ଶ୍ରୀ ରବୀନ୍ଦ୍ର ଉପାଧ୍ୟାୟ ସେଠାକୁ ଧାଇଁ ଆସିଲେ ଓ କର୍ମଚାରୀମାନଙ୍କୁ ଏଥିରୁ ବିରତ ହେବା ପାଇଁ ଅନୁରୋଧ କଲେ । ସରକାରୀ ହୁକୁମ ଅଛି, ଆମେ ନାଚାର ବୋଲି ସେମାନେ ଅକ୍ଷମତା ପ୍ରକାଶ କଲାରୁ ଶହ ଶହ ସଂଖ୍ୟକ ସ୍ତ୍ରୀ-ପୁରୁଷ ଓ ବାଳକ ବାଳିକା ଟ୍ରାକ୍‍ଟର ଆଗରେ ଛିଡ଼ା ହୋଇ, ଶୋଇ, ଏହାର ଶାନ୍ତିପୂର୍ଣ୍ଣ ପ୍ରତିରୋଧ କଲେ ।

 

ସରକାର ଯଦି ଏ ଜମି ନେବାକୁ ଚାହାନ୍ତି ତେବେ ପ୍ରଥମେ ଲୋକଙ୍କୁ ଅନ୍ୟତ୍ର ଜମି ଦିଅନ୍ତୁ । ଏତେ ଦିନରୁ ବସିଥିବା ଲୋକଙ୍କୁ ଏଭଳି ଘଉଡ଼ାଇବା ଅତି ଅନ୍ୟାୟ ବୋଲି ବୁଝାଇବାରୁ କର୍ମଚାରୀମାନେ ଶରଣାର୍ଥୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କଲେ ଓ ଶେଷକୁ ଅନ୍ତତଃ ଆସାମ ସରକାରଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବାକୁ ସମୟ ଦିଆଯାଉ,ଏ ଅନୁରୋଧକୁ ମାନି ସେ ଦିନ ଚାଷ ଚେଷ୍ଟାରୁ କ୍ଷାନ୍ତ ହେଲେ । ଆସାମ ସରକାରଙ୍କ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କୁ ଆସାମ ସର୍ବୋଦୟ ମଣ୍ଡଳ ପକ୍ଷରୁ ସବୁକଥା ଜଣାଇ ଶରଣାର୍ଥୀଙ୍କ ପ୍ରତି ନ୍ୟାୟ ଆଚରଣ କରିବା ପାଇଁ ଅନୁରୋଧ କରାଗଲା । ମାତ୍ର ଦୁଇ ତିନି ଦିନ ପରେ ପୁଣି ହଠାତ୍‍ ଜଣେ ମାଜିଷ୍ଟ୍ରେଟ ସଶସ୍ତ୍ର ପୁଲିସ ଫୌଜ ଓ ହାତୀ ନେଇ ସେଠି ପହଞ୍ଚିଲେ । ଶରଣାର୍ଥୀମାନଙ୍କ ଘର ହାତୀଦ୍ଵାରା ଭଙ୍ଗାଇ ଦେଇ ସେମାନଙ୍କୁ ଘଉଡ଼ାଇ ଦେବାକୁ ସରକାର ଆଦେଶ ଦେଇଛନ୍ତି ବୋଲି ଘୋଷଣା କଲେ ଓ କୌଣସି ପ୍ରକାରର ପ୍ରତିରୋଧ ହେଲେ ନିର୍ମମ ଭାବରେ ଗୁଳି ଚଳାଇ ଦମନ କରାଯିବାକୁ ଆଦେଶ ମିଳିଛି ବୋଲି ମଧ୍ୟ ଜଣାଇ ଦେଲେ ।

 

ସେତେବେଳେକୁ ସେ ଗାଁର ସମସ୍ତ ଶରଣାର୍ଥୀ ସ୍ତ୍ରୀ-ପୁରୁଷ, ବାଳକ, ବୃଦ୍ଧ ସେଠି ଜମିଲେଣି । ମାଜିଷ୍ଟ୍ରେଟ ସେମାନଙ୍କୁ ସେଠୁ ଚାଲିଯିବା ପାଇଁ ଆଦେଶ ଦେଲେ । ରବୀନ୍ଦ୍ର ଭାଇ ଲୋକମାନଙ୍କୁ ବୁଝାଇଲେ ଯେ ଏବେ ଯାହା ହେବ ସେଥିରେ ଗୁଳି ଚାଲିପାରେ, ଅନେକ ଲୋକଙ୍କର ପ୍ରାଣ ଯାଇପାରେ, ସେଥିପାଇଁ ଯେଉଁମାନେ ସେଥିକି ପ୍ରସ୍ତୁତି ନୁହଁନ୍ତି ସେମାନେ ଏବେ ଚାଲିଯିବା ଉଚିତ । ଯେଉଁମାନେ ସବୁ କଷଣ ସହିବାକୁ ପ୍ରସ୍ତୁତ କେବଳ ସେହିମାନେ ରହନ୍ତୁ । ମାତ୍ର ଜଣେ ହେଲେ ବି ଫେରିଗଲେ ନାହିଁ । ଏଣେ ପୁଲିସ ଫୌଜ ସେତେବେଳେ ବନ୍ଧୁକ ଉଞ୍ଚେଇ ଧରିଲେଣି ଓ ଖଡ଼ଖାଡ଼ ଝଣଝାଣ ଶବ୍ଦ କରି ସେ ସବୁକୁ ସଜାଡ଼ୁଥାନ୍ତି । ରବୀନ୍ଦ୍ରଭାଇଙ୍କ ନିର୍ଦ୍ଦେଶକ୍ରମେ ଲୋକମାନେ ଗୋଟିଏ ଜାଗାରେ ନ ରହି ଛୋଟ ଛୋଟ ଦଳରେ ପଡ଼ିଆଯାକ ଖେଳେଇ ହୋଇଗଲେ ଓ ଘର ଭାଙ୍ଗିବା ଉଦ୍ଦେଶ୍ୟରେ ହାତୀମାନଙ୍କୁ ଆଗେଇବାକୁ ଆଦେଶ ଦିଆଯିବା ମାତ୍ରେ ରାମଧୂନ୍‍ ଓ ହରିନାମ ଗାଇ ଗାଇ ହାତୀମାନଙ୍କୁ ଘେରିଯାଇ ବସି ପଡ଼ିଲେ । ଇତି ମଧ୍ୟରେ ରବୀନ୍ଦ୍ର ଭାଇ ଓ ଅନ୍ୟ କେତେଜଣଙ୍କୁ ଗିରଫ କରି ନିଆଗଲା । ମାତ୍ର ଲୋକେ ନିର୍ଭୀକ ଓ ଅଟଳ ରହିଥାନ୍ତି । ପରିଣାମରେ ସେ ଗାଁକୁ ଭାଙ୍ଗି ଦେବାର ଉଦ୍ୟମ ବ୍ୟର୍ଥ ହେଲା । ଶେଷକୁ ଆସାମ ସରକାର ନଇଁଲେ ଓ ପଶୁଚିକିତ୍ସା ବିଭାଗକୁ ଦିଆ ଯାଉଥିବା କ୍ଷେତ୍ର ଭିତରେ ଯେଉଁ ମାନଙ୍କର ଜମି ରହିଛି ସେମାନଙ୍କୁ ତାହା ବାହାରେ ଅନ୍ୟତ୍ର ଜମି ଦିଆଯିବ ଓ ଏହା ମିଳିବାଯାଏ ସେମାନେ ସେଠା ଜମି ଦଖଲରେ ରହିଥିବେ ବୋଲି ସ୍ୱୀକାର କଲେ ।

 

ଆଉ ଗୋଟାଏ ଦୃଷ୍ଟାନ୍ତ ଉତ୍ତର ପ୍ରଦେଶର ଚମୋଲୀ ଓ ଉତ୍ତର କାଶୀ ପାହାଡ଼ିଆ ଜିଲାମାନଙ୍କରେ ମଦ ଦୋକାନ ଉଠାଇବା ଉଦ୍ୟମ । ଏଠାରେ ନିଶା ନିବାରଣ ପାଇଁ ବ୍ୟାପକ ପ୍ରଚାର ହେଲା ପରେ ଓ ସରକାରଙ୍କୁ ଏ ଅଞ୍ଚଳରୁ ମଦ ଦୋକାନ ସବୁ ଉଠାଇ ନେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ରାଜ୍ୟ ସରକାର ମୋଟେ ନ ଶୁଣିବାରୁ ଏଥି ନିମନ୍ତେ ସତ୍ୟାଗ୍ରହ କରିବାର ସ୍ଥିର ହେଲା । ଗୋଟିଏ ଗୋଟିଏ ଦୋକାନ ଆଖପାଖରେ ଜନମତ ସୃଷ୍ଟି କରି ତାହାକୁ ଉଠାଇବା ପାଇଁ ସତ୍ୟାଗ୍ରହ କରିବାର କର୍ମପନ୍ଥା ସେଠାର ସର୍ବୋଦୟ କର୍ମୀ ଓ ଅନ୍ୟ ଉଦ୍ୟୋକ୍ତାମାନେ ସ୍ଥିର କଲେ । ଏହି ଅନୁସାରେ ଦୋକାନ ଥିବା ଗୋଟିଏ ଲେଖା ଅଞ୍ଚଳରେ ସଘନ ପ୍ରଚାର ଚଳାଯାଉଛି ଓ ସେଠାର ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କରେ ସରକାରଙ୍କୁ ସେଠାରେ ମଦ ଦୋକାନ ଉଠାଇ ଦେବା ପାଇଁ ଅନୁରୋଧ କରି ପ୍ରସ୍ତାବ ଗ୍ରହଣ କରାଯାଇ ସରକାରଙ୍କୁ ପଠାଯାଉଛି । ଏଥିପାଇଁ ମାସେ ଦୁଇମାସ ମହଲତ ମଧ୍ୟ ଦିଆଯାଉଛି । ଏହା ଭିତରେ ସରକାର ଦୋକାନ ଉଠାଇବା ଦିଗରେ କିଛି ପଦକ୍ଷେପ ନ ନେଲେ ଦୋକାନ ସାମନାରେ ପିକେଟିଂ ଆରମ୍ଭ କରାଯାଉଛି । ଏ ଆନ୍ଦୋଳନରେ ସେଠାର ଗାଁ ଗହଳରେ ମହିଳା ମାନେ ଖୁବ୍‍ ଉତ୍ସାହର ସହିତ ଭାଗ ନେଉଛନ୍ତି । ପିକେଟିଂରେ ଏକାବେଳକେ ହଜାରେ ଦୁଇ ହଜାର ମହିଳା ମଧ୍ୟ ଦିନ ଧରି ଯୋଗଦେବାର ଦେଖାଯାଉଛି । ଏହିରୂପେ ଏ ପର୍ଯ୍ୟନ୍ତ ଆଠୋଟି ଦୋକାନ ବିରୋଧରେ ସତ୍ୟାଗ୍ରହ ଚାଲିଲାଣି ଓ ଦୁଇ ତିନି ସପ୍ତାହ ଲେଖା ପିକେଟିଂ ପରେ ସରକାର ଏ ଦୋକାନଗୁଡ଼ିକ ଉଠେଇ ନେଇଛନ୍ତି । ଏ ଆନ୍ଦୋଳନ ଏବେବି ଚାଲିଛି ଓ ବିସ୍ତାର ଲାଭ କରୁଛି ।

 

ନିଶା ନିବାରଣ ପାଇଁ ରାଜସ୍ଥାନର ସଫଳ ଉଦ୍ୟମ ମଧ୍ୟ ଉଲ୍ଲେଖଯୋଗ୍ୟ । ଗାନ୍ଧି ଶତବାର୍ଷିକୀ ଅକ୍ଟୋବର ୨ ତାରିଖ ୧୯୬୯ ସୁଦ୍ଧା ରାଜସ୍ଥାନରେ ସମ୍ପୂର୍ଣ୍ଣ ନିଶା ନିବାରଣ ହେବା ଚାହିଁ ବୋଲି ସେଠାର ସର୍ବୋଦୟ କର୍ମୀମାନେ ବିଚାର କରି ରାଜ୍ୟ ସରକାରଙ୍କଠାରେ ଏ ନିବେଦନ ଉପସ୍ଥାପିତ କଲେ ଓ ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ଵରୂପ ତିନୋଟି କାମ କରାଯାଉ ବୋଲି ସୂଚନା ଦେଲେ । ଏ ତିନୋଟି ହେଲା : ୧-ଗୁଜରାଟ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ତୁରନ୍ତ ନିଶାନିବାରଣ ଜାରି କରାଯାଉ, କାରଣ ଗୁଜରାଟରେ ସମ୍ପୂର୍ଣ୍ଣ ମଦ୍ୟ ନିଷେଧ ରହିଛି ଓ ରାଜସ୍ଥାନରୁ ସେଠାକୁ ଚୋରା କାରବାର ହୁଏ । ୨-ନୂଆ ଦୋକାନ ଖୋଲା ନ ଯାଉ ଓ ୩-ଗ୍ୟାରେଣ୍ଟି ପ୍ରଥା ଉଠାଇ ଦିଆଯାଉ । ଏ ଗ୍ୟାରେଣ୍ଟି ପ୍ରଥାର ଉଦ୍ଦେଶ୍ୟ ହେଲା ମଦ ବିକ୍ରୀ ଅଧିକରୁ ଅଧିକ ବଢ଼ାଇବା । ମଦ ଦୋକାନ ଠିକା ନେବାବେଳେ ସରକାରଙ୍କୁ ଅତି କମ୍‍ରେ ଏତେ ଆଦାୟ କରାଇ ଦେବ ଅର୍ଥାତ୍‍ ଏତେ ମଦ ବିକିବ ବୋଲି ଠିକାଦାର ପ୍ରତିଶ୍ରୁତି ଦେବ । ଯେ ସର୍ବାଧିକ ପ୍ରତିଶ୍ରୁତି ଦେବ ତାକୁ ହିଁ ଦୋକାନ ଠିକା ମିଳିବ ।

 

ଏସବୁ ଦାବି ନେଇ ରାଜସ୍ଥାନ ସରକାରଙ୍କ ସହ ଦୀର୍ଘ କଥାବାର୍ତ୍ତା ଚାଲିଲା । ମାତ୍ର ସରକାର ନ ମାନିବାରୁ ଜୟପୁର ସହରରେ ମଦଦୋକାନ ମାନଙ୍କରେ ପିକେଟିଂ ଆରମ୍ଭ କରାଗଲା-। ଏଥିରେ ସରକାର ପକ୍ଷରୁ କୌଣସି ପ୍ରକାରର ଗିରଫଦାରୀ ହେଲାନାହିଁ ଓ ଲୋକଙ୍କ ଭିତରେ ମଧ୍ୟ ଖୁବ୍‍ ଉତ୍ସାହ ଦେଖାଗଲା ଓ ସମର୍ଥନ ମିଳିଲା । ଅଳ୍ପ କେତେଦିନ ପରେ ସରକାର ଜଣାଇଲେ ଯେ ସେ ନିଶାନିବାରଣ ବିଷୟରେ ବିଚାର କରି ଶୀଘ୍ର ନିଜର ନୀତି ଘୋଷଣା କରିବେ-। ସରକାରୀ ଘୋଷଣାରେ ପ୍ରକାଶ ପାଇଲା ଯେ ସରକାର ପ୍ରଥମ ତିନୋଟି ଦାବି ଭିତରୁ ନୂଆ ଦୋକାନ ନ ଖୋଲିବା ଓ ଗ୍ୟାରେଣ୍ଟି ପ୍ରଥା ଉଠାଇନେବା ଦାବିକୁ ସ୍ୱୀକାର କରି ନେଇଛନ୍ତି ଓ ଗୁଜରାଟ ରାଜ୍ୟର ସୀମାଠାରୁ ୨୫ ମାଇଲ ଯାଏ ଅଞ୍ଚଳରେ ତୁରନ୍ତ ମଦ ନିଷେଧ କରିବାକୁ ସ୍ଥିର କରିଛନ୍ତି । ମାତ୍ର ରାଜ୍ୟରେ ପୂର୍ଣ୍ଣ ମଦ୍ୟ ନିଷେଧ ୧୯୭୫ ସୁଦ୍ଧା କରାଯିବ ବୋଲି ବିଚାର କରୁଛନ୍ତି-

 

ଏ ଘୋଷଣା ବିଷୟରେ ବିଚାର କରିବା ପାଇଁ ସତ୍ୟାଗ୍ରହ ବନ୍ଦ ରଖାଗଲା । ତିନୋଟି ତୁରନ୍ତ ଦାବିକୁ ଯେତିକି ଅଂଶରେ ସ୍ୱୀକାର କରାଗଲା ସେଥିରେ ସନ୍ତୋଷ ପ୍ରକାଶ କରାଯିବା ସଙ୍ଗେ ସଙ୍ଗେ ୧୯୭୫ ଯାଏ ମଦ ନିଷେଧକୁ ସ୍ଥଗିତ ରଖିବା ସିଦ୍ଧାନ୍ତର ସମାଲୋଚନା କରାଗଲା ଓ ସରକାରଙ୍କ ସହିତ ଆଉ ଦଫାଏ କଥାବାର୍ତ୍ତା ଚଳାଇବା ପରେ ସରକାର ଅଧିକ ସତ୍ଵର ମଦ ନିଷେଧନୀତି ଗ୍ରହଣ କରିବାକୁ ରାଜି ନ ହେବାରୁ ପୁଣି ପିକେଟିଂ ଆରମ୍ଭ କରାଗଲା । ଏଥର ଦୋକାନ ପରିବର୍ତ୍ତେ ମଦର କେନ୍ଦ୍ରୀୟ ଭଣ୍ଡାରମାନଙ୍କରେ ପିକେଟିଂ କରାଗଲା । କିଛିଦିନ ଏଭଳି ଚାଲିବା ସାଙ୍ଗେ ସାଙ୍ଗେ ଗୋଟିଏ ଜିଲାରେ ବ୍ୟାପକ ଭାବରେ ପ୍ରତି ଦୋକାନ ଆଗରେ ସତ୍ୟାଗ୍ରହ କରିବାର ଯୋଜନା ମଧ୍ୟ ତିଆରି ହେଲା । ମାତ୍ର ଅଳ୍ପ ଦିନ ଭିତରେ ସରକାର ପୁଣି ନଇଁଲେ ଓ ୧୯୭୨ ଗାନ୍ଧି ଜୟନ୍ତୀ ସୁଦ୍ଧା ପୂରା ମଦ୍ୟ ନିଷେଧ କରିବାକୁ ରାଜି ହେଲେ । ସରକାର ନିଜର ଆର୍ଥିକ ଅସୁବିଧା ଆଦି ବିଷୟରେ ଯେଉଁ ଯୁକ୍ତି ଦେଲେ ତାହାକୁ ଦୃଷ୍ଟିରେ ରଖି ସତ୍ୟାଗ୍ରହୀମାନେ ଏହାକୁ ସ୍ୱୀକାର କରି ନେଲେ ଓ ଏହି ରୂପେ ସତ୍ୟାଗ୍ରହର ଅବସାନ ହେଲା ।

 

ଅଧ୍ୟାପକ ଗୋରାଙ୍କର ବିଭିନ୍ନ ସତ୍ୟାଗ୍ରହ ଉଦ୍ୟମର ଉଲ୍ଲେଖ ମଧ୍ୟ ଏଠାରେ କରାଯିବା ଉଚିତ । ଏସବୁ ଉଦ୍ୟମରେ ସେ ସଫଳତା ହାସଲ କରିନାହାଁନ୍ତି, ମାତ୍ର ସମସ୍ୟା ପ୍ରତି ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟ ଏହାଦ୍ୱାରା ସାଧିତ ହୋଇଛି । ସରକାରୀ କାରବାରରେ ଆଡ଼ମ୍ବରମୂଳକ ଅପବ୍ୟୟ ବନ୍ଦ ଓ ନିର୍ଦ୍ଦଳୀୟ ଗଣତନ୍ତ୍ର ଦାବି ନେଇ ଏହା ଚାଲିଥିଲା । ଲୋକସଭା ଓ ବିଧାନସଭାମାନଙ୍କରେ ସଦସ୍ୟମାନେ ଲୋକପ୍ରତିନିଧି ଭାବରେ ବାଛି ହୋଇ ଆସିଛନ୍ତି, ସେମାନେ ଦଳର ପ୍ରତିନିଧି ଭାବରେ ସେଠାରେ ବସିବା ଠିକ୍‍ ନୁହେଁ । ଏଥିପାଇଁ ସେ କେତେକ ସାଥୀଙ୍କୁ ନେଇ ଦିଲ୍ଲୀଯାଏ ଏକ ପଦଯାତ୍ରା କରିଥିଲେ ଓ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସହିତ ସାକ୍ଷାତ କରିବାକୁ ରାଜି ହୋଇଥିଲେ ଓ ଗୋରାଜୀ ନିଜର ମତ ତାଙ୍କୁ ବୁଝାଇଥିଲେ । ମନ୍ତ୍ରୀମାନେ ଛୋଟ ଘରେ ରହି ଅଳ୍ପ ଖର୍ଚ୍ଚରେ ଚାଲିବା ଉଚିତ ବୋଲି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଗୋରାଜୀ ଓ କେତେକ ସାଥୀ ଧାରଣା ଦେଇଥିଲେ । ଏଥିରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୃଷ୍ଟିକୋଣ ବୁଝାଇବାର ସୁଯୋଗ ସେ ପାଇଥିଲେ ।

 

ଏ ସତ୍ୟାଗ୍ରହମାନ ସଫଳ ହୋଇ ନ ଥିଲା ଓ ସଫଳ ହେବାର ସମ୍ଭାବନା ମଧ୍ୟ ନ ଥିଲା-। କେବଳ ପୂର୍ବରୁ କହିବା ମତେ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣରେ ସାହାଯ୍ୟ କରିଥିଲା-। ଗୋରାଙ୍କର ବିଶେଷତ୍ୱ ଯେ ସେ ସତ୍ୟାଗ୍ରହର ନୀତି ପୁଙ୍ଖାନୁପୁଙ୍ଖ ଭାବରେ ପାଳନ କରିଥାନ୍ତି, କୌଣସି ପ୍ରକାର ମର୍ଯ୍ୟାଦା ଲଙ୍ଘନ ତାଙ୍କ ଦ୍ୱାରା ହୋଇନାହିଁ । ଘର ଆଗରେ ଧାରଣା ଦେବା ବେଳେ ସେ ଯାତାୟତରେ କୌଣସି ବାଧା ସୃଷ୍ଟି କରନ୍ତି ନାହିଁ, ଅଶ୍ଳିଷ୍ଟ ଭାଷାର ପ୍ରୟୋଗ ବା ମନରେ ସୁଦ୍ଧା କୌଣସି ଆକ୍ରୋଶ ବା ଅସୟା ପୋଷଣ କରିବା ତ ଦୂରର କଥା । ଆଡ଼ମ୍ବର ଓ ଦଳୀୟ ଗଣତନ୍ତ୍ର ବିରୋଧରେ ବ୍ୟାପକ ସତ୍ୟାଗ୍ରହ ହେବା ଉଚିତ ବୋଲି ସେ ମତ ଦେଇଥିଲେ । ମାତ୍ର ସର୍ବସେବା ସଙ୍ଘ ଏହା ଗ୍ରହଣ କଲାନାହିଁ । ବିନୋବାଜୀ ମଧ୍ୟ ଏଭଳି ଉଦ୍ଦେଶ୍ୟ ନେଇ ବ୍ୟାପକ ସତ୍ୟାଗ୍ରହକୁ ନାପସନ୍ଦ କରିଥିଲେ । ଏହା ବାଦ ଗୋରାଜୀ ନିଜେ ବ୍ୟକ୍ତିଗତ ଭାବରେ ଏ ସତ୍ୟାଗ୍ରହରେ ଆଗୁସାର ହେଲେ ଓ ସର୍ବସେବା ସଙ୍ଘ ଓ ବିନୋବାଜୀଙ୍କର ଭିନ୍ନ ମତ ରହିଛି ଓ ସେ ନିଜ ଦାୟିତ୍ୱରେ ଏହା କରୁଛନ୍ତି ବୋଲି ସର୍ବତ୍ର ସ୍ପଷ୍ଟ କରିଦେଉଥିଲେ । ସେ ନିଜେ ଜଣେ ବିଶିଷ୍ଟ ସର୍ବୋଦୟ ସେବକ ତେଣୁ ସେ ଯାହା କରୁଛନ୍ତି ତାହା ପଛରେ ସର୍ବୋଦୟ ଆନ୍ଦୋଳନର ବ୍ୟାପକ ସମର୍ଥନ ଥିବ ଓ ତାହା ଏ ଆନ୍ଦୋଳନର ଏକ ବ୍ୟାପକ କାର୍ଯ୍ୟକ୍ରମ ରୂପେ ଗୃହୀତ ହୋଇଥିବ ଏ ଧରଣର ଧାରଣା ସାଧାରଣ ଲୋକଙ୍କର ହେବା ସ୍ୱାଭାବିକ ଥିଲା । ମାତ୍ର ଗୋରାଜୀ ସେଭଳି ଭ୍ରାନ୍ତିରୁ ଲାଭ ଉଠାଇବାକୁ ଚାହୁଁ ନଥିଲେ ଓ ତାହା ପାଇଁ କୌଣସି ଅବସର ଦେଉ ନଥିଲେ । ଏ ମର୍ଯ୍ୟାଦା ପାଳନ ସତ୍ୟାଗ୍ରହର ଏକ ଆବଶ୍ୟକ ଗୁଣ ।

 

ଗାନ୍ଧିଜୀଙ୍କ ଅନ୍ତେ ଏ ଦେଶରେ ବହୁ ସଂଖ୍ୟକ ପ୍ରତିରୋଧମୂଳକ ଆନ୍ଦୋଳନ ହୋଇଛି ଓ ଘେରାଡ଼ାଲୋ, ଘେରାଓ ଆଦି ପ୍ରତୋରାଧମୂଳକ କର୍ମପନ୍ଥାର ନୂତନ ନୂତନ ରୂପ ମଧ୍ୟ ଉଦ୍ଭାସିତ ହୋଇଛି । ଏଥିଭିତରୁ କେତେକକୁ ସେ ସବୁର ପ୍ରବର୍ତ୍ତକମାନେ ସତ୍ୟାଗ୍ରହ, ଆଇନ ଅମାନ୍ୟ ଆଦି ନାମ ଦେଇଛନ୍ତି ଓ ଅନ୍ୟ କେତେକର ଯଥା ଘେରାଓର ସମ୍ପର୍କ ସତ୍ୟାଗ୍ରହ ପରମ୍ପରା ସହିତ ଅଛି ବୋଲି ଦାବି କରାଯାଇ ନାହିଁ । ତେବେ ଅଧିକାଂଶ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବା ପ୍ରତିରୋଧ କରାଯାଉଛି ବୋଲି ଦାବି କରାଯାଉଛି । ଏସବୁ ଭିତରେ କେତେକ କାର୍ଯ୍ୟ ଯଥା ଘେରାଓ ସତ୍ୟାଗ୍ରହ ଓ ଅହିଂସାର ମର୍ଯ୍ୟାଦା ଭିତରେ କଦାପି ପଡ଼ିବ ନାହିଁ । ସଂଖ୍ୟାବଳ ଦ୍ୱାରା ଅନ୍ୟକୁ ଅଟକ କରି ରଖି ଓ ସାଧାରଣତଃ ଖାଦ୍ୟପେୟ ଆଦିରୁ ବଞ୍ଚିତ କରି କଥା ମାନିବାକୁ ବାଧ୍ୟ କରିବା ଅତି ସ୍ଥୂଳ ହିଂସା ଛଡ଼ା ଆଉ କିଛି ନୁହେଁ । ମଦ ଓ ବିଦେଶୀ ଲୁଗା ଦୋକାନ ପିକେଟିଂ ବିଷୟରେ ଗାନ୍ଧିଜୀ ବାରମ୍ବାର ଚେତାଇ ଦେଉଥିଲେ ଯେ ଗରାଖଙ୍କୁ କୌଣସି ପ୍ରକାରର ଭୟ ଦେଖାଇବା ବା ତାହା ଯିବା ବାଟରେ ଶୋଇ ପଡ଼ି ବା ଅନ୍ୟ ଭାବରେ ପ୍ରତିବନ୍ଧକ ସୃଷ୍ଟି କରିବା କଦାପି ସତ୍ୟାଗ୍ରହ ନୀତି ସମ୍ମତ ନୁହେଁ । ଆଉ ଘେରାଓ ଆଦିରେ ତ ଅତି ସ୍ଥୂଳ ଵଳ ପ୍ରୟୋଗ କରାଯାଏ । ଏହି ରୂପେ ଅନ୍ୟ ଅନେକ ପ୍ରକାରର ଆନ୍ଦୋଳନ ଓ ପ୍ରତିରୋଧମୂଳକ କାର୍ଯ୍ୟର ବିଶ୍ଳେଷଣ କଲେ ତାହା ପଛରେ ଅପର ପକ୍ଷକୁ ଅକଡ଼େଇବା, ସେ ଅସୁବିଧାରେ ପଡ଼ିଥିବା ବେଳେ ଦାଉ ସାଧିବା ଓ ସଂଖ୍ୟା ବଳର ସୁବିଧା ନେଇ ତାକୁ ଦବେଇବାର ମନୋଭାବ, ଦ୍ୱେଷ, ଅହଂକାର ଆଦି ରହିଥିବାର ଦେଖାଯିବ । କୌଣସି ଆନ୍ଦୋଳନରେ ଯୋଗ ଦେଉଥିବା ସାଧାରଣ ଲୋକେ ଯେ ଗାନ୍ଧିଜୀଙ୍କ ଯୁଗରେ ବି ମନରେ ଦ୍ୱେଷ ପୋଷଣ ନ କରୁଥିଲେ ତାହା ନୁହେଁ, ମାତ୍ର ତାହା ଯେପରି ଅନ୍ତତଃ କାର୍ଯ୍ୟରେ ପ୍ରକାଶ ନ ପାଇବ ସେଥିପ୍ରତି କଟକଣା ରଖାଯାଉଥିଲା । ଏସବୁ ଆନ୍ଦୋଳନରେ ଅନେକ ସମୟରେ ଦ୍ୱେଷକୁ ହିଁ ପ୍ରଧାନ ଚାଳକ ଶକ୍ତିରୂପେ ବ୍ୟବହାର କରାଯାଇଥାଏ ।

 

ଏହାଛଡ଼ା ଅନେକ ଏଭଳି ସମସ୍ୟା ନେଇ ପ୍ରତ୍ୟେକ୍ଷ ଆନ୍ଦୋଳନ ବା ଅନଶନ ଆଦି କରାଯାଉଛି ଯାହା ବାସ୍ତବରେ ବୈଧାନିକ ଭାବରେ ବିଧାନସଭା ବା ଲୋକସଭା ଆଦି ମାଧ୍ୟମରେ ଛିଣ୍ଡିବା ଉଚିତ । ତେବେ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ଏ ସବୁ ପଛରେ ଆମେ ସତ୍ୟାଗ୍ରହ ବିଚାରର ପ୍ରଭାବ ଦେଖି ପାରିବା । ଭୁଲ ବା ତ୍ରୁଟିଯୁକ୍ତ ହେଲେ ମଧ୍ୟ, ଯେ ସତ୍ୟାଗ୍ରହ କରିବା କଥା କୁହାଯାଉଛି ଓ ଶାନ୍ତିପୂର୍ଣ୍ଣ ପନ୍ଥା ଗ୍ରହଣ କରାଯାଉଛି ବୋଲି କୁହାଯାଉଛି ତାହା ଏକ ନୂତନ ମୂଲ୍ୟବୋଧର ସ୍ୱୀକୃତି ଏଥିରେ ସନ୍ଦେହ ନାହିଁ । ଏହା ନ ହୋଇଥିଲେ ଏ ଦେଶରେ ଯେତେ ଦୁଃଖ, ଦୈନ୍ୟ ଓ ଅବିଚାର, ଅତ୍ୟାଚାର ଓ ଶୋଷଣ ପୂରି ରହିଛି ଓ ଲୋକଙ୍କ ମନରେ ଯେତେ ଅସନ୍ତୋଷ ଓ ଦ୍ୱେଷ ଜମା ହେଉଛି ତାହା ଆହୁରି ଉତ୍କଟ ହିଂସା ରୂପରେ ଫୁଟି ବାହାରନ୍ତା । ଏଭଳି ହିଂସାକାଣ୍ଡ ଯେ ନ ଘଟୁଛି ତାହା ନୁହେଁ ଓ ସେ ସବୁର ପ୍ରାଦୁର୍ଭାବ ଆହୁରି ଗୁରୁତର ଆକାର ଧାରଣ କରିବାର ସମ୍ଭାବନା ମଧ୍ୟ ରହିଛି । ଶାନ୍ତିପୂର୍ଣ୍ଣ ପନ୍ଥାର ଶକ୍ତିରେ ଆସ୍ଥା ବଢ଼ିବା ଦ୍ୱାରା ହିଁ ଏ ପରିସ୍ଥିତିର ଉଦ୍ଭବ ନିବାରିତ ହୋଇପାରେ । ତେଣୁ ଯେଉଁମାନେ ଏ ଦେଶରୁ ଗଣତନ୍ତ୍ରକୁ ଭାଙ୍ଗିବାକୁ ଦେବାକୁ ଚାହାନ୍ତି ନାହିଁ, ପ୍ରତିରୋଧମୂଳକ ବା ଆନ୍ଦୋଳନମୂଳକ କର୍ମପନ୍ଥାର ଆବଶ୍ୟକତାରେ ବିଶ୍ୱାସ କରନ୍ତି ଓ ତାହା ଶାନ୍ତିପୂର୍ଣ୍ଣ ରଖିବା ଓ ଗଣତନ୍ତ୍ରର ଅବିରୋଧୀ ହେବା ପସନ୍ଦ କରନ୍ତି ସେମାନେ ନିଜର କର୍ମପନ୍ଥାକୁ ବାରବାର ଯଚେଇ କରି ସତ୍ୟାଗ୍ରହ ସମ୍ମତ କରିବା ପାଇଁ ପ୍ରଯତ୍ନ କରିବା ଉଚିତ ।

 

ସତ୍ୟାଗ୍ରହର ନାନା ନୀତିନିୟମକୁ ଅନେକ ନିଜ କର୍ମପନ୍ଥାର କାର୍ଯ୍ୟକାରୀତାକୁ ଊଣା କରୁଥିବା ପ୍ରତିବନ୍ଧକ ରୂପେ ହିଁ ଦେଖିଥାନ୍ତି । ଯଦି ବଳ ପ୍ରୟୋଗ ହିଁ ସକ୍ଷମତାର ମାପକାଠି ହୁଏ ଓ ଶାନ୍ତିପୂର୍ଣ୍ଣର ବ୍ୟାଖ୍ୟା ହୁଏ ଅବସ୍ଥା ଦେଖି ନ୍ୟୂନତମ ବଳପ୍ରୟୋଗରେ କାମ ହାସଲ କରିବା, ତେବେ ସତ୍ୟାଗ୍ରହର ନୀତିନିୟମଗୁଡ଼ିକ ଏଥିରେ ବାସ୍ତବିକ ପ୍ରତିବନ୍ଧକ ସୃଷ୍ଟି କରିବ । ମାତ୍ର ଯଦି ଏସବୁକୁ ଏକ ନୂତନ ଶକ୍ତିର ନିୟାମକ, ଏ ଶକ୍ତିର ବିକାଶ ପାଇଁ ଆବଶ୍ୟକ ସର୍ତ୍ତ ବୋଲି ଅନୁଭବ କରାଯାଏ ତେବେ ଏସବୁ ଆଉ ପ୍ରତିବନ୍ଧକ ବୋଲି ମନେ ହେବ ନାହିଁ ।

 

ସମାଜରେ ଅନେକ ପ୍ରକାରର ଛୋଟ ଛୋଟ ହିଂସା ଚଳି ଯାଉଛି । କୋଟିକୋଟି ବାପ ମା ଧମକ ଓ ବିଧା ଚାପୁଡ଼ା ଦ୍ୱାରା ପିଲାଙ୍କୁ ଶୃଙ୍ଖଳାରେ ରଖୁଛନ୍ତି । ପଡ଼ିଶା ସହିତ ହିଡ଼ ନେଇ ବିବାଦକୁ ଚାଷୀ ପାଞ୍ଚଟା ଠେଙ୍ଗା ସଜ କରି ଜିତି ଯାଉଛି । ଧର୍ମଘଟକାରୀ ଶ୍ରମିକମାନେ ଓ ଛାତ୍ରମାନେ ତାଙ୍କ ସହିତ ଯୋଗ ଦେଉ ନ ଥିବା ସହକର୍ମୀ ବା ସହପାଠୀଙ୍କୁ ମାଡ଼ର ଧମକ ଦେଇ ସାଧ୍ୟ କରି ଦେଉଛନ୍ତି । ଏସବୁ ହୁଣ୍ଡାପିଟା ହିଂସା ଆପାତଃ ଦୃଷ୍ଟିରେ କାମ ହାସଲ କରିନେଲେ ବି ଗଣତନ୍ତ୍ରକୁ ଦୁର୍ବଳ କରୁଛି । ଏକଛତ୍ର ଶାସନ ପାଇଁ ବାଟ ସହଜ କରୁଛି ଓ ସମାଜ ଜୀବନକୁ ମଧ୍ୟ ଦୁର୍ବିସହ କରୁଛି । ତା ଛଡ଼ା ଏସବୁ ଚଳି ଆସୁଛି ବୋଲି ଯେ ଏମିତି ହୁଣ୍ଡାପିଟା ପନ୍ଥା ଶେଷଯାଏ ଚଳିଯିବ ତାହା ନୁହେଁ । ଦେଶ ଦୁନିଆ ଆଗରେ ଯେଉଁସବୁ ବଡ଼ ବଡ଼ ସମସ୍ୟା ରହିଛି ତାର ସମାଧାନ ପାଇଁ ହୁଏ ସୁଚିନ୍ତିତ ଓ ସୁସଂଗଠିତ ହିଂସାର ନଚେତ୍‍ ସୁଚିନ୍ତିତ ଓ ସୁସଂଗଠିତ ଅହିଂସା ଆୟୋଜନ ଲୋଡ଼ା ହେବ । ମଝି ବାଟ ନାହିଁ । ଏ ଯୁଗରେ ଓ ବିଶେଷ କରି ଏ ଦେଶରେ ସମସ୍ୟା ସମାଧାନ ପାଇଁ ହିଂସା ଅଚଳ ହେଲାଣି । ସେଥିପାଇଁ ଅହିଂସାକୁ ବିଦ୍ରୂପ କରୁଥିବା କମ୍ୟୁନିଷ୍ଟ ପାର୍ଟିମାନେ ବି ସେ ବାଟରେ ଆଗେଇ ନପାରି ଶାନ୍ତିପୂର୍ଣ୍ଣ ସଂଗ୍ରାମ କଥା କହୁଛନ୍ତି । ଏ ଅବସ୍ଥାରେ ସତ୍ୟାଗ୍ରହର ଶକ୍ତି ସଂଯୋଜନ ଦିଗରେ ହିଁ ଉଦ୍ୟମ ହେବା ଚାହିଁ ।

Image

 

(ତେଇଶି)

ଦେଶରକ୍ଷାରେ ଅହିଂସାର ପ୍ରୟୋଗ

 

ଗାନ୍ଧିଜୀ ୧୯୧୪ରେ ହିଁ ଦୂରଦୃଷ୍ଟିରେ ଦେଖିଥିଲେ ଯେ ସତ୍ୟାଗ୍ରହର ପନ୍ଥା ଦିନେ ପୃଥିବୀକୁ ସାମରିକବାଦର କବଳରୁ ମୁକ୍ତ କରିବ । ବିନା ଫୌଜରେ ଦେଶରକ୍ଷା ସମ୍ଭବ ଏଭଳି ଆଭାସ ସେ ପରେ କେତେଥର ଦେଇଥିଲେ ମଧ୍ୟ ୧୯୩୮ରେ ଚେକୋସ୍ଳୋଭାକିଆ ଉପରେ ନାଜୀ ଜର୍ମାନୀର ଆକ୍ରମଣ ପ୍ରସଙ୍ଗରେ ଚେକୋସ୍ଳୋଭାକିଆବାସୀଙ୍କୁ ସମବେଦନା ଜଣାଇ କହିଥିଲେ—“ଅଥଚ ତଥାପି ମୋର ଏକଥା କହିବାର ସାହାସ ଅଛି ଯେ, ଯଦି ସେମାନେ ରାଷ୍ଟ୍ରୀୟ ସମ୍ମାନ ରକ୍ଷା ନିମନ୍ତେ ଅହିଂସା ଅସ୍ତ୍ରର ବ୍ୟବହାର ଜାଣିଥାନ୍ତେ ତେବେ ଜର୍ମାନୀର ସମସ୍ତ ଶକ୍ତି ଓ ତାହା ସାଙ୍ଗକୁ ଫାଉରେ ଇଟାଲୀର ଶକ୍ତି ବିରୋଧରେ ଛିଡ଼ା ହୋଇଥାନ୍ତେ । ଇଂଲଣ୍ଡ ଓ ଫ୍ରାନ୍‍ସ ଶାନ୍ତି ଭିକ୍ଷା କରି ଯେଉଁ ଅବମାନନା ମୁଲେଇଲେ, ଯେଉଁ ଶାନ୍ତି କି ଶାନ୍ତି ନୁହେଁ, ସେଥିରୁ ସେମାନଙ୍କୁ ରକ୍ଷା କରିଥାନ୍ତେ ଓ ଡକେଇତର ରକ୍ତପାତ ନ ଘଟେଇ ନିଜର ସମ୍ମାନ ରକ୍ଷାପାଇଁ ଦେଶର ଶେଷ ବ୍ୟକ୍ତିଟି ଯାଏ ଜୀବନ ବଳି ଦେଇଥାନ୍ତେ । ଏଭଳି ସାହାସ ବା ଏହାକୁ ସଂଯମ କୁହନ୍ତୁ, ମଣିଷ ସ୍ୱଭାବର ଅସାଧ୍ୟ ବୋଲି ମୁଁ କଦାପି ବିଚାରିବି ନାହିଁ ।’’ (ହରିଜନ ୮-୧୦-୩୮)

 

ଏହି ସମୟରେ ସେ ପ୍ରଶ୍ନ ଉଠାଇଥିଲେ ଯେ ଯଦି ଏହି ସୁଦେତେନ୍‍ ସମସ୍ୟା ନେଇ ଯୁଦ୍ଧ ଲାଗି ଯାଇଥାନ୍ତା ତେବେ ଭାରତପକ୍ଷରୁ କଂଗ୍ରେସ ଚେକୋସ୍ଳୋଭାକିଆ ସହିତ ସହାନୁଭୂତି ଦେଖେଇ ଭାରତକୁ ସ୍ୱାଧୀନତା ମିଳିଲେ ତାହା ସପକ୍ଷରେ ଯୁଦ୍ଧରେ ଯୋଗ ଦେବ ବୋଲି ଇଂଲଣ୍ଡ ପାଖରେ ସର୍ତ୍ତ ବାଢ଼ିଥାନ୍ତା ନା ଅହିଂସାର ଦୃଢ଼ ଆସ୍ଥା ପୋଷଣ କରି କୌଣସି କ୍ରମେ ଚେକୋସ୍ଳୋଭାକିଆର ରକ୍ଷା ନାଁରେ ମଧ୍ୟ, ଯୁଦ୍ଧରେ ଭାଗୀ ହେବନାହିଁ ବୋଲି ଘୋଷଣା କରିଥାନ୍ତା-?

 

ଏଭଳି ପୂର୍ଣ୍ଣ ଅହିଂସା ନିଷ୍ଠାର ତାତ୍ପର୍ଯ୍ୟ ହେଲା ଯେ ଆକ୍ରମଣର ପ୍ରତିରୋଧ ଅହିଂସା ପନ୍ଥାରେ ସମ୍ଭବ ଓ ଭାରତ ଅନ୍ୟ ଦେଶର ରକ୍ଷା ନିମନ୍ତେ ଯୁଦ୍ଧରେ ଯୋଗ ନଦେବା ସାଙ୍ଗେ ସାଙ୍ଗେ ନିଜର ଦେଶରକ୍ଷା ମଧ୍ୟ ଅହିଂସା ପନ୍ଥାରେ କରିବାର ନୀତି ଗ୍ରହଣ କରିବ ।

 

୧୯୩୮ରେ ଯୁଦ୍ଧ ଟାଳି ହେଇଗଲା ମାତ୍ର ଠିକ୍‍ ବର୍ଷକ ପରେ ୧୯୩୯ରେ ପୋଲାଣ୍ଡ ଆକ୍ରମଣରୁ ବିଶ୍ୱଯୁଦ୍ଧର ନିଆଁ ଜଳି ଉଠିଲା । ସେତେବେଳେ ମଧ୍ୟ ଗାନ୍ଧିଜୀ ଠିକ୍‍ ଉପରୋକ୍ତ ନୀତିଗତ ପ୍ରଶ୍ନ ଉଠାଇଲେ । ହିଟଲର ଯୁଦ୍ଧ ଆରମ୍ଭ କରିବା ପାଇଁ ଦାୟୀ, ତେଣୁ ଇଂଲଣ୍ଡ ଓ ଫ୍ରାନ୍‍ସ ପ୍ରତି ନୈତିକ ସମର୍ଥନ ଦର୍ଶାଇବା ସାଙ୍ଗେ ସାଙ୍ଗେ ଅହିଂସା ନୀତିରେ ଦୃଢ଼ ଆସ୍ଥା ଦୃଷ୍ଟିରୁ ଯୁଦ୍ଧରେ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ କରିପାରିବ ନାହିଁ ବୋଲି କଂଗ୍ରେସ ଘୋଷଣା କରିବା ଉଚିତ ବୋଲି ଗାନ୍ଧିଜୀ ମତ ଦେଲେ । ମାତ୍ର ଇଂଲଣ୍ଡର ସଚ୍ଚୋଟ ପଣିଆର ପ୍ରମାଣ ସ୍ୱରୂପ ସେ ଭାରତ ଓ ଅନ୍ୟ ପରାଧୀନ ଦେଶ ମାନଙ୍କର ସ୍ୱାଧୀନତା ସ୍ୱୀକାର କରୁ ତା ହେଲେ ସ୍ୱାଧୀନ ଭାରତ ସେମାନଙ୍କ ପକ୍ଷରେ ଯୁଦ୍ଧର ସାହାଯ୍ୟ କରିବ ବୋଲି କଂଗ୍ରେସ ଘୋଷଣା କଲା । କଂଗ୍ରେସର ଏ ନୀତି କଂଗ୍ରେସର ଓ ଦେଶର ଅଧିକାଂଶ ଲୋକଙ୍କର ମନୋଭାବର ଯଥାର୍ଥ ପରିଚାୟକ ଓ ତେଣୁ ଉଚିତ ବୋଲି ଗାନ୍ଧିଜୀ ସ୍ୱୀକାର କରିବା ସାଙ୍ଗେ ସାଙ୍ଗେ ନିଜ ମତରେ ଦୃଢ଼ ରହିଲେ ଓ କଂଗ୍ରେସ ତଥା ଦେଶବାସୀ ତାହାକୁ ଦିନେ ଅବଶ୍ୟ ଗ୍ରହଣ କରିବେ ବୋଲି ଦୃଢ଼ ଆସ୍ଥା ରଖିଲେ ।

 

ଏହି ସମୟରେ ସେ ବାରମ୍ବାର ମତ ପ୍ରକାଶ କରିଥିଲେ ଯେ ଭାରତ ଦେଶରକ୍ଷା ଲାଗି ଅସ୍ତ୍ର ସଜ୍ଜା କରିବ ନାହିଁ ବୋଲି କଂଗ୍ରେସ ଅର୍ଥାତ୍‍ ଦେଶବାସୀ ସ୍ଥିର କରିବା ଉଚିତ । ସ୍ୱାଧୀନ ଭାରତ ଅବଶ୍ୟ ଦେଶରକ୍ଷାର ବ୍ୟବସ୍ଥା କରିବ, ହୁଏତ ସେଥିପାଇଁ ଇଂଲଣ୍ଡର ସାହାଯ୍ୟ ନେଇ ଖୁବ୍‍ ବ୍ୟାପକ ଓ ବିଶାଳ ଆୟୋଜନ କରିବାର ସମ୍ଭାବନା ଅଛି ବୋଲି କହି ସାଙ୍ଗେ ସାଙ୍ଗେ ଏକଥା ମଧ୍ୟ କହିଥିଲେ ଯେ ‘‘ଏ ବିଷୟରେ ମୁଁ ବ୍ୟକ୍ତିଗତ ଭାବରେ ଉଦାସୀନ, କାରଣ ଡକେଇତ ଆଦିଙ୍କ ହାତରୁ ରକ୍ଷା କରିବା ପାଇଁ ଏକ ପୋଲିସ ବାହିନୀ ବ୍ୟତୀତ ମୁଁ ଆଉ କିଛି ଚାହିଁବି ନାହିଁ । ଦେଶରକ୍ଷା ପାଇଁ ତ ନିରସ୍ତ୍ର ଶାନ୍ତିପୂର୍ଣ୍ଣ ଭାରତ ସାରା ପୃଥିବୀର ଶୁଭେଚ୍ଛା ଉପରେ ନିର୍ଭର କରିବ । ମାତ୍ର ମୁଁ ଜାଣେ ଯେ ଏହା ବର୍ତ୍ତମାନ ଏକ ସ୍ଵପ୍ନ ମାତ୍ର ।’’ (ହରିଜନ ୧୦-୨-୪୦)

 

କେବଳ ଯେ ଭାରତ ଏହି ପନ୍ଥା ଗ୍ରହଣ କରିବ ବୋଲି ସେ ଆଶା କରିଥିଲେ ତା ନୁହେଁ-। ଯେତେବେଳେ ଯୁଦ୍ଧରେ ଫ୍ରାନ୍‍ସର ପତନ ଓ ଇଂଲଣ୍ଡ ଉପରେ ପ୍ରବଳ ବୋମାମାଡ଼ ଚାଲି ଯେ କୌଣସି ମୁହୂର୍ତ୍ତରେ ନାତ୍‍ସୀ ବାହିନୀ ସେ ଦେଶ ଉପରେ ଚଢ଼ାଉ କରିବେ ବୋଲି ଆଶଙ୍କା କରା ଯାଉଥିଲା । ସେତେବେଳେ ସେ ବ୍ରିଟେନବାସୀଙ୍କ ପ୍ରତି ଏକ ନିବେଦନରେ ସେମାନଙ୍କୁ ପ୍ରତିରୋଧର ଅହିଂସ ପନ୍ଥା ଗ୍ରହଣ କରିବା ପାଇଁ ସୂଚେଇ ଥିଲେ । ସେ ଲେଖିଥିଲେ—‘‘ମୁଁ ଚାହେଁ ନାହିଁ ଯେ ବ୍ରିଟେନ ପରାସ୍ତ ହେଉ, ମାତ୍ର ସେ ପଶୁ ବଳର ପରୀକ୍ଷାରେ ଜିତୁ ବୋଲି ମଧ୍ୟ ଚାହେଁ ନାହିଁ...ମୁଁ ଆପଣମାନଙ୍କ ଆଗରେ ଏକ ମହତ ଓ ଅଧିକ ଶୌର୍ଯ୍ୟସମ୍ପନ୍ନ ପନ୍ଥା ରଖିବାକୁ ସାହାସୀ ହେଉଛି । ଏହା ସର୍ବଶ୍ରେଷ୍ଠ ବୀର ସୈନିକର ଯୋଗ୍ୟ ପନ୍ଥା । ମୁଁ ଚାହେଁ ଯେ ଆପଣମାନେ ନାତ୍‍ସୀବାଦ ବିରୋଧରେ ବିନା ଅସ୍ତ୍ରରେ, ବା ସାମରିକ ବୀର ଭାଷା ବ୍ୟବହାର କଲେ, ଅହିଂସାର ଅସ୍ତ୍ର ନେଇ ଲଢ଼ନ୍ତୁ । ଆପଣଙ୍କଠାରେ ଯେଉଁସବୁ ଅସ୍ତ୍ରଶସ୍ତ୍ର ଅଛି ତାହା ଆପଣମାନଙ୍କୁ ବା ମାନବତାକୁ ରକ୍ଷା କରିବାକୁ ଅକ୍ଷମ ହେଉଥିବାରୁ ସେସବୁ ଆପଣମାନେ ଥୋଇ ଦେବେ-। ଯେଉଁସବୁ ଦେଶକୁ ଆପଣମାନେ ନିଜର ଅଧିକୃତ ଦେଶ ବୋଲି କହନ୍ତି ସେ ସବୁରୁ ସେମାନେ ଯେତେ ନେବାକୁ ଚାହାନ୍ତି ନେଇଯାନ୍ତୁ ବୋଲି ଆପଣମାନେ ହର୍‍ ହିଟଲର୍‍ ଓ ସିନିଅର ମୁସୋଲିନୀଙ୍କୁ ଆହ୍ୱାନ କରିବେ । ବହୁ ସୁନ୍ଦର ସୁନ୍ଦର ଭବନରେ ପୂର୍ଣ୍ଣ ଆପଣଙ୍କର ସୁନ୍ଦର ଦ୍ୱୀପଟିକୁ ସେମାନଙ୍କୁ ଦଖଲ କରିବାକୁ ହେବ । ଆପଣମାନେ ଏସବୁ ଛାଡ଼ିଦେବେ ମାତ୍ର ଆପଣମାନଙ୍କର ଆତ୍ମାକୁ ବା ମନକୁ କବଳିତ ହେବାକୁ ଦେବେ ନାହିଁ । ଯଦି ଏ ଭଦ୍ରଲୋକମାନେ ଆପଣମାନଙ୍କର ଘରସବୁ ଦଖଲ କରିବାକୁ ଚାହିଁବେ ତେବେ ତାହା ଆପଣମାନେ ଖାଲି କରିଦେବେ । ଯଦି ସେମାନେ ଆପଣଙ୍କୁ ଘରୁ ବାହାରି ଆସିବାକୁ ବାଟ ନ ଛାଡ଼ନ୍ତି ତେବେ ଆପଣମାନେ ସ୍ତ୍ରୀ ପୁରୁଷ ଶିଶୁ ସମେତ ସମସ୍ତେ ହାଣ ଖାଇବାକୁ ପ୍ରସ୍ତୁତ ହେବେ ପଛେ ମାତ୍ର ସେମାନଙ୍କର ଆନୁଗତ୍ୟ ସ୍ୱୀକାର କରିବେ ନାହିଁ ।’’ (ହରିଜନ ୬-୭-୪୦)

 

ଆଉ ଏକ ପ୍ରବନ୍ଧରେ (ହରିଜନ ୨୨-୬-୪୦) ପୁଣି ଲେଖିଥିଲେ—‘‘ଏହାର ବିପରୀତ ଯଦି ଚେକ୍‍, ପୋଲାଣ୍ଡବାସୀ, ନରଓ୍ୱେବାସୀ, ଫରାସୀ ଓ ଇଂରେଜମାନେ ସମସ୍ତେ ହିଟଲରଙ୍କୁ କହିଥାନ୍ତେ ‘ଧ୍ୱଂସ ପାଇଁ ଏ ସବୁ ବୈଜ୍ଞାନିକ ଆୟୋଜନ ତୁମର କରିବା ଲୋଡ଼ା ନାହିଁ । ଆମେ ତୁମର ହିଂସାର ବିରୋଧ ଅହିଂସା ଦ୍ୱାରା କରିବୁ । ତେଣୁ ତୁମେ ଆମର ଅହିଂସ ସୈନ୍ୟବାହିନୀକୁ ଟ୍ୟାଙ୍କ ଯୁଦ୍ଧଜାହାଜ ଓ ଉଡ଼ାଜାହାଜ ବିନା ହିଁ ଧ୍ୱଂସ କରିଦେଇ ପାରିବ ।’ ତେବେ ୟୁରୋପର ଅବସ୍ଥା କଣ ହୋଇଥାନ୍ତା କଳ୍ପନା କରନ୍ତୁ । ପ୍ରତ୍ୟୁତ୍ତରରେ କୁହାଯାଇପାରେ ଯେ ହିଟଲର ଯାହା ସବୁ ଏକ ରକ୍ତାକ୍ତ ଯୁଦ୍ଧ ପରେ ଦଖଲ କଲା ସେ ସବୁ ବିନା ଯୁଦ୍ଧରେ ପାଇଯାଇଥାନ୍ତା । ଠିକ୍‍ କଥା । ତେବେ ୟୁରୋପର ଇତିହାସ ଅନ୍ୟ ପ୍ରକାରେ ଲେଖା ହୋଇଥାନ୍ତା-। ଅହିଂସ ପ୍ରତିରୋଧ ସତ୍ତ୍ୱେ ବି ସେ ସବୁ ଅଧିକୃତ ହେବାର ସମ୍ଭାବନା ଥିଲା (ମାତ୍ର କେବଳ ସମ୍ଭାବନା), ଯେପରିକି ଅକଥନୀୟ ବର୍ବରତା ପରେ ସେସବୁ ଅଧିକୃତ ହୋଇଛି । ଯେଉଁମାନେ ମରିବା ପାଇଁ ନିଜକୁ ତାଲିମ କରିଥାନ୍ତେ, କେବଳ ସେହିମାନେ ହିଁ ଦରକାର ହେଲେ ଅହିଂସ ପ୍ରତିରୋଧରେ ମରିଥାନ୍ତେ, ମାତ୍ର କାହାରିକୁ ନ ମାରି ବା କାହାରି ପ୍ରତି ଦ୍ୱେଷ ନରଖି । ମୁଁ ଏହା କହିବାକୁ ସାହସ କରୁଛି ଯେ ଯେପରି କ୍ଷେତ୍ରରେ ୟୁରୋପର ନୈତିକ ପ୍ରତିଷ୍ଠା ବହୁତ ବଢ଼ି ଯାଇଥାନ୍ତା । ଏବଂ ଶେଷକୁ ନୈତିକ ପ୍ରତିଷ୍ଠାରେ ହିଁ ମୂଲ୍ୟ ରହିବ ବୋଲି ମୁଁ ଆଶା କରେ । ଆଉ ସବୁତ ଭଲ ।

 

‘‘ଏ କେତେ ଧାଡ଼ି ମୁଁ ୟୁରୋପୀୟ ଶକ୍ତିମାନଙ୍କ ପାଇଁ ଲେଖିଛି । ମାତ୍ର ଏସବୁ ଆମ ନିଜପାଇଁ…..’’

 

୧୯୪୨ରେ ଜାପାନ, ସିଙ୍ଗାପୁର, ବର୍ମା ଆଦି ଦଖଲ କରିନେଲା ଓ ଭାରତ ଉପରେ ଆକ୍ରମଣ କରିବ ବୋଲି ଆଶଙ୍କା ସୃଷ୍ଟି ହେଲା । ଆକ୍ରମଣ ହେଲେ ଆସାମ, ବଙ୍ଗଳା; ଓଡ଼ିଶା ପ୍ରଭୃତି ଅଞ୍ଚଳରୁ ଇଂରେଜମାନେ ଅପସରି ଯିବା ପାଇଁ ମଧ୍ୟ ଆୟୋଜନ କରିବାରେ ଲାଗିଲେ । ବଙ୍ଗଳା ଓ ଓଡ଼ିଶାର ଉପକୂଳ ଅଞ୍ଚଳରୁ ଡଙ୍ଗା, ସାଇକେଲ, ମୋଟର ଆଦି ସମସ୍ତ ଯାନବାହାନ କାଢ଼ି ନିଆଗଲା । ଏହି ଜାପାନୀ ଆକ୍ରମଣ ବେଳେ ଅହିଂସାରେ ବିଶ୍ୱାସୀ ଲୋକେ କିଭଳି ଆଚରଣ କରିବେ ତାହାର କେତେକ ସୂଚନା ଗାନ୍ଧିଜୀ ଦେଇଥିଲେ । ସେ ଲେଖିଥିଲେ—

 

‘‘ସେମାନେ ଦେଶରେ ଓହ୍ଲାଇବା ମାତ୍ରେ ଅହିଂସ ପ୍ରତିରୋଧ ଆରମ୍ଭ ହୋଇପାରେ । ଅହିଂସ ପ୍ରତିରୋଧକାରୀମାନେ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ଏପରିକି ପାଣି ସୁଦ୍ଧା ଦେବେ ନାହିଁ । କାରଣ ତାଙ୍କ ଦେଶକୁ ଅପହରଣ କରିବାକୁ ବସିଥିବା ଲୋକଙ୍କୁ ସାହାଯ୍ୟ କରିବା ସେମାନଙ୍କର କର୍ତ୍ତବ୍ୟ ନୁହେଁ । ମାତ୍ର ଯଦି ଜଣେ ଜାପାନୀ ବାଟ ଭୁଲିଯାଇ ତୃଷାରେ ମୁମୂର୍ଷୁ ହୋଇଥାଏ ଓ ଜଣେ ମଣିଷ ହିସାବରେ ସାହାଯ୍ୟ ଲୋଡ଼େ ତେବେ ଏକ ଅହିଂସ ପ୍ରତିରୋଧକାରୀ, ଯେକି କାହାରିକୁ ଶତ୍ରୁ ବୋଲି ବିଚାରିବାର ନୁହେଁ, ସେ ତୃଷାର୍ତ୍ତ ଲୋକକୁ ପାଣି ଦେବ । ଧରନ୍ତୁ ଜାପାନୀମାନେ ପ୍ରତିରୋଧକାରୀଙ୍କୁ ପାଣି ଆଣିଦେବା ପାଇଁ ବାଧ୍ୟ କଲେ । ତେବେ ପ୍ରତିରୋଧକାରୀ ଏହାର ପ୍ରତିରୋଧ କରି ପ୍ରାଣ ଦେବେ । ସେମାନେ ସମସ୍ତ ପ୍ରତିରୋଧକାରୀଙ୍କୁ ନିପାତ କରିଦେବାର ସମ୍ଭାବନା କଳ୍ପନୀୟ । ଏଭଳି ଅହିଂସ ପ୍ରତିରୋଧ ମୂଳରେ ଏହି ବିଶ୍ଵାସ ରହିଛି ଯେ ଆକ୍ରମଣକାରୀ ପ୍ରତିରୋଧକାରୀଙ୍କୁ ହତ୍ୟା କରି କରି ଶେଷକୁ ମାନସିକ ଓ ଏପରିକି ଶାରୀରିକ କ୍ଳାନ୍ତିରେ ଅବସନ୍ନ ହୋଇ ପଡ଼ିବ । କୌଣସି ପ୍ରକାରର ଆଘାତ ନ ଦେଇ ସହଯୋଗ କରିବାକୁ ଅସ୍ୱୀକାର କରୁଥିବା ଏ ନୂଆ (ତାହା ପକ୍ଷରେ) ଶକ୍ତିଟି କଣ ତାହା ସେ ଜାଣିବା ପାଇଁ ଉଦ୍ୟମ କରିବ ଓ ହୁଏତ ଅଧିକ ହତ୍ୟାକାଣ୍ଡରୁ ନିବୃତ୍ତ ହେବ....... ।

 

ପୁଣି ‘‘ଏହା ମୂଳରେ ଏହି ବିଶ୍ୱାସ ରହିଛି ଯେ ନିରୋଙ୍କ ଭଳି ଏକ ନିଷ୍ଠୁର ବ୍ୟକ୍ତିର ମଧ୍ୟ ହୃଦୟ ଅଛି । ସ୍ତ୍ରୀ ଓ ପୁରୁଷଙ୍କର ଅସରନ୍ତି ଧାଡ଼ି ପରେ ଧାଡ଼ି ଆସି ଆକ୍ରମଣକାରୀର ଇଚ୍ଛାର ବଶ ହେଵା ପରିବର୍ତ୍ତେ ମରଣକୁ ପସନ୍ଦ କରିବାର ଏ ଅପ୍ରତ୍ୟାଶିତ ଦୃଶ୍ୟ ଶେଷକୁ ତାହାର ଓ ତାହାର ସୈନ୍ୟବାହିନୀର ହୃଦୟ ତରଳାଇ ଦେବ । ବ୍ୟବହାରିକ ଦୃଷ୍ଟିରୁ ବିଚାରିଲେ ଏ ପନ୍ଥାରେ ବଳ ପୂର୍ବକ ପ୍ରତିରୋଧ ତୁଳନାରେ ସମ୍ଭବତଃ ଅଧିକ ପ୍ରାଣକ୍ଷୟ ହେବନାହିଁ । ଅସ୍ତ୍ରଶସ୍ତ୍ର ଓ ଦୁର୍ଗ ଆଦି ପାଇଁ ତ ମୋଟେ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଲୋକଙ୍କୁ ଅହିଂସାରେ ଯେଉଁ ତାଲିମ ମିଳିବ ତାହା ସେମାନଙ୍କର ନୈତିକ ପ୍ରତିଷ୍ଠା ଅଚିନ୍ତନୀୟ ଭାବରେ ବଢ଼ାଇ ଦେବ । ଏଭଳି ନରନାରୀମାନେ ସଶସ୍ତ୍ର ଯୁଦ୍ଧ ଅପେକ୍ଷା ବହୁଗୁଣରେ ଉଚ୍ଚକୋଟୀର ବ୍ୟକ୍ତିଗତ ଶୌଯ୍ୟର ପରିଚୟ ଦେବେ ।’’ (ହରିଜନ ୧୩-୪-୪୦)

 

ଅସ୍ତ୍ରସଜ୍ଜାର ପରସ୍ପର ପ୍ରତିଯୋଗୀତା ଯୋଗୁଁ ହିଁ ଅଧିକରୁ ଅଧିକ ଭୟଙ୍କର ମାରାଣାସ୍ତ୍ରର ସଂଭାର ସୃଷ୍ଟି ହେଉଛି । ଗୋଟିଏ ପକ୍ଷ କୌଣସି ଅସ୍ତ୍ର ନ ଧରିବାକୁ ସ୍ଥିର କଲେ ଅପରପକ୍ଷର ମଧ୍ୟ ଆଉ ନାନା ପ୍ରକାରର ଏକରୁ ବଳି ଆରେକ ଭୟଙ୍କର ଅସ୍ତ୍ର ରଖିବା ଆବଶ୍ୟକ ହେବ ନାହିଁ । ଗାନ୍ଧିଜୀ ଏହି ସରଳ ସତ୍ୟଟି ପ୍ରତି ଇଙ୍ଗିତ ଇଂରେଜମାନଙ୍କୁ ତାଙ୍କର ନିବେଦନରେ କରିଛନ୍ତି, ଏହା ଆମେ ଦେଖିଛୁ । ଏକ ଅନ୍ୟ ପ୍ରସଙ୍ଗରେ ମଧ୍ୟ ସେ ଏହି ବିଷୟରେ କହିଥିଲେ— ‘‘ଗୋଟିଏ କଥା ଭୁଲି ଯିବାର ନୁହେଁ । ନିରସ୍ତ୍ର ଭାରତକୁ ସଂହାର କରିବା ପାଇଁ ବିଷବାଷ୍ପ ବା ବୋମା ବର୍ଷଣ ଲୋଡ଼ା ହେବ ନାହିଁ । ମେଜିନୋ ଲାଇନ୍‍ ଯୋଗୁଁ ହିଁ ସୀଗ୍‍ଫ୍ରୀଡ଼ ଲାଇନ୍‍ର ସୃଷ୍ଟି । ଏବଂ ଏହାର ବିପରୀତ ମଧ୍ୟ । ଭାରତ ବ୍ରିଟେନର ଏକ ଲାଙ୍ଗୁଡ଼ ହୋଇ ରହିଛି ବୋଲି ଏବର ପନ୍ଥାରେ ତାର ପ୍ରତିରକ୍ଷାର ଆୟୋଜନ ଲୋଡ଼ା ହେଉଛି । ସ୍ୱାଧୀନ ଭାରତର କେହି ଶତ୍ରୁ ନ ଥିବ-। ଯଦି ଭାରତବାସୀ ଦୃଢ଼ଭାବରେ ‘ନା’ କହିବାର ଓ ସେହି ଅନୁସାରେ କାର୍ଯ୍ୟ କରିବାର କଳା ଶିଖିଥିବେ ତେବେ ମୁଁ ସାହାସର ସହ କହିପାରେ ଯେ କେହି ତାକୁ ଆକ୍ରମଣ କରିବାକୁ ଚାହିଁବେ ନାହିଁ । ଆମର ଅର୍ଥନୀତି ଏଭଳି ଗଢ଼ା ହୋଇଥିବ ଯେ ତାହା କୌଣସି ଶୋଷକଙ୍କୁ ପ୍ରଲୁବ୍‍ଧ କରିବ ନାହିଁ ।’’ (ହରିଜନ ୧୪-୧୦-୩୯)

 

ଅବଶ୍ୟ ସେ ସମୟରେ ଭାରତ ଉପରେ ଜାପାନର ଆକ୍ରମଣ ହେଲା ନାହିଁ ଓ ଯୁଦ୍ଧର ଗତି ମଧ୍ୟ ବଦଳିଲା । ସ୍ୱାଧୀନ ଭାରତରେ ସରକାର ଗତାନୁଗତିକ ପନ୍ଥାରେ ସୈନ୍ୟବାହିନୀ ଦ୍ୱାରା ଦେଶରକ୍ଷାର ଆୟୋଜନ କରିଛନ୍ତି ଓ ଗାନ୍ଧିଜୀଙ୍କର କଳ୍ପନା ଅବ୍ୟାବହାରିକ ବୋଲି ଆଡ଼େଇ ଦିଆଯାଇଛି । ମାତ୍ର ଦୁନିଆରେ ପରମାଣୁ ଅସ୍ତ୍ର, ଆର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର, ଆଣବିକ ବୁଡ଼ାଜାହାଜ ଆଦି ସଂହାରର ସମ୍ଭାର ବଢ଼ିବା ସାଙ୍ଗେ ସାଙ୍ଗେ ଏକ ଦିଗରେ ନିରସ୍ତ୍ରୀକରଣ ସପକ୍ଷରେ ଜନମତ ଓ ଅନ୍ୟ ଦିଗରେ ଆକ୍ରମଣର ଅହିଂସ ପ୍ରତିରୋଧର ସମ୍ଭାବନା ବିଷୟରେ ଉତ୍ସୁକତା ବୃଦ୍ଧି ପାଇଛି । ପୃଥିବୀର ବିଭିନ୍ନ ଦେଶର ଶାନ୍ତିବାଦୀ ଗୋଷ୍ଠୀମାନେ ଏ ବିଷୟରେ ଚିନ୍ତା ଓ ଗବେଷଣା କରୁଛନ୍ତି ।

 

ଏମାନଙ୍କ ମଧ୍ୟରେ ଇଂଲଣ୍ଡର ସାର ଷ୍ଟିଫେନ କିଙ୍ଗ ହଲ୍‍ଙ୍କ ନାମ ଉଲ୍ଲେଖଯୋଗ୍ୟ । ଏ ଇଂଲଣ୍ଡର ସାମରିକ ବାହିନୀର ଜଣେ ସେନାପତି ଥିଲେ ଓ ଅବସର ଗ୍ରହଣ କଲାପରେ ପରମାଣୁ ଯୁଗରେ ଦେଶକୁ ଆକ୍ରମଣରୁ ରକ୍ଷା କରିବା ସମସ୍ୟା ବିଷୟରେ ଚିନ୍ତା ଓ ଗବେଷଣା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଯଦି ବ୍ରିଟେନ ଗତାନୁଗତିକ ପନ୍ଥାରେ ଆତ୍ମରକ୍ଷା ପାଇଁ ସାମରିକ ଆୟୋଜନ କରି ଲାଗିଥିବ ତେବେ ସେ କଦାପି ରୁଷ୍‍ଭଳି ଏକ ମହାଶକ୍ତିର ସମକକ୍ଷ ହୋଇ ପାରିବ ନାହିଁ । ତାକୁ ଆମେରିକା ପ୍ରଭୃତି ଅନ୍ୟ ଦେଶ ଉପରେ ଭରସା କରିବାକୁ ପଡ଼ିବ ଏବଂ ଯେ କୌଣସି ଅବସ୍ଥାରେ ଆର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ଦ୍ୱାରା, ପରମାଣୁ ବୋମାଦ୍ୱାରା, ଆକ୍ରମଣ ହେଲେ ଇଂଲଣ୍ଡରେ ରକ୍ଷା କରିବା ଭଳି ଆଉ ବିଶେଷ କିଛି ଧ୍ୱଂସ ମୁହଁରୁ ବଳି ନ ଥିବ । ଏହା ପରିବର୍ତ୍ତେ ବ୍ରିଟେନ ଯଦି ଅସ୍ତ୍ରଶସ୍ତ୍ରର ଆଶ୍ରୟ ଛାଡ଼ି ଦେଇ ଅହିଂସ ପ୍ରତିରୋଧର ପନ୍ଥା ଧରେ ତେବେ ତାହାର ଏ ଆତ୍ମରକ୍ଷା ଉଦ୍ୟମ ସଫଳ ହେବାର ସମ୍ଭାବନା ବେଶି ରହିଛି ବୋଲି ସେ ଆପଣାର Defence in the Nuclear Age (ପରମାଣୁ ଯୁଗରେ ଦେଶରକ୍ଷା) ବହିରେ ଯୁକ୍ତି ବାଢ଼ିଛନ୍ତି ।

 

ଅଳ୍ପ ଦିନ ତଳେ ଆମେରିକା ଯୁକ୍ତରାଷ୍ଟ୍ରର ଏକ ଶାନ୍ତିବାଦୀ ଗୋଷ୍ଠୀ ଏହି ପ୍ରଶ୍ନର ମନୋବୈଜ୍ଞାନିକ ଅଧ୍ୟୟନ ଉଦ୍ଦେଶ୍ୟରେ ଗୋଟିଏ ଛୋଟ ଦ୍ଵୀପରେ ଏକ ତିନି ଦିନିଆ ପରୀକ୍ଷାମୂଳକ ଅଭ୍ୟାସ ବା ଅଭିନୟ କରିଥିଲେ । ସେମାନଙ୍କ ଭିତରୁ ଦଳେ ସେ ଦ୍ୱୀପର ଶାନ୍ତିବାଦୀ ଅଧିବାସୀ ଓ ଅନ୍ୟ ଦଳେ ଆକ୍ରମଣକାରୀଙ୍କ ଭୂମିକା ଗ୍ରହଣ କରିଥିଲେ ଓ ସଂଘର୍ଷ ପରିସ୍ଥିତିରେ ପରସ୍ପରଙ୍କର ଆଚରଣ ପରସ୍ପରଙ୍କ ମନ ଉପରେ କି ଭଳି ପ୍ରତିକ୍ରିୟା ହେଉଛି ତାହାର ସୂକ୍ଷ୍ମ ଅଧ୍ୟୟନ କରିଥିଲେ । ଏହି ଧରଣର ଚିନ୍ତା ଓ ଗବେଷଣା ଅନେକ ଆଡ଼େ ଚାଲିଛି ।

 

ଯେତେବେଳେ ୧୯୬୨ର ଅକ୍ଟୋବର ମାସରେ ଚୀନ୍‍ ସହିତ ଭାରତର ସଂଘର୍ଷ ଲାଗିଗଲା ସେତେବେଳେ ଏ ଦେଶର ବହୁ ଅହିଂସାବାଦୀ ଚୀନ୍‍ର ଆକ୍ରମଣ ସମ୍ମୁଖରେ ଅହିଂସ ପ୍ରତିରୋଧାର ସମ୍ଭାବନା କଥା ଚିନ୍ତା କରିବାକୁ ଲାଗିଲେ । ଦଳେ ସତ୍ୟାଗ୍ରହୀ ଯାଇ ଚୀନ୍‍ ସେନାର ସାମନାରେ ବା ଉଭୟ ସୈନ୍ୟବାହିନୀ ମଝିରେ ଛିଡ଼ା ହୋଇ ଅହିଂସ ପ୍ରତିରୋଧ କରିବା କଥା ଉଠିଲା । ସେତେବେଳେ ଯୁଦ୍ଧ ଖୁବ୍‍ ଅଳ୍ପ ସମୟ ଭିତରେ ସରିଗଲା, ମାତ୍ର ପରେ ପୁଣି ସଂଘର୍ଷ ଲାଗିଲେ ଏଭଳି ପ୍ରତିରୋଧ ପାଇଁ ଏକ ସତ୍ୟାଗ୍ରହୀ ବାହିନୀ ଗଠନର କଳ୍ପନା କେହି କେହି କରିଥିଲେ ।

 

ଏହି ସମୟରେ ବିନୋବାଜୀ ମଧ୍ୟ ସାଧାରଣ ବକ୍ତୃତାରେ ନିଜର ମତାମତ ପ୍ରକାଶ କରିଥିଲେ ଓ ତାଙ୍କ ସହିତ ଏ ପ୍ରସଙ୍ଗରେ ବହୁତ ଘରୋଇ ଆଲୋଚନା ମଧ୍ୟ ହୋଇଥିଲା । ତାଙ୍କ ମତରେ ଆକ୍ରମଣର ଅହିଂସ ପ୍ରତିରୋଧ ସେତିକିବେଳେ ସମ୍ଭବ ହେବ ‘‘ଯେତେବେଳେ ଅହିଂସ ଶାନ୍ତି ସୈନିକ ଚିତ୍ତର ଉପରକୁ ଉଠିଥିବେ ଓ ସେମାନଙ୍କ ହୃଦୟରେ ଏ ଭାବି ନ ଥିବ ଯେ ସେମାନେ ଶତ୍ରୁ ସେନାର ମୁକାବିଲା କରୁଛନ୍ତି । ସେମାନେ ଆମର ଭାଇ, ମାତ୍ର ଉନ୍ନାର୍ଗଗାମୀ ସେମାନଙ୍କୁ ଯାଇ ବୁଝାଇବାକୁ ହେବ, ଏହି ମନୋଭାବ ନେଇ ଏକଦମ ହସ ହସ ମୁହଁରେ ମୈତ୍ରୀ ଭାବରେ ଉଦ୍‍ବୁଦ୍ଧ ହୋଇ ସେମାନଙ୍କ ସାମନାକୁ ଯିବା । ପୁଣି ଏମାନଙ୍କ ପଛରେ ଏଭଳି ଅହିଂସକ ସମାଜ ଥିବ ଯେ ଅହିଂସ ଢଙ୍ଗରେ ଚଳୁଥିବ, ସେଥିରେ କଳିଗୋଳ, ମାଡ଼ପିଟ ନ ଥିବ । ଲୋକେ ସ୍ୱୟଂସ୍ଫୁର୍ତ୍ତ ଭାବରେ କାମ କରୁଥିବେ । ଯେଉଁଥିରେ ଭୋଗବୃତ୍ତି ଓ ଉଚ୍ଛୃଙ୍ଖଳତା ଊଣା ଥିବ, ସଂଯମ ଥିବ, ସେହି ଅହିଂସକ ସମାଜରେ ପ୍ରତୀକ ସ୍ୱରୂପ ଗୋଟିଏ ସେନା ରହିବ ତାହା ହେବ ଶାନ୍ତିସେନା-। ସାରା ସମାଜ ହିଂସାରେ ବୁଡ଼ି ରହିଥିବ ଓ ଅଳ୍ପ କେତେକ ଶାନ୍ତିସୈନିକ ଥିବେ ଏହା ଶାନ୍ତିସେନାର ଲକ୍ଷଣ ନୁହେଁ । ସାରା ସମାଜ ଅହିଂସାମୟ ହେବ ଓ ତାର ପ୍ରତିନିଧି, ଫୁଲ ବା ଫଳ, ଶାନ୍ତିସୈନିକ ହେଲେ ଯାଇ କାମ ହେବ । ଯେପରି ଆମ୍ବଗଛର ସର୍ବଶ୍ରେଷ୍ଠ ଅଂଶ ତାହାର ଫଳ—ଆମ୍ବ । ମାତ୍ର ଗଛତ ନିମ ଅଥଚ ସେଥିରେ ଆମ୍ବ ଫଳିଛି, ଏହା କେବେ ସମ୍ଭବ ନୁହେଁ’’ (୨/୨୨/୬୨ ଚୀନ୍‍ ଭାରତ ସୀମା ସଂଘର୍ଷ ସ : ସେ : ସ : ପୃ ୭୭)

 

ଏକ ଆଲୋଚନା ପ୍ରସଙ୍ଗରେ ବିନୋବାଜୀ କହିଥିଲେ ଯେ ହିଂସକ ସିପାହୀ ଯେପରି ଦୁର୍ବଳ ବା ଭୀରୁର ପ୍ରତିନିଧି ଓ ରକ୍ଷକ ହୋଇପାରେ, ଲୋକେ ପଇସା ଦେଲେ ସିପାହୀ ତାଙ୍କର ରକ୍ଷା କରେ, ଅହିଂସାରେ ସେଭଳି ହୋଇପାରେ ନାହିଁ । ସମାଜ ଦୁଧ ଓ ଶାନ୍ତି ସୈନିକ ତହିଁରୁ ବାହାରିଥିବା ମଖନ ହେବ (୪/୩/୬୩ ବ୍ୟକ୍ତିଗତ ଚର୍ଚ୍ଚା ଅପ୍ରକାଶିତ)

 

ଏହାଛଡ଼ା ଶାନ୍ତି ସୈନିକମାନେ ଯାଇ ଆକ୍ରମଣକାରୀଙ୍କ ଆଗରେ ଛିଡ଼ା ହେବା ପ୍ରସ୍ତାବକୁ ମଧ୍ୟ ସେ ଅତି ସ୍ଥୂଳ ଓ ଅବୈଜ୍ଞାନିକ ବୋଲି ସମାଲୋଚନା କରିଥିଲେ । ଏ ପ୍ରସ୍ତାବର ସମର୍ଥକମାନଙ୍କୁ ସେ ପଚାରିଥିଲେ ଯେ ସତ୍ୟାଗ୍ରହ ଶରୀରର ଵଳ ଉପରେ ନିର୍ଭର କରେ ନା ଆତ୍ମବଳ ଉପରେ ? ଯଦି ନେଫା ବା ଲଦାଖରେ ପର୍ବତ ଉପରେ ଯାଇ ସତ୍ୟାଗ୍ରହ କରିବାକୁ ପଡ଼େ ତେବେ ତ ବଳୁଆ ଲୋକହିଁ ତାହା କରି ପାରିବ । ଜୟପ୍ରକାଶ ନାରାୟଣ, ଧୀରେନ୍ଦ୍ର ମଜୁମଦାର ବା ସ୍ୱୟଂ ବିନୋବାଜୀଙ୍କ ପରି ବହୁ ସତ୍ୟାଗ୍ରହୀ, ଯାହାଙ୍କର ବିଚାର ପରିପକ୍ୱ ଓ ଯେ ଆତ୍ମଶକ୍ତିସଂପନ୍ନ, ସେମାନେ କଣ ସେଠାକୁ ଯାଇ ପାରିବେ ? ତେଣୁ ଏଭଳି ପରିସ୍ଥିତିରେ ଆତ୍ମଶକ୍ତି କିଭଳି କାମ କରିବ ତାହାର ବାଟ ଖୋଜିବାକୁ ହେବ ।

 

ସେ ଆହୁରି କହିଥିଲେ ଯେ ଆଜିଯାଏ ଆନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ସତ୍ୟାଗ୍ରହର ବ୍ୟବହାରର କୌଣସି ଉଦାହରଣ ଥିବାର ଜଣ ନାହିଁ । ଚୀନ୍‍ ଆକ୍ରମଣର ବିରୋଧ ଏହି ଧରଣର ସତ୍ୟାଗ୍ରହ ହେବ । ଏହା କି ଢଙ୍ଗର ହେବ ତାହା ଏବେ ଆମକୁ ଜଣାନାହିଁ । ତାହାର ବାଟ ଆମକୁ ଖୋଜିବାକୁ ପଡ଼ିବ । (ସ.ସେ.ସ. ଅଧିବେଶନ ରିପୋର୍ଟ ପୃ ୮୭ ଆରାମବିତା ୧/୫/୬୩) ଏଭଳି ସତ୍ୟାଗ୍ରହ ଶକ୍ତି କେବଳ ସାମନା ସାମନି ଅବସ୍ଥାରେ ନୁହେଁ ସୁଦୂରବର୍ତ୍ତୀ ପ୍ରତିପକ୍ଷ ଉପରେ ମଧ୍ୟ କିଭଳି ପ୍ରଭାବ ପକାଇ ପାରିବ ତାହାର ଉପାୟ ପାଞ୍ଚିବାକୁ ହେବ ବୋଲି ସେ କହିଥିଲେ ।’’ ଏଭଳି ପ୍ରଭାବ ସୃଷ୍ଟି କରିବାକୁ ହେବ ଯେପରି କି ଯେଉଁ ହାତ ଦ୍ୱାରା ପରମାଣୁ ବୋମା ଆଦି ତିଆରି ହୋଇଛି ସେହି ହାତ ହିଁ ସେ ସବୁକୁ ସମୁଦ୍ରରେ ବୁଡ଼ାଇ ଦେବ ।’’

 

ଆଉ ଗୋଟିଏ କଥା ପ୍ରତି ମଧ୍ୟ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଆଉ ଦୁନିଆରେ ଏ ପରିସ୍ଥିତି ନାହିଁ ଓ ଖାସ୍‍କରି ଦେଶ ଦେଶ ଭିତରେ ବିରୋଧ ବା ସଂଘର୍ଷ ବେଳେ ଏହା ହୋଇ ନ ଥାଏ ଯେ ସେଥିରେ ଗୋଟିଏ ପକ୍ଷ ଶିଷ୍ଟ ଓ ଅନ୍ୟଟି ଦୃଷ୍ଟ । ପ୍ରତିପକ୍ଷ ଦୁଷ୍ଟ ଓ ତାହାର ହୃଦୟ ବଦଳାଇବାକୁ ହେବ ଏ କଥା ଆଉ ନାହିଁ । ସାମନାବାଲା ବି ଭଲ ଲୋକ ମାତ୍ର ଭ୍ରାନ୍ତ ଢଙ୍ଗରେ ଚିନ୍ତା କରୁଛି । ତେଣୁ ତାର ବିଚାର ବା ଚିନ୍ତାକୁ ଠିକ୍‍ ଦିଗକୁ ନେବା ପାଇଁ ସାହାଯ୍ୟ ଆବଶ୍ୟକ । ତେଣୁ ସତ୍ୟାଗ୍ରହର ବ୍ୟାପକ ପ୍ରଭାବ କି ଭାବରେ କାର୍ଯ୍ୟକାରୀ ହୋଇପାରିବ ତାହା ଚିନ୍ତା କରିବା ଉଚିତ ।

 

ଏସବୁ ଭିତରୁ ଦୁଇଟି କଥା ସ୍ପଷ୍ଟ ହେଉଛି । ପ୍ରଥମତଃ, ଗୋଟିଏ ଆଡ଼େ ଅଧିକାଂଶ ଦେଶବାସୀଙ୍କର ଅହିଂସ ପନ୍ଥାରେ ଆସ୍ଥା ନଥିବ, ସେମାନଙ୍କ ପକ୍ଷରୁ ଦେଶର ସରକାର ଦେଶରକ୍ଷା ପାଇଁ ସାମରିକ ଉଦ୍ୟମ କରୁଥିବ ଓ ଏଣେ କେତେକ ଅହିଂସାବାଦୀ ସତ୍ୟାଗ୍ରହୀ ଯାଇ ଅହିଂସା ପ୍ରତିରୋଧର ଉଦ୍ୟମ କରୁଥିବେ, ଏହା ସମ୍ଭବ ନୁହେଁ । ଯେଉଁଠି ଏଭଳି ଦେଶ ପକ୍ଷରୁ ସଶସ୍ତ୍ର ପ୍ରତିରୋଧ ଚାଲିଥିବ ସେଠି ଅହିଂସାର ବିଶ୍ୱାସ ରଖୁଥିବା ଅଳ୍ପ କେତେକ ସତ୍ୟାଗ୍ରହୀଙ୍କୁ ଅନ୍ୟ ଢଙ୍ଗରେ ଚିନ୍ତା ଓ କାର୍ଯ୍ୟ କରିବାକୁ ହେବ । ଗୋଟିଏ କାର୍ଯ୍ୟ ତ ସ୍ପଷ୍ଟ ଯେ ଦେଶବାସୀଙ୍କୁ ଅହିଂସାର ମହତ୍ତ୍ୱ ବୁଝାଇବା ଓ ଦେଶର ସମାଜ ବ୍ୟବସ୍ଥା ଓ ଦୈନନ୍ଦିନ ଜୀବନ କିଭଳି ଅହିଂସା ଆଡ଼କୁ ଆଗେଇବ ତାହାର ଉଦ୍ୟମ ସତ୍ୟାଗ୍ରହୀ କରିବ । ବିନୋବାଜୀଙ୍କ ନେତୃତ୍ୱରେ ଭାରତର ସର୍ବୋଦୟ କର୍ମୀଗୋଷ୍ଠୀ ଗ୍ରାମଦାନ ଓ ଶାନ୍ତିସେନାର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଉଦ୍ୟମରେ ହିଁ ଲାଗିଛନ୍ତି ।

 

ବିନୋବାଜୀ ବୁଝାଇଲା ପରି ହିଂସାତ୍ମକ ହେଉ ବା ଅହିଂସାତ୍ମକ, ଆକ୍ରମଣ ବିରୋଧରେ ପ୍ରତିରୋଧ ଶକ୍ତିର ଉତ୍ସ ହେଲା ସେ ଦେଶର ଜନସାଧାରଣଙ୍କର ମନୋବଳ । ଆଭ୍ୟନ୍ତରୀଣ ବିଭେଦ ଓ ସଂଘର୍ଷ ଏ ମନୋବଳକୁ କ୍ଷୁର୍ଣ୍ଣ କରେ । ବିଶେଷ କରି ଚୀନ୍‍ ସହିତ ସଂଘର୍ଷର ପରିପ୍ରେକ୍ଷିରେ ଏ ଦେଶରେ ବ୍ୟାପି ରହିଥିବା ଘୋର ଆର୍ଥିକ ଓ ସାମାଜିକ ବୈଷମ୍ୟ ଯୋଗୁଁ ‘‘ଏ ଦେଶର ଗାଁ ଗାଁରେ ଚୀନ୍‍ ଓ ଆମେରିକା ସୃଷ୍ଟି ହେଉଛି । ଗରିବ ଲୋକଙ୍କର ଚୀନ୍‍ ପ୍ରତି ସହାନୁଭୂତି ରହୁଛି । ଚୀନ୍‍ ଆସିଲେ ଆମର ଅବସ୍ଥା ସୁଧୁରିବ ବୋଲି ଆଶା କରୁଛନ୍ତି ।’’ ତେଣୁ ପରିସ୍ଥିତିକୁ ବଦଳାଇବା ଦେଶରକ୍ଷାର ପ୍ରଥମ ସୋପାନ । ଏହି ଦୃଷ୍ଟିରୁ ବିନୋବାଜୀ ଗ୍ରାମଦାନକୁ ଦେଶରକ୍ଷା-ବ୍ୟବସ୍ଥା ବୋଲି କହୁଛନ୍ତି, କାରଣ ଏହା ବୈଷମ୍ୟ ଦୂର କରିବାର ବାଟ ଫିଟାଉଛି ।

 

ଗାନ୍ଧିଜୀ କହିଥିଲେ ଯେ ଭାରତର ଆର୍ଥିକ ବ୍ୟବସ୍ଥା ଏପରି ହେବ ଯେ ତାହା ଅନ୍ୟ କାହାରି ଲୋଲୁପ ଦୃଷ୍ଟି ଆକର୍ଷଣ କରିବ ନାହିଁ । ଏହାର ଅପର ପାଖ ହେଉଛି ଅହିଂସ ପ୍ରତିରୋଧ କରିବାକୁ ଚାହୁଁଥିବା ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ଅର୍ଥନୀତି ଉପରେ ଲୋଲୁପ ଦୃଷ୍ଟି ପକାଇବ ନାହିଁ । ନିଜର ବଜାର ବଢ଼ାଇବା ଦୃଷ୍ଟିରୁ ସେ ଅନ୍ୟ ଦେଶମାନଙ୍କୁ ନିଜ କବଳରେ ବା ପ୍ରଭାବରେ ରଖିବାକୁ ବ୍ୟଗ୍ର ନଥିବ । ଗାନ୍ଧିଜୀଙ୍କର ଵିକେନ୍ଦ୍ରିତ ଅର୍ଥନିତୀ ପରିକଳ୍ପନା ଭିତରେ ଏହିଭଳି ଏକ ବ୍ୟବସ୍ଥା ଆଡ଼କୁ ସଙ୍କେତ ରହିଛି । ତାହାର ବିସ୍ତୃତ ଆଲୋଚନା ଏଠାରେ ସମ୍ଭବ ନୁହେଁ ମାତ୍ର ଏହି ସନ୍ଦର୍ଭରେ ତାହାର ପ୍ରାସଙ୍ଗିକତା ଅନସ୍ୱୀକାର୍ଯ୍ୟ ।

 

ଅହିଂସ ପ୍ରତିରୋଧର ମହତ୍ତ୍ୱ ଓ ଦିନେ ନା ଦିନେ ଆମ ଦେଶକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ହେବ, ଏକଥା ମଧ୍ୟ ଜନସାଧାରଣଙ୍କ ଭିତରେ ବିନୋବାଜୀ ଏବଂ ତାଙ୍କର ସାଥୀମାନେ ପ୍ରଚାର କରିଥାନ୍ତି । ସେଥିରେ ସେମାନେ ଏକଥା ଉପରେ ଜୋର ଦେଇଥାନ୍ତି ଯେ ଦେଶ ରକ୍ଷାର ସମସ୍ତ ଦାୟିତ୍ୱ ସାମରିକ ବାହିନୀ ହାତରେ ସମର୍ପି ଦେଇ ବସିବା ବିଜ୍ଞତାର କାର୍ଯ୍ୟ ନୁହେଁ, କାରଣ ଏହାର ଅର୍ଥ ହୁଏ ଯେ ସୈନ୍ୟବାହିନୀ ହାରିଗଲେ ସମସ୍ତ ଲୋକେ ହାରିଯିବେ । ତେଣୁ ଲୋକେ ନିଜର ଆତ୍ମବଳ ମଧ୍ୟ ଜାଗ୍ରତ କରିବା ଚାହିଁ ।

 

ଦେଖାଯାଇଛି ଯେ ନେଫାର ଯେଉଁସବୁ ଅଞ୍ଚଳ କିଛି ଦିନ ପାଇଁ ଚୀନ୍‍ର କବଳରେ ପଡ଼ିଥିଲା ସେଠାର ଜନସାଧାରଣ ଅନେକ ସ୍ଥାନରେ ଚୀନା ସୈନ୍ୟମାନଙ୍କ ସହ ସହଯୋଗ କଲେ-। ଭାରତୀୟ ସରକାରୀ କର୍ମଚାରୀ ଓ ସୈନ୍ୟମାନଙ୍କର ଆଚରଣର ଯେଉଁ ଅଭିଜ୍ଞତା ସେମାନଙ୍କର ଥିଲା ତାହା ତୁଳନାରେ ଚୀନ୍‍ କର୍ମଚାରୀ ଓ ସିପାହୀମାନଙ୍କର ଆଚରଣ ଢେର ବେଶି ଉତ୍ତମ ବୋଲି ସେମାନେ ଅନୁଭବ କଲେ । ଏହା ବ୍ୟତୀତ ଭାରତ ଆମର ଦେଶ ବୋଲି କୌଣସି ପ୍ରକାରର ଏକାତ୍ମତାର ବୋଧ ମଧ୍ୟ ସେମାନଙ୍କ ମଧ୍ୟରେ ଜାଗ୍ରତ ନ ହୋଇଥିବାରୁ ସେମାନେ ଚୀନ୍‍ର ଆକ୍ରମଣଟାକୁ ଆକ୍ରମଣ ବୋଲି ବିଚାରି ପାରିଲେ ନାହିଁ । ପୁଣି ନେଫା ଓ ଆସାମର କେତେକ ଅଞ୍ଚଳରୁ ଭାରତର ସୈନ୍ୟ ଅପସରି ଆସିବାରୁ ସେଠା ଲୋକଙ୍କ ସାମନାରେ ପ୍ରଶ୍ନ ଉଠିଲା ଯେ ସେମାନେ ମଧ୍ୟ ପଳେଇ ଯିବେ ନା ବିଦେଶୀ ଫୌଜର ବଶ୍ୟତା ସ୍ୱୀକାର କରିବେ । ସାଧାରଣତଃ ଏହି ଦୁଇ ପନ୍ଥା ହିଁ ଲୋକେ ଅବଲମ୍ବନ କରିଥାନ୍ତି । ତେବେ ଅଳ୍ପ କେତେକ ଲୋକେ ଲୁଚିଛପି ଶତ୍ରୁ ସୈନ୍ୟ ବିରୋଧରେ ଗରିଲା ଯୁଦ୍ଧ ଚଳାଇବାର ପରମ୍ପରା ଦ୍ୱିତୀୟ ମହାଯୁଦ୍ଧଠାରୁ ଆରମ୍ଭ ହୋଇଛି । ମାତ୍ର ଏକ ଚତୁର୍ଥ ପନ୍ଥା ମଧ୍ୟ ସମ୍ଭବ, ଯେ ଲୋକେ ସେଠୁ ପଳେଇ ନ ଆସି ବା ବଶ୍ୟତା ସ୍ୱୀକାର ନ କରି ସେଠି ତିଷ୍ଠି ରହିବେ ଓ ନିଜର ଓ ଦେଶର ଟେକ ବଜାୟ ରଖି ଆକ୍ରମଣକାରୀଙ୍କ ସହିତ ଅହିଂସ ଅସହଯୋଗ କରିବେ, ଗାନ୍ଧିଜୀ ଭାରତ ଉପରେ ଜାପାନର ଆକ୍ରମଣ ଆଶଙ୍କା କରାଯାଉଥିବା ବେଳେ ଏହି ଧରଣର ପ୍ରତିରୋଧ କଳ୍ପନା କରିଥିଲେ । ଏହାର ଉଲ୍ଲେଖ ଏହି ଅଧ୍ୟାୟରେ ପୂର୍ବରୁ କରାଯାଇଛି ।

 

ପ୍ରଧାନତଃ ସୀମାବର୍ତ୍ତୀ ଅଞ୍ଚଳରେ ହିଁ ଏହିପରି ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସେସବୁ ଅଞ୍ଚଳର ଲୋକଙ୍କୁ ଏହିଭଳି ଅହିଂସ ପ୍ରତିରୋଧ ପାଇଁ ପ୍ରସ୍ତୁତ କରିବାର ଏକ ବ୍ୟାପକ କାର୍ଯ୍ୟକ୍ରମ ଏ ଦେଶର ସମସ୍ତ ଅହିଂସାବ୍ରତୀ ଅନୁଷ୍ଠାନମାନଙ୍କ ପକ୍ଷରୁ ମିଳିତ ଭାବରେ ନିଆଯାଇଛି-। ଏମାନଙ୍କ ଭିତରେ ଗାନ୍ଧି ସ୍ମାରକ ନିଧି, କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ନିଧି, ସର୍ବ ସେବା ସଂଘ, ଶାନ୍ତିସେନା ମଣ୍ଡଳ, ଭାରତୀୟ ଆଦିମ ଜାତି ସେବକ ସଂଘ, ହରିଜନ ସେବକସଂଘ ଆଦି ପ୍ରଧାନ-। ଖଦି ଗ୍ରାମୋଦ୍ୟୋଗ କମିଶନ୍‍ ମଧ୍ୟ ଏଥିରେ ସହଯୋଗ କରୁଛି । ସ୍ଵଭାବତଃ ସେ ଅଞ୍ଚଳର ଅର୍ଥନୀତି ଓ ସମାଜ ବ୍ୟବସ୍ଥାରୁ ବିଷମତା ଓ ଶୋଷଣ ଦୂର କରିବା ତଥା ନାନା ପ୍ରକାରର ଉତ୍ପୀଡ଼ନର ଅହିଂସ ପ୍ରତିରୋଧ କରିବାର ଶକ୍ତି ସେଠା ଲୋକଙ୍କ ଭିତରେ ଜାଗ୍ରତ କରିବା ମଧ୍ୟ ଏଥିପାଇଁ ଆବଶ୍ୟକ । ତେଣୁ ଏସବୁ ମଧ୍ୟ ଉପରୋକ୍ତ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅନୁସାରେ ଏବେ ୧୭୫ଟି କେନ୍ଦ୍ର ସୀମା ଅଞ୍ଚଳରେ ରହିଛି ଓ ଚାରିଶହରୁ ଅଧିକ କର୍ମୀ ସେଠାରେ କାମ କରୁଛନ୍ତି ।

 

ଯଦି କୌଣସି ଦେଶ ଅହିଂସ ପ୍ରତିରୋଧ ପାଇଁ ପ୍ରସ୍ତୁତ ହୁଏ ଓ ତାହାର ସମାଜ ବ୍ୟବସ୍ଥା ଓ ଅର୍ଥନୀତିରେ ମଧ୍ୟ ତଦନୁରୂପ ପରିବର୍ତ୍ତନ ହୋଇଥାଏ ତେତେ ସେ ଦେଶର ସରକାର ସୈନ୍ୟବାହିନୀ ନ ରଖି ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ କରିବାର ନିର୍ଣ୍ଣୟ କରିବ ଏବଂ ଏ ନିର୍ଣ୍ଣୟ ପଛରେ ଜନସାଧାରଣଙ୍କର ସଚେତ ଓ ସକ୍ରିୟ ସହଯୋଗ ରହିଥିବ । ଏ ନିର୍ଣ୍ଣୟ ହିଁ ଏଭଳି ବୈପ୍ଳବିକ ଓ ଅଦ୍ଭୂତପୂର୍ବ ହେବ ଯେ ନାନା ଦାବି ଓ ବିବାଦ ନେଇ ସେ ଦେଶ ଉପରେ ଆକ୍ରମଣ କରିବା କଥା ଚିନ୍ତା କରୁଥିବା ପଡ଼ୋଶୀ ଦେଶର ଶାସନକର୍ତ୍ତାମାନଙ୍କର ଗତାନୁଗତିକ ଚିନ୍ତାଧାରା ଏକାବେଳେକେ ଓଲଟପାଲଟ ହୋଇଯିବ । କୌଣସି କାରଣରୁ ଅସ୍ତ୍ର ଉଠାଇବା ପୂର୍ବରୁ ସେମାନେ ଶହେ ଥର ଚିନ୍ତା କରିବେ ଏବଂ ଯଦି ବା ତଥାପି ଆକ୍ରମଣ କରନ୍ତି ତେବେ ଗାନ୍ଧିଜୀ ଦର୍ଶାଇଥିବା ପରି ସେମାନଙ୍କୁ ଉଡ଼ାଜାହାଜ ଟ୍ୟାଙ୍କ ଆଦି ନେଇ ଆସିବାକୁ ହେବନାହିଁ । ଦୂରରେ ଥାଇ କମାଣରୁ ବା ଉଡ଼ାଜାହାଜରୁ ଶସ୍ତ୍ର ନିକ୍ଷେପ କଥା ରହିବ ନାହିଁ । ସେତେବେଳେ ଦେଶର ଆବାଳ ବୃଦ୍ଧବନିତା ବିପୁଳ ଜନସାଧାରଣଙ୍କର ସାମନା ସାମନି ଆକ୍ରମଣକାରୀ ସୈନ୍ୟମାନେ ହେବେ ଓ ବ୍ୟାପକ ଅହିଂସ ପ୍ରତିରୋଧର ଅବସର ସୃଷ୍ଟି ହେବ ।

 

ଏହି ସନ୍ଦର୍ଭରେ ଆଧୁନିକ ଯୁଗର ଆଉ ଏକ ବିଶେଷତ୍ୱ ପ୍ରତି ବିନୋବାଜୀ ଦୃଷ୍ଟି ଆକର୍ଷଣ କରିଛନ୍ତି ଯେ, ଏ ଯୁଗରେ ଏକ ବିଶ୍ଵ ଜନମତ ସୃଷ୍ଟି ହୋଇ ସାରିଲାଣି ଓ ତାହାର ପ୍ରଭାବ ଆର୍ନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କାମ କରିବାକୁ ଆରମ୍ଭ କଲାଣି । ବିଶ୍ୱର ଏହି ଜାଗ୍ରତ ବିବେକ ବୁଦ୍ଧିର ମଧ୍ୟ ଏଭଳି ପରିସ୍ଥିତିରେ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିବ । ଯେତେବେଳେ ଇଜିପ୍‍ଟର ସରକାର ୧୯୫୬ ରେ ସୁଏଜ କେନାଲର ରାଷ୍ଟ୍ରୀୟକରଣ କଲା ଓ ଏଥିରେ ଉତ୍‍କ୍ଷିପ୍ତ ହୋଇ ଫ୍ରାନ୍‍ସ ଓ ଇଂଲଣ୍ଡର ସରକାର ତାହା ଉପରେ ଆକ୍ରମଣ ଚଳାଇଲେ ସେତେବେଳେ ଇଂଲଣ୍ଡର ଲୋକମତ ମଧ୍ୟ ନିଜ ସରକାର ବିରୋଧରେ ଗଲା ଓ ସାଧାରଣ ଭାବରେ ଦୁନିଆର ଲୋକମତ ମଧ୍ୟ ଏମାନଙ୍କର ଏ କାର୍ଯ୍ୟ ବିରୋଧରେ ଉତ୍ତେଜିତ ହୋଇ ଉଠିଲା । ଫଳରେ ସେମାନଙ୍କୁ ଏ ଆକ୍ରମଣ ପ୍ରତ୍ୟାହର କରି ନେବାକୁ ପଡ଼ିଲା । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଇଡେନଙ୍କ ଇସ୍ତଫା ଦେବାକୁ ହେଲା । ଏବେ ଭିଏତନାମରେ ଆମେରିକା ଯୁକ୍ତରାଷ୍ଟ୍ରର ଦମନ ନୀତିକୁ ସେଠାରେ ଜନସାଧାରଣଙ୍କ ଭିତରୁ ଏକ କ୍ରମବର୍ଦ୍ଧମାନ ଅଂଶ ସମର୍ଥନ କରୁ ନାହାନ୍ତି ଓ ତାହାର ବିରୋଧରେ ପ୍ରବଳ ଭାବରେ ପ୍ରତ୍ୟକ୍ଷ ପ୍ରଦର୍ଶନ ଇତ୍ୟାଦି କରୁଛନ୍ତି । ଯୁକ୍ତରାଷ୍ଟ୍ର ସରକାର ଏହାକୁ ପୂରାପୂରି ଅବଜ୍ଞା କରିଦେବା ସମ୍ଭବ ହେଉ ନାହିଁ । ଏକଥା ଖୁବ୍ ସମ୍ଭବ ଯେ ଯଦି କୌଣସି ଦେଶ ଏକତରଫା ନିରସ୍ତ୍ରୀକରଣ କରେ ଓ ଅହିଂସ ଭାବରେ ହିଁ ଆତ୍ମରକ୍ଷା କରିବାର ସଂକଳ୍ପ ଘୋଷଣା କରେ ତେବେ ଆକ୍ରମଣକାରୀ ଦେଶର ଜନମତ ହିଁ ତାହା ସପକ୍ଷରେ ନିଜ ସରକାର ବିପକ୍ଷରେ ଯିବ । ୧୯୩୦ରେ ପେଶଓ୍ୱାରଠାରେ ଗଡ଼ଓ୍ୱାଲୀ ସୈନ୍ୟମାନେ ଯେପରି ନିରସ୍ତ୍ର ଜନତା ଉପରେ ଗୁଳି ଚଳାଇବାକୁ ମନା କରିଦେଲେ ସେପରି ବିଦ୍ରୋହ ମଧ୍ୟ ଆକ୍ରମକ ସେନା ଭିତରେ ଦେଖାଦେଇପାରେ ।

 

ଏଠି ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବନାହିଁ ଯେ ୧୯୧୭ର ରୁଷ୍‍ ବିପ୍ଳବ ବେଳେ ଦେଶ ଭିତରେ ବିପ୍ଳବ ଦମନ କରିବାକୁ ଅଣା ଯାଇଥିବା ଲକ୍ଷ ଲକ୍ଷ ରୁଷ୍‍ ସୈନ୍ୟ ଗୁଳି ଚଳାଇବା ପରିବର୍ତ୍ତେ ବିପ୍ଳବୀମାନଙ୍କ ପକ୍ଷରେ ଯୋଗ ଦେଇ ଦେଲେ । ସୈନ୍ୟଦଳଙ୍କୁ ନିଜ ପକ୍ଷକୁ ଆଣି ହେବ ବୋଲି ବିପ୍ଳବୀମାନେ ବିଶ୍ୱାସ କରୁଥିଲେ ଓ ସେଥିପାଇଁ ସେମାନଙ୍କ ପ୍ରତି ବିଦ୍ୱେଷପୂର୍ଣ୍ଣ ମନୋଭାବ ଦେଖାଇବା ପରିବର୍ତ୍ତେ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ନେଇ ସେମାନଙ୍କୁ ସ୍ୱାଗତ କରିବାକୁ ଆଗେଇ ଯାଉଥିଲେ । ଏହିରୂପେ ଏ କ୍ଷେତ୍ରରେ ବିପ୍ଳବୀମାନେ ଏକ ସୀମିତ ଅହିଂସ ମନୋଭାବ ଧରିଥିଲେ ବୋଲି କୁହାଯାଇପାରେ । ରୁଷ୍‍ ସହିତ ସେତେବେଳେ ତାର ପଶ୍ଚିମ ପଟେ ଜର୍ମାନୀ ଓ ଜର୍ମାନୀର ମିତ୍ର ଶକ୍ତିମାନେ ଯୁଦ୍ଧ କରୁଥାନ୍ତି । ରୁଷ୍‍ ବିପ୍ଳବର ନେତା ଲେନିନ୍‍ ଓ ଟ୍ରଟସ୍କି ବିଶ୍ୱାସ କରୁଥିଲେ ଯେ ଯଦି ରୁଷ୍‍ ସୈନ୍ୟମାନେ ଆପଣାକୁ ବିପ୍ଳବୀ ବୋଲି ଘୋଷଣା କରି ଶତ୍ରୁ ପକ୍ଷର ସୈନ୍ୟମାନଙ୍କ ପ୍ରତି ନିଜର ସଦ‌ଭବ ଘୋଷଣା କରନ୍ତି ତେବେ ସେମାନେ ମଧ୍ୟ ରୁଷ୍‍ ସେନା ବିରୋଧରେ ଲଢ଼ିବା ଛାଡ଼ି ଦେଇ ନିଜ ନିଜ ସରକାର ବିରୋଧରେ ବିଦ୍ରୋହ କରିବେ । ସେମାନଙ୍କର ଏ କଳ୍ପନା ସାର୍ଥକ ନ ହେଲେ ମଧ୍ୟ ସେମାନେ ଯେ ଏଭଳି ଭାବି ପାରିଥିଲେ ଏହାହିଁ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ଆମେ ପୂର୍ବରୁ ସତ୍ୟାଗ୍ରହୀର ଗୁଣ ବିଷୟରେ ଆଲୋଚନା କଲାବେଳେ ଦେଖିଛୁ ଯେ ଏ ଯୁଗରେ ସଶସ୍ତ୍ର ଯୁଦ୍ଧ ବି ଆଉ କେବଳ ସୈନ୍ୟବାହିନୀର କାରବାର ହୋଇ ରହିନାହିଁ । ଭୀରୁ ଦେଶବାସୀଙ୍କୁ ପେଶାଦାର ସୈନ୍ୟ ରକ୍ଷା କରିବାର ଯେଉଁ ଅବସ୍ଥାରେ ବିନୋବାଜୀ ଉଲ୍ଲେଖ କରିଛନ୍ତି ସେ ଅବସ୍ଥା ବଦଳି ଗଲାଣି । ଗତ ମହାଯୁଦ୍ଧରେ ଦେଶର ସାଧାରଣ ଲୋକଙ୍କୁ ମଧ୍ୟ ସୈନ୍ୟମାନଙ୍କ ସମାନ କିମ୍ବା ହୁଏତ ଅଧିକ ମନୋବଳ, ସାହସ ଓ କଷ୍ଟସହିଷ୍ଣୁତା ଦେଖାଇବାକୁ ପଡ଼ିଲା । ଲଣ୍ଡନ ବା ବର୍ଲିନ ଉପରେ ରାତାରାତି ଧରି ଅଜସ୍ର ବୋମା ବର୍ଷଣ ବେଳେ ସେସବୁ ସହର ଯୁଦ୍ଧକ୍ଷେତ୍ରକୁ ବି ବଳିଗଲା । ଏସବୁ ଅକଥ୍ୟ ଯାତନା ସେ ଦେଶମାନଙ୍କର ଆବାଳବୃଦ୍ଧବନିତା ଧୈର୍ଯ୍ୟ ଧରି ସାହସ ସହିତ ସହିଲେ । ମାତ୍ର ଆମଦେଶ ଏଯାଏ ପ୍ରତ୍ୟକ୍ଷ ଭାବରେ ଆଧୁନିକ ଯୁଦ୍ଧର ଦାଉ ଭୋଗି ନ ଥିବାରୁ ଏବେ ବି ଏ ଦେଶରେ ଯୁଦ୍ଧ ବିଷୟରେ ସେହି ସାଆନ୍ତିଆ ଯୁଗର ଧାରଣା ରହି ଯାଇଛି ଯେ ପେଶାଦାର ଗଡ଼ଓ୍ୱାଲୀ, ଶିଖ ବ ନେପାଳୀ ସୈନ୍ୟ ଆମକୁ ରକ୍ଷା କରିବେ । ଆମେ ଓ ଆମ ପୁଅନାତି ଜୀବନକୁ ସାରୁପତ୍ରରେ ବାନ୍ଧି ଘରକୋଣରେ ନିରାପଦରେ ରହିଥିବୁ । ଗାନ୍ଧିଜୀ ଏହାକୁ ଅଣପୁରୁଷିଆ ଓ ମାଇଚିଆ ସ୍ଵଭାବ କହି ବାରମ୍ବାର ନିନ୍ଦା କରିଛନ୍ତି । ଏ ଦୃଷ୍ଟି ବଦଳି ଗଲେ ଆକ୍ରମଣର ଅହିଂସ ପ୍ରତିରୋଧର ଉପାଦେୟତା ବୁଝିବା ଦିଗରେ ଆମେ ଆଉ ପାଦେ ଆଗେଇ ପାରିବା ।

 

ଚେକୋସ୍ଳୋଭାକିଆବାସୀ କିଭଳି ଭାବରେ ରୁଷ୍‍ ଆଦି ପଞ୍ଚଶକ୍ତିର ଆକ୍ରମଣର ଶାନ୍ତିପୂର୍ଣ୍ଣ ବିରୋଧ କଲେ ତାହାର ଆଲୋଚନା ପୂର୍ବର ଏକ ଅଧ୍ୟାୟରେ କରାଯାଇଛି । ଆକ୍ରମଣର ଶାନ୍ତିପୂର୍ଣ୍ଣ ପ୍ରତିରୋଧର ଏହା ଏକ ପ୍ରକୃତ ନମୁନା । ଅବଶ୍ୟ ଚେକୋସ୍ଳୋଭାକିଆବାସୀ ଅହିଂସ ପ୍ରତିରୋଧ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ନଥିଲେ ବା ସେଥିପାଇଁ ତାଲିମ ନେଇ ନ ଥିଲେ । ସେମାନଙ୍କର ପ୍ରତିରୋଧରେ ଅହିଂସ ଦୃଷ୍ଟିରୁ ଅନେକ ତ୍ରୁଟି ରହିବା ସ୍ୱାଭାବିକ ଓ ତାହା ଯେତେ ଶକ୍ତିଶାଳୀ ହୋଇ ପାରିଥାନ୍ତା ସେତେ ହୋଇ ପାରିଲା ନାହିଁ । ମାତ୍ର ତଥାପି ସେମାନେ ଯେଉଁ ଶୌର୍ଯ୍ୟ ଓ ଧୈର୍ଯ୍ୟର ପରିଚୟ ଦେଲେ ତାହାର ତୁଳନା ପୃଥିବୀରେ ଅନ୍ୟତ୍ର ନାହିଁ । ସାରା ଦେଶର ଲୋକେ ଏକମନ ଏକପ୍ରାଣ ହେଲେ କଣ କରିହୁଏ ତାହାର କଥଂଚିତ ଆଭାସ ଏଘଟଣାରୁ ମିଳୁଛି । ଚେକୋସ୍ଳୋଭାକିଆବାସୀଙ୍କ ଏ ପ୍ରତିରୋଧ ଫଳରେ ବହୁ ସଂଖ୍ୟକ ରୁଷ୍‍ ସୈନିକ ସେମାନଙ୍କ ବିରୋଧରେ ଅସ୍ତ୍ର ପ୍ରୟୋଗ କରିବାକୁ ନାସ୍ତି କରି ଦେଇଥିଲେ ବୋଲି ଜଣା ପଡ଼ିଛି । ରୁଷ୍‍ ଦେଶ ଭିତରେ ଅଳ୍ପ କେତେ ଜଣ ହେଲେବି ନିଜ ସରକାରର ନୀତିର ତୀବ୍ର ବିରୋଧିତା କରି ଦଣ୍ଡିତ ହୋଇଛନ୍ତି । ଏହିରୂପେ ଏହି ପ୍ରତିରୋଧ ପ୍ରତିପକ୍ଷର ଅନ୍ତରରେ ଦ୍ଵନ୍ଦ ସୃଷ୍ଟି କରିଦେବାରେ ସମର୍ଥ ହୋଇଛି । ଏ ଘଟଣାର ପ୍ରଭାବ ଯେ ବ୍ୟାପକ ହେବ ଓ ଅନେକ ଦିନ ଚାଲିବ ଏଥିରେ ସନ୍ଦେହ ନାହିଁ-

 

ଶେଷରେ ଏତିକି କୁହାଯାଇ ପାରେ ଯେ ମାରାଣାସ୍ତ୍ରର ଭୟଙ୍କରତା ବଢ଼ିବା ସାଙ୍ଗେ ସାଙ୍ଗେ ଦୁନିଆରେ ମଣିଷପଣିଆ ମଧ୍ୟ ଅଧିକ ଜାଗ୍ରତ ଓ ଶକ୍ତିଶାଳୀ ହେବାରେ ଲାଗିଛି । ତେଣୁ ଆଗରୁ ଅର୍ନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଦେଶରକ୍ଷା ପାଇଁ ଅହିଂସ ପନ୍ଥାର ପ୍ରାସଙ୍ଗିକତା ବଢ଼ିବ ତାହା ପ୍ରତି ଦୁନିଆର ଲୋକଙ୍କର ଦୃଷ୍ଟି ମଧ୍ୟ ଅଧିକ ଯିବ ।

Image